Unknown

 

 

 

 

 

 

 

 

 

 

 

ଶତାବ୍ଦୀର ନଚିକେତା

ଶାନ୍ତନୁ କୁମାର ଆଚାର୍ଯ୍ୟ

 

ଶ୍ରୁତି ଓ ସୃତି

 

୧୮୬୬ ରୁ ୧୯୬୬–ଏକ ଶତାବ୍ଦୀ । ବିଶ୍ଵ ପକ୍ଷରେ ଏହି ଶତାବ୍ଦୀଟିର ତାତ୍ପର୍ଯ୍ୟ ଯାହା କିଛି ଥାଉ ନା କାହିଁକି କିନ୍ତୁ ଓଡ଼ିଶା ପକ୍ଷରେ ଏହା ଏକ ସ୍ମରଣୀୟ ଚିତାଗ୍ନି ପରିକ୍ରମା । ପରିକ୍ରମାର ଶେଷାଂଶକୁ ଚିହ୍ନିହୁଏ ପୁନରାବୃତ୍ତିର ଲକ୍ଷଣରୁ । କେହି କି କେବେ ଭୁଲିପାରେ–ଏକ ଅନାଥ ଶିଶୁର ଜୀବନ ରକ୍ଷା ନିମିତ୍ତ ସର୍ବସ୍ଵ ତ୍ୟାଗ କରୁଥିବା ଏକ ବୃଦ୍ଧାର କରୁଣ ନିବେଦନଟିକୁ ?

 

“ଏ ଘରେ ଅଣ୍ଡିରା ପିଲା କେହି ନାହିଁ, ଆମ୍ଭର ଜମିର ଦରକାର ନାହିଁ ।” (ଫକୀରମୋହନ–ଆତ୍ମ ଜୀବନ ଚରିତ)

 

ସେଦିନ ଯେଉଁ ମାଟିରେ ଏହି ଶତାବ୍ଦୀ ଭୂମିଷ୍ଠ ହୋଇଥିଲା, ପରିକ୍ରମାର ଶେଷବେଳକୁ ତାହା ସେଇ ଅଞ୍ଚଳକୁ ପ୍ରଦକ୍ଷିଣ କରିସାରି ବ୍ୟାପ୍ତ ହୋଇଛି ସାରା ଦେଶ ଆଡ଼କୁ । –ଉଛୁଳି ଉଠିଛି ବିଶ୍ୱତୋମୁଖୀ ହୋଇ । କିଛିଦିନ ତଳେ ବିଶ୍ଵବ୍ୟାପୀ “କ୍ଷୁଧା ମୁକ୍ତି ଆନ୍ଦୋଳନ” ସପ୍ତାହ ପାଳିତ ହୋଇଛି । ପୁଣି ବିଶ୍ଵର ‘କ୍ଷୁଧା’ କହିଲେ କ୍ଷୁଧାର ଯେଉଁ ବିଭାଗଟି ମସ୍ତିସ୍କ–କୋଷଗୁଡ଼ିକୁ ଆଲୋଡ଼ିତ କରେ, ତାହା କ’ଣ କେବଳ ଭୁଞ୍ଜିବାର କ୍ଷୁଧା ?

 

‘ଶତାବ୍ଦୀର ନଚିକେତା’ ଜନ୍ମନିଏ ଅବଶ୍ୟ ଏହିପରି ଏକ ବାସ୍ତବ କ୍ଷୁଧାରୁ । ଛଟାଙ୍କିଏ ଚାଉଳ, ଅଧଛଟାଙ୍କିଏ ଗଜାମୁଗ ଅଥବା ଅଧଡ଼ଜନେ କଦଳୀର ମୂଲଚାଲରୁ ଯେଉଁ ଚରିତ୍ର ସବୁ ଜାତ ହୁଅନ୍ତି କ୍ରମେ ସେମାନେ ବଡ଼ ହୁଅନ୍ତି । କିନ୍ତୁ ସେମାନେ ଯାହାଁ ଯାହାଁ ବଡ଼ ହୁଅନ୍ତି, ତାହାଁ ତାହାଁ ସେମାନଙ୍କର ଜଠରାଗ୍ନି ଚରିତ୍ର ବିଶେଷରେ ବିଭିନ୍ନରୂପେ ପ୍ରଜ୍ଜ୍ଵଳିତ ହେବାକୁ ଆରମ୍ଭ କରେ । ଏକ ଶୁଚିମନ୍ତ ହୋମାନଳର କୋମଳ ତେଜସ୍ୱୀ ରୂପ ସ୍ଥଳବିଶେଷରେ ପରିଣତ ହୁଏ ଏକ ରାଜସ୍ଵୀୟବୈଶ୍ୱାନରରେ ।

 

ବିଭୁପ୍ରସାଦ ଓ ନଟବର ଏହିପରି ଦୁଇଟି ଚରିତ୍ର । ଦୁହେଁ ଶତାବ୍ଦୀର ସନ୍ତାନ ପରସ୍ପରର ପରିପୂରକ । ଜଣେ କ୍ରିୟା ହେଲେ ଅନ୍ୟଟି ପ୍ରତିକ୍ରିୟା ।

 

କ୍ରିୟା ଓ ପ୍ରତିକ୍ରିୟା–ଏହି ଦୁଇଟି ଶବ୍ଦର ଅର୍ଥକୁ, ଟିକିଏ ସ୍ଵତନ୍ତ୍ରଭାବେ ବିଚାର କଲେ ଉପନ୍ୟାସଟିର ନାମକରଣରେ ‘ନଚିକେତା’ ଶବ୍ଦର ଯଥାର୍ଥତା ଅଧିକ ସ୍ପଷ୍ଟ ହେବ ବୋଲି ଆଶା କରେ ।

 

ସାଧାରଣତଃ କ୍ରିୟା ଓ ପ୍ରତିକ୍ରିୟାକୁ ପରସ୍ପରଠାରୁ ବିଚ୍ଛିନ୍ନଭାବେ ବିଚାର କରାଯାଏ ନାହିଁ-। କାର୍ଯ୍ୟ ଓ କାରଣ ବହିର୍ଭୂତ ବିଚାର ମନୁଷ୍ୟ–ସୃଷ୍ଟିର ବହିର୍ଭୂତ ।

 

କିନ୍ତୁ ଈଶ୍ୱର–ସୃଷ୍ଟିରେ କ୍ରିୟା–ପ୍ରତିକ୍ରିୟାର ବିଚାର ଅନ୍ୟ ପ୍ରକାର । ସେଠାରେ କ୍ରିୟା ଓ ପ୍ରତିକ୍ରିୟା ଉଭୟ ଦୁଇଟି ସ୍ଵତନ୍ତ୍ର ଓ ସ୍ଵାଧୀନ ଶିଶୁର ପ୍ରତୀକ । ଶିଶୁ ପ୍ରତିକ୍ରିୟାଶୀଳ ହୋଇପାରେନା-। ତା’ର ପ୍ରତ୍ୟେକଟି ପଦକ୍ଷେପ, ନିଜ ପଛରେ ରଖିଯାଏ ସକ୍ରିୟ ସୃଷ୍ଟିର ସ୍ମୃତି ।

 

“The child is......a new begining......a self rolling wheel, a primal motion”

 

(Nietzche: Thus spake Zarathustra)

 

‘କଥା–ଉପନିଷଦ’ର ଏହି ସ୍ଵୟଂଚାଳିତ ଚକ୍ର ଅଥବା ଶିଶୁର ନାମ ନଚିକେତା । ନଚିକେତାର ଜନ୍ମ, ଭାରତ–ସଭ୍ୟତା ଇତିହାସର ଏକ ବିଡ଼ମ୍ବିତ ମୁହୂର୍ତ୍ତରେ । ବିସ୍ମୟ ଓ କାରୁଣ୍ୟରୁ ଜାତ ତ୍ୟାଗ ଓ ସନ୍ନ୍ୟାସ ପଥଭ୍ରଷ୍ଟ ହୋଇ ଅରଣ୍ୟରେ ରୋଦନରତ । ଏହି ସମୟରେ ଶିଶୁ ନଚିକେତା ଲକ୍ଷ୍ୟ କରେ ତା’ର ଦାନରତ, ପାରତ୍ରିକ ମୁକ୍ତିକାମୀ, ଧର୍ମାନ୍ଧ ପିତାଙ୍କୁ । ‘ପିତୋଦକ, ଜଗ୍‍ଧତୃଣ, ଦୁଗ୍ଧଦୋହା, ନିରିନ୍ଦ୍ରିୟ...’ ଏହିପରି ବିଶେଷଣଯୁକ୍ତ କେତେଗୋଟି ଗାଭୀ ଦାନ କର ଧର୍ମ ଅର୍ଜନ କରୁଥିବା ପିତାଙ୍କୁ ଦେଖିବାମାତ୍ରେ ନଚିକେତାର ପ୍ରାଣରେ ଯେଉଁ କ୍ଷୋଭ ପ୍ରକାଶିତ ହୁଏ ତାହାର ପରିଣତି ଯାହା ହେଲା ତାହା ଭାରତୀୟ ପରମ୍ପରାର ଏକ ଉଜ୍ଜ୍ୱଳ ଆଲେଖିକା ।

 

କିନ୍ତୁ ଶିଶୁ ନଚିକେତାର ଆଚରଣର ଅନ୍ୟ ଏକ ଦିଗ ମଧ୍ୟ ବିଚାର୍ଯ୍ୟ । ଏକ ଦୃଷ୍ଟିରୁ ନଚିକେତାର ଯମାଳୟ ଗମନ ଏକ ବିଶୁଦ୍ଧକ୍ରିୟାରୂପେ ପ୍ରତୀତ ହେଲେ ମଧ୍ୟ ଏହାର ଆଢ଼ୁଆଳରେ ଯେଉଁ ଦିଗଟି ରହିଗଲା ତାହାକୁ ‘ପ୍ରତିକ୍ରିୟା’ ନାମରେ ନାମିତ କରାଯାଇପାରେ । ଆପଣାର ଦାନରତ ପିତାଙ୍କ ଛଳନାରେ ବିକ୍ଷୁବ୍ଧ ହୋଇ ଶିଶୁ ନଚିକେତା ଯେତେବେଳେ ପ୍ରଶ୍ନକଲା–“ତାତ ! ମତେ କାହାକୁ ଦାନ କରୁଅଛ ?” ସେତେବେଳେ ନଚିକେତାର ସେଇ ନିର୍ଦ୍ଦୋଷ କାତରୋକ୍ତିକୁ ଏକ ଔଦ୍ଧତ୍ୟପୂର୍ଣ୍ଣ ଆକ୍ଷେପ ବୋଲି ମଧ୍ୟ ଚିତ୍ର କରାଯାଇପାରେ । ପୁଣି ତା’ର ପ୍ରଶ୍ନର ଉତ୍ତରରେ ସେ ଯେଉଁ ଆଦେଶ ପାଇଲା, “ମୁଁ ତତେ ଯମକୁ ଦାନ କରୁଅଛି”–ଏହି ପିତୃଅଭିଶାପର ପ୍ରତ୍ୟୁତ୍ତର ସ୍ୱରୂପ ସ୍ଵୟଂ ଯମକୁ ମଧ୍ୟ ଜୟ କରିବାର ଚରମ ପ୍ରୟାସ ଏକ ନିର୍ଦ୍ଦୋଷ ଶିଶୁ ପକ୍ଷରେ ଯେତିକି କ୍ରିୟାଯୁକ୍ତ ତତୋଽଧିକ ପ୍ରତିକ୍ରିୟାଶୀଳରୂପେ ମଧ୍ୟ ବିଚାର୍ଯ୍ୟ । କିନ୍ତୁ ନଚିକେତା ଯେ ବାସ୍ତବରେ ଏକ ନିର୍ଦ୍ଦୋଷ ନିଷ୍ପାପ ଶିଶୁ ଏହା ତା’ର ମୃତ୍ୟୁଞ୍ଜୟିତାହିଁ ପ୍ରମାଣ କରେ–ଉପନିଷଦରେ । ଏହି ଦୃଷ୍ଟିରୁ ଉଭୟ ବିଭୁପ୍ରସାଦ ଓ ନଟବର ଗୋଟିଏ ଶତାବ୍ଦୀ ବା ଯୁଗର ସମୟ ସଙ୍ଗୀତର ଅଷ୍ଟମସ୍ୱର ପରି, କ୍ରିୟାପ୍ରତିକ୍ରିୟାଶୀଳ ଦୁଇଟି ସ୍ଵତନ୍ତ୍ର, ସୃଜନଶୀଳ ଶିଶୁ । ତେଣୁ ଏକ ଅର୍ଥରେ ଦୁହେଁହିଁ ଦୁଇଟି ନଚିକେତା ।

 

“A perfect man is a divine child, accepting the divine play, without fear or reserve...in utter purity. A child’s wise incomprehension is linked with living and is more than defensiveness or disdain. We cannot return to childhood. We have to gain the state which is unrestricted by temporal purpose, but purposeful, a state in which time and eternity coincide.”

 

(S. Radhakrishnan–On Principal Upanishads)

 

ଭୁବନେଶ୍ୱର

ଶାନ୍ତନୁକୁମାର ଆଚାର୍ଯ୍ୟ

ଗୁରୁଦିବସ, ୧୯୬୪

ଅଧ୍ୟାପକ, ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ

 

ବି:ଦ୍ର: ଏ ଉପନ୍ୟାସରେ ବର୍ଣ୍ଣିତ ଘଟଣାଗୁଡ଼ିକ କୌଣସି ଜୀବିତ ବା ମୃତବ୍ୟକ୍ତି ଅଥବା ଅନୁଷ୍ଠାନ ପ୍ରତି ପ୍ରଯୁଜ୍ୟ ନୁହେଁ । ଏଗୁଡ଼ିକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଓ କଳ୍ପନା ପ୍ରସୂତ ।

☆☆☆

 

ଏକ

 

କିଏ ?

 

ସେ ଉଠି ବସେ । ଆଖି ମଳି ମଳି ପୁଣି ଥରେ ସେ ଡାକେ–କିଏ ?

 

କିନ୍ତୁ ବାହାରୁ କୌଣସି ଉତ୍ତର ଆସେ ନାହିଁ ।

 

ବିଭୁପ୍ରସାଦ ଶେଯ ଛାଡ଼ି ଠିଆ ହୁଏ । ଲ୍ୟାମ୍ପ ଲଗାଇବ ? କିନ୍ତୁ କ’ଣ ଭାବି ସେ ଆଉ ଲ୍ୟାମ୍ପ ଲଗାଏ ନାହିଁ । ସେ କେବଳ କାନାଏ–ବାହାରକୁ ।

 

ବେଶ୍ ନୀରବ ଆଉ ଶାନ୍ତ ରାତି ।

 

କିନ୍ତୁ କୁଆଡ଼େ ଯାଏଁ ସେ ପାଦଶବ୍ଦ ? କେହି ନିଶ୍ଚୟ ଆସିଥାଏ ଆଉ ବୋଧହୁଏ ତା’ର ନାଁ ଧରି ଡାକିଥାଏ ମଧ୍ୟ–ବିଭୁ ! ବିଭୁ !

 

ବିଭୁପ୍ରସାଦ କବାଟ ଖୋଲେ । ପାହାନ୍ତି ରାତିର ଶୀତଳ ପବନ ତା’ପାଇଁ ଧରି ଆସେ ସାମାନ୍ୟ କିଛି ଶୀତ, କିଛି ଶିହରଣ ଆଉ ସୌରଭ ! ନଭେମ୍ବରର ଗୋଟିଏ ପାହାନ୍ତିଆ ପହର ।

 

ଏକ ଚମତ୍କାର ସୌରଭ ! ଘରବାଲାର ବାଡ଼ିରେ ଫୁଟିଛି କିଛି ଗଙ୍ଗଶିଉଳି, କିଛି କାଠଚମ୍ପା, କିଛି ମୁରୁକୁନ୍ଦ ହୁଏତ !

 

କିନ୍ତୁ ଏସବୁର ଫୁଟିବାର ବେଳ କ’ଣ.... ?

 

ହାଇମାରି ଚାରିଆଡ଼କୁ ପୁଣିଥରେ ଚାହେଁ ବିଭୁପ୍ରସାଦ । କବାଟ ବନ୍ଦକରି ସେ ପୁଣି ଫେରିଯାଏ ଖଟ ଉପରକୁ । ବିଛଣା ଉପରୁ ଚାଦରଟି କାଢ଼ି ଦେହ ଉପରେ ପକାଇ ଦିଏ ସେ । ତା’ର ଆଖି ବୁଜି ହେଇ ଆସେ ।

 

କିନ୍ତୁ ତା’ର କାନଟା ସତେଜ ଥାଏ ।

 

ବାହାରେ କଜଳପାତୀର ସରୁ ହୁଇସିଲ୍‍ଟିଏ ଶୁଣାଯାଉଥାଏ । ବହୁତ ଦୂରରେ କୁକୁଡ଼ାଟାଏ ହଠାତ୍ ଡାକି ଉଠି ପୁଣି ବନ୍ଦ ହୋଇଯାଏ । ମଶାଟାଏ ଗୁଣୁଗୁଣୁ ହୋଇ ଘୂରି ବୁଲେ ତା’ର ମୁହଁ ଚାରିପାଖେ । କିଛି ସମୟ ପରେ ମଶାବି ଉଡ଼ିଯାଏ ଦୂରକୁ ଦୂରକୁ ।

 

ତା’ପରେ–

 

ଗୋଟିଏ ଶୀର୍ଣ୍ଣ ଦୁଇ ପର୍ଦ୍ଦିଆ ହୁଇସିଲ୍ ସେ ଶୁଣିପାରେ ।

 

ମହାନଦୀର ଚହଟା ଘାଟ କଡ଼ରୁ ଲଞ୍ଚ୍ ହୁଇସିଲ୍ । ତା’ପରେ ସେ ଶୁଣିପାରେ ଗୋଟିଏ ରେଳ ଇଞ୍ଜିନ୍‍ର ଶବ୍ଦ । ଦୁଲୁକେଇ ଦୁଲୁକେଇ ମୁହେଁଇ ଥାଏ ଇଞ୍ଜିନ୍‍ଟା ମହାନଦୀ ବା କାଠଯୋଡ଼ି ପୋଲ ଉପରେ । ମହାନଦୀ ବୋଧହୁଏ ।

 

ହଁ, ହଁ.....ମହାନଦୀ !

 

ମହାନଦୀ.....କୁହୁଡ଼ିଘେରା ପାଣି ଧାରଟିଏ.....କୁନି କୁନି ପାଦ ଦୁଇଟି ପାଇଁ ଏକ ମରୁଭୂମିର ବାଲି ପ୍ରାନ୍ତର.....ଶୀତଳ ପବନ ଆଉ ହେମାଳିଆ ପାଣି.....ଠପ୍ ଠପ୍ କାକର ଗଳୁଚି.....ହୁଜ୍ ହୁଜ୍ ପବନ ଆଉ ପାଣିର ଚବକା.....ଆର ପାଖରେ ପାହାଡ଼ ଆଉ ଘଞ୍ଚ ଜଙ୍ଗଲ–ଡମପଡ଼ାର.....ଏକ ଶ୍ୟାମଳ ଦିଗ୍‍ବଳୟ....ଅସଂଖ୍ୟ ସୁବର୍ଣ୍ଣସ୍ତମ୍ଭ ପାଣିଭିତରେ.....ସୂର୍ଯ୍ୟ ଉଠୁଚି, ସୂର୍ଯ୍ୟ !

 

ତା’ପରେ ?

 

ଓ ! ତା’ପରେ !

 

ସେ ଫେରି ଆସୁଚି ପଛକୁ.....ପଛରେ ମାଇଲ ମାଇଲ ନଈବାଲି । ଆଉ ଏଇଯେ, ଆଗରେ ସ୍କୁଲ୍‍ର ଫାଟକ !

 

ଏଇଠି, ଆକାଶଚୁମ୍ବୀ ଉଇକାଲପଟାସ୍ ଗଛ ମୂଳରେ ଠିଆ ହୋଇ ସେ ଗୀତ ଫାନ୍ଦୁଚି.....

 

ଆଲୋକପାଇଁ ମୁଁ ଆକାଶ ଚୁମିବି

ପ୍ରତି ପତ୍ରେ ମୋର ଛୁଟାଇ ସୁରଭି

 

ଆଉ ପାଦେ ଦୂରରେ.....ଛୋଟ ଅଜଣା ଲଟାଟିଏ.....ଏଇଯେ ଲୋଟୁଚି ଉଇକାଲପଟାସ୍ ପାଦତଳେ.....ଧୂଳିରେ.....ପ୍ରତି କାଖରେ ତା’ର ଫୁଲ.....ଅବାଗିଆ ଫୁଲ.....

 

ଏ ବାଲି ପନ୍ତାରେ କାଇଁସ୍ ଲତା ମୁଁ

ଧରିବି ଏ କୋଳେ ଏ ଧୂଳି ଧରାକୁ

ଶିରାଳ ତନୁ ମୋ ହେବ ସରସ୍ଥିତ

ମୋ ଲୁହ ସାଗରୁ ଝରିବ ଅମୃତ

 

ଆଉ ଏଣେ–ସେଇ ପ୍ରବେଶପଥର କ୍ଷୁଦ୍ର ତୋରଣଟିର ତଳେ ଠିଆ ହୋଇଛି ଛାତ୍ରଟିଏ–ସପ୍ତମ ଶ୍ରେଣୀର । ଏଇ ସେଇ ଛୋଟ, ବିଦେଶୀ ଗାଁର ମାଇନର୍ ସ୍କୁଲଟିଏ ।

 

ବିଭୁପ୍ରସାଦ ଚାହିଁରହିଥାଏ–ବିଛଣା ଚାଦର ତଳେ, ଆଉ ଦେଖୁଥାଏ–ବେଶ୍ ଦୂରରେ ମସିଆ ଜାମା ଆଉ ଛୋଟ ପେଣ୍ଟ୍ ଖଣ୍ଡେ ଭିତରେ ଠିଆ ହୋଇଥାଏ ଶୈଶବ । କିନ୍ତୁ ତା’ର ମୁହଁରେ ଉକୁଟି ଉଠୁଥାଏ ହସଟିଏ–ମହାନଦୀର ସୂର୍ଯ୍ୟୋଦୟ ପରି ।

 

ଏଥର ପୁଣି କାହାର ପାଦଶବ୍ଦ ଶୁଣାଯାଏ ବାହାରେ । ବିଭୁପ୍ରସାଦ ଡାକେ–କିଏ ?–ପୁଣିଥରେ । କିନ୍ତୁ ବାହାରର ପାଦଶବ୍ଦ ତଥାପି ନିରୁତ୍ତର ।

 

ଶୈଶବ ଏଥର ପାଦ ବଢ଼ାଏ–ଭିତରକୁ । ତା’ପରେ ସେ ଅଟକି ଯାଏଁ ଆଉ ଫେରି ଚାହେଁ । ପଛରେ ସ୍କୁଲ୍ ଫାଟକ ପାଖରେ ସତେ ଅବା କ’ଣ ସବୁ ରହିଯାଏ । ଫେରିପଡ଼ି ଶୈଶବ ଆଖି ବୁଲାଇ ନିଏ । ଟାବଲେଟ୍‍ଟିଏ–ମର୍ମର ପଥରର । କିଏ, କେଉଁ ଯୁଗର ପ୍ରଧାନ ଶିକ୍ଷକଙ୍କ ମୁଣ୍ଡକୁ ଯୁଟିଥାଏ–ପଦଟିଏ ।

 

“ମଣିଷ ଯାହା କରିଛି ମଣିଷ ତାହା ସାଧନ କରିପାରେ”

“whatever man has done

man may do !”

 

ଏଇ ସେଇ ସ୍କୁଲ୍ । ଏଇଠି ଚାକିରି କରୁଥିଲେ ତା’ର ବାପା ଆଉ କରୁଛନ୍ତି ମଧ୍ୟ–ଗତ ଅନେକ ବର୍ଷ ଧରି । ଆଉ, ଏଇଠି ସେ ପଢ଼ୁଥିଲା ଦିନେ । ଏଇ ଛୋଟ ଗାଁ, ଛୋଟ ସ୍କୁଲ୍, ଛୋଟ ଫାଟକର ଛୋଟ ତୋରଣ ତଳେ ଛୋଟ ପିଲାଟିଏ । ସେ ଠିଆ ହେଇଚି.....ତା’ର ଡାହାଣରେ ହେଇ ସେ ଯେ ଶୋଇଚି, ସେ ହଉଚି ହ୍ରଦସ୍ଥିର, ଗମ୍ଭୀର ଅଂଶୁପା । ଆଉ ଏ ପେଟ ବାଁରେ ଯେ ଧାଉଁଚି ସେ ହେଉଚି ନଈବନ୍ଧର ଶଯ୍ୟାର ଅସ୍ଥିର, ମୋଡ଼ାଭିଡ଼ା ନଈ ମହାନଦୀ ! ବାଲିଏ ବାଲିଏ ତା’ରପାହୁଲ.....ବାଘର ପାହୁଲ ଆଉ ମଣିଷର ପଦଚିହ୍ନ..... ।

 

ସେ ଜାଣେନା । କେତେବେଳେ ତା’ ଆଖିରୁ ବୋହିଯାଇଥାଏ ଲୁହ । କିନ୍ତୁ ସେ କାନ୍ଦୁ ନଥାଏ । କାନ୍ଦିବାର ପିଲା ସେ ନୁହେଁ । କାହିଁକି ? ଆଉ ଟିକକେ ଯେ ସକାଳ ହୋଇଯିବ । ଗାଧେଇପାଧୋଇ, ସାଫ୍‍ସୁତର୍‍ ହୋଇ, ହାତରେ ରିସର୍ଚ୍ଚ ସ୍କଲାର୍‍ରଫାଇଲ୍ ନେଇ ସେ ବାହାରିପଡ଼ିବ । ଏଇତ ! ତକିଆ ତଳେ ଚାବିଟି ପଡ଼ିରହିଛି–ଲାବୋରଟୋରୀର ଚାବି ।

 

କିନ୍ତୁ, ସେ ହଉଚି ସକାଳ, ସେ ଡାକେ ତା’ର କୁହୁଡ଼ି ଆଉ କାକର ଭିଜା କଣ୍ଠରେ । ଆଉ ସେଦିନବି ସେ ଡାକୁଥିଲା–ସେଇଭଳି ଅଚାନକଭାବେ–ବିଭୁ ! ବିଭୁ !

 

କିନ୍ତୁ ଏତେଦିନଯାକେ କୁଆଡ଼େ ହଜିଯାଇଥାଏ ସେ ? କୁଆଡ଼େ ଭାସି ଯାଇଥିଲା ସେ–ଗୋଟିଏ ମନୁଆ ବଂଶୀର ସ୍ୱରପରି ?

 

ଆଲୁଅ ଧୀରେ ଧୀରେ ଛାଣି ହୋଇ ପଶି ଆସୁଥାଏ । କବାଟ, ଝରକାର କଳା ବାଟ ଦେଇ ।

 

ବିଭୁପ୍ରସାଦ ଉଠେ । ଦକ୍ଷିଣୀ ହୋଟେଲରେ କଫି ବାସ୍ନାର ସୃତି ତାକୁ ଉତ୍ତେଜିତ କରେ-। କବାଟ ଫିଟିଯାଏ । ବାହାରେ ସତକୁସତ ବେଶ୍ କୁହୁଡ଼ିବି ପଡ଼ିଥାଏ । ଆଉ, ସେଇ କୁହୁଡ଼ି ଭିତରୁ ବାହାରି ଆସନ୍ତି ଜଣେ ପ୍ରୌଢ଼ ଭଦ୍ରଲୋକ ।

 

ବାପା !

 

ବିଭୁପ୍ରସାଦ ତଳକୁ ଓହ୍ଲାଇ ଯାଏଁ ଓ ପ୍ରଣାମ କରେ । ତା’ପରେ ଛେପ ଢୋକି ସେ କହେ–

 

“ବଡ଼ ଆଶ୍ଚର୍ଯ୍ୟ କଥା ! ମୁଁ ସ୍ଵପ୍ନ ଦେଖୁଥିଲି–ତୁମକୁ–ଟିକିଏ ଆଗରୁ–ତୁମେ ସତକୁସତ ଆସିଗଲି ।”

 

“ମୁଁ ଜାଣେ । ସେଇଥିପାଇଁ ତ ଆସିଲି...”

 

“ତୁମେ ଜାଣ ! ମାନେ ? ତୁମେବି କ’ଣ ସ୍ଵପ୍ନ ଦେଖୁଥିଲ ନା କ’ଣ ?”

 

“ନା ବାବା ! ମୁଁ ଜାଣିଛି ଯେ ପାଖରେ ତୋର ପଇସା ନାହିଁ । ମାସ ଶେଷ କିନା...... !”

 

ବିଭୁପ୍ରସାଦର ମୁହଁ ଶୁଖିଆସେ । କିନ୍ତୁ ତାକୁବି ବେଶ୍ ଖୁସି ଲାଗୁଥାଏ । ତା’ର ମନେ ହେଉଥାଏ ସତେକି ସମୟ ପଛକୁ ହଟି ଯାଇଛି । ସେ ମାଇନର୍ ପାସ୍ କରି ଆସିଚି ସହରକୁ–ପ୍ରଥମକରି । ପୁଣି ଥରେ ସେ ଲେଖେଇଚି ନାଁ ସେଇ ସହରର ସବାବଡ଼ ସ୍କୁଲ୍‍ରେ । ସେଇ ହଷ୍ଟେଲ୍ ଆଉ ସେଇ ରୁମ୍......ନମ୍ୱର ନଅ......ତା’ର ବାପା ଆସିଚନ୍ତି ସେଇଭଳି ଏକ ସକାଳୁ......ତାଳଚେର ଗାଡ଼ିରେ ।

 

ଆଉ, ଫେରିଯିବେ ମଧ୍ୟ ସେ–ପରଦିନର ପାହାନ୍ତି ପହରର ଫେରନ୍ତା ଗାଡ଼ିରେ । ସେ ରାତିଟା ସେ ଶୋଇ ପାରିବ ନାହିଁ ଆଦୌ । ବାହୁନେଇ ଦେଇଯିବେ ତାକୁ ରାତିସାରା ସେଇ ଲଞ୍ଚ୍ ହୁଇସିଲ୍ ଆଉ ପୋଲ ଉପରେ ପଡ଼ିଥିବା ରେଳ ଇଞ୍ଜିନ୍‍ର ଶବ୍ଦ ଆଉ ହୁଇସିଲ୍ ।

 

ବାପା ! ବାପା ! .....ଚମକି ଉଠି ସେ ଡାକିବ । ତାକୁ ହୋଇଥାଏ ବାରବର୍ଷ । ରୁମ୍ ପିଲାମାନେ ଚିଡ଼ାଇବେ–“ହୋମ୍‍ସିକ୍ ! ମାଇଚିଆ !”

 

କିନ୍ତୁ ଦେଖତ ! ତା’ର ଡାକ ଶୁଣିପାରିଲା ଭଳି ଦିନେଦିନେ ଏଇଭଳି ପହଞ୍ଚିଯାନ୍ତି ତା’ର ବାପା–ଏଇଭଳି ସକାଳୁ । ଆଉ କବାଟ ଧଡ଼୍‍ଧଡ଼୍ କରି ତାକୁ ଡାକି, ଉଠେଇ କହନ୍ତି–

 

“ଆ ! ଉଠ୍, ଦଉଡ଼୍–ସବୁଦିନେ ସକାଳୁ ଉଠି ଦଉଡ଼୍ ! ଫୁର୍ତ୍ତି ହ ! ସ୍ପୋର୍ଟସ୍‍ମ୍ୟାନ୍ ହ । ମୁଁ ତୁମକୁ ଏଇବର୍ଷ ଷ୍ଟେଟ୍ ଅଲମ୍ପିକ୍‍ରେ ଦେଖିବାକୁ ଚାହେଁ, ଉଠିଆସ !”

 

ସେ ଏଇ ଲୋକ । ସେମିତି ଅଛନ୍ତି । ସାମାନ୍ୟ ମାଇନର୍ ସ୍କୁଲ ଶିକ୍ଷକ ଜଣେ । କିନ୍ତୁ ସେ ନିଜେ ?

 

ନା । ସେ ଆଉ ସ୍କୁଲ୍‍ରେ ପଢ଼ୁନି । ମାସକୁ ଶହେଟଙ୍କା ରିସର୍ଚ୍ଚ ସ୍କଲାର୍‍ସିପ୍ତା’ର ପ୍ରାପ୍ୟ । ସେ ଜଣେ ରିସର୍ଚ୍ଚ ସ୍କଲାର୍ !

 

ଆଉ ଏ ଲୋକଟି ଯେ ତା’ ଆଗରେ ଠିଆ ହୋଇଚି ? ସେ ପାଏ ପଇଁତିରିଶ ଟଙ୍କା । ଦୀର୍ଘ ପଚିଶବର୍ଷ ଧରି ସେ ପାଇ ଆସିଛି ସେତିକି ଆଉ ହୁଏତ ପାଇବବି ସେତିକି । କିନ୍ତୁ ଦେଖତ ତା’ର ମୁହଁକୁ !

 

ସୂର୍ଯ୍ୟ ଉଠି ଆସୁଥାଏ । ସାମାନ୍ୟ ମିଳେଇ ଯାଇଥାଏ କୁହୁଡ଼ି ।

 

ବାପ ପୁଅ ଦୁହେଁ ମିଶି ଚାଲନ୍ତି–

 

“ଫୁର୍ତ୍ତି ଚାଲି ଶିଖ୍ !” ତା’ର ବାପା କହୁଥିଲେ ପୂର୍ବପରି, “ଏମିତି କୁଜାଟା ଭଳି ଚାଲୁଛୁ କାହିଁକି ? ହେଇ ଦେଖ୍ ! ବରାବର ଏମିତି ଚାଲି ଶିଖ୍–ମିଲିଟାରୀ ଲୋକ ଭଳି ! ଭୁଲ୍ ନା ଯେ ତୋର ବଂଶରେ କେହି ଜଣେ ମିଲିଟାରୀ ଲୋକ ଥିଲା ବୋଲି । ଆଉ ସେ ହଉଚି ତୋର ଅଜା...କ’ଣ ଦେଖି ସେ ମତେ ଜୋଇଁ କରିଥିଲା ? .....ଜଣେ ଯୁଦ୍ଧ ଫେରନ୍ତା ଇଞ୍ଜିନିୟର୍ ଆଉ କର୍ପୋରେସନ୍‍ର ଚାକିରିଆ ? ମୋର ତ କିଛି ନଥିଲା–ଥିଲା ଏଇ ମୋର ପାଦରେ ଏମିତି ଫୁର୍ତ୍ତି ଆଉ ଛାତିରେ ଏମିତି ସାହସ । ସେଇଥିରେ ମୁଁ ପାରି ହୋଇଗଲି ସଂସାର ସମୁଦ୍ର–ପୁଣି ତିନିତିନିଟା ମା’ଛେଉଣ୍ଡଙ୍କୁ କାନ୍ଧରେ ବସାଇ......ଚାଲି ଶିଖ୍, ଚାଲି ଶିଖ୍ ବାପା... !”

 

ସେମାନେ ମୁହେଁଇଥିଲେ କଫି ଦୋକାନ ଆଡ଼କୁ ।

 

ଆଗେଆଗେ ବାପ । ପଛେ ପଛେ ପୁଅ । ଜଣଙ୍କର ମୁଣ୍ଡ ପଛପଟେ ଆଉ ଜଣକର ମୁଣ୍ଡର ଅଧିକରୁ ବେଶି ଦେଖାଯାଉଛି ଉପରକୁ । ହୁଏତ ପଛ ମୁଣ୍ଡର ଆହୁରି ଅନେକଟା ଅଂଶ ଫୁଟି ବାହାରିଥାଆନ୍ତା–ଉପରକୁ । କିନ୍ତୁ ଟୋକାଟା ପୋତାମୁହାଁଟାଏ । ତଳକୁ ମୁହଁ ପୋତି ଚାଲିବା ଅଭ୍ୟାସ କରିଛି । ଶୁଖିଲା ମୁହଁ ଟିକିଏ । କଳାକାଠ ପଡ଼ିଯାଉଛି ଦିନ୍ ଦିନ୍ । କ’ଣ ହୋଇଛି ତା’ର-? ସବୁଦିନେ ତ ସେ ନଥିଲା ଏମିତି ! ଖୁବ୍ ଚାଲାକ୍, ଚତୁର, ଚଞ୍ଚଳ ଆଉ ମହୁମାଛି ଭଳି ଗୁଣୁଗୁଣୁ ହୋଇ ଉଡ଼ି ବୁଲିବା ପିଲାଟିଏ... !

 

ତା’ର ବାପା ମୁହଁ ବୁଲେଇ ଚାହାଁନ୍ତି ପଛକୁ । ପାଦେ ଅଟକି ଯାଇ ସେ ଏଥର କାନ୍ଧ ମିଳେଇ ନିଅନ୍ତି ପଛର ଲୋକଟି ସହିତ । କଣେଇ କଣେଇ ସେ ଚାହାଁନ୍ତି…..ତାଙ୍କରି ସନ୍ତାନ । ସେ ଦେଖନ୍ତି ତା’ର କୁଜେଇ ଯାଉଥିବା ପିଠିଟାକୁ ! ବେକଟା–ସରୁ ହେଇଯାଉଚି ଦିନକୁଦିନ । ବେକ ମୂଳର ଦୁଇଟା ମୋଟା ଶିରା ଉଠି ଆସିଛନ୍ତି ଓ ତା’ର ଓଜନିଆ ମୁଣ୍ଡଟାକୁ ଢିରାଦେଇ ଅଟକେଇ ରଖିଥାନ୍ତି ସେମାନେ ସତେବା….ଏଇ ଶିରା ଦୁଇଟା !

 

ବିଭୁପ୍ରସାଦର ମୁଣ୍ଡଟିକୁ ବାରମ୍ବାର ଚାହୁଁଥାନ୍ତି ତା’ର ବାପା । ଆଉ ସେ, ଭାବୁଥାନ୍ତି–ଖୁବ୍ ସୁନ୍ଦର ମୁଣ୍ଡଟିଏ ଥିଲା ଦିନେ ଏଇଟି–ଯଦିଚ ଏକେବାରେ ଗୋଲ୍ ନଥିଲା ଓ ତା’ର ପଛପଟର ଡାହାଣ ଖପୁରିଟି ଥିଲା ସାମାନ୍ୟ ଉଚ୍ଚ ! ଏବଂ ଏଥିପାଇଁ ଦାୟୀ କିଏ ? ଦାୟୀ ତା’ର ମା’ ଅବଶ୍ୟ-! ଦୁଧଖିଆ ପିଲାଟାର ନରମ ମୁଣ୍ଡଟାକୁ ମୁଚୁଳାରେ ନରଖି ବରାବର ତାକୁ ଗୋଟିଏ ହାଡ଼ୁଆ ଛାତି ଉପରେ ରଖିବାର ଫଳ ଏଇ ସାମାନ୍ୟ ଚେପା ମୁଣ୍ଡ–କିନ୍ତୁ ବେଶ୍ ମେଞ୍ଚାଟାଏ ବାଳ ତ ଘେରି ରହିଥିଲା ସେଇ ମୁଣ୍ଡଟିକୁ....କୁଞ୍ଚେଇ କୁଞ୍ଚେଇ ପଡ଼ୁଥିଲା ସେଗୁଡ଼ିକ ସେଇ ଗୁଲୁଗୁଲିଆ ମୁହଁଟି ଉପରେ । କିନ୍ତୁ କାହିଁ ସେ ମୁଣ୍ଡ ଆଉ ତା’ର ସେଇ କେଶଗୁଡ଼ିକ ?

 

ବିଭୁର ବାପା ଚାଲନ୍ତି–ପୁଅର କାନ୍ଧରେ ହାତରଖି–ସତେକି ସେ ତାଙ୍କ ସାଙ୍ଗ ! –ସେତିକି ସେ ତାଙ୍କର ସାନଭାଇ ।

 

ଗୋଟିଏ ଗଳିରାସ୍ତା ଦେଇ ସେ ଦୁହେଁ ଏଥର ଉଠନ୍ତି ମେନ୍ ରାସ୍ତାକୁ । ଏ ହଉଚି କଲେଜ ଛକ । ....ବିଭୁର ବାପା ଚାହୁଁଥିଲେ....ସେଇ ପୁରୁଣା କଲେଜ ଛକକୁ । କିଛି ନୂଆ ନାହିଁ । ସେଇ ଦୋକାନ, ସେଇ ମଣିଷ ।

 

ଆଉ, ବିଭୁପ୍ରସାଦ ମଧ୍ୟ ଚାହୁଁଥାଏ–ଏ ହଉଚି ସେଇ କଲେଜ ! ଯେଉଁଠି ଚାଳିଶବର୍ଷ ତଳେ ପାଠ ପଢ଼ୁଥିଲେ ତା’ର ବାପା–ଆଇ.ଏ. ବା ଏଫ୍.ଏ. ! ତା’ ପୂର୍ବରୁ ଅବଶ୍ୟ ଏଇ କଲେଜଟି ନଥିଲା ଏଇଠି । ଏ ଥିଲା ସେଇଠି, ଯୋଉଠୁ ସେ ନିଜେ ପାସ୍ କରି ଆସିଚି ମାଟ୍ରିକ୍ୟୁଲେଶନ୍–ସେଇ ସ୍କୁଲ୍‍ରେ । ଆଉ, ସେ ବି ଜାଣିଥିଲା–ଏଇଠୁ ଏଫ୍.ଏ. ପରୀକ୍ଷାରେ ଫେଲ୍ ହୋଇଥିଲେ ତା’ର ବାପା । କିନ୍ତୁ ସେ ନିଜେ ପାସ୍ କରିଥିଲା ସେଠୁ, ଫାଷ୍ଟ୍ ଡିଭିଜନ୍‍ରେ ମାଟ୍ରିକ୍–ସେଇ ଏକ ଅନୁଷ୍ଠାନରୁ । ସେଇ ସୁଦୂର ୧୯୧୯ ଆଉ ଆଜି ଭିତରେ ତଫାତ୍ ତେବେ କ’ଣ ଏତିକି ?

 

କିନ୍ତୁ ଏଇ ଦୀର୍ଘ ଅର୍ଦ୍ଧଶତାବ୍ଦୀର ପ୍ରତିକ୍ରିୟା ସତେକି ଆଦୌ ଛାପ ରଖିପାରିନାହିଁ ଏଇ ଲୋକଟି ଉପରେ । –ବିଭୁପ୍ରସାଦ ଚାଲିଥାଏ ତା’ର ବାପାଙ୍କ ସହିତ କାନ୍ଧ ମିଳେଇ । ସେ ଚାହୁଁଥାଏ ତା’ର ବାପାଙ୍କର ମୁହଁକୁ ଆଉ ସେ ବି ଚାହୁଁଥାନ୍ତି ତାଙ୍କର ପୁଅ ମୁହଁକୁ ।

 

ବିଭୁପ୍ରସାଦ ଚାହୁଁଥାଏ–

 

ହେଇ ! ସେ ଚାଲିଛି ସେମିତି ସିଧାସଳଖ ହୋଇ । ଗୋଟିଏ ହେଲେ ବାଳ ପାଚି ଯାଇନାହିଁ ସେ ମୁଣ୍ଡରେ । ଦାନ୍ତ ପଡ଼ିନାହିଁ । ନା–ମିଛ ନୁହେଁ–ବାହୁଲ୍ୟ ନୁହେଁ । ସେ ନିଜେ ତା’ ବାପାଙ୍କୁ ଆଁ କରେଇ ଦେଖିଛି–ପାନଖିଆ କଳା କିଟିକିଟି ଦାନ୍ତ ବତିଶଟା ସେମିତି ଥୁଆ ହେଇଚନ୍ତି ସେଇ ସୁନ୍ଦର ମୁହଁରେ । ଗୋରା ତକତକ ଆଉ ସିଧା, ଦାଢ଼ୁଆ ନାକଟିର ଦୁଇପାଖକୁ ସେମିତି ଚାହୁଁଚନ୍ତି ଦୁଇଟି ତୀକ୍ଷ୍ଣ ସରଳରେଖାର ଦୃଷ୍ଟି !

 

ଏଇ ତା’ର ବାପା–ଶ୍ରୀଯୁକ୍ତ ଭବାନୀପ୍ରସାଦ । ଗୋଟିଏ ମାଇନର୍ ସ୍କୁଲର ସହକାରୀ ପ୍ରଧାନଶିକ୍ଷକ । ହଁ, ହଁ, ‘ସହକାରୀ’ ପ୍ରଧାନ ଶିକ୍ଷକ । ଏଫ୍.ଏ. ଫେଲ୍ । ଦରମା ପଇଁତିରିଶରୁ ପଚାଶ ଭିତରେ । ଆଉ ଚାକିରି ମଧ୍ୟ ପଇଁତିରିଶରୁ ଚାଳିଶ ମଧ୍ୟରେ–୧୯୨୦–୨୧ରୁ ଆଜିର ଏଇ ୧୯୬୦–୬୨ ଭିତରେ । ଚାକିରି ବହି ଅନୁସାରେ ଯଦିଓ ପୂରିନାହିଁ ତିରିଶବର୍ଷର ଚାକିରି, ତଥାପି ପୂରି ଆସୁଛି ସେ ଶୀଘ୍ର–ଅତିଶୀଘ୍ର !

 

ଦୁଇ

 

କିନ୍ତୁ–

 

ଏ ଥାଏ ଆଉ ଏକ କୁହୁଡ଼ି । ଲାବୋରେଟୋରୀର କୁହୁଡ଼ି । ନା, ନା, ଠିକ୍ କୁହୁଡ଼ି ନୁହେଁ-। ଭୂଭାଗର ନିଶୀଥ–ଶୀତଳ ବାୟୁ ଏବଂ କବୋଷ୍ଣ ଜଳଭାଗର ବାଷ୍ପୀୟ ସମ୍ମିଶ୍ରଣରୁ ଉପଜାତ ନୁହେଁ ଏ କୁହୁଡ଼ି । ଏ ହେଉଛି ଗ୍ୟାସର କୁହୁଡ଼ି–କଟୁ ଧୂଆଁ–ରାସାୟନିକ “ଫିଉମ୍”-। ସମ୍ପୂର୍ଣ୍ଣ ରାସାୟନିକ । ଭୂଗୋଳର ସତ୍ତା ନାହିଁ ଏଠାରେ । ଏ ହେଉଛି ବିଭୁପ୍ରସାଦର ଲାବୋରଟୋରି-

 

କେହି ଜଣେ ସ୍କଲାର୍ ଭୁଲିଯାଇଛି ବୋଧହୁଏ କ୍ରୁସିବ୍ଲଟିକୁ ଫିଉମ୍ କପ୍‍ବୋର୍ଡ଼ ଭିତରେ ରଖିଦେବାକୁ । ଫିଉମ୍ କପ୍‍ବୋର୍ଡ଼ ଅର୍ଥାତ୍ ଧୂଆଁ ବାକ୍ସ । ଭୁସ୍ ଭୁସ୍ ଉଠୁଚି କଟୁ ଏସିଡ଼୍ ଧୂଆଁ କ୍ରୁସିବ୍ଲରୁ । ପାଖରେ ଖୋଲାରହିଛି ବୋଧହୁଏ ଆମୋନିଆ ବୋତଲ । ଆମୋନିଆ ଆଉ ଏସିଡ଼୍‍ର ସଂସ୍ପର୍ଶରେ ସୃଷ୍ଟି ହେଉଚି ଏଇ ଅଦ୍ଭୁତ ସ୍ଵପ୍ନରାଜ୍ୟ–ବୈଜ୍ଞାନିକର ସ୍ଵପ୍ନରାଜ୍ୟ ।

 

ଚାରିପାଖେ କାଚର ପାଚେରୀ । ରଙ୍ଗବେରଙ୍ଗ ବୋତଲର ପାବଚ୍ଛ । କାଚମୟ । ଚକ୍ ଚକ୍ । ମେଘାଚ୍ଛନ୍ନ ବରଫର ମୃଗତୃଷ୍ଣା । କୁଳୁକୁଳୁ ଝରଣାର ପ୍ରତିଧ୍ୱନି । ପାଇପ୍ ଫିଟା ହୋଇ ରହିଛି । ଗଦ୍‍ଗଦ୍–ସିଙ୍କ୍‍ରୁ ପଡ଼ୁଛି ପାଣି । ବୋହି ଚାଲିଛି ରାସାୟନିକ ସ୍ରୋତ ଲାବୋରଟୋରୀର ନଳା ପଥରେ । ଏବଂ ୟାପରେ.... ?

 

ବିଭୁପ୍ରସାଦ କାଶି ଉଠେ । ଖୁଁ ଖୁଁ.... । କିନ୍ତୁ ଶବ୍ଦକୁ ତା’ର କାନ ନଥାଏ । ସେ ଠିଆ ହୋଇଥାଏ ତା’ର କାମ କରିବା ଟେବୁଲ୍ ପାଖରେ । ତା’ ହାତରେ ଥାଏ ଗୋଟିଏ ଟେଷ୍ଟଟିଉବ୍ ଓ ଗୋଟିଏ ଟେଷ୍ଟଟିଉବ୍ ସଫା କରିବା ବ୍ରସ୍ । ତା’ ଛଡ଼ା ଆହୁରି କେତେଗୁଡ଼ିଏ ମଇଳା କାଚପାତ୍ର ଜମିରହିଥାଏ ତା’ର ଟେବୁଲ୍ ଉପରେ । ସେଗୁଡ଼ିକୁ ସୋଡ଼ା ଦେଇ ମାଜି ସଫା କରିବାକୁ ହୁଏ । ପୂରାପୂରି ବାସିପାଇଟି । ବିରକ୍ତିକର । କିନ୍ତୁ, ଦେହସୁହା କଥା ।

 

ପାଖ ଟେବୁଲ୍‍ରେ ଅସଂଖ୍ୟ ମାଛି । ବୋଧହୁଏ ସ୍ପିରିଟ୍ କିଛି ଢାଳି ଯାଇଛି–ରେକ୍‍ଟିଫାଏଡ଼୍ ସ୍ପିରିଟ୍ ବା ସୁରାସାର । ବଡ଼ବଡ଼ ନେଳିନେଳି ମାଛି ଘେରି ଆସୁଛନ୍ତି ଚତୁର୍ଦ୍ଦିଗରୁ । ଫଳଲୋଭୀ ବଡ଼ବଡ଼ ଗଣଗଣିଆ ମାଛି । ଫଳ କିନ୍ତୁ ନାହିଁ ।

 

କେବଳ ବାସ୍ନା । ଆହା ବିଚରା ମାଛି ! ତୁମପାଇଁ ମଧ୍ୟ ଏ ସୃଷ୍ଟିରେ ମୃଗତୃଷ୍ଣାର ଅଭାବ ନାହିଁ ।

 

ବିଭୁପ୍ରସାଦ ଆଗକୁ ଝୁଙ୍କିପଡ଼େ । ହାତରେ ମଇଳା ଟେଷ୍ଟ୍‍ଟିଉବ୍‍ଟିକୁ ପାଇପ୍ ତଳେ ଦେଖେଇ ଦିଏ । ଦୁଇଚାରିଥର ଆହୁରି ବ୍ରସ୍ ଖୋବିଦିଏ । ତା’ପରେ ସେ ଦୁଇଗୁଣ ତତ୍ପର ହୋଇ ଉଠେ । ବାରନ୍ଦାର ଆର ମୁଣ୍ଡରୁ ସେ ଶୁଣିପାରେ ପରିଚିତ ଜୋତା ଶବ୍ଦ ।

 

ପ୍ରଫେସର୍ ଆସିଗଲେ !

 

ଟେଷ୍ଟ୍‍ଟିଉବ୍ ଧୂଆଁ ଅଧାରଖି ସାଙ୍ଗେ ସାଙ୍ଗେ ସେ ଧାଇଁଯାଇ ମନମୋହନର ଟେବୁଲ୍ ପାଖକୁ । ସେଇ ଟେବୁଲ୍‍ରୁ ଉଠୁଥାଏ ଧୂଆଁ । କ୍ରୁସିବ୍ଲଟିକୁ ବର୍ଣ୍ଣର ଉପରେ ରଖିଦେଇ ମନମୋହନ ଅନେକବେଳଧରି କୁଆଡ଼େ ଯାଇଥାଏ । ଗଲାବେଳେ ସେ ଅବଶ୍ୟ ବିଭୁପ୍ରସାଦକୁ କହିଯାଇଥାଏ–“ଦେଖ୍ ! ପ୍ରଫେସର୍ ଆସିବାବେଳ ହୋଇଗଲାଣି । ମୁଁ ଟିକିଏ ଆସୁଚି । କିନ୍ତୁ ହେଇ ଦେଖ୍–ପ୍ରଫେସର୍ ଆସିବା ପୂର୍ବରୁ ଏ କ୍ରୁସିବ୍ଲ ଯେମିତି ଏଠୁ ଉଠି ସାରିଥାଏ ଫିଉମ୍ କପ୍‍ବୋର୍ଡ଼ ଭିତରକୁ । ନଚେତ୍ ବୁଢ଼ା ଖାଇଦବ ଏ ଧୂଆଁ ଦେଖିଲେ ।”

 

ବିଭୁପ୍ରସାଦ ଧାଏଁ । ଭଣ୍‍କରି ଉଠନ୍ତି ମାଛିଗୁଡ଼ାକ । ଧୂଆଁ ଭିତରେ ହଜିଯାଏ ବିଭୁପ୍ରସାଦ–କ୍ଷଣକପାଇଁ । କ୍ରୁସିବ୍ଲଟି ଉଠିଯାଏ ଧୂଆଁ ବାକ୍ସ ଭିତରକୁ । କମିଯାଏ ଧୂଆଁ । ଧାଇଁଯାଇ ପାଇପ୍‍ଟାକୁ ମଧ୍ୟ ବନ୍ଦ କରିଦିଏ ସେ । ସାଙ୍ଗେ ସାଙ୍ଗେ ହଜିଯାଏ ଝରଣାର ଉତ୍ସ । ଆମୋନିଆ ବୋତଲଟାକୁ ଖୋଜି ନେଇ ଠିପି ବନ୍ଦ କରେ ସେ ।

 

“ଆଚ୍ଛା !” ନିଜକୁ ନିଜେ କହେ ବିଭୁପ୍ରସାଦ, “ସ୍ୱପ୍ନରାଜ୍ୟ ଅପସରି ଗଲା ଏଥର–ଯାଉ-। ୟାପରେ ? ଓ ! ମାଛି ! ଏ ମାଛିଗୁଡ଼ାକ ଦେଖିଲେ ବୁଢ଼ା ଚିଡ଼େ ।”

 

ତା’ପରେ ସେ ପୁଣି ଧାଏଁ ନଟବରର ଟେବୁଲ୍ ପାଖକୁ । ସେଇଠି ଖୋଲାଥାଏ ସ୍ପିରିଟ୍ ବୋତଲଟା ସତକୁସତ । ମାଛିଗୁଡ଼ାକ ଭଣ୍‍କରି ଉଠି ଘେରିଯାନ୍ତି ବିଭୁପ୍ରସାଦକୁ । ମୁହଁ ଚାରିପାଖେ ଗୋଟିଏ ହାତ ବୁଲେଇ ବୁଲେଇ ସେ ବାହାରି ଆସେ ।

 

ବିଭୁପ୍ରସାଦ ବୁଲୁଥାଏ । ଲାବୋରଟୋରୀର ଏ ମୁଣ୍ଡରୁ ସେ ମୁଣ୍ଡ । ଟିପ୍–ଟପ୍ ! ବୁଢ଼ା ଖୋଜେ–ଟିପ୍–ଟପ୍ !”

 

ବିଭୁପ୍ରସାଦ କାନାଏ । ଅଧବାଟରେ ଅଟକି ଯାଇଛି ତାଙ୍କର ଜୋତା ଶବ୍ଦ । ହୁଏତ ବୁଢ଼ା କ’ଣ ଲକ୍ଷ୍ୟ କରୁଛି । ହୁଏତ ବୁଢ଼ାର ମୁଣ୍ଡରେ ଢୁକିଯାଇଛି ହଠାତ୍ ଏକ ନୂଆ ଭାବନା–‘‘ଆଇଡ଼ିଆ !” ଅଟକି ଯାଇଛି ପାଦ–ଅଧବାଟରେ ।

 

ଲାବୋରେଟୋରୀର ଅନ୍ୟ କଡ଼ରେ ବୁଢ଼ାର କୋଠରୀ । ସେ କୋଠରୀକୁ ରହିଛି ଅବଶ୍ୟ ସ୍ଵତନ୍ତ୍ର ଦ୍ଵାର କିନ୍ତୁ ସାଧାରଣତଃ ଏଇ ଲାବୋରେଟୋରୀ ବାଟ ଦେଇ ବୁଢ଼ାଯାଏ କୋଠରୀ ଭିତରକୁ । ବେଳେବେଳେ ଅନ୍ୟ ଏକ ଦ୍ଵାର ଦେଇ ମଧ୍ୟ ସେ ପ୍ରବେଶ କରେ । ଲାବୋରେଟୋରୀ ଭିତରକୁ । ବେଳେବେଳେ ଚୁପ୍ ଚୁପ୍–ଜୋତା ଶବ୍ଦ ନକରି ବୁଢ଼ା ପଶି ଆସେ ଲାବୋରେଟୋରୀ ଭିତରକୁ । ବେଳେବେଳେ କାର୍ଯ୍ୟରତ ସ୍କଲାର୍‍ମାନଙ୍କର ପଛରେ କେତେବେଳେ ଠିଆହୋଇ ବୁଢ଼ା ଚାହିଁଥାଏ । ଏକ ଭଲ ମଣିଷ–‘‘ହିରଣ୍ୟକ ନାମ ମୂଷିକରାଜ !”

 

ପତଳା ହେଇ ଛୋଟ ମଣିଷଟିଏ । ବେତଭଳି ଲହକା ଆଉ ନିର୍ମମ ମଧ୍ୟ । ମୁହଁରେ ହସ ଆଉ କାନ୍ଦ–ଏକାଧାରରେ । ସାମାନ୍ୟ ବଡ଼ ଛାମୁଦାନ୍ତ । ରାଗିଗଲାବେଳେ କିନ୍ତୁ ସାପଭଳି ଫଣା ଆଉ ଦାନ୍ତ ନଟେକି ବୁଢ଼ା ଲୁଚାଇ ନେବାକୁ ତତ୍ପର ହୁଏ ତା’ର ଏଇ ଈଷତ୍ ବଡ଼ ଦାନ୍ତ ଦୁଇଟିକୁ–ତା’ର ସରୁସରୁ ଓଠ ଦୁଇଟି ଭିତରେ । କିନ୍ତୁ ହାୟ–ସେ ପାରେନା ।

 

ବୁଢ଼ାର ଏଇ କ୍ଷୀଣ ଶରୀର ଆଉ ଉଗ୍ରରୂପକୁ ଦେଖିଲେ ବିଭୁପ୍ରସାଦ ଆବୃତ୍ତି କରେ–“କ୍ଷୀଣାଜନାଃ ନିଷ୍କରୁଣା ଭବନ୍ତି ।” କିନ୍ତୁ ଚିନ୍ତା ନାହିଁ । ସେ ଶ୍ଳୋକଟିକୁ କାଟିଦେବା ପାଇଁ ଠିକ୍ ତା’ରି ପରେ ପରେ ମଧ୍ୟ ଆସିଯାଏ ଆଉ ଏକ ଶ୍ଳୋକ–ବିଭୁପ୍ରସାଦର ଜିଭ ଉପରକୁ । ବୁଢ଼ାର ସେଇ ହସକାନ୍ଦମିଶା ମୁହଁକୁ ଚାହିଁ ସେ ମନେମନେ ପ୍ରଣାମ ଜଣାଏ–“କ୍ୱଚିତ୍ ଦନ୍ତୁରୋ ମୂର୍ଖଃ !” କେବଳ ସେତିକି ନୁହେଁ । ଦିନୁଦିନ ଅଧିକ ଚିକ୍‍କଣ ଓ ପ୍ରଶସ୍ତ ହୋଇ ଉଠୁଥିବା ସେଇ କପାଳଟି ମଧ୍ୟ ବିଭୁପ୍ରସାଦକୁ ପ୍ରଭାବିତ କରେ । ମୁଣ୍ଡ ଉପରର ଚିକ୍‍କଣ ଚମ ଉପରେ ପ୍ରତିଫଳିତ ହେଉଥିବା ନିରୋଳା ଆଲୁଅକୁ ଚାହିଁ ବେଳେବେଳେ ବିଭୁପ୍ରସାଦ କହେ–“ୟା ଭିତରେ ସତରେ ଅଛି ଆଲୁଅ ।” ମନମୋହନ କହେ, “ହଁ, ଆଲୁଅ ଅଛି ସତ, କିନ୍ତୁ ସେ ଆଲୁଅ ଚିରିଗୁଣିର ଆଲୁଅ–ଦିନବେଳେ ଆଲୁଅ ସଂଗ୍ରହ କରେ, ରାତିକୁ ଛାଡ଼େ...ଫସ୍‍ଫୋରସେଣ୍ଟ ଆଲୁଅ !” ନଟବର କହେ, “ହଁ ! ସେ ଆଲୁଅ ମଣିର ଆଲୁଅ–କିନ୍ତୁ ସେ ମଣି ଘୋର ଆତ୍ମସଂଶୟବାଦୀ ଅହିରାଜର ମଣି ! –କୋହୀନୁର ନୁହ !” –ଇତ୍ୟାଦି ଇତ୍ୟାଦି ଅନେକ କଥା ସେଇ ଆଲୁଅ ଉପରେ-

 

କିନ୍ତୁ ଯେତେ ଯାହା କହ ପଛକେ, ଲୋକଟାର ଗାଲ ବୋଲି ଗୋଟିଏ କିଛି ଜିନିଷ ନାହିଁ କହିଲେ ଚଳେ ଏବଂ ଖାସ୍ ସେଇଥିପାଇଁ ସେଇ ମଧ୍ୟମ ଧରଣର ନାକଟା ହୁଏତ ଏତେ ଉଚ୍ଚ ଆଉ ଗରୀୟାନ୍ ଜଣାପଡ଼େ ନୂଆକରି ଦେଖୁଥିବା ଲୋକର ଆଖିକୁ । ତେବେ, ସେ ଗାଲ ଦୁଇଟା ଯେ ସେଠୁ କୁଆଡ଼େ ଚାଲିଯାଇଚନ୍ତି, କେବେ ଥିଲେ ବା କେବେ ଫେରିବେ ସେମାନେ, ଏ ବିଷୟରେ ବେଳେବେଳେ ମହାନ୍ ଚିନ୍ତାରେ ପଡ଼େ ବିଭୁପ୍ରସାଦ । ସେ ଶୁଣିଥିଲା ଯେ କୁଆଡ଼େ ବାରବର୍ଷ ତଳେ ସେମାନେ ଏଇ ବୁଢ଼ାର ଟାକରା ହନୁହାଡ଼ ଦିଇଟା ଉପରେ କିଛିଦିନ ପାଇଁ ବସା ବାନ୍ଧିଥିଲେ । କିନ୍ତୁ ଡିମ୍ବପାରି ଡିମ୍ଵ ଉଷୁମେଇବାବେଳକୁ ସେମାନେ ଉଡ଼ିଗଲେ । ଯେ ଉଡ଼ିଗଲେ ସେମାନେ ଆଉ ଫେରିନାହାନ୍ତି ।

 

ଏଇ ବୁଢ଼ା ପ୍ରଫେସର୍ !

 

ତାଙ୍କୁ ଦେଖି ନ ଦେଖିଲା ପରି, କବାଟ ଆଡ଼କୁ ପଛକରି ଲାଗି ପଡ଼ିଥାଏ କାମରେ ବିଭୁପ୍ରସାଦ । ଦାନ୍ତ ଭିଡ଼ି, ଆଖି ତରାଟି ସେ ଲାଗି ପଡ଼ିଥାଏ । କାମଟା ହେଉଚି ଅତି ସହଜ । ଗୋଟିଏ କ୍ଲାମ୍ପ୍‍ରୁ ସ୍କୃଟାକୁ ଫିଟାଉଥାଏ ବିଭୁପ୍ରସାଦ । ତା’ ସହିତ ଯେ ଗୋଟାଏ କୁସ୍ତିର କିଛି ଆବଶ୍ୟକତା ଥାଏ ସେପରି କିଛି ନୁହେଁ । କିନ୍ତୁ ତା’ର ଆବଶ୍ୟକତା ଥିଲା–ବୁଢ଼ାର ସେଇ ନିଷ୍ଠାପର, ରସାତ୍ମକ ‘ଓ’ ଶବ୍ଦଟି ପରି । ବାହୁଲ୍ୟ ମାତ୍ର ଖୁବ୍ ଜୋରଦାର୍ ଆଉ ସକ୍ରିୟ ସେଇ ‘ଓ’ ଶବ୍ଦଟି !

 

ଯେକୌଣସି କାର୍ଯ୍ୟର ଆରମ୍ଭରେ ବୁଢ଼ା ଯାହା କହିଥାଏ ବିଭୁପ୍ରସାଦର କାନରେ ବାଜେ–ବୁଢ଼ାର ସେଇ ନିଷ୍ଠାପର ଜୋରଦାରିଆ ‘ଓ’ ଶବ୍ଦଟି ଆଉଥରେ । “ଗୋଟିଏ କଥା–ନିଷ୍ଠାପରତା ‘ଓ’ କର୍ତ୍ତବ୍ୟଜ୍ଞାନ ।” ବିଭୁପ୍ରସାଦ ହସେ । ଲାବୋରେଟୋରୀର ପଛ କବାଟ ବାଟେ ମିଳେଇ ଯାଏଁ ବୁଢ଼ାର ଜୋତା ଶବ୍ଦ ଧୀରେ ଧୀରେ । ବୁଢ଼ା ପଶିଯାଏ ନିଜ ବିଖରା ଭିତରକୁ । ଆଶ୍ଵସ୍ତ ହୋଇ ଟିକିଏ ବସି ପଡ଼େ ବିଭୁପ୍ରସାଦ ।

 

ବୁଢ଼ାକୁ ଖୁସି କରାଇବା ପାଇଁ ଅବଶ୍ୟ ପ୍ରତ୍ୟେକ ସ୍କଲାର୍‍ର ସ୍ଵତନ୍ତ୍ର ପନ୍ଥା ରହିଥାଏ । ଉଦାହରଣସ୍ଵରୂପ ମନମୋହନ ବୋଲି ରିସର୍ଚ୍ଚ ସ୍କଲାର୍‍ଟିଏ କାମକରେ ଏଇ ଲାବୋରେଟୋରୀରେ । ହେଇ ସେଠି–ସେଇ ସିଟ୍‍ରେ । ମନମୋହନ ଧନୀ ଘରର ପିଲା । ତା’ର ବାପା ଜଣେ ଉଚ୍ଚପଦସ୍ଥ ଅଫିସର । ଅଚଳାଚଳ ସମ୍ପତ୍ତିର ମାଲିକ । କିନ୍ତୁ ଏଇ ରିସର୍ଚ୍ଚ ସ୍କଲାର୍ ମନମୋହନର ଲାବୋରେଟୋରୀ ପୋଷାକ ହେଲା ଖଣ୍ଡିଏ ଚିରା ଟେରିଲିନର ହାୱାଇନ୍ (ଯାହାକୁ ସେ ନିଜେ ଆଖ୍ୟା ଦେଇଥାଏ–ଟେରିଖଦଡ଼ ବୋଲି) ଓ ଖଣ୍ଡେ ପୁରୁଣା ମସିଆ ସାର୍‍ସ୍କିନ୍ ପ୍ୟାଣ୍ଟ (ଯାହାର ନାଁ ସାର୍କ–ବାର୍କ କିମ୍ବା ଗୋଧିଚମଡ଼ା ବୋଲି ଆଖ୍ୟା ଦେଇଥାଏ ସେ) । ସେଇଭଳି ହଳେ ‘ମୃତ’ ଜୋତା ମଧ୍ୟ ତା’ର ସ୍ଵତନ୍ତ୍ର ଲାବୋରେଟୋରୀ ପୋଷାକର ଅନ୍ତର୍ଗତ । ଏସବୁ ହେଲା ଦାରିଦ୍ର୍ୟର ପ୍ରମାଣ । ଆଉ ମନମୋହନ ବୁଢ଼ାର ମନସ୍ତତ୍ତ୍ୱକୁ ଏକ୍‍ସପ୍ଳଏଟ୍ କରେ । ବୁଢ଼ା ଦାରିଦ୍ର୍ୟର ପକ୍ଷପାତୀ–ସେ ଜାଣେ ।

 

ସେଇଭଳି ନଟବର ବୋଲି ଅନ୍ୟ ସ୍କଲାର୍‍ଟି ମଧ୍ୟ ତା’ ବାଟରେ ଚାଲିଥାଏ । ସେ ପ୍ରକୃତରେ ଗରିବ କିନ୍ତୁ ବିଚରା ଏକ ହତଭାଗ୍ୟ ଗରିବ ଏବଂ ତା’ର ବିପତ୍ତିର ପ୍ରଧାନ କାରଣ ହେଉଚି କେବଳ ତା’ର ମୁହଁ ! ଖଣ୍ଡିଏ ଅଶୁଭ ହୀରାଖଣ୍ଡପରି ବହୁ ବିପର୍ଯ୍ୟୟର କାରଣ ଏହି ମୁହଁ ! ତୁମେ ରାଜା ନୁହ ଅଥଚ ରାଜଚକ୍ରବର୍ତ୍ତୀ ଚିହ୍ନ ତୁମର କପାଳରେ ! ମଝିରେ ମଝିରେ ନଟବର ଲଣ୍ଡା ହୋଇପଡ଼େ ଓ ବେଳେବେଳେ ଆପଣା ମୁହଁକୁ ଲକ୍ଷ୍ୟକରି ଗୁଡ଼ାଏ ମୁଖି ମାରିହୁଏ । ମୁହଁକୁ ଦନ୍ଥଡ଼ା ବ୍ଲେଡ଼୍‍ରେ ରାମ୍ପି ଗୁଡ଼ିଏ ଓଥରା–ରମ୍ପା ଦାଗ ସୃଷ୍ଟି କରିବା ହେଲା ତା’ର ବିଶେଷତ୍ଵ ଏବଂ ସାରା ଲାବୋରେଟୋରୀରେ ଯଦି କେହି ବୁଢ଼ାକୁ ବଶ କରିଥାଏ ବୋଲି ଦାବି କରିବସେ ତାହାହେଲେ ସେ ହେଉଚି ଏଇ ନଟବର–‘ଚୁଟିଆ ନଟିଆ’ ତା’ର ଡାକନାମ ।

 

ବିଭୁପ୍ରସାଦ ଟେବୁଲ୍ ପାଖରେ ବସିଥାଏ–ଖଣ୍ତେ ଉଚ୍ଚା ଷ୍ଟୁଲ୍ ଉପରେ । ଟେବୁଲ୍ ଉପରେ ଜମା ହୋଇଥାଏ ବହେ ଶୁଖିଲା ଚାକୁଣ୍ଡା ଫଳ । ଗୋଟିଏ ଛୁରି ନେଇ ବିଭୁପ୍ରସାଦ ଚିରୁଥାଏ ସେଇ ଫଳଗୁଡ଼ିକୁ । ପାଚିଲା ପାଚିଲା ମିଠା ମିଠା ବାସ୍ନା ଚୋପା । ଚେମଡ଼ା ଚୋପାଗୁଡ଼ିକୁ ଗୋଟିଏଠା’ରେ ଗଦେଇ ମଞ୍ଜିଗୁଡ଼ିକୁ ଆଉ ଠା’କରେ ଜମା କରୁଥାଏ ସେ । ହୁଏତ ସେ ଏପର୍ଯ୍ୟନ୍ତ ବୁଝି ନଥାଏ ଠିକ୍‍ କରି ସେଇ ଫଳଗୁଡ଼ିକର ବାସ୍ତବିକ କେଉଁ ଅଂଶଟି କାମରେ ଲାଗିବ । ଚୋପା କିମ୍ବା ମଞ୍ଜି ? କିନ୍ତୁ ସେଦିନ ତା’ର ସେଇ ଥାଏ ଏକ ପ୍ରଧାନ କାମ ।

 

ଲାବୋରେଟୋରୀରେ ଏଇଭଳି ଏକ ଏକ ଦିନ ! ଅଳସେଇ ଝିଅଟିଏ ବସି ବସି ଫୁଲମାଳ ଗୁନ୍ଥୁଗୁନ୍ଥୁ ଯେପରି ଅଜାଣତରେ ଫୋଡ଼ି ପକାଏ ତା’ର କଅଁଳ ଆଙ୍ଗୁଠିଟିକୁ ଏକ ଛୁଞ୍ଚି ମୁନରେ ଆଉ ତା’ପରେ ନିଦଯାଏ–ନିଦଯାଏ ଦୀର୍ଘ ବର୍ଷ ଧରି–ସେଇଭଳି ବୋଧହୁଏ ନିଦଯାଏ ବିଭୁପ୍ରସାଦ ତା’ର ଲାବୋରେଟୋରୀର ସେଇ ଡେଙ୍ଗାଗୋଡ଼ି ଆଷ୍ଟୁଲ୍‍ଟି ଉପରେ–ବେଳେବେଳେ–ବିଶେଷତଃ ଏଇଭଳି ଏକ ଏକ ଦିନରେ ।

 

ଚିଲଭଳି କେଉଁଠୁଁ ଛୁଟିଆସେ ମନମୋହନ । ତା’ ହାତରେ ଥାଏ ବିଡ଼ାଏ କାଗଜ । ବିଡ଼ାଟାକୁ ଟେବୁଲ୍ ଉପରେ କଚି ଦେଇ ସେ ଫାଁଗାଳି ବସି ପଡ଼େ ଚଉକି ଉପରେ । ଟେବୁଲ୍ ଉପରେ ରଖାଯାଇଥିବା ପୁରୁଣା, ରଙ୍ଗଛଡ଼ା ବାର ଇଞ୍ଚ୍ ଟେବୁଲ୍–ଫ୍ୟାନ୍‍ଟାକୁ ସ୍ଵାର୍ଥପରଭାବେ ଏକେବାରେ ତା’ ନିଜ ଆଡ଼କୁ ମୁହେଁଇ ଦେଇ ସେ ଆଗ ବହେ ନିଃଶ୍ୱାସ ପେଲେ ।

 

ବିଭୁପ୍ରସାଦ ସେମିତି ଚାକୁଣ୍ଡା ଫଳର ମଞ୍ଜି ଛଡ଼ାଇବାରେ ଲାଗିଥାଏ । ମଝିରେ ମଝିରେ ଗୋଟାଏ ଚାକୁଣ୍ଡା ମଞ୍ଜି ଉଠେଇ ନେଇ ତାକୁ ନାକରେ ମାଡ଼ୁଥାଏ ସେ–କେଜାଣି କାହିଁକି-। ତା’ପରେ ତା’ର ସେଇ କୁଞ୍ଚୁକୁଞ୍ଚୁ ନାକ ଆଉ ଭ୍ରୂଲତାକୁ ସଳଖ ଓ ପ୍ରତିକ୍ରିୟା ମୁକ୍ତ କରୁ କରୁ ସେ ତା’ର ଅଜାଣତରେ ପୁଣି ଏକ ଚାକୁଣ୍ଡା ମଞ୍ଜି ଆଣି ମାରିସାରିଥାଏ ତା’ର ନାକ ଆଗରେ-

 

ହାୱା ଖାଉ ଖାଉ ମନମୋହନର ଆଖି ବୁଜି ହୋଇ ଆସୁଥାଏ । କିନ୍ତୁ କାହିଁକି କେଜାଣି ସେ ମୁରୁକେଇ ମୁରୁକେଇ ହସୁଥାଏ । ଛାଇନିଦରେ ସ୍ଵପ୍ନ ଦେଖୁଥାଏ ସେ । କିମ୍ବା ବିଭୁପ୍ରସାଦର ସେହି ଖିଆଲିଆ ଚାକୁଣ୍ଡା–ମଞ୍ଜି–ଶୁଙ୍ଘା ମୁହଁଟାକୁ ଲକ୍ଷ୍ୟ କରି ସେ ହସୁଥାଏ । ହୁଏତ କିଛି ଗୋଟାଏ ମନ୍ତବ୍ୟ ଦେବାପାଇଁ ସେ ଉଣ୍ଡୁଥାଏ । ହୁଏତ ଗୋଟିଏ ମନଲାଖି ଉପମା ଯୁଟୁ ନଥାଏ ତା’ର ମୁଣ୍ଡକୁ । ତେଣୁ ସେ ଅପେକ୍ଷା କରିଯାଉଥାଏ ।

 

ବିଭୁପ୍ରସାଦ ପୁଣି ଏକ ମଞ୍ଜି ନିଏ ନାକ ପାଖକୁ ।

 

ଏଥର ଆଉ ସମ୍ଭାଳି ପାରେ ନାହିଁ ମନମୋହନ । ସତେକି କୌଣସି ଏକ ଅସଭ୍ୟ ଦୃଶ୍ୟ ତାକୁ କୁତୁକୁତୁ କରିଦିଏ । ତା’ର ତନ୍ଦ୍ରା ଭାଙ୍ଗିଯାଏ । ହଠାତ୍ ତେଜି ଉଠି ସେ କହେ–

 

“ଅୟ ! ସେମିତି ଗୋଟାଏ କ’ଣ ଶୁଙ୍ଘୁଚୁବେ ! ମୋ ଦିହ କ’ଣ ହେଇ ଯାଉଚି ବନ୍ଦକର-। ସେଇ ରାମାନ୍ନା ମାଇପକୁ ଚୁଟିଆ ନଟିଆ ଯେମିତି ଶୁଙ୍ଘୁଥିଲା ବୋଲି କହୁଥିଲା–ତୁ କ’ଣ ସେମିତି...... ? ପଶୁଗୁଡ଼ାଏ ନା କ’ଣ ତୁମେ ସବୁ ?”

 

ବିଭୁପ୍ରସାଦ ଆଶ୍ଚର୍ଯ୍ୟ ହୋଇ ଚାହେଁ । ସତେ ସେ କ’ଣ ଶୁଙ୍ଘୁଚି ? ମନମୋହନ ସିଗରେଟ ସିଝା ଓଠ କ’ଟା ଈଷତ୍ ବକ୍ରୋକ୍ତିରେ ଗମ୍ଭୀର ହୋଇ ଉଠୁଥାଏ । କୌଣସି ଗୋଟାଏ ବ୍ୟକ୍ତିଗତ ଚଢ଼ାଉ, ଆଖିବୁଜା ଚୁମୁଟା ବା ଦାନ୍ତ ଭିଡ଼ା କାମୁଡ଼ା ପୂର୍ବରୁ ମନମୋହନ ସାଧାରଣତଃ ଏଇଭଳି ଗୋଟାଏ ହାୱା କରେ । କିମ୍ଭୀରିଆ ପାଣି ପରି ଗମ୍ଭୀର ହୋଇ ଉଠେ ସେ । କିନ୍ତୁ ତା’ର ଅଜାଣତରେ ସେ ଅନେକବେଳୁ ଗୋଳି ଉଠେଇ ସାରିଥାଏ ଅବଶ୍ୟ ସେଇ ଥମିଲା ପାଣିରେ ।

 

ବିଭୁପ୍ରସାଦ ସତର୍କ ହୁଏ । ସେ ଜାଣିଥାଏ ହୁଏତ ମନମୋହନ କ’ଣ ସବୁ ମନ୍ତବ୍ୟ କରିବାକୁ ଯାଉଥାଏ ବୋଲି । ତେଣୁ ଆତ୍ମରକ୍ଷା ପାଇଁ ପ୍ରସ୍ତୁତ ହେଉ ହେଉ ବିଭୁପ୍ରସାଦ ଚାହୁଁଥାଏ ମନମୋହନର ମୁହଁକୁ ଆଉ ଆଖିକୁ ।

 

ସେତେ ଚେହେରାବାନ୍ ପିଲାଟାଏ ନୁହେଁ ଅବଶ୍ୟ ଏଇ ମନମୋହନ । କିନ୍ତୁ ଦେହର ଛାଞ୍ଚଟା ତା’ର ମନ୍ଦ ନୁହେଁ । ବେଶ୍ ଡେଙ୍ଗା, ହୃଷ୍ଟପୁଷ୍ଟ ଆଉ ଚିକ୍‍କଣିଆ ପିଲାଟାଏ । ଗୋରା ନୁହେଁ କି କଳା ନୁହେଁ । ସାମାନ୍ୟ ଧୂସର–ଶ୍ୟାମଳ । କେଶ ବହୁଳ । ଈଷତ୍ ଟେରେଇ ଚାହେଁ କିନ୍ତୁ ଟେରା ନୁହେଁ । ଆଖି ବଡ଼ବଡ଼ କିନ୍ତୁ ବିଶେଷ ବୁଦ୍ଧିଦୀପ୍ତ ନୁହେଁ । ସାମାନ୍ୟ କୋକିଶିଆଳିଆ, ଧୂର୍ତ୍ତ, ଚତୁର କିନ୍ତୁ ରହସ୍ୟପୂର୍ଣ୍ଣ । ହଠାତ୍ ଜଣା ପଡ଼େନାହିଁ ସେ ଆଖିର ଭାଷା । ହଠାତ୍ କହି ହେବ ନାହିଁ, କେତେବେଳେ ସେ ଆଖି ଅଙ୍ଗୁର କୋଳିକୁ ଖଟା କହିବ କି ମିଠା କହିବ । ତେଣୁ ଭୟଙ୍କର ଯୁଗୋପଯୋଗୀ ଓ ସେଇଭଳି ଆଖିରଇ ବିଶେଷ ଚାହିଦା ଥାଏ ଏ ଯୁଗରେ ।

 

ମନମୋହନର ମୁହଁକୁ ଚାହିଁ ବିଭୁପ୍ରସାଦ କହେ, “ତୁ ଜାଣୁ ? ନଟବର ବର୍ତ୍ତମାନ ଆଉ ସେ ରାମାନ୍ନାର ସ୍ତ୍ରୀ ଦିହର ବାସ୍ନାରେ ନାହିଁ ? ସେ ଏଇଲେ ଅଛି ଏକପ୍ରକାର ନୀଳ–କଇଁ ଆଉ କାଠଚମ୍ପାର ବାସ୍ନାରେ ! ଜାଣୁ ?”

 

“ହ୍ୱାଟ୍ ବ୍ଳଡ଼ି ନୀଳକଇଁ ଆଉ କାଠଚମ୍ପା ?” ମନମୋହନ ପୁଣି ଥରେ ତନ୍ଦ୍ରାଭାଙ୍ଗି କହେ, “ସେଇଟାତ ତୋ ମାଲ୍.....କ’ଣ ମାଲ୍ ଅଦଳବଦଳ ଚାଲିଲାଣି କିରେ ?” ତା’ପରେ ହସି ହସି ସେ ଯୋଗ କଲା, “ଆରେ ଜାଣୁ ? ତୋ ମାଲ୍‍କୁ ଏବେ ମୁଁ ବରାବର ଦେଖୁଚି । ସେ ତ କ’ଣ ଏଇଠି ବେଶ୍ ନଙ୍ଗପଙ୍ଗ ହେଉଚି ! କ’ଣ ସବୁ ହେଲାଣି କିରେ !”

 

ଠିକ୍ ଏଇ ଆଘାତଟି ପାଇଁ ଅପେକ୍ଷା କରିଥାଏ ବିଭୁପ୍ରସାଦ ଏପର୍ଯ୍ୟନ୍ତ । ହଠାତ୍ ସେ ଗମ୍ଭୀର ହୋଇଯାଏ ଓ ଗୋଟିଏ ଝିଙ୍କଭଳି ଫୁଲି ଉଠି ଆପଣାର କାଠିଗୁଡ଼ିକୁ ଠିଆ କରିବାକୁ ଆରମ୍ଭ କରିଦିଏ । କିନ୍ତୁ ସବୁଦିନ ପରି ସେ ଅଟକି ଯାଏଁ ଏବଂ ଏଇ ଫୁଲି ଉଠିଥିବା ଝିଙ୍କକାଠିଗୁଡ଼ିକୁ ସ୍ତମ୍ଭନ କରି ପୁଣି ଶୁଆଇ ପକାଇବା ହେଲା ମନମୋହନର ଅନ୍ୟ ଏକ ପରିଚୟ-

 

ବିଭୁପ୍ରସାଦ ଚୁପ୍ ହୋଇ ରହେ । ଆଉ ସମସ୍ତଙ୍କୁ ଏଇଭଳି ଚୁପ୍ କରାଇଦେବାଟାଇ ହେଲା ସତେ ଯେପରି ମନମୋହନର ଭୂମିକା–ଏଇ ଲାବୋରେଟୋରୀରେ !

 

କିନ୍ତୁ ଏ ସମସ୍ତ ଭିତରୁ କୌଣସିଟା ନଥିଲା ମନମୋହନର ନିଜସ୍ଵ କିଛି ଗୁଣ । ଏସମସ୍ତ ହେଉଛି ତା’ର ପୈତୃକ ଗୁଣ । ମନମୋହନର ସର୍ବଶ୍ରେଷ୍ଠ ପରିଚୟ–ହେଲେ ତା’ର ପୂର୍ବପୁରୁଷ–ସାତପୁରୁଷ ସରକାରୀ ଚାକିରିଆ । ସେଦିନ ଇଷ୍ଟଇଣ୍ଡିଆ କମ୍ପାନୀରେ ମଧ୍ୟ ତାଙ୍କ ବଂଶର କେହି ଜଣେ ଚାକିରି କରୁଥିଲେ ବୋଲି ଦାବି କରେ ମନମୋହନ । ଏହା ବ୍ୟତୀତ ମନମୋହନ ବଂଶର ଅନ୍ୟ ଏକ ଲୁପ୍ତ ଗୌରବ ରହିଛି । ତାହା ହେଉଛି ଯେ ତା’ର ଜେଜେବାପା ଅମଳରୁ ସେମାନେ ଶିକ୍ଷାପ୍ରେମୀରୂପେ ଖ୍ୟାତି ଅର୍ଜନ କରି ଆସିଛନ୍ତି । ୧୮୬୫ ରୁ ୧୮୭୮ ଯାକେ ଯେଉଁ ସମୟ ମଧ୍ୟରେ ଟି.ଇ. ରେଭେନ୍‍ସା ସାହେବ ଓଡ଼ିଶାର କମିଶନର ଓ କଟକର ଟ୍ରିବ୍ୟୁଟାରି ଇଷ୍ଟେଟ୍‍ର ସୁପରିଂଟେଣ୍ଡେଣ୍ଟ ଥିଲେ ସେ ସମୟରେ ତା’ର ଜେଜେବାପା ଥିଲେ ଏଇ ଇଷ୍ଟେଟ୍ ବିଭାଗର ଜଣେ ସୁଦକ୍ଷ ଅମଲା ଏବଂ ସେହି ସୂତ୍ରରେ ସେ ଥିଲେ ରେଭେନ୍‍ସା ସାହେବଙ୍କର ଡାହାଣ ହାତ । ତାଙ୍କରି କାର୍ଯ୍ୟକାଳ ଭିତରେ ଓଡ଼ିଶାରେ ପଡ଼ିଥିଲା ୧୮୬୬ର ନ’ଅଙ୍କ । ତା’ଛଡ଼ା ୧୮୬୬–୬୭ରେ ହୋଇଥିବା ଶତାବ୍ଦୀର ସବୁଠାରୁ ଭୀଷଣ ନଈବଢ଼ିରେ–ମନମୋହନ ଦାବି କରେ ଯେ–ତା’ର ପୂର୍ବପୁରୁଷ ଚୁଡ଼ା, ଚାଉଳ ବାଣ୍ଟୁ ବାଣ୍ଟୁ ହୋଇଥିଲେ ସେ ଯୁଗର ପ୍ରତିଷ୍ଠିତ ଓଡ଼ିଆ ! ଏହି ପ୍ରତିଷ୍ଠିତ ବଂଶର ସନ୍ତାନ ହେଉଛି ମନମୋହନ ! ଓଡ଼ିଶା ଉପରେ ତା’ର ଏଇ ପ୍ରତିଷ୍ଠିତ ଦାବିହିଁ ମନମୋହନର ପ୍ରକୃତ ପରିଚୟ ।

 

ବିଭୁପ୍ରସାଦକୁ ଏଭଳି ନିଷ୍କ୍ରିୟଭାବେ ଚୁପ୍ ରହିବାର ଦେଖି ମନମୋହନ ତାକୁ ଉସ୍କାଏ । ସେ ତା’ର ସେଇ କୋକିଶିଆଳିଆ ଆଖି ଦୁଇଟିକୁ ମିଟିମିଟି କରି କହେ–

 

“ତୁ ଜାଣୁ ? ନଟବର କୃତିତ୍ୱ ? ଏଥିଭିତରେ ସେ ଆରମ୍ଭ କରିଦେଲାଣି–କ’ଣ ଜାଣୁ ? ଗୋଟିଏ ନୂଆ ପେପର୍ !”

 

“ନୂଆ ପେପର୍ ? ବିଭୁପ୍ରସାଦର ଆଶଙ୍କା ତଥାପି ଲୋପ ପାଇନଥାଏ । ସେ ଜାଣେ ମନମୋହନକୁ ଭଲଭାବେ । ମନମୋହନ ଗୋଟିଏ ଜାପାନୀ କୁସ୍ତି ଖେଳାଳି । ତା’ର କୁସ୍ତିଖେଳ ମାଂସପେଶୀରେ ନୁହେଁ–ଆଙ୍ଗୁଠି ଅଗରେ । ବେକାଇଦା ଜାଗାରେ ଆଙ୍ଗୁଠି ଛୁଇଁଦେଇ ଅପରପକ୍ଷକୁ ଘାଏଲା କରି ପକେଇଦବାର ଟ୍ରେନିଙ୍ଗ୍ ମନମୋହନ ପାଇଥାଏ ପିଲାଦିନୁ । ମନମୋହନ ସହରୀ ପିଲା । ନଟବର ଆଉ ବିଭୁପ୍ରସାଦ ଭଳି ସେ ଧର୍ମକୁ ଦ୍ୱାହି ଦେଇ ଗାଉଁଲି ପିଲାଙ୍କ ଭଳି ଖେଳ ନଖେଳି କାଇଦା ଖେଳ ସବୁ ଖେଳିବାର ଯଥେଷ୍ଟ ଅଭ୍ୟସ୍ତ । ଏଇଭଳି‘ଟାକ୍‍ଟ’ରୁ ଗୋଟିଏ ଆରମ୍ଭ କରି ମନମୋହନ କହେ–

 

“ଜାଣୁ ? ନଟବର ବର୍ତ୍ତମାନ ଗୋଟିଏ ଖାପ୍‍ଚାରେ ପଡ଼ିଚନ୍ତି । ପ୍ରଫେସର୍ ଜାଣିଲାଣି ଯେ ସେ ‘ମ୍ୟାରେଡ଼୍’–ବାହା ହେଇଚି !”

 

“ବାହା ହେଇଚି ? କିଏ ? ନଟବର ?” ବିଭୁପ୍ରସାଦ ବାସ୍ତବିକ ଆଶ୍ଚର୍ଯ୍ୟ ହୋଇଗଲା ।

 

ବିଭୁପ୍ରସାଦ ନଟବରର ଖାଲି ସିଟ୍ ଆଡ଼କୁ ଚାହେଁ ଓ କାହିଁକି କେଜାଣି ସତକୁସତ ତା’ ମନରେ ଗୋଟାଏ ଖଟ୍‍କା ଲାଗେ । ଗତ କିଛିଦିନ ହେବ ନଟବର ଭୟଙ୍କର ଅନ୍ୟମନସ୍କ ଦିଶୁଛି ଓ ତା’ର ଚେହେରା ଭାଙ୍ଗି ଭାଙ୍ଗି ଯାଉଚି ।

 

ବିଭୁପ୍ରସାଦର ଆଶଙ୍କା ହୁଏ ଓ ତା’ରସବୁଠୁ ବଡ଼ ଆଶଙ୍କା ହେଉଛି ଅବଶ୍ୟ ନଟବରର ଭଗ୍ନସ୍ୱାସ୍ଥ୍ୟ ନୁହେଁ । ତାହା ହେଉଚି ପ୍ରଫେସର୍‍ର ବିରକ୍ତି । ପ୍ରଫେସର୍ ନିଶ୍ଚୟ ବିରକ୍ତ ହେବେ–ବିଶେଷତଃ ସେ ଯଦି ଶୁଣିବେ ଯେ ଏଇ ଲାବୋରେଟୋରୀର କେହି ବିବାହ ବିଷୟରେ ଚିନ୍ତା ମଧ୍ୟ କରୁଛି–ଏ କଥା ସମସ୍ତଙ୍କୁ ଜଣାଥାଏ । ମନମୋହନର ସେଇ ମନଗଢ଼ା ସମ୍ବାଦଟା କାହିଁକି କେଜାଣି ଲାବୋରେଟୋରୀ ପକ୍ଷରେ ଏକ ମନ୍ଦ ଶକୁନ ପରି ଜଣାଯାଏ–ବିଭୁପ୍ରସାଦକୁ ।

 

ନଟବରର ଫାଙ୍କା ସିଟ୍‍କୁ ଚାହିଁ ବିଭୁପ୍ରସାଦ ଆଉଥରେ ଦେଖେ ସେଇ ଗଣଗଣିଆ ମାଛିଗୁଡ଼ିଙ୍କୁ । ସେମାନେ ଉଡ଼ୁଥାନ୍ତି ସେମିତି–ଯେମିତି ସେ ଉଡ଼ୁଥିଲେ ପ୍ରଥମରୁ ।

 

ହଁ, ସେ ହେଉଛି ନଟବର–ମନମୋହନର ପୂର୍ବଜନ୍ମର ଶତ୍ରୁ ନଟବର !

 

କିନ୍ତୁ ସେ ହେଉଚି ନଟବର ଯାହାର ପରିଚୟ ହେଉଚି ଏଇଭଳି କେତେଗୁଡ଼ିଏ ବିଚିତ୍ର ଶବ୍ଦ । ଯଥା ରାମାନ୍ନାର ସ୍ତ୍ରୀ...ମଲ୍ଲୀଅପା...ଓଟରୁମ ଟୋପି ଓଲା ରାଉତ ଓରଫ୍ ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍...ଇତ୍ୟାଦି ଇତ୍ୟାଦି ଅନେକଟି ବିଚିତ୍ର, ବିବ୍ରତକାରୀ ଶବ୍ଦ । ଆଉ, ଏସବୁ ସାଙ୍ଗକୁ ଆପଣାର ସେଇ ଈଶ୍ୱରଦତ୍ତ ରୂପ ଆଉ ତା’ର ସେଇ କୃତ୍ରିମ ଚନ୍ଦା ମୁଣ୍ଡଟା–ଏ ଦୁହିଁଙ୍କର ସଂଘର୍ଷରୁ ନିଜକୁ ଉତ୍ପନ୍ନ କରାଏ ଏଇ ନଟବର ନିଜେ–ଅବୋଧ୍ୟ ନଟବର !

 

କିନ୍ତୁ ତା’ର ଏଇ ଲଣ୍ଡା ମୁଣ୍ଡଟି ଯେ କେବଳ ମନମୋହନର ‘ଟେରି–ଖଦଡ଼’ ବା ବିଭୁପ୍ରସାଦର ଶୁଖିଲା ମୁହଁ ବା ‘ସ୍କଲାର୍–ମୁହଁ’ ଭଳି କିଛି ଗୋଟାଏ ରକ୍ଷାକବଚ, ସମ୍ମୋହନ ତାବିଜ୍ ବା ସେହିଭଳି କିଛି ସାମାନ୍ୟ ତାନ୍ତ୍ରିକ ବ୍ୟବସ୍ଥାଟିଏ ଥାଏ–ପ୍ରଫେସର୍‍ଙ୍କର ମନଘେନା ପାଇଁ, ତାହା ନୁହେଁ । ପ୍ରଥମରୁ କୁହାଯାଇଛି ଯେ ନଟବର ହେଉଚି ଖଣ୍ଡିଏ ହୀରାମୁଣ୍ଡା–ଏକ ଅଜ୍ଞାତ ଅବ୍ୟର୍ଥତାର ପ୍ରତୀକ ଆଉ ଝଡ଼ର ସଙ୍କେତ ଏକ ବିଜୁଳିର ଝଲକ ପରି ମୁଣ୍ଡାଟାଏ ହୀରା !

 

ନଟବରର ଏଇ ଲଣ୍ଡା ମୁଣ୍ଡର ଇତିହାସଟି ହେଉଛି ଏହିପରି–ଏ ମୁଣ୍ଡର ଆରମ୍ଭ ସେଇଠି–ଯେଉଁ ବର୍ଷ ତା’ର ବାପା ମଲେ–ସେ ବର୍ଷର ଖରାଛୁଟିରେ ମ୍ୟାଟ୍ରିକ୍ ପାସ୍ କରିଥାଏ ନଟବର–ହାଇ ସେକେଣ୍ଡ ଡିଭିଜନ୍‍ରେ । ମାତ୍ର କେତୋଟି ନମ୍ବରପାଇଁଫାଷ୍ଟ୍ଡିଭିଜନ୍ ଯାଇଥାଏ । ହଠାତ୍ ଚଡ଼କ ପଡ଼ିଲା ସେଇ ମୁଣ୍ଡରେ । ତା’ର ବାପା ମଲା ସେଇ ବିଚିକିଟିଆ ରୋଗରେ ଆଉ ନଟବର ଲଣ୍ଡା ହୁଏ । ତା’ର ମୁଣ୍ଡରେ ଉଡ଼େ ସେଇ ମୃତିକିଆ ଚୁଟି କେରାକ । ଚଡ଼ଚଡ଼ି ପଡ଼ି ଯାଇଥିବା ନଡ଼ିଆ ଗଛର କନ୍ଦାରୁ ବାହାରିଥିବା ଚୁଟି କେରାଏ ଭଳି–ଉଡ଼ୁଥାଏ ସେ ।

 

ନଟବର ଆଡ଼୍‍ମିସନ୍ ନେଇଥାଏ କଲେଜରେ ନୂଆ କରି ଏବଂ ମଫସଲରୁ ଆସିଥିଲେ ମଧ୍ୟ ସେ ଜାଣିଥାଏ କଲେଜ ଜିନିଷଟି କ’ଣ ଆଉ ସେଠି ଗୋଟିଏ ମଫସଲି ଚୁଟିଆର ସ୍ଥାନ କେଉଁଠି । କଲେଜ–କିଶୋର କିଶୋରୀର ଶାରୀରିକ ସୌନ୍ଦର୍ଯ୍ୟ ଯେଉଁଠି ଆବଦ୍ଧ ହୁଏ ଆପଣାର ଏଇ କେଶ–ସମ୍ପଦ ଭିତରେ–ପ୍ରଜାପତି ହେବାକୁ ଯାଉଥିବା ଲାର୍ଭାର ସିଲ୍କ କୋଷା ଭଳି !

 

ନଟବର ଗାଁରୁ ଆସିଲାବେଳକୁତା’ର ବୋଉର ବାକ୍ସ ଅଣ୍ଡାଳି ଅଣ୍ଡାଳି ଆବିଷ୍କାର କରେ ସେଇ ଜିନିଷଟିକୁ, ଯେଉଁଟିକୁ ପାଇବାପାଇଁ ସେ ସାରା ଜୀବନ ଆକାଂକ୍ଷିତ ହୋଇଥାଏ । କିନ୍ତୁ କିଏ ଜାଣିଥାଏ ଯେ ତା’ ଜୀବନର ସବୁ ବିପର୍ଯ୍ୟୟର ମୂଳଟିକୁ ହୁଏତ ସେଦିନ ଆବିଷ୍କାର କରିଥିଲା ନଟବର–ତା’ର ବିଧବା ବୋଉର ବାକ୍‍ସ ଭିତରୁ !

 

ଜିନିଷଟି ହେଉଚି ଗୋଟିଏ ଟୋପି ! ଓଟ କିମ୍ବା ମେଣ୍ଢା କିମ୍ବା କୌଣସି ଏକ ଅଦ୍ଭୁତ ଜୀବର ଲୋମରେ ତିଆରି ଟୋପିଟିଏ । ମଝିରେ ମଝିରେ ଠାଏଠାଏ ରୁମ ଉଠି ଯାଇଥିଲେ ମଧ୍ୟ ଏକ ଚମତ୍କାର, ଚକ୍‍ଚକ୍, କଳାଧଳା ମିଶା ଛଉଛଉକା ଟୋପିଟିଏ ! ବିଧବା ମା’ର ବାକ୍‍ସରୁ ବାହାରିଥିବା ସେଇ ଅମୂଲ୍ୟ ସମ୍ପତ୍ତିଟି ହେଉଚି ବାସ୍ତବିକ ତା’ ବାପର ଟୋପି । ତା’ର ବଂଶର ଇତିହାସ.... । ଛାଡ଼, ସେତ ପର କଥା ।

 

ଟୋପିଟିକୁ ବିଧବା ମା’ର ବାକ୍‍ସରୁ ଚୋରିକରି ନଟବର ତାକୁ ଲୁଚେଇ ରଖିଦିଏ ତା’ର ନିଜର ଛୋଟ ଟିଣ ସୁଟ୍‍କେଶ୍‍ଟି ଭିତରେ । ତା’ ଉପରେ ଖଣ୍ଡିଏ କାଗଜ ପାରିଦେଇ ଟୋପିଟିକୁ ଉଶ୍ୱାସ କରି ଘୋଡ଼େଇ ରଖିଥାଏ ସେ । କିନ୍ତୁ ତାକୁ ଜଣା ନଥାଏ ଏଥିମଧ୍ୟରେ ତା’ ବୋଉ କେତେବେଳେ ଆଣି ରଖିଦେଇ ଯାଇଥାଏ ପୁଟୁଳିଏ ଚୁଡ଼ା–ବିଦେଶ ଯାଉଥିବା ପୁଅପାଇଁ ସେଇ ଟୋପି ଘୋଡ଼ିଆ କାଗଜ ଉପରେ–ସୁଟ୍‍କେଶ୍ ଭିତରେ !

 

ନଟବର କଟକ ଆସିଗଲା । ତାଙ୍କ ଗାଁର ରାମାନ୍ନା ଥାଏ କିଲଟରିକଚେରିରେ ପିଅନ । ନଟବର ଏଇ ରାମାନ୍ନା ଘରେ ରହିବାର ଯୋଗାଡ଼ ହେଇଥାଏ । ଦିନକୁ ଘଣ୍ଟାଏ ଦି’ଘଣ୍ଟା ରାମାନ୍ନାର ତିନୋଟି ପିଲାଙ୍କୁ ଟିକିଏ ଦେଖିଦେଲେ ନଟବରର ଘରଭଡ଼ାଟା ଉଠିଯିବ ବୋଲି ଜବାବ ହୋଇଥାଏ । ତା’ ଛଡ଼ା ଗାଁରୁ ଆସିବ ଚାଉଳ ଆଉ ଡାଲି ଓଗେର । ନଟବର ରାମାନ୍ନାର କୁଡ଼ିଆରେ ଆସି ଅତିଥି ହେଲା–ଏ ସବୁ ଚୁକ୍ତିପରେ ।

 

ତା’ ପରଦିନ କଲେଜ । ନଟବର ଫିଟାଏ ତା’ ଟିଣ ବାକ୍‍ସ । ଟିଣ ବାକ୍‍ସଫିଟେଇବାମାତ୍ରେଇ ସେ ଆବିଷ୍କାର କରେ ପ୍ରଥମେ ସେଇ ଅପରଛନିଆ କନାରେ ବନ୍ଧା ହୋଇଥିବା ଚୁଡ଼ା ପୁଟୁଳିଟାକୁ ।

 

ଚୁଡ଼ା ପୁଟୁଳି ! ବିଧବା ମା’ର ସନ୍ତକ । କିନ୍ତୁ ନଟବରର ଦିହ ଜଳୁଥାଏ । ଚୁଡ଼ା ପୁଟୁଳିଟାକୁ ବାହାରେ କଚି ଦେଇ ନଟବର ହାତ ମାରେ ତା’ର ଥୁଣ୍ଟା ଲଣ୍ଡା ମୁଣ୍ଡଟା ତା’ ଉପରେ । ଏକ ହତାଶ ଦୀର୍ଘଶ୍ୱାସ ଛାଡ଼ି ସେ ଟିକିଏ ଅପେକ୍ଷା କରେ ।

 

ଟିକିଏ ପରେ ସେ ଆତ୍ମସ୍ଥ ହୁଏ ଓ ପୁଟୁଳିତଳେ ଚାପିହୋଇ ଲୋଚାକୋଚା ହେଇ ଯାଇଥିବା କାଗଜଟିକୁ ସାଉଁଳେଇ ଆଣି ସେ ଅପେକ୍ଷା କରେ । କାହିଁକି କେଜାଣି ତା’ ଛାତି ଦମଦମ ହୋଇ ଉଠୁଥାଏ । ଏ କଡ଼କୁ ସେକଡ଼କୁ ନିଘା କରିବାର ଆବଶ୍ୟକତା ସେ ଅନୁଭବ କରୁଥାଏ ସତେକି !

 

ରାମାନ୍ନାର ସ୍ତ୍ରୀ ଦାଣ୍ଡ ଦୁଆରବନ୍ଧ ତଳକୁ ବସି ଦୁଧ ପିଆଉଥାଏ ଉତିଆଣି ଛୁଆକୁ । ଦାଣ୍ଡ ବାରନ୍ଦାର ଗୋଟିଏ କଣକୁ ତାଟିଟିଏ ବନ୍ଧାହୋଇ ଆପଟ କରାଯାଇଥାଏ । ସେଇ ଗୋଟିକ ହୋଇଥାଏ ନଟବରର ବଖରା । ଆଗରୁ ସେଠି ଗୋଟିଏ ରିକ୍ସାବାଲା ରାତିରେ ଆସି ଶୋଉଥିଲା–ମାସକୁ ତିନି ଟଙ୍କା ଭଡ଼ାରେ । ନଟବର ମୁଣ୍ଡ ଉଠେଇ ଚାହେଁ–ଚାଳକୁ । ରୁଆ ସନ୍ଧିରେ ସେ ପର୍ଯ୍ୟନ୍ତ ମଧ୍ୟ ଖୋସା ହୋଇଥାଏ ଖଣ୍ଡିଆ ପିକାଟାଏ–ପୂର୍ବର ରିକ୍ସାବାଲାର ।

 

ନଟବର ଘୁଞ୍ଚି ଆସେ ଗୋଟିଏ କଣକୁ–ଟୋପିଟାର ଚିକ୍‍କଣ ରୁମକୁ ଟିକିଏ ସାଉଁଳେଇ ନେଇ ତାକୁ ଥାପିଦିଏ ଆପଣାର ମୁଣ୍ଡ ଉପରେ । ଟୋପିଟି ଠିକ୍ ଖାପିଯାଏତା’ରମୁଣ୍ଡକୁବି । ତା’ରବାପ ମୁଣ୍ଡର ଟୋପି ! ନଟବର ଟିକିଏ ହାଇଁପାଇଁ ହୁଏ ଖଣ୍ଡିଏ ଦର୍ପଣପାଇଁ । କିନ୍ତୁ ହାୟ ! ଦର୍ପଣଟିକୁ ଯେ ସେ ଭୁଲିଯାଇଛି ଆଣିବାକୁ । କିନ୍ତୁ ବିନା ଦର୍ପଣରେ, ସେଇ ଟୋପିଟିକୁ ମୁଣ୍ଡଉପରେ ରଖି ସାଉଁଳେଇ ସାଉଁଳେଇ ନଟବର ହୁଏତ ବେଶ୍ ଦେଖିପାରୁଥାଏ ଆପଣାର ସେଇ ରାଜକୁମାରର ମୁହଁଟିକୁ ।

 

ରାଜକୁମାର ?

 

ନଟବର ଫୁଲି ଉଠୁଥାଏ । ବାରମ୍ବାର ସେ ଆଉଁଷି ପକାଉଥାଏ ଆପଣାର ମୁହଁ ଆଉ ମୁଣ୍ଡର ଟୋପିଟିକୁ । ରାଜକୀୟ ! ସବୁ ରାଜକୀୟ !

 

ହଠାତ୍ ନଟବର ବାହାରି ପଡ଼େ କଲେଜକୁ । ସେ ଗୋଟାଏ ପାଦ ଆଗେଇ ଯାଏଁ । ତା’ପରେ ସେ କ’ଣ ଭାବେ କେଜାଣି ପଦେ ପୁଣି ପଛକୁ ଫେରି ଆସି ମୁଣ୍ଡରୁ ଟୋପିଟିକୁ କାଢ଼ିନିଏ ଓ ତାକୁ ଚୁପ୍‍କରିଜାମା ତଳେ ଚାପି ଧରି ବାହାରି ଆସେ ବାରନ୍ଦା ତଳକୁ ।

 

ରାମାନ୍ନାର ସ୍ତ୍ରୀ ଚାହିଁଥାଏ । ଛାତିରେ ଛୁଆଟି ଶୋଇ ପଡ଼ିଥାଏ । ପିଲା ତିନୋଟିଚାହାଳି ଯାଇସାରିଥାନ୍ତି । ରାମାନ୍ନାବିକଚେରି ବାହାରି ଯାଇଥାଏ ।

 

ତାଟି ଭିତରୁ ଏକମୁହାଁ ବାହାରି ଯାଇଥାଏ ନଟବର । ହଠାତ୍ ରାମାନ୍ନାର ସ୍ତ୍ରୀ ଡାକଟିଏ ଦିଏ ପଛରୁ–

 

“ସେଇଟା କ’ଣକିଓ ନଟ ! କ’ଣଟାଏ ମ ?–ଛାତିରେ, ଜାମାତଳେ ପୂରେଇଚ ମ !”

 

ଚମକି ପଡ଼େ ନଟବର । ରାମାନ୍ନାର ସ୍ତ୍ରୀ ବି ତେବେ ଆଖି ଦେଇଚି ଜିନିଷଟିକୁ ! ନଟବର ପାଦ ଅଟକି ଯାଏଁ !

 

ରାମାନ୍ନା ସ୍ତ୍ରୀ ଉତିଆଣି ଛୁଆକୁ ଚାଳରୁ ଲଟକିଥିବା କନାଦୋଳିରେ ଶୁଆଇ ପକେଇ ପାନଡ଼ାଲାଟିଏ ଆଣେ ।

 

ନଟ କହେ, “ନାଇଁମ ଭାଉଜ ! ଖାତାଟାଏ–କଲେଜ ଖାତା !”

 

ହେଲେ ରାମାନ୍ନାର ସ୍ତ୍ରୀ ଛାଡ଼ିବା ଜନ୍ତୁ ନୁହେଁ । ତା’ର ସିଆଣିଆ ଆଖି ଦିଇଟାକୁ ଏଡ଼ାଇବା ସହଜ ନୁହେଁ ।

 

ମୁରୁକେଇ ହସି ରାମାନ୍ନାର ସ୍ତ୍ରୀ ପାଟି କଳକୁ ପାନ ଖଣ୍ଡିଏ ଗୁଞ୍ଜିଦେଇ କହେ “ମଲା ଏଡ଼େ ବଡ଼ଟାଏ କ’ଣ ଫୁଲିଲା ଫୁଲିଲା ହେଇ ଦେଖା ଯାଉଚି ଜାମାତଳେ–କ’ଣ ନା ଖାତାଟାଏ !” ତା’ପରେକ’ଣ ଭାବି ରାମାନ୍ନାର ସ୍ତ୍ରୀ ହସି ଦେଇ କହେ–

 

“ମଲା ମୋର, ମରଦପୁଅ ହେଇ କ’ଣ ଏତେ ନୁଗା ଘୋରେଇ ହଉଚି ମ ଏ ଟୋକାଟା...କିଓ କ’ଣ ଦେଖାଉନା–କି ଦରବ ସେ ଜାମାତଳେ !”

 

ନଟବରରମୁହଁ ରଙ୍ଗା ପଡ଼ିଯାଉଥାଏ । ତେବେ କଲେଜବେଳ ହେଇ ଯାଉଥାଏ ଆଉ ଏଣେ ରାମାନ୍ନାର ସ୍ତ୍ରୀର ଏଇ ଅଚାନକ ଆକ୍ରମଣ । ଜାମାତଳେ ଟୋପିଟି ଖଜବଜ ହେଇ ଉଠୁଥାଏ । କିନ୍ତୁ ଲଣ୍ଡାମୁଣ୍ଡିଆ ନଟବରର ସାହସ କୁଳୋଉ ନଥାଏ । ତା’ର ଟୋପି ଅନଭ୍ୟସ୍ତ ମୁଣ୍ଡଟି ଟିକିଏ ହଡ଼ବଡ଼େଇ ଯାଏଁ । ସେ ଲାଜେଇ ଯାଏଁ ଏକାବେଳକେ ।

 

କିନ୍ତୁ ରାମାନ୍ନାର ସ୍ତ୍ରୀର କୌତୂହଳ ସେତିକିରେ ମେଣ୍ଟିବାର ନୁହେଁ । ଝାଉଁଳି ପଡ଼ୁଥିବା ନଟବରକୁ ଟିକିଏ ରସ ଦେଇ ପୁଣି ସତେଜ ସଜୀବ କରି ଟେକି ଦେବାପାଇଁ ମୁହୂର୍ତ୍ତେ ଲାଗେ ନାହିଁ ତାକୁ ।

 

ନଟବରର ଜାମା ତଳୁ ଟୋପିଟାକୁ କାଢ଼ି ଆଣି ରାମାନ୍ନାର ସ୍ତ୍ରୀ ଯେତେବେଳେ ତାକୁ ବଡ଼ବଡ଼ ଆଖିରେ ଅନେଇ ରହି, ତା’ରଚିକ୍‍କଣରୁମଗୁଡ଼ିକରେ ଆପଣାର ସରୁ ସରୁ ଚମ୍ପାଫୁଲିଆ ଆଙ୍ଗୁଠିଗୁଡ଼ିକୁ ଚଳାଇ ନେଉଥାଏ, ନଟବରର ରୁମଗୁଡ଼ିକ ସବୁ ଟାଙ୍କୁରି ଉଠିଥାନ୍ତି ।

 

“କେଡ଼େ ସୁନ୍ଦର ଟୋପିଟିଏ ମ ! ୟାକୁ କୋଉଠୁ ପାଇଲ କିଓ ନଟ ! ବାପାର ? ଯାତରା ଟୋପି ?” କହୁ କହୁ ରାମାନ୍ନାର ସ୍ତ୍ରୀ ନଟବର ମୁଣ୍ଡରେ ଥାପି ଦିଏ ସେଇ ଟୋପିଟିକୁ ଓ ଟିକିଏ ଲଇଁପଡ଼ି ଦେଖଣାହାରିଙ୍କ ଭଳି ତାରିଫ ଆଖିରେ ନଟବରର ମୁହଁକୁ ଚାହିଁ ସେ କହେ–‘‘ଆହା ! ଗରିବ ଘରେ ନେଇ ଦଇବ କିଆଁ ଥୋଇଲା ଏ ରଜାପୁଅକୁ ଲୋ….ଆହା ! ବିଚରା ବାପ ଛେଉଣ୍ଡ….ବାପ ବଞ୍ଚିଥାଆନ୍ତାକି….ଦଶହାତରେ ପଡ଼ୁଥାଆନ୍ତା ଗୋଡ଼….ଏ ପୁଅକୁ କୋଉ ମା’ ବିଦେଶ ପଠେଇ ତୁନି ହେଇ ରହିବ....”

 

ରାମାନ୍ନା ସ୍ତ୍ରୀର ଆଖିର ଦର୍ପଣରେ ନିଜର ଚେହେରାକୁ ଯେତେବେଳେ ଭଲକରି ଦେଖିନିଏ ନଟବର, ସେତେବେଳେ ସେ ଟିକିଏ ବେଶିକରି ହଡ଼ବଡ଼େଇ ଯାଏଁ । କାରଣ ଯେତେ ଚେଷ୍ଟା କଲେ ମଧ୍ୟ ସେ ଆଉ ଦେଖିପାରେ ନାହିଁ ଏଇ ଦର୍ପଣ କାଚର ପଛପଟେ ରହିଯାଇଥିବା ସେଇ ମଣିଷଟିକୁ । କ୍ରମେ ଏଇ ରାମାନ୍ନାର ସ୍ତ୍ରୀ ଏକ ରହସ୍ୟମୟୀ ଚରିତ୍ର ହୋଇ ଠିଆ ହୁଏ ନଟବର ଆଗରେ ଓ ଚିରକାଳ ଏହିପରି ରହସ୍ୟମୟୀ ହୋଇ ରହିଯାଏ ସେ ସ୍ତ୍ରୀଲୋକଟି ନଟବର ପାଖରେ ।

 

ନଟବର ମୁହଁ ବୁଲେଇ ନିଏ କଲେଜ ଆଡ଼େ । ପଛରେ ତା’ର ରହିଯାଏ ସେଇ ରାମାନ୍ନାର ସ୍ତ୍ରୀ । ଏକ ପ୍ରଶ୍ନବାଚକ ଚିହ୍ନ । ମୁଣ୍ଡରେ ତା’ରଟୋପି–ରାଜପୁତ୍ରର ଚିହ୍ନ–ଆତ୍ମମର୍ଯ୍ୟାଦାର ଚିହ୍ନ ।

 

କିନ୍ତୁ ଏଇ ଆତ୍ମମର୍ଯ୍ୟାଦାର ଚିହ୍ନଇ ହେଲା–ସବୁ ସେହି ଚିହ୍ନ ଭଳି–ନଟବର ପାଇଁ ଘୋର ଅର୍ଥନୈତିକ ବିପର୍ଯ୍ୟୟର କାରଣ ।

 

ରାମାନ୍ନାର ସ୍ତ୍ରୀ ତା’ ମୁଣ୍ଡରେ ଯେଉଁ ଟୋପିଟିକୁ ବସାଇ ଦେଇଥାଏ ସେ ଟୋପି ଆଉ ସହଜରେ ନ ଉତୁରେ ନଟବର ମୁଣ୍ଡରୁ । ସେଇଆକୁ ପିନ୍ଧି କଲେଜ ଯିବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁବେଳେ ସେ ଟୋପି ନଟବର ମୁଣ୍ଡରେ । ଚାହୁଁଚାହୁଁ ମାସ ଦୁଇଟା ଭିତରେ ବଦଳିଯାଏ ନଟବରର ବେଶପୋଷାକ । ହାଫ୍‍ପ୍ୟାଣ୍ଟ୍ଲମ୍ବିଯାଏ ଓ ହାଫ୍‍ସାର୍ଟ ବଢ଼ିଯାଇ ପରିଣତ ହୁଏ ଫୁଲ୍‍ପ୍ୟାଣ୍ଟ୍ ଆଉ ଫୁଲ୍‍ସାର୍ଟରେ । ଗାଁରୁ ବିଧବା ମା’ ତା’ର ଯେତେବେଳେ ଲେଖି ପଠାଏ–

 

“ବାପରେ–ମହରଗ ଜେଗାରେ ହୁସିଆର ହେଇ ଚଳିବୁ….”

 

ନଟବର ହସି ଦିଏ–‘‘ଶୁଣମ ! କାହା ମା’ ଲେଖୁଚି ଯେ ଗାଡ଼ି ଘୋଡ଼ା ଜେଗାରେ ହୁସିଆର ହେଇ ଚଳିବୁ । ମୋ ମା’ ଲେଖୁଚି ମହରଗ ଜେଗାରେ ହୁସିଆର ହେଇ ଚଳିବୁ ।”

 

ମଝିରେ ମଝିରେ ନଟବର କିଣିଆଣେ ଚକୋଲେଟ୍ ମିଠେଇ ରାମାନ୍ନାର ଛୁଆଙ୍କ ପେଇଁ । ରାମାନ୍ନା ସ୍ତ୍ରୀ ହାତକୁ ପ୍ୟାକେଟ୍‍ଟିଏ ବଢ଼େଇ ଦେଇ ସେ କହେ–‘‘ନିଅ ଭାଉଜ ! ପୂଜା ଉପହାର !”

 

ରାମାନ୍ନାର ସ୍ତ୍ରୀ ଟିକିଏ ହସିଦିଏ ଆଉ କହେ, “ବିଧବା ମା’ ହାତରେ ଭଲା ଏତିକି ଜିନିଷ ଦେଇ ଥରେ କହନ୍ତ....ନେଏଲୋ ବୋଉ ! ଏକୁ ପାଟିରେ ପକା...”

 

ନଟବରର ମୁହଁ ଶୁଖିଯାଏ । ତଥାପି ମୁହଁରେ ହସ ଫୁଟେଇ ଯେ କହେ–“ଏଥେରେ ପାଟିରେ ପକେଇବାର କିଛି ନାହିଁମ ଭାଉଜ ! ଏଥେରେ ଅଛି ବାସ୍ନା....ନୀଳକଇଁ ଆଉ କାଠଚମ୍ପାର ବାସ୍ନା !”

 

କିନ୍ତୁ ନଟବରର ସେ ରାଜପୁତ୍ରଗିରି ବେଶି ଦିନ ତିଷ୍ଠେ ନାହିଁ । ଅଳ୍ପଦିନ ଭିତରେ କଲେଜର ଫ୍ରିଷ୍ଟୁଡ଼େଣ୍ଟସିପ୍ ବୋର୍ଡ଼ର ମିଟିଙ୍ଗ୍ ବସେ । ନଟବର ଫ୍ରିସିପ୍ ପାଇଁ ଦରଖାସ୍ତ କରେ ।

 

ଇଣ୍ଟରଭିଉବେଳକୁବି ନଟବରର ବାଳ ବଡ଼ ହେଇନଥାଏ । ତା’ ଛଡ଼ା ଚୁଟି ! ସେଇଟାକୁବି ଲୁଚେଇବା ଦରକାର । ଇଣ୍ଟରଭିଉକୁ ଯେତେବେଳେ ତା’ ନାଁ ଡକରାପଡ଼େ ସେତେବେଳେ କିଏ ଜଣେ ପିଲା ପଛରୁ ଡାକେ–

 

“ଆବେହେ ବେକୁବ୍ ! ସେ ଟୋପି କାଢ଼ିକରି ଯା । ନହେଲେ ଫ୍ରିସିପ୍ ନା ଛତୁ ! ଜାଣିଚୁ ସେ ଟୋପି ଦାମ୍ କେତେ ?”

ନଟବର ପଛକୁ ଚାହେଁ । ପଛରେ ଗୁଡ଼ାଖୁ ବ୍ୟବସାୟୀ ପୁଅ ଆସଫର୍ ମିଆଁ । ସେ ବି ଆସିଥାଏ ଫ୍ରିସିପ୍ ଇଣ୍ଟରଭିଉକୁ । ନଟବର ଜାଣିଥାଏ । ଆସଫର୍ ମିଆଁ ମଟରସାଇକେଲ୍‍ରେ କଲେଜକୁ ଆସେ । କିନ୍ତୁ ସେ ଦିନ ସେ ଆସିଥାଏ ଆଉ ଏକ ରୂପରେ । ଅମୀର ଆସଫର୍ ଆଜି ଫ୍ରିସିପ୍ ବୋର୍ଡ଼ ଆଗରେ ଫକୀର ବେଶରେ ଠିଆ ହୋଇଥାଏ ହାତରେ ଭିକ୍ଷା ଝୁଲି ଧରି ।

 

ଆସଫର୍ ପୁଣି କହେ–

“ଆବେହୋ ! ଓ ଟୋପିର କିମ୍ମତ୍ କରିବ୍ ଏକଶୋ ରୁପିୟା–ମାଲୁମ୍ ହୈ ? ଏକଶୋ ରୁପିୟାର ଟୋପି ମୁଣ୍ଡରେ ଦେଇ ତୁ ମୁଲାକାତ୍ କରିବାକୁ ଆସିଚୁ–ଫ୍ରିସିପ୍ ବୋର୍ଡ଼କୁ ! ଆବେ ଜାଣୁ ସେ ବୋର୍ଡ଼ରେ କିଏ ଅଛି ?”

 

କିନ୍ତୁ ନଟବର ଅପେକ୍ଷା କରେ ନାହିଁ ଆସଫର୍ ପାଇଁ । ମୁଣ୍ଡର ଟୋପିଟିକୁ କାଢ଼ି ପକେଟ୍‍ରେ ନପୂରେଇ ସେ ସିଧାସଳଖ ପଶିଯାଏ କାମେରା ଭିତରକୁ । ଭିତରେ କୋଧା କୋଧା ତିନୋଟି ପ୍ରଫେସର୍‍ଙ୍କର ବୋର୍ଡ଼ ।

 

“ତୁମ ନାଁ ନଟବର ରାଉତ ?” ମଝିରେ ବସିଥିବା ପ୍ରଫେସର୍ ଜଣକ ମୁରୁକେଇ ମୁରୁକେଇ ହସି ପଚାରନ୍ତି ।

 

“ହଁ ସାର୍ ! ମୁଁ ନଟବର ରାଉତ !” ଛେପ ଢୋକି ଜବାବ ଦିଏ ନଟବର ।

 

“ଆଚ୍ଛା !” ହଠାତ୍ କ’ଣ ବିଚରାବିଚରି ହେଲାଭଳି ତିନିଜଣଯାକ ପ୍ରଫେସର୍ ହସି ଉଠନ୍ତି ।

 

ନଟବର ସେମିତି ସଳଖ ହେଇ ଠିଆ ହୋଇଥାଏ–ରାଜପୁତ୍ରପରି ।

 

“ଆଚ୍ଛା !” ହସ ବନ୍ଦକରି ଜଣେ ପ୍ରଶ୍ନକର୍ତ୍ତା ପଚାରନ୍ତି “ତୁମେ ମିଃ ରାଉତଙ୍କର କ’ଣ ହୁଅକି ?”

 

“କୋଉ ମିଷ୍ଟର୍ ରାଉତ ଆଜ୍ଞା ?” ହତବମ୍ୱ ହୋଇ ଓଲା ରାଉତର ପୁଅ ନଟବର ରାଉତ ଚାହୁଁଥାଏ ତା’ ଆଗର ତ୍ରିମୂର୍ତ୍ତିଙ୍କୁ ।

 

“ମିଃ ରାଉତଙ୍କୁ ଜାଣନା ? ଡି.ଏମ୍. ? କ’ଣ ହୁଅ ତାଙ୍କର ?”

 

“ଡି.ଏମ୍. ? ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ? ମୁଁ ତାଙ୍କର କ’ଣ ହୁଏ ?” ନଟବରକୁ କାହିଁକି କେଜାଣି ଟିକିଏ କାନ୍ଦ କାନ୍ଦ ଲାଗେ । କାନ୍ଦ କାନ୍ଦ ହେଇ ସେ କହେ, “ଆଜ୍ଞା ମୁଁ ଗୋଟିଏ ଗରିବ ଛାତ୍ର । ମୋ ଘର ଆଜ୍ଞା ମଫସଲରେ । ମୋ ବାପାଙ୍କ ନାଁ ଓଲା ରାଉତ । ଛ’ମାସ ତଳେ ସେ ମରିଚନ୍ତି ସାର୍ ! ମୁଁ ଡି.ଏମ୍.ଙ୍କର କିଛି ନୁହେଁ ସାର୍ !”

 

“ତୁମ ବାପାଙ୍କ ନାଁ–ଓଲା ରାଉତ ।” କେହି ଜଣେ ପୁଣି ପ୍ରଶ୍ନ କରନ୍ତି ।

 

“ହଁ ସାର୍ !” ତରବର ହେଇ ଉତ୍ତର ଦିଏ–ନଟବର ।

 

“ଓଲା ନା ଉଇଲିୟମ୍ ?” ହସି ହସି ପଚାରନ୍ତି ପ୍ରଶ୍ନକର୍ତ୍ତା ।

 

ହଠାତ୍ କ’ଣ ଗୋଟାଏ କେଞ୍ଚି ହେଇଯାଏ ନଟବରର ଛାତିରେ । ତା’ର ଅଜାଣତରେ ସେ ଦରାଣ୍ଡି ପକାଏ ତା’ର କପାଳଟିକୁ । ବାଁ ଆଖି ଉପରେ ଗୋଟିଏ ଜାଗାରେ ଏକ ଗଭୀର ଦାଗ ଆସେ ତା’ର ଟିପ ତଳକୁ ।

 

ସେଇଟି ହଉଚି ତା’ର ପିଲା ଦିନର ଦାଗ । ଯୋଉ ଦିନ ତା’ର ବାପ ତାକୁ ଫୋପାଡ଼ିଥିଲା ଡେଣୁଆଟିଏ–ସେଇ ଦିନର ।

 

ସେଦିନ ଇସ୍କୁଲରୁ ଫେରି ଆସିଲାବେଳକୁ ବାପ ତା’ର ଦାଣ୍ଡ ଦୁଆରମୁହଁରେ ବସି ହେଁସ ବୁଣୁଥାଏ । ଜୁଣ କେରିଏ କେରିଏ ପାନିଆରେ ପୂରେଇ ବାଣି ଦଉଡ଼ିର ଇଟାଗୁଡ଼ିକୁ ଏପଟ ସେପଟ କରି ହେଁସ ବୁଣୁଥାଏ ଓଲା ରାଉତ–ତା’ର ବାପା ।

 

ଟିକିଏ ଦୂରରେ ଠିଆ ହୋଇ ନଟବର ଲକ୍ଷ୍ୟ କରେ ତା’ର ବାପାକୁ । କିଛିଦିନ ହବ ମୁଣ୍ଡର ନାଟୁଆ ବାବୁରିବାଳ କେରାକ ଚାଞ୍ଛି ପକେଇ ମୁଣ୍ଡରେ ବେଣ୍ଟିଟିଏ ବାନ୍ଧିଥାଏ ତା’ର ବାପା ।

 

ନଟବର ଚାହେଁ ଚାହେଁ, ତା’ପରେ ହଠାତ୍ ବାପ ପାଖକୁ ଆସି ତା’ ମୁହଁକୁ ଚାହିଁ ସେ କହେ–‘‘ବାପା ! ତୁମ ନାଁ କ’ଣ ସତରେ ଓଲା ରାଉତ ?”

 

ହେଁସ ବୁଣା ବନ୍ଦ କରି ତା’ ବାପ କଟମଟ କରି ଚାହେଁ ପୁଅ ମୁହଁକୁ !

 

ପିଲା ନଟବର ତା’ ବାପର ମୁହଁକୁ ଲକ୍ଷ୍ୟ ରଖିପାରେ ନାହିଁ ।

 

ସେ ଗଦ୍‍ଗଦ୍ ହୋଇ କହି ପକାଏ–

 

“ବାପା ! ତୁମ ନାଁ ବୋଧହୁଏ ସତରେ ହଉଚି ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍ । ଲୋକେ ତମୁକୁ ଭୁଲରେ ଖରାପ କରି ଡାକୁଚନ୍ତି । ଆଜି ଆମର ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍ କଥା ପଢ଼ା ହେଉଥିଲା । ହେଇ ଦେଖୁନ ଚିତ୍ର । ଅବିକଳ ତୁମରି ମୁହଁ ଭଳି ।

 

ଓଲା ରାଉତ ସେମିତି କଟମଟ କରି ଅନେଇ ଥାଏ ପୁଅ ମୁହଁକୁ ।

 

ଟିକିଏ ମୁହଁ ପାଇ ପିଲା ନଟବର କହେ–‘‘ବାପା ! ତମେ କେମିତି ବଞ୍ଚେଇଥିଲ ଗୁରୁବାରିଆ ମା’ ବାଉରାଣୀକୁ……ତାକୁ ନଈରୁ ଉଦ୍ଧାର କରି ନଥିଲ ତମେ ? ଲର୍ଡ଼ ଉଇଲିୟମ୍ ଯେମିତି ସତୀଦାହରୁ ଆମ ଦେଶକୁ......”

 

କିନ୍ତୁ ବାକ୍ୟଟିକୁ ଶେଷ କରିବାପାଇଁ ଶିଶୁର ଛାତି ଭିତରେ ନଥାଏ ଆଉ ପବନ । ଦାଉଁକରି ଗୋଟାଏ ହେଁସବୁଣା ଡେଣୁଆ ଆସି କଚାଡ଼ିହେଇ ପଡ଼ିଥାଏ ନଟବରର କପାଳରେ । ପିଲାଟି ସେଇଠି ଓଳିତଳେ କଚାଡ଼ି ହେଇ ପଡ଼ିଯାଏ ।

 

ନଟବର ଚୁପ୍ ହେଇ, ମୁଣ୍ଡ ଆଉଁସି ଆଉଁସି ଠିଆ ହେଇଥାଏ ଫ୍ରିସିପ୍ ବୋର୍ଡ଼ ଆଗରେ । ଶେଷରେ ବୋର୍ଡ଼ ତାକୁ କହେ–‘‘ଶୁଣ ! ଆମକୁ ଆଉ ଠକି ଲାଭ ନାହିଁ । ତମେ ଯେ ନିଶ୍ଚୟ ଜଣେ ଜମିଦାରର ପିଲା ଏଥିରେ ସନ୍ଦେହ ନାହିଁ । ତୁମର ଏ ଚେହେରା ଆଉ ଏ ଟୋପି……ତମେ କ’ଣ ଭାବିଛ ଆମେ ଏଡ଼ିକି ଓଲୁ ? ତମେ ଆମକୁ ଠକି ଦବ ?”

 

“ନା ସାର୍ !” ନଟବର ଯୁକ୍ତିକରିବାକୁ ଆରମ୍ଭ କରେ–‘‘ମୁଁ ବଡ଼ଲୋକର ପିଲା ଆଦୌ ନୁହେଁ–ମୁଁ ହଉଚି ଜଣେ ଗରିବ ଚାଷୀର ପିଲା । ଘରେ ମୋର ବିଧବା ମା’ । ମୁଁ ହାଇ ସେକେଣ୍ଡ ଡିଭିଜନ୍ ପାଇଛି ସାର୍ । ଫ୍ରିସିପ୍ ନ ପାଇଲେ ମୋର ପଢ଼ା ବନ୍ଦ ହୋଇଯିବ ସାର୍ ! ମୁଁ ମରିଯିବି ସାର୍ !”

 

ଜଣେ କେହି ପାଚିଲା ମୁଣ୍ଡିଆ ମେମ୍ବର ନଟବରକୁ ଉପଦେଶ ଦିଅନ୍ତି, “ଦେଖ, ଆମେ ପିଲାଦିନେ ଖାଇବାକୁ ପାଉ ନଥିଲୁ । କିନ୍ତୁ ତୁମବେଳେ ପିଲାଏ ମୁଣ୍ଡରେ ଶହେଟଙ୍କାର ଟୋପି ପିନ୍ଧି ମଧ୍ୟ ଫ୍ରିସିପ୍ ପେଇଁ ଦରଖାସ୍ତ ଦେଇ କାନ୍ଦି କାନ୍ଦି ମିଛ କହୁଚନ୍ତି ଯେ...ଆମେ ଗରିବ ପିଲା । ତାହାହେଲେ ଆମେ ସବୁ ଯିଏ ଏବେ ମଧ୍ୟ ପ୍ରଫେସର୍ ହେଇ ସାରିଲା ପରେ ଖାଇବାକୁ ପାଉନାହୁଁ ସେମାନେ ନିଜ ନିଜର ପିଲାଙ୍କୁ କ’ଣ କହି ପରିଚୟ ଦେବେ ?”

 

ନଟବରର ଫ୍ରିସିପ୍ କଟିଯାଏ । ଖାଲି ସେତିକି ନୁହେଁ, ତା’ ନାଁରେ ରେକର୍ଡ଼ ରହିଯାଏ ଯେ ସେ ଖୁବ୍ ଧନୀଘର ପିଲା ଆଉ ସମ୍ଭ୍ରାନ୍ତ ବଂଶୀୟ ଲୋକଙ୍କର ସମ୍ପର୍କୀୟ । ତେଣୁ କେବଳ ସେ ବର୍ଷ ନୁହେଁ, ଆସନ୍ତା ବର୍ଷମାନଙ୍କରେ ମଧ୍ୟ ସେ ଫ୍ରିସିପ୍ ପାଇବାପାଇଁ ହକ୍‍ଦାର ନୁହେଁ ।

 

ସେଦିନ ନଟବରର ପଢ଼ା ବନ୍ଦ ହେଇଯିବା ଉପରେ । ସେ କେବଳ ରାମାନ୍ନାର ସ୍ତ୍ରୀ ଯୋଗୁଁ ଦରମା ଗଣ୍ଡାକ ଯତ୍ରେକତ୍ରେ ଯୋଗାଡ଼ କରି ଦେଇ ଆସେ କଲେଜ ଅଫିସ୍‍ରେ । ସେଇ ଦିନ ମଧ୍ୟ ସେ ଯାଏଁ ମହାନଦୀ କୂଳକୁ । ହାତରେ ତା’ର ସେଇ ଓଟ ରୁମର ଟୋପି !

 

ମହାନଦୀର ପାଣି ଫୁଆରା ଭିତରକୁ ଟୋପିଟାକୁ ହଠାତ୍ ଛାଟି ଦେଇ ନଟବର ମନେମନେ କହେ–

 

“ଶାଲା ଓଲା ରାଉତ ! ତା’ର ବଚ୍ଚା କି କୌଣସି ଯୁଗରେ ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍ ବନିପାରେ ? ବେଣ୍ଟିକଟା ବାପର ପୁଅ !”

 

ମୁହଁକୁ ଦି’ଚାରି ଖୁନ୍ଦି ମାରି ଦିଏ ନଟବର । କାନ ମୁଣ୍ଡା ଆଉଁସି ଆଉଁସି ସେ ବସାକୁ ଫେରେ । କାହାକୁ କିଛି ନକହି ସେ ରାମାନ୍ନା ଘରୁ ତା’ର ଟିଣ ସୁଟ୍‍କେଶ୍ ଖଣ୍ଡିକ ଟେକି ଆଣେ ଓ ସେଇ ଦିନଠୁଁ ଆରମ୍ଭ କରେ ଟିଉସନ୍ ! ସ୍ଵାଧୀନ ବ୍ୟବସାୟ ।

 

ତେବେ ଟୋପିଟି ପ୍ରତି ନଟବରର ଶ୍ଳେଷଭାବର ଶେଷ ଯେ ସେଇଠି ହୋଇଯାଏ ତା’ ନୁହେଁ । ସେଇ ବର୍ଷ ଦଶହରା ଛୁଟିରେ ଗାଁକୁ ଯାଇ କମିଟି ଉପରର ସବୁତକ ରାଗ ବିଧବା ମା’ ଉପରେ ଶୁଝେଇ ଦେବାପାଇଁ ଇଚ୍ଛା କରିଥାଏ ମଧ୍ୟ ସେ ଏବଂ ସେଇ ଦିନଠୁଁ ଆରମ୍ଭ ହୁଏ ନଟବରର ଏଇ ଲଣ୍ଡା ହେବା ଅଭ୍ୟାସ । ବୋଧହୁଏ ସେଇଟା ଥିଲା ତା’ର ଏକ ପଣ–ପ୍ରତିଜ୍ଞା !

 

ଚାରିଟାବେଳେ ଲାବୋରେଟୋରୀରୁ ଦେଢ଼ଘଣ୍ଟା ଛୁଟିନେଇ କଫି ଖାଇବାକୁ ଗଲାବେଳେ ସେମାନେ ସବୁ କୁହାକୁହି ହୁଅନ୍ତି–ଆପଣା ଆପଣାର ବଂଶ ପରିଚୟ, ମାନ, ଅଭିମାନ, ପ୍ରେମ, ବିବାଦ, ଗବେଷଣା, ରାଜନୀତି ଆଉ ଯାହା କିଛି ମନକୁ ଆସେ । ଏବଂ, ଏହି ଗୋଟିକହିଁ ପ୍ରକୃଷ୍ଟ ସମୟ ଯେତେବେଳେ ନିଜେ ଦର୍ଶକ ବିଭୁପ୍ରସାଦ ମଧ୍ୟ ଆପଣାର ପରିଚୟ ଦିଏ ଅନ୍ୟମାନଙ୍କୁ । ସବୁଠାରୁ ଅଧିକ ପରିଚୟ କିନ୍ତୁ ବିଭୁପ୍ରସାଦ ପାଏ ଜଣକର ଏହି ବେଳରେ, ସେ ହେଉଛି ସେ ନିଜେ ।

 

ଯାତ୍ରା ଆରମ୍ଭ ହୁଏ ଲାବୋରେଟୋରୀ ବାରନ୍ଦାରୁ । ମନମୋହନ ତା’ର“ଗରିବ ଟେରି ଖଦଡ଼”ଟି ଭିତରେ ନଟବର ତା’ର ଚୁଟି–ସଚେତ ଅବସ୍ଥାରେ ଆଉ ବିଭୁପ୍ରସାଦ ତା’ର ଦୁର୍ଭିକ୍ଷ ପ୍ରପୀଡ଼ିତ ଢଙ୍କଣା ଅବୟବର ‘ସମ୍ଭାର’ଭିତରେ । ଧାଡ଼ି ହୋଇ ସୁଧାର ପିଲା ତିନୋଟିର ପ୍ରସେସନ୍ କରି ବାହାରନ୍ତି ସେମାନେ । ଧୀରେ ଧୀରେ ପାଦ ଗଣି ଗଣି ସେମାନେ ପାରିହୁଅନ୍ତି–ପ୍ରଥମ ଘାଟ-! ପ୍ରଫେସର୍‍ଙ୍କର କୋଠରୀ । ଏଇଠି ଟିକିଏ ଲଇଁପଡ଼ି ଝରକା ପରଦା ଫାଙ୍କବାଟେ ସେମାନେ ଆଖି ବୁଲେଇ ନିଅନ୍ତି । ବୁଢ଼ା ପଢ଼ୁଥାଏ । ତା’ପରେ ସେମାନେ ପରସ୍ପର ଆଡ଼କୁ ମୁହଁ ଚାହାଁଚୁହିଁ ହୋଇ ପାଦ ଚିପି ଚିପି ଆଗେଇ ଚାଲନ୍ତି ।

ଏଇଠି ସେମାନଙ୍କ ସାଙ୍ଗରେ ମିଶେ ଆଉ ଜଣେ । କାଳିଆ, ମେଢ଼ିଆ, ଅଣନିଶୁଆ ପିଲାଟାଏ । ପିଲା ନୁହେଁ ଅବଶ୍ୟ । ଆଉ ଜଣେ ଗବେଷକ ଅଧ୍ୟାପକ । ବୟସ ତାଙ୍କର କେତେହେବ କେହି କହି ପାରିବ ନାହିଁ । ତେବେ ଏଇଭଳି ଅଣନିଶୁଆ ଏକ ‘ହୋମୋସାପିଏନ୍’ (Homosapian)ର ବୟସକୁ ଜର୍ଜ ବାର୍ଣ୍ଣାଡ଼୍‍ଶ ତାଙ୍କର ଏଇ ନାଟକର ଆରମ୍ଭରେ ବର୍ଣ୍ଣନା କରି କହିଛନ୍ତି ଯେ ତାହା ୧୮ ଠାରୁ ୮୦ ଭିତରେ ଯାହାପାରେ ତା’ ହୋଇପାରେ । ଏ ହେଉଛନ୍ତି ମିଃ ଶେଠୀ ।

ମିଃ ଶେଠୀ ଜଣେ ବିବାହିତ ବ୍ୟକ୍ତି । ତିନୋଟି ସନ୍ତାନର ପିତା । କିନ୍ତୁ ଗର୍ବିତ ପିତା ସେ ନୁହନ୍ତି । ସ୍ୱଭାବତଃ ଗର୍ବ ଜିନିଷଟି କ’ଣ ତାହା ସେ ବୋଧହୁଏ ଜାଣନ୍ତି ନାହିଁ । ଜାଣିବାର ଉପାୟ ନାହିଁ । ସେ ଯେତେବେଳେ ନବମ ଶ୍ରେଣୀର ଛାତ୍ର ସେତେବେଳଠୁଁ ତାଙ୍କର ବିବାହ ଜଞ୍ଜାଳ ଛିଣ୍ଡିଯାଇଛି । କିନ୍ତୁ ସେଇ ଦିନଠୁଁ ସଂସାର ଏକ ଧୋବାର ଗଣ୍ଡିରା ରୂପ ଧାରଣ କରି ତାଙ୍କ ପିଠିରେ ଲାଉ ହେଇ ବସିଛି । ତାଙ୍କର ପ୍ରଥମ ସନ୍ତାନ ଏଇ ଗଣ୍ଡିରାରୁ ଆତ୍ମପ୍ରକାଶ କଲା ସେଇଦିନ ଯୋଉଦିନ ସେ ମ୍ୟାଟ୍ରିକ୍ ପରୀକ୍ଷା ହଲ୍‍କୁ ଗୋଡ଼ ବଢ଼ାଉଥିଲେ ।

 

ତାଙ୍କ ବିଷୟରେ ଏହି ଗଳ୍ପଟି ସେ ବରାବର କହନ୍ତି ବିଶେଷତଃ ଯେତେବେଳେ କେହି ତାଙ୍କର ଦୁର୍ବଳ ଶରୀରକୁ ଲକ୍ଷ୍ୟ କରି କହେ–‘‘ମିଃ ଶେଠୀ ! ଆପଣ ଅଭ୍ୟାସ କରି କିଛି ଦୁଧ ସବୁ ଦିନେ ପିଇଲେ ଦେଖି–କ’ଣ ହଉଚି ଦେଖିବା !”

 

ମିଃ ଶେଠୀ ହସହସ ହୋଇ କହନ୍ତି–‘‘ଆହେ ! ଦୁଧ ଖାଇବା କଥା କହୁଛ ଯେ–ହେଲେ ଆମକୁ ସେ କଥା ମିଳୁଛି କୋଉଠି ? ଆଉ ଯେ ଯୋଗାଡ଼ କରି ଦବାର କଥା ସେ ତ ପିଲାଦିନୁ ଆମ ମୁହଁରୁ ଛଡ଼େଇ ନେଇଚନ୍ତି !”

 

କଥାଟିକୁ ଭଲଭାବରେ ବୁଝେଇ ଦବାପାଇଁ ଯାଇ ମିଃ ଶେଠୀ ଗୋଟାଏ ଖୁସ୍ ମିଜାଜରେ ଆରମ୍ଭ କରନ୍ତି–

 

“ମୋ ଦୁଧ ପିଇବା କଥା ମୁଁ ଗୋଟିଏ ରଚନାରେ ବର୍ଣ୍ଣନା କରି ମ୍ୟାଟ୍ରିକ୍ ପରୀକ୍ଷାରେ ଇଂରେଜୀରେ ସବୁଠୁ ବେଶି ନମ୍ବର ରଖିଥିଲି ଆଉ ସେ ବର୍ଷତ ମୁଁ ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଥମ ହୋଇଥିଲି ଆପଣମାନେ ଜାଣିଥିବେ । –କେବଳ ଏଇ ଦୁଧ ପିଇବା ଘଟଣାଟିକୁ ବର୍ଣ୍ଣନା କରି ମୋର ଏ କୃତିତ୍ୱ ! ଶୁଣିବେ ?”

 

ସେତେବେଳକୁ ସେମାନେ କଲେଜ ଲାଇବ୍ରେରିର ପାଖାପାଖି ହୋଇଥାନ୍ତି । ପଞ୍ଝାଏ ଅଧେ ଝିଅପିଲା ହୁଏତ ସେବାଟେ ଯାଉଥାନ୍ତି । ସେମାନଙ୍କୁ ଶୁଣେଇ ଶୁଣେଇ ଟିକିଏ ମଜା କରିବାପାଇଁ ଆଉ ଅଳସ ଭାଙ୍ଗିବାପାଇଁ ମି: ଶେଠୀ କହନ୍ତି–“ହୋ ! ଟେଲିଗ୍ରାମ୍ ନିଅ !”

 

କଲେଜ ଝିଅଗୁଡ଼ିକ ଭିତରୁ କେତେ ଜଣ ସତକୁସତ ପଛକୁ ଅନାଇ ଦିଅନ୍ତି ଓ ପଛରେ ମିଃ ଶେଠୀଙ୍କୁ ଦେଖି ହସି ହସି ପୁଣି ଆପଣା ବାଟରେ ଚାଲି ଯାଆନ୍ତି ।

 

ମିଃ ଶେଠୀ ହସି ହସି କହନ୍ତି–‘‘ପଛକୁ ଡାକ ପକେଇଲା ସ୍କୁଲ୍କିରାଣି–ଟେଲିଗ୍ରାମ୍ ନିଅ ! ହୋ ଶେଠୀ ! ହେଇ ନିଅ ଖବର ! ମିଠେଇ ଦିଅ ଖାଇବାକୁ ! ତୁମର ପୁଅ ହୋଇଚି ହୋ ! ପୁଅ ହୋଇଚି !’’

 

“ମୁଁ ସେତେବେଳକୁ ପରୀକ୍ଷା ହଲ୍‍କୁ ଗୋଡ଼ ବଢ଼ାଉଥାଏ । ମୋର ଚାରିପାଖେ ହଜାରେ ପିଲା–ପରୀକ୍ଷାର୍ଥୀ ଆଉ ତାଙ୍କର ଅଭିଭାବକମାନେ ।”

 

ଏଇ କିରାଣିକୁ ଥରେ ମୁଁ ଅପମାନ ଦେଇଥିଲି, ମୋର ସ୍କଲାର୍‍ସିପ୍ ଟଙ୍କାରୁ କ’ଣ କଟାକଟି କରିଥିଲା ବୋଲି । ତେଣୁ ସେ ତା’ର ପ୍ରତିଶୋଧ ନେଲା । ସତକୁସତ ଟେଲିଗ୍ରାମ୍‍ଟିଏ ! ମୋର ପାଦ ରହିଗଲା । ମୁଁ ଭୋ ଭୋ ହୋଇ କାନ୍ଦି ଉଠିଲି । ଯାହା ବା ଅନ୍ୟାନ୍ୟ ପିଲାଏ ଶୁଣି ନଥିଲେ, ସେମାନେ ସମସ୍ତେ ଧୀରେ ଧୀରେ ରୁଣ୍ଡ ହେଇଗଲେ ମୋ ଚାରିପାଖେ । ମୋ ହାତରୁ ଲଟକିଥିବା କାଳି ବୋତଲଟାବି କେତେବେଳେ ଚହଲି ଯାଇ ମୋର ଲୁଗାପଟା ନଷ୍ଟ କରିସାରିଥାଏ ।

 

ଟିକିଏ ଦୂରରେ ଠିଆ ହୋଇ କିରାଣି ବାପୁଡ଼ା ମୁରୁକେଇ ମୁରୁକେଇ ହସୁଥାଏ ଆଉ କହୁଥାଏ–‘‘ଆରେ ! ପାଗଲଟାଏ ନା କ’ଣ ? ପୁଅଟାଏ ତ ହେଇଚି ଭଲ ଖବର ! କ’ଣ ବାପ ମରିଚି ଯେ ତୁ ଟୋକାଟା କାନ୍ଦୁଚୁ ?

 

ମନମୋହନ ହସି ପକାଏ–ଏକ ତାଚ୍ଛଲ୍ୟ ହସ, ଆଉ କହେ–“ବାସ୍ତବିକ ମଣିଷ ପଛେ ବାପ ମରିବାର ଖବର ପାଇ ଧୈର୍ଯ୍ୟ ଧରି ରହିପାରିବ କିନ୍ତୁ ଏଭଳି ଏକ ଦୁଃସମ୍ବାଦ, ପୁଣି ପରୀକ୍ଷା ପୂର୍ବରୁ ! ଆପଣ ଜାଣନ୍ତି ? ମୋର ସାନ ଭଉଣୀ ଯେବେ ଜନ୍ମ ହେଲା ସେତିକିବେଳେ ମୋର ଆଈ ମଧ୍ୟ ଗର୍ଭବତୀ ଥିଲେ । ମୋର ମା’ଙ୍କୁ ଏଭଳି ଲାଜ ଲାଗିଲା ଯେ ସେ ଆଈଙ୍କୁ “ଆଭର୍ସନ” କରେଇଦବାପାଇଁ କହିଲେ । ସେତେବେଳକୁ ତାଙ୍କର ହେଇଥାଏ ଆଠ ମାସ । ଆଈ ମନା କରିଦେଲେ । ସେଇ ଦିନଠୁଁ ଅଜାଙ୍କ ଘର ସହିତ ଆମର ସମ୍ପର୍କ କଟିଗଲା ।”

 

ମି: ଶେଠୀ କିନ୍ତୁ ମନମୋହନର ହସକୁ କାନ ନ ଦେଇ କହିଲେ “ପରୀକ୍ଷା ଘଣ୍ଟା ବାଜିଲା । ପିଲାମାନେ ଯେଝା ଜାଗାକୁ ଗଲେ । ଶେଠୀ ମଧ୍ୟ ତା’ ସ୍ଥାନକୁ ଗଲା । ଇଂରେଜୀ ପ୍ରଶ୍ନ ବଣ୍ଟାଗଲା । ଶେଠୀ ତା’ ପ୍ରଶ୍ନକୁ ଚାହିଁଲା । କିନ୍ତୁ ତା’ ଆଖିରେ କିଛି ପଡ଼ୁ଼ ନଥିଲା । ତା’ର କାନରେ ଖାଲି ଶୁଭୁଥିଲା ଗୋଟାଏ ପ୍ରକାର ଶବ୍ଦ…କୁଆଁ କୁଆଁ...... । ହୁଏତ ସେ କୁଆଁ କୁଆଁ ଶବ୍ଦଟା ଆଉ କାହାର ନଥିଲା ! ତାହା ଥିଲା ନିଜେ ଶେଠୀର ଛାତି ଭିତରେ ରୁଦ୍ଧହୋଇ ରହିଥିବା ଅଭିଳାଷ ଆଉ ଉଚ୍ଚାକାଂକ୍ଷାର କାନ୍ଦଣା ।”

 

ହଠାତ୍ ତା’ ଆଖିରେ ପଡ଼ିଲା ଏକ ପ୍ରଶ୍ନ–ନିମ୍ନଲିଖିତ ବିଷୟରୁ ଯେକୌଣସି ଗୋଟିକ ଉପରେ ରଚନା ଲେଖ–

 

(କ) ଜଣେ ଗ୍ରାମ୍ୟ ରଜକର ଜୀବନୀ

 

(ଖ) ତୁମେ ଯଦି ନୱାନଗରର ଜାମସାହେବ ହୋଇଥାନ୍ତ,

 

(ଗ) ତୁମର ପ୍ରିୟ ପୋଷା କୁକୁର

 

(ଘ) ତୁମର ଶତ୍ରୁ

 

ହଠାତ୍ ଏକ ହିଂସା ଜର୍ଜରିତ କଲମର ତରବାରି ନେଇ ଶେଠୀ ଆକ୍ରମଣ କଲା ସେଇ ପ୍ରଶ୍ନର (ଘ) ଅଂଶଟିକୁ । ସେ ଆରମ୍ଭ କଲା–‘‘ଏ କଲମ ଧରି ଯେତେବେଳେ ଏଣେ ମୁଁ ତା’ ବିଷୟରେ ରଚନା ଲେଖୁଛି, ତେଣେ ସେମାନେ ଦୁର୍ଯୋଧନ ଓ ଦୁଃଶାସନ ରୂପରେ ହ୍ରେଷାରବ କରି ମାଡ଼ି ଆସୁଚନ୍ତି....ସେମାନେ ମୋରି ସନ୍ତାନ । ଏଇ କୌରବ ବଂଶକୁ ଶେଷ କରିବାହିଁ ହେବ ମୋର କର୍ତ୍ତବ୍ୟ । ଏଇ ଯଦୁ ବଂଶକୁ କାଦମ୍ବରୀ ପିଆଇ ଆପଣା ଆପଣାକୁ ଧ୍ୱଂସ କରିବାଇ ହେବ ମୋର କର୍ତ୍ତବ୍ୟ....”

 

“ବାଃ, ବାଃ....ଚମତ୍କାର ! ଏତ ବାର୍ଥ୍ କଣ୍ଟ୍ରୋଲ ଥିଓରି !” ମନମୋହନ ପିଠି ଥାପୁଡ଼ାଏ ମିଃ ଶେଠୀଙ୍କର ଆଉ କହେ–‘‘କିନ୍ତୁ ସେତେବେଳେ କ’ଣ ଆପଣଙ୍କର ଏ ଥିଓରି ଏତେ ଲୋକପ୍ରିୟତା ଅର୍ଜନ କରିପାରିଥିଲା ଯେ ଆପଣ ଇଂରେଜୀରେ ସବୁଠୁ ବେଶି ମାର୍କ ରଖିପାରିଲେ ମିଃ ଶେଠୀ !”

 

ନଟବର ଗୁମ୍ ମାରିଥାଏ ଏତେବେଳଯାକେ । ହଠାତ୍ ସେ ମନମୋହନର ପ୍ରଶ୍ନର ଉତ୍ତର ଦେଇ କହେ–

 

“ସେତେବେଳେ ଓଡ଼ିଶାରେ ସିନା ସାଧାରଣ ଲୋକେ ଏଭଳି ଏକ ଧ୍ୱଂସାତ୍ମକ ମନୋବୃତ୍ତିକୁ ପସନ୍ଦ କରିପାରୁ ନଥିଲେ; କିନ୍ତୁ ଯେଉଁମାନେ ଚିନ୍ତାରାଜ୍ୟର ଅଗ୍ରଣୀ ଥିଲେ....ବିଶେଷତଃ ଇଂରେଜୀ ଅଧ୍ୟାପକମାନେ ବା ସେଇଭଳି ଇଂରେଜୀମାନଙ୍କ ଗୋଡ଼ ଚାଟୁଥିବା କୁକୁରମାନେ–ସେମାନଙ୍କୁ ତ ଏ “ଆଇଡ଼ିଆ”ଟା ପଗଡ଼ି ନେଇଥିବ ! ମାର୍କ ଦେବାପାଇଁ ହାତ ଗଲୁ ହେଇଥିବ ସେମାନଙ୍କର ।”

 

ମନମୋହନ ଟିକିଏ ଥମ୍ ମାରିଯାଏ । କଟମଟ କରି ସେ ଚାହେଁ ଚୁଟିଆ ନଟବର ଆଡ଼କୁ ।

 

“ମୁଁ ଏଇଥିପେଇଁ ଏ ଚଷାଟାର ସାଙ୍ଗ ହୁଏନାହିଁ । ଏଇଟାକୁ ଭଦ୍ର ବ୍ୟବହାର ଆସେ ନାହିଁ....” ମନମୋହନ କଥାଟାକୁ ଦିହକୁ ଟାଣିନିଏ । “ଇଂରେଜୀମାନଙ୍କର କୁକୁର” ଏଇ ଶବ୍ଦଟା କାହିଁକି କେଜାଣି ବାଧେ ମନମୋହନକୁ ।

 

ନଟବର ହଠାତ୍ ଅଣ୍ଟାଭିଡ଼ି ବାହାରି ପଡ଼େ । ସେମାନେ ସେ ପର୍ଯ୍ୟନ୍ତ କଲେଜ କ୍ଵାଡ଼୍ରାଙ୍ଗଲ୍ ଟପି ନଥାନ୍ତି । ବିଭୁପ୍ରସାଦ ସେମାନଙ୍କୁ ହାଁ ହାଁ କରୁ କରୁ ଅଧ୍ୟାପକ ଶେଠୀ ଆପଣାର ପରିଚୟ ସଂକ୍ଷିପ୍ତରେ ଶେଷ କରନ୍ତି ।

 

ସେ କହନ୍ତି, “ଆରେ ବାବା ! ମୋର ରଚନାର ବକ୍ତବ୍ୟ କ’ଣ କେବଳ ସେତିକି ଥିଲା ବୋଲି ଭାବିଚ ? ଏତିକି ଲେଖି କେହି କ’ଣ କେବେ ଫାଷ୍ଟ୍ ହେଇଚି ନା ହବ ?”

 

“କାହିଁକି ନହବ ?” ମନମୋହନ ଚିତ୍କାର କରି କହେ, “ମୋର ମଉସା ଆଇ.ସି.ଏସ୍. ପାଇଲେ କେବଳ ଦଶଟି ଧାଡ଼ିର ଇଂରେଜୀ essay (ରଚନା)ଟିଏ ଲେଖି ! ମୋର ମାମୁ ଯୋଡ଼ିଏ ପଦରେ ସାହାବକୁ ଖୁସିକରି ପୋଲିସ୍ ଚାକିରି ମାରିନେଲେ !”

 

“ଆରେ ଚାଲ୍ ! ତୋ ମାମୁ ପରା ଗଙ୍ଗାନଦୀରେ ଜଣେ ଲୋକକୁ ପହରେଇ ଦେଇ, ସାହାବ ଆସିଲାବେଳକୁ ଡିଆଁଟାଏ ମାରିଦେଲା–କ’ଣ ନା ଲୋକଟାଏ ବୁଡ଼ି ଯାଉଥିଲା ମୁଁ ତାକୁ “ରେସ୍‍କ୍ୟୁ” କରିନେଲି....” ନଟବର ଚିତ୍କାର କରେ ।

 

ମନମୋହନ ପ୍ରତିବାଦ କରେ, “ଶୁଣମ ! ଏ କୁଆଡ଼େ ମୋ ମାମୁ କଥା ? ହଇରେ ଇଏ କାହା କଥା ଆଉ ମୋ ମାମୁ କିଏ....କ’ଣ ପୃଥିବୀଯାକ ଲୋକ ମୋ ମାମୁ କିରେ ?”

 

ଗୋଟିଏ ସାଧାରଣ ହସ ତା’ପରେ ଉଠେ । ନଟବରବି ନିଜର ଭୁଲ ବୁଝିପାରି ହସି ଉଠେ । ବିଭୁପ୍ରସାଦ ଗଡ଼ିଯାଏ । ଅଧ୍ୟାପକ ଶେଠୀ ଅଣନିଃଶ୍ୱାସୀ ହେଇ କହି ଯାଉଥାନ୍ତି ତାଙ୍କର ରଚନାର ଅବଶିଷ୍ଟାଂଶ । କେହି ତାକୁ ଶୁଣୁ ନଥାଏ । ତେବେ ତାଙ୍କର ସେଇ କୃତିତ୍ଵଟିକୁ ବହୁଥର ଶୁଣି ଶୁଣି ବିଭୁପ୍ରସାଦ ତାକୁ ମନେ ରଖିଥାଏ ।

 

ମିଃ ଶେଠୀଙ୍କର ଜୀବନର ଗୋଟିଏ କରୁଣ ଘଟଣା ହେଉଚି ଏହିପରି–

 

ପ୍ରଥମେ ବାହା ହୋଇ ମିଃ ଶେଠୀ ଯେତେବେଳେ ତାଙ୍କ ଶ୍ଵଶୁର ଘରକୁ ଯାଇଥିଲେ ସେତେବେଳେ ତାଙ୍କ ସ୍ତ୍ରୀ ଏଗାରବର୍ଷର ଅଲିଅଳ ଝିଅ । ସେତେବେଳେ ଜୋଇଁଙ୍କପେଇଁ ଆସିଲା ଗିଲାସେ ସରପକା ଗଧ ଦୁଧ (ମିଃ ଶେଠୀ କହନ୍ତି ଯେ ପିଲାଦିନେ ଗାଈଦୁଧ କ’ଣ....ଏପରିକି ଦୁଧ ଜିନିଷଟି କ’ଣ ତାହା ସେ ନିଜେ ଚାଖି ନଥିଲେ, କାରଣ ତାଙ୍କ ଘରେ ଗାଈଗୋରୁ ନଥିଲେ କି ଗଧବି ନଥିଲେ । କେବଳ ଶଶୁରଘରୁକୁ ଯାଇ ପ୍ରଥମେ ସେ ଚାଖି ଥାଆନ୍ତେ ଗଧଦୁଧ । କିନ୍ତୁ ହାୟ-!) କିନ୍ତୁ ସେତକବି ପିଇବାର ସୌଭାଗ୍ୟ ଯୁଟି ନଥିଲା ତାଙ୍କ ଭାଗ୍ୟରେ । କାରଣ ତାଙ୍କର ପିଲା ସ୍ତ୍ରୀଟି ଧାଇଁ ଆସି ତାଙ୍କ ହାତରୁ ଦୁଧ ଗ୍ଲାସ୍‍ଟିକୁ ଛଡ଼େଇ ନେଇ ଚିତ୍କାର କରି ଲାଗିଲା–

 

“ମାଆଲୋ ମା’ ! ଏଇଟା କିଏ ଏଠି ପଶି ଆମ ଘରୁ ଦୁଧ ଚୋରୀକରି ନଉଚି ! ୟାକୁ ବାଡ଼େଇ ବାହାର କର ଆମ ଘରୁ....” ।

 

ଚା’ ଖାଇସାରି ସେମାନେ ପୁଣି ଫେରନ୍ତି ସେଇ ବାଟେ । ଆଃ ! ଖୁବ୍ ଚମତ୍କାର ଏଇ ନିଃଶ୍ୱାସ ପ୍ରଶ୍ଵାସର ବେଳ ଟିକକ । ଶୋଧା, ଗାଳି, ରାଜନୀତି, ଯୁକ୍ତିତର୍କ ସବୁ ଚାଲିଥାଏ ସେଇ ପାଖେପାଖେ । ସେମାନଙ୍କଠୁଁ ଟିକିଏ ଛୁଟିନେଇ କଡ଼ପଟିଆ ହୋଇଯାଏ ବିଭୁପ୍ରସାଦ । କିଛି ନୂଆ ଜାଗା ନୁହେଁ । ସେଇ ଲାଇବ୍ରେରି, ସେଇ ସୂର୍ଯ୍ୟସ୍ତମ୍ଭ, ସେଇ ପୋର୍ଟିକୋ, ସେଇ କାମିନୀ ଆଉ ମୁକୁକୁନ୍ଦ ଗଛ । ସେଇ ଦେବଦାରୁ, କୁଆମାନଙ୍କର ଚିତ୍କାର, ଦୋକାନର ରେଡ଼ିଓରୁ ଭାସି ଆସୁଥିବା ଶ୍ରୁତିକଟୁ ସଙ୍ଗୀତ, ଶ୍ରୁତିମଧୁର ସୀତାରର–‘‘ଇଣ୍ଟରଲ୍ୟୁଡ଼୍‍”, ବଂଶୀର ମଧୁର ସ୍ଵର । ସବୁ ଗୋଳିଆପୋଳିଆ ସେଠି । କିନ୍ତୁ ତା’ରି ଭିତରେ ସେ ଯାହା ହେଉନା କାହିଁକି–ଗ୍ରୀଷ୍ମ, ବର୍ଷା, ଶରତ୍, ହେମନ୍ତ, ଶୀତ ଆଉ ବସନ୍ତ–ପ୍ରତ୍ୟେକର ଉଶ୍ୱାସତମ ସ୍ଵତନ୍ତ୍ର ସ୍ପର୍ଶଟିକୁ ବେଶ୍ ବାରିହୁଏ ଏଇ ମୁହୂର୍ତ୍ତରେ ।

 

ଏଇ ଅଧାଗୋଲେଇ, ଗ୍ରୀକ୍–ପାଗୋଡ଼ାଧର୍ମୀ ପୁସ୍ତକାଗାରର ଗୋଟିଏ ଉଚ୍ଚ, ବିଭିନ୍ନ ରଙ୍ଗର କାଚଯୁକ୍ତ ରାଜକୀୟ ଝରକା ତଳେ, ଏକ ଗମ୍ବୁଜାକୃତି କାମିନୀ ଗଛର ଆଢ଼ୁଆଳରେ ଠିଆହୋଇ ବିଭୁପ୍ରସାଦ ନଟବରକୁ କହେ–

 

“ବୋଧହୁଏ ଏଇ ସେଇ ରାଜକୁମାରୀର ଦୁର୍ଗ ! ସାତତାଳ ପଙ୍କ......ଚୁପ୍ ଚୁପ୍ ପାଟି କରନା.....ତା’ର ନିଦ ଭାଙ୍ଗିଯିବ !”

 

ନଟବର କବି ନହେଲେ ମଧ୍ୟ ଏକ ପ୍ରାଣବନ୍ତ ଯୁବକ, ଏଥିରେ ସନ୍ଦେହ ନାହିଁ । ସେ ବିଭୁପ୍ରସାଦକୁ ସମର୍ଥନ କରି କହେ–

 

“ନିଶ୍ଚୟ, ନିଶ୍ଚୟ ! ହେଇ ଦେଖ୍ ! ଆଗରେ ଟେବୁଲ ଉପରେ ଲେଖାହୋଇ ରହିଛି ପରା–ନୀରବତା ଅବଲମ୍ବନ କରନ୍ତୁ !”

 

ଉପଯୁକ୍ତ ସମର୍ଥନ ପାଇ, ଲାବୋରେଟୋରୀ ଧୂଆଁରୁ ମୁକ୍ତି ପାଇଥିବା କଳ୍ପନା–ଚଢ଼େଇ ଆହୁରି ଜୋର୍ ଡେଣାପିଟି, ଫଡ଼ଫଡ଼ ହେଇ ଆକାଶର ଆହୁରି ଶୂନ୍ୟ ମୌନତା ଆଡ଼କୁ ଉଡ଼ିଯାଇ ପୁଣି ହଠାତ୍ ଲୋଟିପଡ଼େ–ଲୋଟଣି ପାରାଟିଏ ପରି । କାମିନୀ ଗଛର ଗୋଟିଏ ପତ୍ରକୁ ଆଘ୍ରାଣ କରୁ କରୁ ସେ ବିମୋହିତ ହୁଏ ଓ ସାଙ୍ଗେ ସାଙ୍ଗେ ସମସ୍ତଙ୍କୁ ଭୁଲିଯାଇ ସ୍ଵପ୍ନ ଦେଖିବାକୁ ଆରମ୍ଭ କରେ । ଆଉ ଠିକ୍ ସେତିକିବେଳେ ହଠାତ୍ ସବୁରି ଭିତରୁ ପୁଣି ଉଭା ହୁଅନ୍ତି ସେଇ ଦିବ୍ୟପୁରୁଷ–ତା’ର ବାପା ! ବିଭୁର ବାପା–ଭବାନୀପ୍ରସାଦ !

 

ନଟବର ସହିତ ବାପାଙ୍କୁ ପରିଚୟ କରେଇ ଦେଇ ବିଭୁପ୍ରସାଦ କହେ, “ଯୋଉଦିନ ମୁଁ ଏ କଲେଜରେ ପ୍ରଥମେ ନାଁ ଲେଖେଇଲି ସେଦିନ ବାପା ଥିଲେ ମୋ ସାଙ୍ଗରେ । ମୋର ମନେ ଅଛି ବାପା ଏଇ ଲାଇବ୍ରେରିକୁ ଦେଖେଇ ମତେ କହିଥିଲେ–ବିଭୁପ୍ରସାଦ ! ଏଇ ହେଉଚି ତୋର ପ୍ରକୃତ ମା’ ! ଏଇ ଜନମର ଜଠରରୁ ବାସ୍ତବିକ କେବେ ଆତ୍ମପ୍ରକାଶ କରିବୁ ? କେବେ ତୁ ସଂସାରର ଆଲୁଅକୁ ଆସିବୁ ? ଆଉ ସଂସାରବି ଆସିବ ତୋର ଆଲୁଅକୁ ?”

 

“ଅତି ଶୀଘ୍ର ବାପା !” ମୁଁ ଉତ୍ତର ଦେଇଥିଲି ଯତ୍ନବତ୍ ।

 

କିନ୍ତୁ ସେଥିରେ ସନ୍ତୁଷ୍ଟ ନହୋଇ ସେ କହୁଥାନ୍ତି–

 

“କିଏ ଜାଣେ ବାବା ! ମୁଁ ବଞ୍ଚିଥିବି କି ନା–ତୋର ସେଇ ଜନ୍ମଦିନଟିକୁ ଦେଖିବାକୁ ! ଭାରି କଷ୍ଟ ! ଭାରି କଷ୍ଟ ବାପା !’’

 

ହଠାତ୍ ଏଇଠି ନଟବର ମଧ୍ୟ ଖସି ପଡ଼େ । ସେ ଆଉ ଶୃଙ୍ଗାରୋହଣ କରିପାରେ ନାହିଁ–ବିଭୁପ୍ରସାଦ ସହିତ ପାଦ ମିଳେଇ । ଏଥର ଏକାନ୍ତରେ ସ୍ମୃତି ରାଜ୍ୟରେ ବିଚରଣ କରୁ କରୁ ବିଭୁପ୍ରସାଦ ନିଜକୁ ଆବିଷ୍କାର କରେ ଅନ୍ୟ କେଉଁଠି–ଯେଉଁଠି ନଥାଏ ନଟବର, ମନମୋହନ, ମିଃ ଶେଠୀ ଅବା ଅନ୍ୟକେହି ।

 

ବିଭୁପ୍ରସାଦ ଆବିଷ୍କାର କରେ ନିଜକୁ–

 

ଛଳଛଳ ଆଖିରେ ସେ ଅନାଇଥାଏ ସେଦିନ ଏଇ ବିଦ୍ୟାମନ୍ଦିରର ମୁଖଶାଳାକୁ । ତା’ର ବାପାଙ୍କର ସେଇ ଶେଷପଦ କଥାର ଉତ୍ତର ବା କ’ଣ ଦିଅନ୍ତା ସେ । କିନ୍ତୁ ସେ ଜାଣିଥିଲା ତା’ ବାପାଙ୍କର ପ୍ରକୃତ ଭୟଟି କ’ଣ ବୋଲି । ସେ ଯେ ବାସ୍ତବିକ ମୃତ୍ୟୁଭୟ ଥିଲା ତା’ ନୁହେଁ; କିନ୍ତୁ ତାହା ଥିଲା ଆହୁରି ଏକ କ୍ଳେଶଦାୟକ ଭୟ ।

 

ବିଭୁପ୍ରସାଦର ମ୍ୟାଟ୍ରିକ୍ ପରୀକ୍ଷାର ଫଳ ବାହାରିବା ଦିନଠାରୁ ଦୀର୍ଘ ଚାରିମାସ ଧରି ତାଙ୍କର କ୍ଷୁଦ୍ର ପରିବାରଟିକୁ ପ୍ରସ୍ତୁତ ହେବାକୁ ପଡ଼ୁଥିଲା–ଏଇ ପରିଣତି ପାଇଁ–ବିଭୁପ୍ରସାଦର କଲେଜ ଆଡ଼୍‍ମିସନ୍ ପାଇଁ ।

 

ପ୍ରତି ସନ୍ଧ୍ୟାରେ ସ୍କୁଲ୍ ଶେଷ ହେଲେ ଭବାନୀପ୍ରସାଦ ଡକାଇ ନେଉଥିଲେ ପିଲା ତିନୋଟିଙ୍କୁ–ପାଖକୁ । ଆରମ୍ଭ ହୁଏ ପାରିବାରିକ ଆଲୋଚନା । ମଝିରେ ଖଟ ଉପରେ ବସେ ବିଭୁପ୍ରସାଦ–ଆଲୋଚନାର ପାତ୍ର । ଆଉ ତା’ର ଦୁଇକଡ଼େ ବସନ୍ତିତା’ର ଦୁଇଟିଯାକ ସାନଭାଇ । ଜଣେ ନବମ ବା ଦଶମ ଶ୍ରେଣୀର ଛାତ୍ର ଆଉ ଜଣେ ଚତୁର୍ଥ ଶ୍ରେଣୀର । ଏମାନେ ବିଚାରକ । ଆଉ, ମୁଖ୍ୟ ଆଲୋଚକ ହୁଅନ୍ତି ତା’ର ବାପା ।

 

ଆଲୋଚନା ଆରମ୍ଭ ହୁଏ । ବାପା ପଚାରନ୍ତି–

 

“ଆଚ୍ଛା ! ବିଜ୍ଞାନ ଜିନିଷଟା କ’ଣ–ଭଲ ? କ’ଣ ଏହାର ଭବିଷ୍ୟତ ? ମତେ ଟିକିଏ ବୁଝେଇ କହତ ବାପା । ଆମେ ତ ହେଲୁ ଅଳ୍ପ ପଢ଼ୁଆ । ଜୀବନରେ ତମର ଆକାଂକ୍ଷା ଥିଲା–ଏମ୍.ଏ. ପାସ୍ କରି ସଂସ୍କୃତିରେ ଅନର୍ଗଳ, ଓଜସ୍ଵିନୀ ବକ୍ତୃତା ଦେଇଥାନ୍ତି; କିନ୍ତୁ ହେଲା ନାହିଁ । ଠିକ୍ ଏଫ୍.ଏ. ଟେଷ୍ଟ୍ ପରୀକ୍ଷା ଦେଲାବେଳକୁ ବାପା ବାବାଜି ହୋଇଗଲେ ।”

 

‘‘ଜେଜେବାପା କାହିଁକି ବାବାଜି ହେଇଗଲେ ବାପା ? ଆମ ବଂଶରେ କ’ଣ ପାଗଳ ଥିଲେ କେହି–ବାପା ?” ଦଶମ ଶ୍ରେଣୀରେ ପଢ଼ୁଥିବା ଭାଇଟି ପଚାରେ ।

 

“ନା ନା, ନା…” ଖୁବ୍ ଜୋରରେ ମୁଣ୍ଡ ହଲେଇ ମନା କରି ଉଠନ୍ତି ଭବାନୀପ୍ରସାଦ ଏବଂ କହନ୍ତି, “ଅସମ୍ଭବ ! ଆମ ବଂଶରେ ପାଗଳା, ବାତୁଆ, ବାତଜରୁଆ, ଗର୍ଭଣାଖଣ୍ଡିଆ କି ସେଭଳି କିଛି, କାହାରି ଦିହରେ ନଥିଲା କି ନାହିଁ । ଆମେ ଖୁବ୍ ଧନୀଥିଲୁ । ବୁଢ଼ା ବାପା କହନ୍ତି ଯେ ସାତପୁରୁଷ ତଳେ ଆମର ଜମିଦାରି ଥିଲା ! କିନ୍ତୁ ଲର୍ଡ଼ କର୍ଣ୍ଣୱାଲିସ୍‍ଙ୍କ ସମୟରେ ଯୋଉ ସୂର୍ଯ୍ୟାସ୍ତ ନିଲାମ ପ୍ରଥା ଚାଲୁହେଲା–ତୁମ ସପ୍ତମ ଶ୍ରେଣୀ ଇତିହାସ ବହିରେ ଅଛି–ମନେ ପଡ଼ୁଚି ?–ସେତିକିବେଳେ ଆମର ଜମିଦାରି ନିଲାମ ହେଇଗଲା । ସେଇ ଦିନଠୁଁ ଆମେ ହେଲୁ ସାଧାରଣ ଲୋକ ଆଉ ସାତପୁରୁଷ ଧରି ଆମେ ହେଲୁ ଶିକ୍ଷକ । ଆମ ବଂଶ ଶିକ୍ଷକର ବଂଶ ।”

 

“କିନ୍ତୁ ଜମିଦାରି ନିଲାମ ହେଲା କେମିତି ? ଗଣ୍ଡାଏ ଖଜଣା ଠିକ୍ ସମୟରେ ଦେଇ ପାରିଲେ ନାହିଁ ସେ ମୂର୍ଖ ପଞ୍ଝାକ ? ଆଃ–କି ନିର୍ବୋଧ ଅଳସୁଆ ଦଳେ ସତେ !’’

 

ଏ ଥାଏ ଯୁବକ ବିଭୁପ୍ରସାଦର ମନ୍ତବ୍ୟ । ବାରମ୍ଵାର ତା’ର ଉତ୍ତର ଶୁଣୁଥିଲେ ମଧ୍ୟ ସେଇ ପ୍ରଶ୍ନଟିକୁ ବାରମ୍ଵାର ଉତ୍ଥାପନ କରେ ବିଭୁପ୍ରସାଦ–ଏହିପରି ପାରିବାରିକ ଆଲୋଚନାଚକ୍ରରେ । ମତ ଭିତରେ ସାତପୁରୁଷ ତଳର ସେଇ ବୋକା, ନିରୁଦ୍‍ଯୋଗୀ ପୁରୁଷଟି ଉପରେ ଦାନ୍ତ କଟମଟ କରୁଥିଲା ସେତେବେଳେ ବିଭୁପ୍ରସାଦ । କାରଣ ସଂସାରର ମଣିଷ ହିସାବରେ ସେ ସେତେବେଳେ ଧୀରେ ଧୀରେ ବୁଝିଆସୁଥାଏ–ଏକ ମାଷ୍ଟର ବଂଶ ଆଉ ଏକ ଜମିଦାର ବଂଶ ମଧ୍ୟରେ ସେଇ ଯୋଉ ବ୍ୟବଧାନ ଆଉ ତାରତମ୍ୟ !

 

ଭବାନୀପ୍ରସାଦ ସେତେବେଳେ କିଛି ସମୟ ତଫାତ୍ ହୋଇ ବସନ୍ତି ନିଜର ଜନ୍ମକଲା ପିଲାମାନଙ୍କଠୁଁ ଆଉ ବିଶେଷକରି ସେଇ ଫାଷ୍ଟ୍‍ ଡିଭିଜନ୍ ମ୍ୟାଟ୍ରିକ୍ ପାସ୍‍କରା ପୁଅଟିଠୁଁ । ସତେକି ସାତପୁରୁଷ ଉପରେ ହୋଇଥିବା ଆଘାତଟିକୁ ସେ ନିଜେ ଅନୁଭବ କରନ୍ତି । କିନ୍ତୁ ଧୀରେ ଧୀରେ ଫେରିଆସେ ସେଇ ଚିର ସହଚର ହସଟି ତାଙ୍କର ଓଠ ଉପରକୁ । ସେ ଉତ୍ତର ଦିଅନ୍ତି, ବେଶ୍ ଦୃଢ଼କଣ୍ଠରେ–

 

“କିନ୍ତୁ ତାଙ୍କର ଦୋଷ କ’ଣ ? ନିଜର ଦାରିଦ୍ର୍ୟପାଇଁ ତୁମେ ତୁମର ପିତୃପୁରୁଷକୁ ଦୋଷ ଦେଇ ପାରିବ ନାହିଁ । କିଏ ଜାଣେ କ’ଣ ଥିଲା ସେତେବେଳକାର ପରିସ୍ଥିତି–ମଣିଷ ମନର ଅବସ୍ଥା ଉପରେ ସବୁ ନିର୍ଭର କରେ । ମୁଁ ଶୁଣିଛି, ଆମ ବାପା କହୁଥିଲେ, ଆପେ ବାବାଜି ହୋଇଯିବା ପୂର୍ବରୁ, ‘ସେ’ ପୁରୁଷର ‘ସେଇ’ ଜଣକ ବ୍ୟକ୍ତି କିପରି ଜମିଦାରି ଛାଡ଼ି ଦେଇ ସ୍ତ୍ରୀ ଓ ପୁଅକୁ ଧରି ପୁରୀ ଚାଲିଗଲେ । ସଂସାର ପ୍ରତି ବିତୃଷ୍ଣା ଆସିଲା ତାଙ୍କର । ଜମିଦାରି ଖଜଣା ଦିଆ ନ ଯିବାରୁ ତାହା ନିଲାମ ହୋଇଗଲା । ସେଥିରେ ଦୋଷ କାହାର ?”

 

“ପୁରୀ ତ ଚାଲିଗଲେ, ଭଲ କଲେ । କିନ୍ତୁ ପୁଅଟିଏ ଜନ୍ମ କରିଥିଲେ କାହିଁକି ? କ’ଣ ବାବାଜି କରିବାକୁ ?” ଚିହିଁକି ଉଠେ ବିଭୁପ୍ରସାଦ ତା’ ବାପାଙ୍କ ଉପରକୁ ।

 

କିନ୍ତୁ ଭବାନୀପ୍ରସାଦ ଆଦୌ ବିରକ୍ତ ହୁଅନ୍ତି ନାହିଁ–ପୁଅର ଏଇ ବ୍ୟବହାରରେ । ଚିର–କ୍ଷମାଶୀଳ କଣ୍ଠରେ ସେ କହନ୍ତି–

 

“ଆରେ ବାବା ! ଆମେ ଆଦୌ କହିପାରିବା ନାହିଁ । ସେ ଯୁଗର ଯୁକ୍ତି ଆଉ ସେ ଯୁଗର ମୂଲ୍ୟବୋଧକୁ ଆମେ କେମିତି ଅସ୍ୱୀକାର କରିବା ? କେମିତି ଅସମ୍ମାନ କରିବା ? ଏ ହେଉଚି ଇତିହାସ । କେବଳ ଏକ ବଂଶର ଇତିହାସ ନୁହେଁ ବାବା; ଏକ ଯୁଗର ଚିନ୍ତାଧାରାର ଇତିହାସ । ଏତେବଡ଼ ଜମିଦାରି ମହାଲ ଛାଡ଼ି, ଏକମାତ୍ର ଶିଶୁପୁତ୍ରକୁ ସାଙ୍ଗରେ ନେଇ ପୁରୀ ଚାଲିଯିବା ମୂଳରେ ଆପାତତଃ କୌଣସି ଯୁକ୍ତି ନାହିଁ–ତୁମ ଆମ ଆଗରେ । କିନ୍ତୁ ଏ କଥା ଯଦି ସତ୍ୟ ହୋଇଥାଏ ଯେ ସେମାନେ ସଂସାର ପରିତ୍ୟାଗ କରି ବୈରାଗୀ ହୋଇଥିଲେ–(ଏବଂ ତାହାଥିଲା ସେମାନଙ୍କର ବିଶ୍ଵାସ–ସେମାନଙ୍କର ବିଶ୍ଵାସକୁ ଅବିଶ୍ଵାସ କରନା)–କାରଣ ସେମାନଙ୍କର ସେଇ ଆଚରଣ ମୂଳରେ ଥିଲା ଏକ ସ୍ଵପ୍ନ, ଯେଉଁ ସ୍ଵପ୍ନ ଆଜି ମୁଁ ବି ଦେଖିଲେ ହୁଏତ ସେମାନଙ୍କ ପରି ଘରଦ୍ୱାର ଛାଡ଼ି ପାଗଳ ହୋଇଯିବି, ହୁଏତ ତୁମେବି–ତାହାହେଲେ ?”

 

ସବାସାନ ପୁଅ ଅନିରୁଦ୍ଧ ଲଣ୍ଠନ ଆଡ଼କୁ ଟିକିଏ ମାଡ଼ି ମାଡ଼ି ଆସେ । ଭବାନୀପ୍ରସାଦ ଲଣ୍ଠନ ତେଜିଦିଅନ୍ତି ଆଉ କହନ୍ତି–

“ଦିନେ ରାତିରେ ବୁଢ଼ା ସ୍ଵପ୍ନ ଦେଖନ୍ତି ଯେ ସ୍ଵୟଂ ଜଗନ୍ନାଥ ଆଉ ବଳଭଦ୍ର ନିତାଇଗୌର ବେଶରେ ଆସି ପହଞ୍ଚିଚନ୍ତି ତାଙ୍କର ଜମିଦାରି ଉଆସ ଆଗରେ ଆଉ କୀର୍ତ୍ତନ କରୁଚନ୍ତି । ସେ କୀର୍ତ୍ତନ ସ୍ୱର ଶୁଣି ବୁଢ଼ା ଉଆସରୁ ବାହାରି ଆସିଲେ । ପଛେ ପଛେ ବାହାରି ଆସିଲେ ମଧ୍ୟ, ତାଙ୍କର ସ୍ତ୍ରୀ ଆଉ ମା’ର କାନି ଧରି, ତାଙ୍କର ସେଇ ଏକ ମାତ୍ର ପୁଅଟି । ସେମାନେ ପଛେ ପଛେ ଚାଲିଛନ୍ତି ଆଉ ଆଗେଆଗେ ହାତଠାରି ଡାକି ଡାକି ଚାଲିଛନ୍ତି ସେମାନଙ୍କର ପ୍ରିୟ ସଖା, ପ୍ରିୟ ଅତିଥି କାଳିଆ–ବଳିଆ ଦୁଇ ଭାଇ । ସେମାନେ ଡାକି ଡାକି ଚାଲିଛନ୍ତି....”

 

ଏସୋଓଓଓ ଏସୋଓଓଓ ଏସୋ–

ଏସୋ ଏସୋ ଏସୋ ଏସୋ

ଏସୋଓଓଓ... ଏସୋଓଓଓ.....”

 

ନିଜ ପୂର୍ବପୁରୁଷଙ୍କର ଗାଥା କହୁ କହୁ ଭବାନୀପ୍ରସାଦଙ୍କର ଗାତ୍ର ରୋମାଞ୍ଚିତ ହୋଇ ଉଠେ । ସାମାନ୍ୟ ଉନ୍ମତ୍ତ ହେଲାପରି ସେଇ, ଅଭୁତ ରାଗିଣୀକୁ ଅଭିନୟ କରି ବୋଲି ବୋଲି ପିଲାଙ୍କୁ ବୁଝାଇ ଦେବାକୁ ଯାଇ, ସେ ଗାଇ ଉଠନ୍ତି ତାଙ୍କର କେତୋଟି ପ୍ରିୟ ଭଜନ ।

 

ଭବାନୀପ୍ରସାଦ ନିଜେ ବେଶ୍ ସଙ୍ଗୀତପ୍ରିୟ । ହାରମୋନିୟମ୍ ଧରି ପିଲାମାନଙ୍କୁ ସେ ଶିଖାଇବାକୁ ଚେଷ୍ଟା କରିଚନ୍ତି ଅନେକ ଗୀତ, ସେମାନଙ୍କର ପିଲାଦିନୁ । କିନ୍ତୁ ଏଇ ନୂତନ ବଂଶରେ ସେଇ ଗୁଣଟା ସତେ ଯେପରି ବାଷ୍ପୀଭୂତ ହୋଇ କେଉଁଆଡ଼େ ଉଡ଼ିଯିବାପାଇଁ ସଦାବେଳେ ଚେଷ୍ଟା କରୁଥାଏ । ତାକୁ ବାନ୍ଧିରଖିବାର ଦାୟିତ୍ଵ ଥାଏ ଯେପରି ତାଙ୍କର ।

 

ଭବାନୀପ୍ରସାଦଙ୍କର ଅଭିନୟରେ ବାଧାଦେଇ ତାଙ୍କ ସାନପୁଅ ଅନିରୁଦ୍ଧ ହଠାତ୍ ପଚାରି ଉଠେ–

 

“ଆମର ସେଇ ଉଆସଟା କୋଉଠି ଥିଲା ବାପା ?”

 

ହୋହୋ ହୋଇ ହସି ଉଠନ୍ତି ସମସ୍ତେ । ପିଲାଟା ଲାଜରା ହୋଇଯାଏ । ଯେ ମୁହଁ ଲୁଚାଇ ପକାଏ ତା’ର କୁନି କୁନି ହାତ ପାପୁଲି ଦୁଇଟା ଭିତରେ ।

 

ଛୋଟପିଲାଟିକୁ କୋଳକୁ ଟାଣିଆଣି ତା’ର କଅଁଳ ଗାଲରେ ବାରମ୍ବାର ଚୁମାଦେଇ ଅନ୍ୟାନ୍ୟ ପିଲାଙ୍କୁ ଆକଟ କରି କହନ୍ତି ଭବାନୀପ୍ରସାଦ–

 

“ଖବରଦାର୍ ! ସାନ ପିଲାମାନେ କୌଣସି ପ୍ରଶ୍ନ ପଚାରୁଥିଲାବେଳେ କେଭେଁ ହସିଦବ ନାହିଁ । ଏ ଏକ ଅଭଦ୍ରାମି । ଛୋଟପିଲା ହେଲେ ମଧ୍ୟ ସେମାନଙ୍କର ଆତ୍ମସମ୍ମାନଜ୍ଞାନ ଯଥେଷ୍ଟ । ପିଲାଗୁଡ଼ାକ ହାରିଯାନ୍ତି । ତୁମେ ଜାଣନା ଏମିତି ଅବସ୍ଥାରେ ପଡ଼ି ମୁଁ ହାରି ଯାଇଥିଲି ପିଲାଦିନେ । ମୋର ମା’ ମରିଗଲାବେଳେ ମୁଁ ହେଇଥାଏ ଦେଢ଼ବର୍ଷର କଅଁଳା ଛୁଆ । ମୋ ମାଈଁଠୁ କ୍ଷୀର ଖାଇ ମୁଁ ବଡ଼ ହେଲି । କିନ୍ତୁ ସଂସାରତ ବାବୁ ମାଈଁ ନୁହେଁ । ବଡ଼ ଜଟିଳ ଏହାର ବିଧି । ମାମୁ ଶିକ୍ଷକ । ଗରିବ ଲୋକ । ଦୁଇବେଳା ଭାତ ଖାଇବାକୁ ମିଳେନା । ତରକାରୀ କ’ଣ ଆମେ ଜାଣୁନା । ପଖାଳ ଖାଇବା ପୂର୍ବରୁ ମାଈଁକ’ଣ କରେନା–ଟିକିଏ ଗୁଡ଼ ଆଣି ଆମ ପିଲାଙ୍କ ଓପର ଓଠରେ ମାରି ଦେଇଯାଏ । ମୁଁ ଆଉ ମୋର ତିନୋଟି ମାମୁ ପୁଅ ଭାଇ ଓଠ ଚାଟି ଚାଟି ପଖାଳ ଗିନାଏ ଗିନାଏ ଆମେ ଠୁଙ୍କି ଦେଉ । ଏ ପୁରୁଷରେ ତୁମେ ବୁଝିପାରିବ ନାହିଁ ଆମ ପୁରୁଷର ଦୁର୍ଦ୍ଦଶା । ସେମିତି ସେମିତିରେ ଆମେ ବଡ଼ ହେଲୁ । ମାମୁଘରୁ କଟକ ଫେରିଲି । ବାପା କଟକରେ ରହି କୌଣସି ଗୋଟିଏ ବଡ଼ଲୋକ ଘରେ ଟିଉସନ୍ କରୁଥିଲେ । ମୁଁ କଟକ ଆସିଲି । ଛ’ବର୍ଷରେ ହୁଏ ମୋର ଅକ୍ଷର ପରିଚୟ । ଚଉଦବର୍ଷରେ ମାଇନର୍ ପାସ୍ କରି ମୁଁ ମ୍ୟାଟ୍ରିକ୍‍ରେ ନାଁ ଲେଖାଏଁ ।”

 

“ତୁମେ କୋଉ ସ୍କୁଲ୍‍ରେ ପଢ଼ୁଥିଲ ବାପା ?” ମଝିଆଁ ପୁଅ ମୀନକେତନ ପଚାରେ ।

 

“ମୁଁ” ? ଭବାନୀପ୍ରସାଦ ଉତ୍ତର ଦିଅନ୍ତି, “କାହିଁକି ? ମୁଁ ପଢ଼ୁଥିଲି ସେତେବେଳକାର ସୁନାମଧନ୍ୟ ସ୍କୁଲ୍ ପ୍ୟାରୀମୋହନ ଏକାଡ଼େମୀରେ !”

 

“ଟଙ୍କା ? ବାପା ତୁମର ଦେଉଥିଲେ ଏତେ ଟଙ୍କା ?” ହଠାତ୍ ପୁଣି କୌତୂହଳୀ ହୋଇଉଠେ ବିଭୁପ୍ରସାଦ ।

 

“ହଁ...ନା......ବାପା ଦେଉ ନଥିଲେ । ଦେଉ ନଥିଲେ......ଅର୍ଥାତ୍ ଦେଇପାରୁ ନଥିଲେ ।” ଭବାନୀପ୍ରସାଦ ଥଙ୍ଗମଙ୍ଗ ହୋଇଯାନ୍ତି, ସବୁଦିନଭଳି, ଏଭଳି କଥା ପଡ଼ିଲାବେଳେ ।

 

“କାହିଁକି ? ସେ ପରା ଧନୀ ଲୋକ ଘରେ ଟିଉସନ୍ କରୁଥିଲେ ? ତୁମେ କହୁ ନଥିଲ-?” ମୀନକେତନ ଯୁକ୍ତି ଦେଖାଏ ।

 

“ଟିଉସନ୍ କରୁଥିଲେ, ହଁ । କିନ୍ତୁ ସେ କିବା ଟଙ୍କା ? ତା’ ଛଡ଼ା.....ଅବଶ୍ୟ ସେଇଟା ତାଙ୍କର ଦୋଷ ବୋଲି କୁହାଯାଇ ନ ପାରେ......ତାଙ୍କ ବୟସର ଯେକୌଣସି ଲୋକ ହୁଏତ ସେଇଆ କରିଥାନ୍ତା.....” ଟିକିଏ ଅବସନ୍ନ କଣ୍ଠରେ କହନ୍ତି ଭବାନୀପ୍ରସାଦ ।

 

“କ’ଣ ବାପା ?” ମଝିଆଁ ପୁଅ ପୁଣି ପଚାରେ ।

 

“କ’ଣ ପଚାରୁଚୁ ?” ବିଭୁପ୍ରସାଦ ଉତ୍ତରଦିଏ ତା’ର ବାପାଙ୍କପାଇଁ । ମଝିଆଁ ଭାଇକୁ ଆକଟ କଲା ସ୍ଵରରେ ସେ କହେ, “ତୁ କ’ଣ ଶୁଣିନୁ ? ବାରବାର ପଚାରି ହଉଚୁ ?–ଜେଜେବାପା ପରା ଅଫିମ ଖାଉଥିଲେ...... ।”

 

ଅଫିମ ? ...ଆମ ଜେଜେବାପା ?” ଅନିରୁଦ୍ଧ ନାକ ଟେକେ ଘୃଣାରେ ।

 

“ଛି, ବାପା ! ପୂର୍ବପୁରୁଷଙ୍କୁ ସେମିତି ଘୃଣା କରନ୍ତି ? ସେ ଅଫିମ ଖାଉଥିଲେ–ନିଶା ଯୋଗୁଁ ନୁହେଁ–ନିଶାଖୋର ହବାପାଇଁ ନୁହେଁ–ନିଜକୁ ଭୁଲିଯିବା ପାଇଁ ।” ଭବାନୀପ୍ରସାଦ ପିଠି ଥାପୁଡ଼ାନ୍ତି ଅନିରୁଦ୍ଧର ।

 

“ନିଜକୁ ଭୁଲିଯିବାପାଇଁ କାହିଁକି ଚାହୁଁଥିଲେ ସେ ତେବେ ?” ମୀନକେତନ ମଝିରୁ ପୁଣି ବାହାରିପଡ଼େ ।

 

“ଆଃ” ବିଭୁପ୍ରସାଦ ଅଣନିଃଶ୍ୱାସୀ ହୋଇଉଠେ । କଥାଟା କେଉଁଠୁଁ ଆରମ୍ଭ ହୋଇ କେଉଁଠି ଶେଷ ହବାକୁ ଯାଉଥାଏ ସେ ବିଷୟରେ ସମସ୍ତଙ୍କୁ ସଚେତ କରାଇଦିଏ ଓ ସେଦିନ ସନ୍ଧ୍ୟାର ବୈଠକକୁ ଗୋଟିଏ “ଫିନିସିଂ ଟଚ୍” ଦେଲାଭଳି ସେ କହେ–

 

“ଶୁଣ ! ଜେଜେବାପା ଅଫିମ ଖାଉଥିଲେ–ଜେଜେମାମରିଯିବାରୁ । ଜେଜେବାପାଙ୍କୁ ସେତେବେଳେ ପଚିଶବର୍ଷ ମାତ୍ର ବୟସ । ସେ ଇଚ୍ଛାକରିଥିଲେ ଆଉଥରେ ବାହା ହେଇପାରିଥାନ୍ତେ-। କିନ୍ତୁ ହେଲେ ନାହିଁ । ମାତ୍ର ଆମ ବାପା....... ! ଆମ ବାପା ଜେଜେ ବାପାଙ୍କଠୁଁ କେତେ ବଡ଼ ଜାଣିଚ ? ଆମେ ହଉଚୁ ଜଣେ ନିଷ୍ଠାଧର ଆସିଷ୍ଟାଣ୍ଟ୍ ହେଡ଼୍ ମାଷ୍ଟରଙ୍କର ପୁଅ ! ଅଥଚ ଆମ ବାପା ନିଜେ ହଉଚନ୍ତି ଜଣେ ଅଫିମିଆ, ସ୍ୱାର୍ଥପର, ଲୋଭୀ ଲୋକର ପୁଅ । ଏଇ ହଉଚି ଆମ ଦି’ ପୁରୁଷ ଭିତରର ତଫାତ୍...... । ଆମେ ଆଗେଇ ଚାଲିଚୁ.....ଆଗେଇ ଚାଲିଚୁ ଆଉ ଚାଲିବୁବି ଆମେ–ବଡ଼ବଡ଼ ପାହୁଣ୍ଡ ପକେଇ–ମୁଁ ବିଜ୍ଞାନ ପଢ଼ିବି ବାପା–ବିଜ୍ଞାନ !”

 

ଭବାନୀପ୍ରସାଦ ହଠାତ୍ ଗମ୍ଭୀର ହୋଇଉଠନ୍ତି । ତାଙ୍କର ମୁହଁ ଉପରେ ଖେଳିବାକୁ ଆରମ୍ଭକରେ କି ଏକ ରହସ୍ୟମୟ ରେଖା । ନା ଆତ୍ମସନ୍ତୋଷ ନା ଗ୍ଳାନି ! କିନ୍ତୁ ପିଲାମାନେ ଆରମ୍ଭ କରିଦିଅନ୍ତି ନିଜ ନିଜ କାମ । ପରଦିନ ପଢ଼ାପାଇଁ ପ୍ରସ୍ତୁତି ।

 

କିନ୍ତୁ ଆଲୋଚନାର ଶେଷ ହୁଏନାହିଁ ସେଇଠି । ସେଇ ପାରିବାରିକ ଆଲୋଚନାଚକ୍ର, ପୁଣିଥରେ ଅର୍ଥନୀତିର ଫଲ୍‍ଗୁବାଲି ଭିତରୁ ମୁଣ୍ଡଟେକି, ସେମାନଙ୍କୁ ଚାହେଁ ଏକ ଅନ୍ୟ ଚମତ୍କାର ଜେଗାରେ ।

 

ବିଭୁପ୍ରସାଦ କଲେଜରେ ବିଜ୍ଞାନ ନେବ ବା କଳା ନେବ–ତାହାର ସମାଧାନ ହୋଇପାରେନା ସେଇ ଗୋଟିଏ ଦିଇଟି ବୈଠକରେ । ବାରମ୍ବାର ବୈଠକର ଆବଶ୍ୟକ ହୁଏ ସେଇ ଖରାଛୁଟିରେ । ବିଭୁର ସେଇ ଏକ ଜିଦ୍ ଯେ ସେ ବିଜ୍ଞାନ ନେବ । କାରଣ ସେ ପାସ୍‍ କରିଚି ମ୍ୟାଟ୍ରିକ୍ କୃତିତ୍ଵର ସହିତ–ଫାଷ୍ଟ୍ ଡିଭିଜନ୍‍ରେ !

 

ବିଜ୍ଞାନ ବିଷୟରେ ଭବାନୀପ୍ରସାଦଙ୍କର ଧାରଣା ସେପରି କିଛି ରକ୍ଷଣଶୀଳ ନଥାଏ । କିନ୍ତୁ କେହି ଜଣେ ଆଇ.ଏସ୍.ସି ଫେଲ୍ ଛାତ୍ର, ତାଙ୍କ ଗାଁର, ତାଙ୍କ ମୁଣ୍ଡରେ ଏକ ଭୁଲ୍ ଧାରଣା ଢୁକାଇ ଦେଇଥାଏ । ଦିନେ କଥାପ୍ରସଙ୍ଗରେ ପିଲାଟି ଭବାନୀପ୍ରସାଦଙ୍କୁ ସତର୍କ କରାଇ ଦେଇଥାଏ–

 

“ଭାଇନା ! ବୁଝି ଖବରଦାର୍ ! ଫେଲ୍ ଘରେ ଗୁଆ ପକେଇବାର ଇଚ୍ଛା ଯଦି ଥାଏ ତାହାହେଲେ ଟୋକାଟାକୁ ସାଇନ୍‍ସରେ ପୂରାଅ । କିନ୍ତୁ ମନେରଖ । ସେଠି ପ୍ରାକ୍‍ଟିକାଲ୍ ବୋଲି ଗୋଟିଏ ଘାଟି ଆମ ତୁମଭଳି ଲୋକଙ୍କୁ ଜଗିବସିଚି । ଆଉ ସେଠୁ ଥରେ ଗଡ଼ିଲେ ନା–ପିଲା ଅଣ୍ଟା ତ ଭାଙ୍ଗିବ ତା’ ଛଡ଼ା ପହିଲେ ଭାଙ୍ଗିବ ତୁମରି ଅଣ୍ଟା ! ବୁଝି ଖବରଦାର୍ !”

 

ଏଭଳି ଏକ ସତର୍କବାଣୀ ଭବାନୀପ୍ରସାଦଙ୍କୁ ମହାଚିନ୍ତାରେ ପକାଏ । ଗୋଟିଏ ପ୍ରଥମ ଡେଲିଭରି ହବାକୁ ଯାଉଥିବା ଝିଅର ମା’ ଭଳି ସେ ବିଚଳିତ ହୋଇଉଠନ୍ତି ।

 

ପିଲାଟି ପୁଣି କହେ–“ବିଜ୍ଞାନ ପଢ଼ା କିଛି ସୋଜା କଥା ନୁହେଁ ଭାଇନା ! ଏ ଏକ ବିଜିନେସ୍ ଆଉ ଏ ବି ପ୍ରକୃତରେ ସେଇ ବିଜିନେସ୍‍ବାଲା ଲୋକଙ୍କ ପିଲା ପେଇଁ.....ଅସଲ କଥା ହେଲା ବାପ ଅଣ୍ଟାରେ ଜୋର୍ ଥିବା ଚାହି । ଖାଲି ପିଲା ଭଲ ପଢ଼ିଲେ ହେଇ ଗଲା ନାହିଁ । ତାକୁ ଅଣ୍ଟେଇବା ଲୋକ ଯଦି ମଝିରେ ଆଣ୍ଠେଇ ପଡ଼ିଲା ନା ।”

 

ଭବାନୀପ୍ରସାଦ ଆଶଙ୍କିତ ହୋଇ ଉଠନ୍ତି । ମନେମନେ ସେ ଭାବନ୍ତି–ଠିକ୍ କଥା ! ଘୋଡ଼ା କୁଦେ ଖୁଣ୍ଟ ଜୋରରେ । କିନ୍ତୁ ଏ ଖୁଣ୍ଟ କ’ଣ ସମ୍ଭାଳିବ ? ସେ ତ ଆଉ କିଛି ନୁହେଁ ଯେ ଦରକାର ପଡ଼ିଲେ ପିଲାଟାଏ ଟିଉସନ୍ କରି ପାଠ ପଢ଼ିଯିବ । ଏ ତ ବିଜ୍ଞାନରେ ସମ୍ଭବ ନୁହେଁ । ଏକ ମିନିଟ୍ ପରିଶ୍ରମ ସେଠି ଏକଡ଼ ସେକଡ଼ ହେବାର କଥା ନୁହେଁ–ପିଲାର । ତା’ ଛଡ଼ା ମାସର ପହିଲା ତାରିଖଠୁଁ ଏକ ଦିନ ମଧ୍ୟ ଡେରିହେବାର ନୁହେଁ–ପିଲାର ଖୋରାକ ପୋଷାକ !

 

ଏକ ଭୟଙ୍କର ଅନ୍ତର୍ଦ୍ୱନ୍ଦ୍ଵ ଭିତରେ ଭବାନୀପ୍ରସାଦ ଭାଙ୍ଗିପଡ଼ନ୍ତି । ନାନା ଦିଗରୁ ନାନା ଆଶଙ୍କା ଘେରି ଘେରି ଆସେ– । ସେ ଛଟପଟ ହୋଇପଡ଼ନ୍ତି ଗୋଟିଏ ଜାଲ ଘେରରେ ପଡ଼ିଯାଇଥିବା ମାଛ ଭଳି । ବେଳେବେଳେ ସେ ଏଭଳି ଆଶଙ୍କିତ ହୋଇ ଉଠନ୍ତି ଯେ ରାତିରେ ପିଲାମାନଙ୍କ ସହିତ ଗପ କରୁ କରୁ ମଝିରେ ହଠାତ୍ ସେମାନଙ୍କୁ ଚମକେଇ ଦିଅନ୍ତି । ସେ ପଚାରନ୍ତି ନିହାତି ଅବାନ୍ତରଭାବେ ସେଇ ଭୟଙ୍କର ଆଉ ନିହାତି ବାସ୍ତବ ପ୍ରଶ୍ନଟିକୁ–

 

“ମନେକର ଯଦି ମୋର କିଛି ହେଇଯାଏ....ତୋର ଏଇ ପଢ଼ା ଭିତରେ ? ତୁ କେମିତି ପାଠପଢ଼ା ସାରିବୁ....ଏ ପିଲାମାନେ ପଢ଼ିବେ–ମଣିଷ ହେବେ କେମିତି ?’’

 

ଗୋଟାଏ କଳାଗୁମର ଛାଇ ହଠାତ୍ ଓହ୍ଲାଇ ଆସେ ଘର ଭିତରକୁ । ସମସ୍ତେ ଗୁମ୍ । ଅନିରୁଦ୍ଧ ଗୁଞ୍ଜିହେଇ ଆସେ ଆହୁରି ଭିତରକୁ–ପରିବାରର ବୃତ୍ତ ଭିତରକୁ ।

 

ଟିକିଏ ପରେ– । ଲଣ୍ଠନର କଡ଼ା ଉପରେ ବସି ଡିମା ଡିମା ଆଖିରେ ଆଲୁଅକୁ ଅନେଇ, ଲମ୍ବା ଲମ୍ବା ନିଶ ଦିଇଟାକୁ ବିଭୁପ୍ରସାଦ ଆଡ଼କୁ ବଢ଼େଇ, ପରବର୍ତ୍ତୀ ଡିଆଁଟାଏ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଏକ ବଡ଼ ଝିଣ୍ଟିକାକୁ ହଠାତ୍ ମାଡ଼ିବସେ ବିଭୁପ୍ରସାଦ । ଏବଂ ହଠାତ୍ ସେଇ ଛାଇଟାକୁ ବାଆଁରେଇ ଦବାପେଇଁ, ସେଦିନ ସେଇ ପାରିବାରିକ ଅର୍ଥନୀତି ଭିତରକୁ ବିଜ୍ଞାନକୁ ଅର୍ଥାତ୍ ସେଇ ସନ୍ଧ୍ୟାର ମୌଳିକ ଆଲୋଚନାଟିକୁ ଟାଣିଆଣି କହିପକାଏ ବିଭୁପ୍ରସାଦ–

 

“ତମେ ଜାଣିଚ ପିଲାଏ ? .....ଏ ହଉଚି ଗୋଟିଏ ତାପମାନ ଯନ୍ତ୍ର–ଥର୍ମୋମିଟର ? ୟାକୁ ଚାଲରେ ରଖିବା ! ସକାଳେ ପରୀକ୍ଷା କରି ଦେଖିବା । ମୁଁ ଏବେ ପଢ଼ୁଥିଲି–କୁଆଡ଼େ ଏ ଯେତେଥର ଝିଁଝିଁ ହେଇ ବୋବେଇବ–ପ୍ରତି ସେକେଣ୍ଡରେ–ସେଇ ସଂଖ୍ୟାରେ ସଇଁତିରିଶ ଯୋଗକଲେ ଯେଉଁ ସଂଖ୍ୟାଟି ମିଳିବ ତାକୁ ଲେଖିରଖ । ଦେଖିବ ସେ ବାୟୁମଣ୍ଡଳର ଉତ୍ତାପବି କୁଆଡ଼େ ସେତିକି ଡିଗ୍ରୀ ଫାରେନ୍‍ହିଟ୍ ! ତମେମାନେ ଜାଣ ଏ କଥା ? ତେବେ ଶୁଣ–ବିଜ୍ଞାନ ଜିନିଷଟା କ’ଣ...”

 

ସାଙ୍ଗେ ସାଙ୍ଗେ ପିଲାମାନଙ୍କର ଡିମା ଡିମା ଆଖି ଦୁଇଟି ଜାକି ହୋଇଆସେ–ଏକ ନୂତନ, ଜୀବନ୍ତ କୌତୂହଳରେ ! ଘର ଭିତରକୁ ପୁଣି ଫେରିଆସେ ଜୀବନ–ଆଶା–ପରଦିନର ସକାଳପାଇଁ ଚମତ୍କାର କାର୍ଯ୍ୟକ୍ରମ !

 

ସେତେବେଳକୁ ସବୁରି ଆଖିରେ ଆଖିଏ କୌତୂହଳ ।

ଭବାନୀପ୍ରସାଦ ଆତ୍ମପ୍ରସାଦର ସହିତ ଲକ୍ଷ୍ୟ କରନ୍ତି ସେଇ ପିଲାଟିକୁ ଯେ ବିଜ୍ଞାନୀ ହେବାପାଇଁ ଧାଇଁଚି ।

ସେ କହେ, “ତୁମର ମନେଅଛି ବାପା ? ପିଲାଦିନେ ମୁଁ ଏଇ ଗଛପତ୍ର, କୀଟପତଙ୍ଗମାନଙ୍କୁ ପର୍ଯ୍ୟବେକ୍ଷଣ କରୁଥିଲି ? ମୁଁ କହୁ ନଥିଲି, ବଡ଼ ହେଲେ ମୁଁ ଜଣେ ବଡ଼ ଡାକ୍ତର ହେବି ବୋଲି ?”

ଭବାନୀପ୍ରସାଦଙ୍କର ଆଖି ପୁଣି ବୁଜି ହୋଇଆସେ । ଏକ ତୀର୍ଯ୍ୟକ ଦୃଷ୍ଟିରେ ବିଭୁପ୍ରସାଦକୁ ଲକ୍ଷ୍ୟ କରି ସେ କହନ୍ତି–

“କିନ୍ତୁ ତୋର ମନେ ଅଛି ନା ? ତତେ ଯେତେବେଳେ ମୁଁ ପ୍ରଥମକରି ଗାଁରୁ ଆଣୁଥିଲି–ତୋର ବୋଉ ମରିବା ପରେ ପରେ–ଏଇ ଅଂଶୁପାକୂଳରେ ଠିଆ ହୋଇ ତତେ ମୁଁ ହାତଠାରି ଦେଖେଇ ନଥିଲି–ଏଇ ଦେଖ୍ କଅଁଳ ନାଲିନାଲି ପତ୍ର–ନବ କିଶଳୟ–କଳକଳ ହ୍ରଦର ଜଳ–ଅଂଶୁପାର ଧୀବରର ସଙ୍ଗୀତ–ଛୋଟ ଛୋଟ ହୁଲି ଡଙ୍ଗା–ପାଣିତଳେ ଚକ୍ ଚକ୍ ହେଉଥିବା ମାଛ......ଜଙ୍ଗଲ ଭିତରେ ଛେଳି ଛୁଆର ସ୍ଵର.....ମାଁ ମାଁ...... ଚଢ଼େଇର କୁନି କୁନି ରଙ୍ଗିନ ଡେଣା.....ପାଦତଳେ ଘାସର କାକର.....ତୋର ମନେ ଅଛି ? ସେଇ ସନ୍ଧ୍ୟାରେ ତୁ ମତେ ଆଣି ଦେଖେଇଲୁ......ବାପା ! ମୁଁ ଗୋଟିଏ କବିତା ଲେଖିଚି, ଦେଖିବ ?

ଆଖି ତୋର ଜକ୍ ଜକ୍......ଏବଂ ସେତିକିବେଳୁ ମୁଁ ଚିହ୍ନିଥିଲି ତତେ । କାହିଁ ? ସେତେବେଳେତ ବଡ଼ ଡାକ୍ତରର କୌଣସିଟା ଲକ୍ଷଣ ମୁଁ ଦେଖିପାରି ନଥିଲି ତୋର ସେଇ ଆଖିରୁ ! ଏବେ ମଧ୍ୟ ମୋର ମନେଅଛି ସେଇ ପଦଟି–

ଜନମିଲୁ ଆରେ ନବୀନ ପ୍ରସୂନ

ପିତା ହୃଦ ବ୍ୟୋମ–ତାରକା ସମାନ !

ଆଃ କି ମିଠା ଧାଡ଼ି ଦୁଇଟି ! “ଶିଶୁ” ସେ କବିତା ତୋରଟି ? ଏ ଲକ୍ଷଣ କ’ଣ ଡାକ୍ତରର-?”

ବିଭୁପ୍ରସାଦ ଚୁପ୍ ହେଇଯାଏ । ତା’ର ହାତରେ ଝିଣ୍ଟିକାଟି ଖଜବଜ ହଉଥାଏ । କେତେବେଳେ ପିଲାମାନେ ନେଇଯାନ୍ତି ସେଇ ଝିଣ୍ଟିକାଟିକୁ ବଡ଼ଭାଇର ହାତରୁ ସେ ଜାଣେନା । ଟିକିଏ ବେଳପାଇଁ ହଜିଯାଏ ବିଭୁପ୍ରସାଦ । ତା’ପରେ ହଠାତ୍ ସେ ଫେରିଆସେ ଓ ଦ୍ଵିଗୁଣ ସ୍ପୃହାର ସହିତ ଆରମ୍ଭକରେ ନୂଆ ନୂଆ ଯୁକ୍ତି ତା’ର ବାପାଙ୍କ ସହିତ ।

କିନ୍ତୁ ତଥାପି ବିଜ୍ଞାନ ବା କଳା, କଳା ବା ବିଜ୍ଞାନ ଏ ଦ୍ୱନ୍ଦ୍ଵର ସମାଧାନ ହୁଏନା । ବିଭୁପ୍ରସାଦ ଅଧୀର ହୋଇଉଠେ ।

 

ତିନି

 

ଦିନ ଦୁଇଟାବେଳକୁ ଡିପାଟ୍‍ମେଣ୍ଟ ଚା’ କ୍ଳବ୍‍ରେ ଏକ ନୀରବ ଚହଳ ପଡ଼ିଯାଏ । ବ୍ୟାପାରଟା ଥାଏ ଏକ ବେନାମୀ ଚିଠି । ଶରବ୍ୟ ହୁଅନ୍ତି ପ୍ରଫେସର୍ ଜେନା–ସେଇ ଚନ୍ଦାମୁଣ୍ଡିଆ, ମୁଖଦାନ୍ତୁରା ପ୍ରଫେସର୍–ବିଭୁପ୍ରସାଦ ହେରିକାଙ୍କ ‘ପ୍ରଫେସର୍’ !

 

କିନ୍ତୁ ଏଇସବୁ ଭୁଟୁରୁଭାଟୁରୁ ଆରମ୍ଭ ହେବା ପୂର୍ବରୁ ବିଭୁପ୍ରସାଦ ଓ ନଟବର ବସିଥାନ୍ତି ଟି–କ୍ଳବ୍‍ରେ ।

 

ଛୋଟ ବଖରାଟିଏ, କଡ଼ପଟିଆ ହେଇ–ଉପରମହଲରେ । ଝରକା ପାଖରେ ବସି ବସି ଅନାଇ ହୁଏ–ଏ କଡ଼େ ଖୋଲା ପଡ଼ିଆ–ଧାଡ଼ି ଧାଡ଼ି ଦେବଦାରୁ ଗଛର ‘ଆଭେନ୍ୟୁ’, ଅନ୍ୟ କଡ଼େ କଲେଜ ଲନ୍‍ରୁ ଚେନାଏ । ବସି ବସି ଦେଖିହୁଏ କିଏ ସବୁ କୁଆଡ଼େ ଧାଇଁଚନ୍ତି ଲସରପସର ହେଇ-। ଅସଂଖ୍ୟା ଛାତ୍ର ନୂଆ ନୂଆ ମୁହଁ–ନୂଆ ରଙ୍ଗ । ନୂଆ ହସ ! ଜାତିଜାତିକା ହସ । ଜାତିଜାତିକା ନିଶ, ବେଶ, ପୋଷାକ । ଓଡ଼ିଆ, ବଙ୍ଗାଳୀ, ତେଲୁଗୁ, ତାମିଲ, ପଞ୍ଜାବୀ, ହିନ୍ଦୁସ୍ଥାନୀ, ଗୁଜୁରାଟି, କାଶ୍ମିରୀ । ଏକ ଅଦ୍ଭୁତ ମହାଜାଗତିକ ମିଶ୍ରଣ ! ଆଉ ଏପଟକୁ ଚାହିଁଲେ ଦିଶିଯାଏ ଛୋଟିଆ ପାଣି ଧାରଟିଏ ! ବଟାନିକାଲ୍ ଗାର୍ଡ଼େନ୍ ପଟର– । ରାସ୍ତା ଆରପଟେ ନାଳ । ନାଳ ଦୁଇକଡ଼ରୁ ଉଠୁଥିବ ଭଣଭଣ ଗନ୍ଧ ! ତୀବ୍ର ଗନ୍ଧ–‘ଏଚ୍‍ଟ୍, ଏସ୍’ ?

 

ବଖରାଟିର କାନ୍ଥଯାକ ଝୁଲୁଥାଏ ଫଟୋ । ଦୁଇଟି କଡ଼ରେ ଡିପାଟ୍‍ମେଣ୍ଟର ମୁଖ୍ୟମାନଙ୍କର ପ୍ରତିକୃତି । କିନ୍ତୁ ତୃତୀୟ କଡ଼ ଅର୍ଥାତ୍ କଲେଜଲନ୍ କଡ଼ର କାନ୍ଥଟି ସେଇମାନଙ୍କ ପାଇଁ ସଂରକ୍ଷିତ ଯେଉଁମାନଙ୍କୁ ଲକ୍ଷ୍ୟକରି ସେଦିନ କଥୋପକଥନ ଚାଲିଥିଲା ଦୁଇବନ୍ଧୁଙ୍କ ଭିତରେ–ବିଭୁପ୍ରସାଦ ଆଉ ନଟବର ।

 

“ଇଏ କିଏ ଜାଣିଚୁ ?” ନଟିଆ କହେ ।

 

“କିଏ ? ଏ ପରା କେକ୍ୟୁଲେ–ଯେ ଦିନେ ରାତିରେ ସ୍ଵପ୍ନ ଦେଖିଲେ ଯେ ସାପଟିଏ ଆସିଲା...ଆସିଲା ପଟାକ୍‍କିନା ଗୋଲ ବୁଲିଯାଇ ଗିଳିପକେଇଲା ନିଜ ଲାଞ୍ଜକୁ ନିଜେ ! ସକାଳକୁ ପୃଥିବୀ ଜାଣିଲା ଯେ ବେଞ୍ଜିନ୍ ଅଶୁର ରୂପ ହଉଚି ଗୋଟିଏ ମୁଦି ପରି–‘ରିଙ୍ଗ୍ ଷ୍ଟ୍ରକ୍‍ଚର୍’ ! ଏ ସେଇଟି ?”

 

“ଆରେ ନାଇଁରେ ! ସେ କେକ୍ୟୁଲେ ଟେକ୍ୟୁଲେଙ୍କ କଥା କହୁନାହିଁ ମୁଁ ! ସେଣେ ଚାହୁଁଚୁ କାହାକୁ ବୋକାଟା ଭଳି ! ଏଇ ଚାହାଁ ଚାହାଁ ଏଣେ ଯାଉଚି କିଏ ! ସେ ସେଇ ମୁରାଶାଟି ? ଏଇ ଲୁଚିଗଲା ସୂର୍ଯ୍ୟାସ୍ତମ୍ଭ ପଛପଟେ–ଏଇ ବାହାରିଲା–ଏଇ ଏଇ ଯାଃ ! ଚାଲିଗଲାତ ! ଆଃ, ଏ ଟି’ କ୍ଳବ୍‍କୁ ଏଠି ଏମିତି ଅବାଗିଆରେ କିଏ କରିଚି କେଜାଣି ! ଏଡ଼େ ସୁନ୍ଦର ଲନ୍‍ରୁ ମୋଟେ ଚେନାଏ ଦିଶୁଚିହୋ !”

 

“କାହିଁ ? କାହିଁ ?” ବିଭୁପ୍ରସାଦ ଉଠିପଡ଼େ ଚଉକିରୁ । ଧାଇଁଯାଏ ଝରକା ପାଖକୁ । ଦୀର୍ଘନିଃଶ୍ଵାସଟିଏ ଛାଡ଼ିଦେଇ ଆସେ ସେଇଠି–ଚୁପ୍ ଚୁପ୍ । ଓଜନିଆ ନିଃଶ୍ୱାସଟି ତା’ର ନିସ୍ତବ୍‍ଧରେ ଖସିପଡ଼େ ତଳକୁ–ଦୋମହଲା ତଳକୁ । ସାମାନ୍ୟ ଅଙ୍ଗାରକାମ୍ଳ ଗ୍ୟାସ୍ ଟିକିଏ । ଓଜନିଆ–ବହୁତ ଓଜନ ତା’ର ପବନଠୁଁ !

 

ଚା’ ଆସେ । ଚା’ ଆଣି ଥୋଇଦେଇ ଯାଏଁ ବୁଢ଼ା ପିଅନ ହରିଶ୍ ।

 

“କ’ଣ ବାବୁ !” ହରିଶ୍‍ର ପାଟି ଗୋଦରା ଗୋଦରା ଶୁଭେ । “ମୁହଁ ମିଠା ହଉ !” ସେ ହସିଦିଏ ।

 

“କାହାରହୋ ! ଆମର ନା ତମର !” ନଟବର ଚା’ କପ୍‍ରେ ଓଠ ମାରିଆଣି ଟାକରା ଫୁଟାଏ ।

 

ହରିଶ୍‍ର ଝିଅଟି ସେଇବର୍ଷ ମାଟ୍ରିକ୍ ପାସ୍ କରି କଲେଜରେ ନାଁ ଲେଖେଇଥାଏ । କେଜାଣି କାହିଁକି ବୁଢ଼ା ହରିଶ୍ ନଟବର ଆଡ଼କୁ ବେଳେବେଳେ ଅନାଏ–ଟିକିଏ ଲୋଭମିଶା ଆଖିରେ । ନଟବରବି ଜାଣେ ସେ କଥା । ତେଣୁ ସେ ଟିକିଏ ଗୋଡ଼ ଲମ୍ବେଇ ଟାକରା ଫୁଟାଏ ହରିଶ୍ ବୁଢ଼ା ଆଗରେ ।

 

“ଆରେ ନାଇଁହୋ ବାବୁ ! ଆମର ହବ କିଆଁ–ତମର ! ନୂଆ ପେପର୍ ବାହାରକଲ–ଏଇଲେ ତ ପଡ଼ିଥିଲା ତମକଥା–ହରନାଥବାବୁ ପ୍ରଫେସର୍ ଚା’ ଖାଇକିରି ଅଇଛିକା ପରା ଗଲେ–କ’ଣ ପେପର୍ ଦେଇଥିଲ ? କୋଉ ଜର୍ଣ୍ଣାଲ୍‍କୁ ? ବାହାରିଚି......” ହରିଶ୍, କଥା କହୁ କହୁ ତା’ର ଶୁଖିଲା ହାତଟାକୁ ବୁଲାଇ ଆଣୁଥାଏ ନଟବରର ପିଠି ଉପରେ ।

 

“ହଉ ବାବୁ, ନାଗିପଡ଼, ଏଇ କଲେଜର ନାଆଁ ରଖ.....ହରନାଥବାବୁ ହେରିକାତ କ’ଣ ଭାରି ତାରିଫ୍ କରୁଥେଲେ....କ’ଣ ସତେ ଏତେ ବୁଦ୍ଧି ଅଛି ଏଇ ଦିହରେ ?”

 

ନଟବରର ଦିହକୁ ଝାଡ଼ିଦିଏ ହରିଶ୍ତା’ର କାଠୁଆ ପାୟଲି ଦିହରେ । ଜାମାର ଚିରା କଲର ପାଖରେ ଲାଗିଥିଲା ଟିକିଏ ଅଳନ୍ଧୁ କୋଉଠୁ । ଟିପାମାରି ଝାଡ଼ିଦିଏ ହରିଶ୍ । ତା’ପରେ ସେ ଚାଲିଯାଏ ଅନ୍ୟ ଆଡ଼େ । ସେ ମୁଣ୍ଡେ ଜମିବାକୁ ଆରମ୍ଭ କରିଥିଲେ ଟୋକା ଟୋକା, ବୁଢ଼ା ବୁଢ଼ା ଲେକଚରର୍ ସବୁ । ବୋଧହୁଏ ସେଦିନର ଚାଞ୍ଚଲ୍ୟକର ସମ୍ବାଦଟିର ଆଲୋଚନା ଚାଲିଥାଏ ସେଠି-। କିନ୍ତୁ ସେ ପର୍ଯ୍ୟନ୍ତ ବିଭୁପ୍ରସାଦ ଆଉ ନଟବର ଶୁଣିପାରି ନଥାନ୍ତି ସେ ଖବରଟି ।

 

କିନ୍ତୁ ସେ ଦୁହଁଙ୍କର କଥୋପକଥନ ପ୍ରାୟ ଚାଲିଥାଏ ସେଇ ଦିଗକୁ । ହରିଶ୍ ଚାଲିଗଲା ପରେ ନଟବର ଟିକିଏ ମଉନ ହେଇଗଲା । ଚା’ କପ୍‍କବେଶ୍ ଅନ୍ୟମନସ୍କଭାବେ ଗର୍ଭସ୍ଥ କରୁ କରୁ ସେ କହିଲା–

 

‘‘କାହିଁକି କେଜାଣି ଏଇ ହରିଶ୍ ବୁଢ଼ାକୁ ଦେଖିଲେ ମୋର ମନେପଡ଼େ ମୋର ମାମୁଙ୍କ କଥା । ସେଇ ହଉଚନ୍ତି ଜଣେ ଲୋକ ଯାହାକୁ ମୁଁ ମନେରଖିଚି ସବୁଠୁ ବେଶୀ । ପିଲାଦିନେ, କଲିକତାରୁ ଗାଁକୁ ଯେବେ ସେ ଫେରୁଥିଲେ–ମୋପେଇଁ ସେ ଆଣୁଥିଲେ ବହି....ଏମିତି ପିଠିଥାପୁଡ଼େଇ ଥାପୁଡ଼େଇ ସେ କହୁଥଲେ....”

 

“ତୋର ମାମୁ କଲିକତାରେ ଥିଲେ ? ତୁ କଲିକତା ଯାଇଚୁ ? ମୋର କିନ୍ତୁ ଅଜାଥିଲେ–କଲିକତା କର୍ପୋରେସନ୍‍ରେ ୧୯୧୮ରେ ଯୁଦ୍ଧରୁ ଫେରି.... । କିନ୍ତୁ ସେ ଆମପାଇଁ ବହି ଆଣୁ ନଥିଲେ । ସେ ଆଣୁଥିଲେ ଗୁଡ଼ିଏ ଅଦ୍ଭୁତ ଖେଳନା–ଆଉ ଅଧିକାଂଶ ଥର ଗୁଡ଼ିଏ ଗୁଡ଼ିଏ ନୂଆ ଫଳଗଛ ସେ ସାଙ୍ଗରେ ଆଣୁଥିଲେ ତାଙ୍କ ଗାଁର ବଗିଚାପାଇଁ–ସେଥିରୁ ଅଧେ ରହୁଥିଲା ଆମ ଘରେ, ଅଧେ ଯାଉଥିଲା ତାଙ୍କ ଘରକୁ....ବୁଢ଼ା ମୋ ପିଠିରେ ସବୁବେଳେ ହାତ ବୁଲେଇ କହୁଥିଲା–ତୁ ଗୋଟିଏ ଜଜ୍ ହବୁ ! କାହିଁକି କେଜାଣି ! ସେ ଖେଳଣା ଆଉ ଗଛ ସାଙ୍ଗରେ ଜଜ୍ କଥା ଉଠେ କାହିଁକି କେଜାଣି ?” ବିଭୁପ୍ରସାଦ ନଟବରର ଖିଆଲକୁ ଖୋରାକ ଯୋଗାଏ ।

 

“ମୋର ମାମୁ କିନ୍ତୁ ଥିଲେ କଲିକତାର କୌଣସି ଚଟକଳର ଏକ ୟୁରୋପିଆନ୍ ମାଲିକ ବାଗାନ୍‍ର ମାଳୀ । ତାଙ୍କର ଚେହେରା ଆଉ ମୋ ଚେହେରା–ମୁଁ ଭାବୁଛି ‘‘ନୁରାଣାଂ ମାତୁଳ କ୍ରମଃ” ଏଇ କଥାଟା ଅକ୍ଷରେ ଅକ୍ଷରେ ସତ । ଭାରି ରସିକ ଲୋକ ସେ । ଜାଣୁ ? ମେମ୍ ସାହେବ ସାଙ୍ଗରେ ଟିକିଏ ଲଟପଟବି ଥାଏ ଲୋକଟାର । ସେ କି ସାହେବୀ ଜିନିଷରେ ବାବା ! ଆମ ମାମୁ ଯେତେବେଳେ ଗାଁକୁ ଫେରନ୍ତି–ଏକ ଦେଖିବାର ଜିନିଷ ! ଗୋଛାକ ଗୋଛା ରୁମାଲ୍, ନେନ୍‍ଟାଇ, ଅଦ୍ଭୁତ ପ୍ରକାର ଏସେନସ୍‍ମାନ ! ଏଃ !....ଏପରିକି ତାଙ୍କ ଜୀବନର ଶେଷ ଦିନ ମଧ୍ୟ ସେ ନିୟୁୟର୍କରୁ ଖଣ୍ତିଏ ଚିଠି ପାଇଥିଲେ–ଯାହାର ମୂଳ ଶବ୍ଦଟି ହଉଚି ‘ଡାର୍ଲିଂ’ !–ମୋର ପରା ମନେ ଅଛି !”

 

“ସେ ମଲେ କୋଉଠି ? କଲିକତାରେ ?”

 

“ନାଇଁତ ! ଆମ ଗାଁରେ ! ସେତେବେଳକୁ ଚାକିରି ଛାଡ଼ି ସାରିଥିଲେ ସେ....ଦିହରେ ଦିହେ ଘା’ । ମାନସିକ ବିକୃତିରେ ସେ ଅବଶ୍ୟ ମଲେ । କିନ୍ତୁ ସେଇ ଯୋଉ ନିୟୁୟର୍କର ଡାକଟିକଟ ମରାହେଇଥିବା ଚିଠିଟି ଭାଇ ! ଆଃ ! କି ବାସ୍ନା ସେ ଚିଠିର !”

 

“ରୋଗଟା କ’ଣ ସେଇ ମେମ୍ ସାଇବ ଆଡ଼ୁ ?”

 

“ଓଃ ! ମାରଗୁଲି ସେ ରୋଗକୁ । ମୋର ଯେତେଦୂର ଧାରଣା ସେଇଟା ସେଠୁ ନୁହ–ସେ ସାଇବ ଚାଲିଗଲା ପରେ ମାମୁ ଆସି ଯୋଉ କମ୍ପାନୀରେ ରହିଲେ–ସାଇବ ବିଲାତ ଫେରିଯିବା ପୂର୍ବରୁ ମାମୁଙ୍କୁ ଗୋଟାଏ ଭଲ ପ୍ରମୋସନ୍ ଦେଇଯାଇଥିଲା–ସେ ରୋଗଟା ବୋଧହୁଏ ସେଇଠୁ–ଛାଡ଼ ! ମୁଁ ସେ ରୋଗକଥା ଭାବେ ନାହିଁ ଆଦୌ । ମୁଁ ଯୋଉ କାଠଚମ୍ପା ଆଉ ନୀଳକଇଁର ବାସ୍ନା କଥା ତତେ ବରାବର କହେ ସେ ହେଉଚି ସେଇ ବାସ୍ନା । ସେ ବାସ୍ନାକୁ ମୁଁ ଆଦୌ ଭୁଲି ପାରିବି ନାହିଁ ସାରା ଜୀବନ । ଆମ ଗାଁରେ ଆମେ ପିଲାଏ–ଝିଅ ପୁଅ ସମସ୍ତେ ମିଶି ଯାଉ ଫୁଲତୋଳିବାକୁ–ଖୁଦୁରୁକୁଣି ଓଷାପାଇଁ । ସବୁ ଭୋଦୁଅ ମାସର ରବିବାର । ରାତି ଜାଙ୍ଗୁଲୁଜାଙ୍ଗୁଲୁ । ଓଃ ! ବଡ଼ ରୋମାଣ୍ଟିକ୍ ମନେହଉଚି ଏଇଲେ ସେ ଦିନଗୁଡ଼ିକ । ଯୋଡ଼ ପହଁରି କଇଁଫୁଲ ତୋଳୁ–ଭୋଦୁଅ ମାସରେ ଆମର ତେଣେ ଚତୁର୍ଦ୍ଦିଗ ପାଣି–ବଡ଼ ଅଦ୍ଭୁତ ରାଜ୍ୟ ସେ ତଳମାଳ–ଗୋଟିଏ ଚିତ୍ର ଦେଖିଥିବୁ ! ସରସ୍ଵତୀ ହଂସଉପରେ ବସିଚନ୍ତି....ଏକ ବିରାଟ ପଦ୍ମ–ଶ୍ଵେତ ପଦ୍ମ.....ସବୁ ଶ୍ଵେତ ସେଠି, ଆଉ ତଳେ ଏକ ସବୁଜ ଆସ୍ତରଣ–ପାଣି ! ମୁଁ ଅନୁଭବ କରୁଚି ସତେକି ସେଇ ଭାଦ୍ରବ ମାସର ପାଣିଗୁଡ଼ାକୁ–ମୋ ଦିହଉପରେ !”

 

“କିନ୍ତୁ ସରସ୍ୱତୀ ତ ଭାଦ୍ରବ ମାସରେ ନୁହେଁ....’’ ବିଭୁପ୍ରସାଦ ନଟବରର ଖାଲି ଚା’କପ୍‍କୁ ଲକ୍ଷ୍ୟକରି ହସିଦିଏ ଟିକିଏ, “ବନ୍ଧ ! ଏ ଇଥାଇଲ୍ ଆଲ୍‍କୋହଲ୍ ନୁହେଁ–ଚା’ ! ନିରୋଳା ବୃକ୍‍ବଣ୍ଡ ଚା’ ! ଯଦି ସେଥିରେ ଜୋତା ଚମଡ଼ାର ଗୁଣ୍ଡ ମିଶି ଆଧୁନିକ ପ୍ରଣାଳୀରେ ଅପମିଶ୍ରିତ ହୋଇ ନଥାଏ ଅବଶ୍ୟ ।”

 

କିନ୍ତୁ ନଟବରର କାନ ନଥାଏ ବିଭୁପ୍ରସାଦ ରହସ୍ୟ ଆଡ଼କୁ । ସେ ଥାଏ ତା’ର ସ୍ଵତନ୍ତ୍ର ରହସ୍ୟମୟ ଜଗତରେ ସେତେବେଳେ–

 

“ଓଦା ସଡ଼ସଡ଼–କାକର ସାଲୁବାଲୁ–ଆମ ସାଙ୍ଗେ ଥାନ୍ତି ବହେ ଝିଅପିଲା–ସବୁ ଲେଖାଯୋଖା ଭଉଣୀ, ପିଉସୀ, ମାଉସୀ–ଏକା ବୟସର–ରାତି ପାହି ପାହିଆସୁଥାଏ–ଏକ ସାଙ୍ଗେ ଚାଲୁଥାଉ ଆମେ ନସରପସର ହେଇ–ପୁଅ ଝିଅ–ଝିଅ ପୁଅ–ଦିହକୁ ଦିହ ଲାଗିବାକୁ ବାଧ୍ୟ ହଉଥାଏ । କାରଣ ଆମର ଚାରିପାଖେ ବେଢ଼ିଥାଆନ୍ତି, ଆମ ସାରା ଗାଁର, ଅନ୍ଧାର ଗୁଡ଼ୁଗୁଡ଼ିଠୁଁ ଆରମ୍ଭ କରି ମଶାଣିଚଣ୍ଡୀ ପର୍ଯ୍ୟନ୍ତ ଅସଂଖ୍ୟ ଯୋଗିନୀ ।

 

ଫୁଲ ଚାଙ୍ଗୁଡ଼ିରୁ ଚହଲି ଉଠେ ଫୁଲ । ଠୋପା ଠୋପା କାକର ଆଉ ପାଣି ଝରିପଡ଼େ ନୀଳକଇଁଗୁଡ଼ିକର କଅଁଳ ପାଖୁଡ଼ାରୁ । ଆଉ କାଠ ଚମ୍ପା ? ତା’ ନାଁ କାଠ ଅବଶ୍ୟ କିନ୍ତୁ କାଠ ନୁହେଁ ଭାଇ କାଠ ନୁହେଁ–କି ମହକ ।

 

ହଠାତ୍ ମୁଁ ଆବିଷ୍କାର କରେ ମୋ ପେଣ୍ଟ୍ ପକେଟ ଭିତରେ ସତେକି କ’ଣ ରହିଯାଇଚି । ମୋର ସେ ବଦଭ୍ୟାସ ଏପର୍ଯ୍ୟନ୍ତ ମଧ୍ୟ ଅଛି । ପେଣ୍ଟ୍ ପକେଟରେ ଥରେ ମ୍ୟାଟ୍ରିକ୍ ସାର୍ଟିଫିକେଟ୍ ରଖି ଗାଧୋଇ ପଡ଼ିଥିଲି ମୁଁ ।

 

କିନ୍ତୁ ସେଦିନ ପେଣ୍ଟ୍ ପକେଟରେ ମୁଁ ଆବିଷ୍କାର କରେ ଖଣ୍ଡିଏ କାଗଜର ପଲ୍‍ପ୍‍ । କିନ୍ତୁ ତା’ରି ସାଙ୍ଗରେ ଥିଲା ଆଉ ଖଣ୍ଡିଏ ନିଖୁଣ କାଗଜ–କାଳିଟା ଟିକିଏ ଭେସେରା ହେଇଯାଇଥିଲା ଅବଶ୍ୟ–କିନ୍ତୁ ବେଶ୍ ପଢ଼ିହେଉଥିଲା ସେଇଟା... ‘ଡାର୍ଲିଂ !’ .....ସେଇ ନୀଳକଇଁ ଆଉ କାଠଚମ୍ପାର ବାସ୍ନା ସହିତ ମିଶିଯାଇଥାଏ ସେ–ମାମୁଙ୍କ ଚିଠିଟି । କିନ୍ତୁ ଭାଇ, ମୁଁ ଆଉ ପଢ଼ିପାରି ନାହିଁ–ସେଇ ଯୋଉ ଆର କାଗଜଟି ପଲ୍‍ପ୍‍ ହେଇ ଯାଇଥିଲା । ତାକୁ ପଢ଼ିପାରି ନାହିଁ–ସେଇଟା ଯେ କ’ଣ, ଆଉ କିଏ ଗୁଞ୍ଜି ଦେଇଥିଲା ସେଖଣ୍ଡିକ.....ସେଇ ଭୋଦୁଅ ସକାଳରେ.... ।”

 

ସେମାନଙ୍କର ଗପ୍‍ସପ୍‍ ବେଶ୍ ଏକ ରୋମାଣ୍ଟିକ୍ ପରିଣତି ଆଡ଼କୁ ମୁହେଁଇ ଯାଉଥାଏ । ଶିରାପ୍ରଶିରାରେ ଚା’ର ଉତ୍ତେଜକ କାଫେନ ଆଲ୍‍କାଲଏଡ଼୍ (ଚା’ର ରାସାୟନିକ ଦ୍ରବ୍ୟଗୁଣ) ଆରମ୍ଭ କରି ଆସୁଥାଏ କଥାବାର୍ତ୍ତା ।

 

ଏହି ସମୟରେ ସେଠି ଆସି ପହଞ୍ଚିଯାନ୍ତି ମି: ଶେଠୀ ।

 

“କିଓ ବିଭୁପ୍ରସାଦ ! ନଟବର ! ଶୁଣିଚ ? ତମ ବୁଢ଼ାତ କ’ଣ ନାଚୁଚି ! ଚିଠି ଦେଖିଲଣି-? ବୁଢ଼ା ଦେଖେଇ ନାଇଁ ତମକୁ ? ଆଶ୍ଚର୍ଯ୍ୟ ! ଡିପାଟ୍‍ମେଣ୍ଟ ସାରା ଚହଳ ପଡ଼ିଚି–ସେଇ ଗୋଲାପୀ ଲଫାଫା ! ଆଉ ମହମହ ବାସୁଚି ସେ ଚିଠି ଖଣ୍ଡକ–ତମେ ଜାଣିନ ?”

 

“କୋଉ ଚିଠି ?” ନଟବରର ମୁହଁରୁ ସିକ୍‍ଲ ଖସିପଡ଼େ ହଠାତ୍ ।

 

ଅଧ୍ୟାପକ ଶେଠୀ ଖିଲ୍ ଖିଲ୍ ହୋଇ ହସୁଥାନ୍ତି । ତାଙ୍କର ଆଖିରେ ସେଇ ନିର୍ଦ୍ଦୋଷ ଚାହାଣି । ଓଠରେ କିନ୍ତୁ ସେଇ ସୀମାହୀନ ବୟସର ହସ–୧୮ ରୁ ୮୦ ! ଚଗଲା ଆଉ ବୁଦ୍ଧିଦୀପ୍ତବି !

 

ମି: ଶେଠୀଙ୍କୁ ବେଳେବେଳେ ଧରି ପାରିବା ମହାନ୍ ମୁସ୍କିଲ୍ । ସେ ତୁମର ଆଙ୍ଗୁଠି ଭିତରେ ଖସିଯାନ୍ତି ମେଞ୍ଚାଏ ଗେଣ୍ଡାଳିଆ ଦଳ ଭଳି–ସେଇଠି ଥାଏ ପୁଣି ଦେଖିଲାବେଳକୁ ନଥାଏ–ଥଲଥଲିଆ ଜେଲି ଭଳି !

 

ନଟବର ବେଶ୍ ଉତ୍କଣ୍ଠିତ ହୋଇ ପଡ଼ିଥାଏ । କାରଣ ସେ ଆଶଙ୍କା କରୁଥାଏ ଯଦି ତା’ ନାଁରେ କିଛି ସେଭଳି ଗୋଲାପୀ ଚିଠି ସତେ ସତେ କୋଉଠୁ ଆସିଯାଇଥାଏ ଆଉ ସେ ଚିଠିଟି ଦୈବାତ୍ ବୁଢ଼ାର ହସ୍ତଗତ ହୋଇଥାଏ–

 

କିନ୍ତୁ ସେ ହଉଚି ପ୍ରକୃତରେ ବିଭୁପ୍ରସାଦ ଯେକି ଭୟରେ ଥରହର ହେବାକୁ ଆରମ୍ଭ କରି ଦେଇଥାଏ । କାହିଁକି କେଜାଣି ସେ ସେତେବେଳକୁ ଦୃଢ଼ନିଶ୍ଚିତ ହୋଇ ସାରିଥାଏ ସେ ବାସ୍ତବିକ ସେ ଚିଠିଟି ହଉଚି ତା’ ନିଜର ଓ ସବୁଠୁ ବେଶି ମାରାତ୍ମକ କଥା ହଉଚି ସେ ଚିଠି ବିଷୟରେ ଯେ, ତାହା ପୁଣି ବୁଢ଼ାର ହସ୍ତଗତ ହୋଇ ସାରିଛି ।

 

“ଗଲା ଭାଇ ଏଥରକ ରିସର୍ଚ୍ଚ ଗଲା ଚୁଲିକି !” ବିଭୁପ୍ରସାଦ ଆଉ ନିଜକୁ ସମ୍ଭାଳି ନପାରି ଉଦ୍‍ଗାରି ପକେଇଲା–‘‘ମୁଁ ମନା କରୁଚି ବାପାଙ୍କୁ ! ମୋର ବାହାଫାହା ହବାର ଦରକାର ନାହିଁ । ମୋଟଉପରେ ସେ ଶବ୍ଦଟି ଉଚ୍ଚାରଣ କରିବା କଥା ନୁହେଁ ଏଇ ଘଡ଼ିସନ୍ଧିବେଳାରେ ! ଗଲା ! ସବୁ ପାଉଁଶ ହେଇଗଲା ।”

 

ନଟବର ଡିମା ଡିମା ଆଖିରେ ଅନାଏ ବିଭୁପ୍ରସାଦକୁ । ତା’ର ସ୍ଵର ସାମାନ୍ୟ ଆଶ୍ଵସ୍ତ । ତଥାପି ସେ ମୁକ୍ତ ହୋଇ ନଥାଏ ତା’ର ହୃଦ୍‍ଯନ୍ତ୍ରର ଅବାଧ ପ୍ରତିକ୍ରିୟାରୁ । ନିଃଶ୍ଵାସ ରୋକି ସେ ପଚାରେ–

 

“ସେଇଟା ତାହାହେଲେ ତୋର ?”

 

ତଳକୁ ମୁହଁପୋତି, ମାଟିରେ ଜୋତା ଘୋଷାରି ଘୋଷାରି ବିଭୁପ୍ରସାଦ ଲଜ୍ଜିତ କଣ୍ଠରେ ଉତ୍ତର ଦିଏ–“ନୁହେଁତ ଆଉ କାହାର ହୋଇଥିବ ଭାଇ ? ମୁଁ ଜାଣେ–ଏ ସବୁ ଅପଦସ୍ଥ କଥା ସେଇ ଗୋଟିଏ ଲୋକ ଯୋଗୁଁ ନିଶ୍ଚିୟ !”

 

ତା’ପରେ ତା’ର କ’ଣ ହେଲା କେଜାଣି, ହଠାତ୍ ଉତ୍ତେଜିତ ହୋଇଉଠି ବିଭୁପ୍ରସାଦ କହି ଉଠିଲା–

 

“ମୁଁ ଜାଣେ ! ପିଲାଦିନୁ ସେଇ ଗୋଟାଏ ଲୋକ ମୋ ପିଛା ପଡ଼ିଚି ଯେ ପଡ଼ିଚି ! ଓଃ ! ହେ ଭଗବାନ ! ନିସ୍ତାର ନାହିଁ ? ୟାଙ୍କୁ ବାପ କହନ୍ତି ? ଗୋଟାଏ ଲୋକର ଇଚ୍ଛା–ମୁଁ ବିଜ୍ଞାନ ନ ପଢ଼େ ! ଲାଗିଚି ଯେ ଲାଗିଚି ! ଗଲା ଜାଣ ମୋ ରିସର୍ଚ୍ଚ ! କିଏ କହୁଥିଲା ୟାଙ୍କୁ–ମୋର ବିନାନୁମତିରେ ଏଭଳି ଏକ ପ୍ରସ୍ତାବ ଆଣିବାପାଇଁ ହୋ ! ଭାରି ବାପ ୟେ !”

 

ମି: ଶେଠୀ କୁରୁଳି ଉଠନ୍ତି । ତାଙ୍କର ହସରେ ଟିକିଏ ଗାଉଁଲିଥଟା ପରିହାସର ସ୍ପର୍ଶବି ଥାଏ ।

 

ବିଭୁପ୍ରସାଦ ଆହୁରି ଉତ୍ତେଜିତ ହୋଇଉଠି କୁହେ–

 

“ଆପଣମାନେ ଜାଣନ୍ତି ନାହିଁ ମୋ ବାପାଙ୍କୁ ! ସେ ସବୁକିଛି କରି ପାରନ୍ତି । ଥରେ–ପିଲାଦିନେ ମୁଁ ଗାଁରେ ଥାଏ ଆଉ ସେ ଦୂରରେ ଚାକିରି କରୁଥାନ୍ତି । ତାଙ୍କର ଇଚ୍ଛା ହେଲା ମତେ ଦେଖିବାପାଇଁ । କିନ୍ତୁ ସେମିତି ଡାକିଲେ କାଳେ ମୁଁ ନଯିବି ବୋଲି ସେ ଆଉ ଜଣକ ହାତରେ ଲେଖେଇ ଥିଲେ...‘‘ଜଲଦି ଆସିବ, ବାପାଙ୍କୁ ଦେଖିବାର ଇଚ୍ଛା ଥିଲେ !” ହାୟ ! ସେ ଚିଠି ପଢ଼ିଲାମାତ୍ରେ ମୋର ମନ କ’ଣ ହେଲା ଜାଣିଚ ? ମତେ ଶୁଣାଗଲା ସତେ ଯେପରି ଶୂନ୍ୟରୁ କେହି କାନ୍ଦି କାନ୍ଦି ଡାକୁଚି...

 

“ହା ରାମ ! ହା ରାମ !” –ଅଯୋଧ୍ୟାର ଦଶରଥ ମହାରାଜଙ୍କର ସ୍ୱରରେ ! ହୁଏତ ଏ ବି ସେହିଭଳି ଏକ ଫିକର ! –ବାହା ହବାପାଇଁ ମତେ ଯୋଉଠୁ ରାଜି ନ କରେଇ ପାରିଲେ, ହୁଏତ ସେଇ ଝିଅଟିକୁ ଶିଖେଇଚନ୍ତି ସେ !”

 

ମି: ଶେଠୀ ହଠାତ୍ ଚୁପ୍ ହୋଇଯାନ୍ତି । ତାଙ୍କର ମୁହଁଟା ମାଡ଼ି ମାଡ଼ି ପଡ଼େ । ବେଶ୍ ବିରକ୍ତ ହୋଇ ସେ କୁହନ୍ତି–

 

“ବିଭୁପ୍ରସାଦ ! ବୃଥାରେ କିଛି ନଜାଣି ନଶୁଣି ବୁଢ଼ା ଲୋକଟିକୁ ନିନ୍ଦା ଦିଅନା । ମୁଁ ଜାଣେ–ମୁଁ ଦେଖିଛି ତମ ବାପାଙ୍କୁ ! ତାଙ୍କ ସଙ୍ଗେ କଥାବାର୍ତ୍ତାହେଇଚି । ସେ ଏମିତି ତମରି ଭଳି ନାକକାନ୍ଦୁରା ନୁହନ୍ତି । କାହିଁକି ? ସେତ ତୁମ ବିଷୟରେ ଖୁବ୍ ଗପନ୍ତି । ପୁଅକୁ ଫରେନ୍ ପଠେଇବେ–ସେ ବିଜ୍ଞାନରେ ପଛେ ଜଣେ ବିରାଟ ପଣ୍ଡିତ ହଉ ମାତ୍ର ଅନର୍ଗଳ ବକ୍ତୃତା କରୁ......ଏମିତି ତ ସେ କହନ୍ତି ତୁମ ବିଷୟରେ । କିନ୍ତୁ ତୁମେ ଆଜି ତାଙ୍କର ଏଭଳି ନିନ୍ଦାଗାନ କାହିଁକି କରୁଚ ? ତା’ଛଡ଼ା ସେ ଚିଠି...ତମେ ଜାଣିଚ ସେ ଚିଠିଟି କ’ଣ ? କାହିଁକି ଆସିଚି ଆଉ କାହାପାଖକୁ ଆସିଚି ? ୟା ପଛଆଡ଼େ ଅଛି ପଲିଟିକ୍‍ସ୍ !”

 

“ପଲିଟିକ୍‍ସ୍ ।” ଏତେବେଳକେ ନଟବରର ପାଟି ଫିଟେ । ବ୍ୟଗ୍ରହୋଇ ବିଭୁପ୍ରସାଦ ପଚାରେ–“ସେ ଚିଠିଟା ତେବେ କାହାର ? ଖୋଦ୍ ବୁଢ଼ାର ।”

 

“ମୁଁ ତ ପ୍ରଥମରୁ ସେଇଆ କହୁଚି ! ପୁଣି ବେନାମୀ !” ମି: ଶେଠୀ ହରିଶ୍‍କୁ ଲକ୍ଷ୍ୟକରି ଦୂରରୁ ଆଦେଶ ଦିଅନ୍ତି, “ହୋ ହରିଶ୍ ! ଆଉ କପେ କପେ ଚା’ ଲଗାଅ ! କପେ କପେ ଚା’ ଧଇଲା ନାହିଁ ବାବୁମାନଙ୍କୁ ।”

 

ହଠାତ୍ ଗୋଟାଏ ରେଳଇଞ୍ଜିନ୍ ଷ୍ଟେସନ୍ ୟାର୍ଡ଼ ଭିତରକୁ ଧସେଇ ପଶିଲାପରି ପଶି ଆସେ ମନମୋହନ । ହାତରେ ତା’ର ଗୋଟାଏ ବିରାଟ ଲଫାଫା–By Luft Post–ଜର୍ମାନୀର ହାବାଇ ଜାହାଜ ଡାକ ମୋହରଦିଆ ଚିଠି ଖଣ୍ଡିଏ । ପଛେ ପଛେ ତା’ର ପଞ୍ଝାଏ ଟୋକା ଅଧ୍ୟାପକ–ଜର୍ମାନୀ ବିଷୟରେ ଜିଜ୍ଞାସୁ ଦଳ ।

 

ଆରମ୍ଭ ହୁଏ ଦ୍ଵିତୀୟ ଅଧିବେଶନ–ଟି–କ୍ଳବ୍‍ରେ ।

 

ନିଜପାଇଁ କପେ ଚା’ ବରାଦ ଦେଇ ମନମୋହନ ଆସନ ଅଳଙ୍କୃତ କରେ–ଟୋକା ଅଧ୍ୟାପକମାନଙ୍କ ଭିତରେ ।

 

ନଟବରକୁ ଉଦ୍ଦେଶ୍ୟକରି ଅବଶ୍ୟ ପ୍ରଥମେ ଗୋଟାଏ ବାଣ ମାରେ–ମନମୋହନ । ଆଗରେ ତା’ର ସେଇ ବିରାଟ ନେଳି ଜର୍ମାନୀ ମୋହରଦିଆ ଲଫାଫା ଆଉ ତା’ ଉପରେ ସେଇ ଉଡ଼ାଜାହାଜ ଛବିଟି ।

 

“କ’ଣ ମିଃ ଶେଠୀ ! ଆପଣଙ୍କର ନୂଆ ପେପର୍‍ଟି କେବେ ପୁଣି ପବ୍ଲିକ୍ ହଉଚି ? ଡ: ଶର୍ମା ତ କ’ଣ କହୁଥିଲେ ଆଉ ମାସ ଛଅଟା ଭିତରେ ହେଇ ଯାଉଚି–ପିଏଚ.ଡ଼ି !”

 

ଡ: ଶର୍ମା ହେଉଚନ୍ତି ଅଧ୍ୟାପକ ଶେଠୀଙ୍କର ପ୍ରଫେସର୍ ଓ ଗବେଷଣାର ନିର୍ଦ୍ଦେଶକ ।

 

“ସତେ !” ମି: ଶେଠୀ ମଧ୍ୟ ଉଠି ପଡ଼ନ୍ତି । ଅଇଁଠା ଚା’ କପ୍‍କୁ ପଛରେ ଛାଡ଼ିଦେଇ ସେ ଉଠିଆସି ଯୋଗ ଦିଅନ୍ତି ମନମୋହନର ଦଳରେ ।

 

ନଟବର ଆଉ ବିଭୁପ୍ରସାଦ ଦୁହିଁଙ୍କୁ ଏକପଟିଆ କରି ମନମୋହନ ଆରମ୍ଭ କରେ ଆଲୋଚନା ।

 

“ସତେ ଡକ୍‍ଟର୍ ଶର୍ମା କହୁଥିଲେ ? ତୁମେ କ’ଣ ଡ: ଶର୍ମାଙ୍କ ପାଖକୁ ଯାଇଥିଲ ମନମୋହନ ?” ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି ମି: ଶେଠୀ । କାରଣ ସେଇଟା ହେଉଚି ବୋଧହୁଏ ସେ କଲେଜ ଇତିହାସରେ ପ୍ରଥମ ଘଟଣା ଯେତେବେଳେ ଡ: ଜେନାଙ୍କର ଜଣେ ଛାତ୍ରକୁ ଏଡ଼େ ବଡ଼ ବିଶ୍ଵାସର କଥାଟିଏ ହୁଏତ କହିଥିବେ ଡ: ଶର୍ମା ।

 

୧୯୬ ର ଏକ ପୋଲଫାଙ୍କିଆ ହାୱାଇନ୍ ଆଉ ହାୱାଇନ୍ ସ୍ଲିପର୍ ଭିତରକୁ ଖଜବଜ ହୋଇ ଜଣେ ତରୁଣ ଅଧ୍ୟାପକ ଅସହିଷ୍ଣୁ ସ୍ଵରରେ ମନମୋହନର ଦୃଷ୍ଟି ଆକର୍ଷଣ କରି ପଚାରନ୍ତି–

 

“ଆଃ ! ଛାଡ଼ ! ଏଠାକା କଥା ଛାଡ଼ ବାବା ! ଏତ କଲେଜ ନୁହେଁ–ତା’ ଘର–ରୀତିମତ ବାଡ଼ିଆବାଡ଼ି ଏଠି ‘କଷ୍ଟମର୍’ ପାଇଁ–ଛାଡ଼ । ବର୍ତ୍ତମାନ କୁହତ ଭାଇ ମନମୋହନ ! ଗୋଟାଏ ସ୍କଲାର୍‍ସିପ୍ ଆମପାଇଁ ମିଳିପାରିବ ନାହିଁ ? ମୋର ଇଚ୍ଛା ଆମେରିକା ‘the place of plenty–ପ୍ରାଚୁର୍ଯ୍ୟର ଜାଗା–ଟିକିଏ ଲୁହ ଆମପାଇଁ ତମ ବାପାଙ୍କୁ !”

 

ଲୋକଟି ଆଡ଼କୁ ଟିକିଏ ତୀକ୍ଷ୍ଣଦୃଷ୍ଟିରେ ଚାହିଁ ଅଧ୍ୟାପକ ଶେଠୀ ପୁଣି ଫେରି ଫେରି ଚାହାନ୍ତି ପଛକୁ–ନଟବର ଆଉ ବିଭୁପ୍ରସାଦ ଆଡ଼କୁ । ପଛରୁ ସେ ଦୁହେଁ ଆଖିମିଟିକା ମାରନ୍ତି ମି: ଶେଠୀଙ୍କୁ । ମି: ଶେଠୀ ଟିକିଏ ହଡ଼ବଡ଼େଇ ଯାନ୍ତି ଓ ପୁଣି ଠାକିଯାନ୍ତି ସେଇ ଅଧା–ସ୍ଵର୍ଗରେ ।

 

“ଆପଣ ଜାଣନ୍ତି ? ଡ: ଶର୍ମା ବୋଧହୁଏ ଖୁବ୍ ନିକଟରେ......” କାହିଁକି କେଜାଣି ମନମୋହନର ସ୍ଵର ଟିକିଏ ଦବି ଆସେ । ସେ ଏକଡ଼ ସେକଡ଼କୁ ଚାହେଁ ଓ ଢୋକି ପକାଏ ପୁଣି କଥାଟାକୁ ।

 

ହଠାତ୍ ବିଭୁପ୍ରସାଦ ଓ ନଟବର ଦିହିଁକାଦିହେଁ ପରସ୍ପରର ଆଖିକୁ ଲକ୍ଷ୍ୟ କରନ୍ତି ଓ ଏକ ଏକ ତୀବ୍ର କଟାକ୍ଷ ଅଦଳବଦଳ କରି ସେମାନେ କାନେଇ ରହନ୍ତି ।

 

ଏହି ସମୟରେ ମନମୋହନକୁ ଘେରି ରହିଥିବା ଗ୍ରହାଣୁପୁଞ୍ଜରେ ଆରମ୍ଭ ହୁଏ ଏକ ଜୀବନ୍ତ ସ୍ପନ୍ଦନ–ଅସଂଖ୍ୟ ବେକ ଚିପା ଗୁଞ୍ଜନ । ପ୍ରତ୍ୟେକଟି ଲମ୍ବା ବେକ ଲମ୍ବିଯାଏ ମନମୋହନର କାନ ଆଡ଼କୁ ।

 

ରୀତିମତ ଏକ ପ୍ରାସାଦ ବିପ୍ଳବର ସୂଚନା । ଅସଂଖ୍ୟ ଗୁପ୍ତ ମନ୍ତ୍ରଣା–କଳ୍ପନା, ଜଳ୍ପନା–ଜିଦି ପକାପକି–ହାତ ଛନ୍ଦାଛନ୍ଦି । କିଏ ଯେ ସେଠି ବାସ୍ତବିକ କେଉଁ ପଟର କେହି ଜାଣେନା । ତେଣୁ ଛକାଛକି, ଜଗାଜଗି ମଧ୍ୟ ଅନେକ ସେଠି । ଜଣେ ଅଧେ କିଏ ଭୟରେ ଉଠି ପଳାନ୍ତି ସେଠି–ମନେମନେ ଭାବି ଭାବି–“ଆମର ଯାଏଁ କେତେ ଆସେ କେତେହୋ ! ଆମେ ଟିକି ଜୀବନିଆ ମାଷ୍ଟର–ଆମେ ଚୁଙ୍ଗୁଡ଼ି; ଚିପିଦେବ ଯଦି କିଏନା–ଆମ ମୁଣ୍ଡକୁ !”

 

ମି: ଶେଠୀ ବୁଝିପାରନ୍ତି ନାହିଁ । ଖୁସି ହେବେ କି ଦୁଃଖ କରିବେ । ସେ କିନ୍ତୁ ଭାଙ୍ଗିପଡ଼ନ୍ତି ଏକ ଅଜଣା ଆଶଙ୍କାରେ ।

 

“ମନମୋହନର ବାପା ! ଆରେ ବାପ୍ ଅସାଧ୍ୟ ସାଧନ କରିପାରନ୍ତି ସେ ।” ଜଣେ ଟୋକା ଅଧ୍ୟାପକ ମନମୋହନ ହାତରୁ ସେଇ ନେଳି ଲଫାଫାଟାକୁ ନେଉ ନେଉ କହନ୍ତି, “କିନ୍ତୁ ଏଥର ଦେଖିବ । ଡିପାଟ୍‍ମେଣ୍ଟ କେମିତି ଚଳିବ । ଖାଲି ଡ: ଶର୍ମା ଆସି ଯାଆନ୍ତୁ ନା ମୁଖ୍ୟ ପ୍ରଫେସର୍ ହେଇକରି ।”

 

ମି ଶେଠୀ କିନ୍ତୁ ଚୁପ୍‍ ହୋଇ ରହିପାରନ୍ତି ନାହିଁ । ସାମାନ୍ୟ ପ୍ରତିବାଦ କରିବା ସ୍ଵରରେ ସେ କହନ୍ତି–“କିନ୍ତୁ ମନମୋହନ ! ଏ କ’ଣ ସତ ? ଏ କଥା ହବ କେମିତି ? ଡ: ଜେନା ଥାଉଁଥାଉଁ.....”

 

ମନମୋହନ ଚୁପ୍‍ରହେ । ତା’ର ଆଙ୍ଗୁଠି ଅଗରେ ସେ ପରୀକ୍ଷା କରୁଥାଏ ତା’ର ସେଇ ‘ଟେରିଖଦଡ଼’ କନାର ଟିପ୍‍ଟିପ୍ ଚିରା ଜାଗାଗୁଡ଼ିକୁ । ତା’ର ସେଇ କୋକିଶିଆଳିଆ ଆଖି ନେଇ ସେ ଥରେ ଥରେ ପରୀକ୍ଷା କରୁଥାଏ ତା’ର ଶ୍ରୋତାବର୍ଗର ମୁହଁକୁ । କେହି ଜାଣେନା–ସେ ଦୁଃଖିତ ବା ଆନନ୍ଦିତ ।

 

ସେତେବେଳକୁ କିନ୍ତୁ ନଟବର ଦବିଯାଇଥାଏ ଅନେକ । ମି: ଶେଠୀ ଶିହରି ଉଠୁଥାନ୍ତି ଅଜଣା ଭୟରେ ।

 

ମନମୋହନ ତା’ର ସେଇ ଛଳନାମୟ ଦ୍ୱୈତସ୍ଵରରେ କହେ–

 

“ଡ: ଜେନା କିନ୍ତୁ ମତେ ଅଭୟ ଦେଇଚନ୍ତି–ପିଏଚ.ଡ଼ି. ନିଶ୍ଚିତ ।”

 

“ଆଉ ଏଣେ ଡଃ ଶର୍ମାବି” ହସି ହସି ଟୋକା ଅଧ୍ୟାପକଟିଏ ଯୋଗକରେ ।

 

“ତାହାହେଲେତ ଡି.ଏସ୍‍ସି. ହେଇଗଲା !” ମି: ଶେଠୀ କ୍ଷୀଣ, ଭୀରୁ କଣ୍ଠରେ ଅନୁଯୋଗ କରନ୍ତି ।

 

ହଠାତ୍ କ’ଣ ସବୁ ବିଗିଡ଼ିଯାଏ ମନମୋହନର ମୁଣ୍ଡରେ ସେତିକିବେଳେ । ମି: ଶେଠୀଙ୍କ ଆଡ଼କୁ ଲକ୍ଷ୍ୟକରି ସେ କହେ–

 

“ମୁଁ କିନ୍ତୁ ଖାତିର କରେନା ଏଇ ସବୁ ଶସ୍ତା ପିଏଚ.ଡ଼ି., ଡି.ଏସ୍‍ସି. ଡିଗ୍ରୀ ମିଗ୍ରୀକୁ ! କାରଣ ରିସର୍ଚ୍ଚ କରିବା ଉଦ୍ଦେଶ୍ୟ ତ ମୋର ନୁହେଁ ଏଇ ଗୋଟାଏ ଦି’ଟା–ଇନ୍‍କ୍ରିମେଣ୍ଟ ଟଙ୍କାପାଇଁ । ମୁଁ ପରବାୟ କରେନା ଟଙ୍କାପେଇଁ । ମୁଁ ଚାହେଁ ଆତ୍ମସମ୍ମାନ । ମଣିଷ ପକ୍ଷରେ ସମ୍ମାନହିଁ ବଡ଼ । ବର୍ତ୍ତମାନ ଯଦି ମୁଁ ଇଚ୍ଛାକରେ ଆମେରିକା, ଇଂଲଣ୍ଡରୁ ଗଣ୍ଡାଗଣ୍ଡା ପିଏଚ.ଡ଼ି. ଡିଗ୍ରୀ ଖରିଦ କରି ଆଣିପାରେ–ଏପରିକି ନୋବେଲ୍ ପ୍ରାଇଜ୍ ।”

 

ଏଇ ସବୁ ହେଉଛି ଗୋଟିଏ ଗୋଟିଏ ମୁହୂର୍ତ୍ତ ଯେତେବେଳେ ମନମୋହନର ଆସ୍ପର୍ଦ୍ଧା ବଳିପଡ଼େ ମହାଅଭିମାନୀ ଦୁର୍ଯୋଧନର ଅହଂକାରକୁ ।

 

ନଟବର ଗୁମ୍‍ମାରି ବସିଥାଏ । ସେ ଜାଣିଥାଏ ମନମୋହନର ବାସ୍ତବ ରାଗଟା କାହା ଉପରେ । ମନମୋହନର ସମସ୍ତ ଅନୁନୟ ସତ୍ତ୍ଵେ ଡଃ ଜେନା ନଟବରର ପେପର୍‍କୁ ସର୍ବପ୍ରଥମ ସ୍ଥାନଦେଇ ସେଇ ଯୋଉ ମତାମତ ଦେଇଥିଲେ ଜର୍ଣ୍ଣାଲ୍‍କୁ ପଠାଇବା ପୂର୍ବରୁ–

 

“ତୁମେ ବରଂ ଟିକିଏ ଅପେକ୍ଷା କର ମନମୋହନ । ପିଏଚ.ଡ଼ି.ଟାକୁ ଏଭଳି ବ୍ୟବସାୟିକ ବା କମର୍ସିଆଲ କରି ନଦେଇ ମୁଁ ଭାବୁଛି ଜଣ ଜଣ କରି ଦେବା ଉଚିତ । ତୁମର ପାଳି ପଡ଼ିବ ନିଶ୍ଚୟ । କିନ୍ତୁ ଧୈର୍ଯ୍ୟ ଧର ! ପ୍ରଥମେ ଯିବ ନଟବର ।”

 

“କାହିଁକି ସାର୍ ? ନଟବର କାହିଁକି ଆଗରେ ?” ମନମୋହନର ସ୍ଵର ଟିକିଏ ଥରିଉଠେ ସେତେବେଳେ–ଡ: ଜେନାଙ୍କର ସେଇ ଅଦ୍ଭୁତ ମନ୍ତବ୍ୟରେ ।

 

“କାରଣ ନଟବର ଆଉ ତୁମେ ଦୁହେଁ ଯଦି ଦୁଇଟି ମଲ୍ଲଯୁଦ୍ଧର ଖେଳାଳି ହୁଅ ଓ ତୁମ ଦୁହିଁଙ୍କର ମାଂସପେଶୀର ଶକ୍ତି ସମାନ ବୋଲି ବିବେଚିତ ହୁଏ, ତାହାହେଲେ ମୁଁ ମତ ଦେବି ଯେ ସେ ହଉଚି ନଟବର ଯେ କି ପ୍ରକୃତରେ ଖେଳରେ ଜିଣିଲା ।”

 

“କାହିଁକି ସାର୍ ?” ସେଦିନ ବିଭୁପ୍ରସାଦ ମଧ୍ୟ ସମ୍ଭାଳି ପାରେ ନାହିଁ । ଅଧ୍ୟାପକ ଜେନାଙ୍କର ସେଇ ଯୁକ୍ତିକୁ ।

 

“କାରଣ” ବେଶ୍ ସ୍ଥିର ଆଉ ଶୀତଳ ସ୍ଵରରେ ନିଜର ମତକୁ ଦୃଢ଼ୀଭୂତ କରନ୍ତି ଡ: ଜେନା-। “କାରଣ–ତୁମର ମାଂସପେଶୀ ଯଦି ତିଆରି ହେଇଥାଏ ପାଞ୍ଚସେର ଛେଳିମାଂସ, ଡଜନେ କୁକୁଡ଼ା, ଶହେଟି ଅଣ୍ଡା, ଦି’ସେର ଦୁଧ, ବେତାଏ ସେଓ ଓ ନାସପାତି ଆଉ ହରେକ ରକମର ଭିଟାମିନ୍‍ଯୁକ୍ତ ପାନୀୟରୁ, ନଟବରର ସେଇ ମାଂସପେଶୀ ହୁଏତ ତିଆରି ହୋଇଛି ସାମାନ୍ୟ କେତେ ଗୌଣୀ ଚାଉଳର ପଖାଳରୁ ଓ କେତେ ବିଡ଼ା ଖଡ଼ାର ଶାଗରୁ । ଏଥର ତୁମେ କୁହ । କେଉଁ ମାଂସପେଶୀ ବାସ୍ତବିକ ଅଧିକ ପ୍ରଶଂସନୀୟ ଆଉ ଅଧିକ କାର୍ଯ୍ୟଦକ୍ଷ ମଧ୍ୟ ।”

 

ସେ ଏକ ଅଦ୍ଭୁତ ଯୁକ୍ତି ଅବଶ୍ୟ । କିନ୍ତୁ ଡ: ଜେନାଙ୍କର ଅଭ୍ୟାସ ଏହିଭଳି କେତେକ ଅଦ୍ଭୁତ, କୌତୁକପୂର୍ଣ୍ଣ ଯୁକ୍ତି କରିବା–ତାଙ୍କର ଛାତ୍ର ମହଲରେ । କିନ୍ତୁ ହାୟ ! ସେ ସବୁ ନଥିଲା ଯୁକ୍ତିର ଦିନ ବା କୌତୁକର ଦିନ । ସେ ସବୁ ଥିଲା ଆତ୍ମସମ୍ମାନର ଦିନ । ଆଉ ସେଇ ସବୁ ମୁହୂର୍ତ୍ତଗୁଡ଼ିକୁ କେବେହେଲେ ଭୁଲିଯାଇପାରେ–ଜଣେ ମନମୋହନ ?

 

ଚାରି

 

ରାତି ପ୍ରାୟ ସାଢ଼େ ଆଠଟାବେଳକୁ ବନ୍ଦହୁଏ ଲାବୋରେଟୋରୀ । ପ୍ରଫେସର୍ ପ୍ରାୟ ସାଢ଼େ ସାତଟା ପର୍ଯ୍ୟନ୍ତ ବସିଥାନ୍ତି ଆପଣାର କୋଠରୀରେ । ତା’ପରେ ସେ ଉଠନ୍ତି । ଘରକୁ ଫେରିବା ପୂର୍ବରୁ ସେ ବରାବର ଆସନ୍ତି ଲାବୋରେଟୋରୀକୁ । ଛାତ୍ର ତିନୋଟିଙ୍କର କାମ ତଦାରଖ କରିଯାଆନ୍ତି ।

 

ଏହି ସମୟଟିକୁ ଜଗି ରହିବା କଥା । ବିଭୁପ୍ରସାଦ,ନଟବର ଆଉ ମନମୋହନ–ନିଜ ନିଜ ଡେସ୍‍କ୍‍ପାଖେ ଲଇଁପଡ଼ି ସେମାନେ ଲାଗିଥାନ୍ତି କାମରେ ।

 

ସକାଳ ନ’ରୁ ରାତି ନ’–ବାରଘଣ୍ଟା । ଏଇ ହଉଚି ଲାବୋରେଟୋରୀର ଜୀଇବାର ବେଳା ଅନବରତ ଜଳୁଥାଏ ବର୍ଣ୍ଣର–ଟିଣ ଟିଣ କିରାସିନିର ଗ୍ୟାସ୍ ! ବୋହି ଚାଲିଛି ପାଣି–ଗ୍ୟାଲନ୍ ଗ୍ୟାଲନ୍–ପାଣି । ଟାଙ୍କିରୁ ନିଗିଡ଼ି ଚାଲିଛି ଯାବତୀୟ ରାସାୟନିକ ଦ୍ରବ୍ୟ–ଡ୍ରେନ୍‍ବାଟେ ନର୍ଦ୍ଦମାକୁ । ପୁରୁଷ ପୁରୁଷ ଧରି କେତେ ଏସିଡ଼୍ କେତେ କେମିକାଲ୍ ବୋହି ନ ଯାଉଛି ଏଇ ଡ୍ରେନ୍ ବାଟେ । ଜର୍ମାନୀର ଇ ମର୍କ, ଆମେରିକାର ରକଫେଲର୍, ଇଂଲଣ୍ଡର ବି.ଡ଼ି.ଏଚ୍. କମ୍ପାନୀ, ଆଉ ପୃଥିବୀର କେଉଁ କଣରୁ ଉପଜାତ କେତେକଅଣ ଜିନିଷ । କେଉଁଠୁଁ ଆସେ ଆଉ କେଉଁଠି ଲୀନ ହୁଏ ।

 

ହଁ । ଏଇ ସବୁ ଆଉ କାହାର ଚିନ୍ତା ନୁହ । ଏ ସବୁ ଚିନ୍ତା କେବଳ ସେଇ ଜଣକର । ଏଇ ଚିନ୍ତାକୁ ଧାରକରି ବ୍ୟବହାର କରନ୍ତି ବିଭୁପ୍ରସାଦ ଆଉ ଅନ୍ୟମାନେ–ଠିକ୍ ନଟବରର ସ୍ମୃତିରୁ ଆମଦାନୀ ହୋଇଥିବା ‘ନୀଳକଇଁ’ ଏବଂ ‘କାଠଚମ୍ପା’ ଶବ୍ଦର ବ୍ୟବହାର ପରି । ‘ଜନ୍ମଭୂମି’, ‘ଦେଶ’, ‘ଜାତି’, ‘ମା’ ଇତ୍ୟାଦି ଭଳି ଖାଲି ଧାରକରା ଶବ୍ଦ କେତୋଟିରେ ଶେଷ ହୋଇଯାଏ ନାହିଁ ସେଇ ଚିନ୍ତାଗୁଡ଼ିକ । କିନ୍ତୁ ୟାର ପଛରେ, ଏଇ କେଇପଦ ଶବ୍ଦକୁ ବାରମ୍ଵାର ଉଚ୍ଚାରଣ କରି ସତେ ସୃଷ୍ଟି ନହୁଏ କେତେ ହାସ, ଉପହାସ, ନିଛକ ହସ ଆଉ କଟୁ, ତୀବ୍ର ବିଦ୍ରୂପ । କିନ୍ତୁ କାହାକୁ ନଚାହିଁ, କାହାରି ମୁହଁରେ ବତା ଦେବାକୁ ଚେଷ୍ଟା ନ କରି ସେ ଲୋକଟି ଦେଇଯାଏ ଉପଦେଶ, କରିଯାଏ ଅନେକ ଚିନ୍ତା–ଉଚ୍ଚସ୍ଵରରେ । ସେ ହେଉଚି ଏଇ ଚନ୍ଦାମୁଣ୍ଡିଆ ଲୋକ–ଲାବୋରେଟୋରୀର ମୁଣ୍ଡଧାରତା–ପ୍ରଫେସର୍ ଜେନା–ବରଂ ସରକାରୀ ଭାଷାରେ କହିଲେ ଅଧିକ ଠିକ୍ ହେବ–ରିଡ଼ର୍ ଶ୍ରୀଯୁକ୍ତ ଜେନା ।

 

ମନମୋହନ ନଟବରର ବାହୁଟିପି ଦେଇ କହେ–

 

“ଖବରଦାର୍ ! କଳିଯୁଗର ଭୀଷ୍ମ ବାହାରିଲାଣି ଅଫିସ୍‍ରୁ ।”

 

ନଟବର ବିଭୁପ୍ରସାଦକୁ ଇସାରା ଦେଇ କହେ–

 

“ସାବଧାନ ! ବାରଶ’ ବଢ଼େଇ ଭାଇ ! ମହାରାଜ ବିଜେ କରୁଛନ୍ତି......ଲାଗିଯାଅ ! ଲାଗିଯାଅ !’’

 

ଠୁକ୍, ଠୁକ୍, ଠୁକ୍......ନିହାଣ ଆଉ ମୁଗୁରର ସ୍ୱର ବଢ଼ିଉଠେ । ଡିଷ୍ଟିଲେସନ୍ ଫ୍ଳାସ୍କରେ କାଚର ଛୋଟ ଛୋଟ ବଲ୍‍ବଗୁଡ଼ିକ ଉଠୁଥାନ୍ତି ଆଉ ପଡ଼ୁଥାନ୍ତି....ଟୁକ୍ ଟୁକ୍, ଟୁକ୍ ଟୁକ୍..... । ଏଇ ହଉଚି ଲାବୋରେଟୋରୀ–ବୈଜ୍ଞାନିକର କୋଣାର୍କ ।

 

ରାତି ଆଠଟାବେଳେ ଆରମ୍ଭ ହୁଏ ପ୍ରତିଦିନ ଗୋଟିଏ ଛୋଟକାଟର ‘କନ୍‍ଫରେନ୍‍ସ’ ! ପ୍ରଫେସର୍ ଜେନା ମଝିରେ । ଛାତ୍ର ତିନୋଟି ତାଙ୍କର ଚାରିପାଖେ । ବେଶ୍ ଏକ ଗମ୍ଭୀର ବାତାବରଣ ଭିତରେ ସେମାନେ ଆରମ୍ଭ କରନ୍ତି । ସେମାନେ ଅନୁଭବ କରନ୍ତି–ସତେକି ଆରପାଖ ରୁମ୍‍ରେ ‘ପେସେଣ୍ଟ୍’ ପଡ଼ିଚି ଅପରେସନ୍ ଟେବୁଲ ଉପରେ, ଆନିସ୍‍ଥେସିଆ ଆରମ୍ଭ କରି ଦିଆଯାଇଛି ଆଉ ଏ ପାଖେ ଚାଲିଛି କନ୍‍ଫରେନ୍‍ସ–ଏକ୍ସ୍‍ପର୍ଟମାନଙ୍କର !

 

କିନ୍ତୁ ବାସ୍ତବିକ କିଏ ସେଇ ରୋଗୀଟି ଯେ ଆରପାଖ ରୁମ୍‍ରେ ଏକ ଇଥରୀୟ ବାତାବରଣ ଭିତରେ ମୂର୍ଚ୍ଛା ହେଇ ପଡ଼ିଚି ? କାହାପାଇଁ ଏତେ ତରବର, ଏତେ ରାତି ଉଜାଗର, ଏତେ ହାଡ଼ଭଙ୍ଗା ଖଟଣି ଆଉ କାହାର ସ୍ୱାସ୍ଥ୍ୟ କାମନା କରି ବୋହି ଚାଲିଛି ଏତେ ରାସାୟନିକ ସ୍ରୋତ–ଏଇ ଲାବୋରେଟୋରୀରୁ ?

 

“ସେ ହଉଚି ତୁମର ଗରିବ ମା’ ! ତୁମର ଦେଶ ! ତୁମର ଜାତି !”

 

“ତୁମରି ହାତର ଅସ୍ତ୍ରର କୁଶଳ ଉପଚାର ଉପରେ ନିର୍ଭର କରେ ତା’ର ପରମାୟୁ ! ମନେରଖ ମୋର ପ୍ରିୟ ଛାତ୍ରଗଣ–ଏଇ ଲାବୋରେଟୋରୀ ତଳେ ପୋତି ହେଇ ରହିଥିବା ଅସଂଖ୍ୟ ନରକଙ୍କାଳଗୁଡ଼ିକୁ ! ସେମାନେ ମରିଥିଲେ–କାରଣ ପେଟଭରି ମୁଠିଏ ଖାଇବାକୁ ପାଇ ନଥିଲେ । ସେମାନେ ମରିଥିଲେ–କାରଣ ଜ୍ଵର, ମହାମାରୀ ପାଇଁ–ଟୋପାଏ ଔଷଧପାଇଁ । ସେମାନଙ୍କର ସରୁ ଅଣ୍ଟାରେ ଗାଞ୍ଜିଆ ଖଣ୍ଡିଏ ଖୋସିବାପାଇଁ ମଧ୍ୟ ଜାଗା ନଥିଲା–ଚିରୁଡ଼ାଏ କନା ନଥିଲା । ସେମାନେ ମରିଥିଲେ–କାରଣ ପ୍ରତିବର୍ଷ ବନ୍ୟା ଆଉ ମରୁଡ଼ିକୁ ଆତିଥ୍ୟ ଦେଖାଇବା ପାଇଁ ସେମାନେ ଅକ୍ଷମ ହେଉଥିଲେ । ସେମାନେ ମରୁଥିଲେ–କାରଣ ଜମିଦାର, ରାଜାର ପିଆଦା ଆଉ ବର୍ଗୀମାନଙ୍କୁ ସନ୍ତୁଷ୍ଟ କରିବା ଥିଲା ସେମାନଙ୍କର ଶକ୍ତିର ବାହାରେ ।”

 

ରାତି ଯେତିକି ଯେତିକି ଗାଢ଼ ହୁଏ, ବଢ଼ିଉଠେ ବିଜୁଳି ବତିର ଉଜ୍ଜ୍ୱଳତା ସେତିକି ଗାଢ଼ଭାବରେ । ଛାତ୍ରମାନେ ଉଦ୍‍ବିଗ୍ନ ହୋଇଉଠନ୍ତି । ପ୍ରଫେସର୍ ଜେନାଙ୍କର ସ୍ୱର ମରିମରି ଯାଏଁ-

 

ପ୍ରଫେସର୍‍ଙ୍କୁ ବଳେଇ ଦେଇ ଆସିବାପାଇଁ ବାରଣ୍ଡାର ଶେଷ ମୁଣ୍ଡ ପର୍ଯ୍ୟନ୍ତ ତାଙ୍କ ସାଙ୍ଗରେ ଯାଆନ୍ତି ଛାତ୍ର ତିନୋଟିଯାକ । ପ୍ରଫେସର୍ ତଳକୁ ଖସନ୍ତି ରାସ୍ତା ଉପରକୁ ।

 

ଅନ୍ଧାରିଆ ପଡ଼ିଆ ଭିତରେ ସେ ଉଭେଇଯାନ୍ତି ।

 

ଜୋତାର ମଚମଚ ଶବ୍ଦ ବେଶି ବେଳ ପର୍ଯ୍ୟନ୍ତ ଶୁଭେ ନାହିଁ ।

 

ମନମୋହନ ଏକ ଦୀର୍ଘ ନିଃଶ୍ୱାସ ଛାଡ଼େ ଆଉ କହେ–

 

‘ବାଏ ! ବାଏ ! ନୈରାଶ୍ୟର ମୂର୍ତ୍ତିମନ୍ତ ଭୂତ !”

 

ଟିକକ ପରେ ସେମାନେ ଗଡ଼ନ୍ତି ଯେଝା ରାସ୍ତାରେ । ତେବେ ତିନିଜଣଯାକ ସାଙ୍ଗ ହୋଇ ଅନ୍ତତଃ ଆସନ୍ତି କଲେଜ ପୋର୍ଟିକୋ ପର୍ଯ୍ୟନ୍ତ ଓ ସେଠୁ କଲେଜର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ।

 

ଫୁଲ ଝଡ଼ୁଥାଏ–ପୋର୍ଟିକୋ ପାଖ ମୁଚୁକୁନ୍ଦ ଗଛ ଦୁଇଟିରୁ । ମେନ୍‍ଗେଟ୍ ପାଖ ଧାଡ଼ି ଧାଡ଼ି ଘଞ୍ଚ ଦେବଦାରୁ ପତ୍ର ଆଢ଼ୁଆଳରୁ ପକ୍ଷୀର କାକଳି ବନ୍ଦ ହୋଇଯାଇଥାଏ । ସନ୍ଧ୍ୟାବେଳପରି ମୁଖରିତ ହେଉ ନଥାଏ ଏଇ ଐତିହାସିକ ଫାଟକଟି ପକ୍ଷୀର କାକଳିରେ ।

 

ଅପୂର୍ବ ସେ ଦୃଶ୍ୟ ଆଉ ଅନୁଭୂତି । ପବନର ପ୍ରତିଟି ହିଲ୍ଲୋଳରେ, ପ୍ରତିଟି ଭାସମାନ ଧୂଳିକଣାରେ ଭରି ରହିଥାଏ ଏଠି ଇତିହାସ, ଇତିହାସ ଆଉ ଇତିହାସ । ନାଇଁତ ! କେବଳ ଇତିହାସ ନୁହେଁ ! ଏଇ ଐତିହାସିକ ସ୍ମୃତିର ଗର୍ଭାଧାନରେ ସ୍ଥାନ ପାଏ ଅସଂଖ୍ୟ ଦର୍ଶନ । ଭବିଷ୍ୟତ, ବର୍ତ୍ତମାନ ଆଉ ଅତୀତ ଗୋଳେଇ ଘାଣ୍ଟି ହୋଇ ଉଠନ୍ତି ଏଇଠି ।

 

ଏଇ ହେଉଚି ସେଇ ଜାଗା ଯେଉଁଠି ପୁଅମାନେ ଏକାଠି ହୁଅନ୍ତି, ବସନ୍ତି, ହସନ୍ତି, ଗପ୍‍ସପ୍ କରନ୍ତି ଆଉ କରନ୍ତି ମଧ୍ୟ ଯୁକ୍ତି, ତର୍କ–ବାପମାନଙ୍କର କୃତିତ୍ୱ ଉପରେ । ସେଇ ଯୁକ୍ତିରୁ ଜାତହୁଏ ବାଦ, ବାଦରୁ ହିଂସା, ପ୍ରତିହିଂସା, କଳହ । ଜାତହୁଏ ମହାଭାରତ । ପୁଣି ଏଇଠି ଗଢ଼ିଉଠେ ପୁଅମାନଙ୍କର ବନ୍ଧୁତାର ସ୍ମୃତିସ୍ତମ୍ଭ–ବାପମାନଙ୍କର କଳହର କବର ଉପରେ ।

 

ଆଉ, ଏଇଠି ଏକତ୍ର ହୁଅନ୍ତି–ପରସ୍ପରକୁ ଶୁଭରାତ୍ରି ଜଣାଇବା ପୂର୍ବରୁ–ତିନୋଟି ବନ୍ଧୁ ଆଉ ତିନୋଟି ପରସ୍ପର ବିପରୀତମୁଖୀ ସ୍ରୋତ ମଧ୍ୟ–ଏଇ ସ୍ଥାନରେ, ଯେଉଁଠି ଲଗାଯାଇଥାଏ ସେଇ ସ୍ମୃତିର ଫଳକଟି–କଲେଜର ଏଇ ପ୍ରଧାନ ପ୍ରବେଶଦ୍ୱାର ନିକଟରେ ।

 

“ଗୁଡ଼୍‍ନାଇଟ !” ପ୍ରଥମେ ବାଟଭାଙ୍ଗି ଚାଲିଯାଏ ମନମୋହନ । ସେ ଆଦୌ ଅପେକ୍ଷା କରେନାହିଁ ସେଇ ଗୁରୁଗୁରୁ ମହକୁଥିବା ମୁଚୁକୁନ୍ଦର ସୌରଭକୁ ଟିକିଏ ତାରିଫ୍ କରିବାପାଇଁ କିମ୍ବା ସେଇ ଚମତ୍କାର ରାତିରେ ଶୀତଳ ଅନ୍ଧାର ଅବା ଜ୍ୟୋତ୍ସ୍ନାକୁ ଏକ ପ୍ରଶଂସାସୂଚକ ପଲକରେ ଅନାଇ ରହି ପଦଟିଏ କଥା କହିବାପାଇଁ–‘‘ହାୟ !....”

 

ନଟବର ସାଙ୍ଗହୋଇ ଆସେ–ଫାଟକ ପର୍ଯ୍ୟନ୍ତ । ଚଢ଼େଇର କାକଳି ବନ୍ଦ ହୋଇଥାଏ–ରାସ୍ତାକଡ଼ର ଗଛରେ । ତା’ ବଦଳରେ ଉଠୁଥାଏ ଦୁର୍ଗନ୍ଧ–ବର୍ଷ ବର୍ଷର ସଂଗୃହୀତ ପକ୍ଷୀ–ମଳରୁ ।

 

ପ୍ରଥମେ ପ୍ରଥମେ ଦୁର୍ଗନ୍ଧରେ ନାକ ଫାଟୁଥିଲା ଏଠି । ଶୀତ, ବସନ୍ତ ଆଉ ଗ୍ରୀଷ୍ମର ସଂଗୃହୀତ ମନ ଉପରେ ଯେତେବେଳେ ବର୍ଷର ପ୍ରଥମ ପିତାପାଣିଆ ବର୍ଷା ଅସରଟା ଛିଞ୍ଚି ହୋଇଯାଏ !ନୂତନ ବର୍ଷର ନବାଗତମାନଙ୍କୁ ଦୂରେଇ ରଖିବାକୁ ଚେଷ୍ଟାକରେ ଏଇ ଦୁର୍ଗନ୍ଧ–ଏଇ ଫାଟକଠାରୁ ଦୂରକୁ ।

 

କିନ୍ତୁ ଧୀରେ ଧୀରେ ଯେତିକି ଅଭିଜ୍ଞତାସିଦ୍ଧ ହୋଇ ଉଠୁଥାଏ ଏକ ଗନ୍ଧ !

 

ଆଃ !

 

ଦେବଦାରୁ ଗଛ ମୂଳରେ ଲଇଁପଡ଼ି ମୁଣ୍ଡାଏ ଶୁଖିଲା ଚଢ଼େଇ ଗୁହ ନିର୍ବିକାରଭାବେ ହାତରେ ଟେକି ନେଇ ନଟବର ତାକୁ ନାକରେ ମାରି ଶୁଙ୍ଘେ ଆଉ କହେ–

 

“ମୁଁ ଯେତେବେଳେ ପିଲା ହୋଇଥିଲି....”

 

ବିଭୁପ୍ରସାଦ ଶିହରି ଉଠେ–

 

“ହେଃ ! ଛିଃ ! ଆରେ କି କୁତ୍ସିତ ପିଲାଟାଏରେ ତୁ ! ସେଗୁଡ଼ାକ ନାକରେ ମାରୁଚୁ ? ମରିଯିବୁରେ ମରିଯିବୁ ।”

 

“ମରିଯିବି ? ହେଁ ! ମରିବାଟା ସତେକି ତୋରି କଥାରେ ଅଛି ! ଆରେ ବାବା ! ମୋ ପିଲାଦିନେ ଆମ ଘର ପାଖେ ଗୋଟାଏ ମସ୍ତ ଚାକୁଣ୍ଡା ବଣ ଥାଏ । ସେଠି ମଢ଼ ପଡ଼େ । ଶାଗୁଣା ପଲ ପଲ । ପିଲାଦିନେ ଟୋକେଇ ଟୋକେଇ ଶାଗୁଣା ଗୁହ ନେଇ ଆମେ ବିଲରେ ଅଜାଡ଼ୁ । ମୋର ସେଇ କଲିକତି ମାମୁ–ଯେ ସାହାବର ମାଳୀଥିଲେ କହୁଥିଲି–ସେଇ କହୁଥିଲେ ଆମକୁ ସେ ଦିନେ ଫର୍ଟିଲାଇଜର ଥିଓରି ! ମେଞ୍ଚାମେଞ୍ଚା ଶାଗୁଣା ଗୁହ !” ନଟବର ଚଢ଼େଇଗୁହ ମୁଣ୍ଡାଟାକୁ ହାତରେ ଚିପି ଚୁନା କରୁ କରୁ କହୁଥାଏ ।

 

ବଡ଼ ଅଦ୍ଭୁତ ପିଲା ଏଇ ନଟବର । ଟିକିଏ ସମୟ ନଟବରର ସେଇ ‘ଗୁହକ’ କାହାଣୀ ଶୁଣୁଶୁଣୁ ବିଭୁପ୍ରସାଦ ମନେ ପକାଏ ଏଇ ଲୋକଟିର ସେଦିନର ଚେହେରାକୁ । ସେଦିନ ଏ ଆସୁଥିଲା କଲେଜକୁ–ମୁଣ୍ଡରେ ୟାର ଶହେ ଟଙ୍କା ମୂଲ୍ୟର ଟୋପି ।

 

ଧୀରେ ଧୀରେ ଚଢ଼େଇ ଗୁହ, ଫର୍ଟିଲାଇଜର ଆଉ ଅନ୍ୟାନ୍ୟ ଦୈନନ୍ଦିନ ଖବର ଛାଡ଼ି ସେମାନେ ଚାଲିଯାଆନ୍ତି ପୁଣି ସେଇ ଟୋପିର ଦିନଗୁଡ଼ିକୁ ।

 

ନଟବର କହେ–

 

“ତୁ ଜାଣୁ ? ମ୍ୟାଟ୍ରିକ୍ ପାସ୍ କରି ସାରିଲା ପରେ ମୁଁ ବିଜ୍ଞାନ ନେଲି କାହିଁକି ? ତା’ ଛଡ଼ା ରାସାୟନ ବିଦ୍ୟା ନେଲି କାହିଁକି ? ମୋର ବାପା କୋଉଥିରେ ମଲେ ଜାଣୁ । ସେ ରୋଗକୁ କହନ୍ତି ଗ୍ରଏଟର–ବୋଧହୁଏ ଗଳଗଣ୍ଡ କହନ୍ତି ଓଡ଼ିଆରେ । ଛାଡ଼, ମୋଟଉପରେ ଖାଦ୍ୟ ପଦାର୍ଥରେ ଆୟୋଡ଼ିନ୍ ଅଭାବ ହେଲେ କୁହାଯାଏ ଯେ ଏ ରୋଗ ମଣିଷକୁ ଧରେ । ତଣ୍ଟିତଳକୁ ଗୋଟାଏ ଆବୁ ବାହାରି ପଡ଼ିଲା ଏବଂ ସେ ମଲେ ସେଇଥିରେ । କିନ୍ତୁ ବିଜ୍ଞାନ ପଢ଼ିବା ବିଷୟରେ ସଂକଳ୍ପ ମୁଁ ନେଲି ଠିକ୍ ଏଇ ଫାଟକ ପାଖରେ ।”

Unknown

 

“ଏଇ ଫାଟକ ପାଖରେ ? ବିଭୁପ୍ରସାଦ ଠିଆ ହୋଇଯାଏ ନଟବରର ମୁହଁକୁ ବାଲୁବାଲୁ କରି ଅନେଇ । ଫାଟକ ଖୁଣ୍ଟର ଆଲୁଅ ଦୁଇଟା ତା’ର ଗୋରା ମୁହଁ ଉପରେ ଲହଡ଼ି ଭାଙ୍ଗୁଥାଏ । ଛେପ ଢୋକିନେଇ ବିଭୁପ୍ରସାଦ ଯୋଗ କରେ–

 

“ବଡ଼ ଆଶ୍ଚର୍ଯ୍ୟ ଯୋଗସୂତ୍ର ଏ ! ଆରେ ! ମୁଁ ବି ତ ଏଇଠି–ଏଇଠି ମୋର ଭାଗ୍ୟ ପରୀକ୍ଷା ହେଇଥିଲା–ବିଜ୍ଞାନ ନା କଳା, କଳା ନା ବିଜ୍ଞାନ ଲଟେରୀରେ !”

 

“ତୋରବି ?” ନଟବର ଅଟକି ଯାଏଁ ।

 

“ତୁ ତ ଜାଣୁ ମୋ ବାପାଙ୍କୁ !” ବିଭୁପ୍ରସାଦ ବୁଲିବୁଲି ଚାହେଁ କଲେଜ ଆଡ଼କୁ ଓ ବର୍ଣ୍ଣନା କରେ, “ଯେକୌଣସି କାମପାଇଁ ସେ ଆଗ ହଜାରେ ଲୋକଙ୍କୁ ପଚାରିବେ । ଆରେ ବାବା କିଏ ବୁଝୁଛି କାହାକଥା ଏ ଯୁଗରେ ? ଆମେ ସେଦିନ ବସ୍‍ରେ ଗାଁରୁ ଆସୁଛୁ ! ମୁଁ ତ ଆଗରୁ ଫର୍ମ୍ ଫିଲ୍ଅପ୍ କରି ଦେଇଥାଏ–ସାଇନ୍‍ସ ଆଉ ଫୋର୍ଥ–ଅପସନାଲ୍ ବାଓଲଜି । ଗାଁରୁ ଏଠିକି ବସ୍‍ରେ ଆସିବାପାଇଁ ଆମକୁ ଘଣ୍ଟାଟିଏ ସମୟ ଲାଗେ । ଆରେ ଭାଇ ! ଏଠି ଓହ୍ଲେଇବା ପୂର୍ବରୁ ସେ ବସ୍‍ରେ ଏମିତି ଗୋଟିଏ ଯାତ୍ରୀ ନଥିଲା ଯେ ନଜାଣିଥିଲା–ଆମ ବଂଶର ଇତିହାସ !

 

“ବସ୍‍ରୁ ଆମେ ଯେତେବେଳେ ଓହ୍ଲାଉ, ମୋ ମୁହଁ କଳାକାଠ ପଡ଼ିଯାଇଥାଏ ଓ ମୁଁ ଦୃଢ଼ନିଶ୍ଚିତ ହୋଇଥାଏ ଯେ ମୁଁ ଓକିଲ ହବାପାଇଁ ଯାଉଚି । ମୋ ଆଗରେ ସେତେବେଳେ ଜଳୁଥାନ୍ତି ଉଦାହରଣ ମାନେ–ଗାନ୍ଧୀ, ନେହେରୁ, ମଧୁବାବୁ, ଗୋପବନ୍ଧୁ, ଦେଶବନ୍ଧୁ ଚିତ୍ତରଞ୍ଜନ...ଓଃ ! ମୋର ମନହଉଥାଏ ଯଦି ବାପାଙ୍କର ଆଖିର ଟିକିଏ ଆଢ଼ୁଆଳ ହୋଇଯାଇପାରନ୍ତି ! ମୋ ଭିତରେ ବିପ୍ଳବ ଉଙ୍କି ମାରୁଥାଏ । ଏପରିକି ମୁଁ ଚିନ୍ତା କରୁଥାଏ ଘରୁ ପଳାଇଯାଇ କଲିକତା ଆଡ଼େ କୁଆଡ଼େ ନିଜର ଭାଗ୍ୟ ପରୀକ୍ଷା କରିବାକୁ ।

 

ଏଇ ଛକରେ ବସ୍‍ରୁ ଓହ୍ଲେଇ ଆମେ ଯାଉ କଲେଜ ଅଫିସ୍‍କୁ । ବାପା ଠିଆ ହେବେ ମୁଁ ତାଙ୍କରି ଆଗରେ ଆପ୍ଲିକେସନ୍ ଫର୍ମ୍‍ରେ ‘ବିଜ୍ଞାନ’କୁ କାଟି ‘କଳା’ କରିବି ।

 

ଆମେ ଚାଲିଯାଉଥିଲୁ । ଏହି ସମୟରେ ଆମେ ଦେଖିଲୁ ଜଣେ ଭଦ୍ରଲୋକ ବସ୍‍ଷ୍ଟାଣ୍ଡ୍‍ରେ ଠିଆ ହେଇ ଟାଉନ୍‍ ବସ୍‍କୁ ଆଖି ରଖିଥାନ୍ତି । ମୁଁ ସେ ଭଦ୍ରଲୋକଙ୍କୁ ଟିକିଏ କୌତୂହଳ ଦୃଷ୍ଟିରେ ଚାହିଁ ଦେଖିଲି ଯେ ଭଦ୍ରଲୋକ ଅଛନ୍ତି ଅଛନ୍ତି ମଝିରେ ପକେଟରୁ କ’ଣ ଟିକିଏ ଚୂନା ବାହାର କରି ମୁଣ୍ଡ ଚାରିପାଖେ ହାତଟିକୁ ବୁଲାଇ ନେଉଚନ୍ତି ଓ ସେଥିରୁ ଟିକିଏ ଚୂନା ବିଭୂତି କରି ମୁଣ୍ଡରେ ମାରିଦଉଚନ୍ତି, ଆଉ ଟିକକ ପାଟିରେ ପକାଇ ଦଉଚନ୍ତି ।

 

ମୁଁ ବାପାଙ୍କୁ ଠାରି ଦେଲି–ବାପା ! ଏଇ ହଉଚନ୍ତି ସେଇ ଲୋକ ଯାହାଙ୍କ ପାଖରେ ସେଦିନ ମୁଁ ଦେଇଥିଲି ଆପ୍ଲିକେସନ୍ ଫର୍ମ୍ !”

 

“ଏଇ ?’’ ବାପା ରହିଗଲେ–‘‘ଏଇ ଯେ ବିଭୂତି ବୋଳି ହେଉଚନ୍ତି ଥରକୁଥର ?”

 

“ହଁ ! ଏଇ ! ଇଏ ହଉଚନ୍ତି ହେଡ଼୍‍କ୍ଳର୍କ !” ମୁଁ କହିଲି ଓ ବାପାଙ୍କୁ ମନେ ପକେଇଦେଲି, “ୟାଙ୍କରି ହାତରେ ତେଣୁ ନିର୍ଭର କରୁଚି ମୋର ଭାଗ୍ୟ–ମୁଁ ଗାନ୍ଧୀ ହେବି ବା ଆଚାର୍ଯ୍ୟ ଜଗଦୀଶଚନ୍ଦ୍ର ହେବି !”

 

ମୋର ବାପା ଅଟକି ଗଲେ । ସେ ଠିଆ ହୋଇଗଲେ–ଗୋଟାଏ ଘଣ୍ଟାର ପେଣ୍ଡୁଲମ୍ ହଠାତ୍ ଅଟକି ଗଲା ପରି ।

 

ଟାଉନ୍ ବସ୍ ଆସିଲା ଓ ଚାଲିଗଲା । ହେଡ଼୍‍କ୍ଳର୍କ ଭଦ୍ରଲୋକବି ଚାଲିଗଲେ ସେଥିରେ ।

 

“ବାପା !” ମୁଁ ମନେପକେଇ ଦେଲି, “ଭଦ୍ରଲୋକ ଚାଲିଗଲେ ସେ !” ହଠାତ୍ ସେ ବୁଲି ପଡ଼ିଲେ ମୋ ଆଡ଼କୁ ଏବଂ ସତେକି ଆମେ ସେ ବିଷୟରେ ଆଗରୁ ଆଦୌ ଯୁକ୍ତି କରି ନଥିଲୁ, ସେହିଭଳି ସ୍ଵରରେ ସେ କହିଲେ–

 

“ମୁଁ ତତେ ବିଜ୍ଞାନ ବିଭାଗରେଇ ଦେଲି...” । ତାଙ୍କର ସେହି ମତ ପରିବର୍ତ୍ତନ ପାଇଁ ସେ କୌଣସି ଯୁକ୍ତି ମଧ୍ୟ ଦର୍ଶାଇଲେ ନାହିଁ । ଏପର୍ଯ୍ୟନ୍ତବି ନୁହେଁ । ସେ ଏକ ରହସ୍ୟ । ତା’ର ସାକ୍ଷୀ ହଉଚି ଏଇ ଗେଟ୍ !

 

“ତା’ପରେ ?” ନଟବର ବେଶ୍ କୌତୂହଳୀ ହୋଇଉଠେ ।

 

ବିଭୁପ୍ରସାଦ ତା’ର ହାତ ଧରି ତାକୁ ଟାଣିନିଏ ଆଗକୁ ।

 

“କିନ୍ତୁ, ସେତେବେଳେ ମୋତେ ସେଭଳି ଉପଦେଶ ଦବାପାଇଁ କେହି ନଥିଲେ । ମୋ ହାତରେ ମୁଁ ଚଉଦପା’ ଥାଏ !” ନଟବର କହେ ।

 

“ତେବେ ତୁ ବିଜ୍ଞାନ ନେଲୁ କାହିଁକି ?”

 

“କାରଣ–ମୁଁ ଯୋଉଦିନ ଆଡ଼୍‍ମିସନ୍ ଫର୍ମ୍ ନବାକୁ ଏଠିକି ଆସିଥିଲି ସେଦିନ ଏହି ଫାଟକ ପାଖରେ ମୁଁ ଗୋଟିଏ ଲୋକକୁ ଭେଟିଲି । ଡେଙ୍ଗା ସରସର ଅର୍ଘାତିଆ ଏକ ମଣିଷ । ସେତେବେଳେ ଏଠି ଆସେମ୍ଳି ଚାଲୁଥାଏ । ତୋର ମନେ ଅଛି ନା–ଆଗେ ଏଇ କଲେଜହଲ୍‍ରେ ଆସେମ୍ଳି ବସୁଥିଲା ?”

 

“ନିଶ୍ଚୟ !” ବିଭୁପ୍ରସାଦ ଉତ୍ତର ଦିଏ ଆଉ ଯୋଗକରେ “ଲିଜର୍‍ବେଳେ ଆମେ ଯାଉ ନଥିଲେ ବକ୍ତୃତା ଶୁଣିବାକୁ ? ଗୋଦାବରୀଶବାବୁ ଆଉ ପଣ୍ଡିତ ନୀଳକଣ୍ଠଙ୍କୁ ଦେଖିବାକୁ ଯାଇ ଆମେ ଥରେ ଧକ୍କା ଖାଇ ନଥିଲେ ପୁଲିସଠୁଁ ?”

 

“ବାସ୍ ବାସ୍ ! ସେଇ ଯେତେବେଳେ ଗୋଟାଏ ହୋ ଉଠିଥାଏ ଯେ କୁଆଡ଼େ ଲାବୋରେଟୋରୀରେ କାଚ ଟେଷ୍ଟ୍‍ଟିଉବ୍ ଆଉ ବ୍ୟବହାର କରାନଯାଇ ଲୁହା ଟେଷ୍ଟ୍‍ଟିଉବ୍ ବ୍ୟବହାର କରାଯିବ–ଲାବୋରେଟୋରୀରେ ଅଯଥା ଖର୍ଚ୍ଚ କମାଇବା ପାଇଁ କେହି ଜଣେ ସଦସ୍ୟ ମତଦବାରୁ ଗୋଟାଏ ଚାଞ୍ଚଲ୍ୟ ଖେଳି ଯାଇ ନଥିଲା ଓଡ଼ିଶାର ବୈଜ୍ଞାନିକ ମହଲରେ ? ସେଇ ସମୟରେ କି ତା’ ପୂର୍ବରୁ କେଜାଣି....ଏଠି ଚାଲିଥାଏ ଷ୍ଟ୍ରାଇକ୍ । ସେ ଷ୍ଟ୍ରାଇକ୍‍ଟା ତୋର ମନେ ଅଛିନା ?”

 

‘ଓ’ ! ବିଭୁପ୍ରସାଦ ସମ୍ମତି ଜଣାଏ ସାମାନ୍ୟ ହସି ।

 

“ବାସ୍, ବାସ୍ ! ବାପା ସେତେବେଳେ ସୁକୁସୁକୁ ହଉଥିଲେ । ନାହିଁ ମ–ବାପା ମରିଯାଇଥିଲେ ବୋଧହୁଏ ! ଏଁ ? ମରିଥିଲେ–ମରିଥିଲେ ନା ନାହିଁ ? ମରିଥିଲେ–ମୋର ପରା ମନେ ଅଛି ମୁଁ ଲଣ୍ଡା ହେଇଥିଲି ଯେ ଆମ ଗାଁଆଡ଼ିକାର ଗୋଟିଏ ବୁଢ଼ା ମତେ ଏଠି କଟକରେ ଦେଖି ଭୋ ଭୋ ହେଇ କାନ୍ଦୁଥାଏ ବିଚ୍ବଜାର ଉପରେ । ମୁଁ ତ ତାକୁ ଚିହ୍ନି ନଥାଏ । ତେବେ ମୋର ମନେ ପଡ଼ୁଥାଏ ସେ ବୋଧହୁଏ ସେଇ ଯାତ୍ରା ପାର୍ଟିରେ ଥିଲା–ଆମ ଗାଁ ଯାତ୍ରାଦଳରେ–ମୋ ବାପା ଯୋଉଥିରେ ନାଁ କରିଥିଲେ । ତୁ ଶୁଣିଚୁ ହଳଦିବସନ୍ତ ଯାତ୍ରାପାର୍ଟି ନାଁ ?–ଭାରତ ବିଖ୍ୟାତ ଯାତ୍ରାଦଳ !”

 

“ଭାରତ ବିଖ୍ୟାତ ?” ବିଭୁପ୍ରସାଦ ନଟବରର ଲଣ୍ଡା ମୁଣ୍ଡକୁ ଚାହିଁ ଟିକିଏ ଆଖିମିଟିକା ମାରି ହସେ ।

 

ସେମାନେ ହୋଟେଲ ପାଖାପାଖି ହେଇଯାଇଥାନ୍ତି । ଏ ହଉଚି ବିଭୁପ୍ରସାଦର ହୋଟେଲ–“ଛାତ୍ରବନ୍ଧୁ ନିରାମୟ ଖାଦ୍ୟ ଭଣ୍ଡାର !”

 

ନଟବର ବିଭୁପ୍ରସାଦର ହାତକୁ ଧରିପକାଏ ଆଉ ତାକୁ ଟାଣିଧରି କହେ–“ମୁଁ ତତେ କହିନାହିଁ କି କହିବି ନାହିଁ ମଧ୍ୟ ସେ ଟୋପିର ଇତିହାସ । ତୁମେ ସବୁ ବୁଝିପାରିବ ନାହିଁ । ତେବେ ଏତିକି ଜାଣିରଖ ଯେ ସେ ଟୋପିଟି ଏମିତି ସେମିତି ଏକ ଜିନିଷ ନଥିଲା ଭାଇ ! ମୋର ବାପା ସେତେବେଳେ ଥିଲେ ଓଡ଼ିଶାର ଜଣେ ପ୍ରସିଦ୍ଧ ବ୍ୟକ୍ତି ! ଓଡ଼ିଶାରେ “ବୁରୁନ୍ଦା” ନାଁ ଶୁଣିଚୁ ?”

 

“ବୁରୁନ୍ଦା ?” ବିଭୁପ୍ରସାଦର ମୁହଁ ଗମ୍ଭୀର ହୋଇଯାଏ ଟିକିଏ ବେଳପାଇଁ । “ତୋର ବାପା–ବୁରୁନ୍ଦା ?” ସେ ଅଟକିଯାଏ ।

 

ନଟବର ଟିକିଏ ହସିଦିଏ । ଛେପ ଢୋକେ, ତା’ପରେ ଗମ୍ଭୀର ସ୍ଵରରେ ଜବାବ ଦିଏ–‘‘ନା–ମୋର ବାପା ଓଲା ରାଉତ ! ବୁରୁନ୍ଦା ନୁହେଁ ! ଦୁଃଖର କଥା ସେ “ବୁରୁନ୍ଦା” ହେଇ ପାରିଲେ ନାହିଁ । ବୁରୁନ୍ଦାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ–ଓଲାରାଉତ ! ଯୋଉ ବର୍ଷ “ବୁରୁନ୍ଦା” ପାଏ କଲିକତାରୁ ସୁନା ମେଡ଼ାଲ ସେଇ ବର୍ଷ ମୋ ବାପା ଯାତ୍ରାଦଳ ଧରି ଚାଲିଗଲେ ଆହୁରି ଦୂରକୁ–ଏହ୍ଲାବାଦ, ଲକ୍ଷ୍ନୌ ଏପରିକି ବନାରସ ଆଡ଼େ ! ସେଗୁଡ଼ିକ ହଉଚି ତାଙ୍କର ଦିଗ୍‍ବିଜୟର ଦିନ । ତାଙ୍କୁ କୁହାଯାଉଥିଲା ‘ଓଡ଼ିଶାର ଶେଷ ଖାରବେଳ’ । ଆମେ ଯେତେବେଳେ ପିଲାଦିନେ ଚାହାଳିରେ ଖାରବେଳ କାହାଣୀ ପଢ଼ୁଥିଲୁ ମାଷ୍ଟ୍ରେ ବରାବର କହୁଥିଲେ–“ଆହା ! ବିଚରା ଓଲାରାଉତ ବୁଢ଼ାକୁ ସିନା ଗଳଗଣ୍ଡ ବେମାରି କାବୁ କରିଦେଲା–ତା’ର ତଣ୍ଟି ଫାଟିଗଲା, ନହେଲେ ରଜାଘରର ଚେହେରା ଦେଖିବତ ଯାଅ ହଳଦିବସନ୍ତ ! ବାଘ ନ ଦେଖିଲେ ବିରାଡ଼ି ଦେଖ ! ଖାରବେଳ ନଦେଖିଲେ ଓଲାରାଉତକୁ ଦେଖ !”–ସେଇ ଯୋଉ ଟୋପି ତମେ ଦେଖୁଥିଲ ସେଦିନ–ଜାଣ ସେ କାହାର ଟୋପି ? ସେ ହଉଚି ‘ପ୍ରିନ୍‍ସ ଅଫ୍ ଆଉଦ୍ !’ ଅଯୋଧ୍ୟାର ଜଣେ ହିନ୍ଦୁ ରାଜାଙ୍କର ମୁଣ୍ଡର ଟୋପି ! ମୁଁ ସେ ବିଷୟରେ ବିଶେଷ କିଛି ଜାଣେନା । ତେବେ ଯୋଉ ବର୍ଷ ମୁଁ ସେ ଟୋପିକୁ ନେଇ ମହାନଦୀରେ ଫୋପାଡ଼ି ଦେଇ ଆସିଲି, ସେଇ ବର୍ଷ ଦଶହରାକୁ ଗାଁକୁ ଯାଇଥିଲି । ମା’ ଯେମିତି ଶୁଣିଲା ମତେ କଟା ସମ୍ପା ଆରମ୍ଭ କରିଦେଲା । ସେତିକିବେଳେ ସେ ବାହୁନୁଥିଲା–“ଆହା କି କଲୁରେ ! ବୋପାର ନାଁ ବୁଡ଼େଇ ଦେଲୁ !” ତା’ପରେ ସେ ଅନେକ କଥା ଛାଡ଼ !”

 

ବିଭୁପ୍ରସାଦ ଅପେକ୍ଷା କରେ ଟିକିଏ ନଟବର ପାଇଁ । ସେ ଜାଣିଥାଏ ନଟବରର ମାନସିକ ଅବସ୍ଥା । ରାତି ବାର ପର୍ଯ୍ୟନ୍ତ ତା’ କବଳରୁ ମୁକ୍ତି ମିଳିବ ନାହିଁ ଏବଂ ବିଶେଷତଃ ସେ ଯେତେବେଳେ ଆରମ୍ଭ କରେ ଏଇ ‘ଟୋପି–ଉପାଖ୍ୟାନ’ ଭଳି କୌଣସି ଆଦିମ, ଐତିହାସିକ ରୋମାଞ୍ଚକର ବର୍ଣ୍ଣନା ।

 

ନଟବର–ଏକ ରୁଦ୍ଧଶ୍ଵାସ, ରୋମାଣ୍ଟିକ୍ ବ୍ୟକ୍ତିତ୍ଵ । ଏକ ଟର୍ଣ୍ଣାଡ଼ୋ ରୂପରେ ସେ ଭାଙ୍ଗିପଡ଼େ ବେଳେବେଳେ ବିଭୁପ୍ରସାଦର ପ୍ରଶାନ୍ତ, ସବୁଜ ଆଉ ରକ୍ତିମ ସାଗରର ଜଳରାଶି ଉପରେ । ଏକ ଏକ ଫୁତ୍କାରରେ ସେ ମନ୍ଥିଦେଇଯାଏ ସମୁଦ୍ରର ଗମ୍ଭୀର ଜଳରାଶିକୁ । ତଳ ପାଣି ଉପରକୁ ଆଉ ଉପର ପାଣି ତଳକୁ କରିଦିଏ । ମୋଡ଼ିଦିଏ....ମଟ୍ ମଟ୍....ଜାହାଜର ମାସ୍ତୁଲ । ବିଭୁପ୍ରସାଦର ମନେପଡ଼େ–ତା’ର ଅଜା ସେ ଯୋଉ ବର୍ଣ୍ଣନା କରୁଥିଲେ ଆରବ ସାଗରରେ ଏହିପରି ଏକ ଟର୍ଣ୍ଣାଡ଼ୋ–ଆହତ ରଣତରୀର ଦୁର୍ଘଟଣା । ଡେକ୍ ଉପରେ ଚାଲିଥାଏ ଚା’ ଭୋଜି । ଆସେ ଟର୍ଣ୍ଣାଡ଼ୋ । ଟିକକ ପରେ ଚାଲିଯାଏ ସେ ଗୋଟାଏ ଚଳନ୍ତା ଧାରୁଆ ଛୁରିଭଳି–ଟର୍ପେଡ଼ୋ ଭଳି । ଗୋଟିଏ ଜାହାଜରୁ ଦୂରେଇ ଯାଉଥିବା ଦୁଇଟି ପୃଥକ୍ ଖଣ୍ଡ ଉପରୁ ଚିତ୍କାର ଶୁଣାଯାଏ । କେତୋଟି ମଣିଷଙ୍କର କବନ୍ଧ ତଥାପି ନାଚୁଥାନ୍ତି–ରକ୍ ଏନ୍’ ରୋଲ୍ !

 

ଓଃ ! କି ଭୟଙ୍କର ଦୃଶ୍ୟ ସେ !

 

‘ଛାତ୍ରବନ୍ଧୁ ନିରାମୟ ଖାଦ୍ୟ ଭଣ୍ଡାର’ର ତାଟି ତଳେ ଗଳୁ ଗଳୁ ବିଭୁପ୍ରସାଦ ମୁଣ୍ଡରେ ଅନେକଥର ବାଜିଯାଏ ସେଇ ଗୋଜିଆ ହେଇ ପଦାକୁ ବାହାରିଥିବା ବାଉଁଶ ଖଣ୍ଡଟା ।

 

“ହାଁ, ହାଁ ବାବୁ ! ସମ୍ଭାଳି କରି, ସମ୍ଭାଳି କରି !”....ଚେତାଇ ଦିଏ ଖାଦ୍ୟ ଭଣ୍ଡାରର ମାଲିକ ବାସୁଦେବ ।

 

ବାସୁଦେବ ବିଭୁପ୍ରସାଦର ବହୁଦିନର ଚିହ୍ନା ଲୋକ । ଏକ ସମୟରେ ଏଇ ଲୋକଟି ଥିଲା ତା’ର ବାପାଙ୍କର ସ୍କୁଲ୍‍ରେ ପିଅନ । ବର୍ତ୍ତମାନ ‘ହଜାର ହଜାର’ର ମାଲିକ ।

 

“ବୁଢ଼ାବାବୁ କେବେ ଆସୁଚନ୍ତି ?” ବାସୁଦେବ ପଚାରେ ।

 

ବିଭୁପ୍ରସାଦ ଜାଣିଥାଏ କାହିଁକି ବୁଢ଼ାବାବୁଙ୍କ ପାଇଁ ବାସୁଦେବର ଏତେ ଆଗ୍ରହ । ମଝିରେ ମଝିରେ ତା’ରବାପା ଆସି ଦୋକାନ ଧାର ସବୁ ଶୁଝି ଦେଇଯାନ୍ତି ବିଭୁପ୍ରସାଦ ପାଇଁ ଓ ବାସୁଦେବକୁ କହିଦେଇଯାନ୍ତି–

 

“ପିଲାଟାର ଦିହପାକୁ ଟିକିଏ ଦେଖୁଥିବ ବାପା ! ତୁମକୁ ଲାଗିଲା ଜାଣ ସେ । ପିଲାଦିନୁ ଖାଇବା ପିଇବାରେ ଠିକଣା ନ ହେଇ ଟୋକାଟା କେମିତି ବଙ୍କେଇ ଗଲାଣି, ଚିପି ହେଇଗଲାଣି ଦେଖୁଚ ! ତା’ର ଖାଇବା ପିଇବାକୁ ଟିକିଏ ଆଖି ଦେଇଥିବ ଭାଇ !” ବାସୁଦେବର ଓଠରେ ହାତ ଛୁଆଁଇ କହିଯାଇଥାନ୍ତି ଭବାନୀପ୍ରସାଦ ।

 

ପ୍ରତିଦିନ ତେଣୁ ଏଇ ହୋଟେଲ ଭିତରକୁ ପଶିବା ପୂର୍ବରୁ ବିଭୁପ୍ରସାଦ ମନେ ପକାଏ ତା’ର ବାପାଙ୍କର ସେଇ ସତର୍କବାଣୀକୁ–

 

“ସିଧା ଚାଲ୍ ! ସଳଖ ଚାଲ୍ ! ଏମିତି କୁଜେଇ ଯାଉଚୁ କାହିଁକି ? ତୋ ବୟସରେ ମୋର ଛାତି ଥିଲା ଚାଳିଶ ଇଞ୍ଚ୍ ! ପ୍ରଥମ ଚାନ୍‍ସରେ କୋଡ଼ିଏ ଏକୋଇଶବର୍ଷ ବୟସରେ ମୁଁ ଆପଏଣ୍ଟମେଣ୍ଟ୍ ପାଏ ପୁଲିସ୍ ସବ୍ଇନ୍‍ସପେକ୍ଟର୍ ଚାକିରିରେ ସେତେବେଳେ ୧୯୨୧ରେ ! ଆଉ ତମେ ସବୁ ଏ ଯୁଗର ପିଲାଏ !”

 

କିଭଳି ଏକ ‘ହିପ୍ନୋଟାଇଜ୍‍ଡ଼୍’ ହେଲାଭଳି ବିଭୁପ୍ରସାଦ ସଳଖି ଯାଏଁ ଏଇ ଦୋକାନ ଭିତରକୁ ପଶିବା ପୂର୍ବରୁ । ଦୋକାନ ଆଗର ସେଇ ଶଢ଼ାନର୍ଦ୍ଦମା, ଗୋଟାଏ ଧତଡ଼ା କୁକୁର, ଭିତରୁ ଆସୁଥିବା ପାଣିପଶା ଚାଉଳର ଭାତର ବାସ୍ନା...ଏଗୁଡ଼ାକ ସବୁ ‘କାଟାଲିଷ୍ଟ’ ଭଳି କାମକରେ ବିଭୁପ୍ରସାଦର ସେଇ ସଳଖ ଚାଲିଟିପାଇଁ । ତେଣୁ ତା’ ମୁଣ୍ଡରେ ବାଉଁଶ ବାଜେ ।

 

କିନ୍ତୁ ସେଦିନର ସେଇ ଦୈନନ୍ଦିନ ଦୁର୍ଘଟଣା ପାଇଁ ନିରାମୟ ଖାଦ୍ୟ ଭଣ୍ଡାରର ପାଣିପଶା ଚାଉଳ ଭାତର ଦୁର୍ଗନ୍ଧ ଅପେକ୍ଷା ନଟବରର ସେଇ ନାଁ ଲେଖାବେଳର ‘ଲିଜେଣ୍ଡ’ ବା ପୌରାଣିକ କଥା ଭଳି କଥାଗୁଡ଼ିକର ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିତ୍ଵମାନେ ଅଧିକ ଉତ୍ତେଜିତ କରନ୍ତି ତାକୁ ।

 

ଡାଲି ପାଣିରୁ ଚାମୁଚେ ଚାମୁଚେ ହାପୁଡ଼ୁ ହାପୁଡ଼ୁ ବିଭୁପ୍ରସାଦ ମନ ଭିତରେ ଅନାଉଥାଏ ସେଇ ଡେଙ୍ଗା ସରସର ଅର୍ଘାତିଆ ମଣିଷଟି ଆଡ଼କୁ ଯାହାକଥା ନଟବର କହେ ବାରବାର–ଯେତେବେଳେ ସେ ଆଗୁଆ ହେଇ ବାହାରିପଡ଼େ ବିଜ୍ଞାନକୁ ତାରିଫ୍ କରିବାକୁ ।

 

ମନଭିତରେ ନଟବରର ସେଇ କଥାଗୁଡ଼ାକୁ ଦୋହରାଏ ବିଭୁପ୍ରସାଦ । ସେ କହୁଥିଲା–“ସେଇ ଷ୍ଟ୍ରାଇକ୍ ବେଳର ମଣିଷଟି ଆଉ ସେଇ ଘଟଣାଟି ମତେ ଧରିନେଲା । ଗାଉଁଲି ପିଲାଟିଏ ହେଲେ ମଧ୍ୟ ମୋ ପ୍ରତି ମୋର ଧାରଣା ବରାବର ରହିଆସିଛି ଆଉ ଏକପ୍ରକାର । ସତ କହୁଛି–ସେତେବେଳଯାକେ ଆଇ.ଏ. କ’ଣ ଆଇ.ଏସ୍‍ସି କ’ଣ, କିଏ ପ୍ରଫେସର୍ କିଏ ରିଡ଼ର୍, ଲେକ୍‍ଚରର୍ କ’ଣ, ପେ–ସ୍କେଲ୍ କ’ଣ, ଏ ବିଷୟରେ ମୋର ଆଦୌ ଧାରଣା ନଥାଏ । ତେବେ ଆମ ଆଡ଼ିକା ହାଇସ୍କୁଲ୍‍ର ଜଣେ ହେଡ଼୍‍ମାଷ୍ଟର ଥାଆନ୍ତି ଯାହାଙ୍କର ନାଁ ଶେଷରେ ବି.ଏ. (ହନ୍‍ସ) ବୋଲି ଲେଖାଟିଏ ପଢ଼ିବାବେଳୁ ସେଇ ଶେଷ ଶବ୍ଦର ଧ୍ଵନି ପ୍ରତି ମୋର ଟିକିଏ ଅନୁରାଗ ଜାତ ହୋଇଥାଏ । କାନକୁବି ଆଇ.ଏ. ଅପେକ୍ଷା ଆଇ.ଏସ୍‍ସି. ଶବ୍ଦଟା ଆହୁରି ଗମ୍ଭୀର ଶୁଣାଯାଉଥାଏ । ବିଜ୍ଞାନ ବିଷୟରେ କେବଳ ଏତିକି ଧାରଣା ଧରି ସେଦିନ ମୁଁ ଆସିଥାଏ ଦରଖାସ୍ତ ଫର୍ମ୍ନେବାପାଇଁ ଏବଂ ହଠାତ୍ ସେଦିନ ମୁଁ ଭେଟ ହୁଏ ସେଇ ଲୋକଟି ସହିତ ।

 

ପନ୍ଦର ମିନିଟ୍ ! ତା’ ସହିତ ମୋର ଦେଖାହୁଏ ମାତ୍ର ସେଇ ପନ୍ଦର ମିନିଟ୍ । କଥାବାର୍ତ୍ତା ନାହିଁ । କେବଳ ସେଇ ଦେଖା । ବାସ୍ ! ମୋ ମୁଣ୍ଡ ଭିତରେ ଯେଉଁ ତୃତୀୟ କାନଟି ସଦାବେଳେ କାମ କରୁଥାଏ ବୋଲି ମୁଁ ତତେ କହିଥାଏ, ହଠାତ୍ ସେଇ କାନ ମୋର ସତର୍କ ହୋଇ ଉଠିଲା । ମୁଁ କାନ ଡେରିଲି–ଠିକ୍ ଯେମିତି ଜଣେ ବୁଦ୍ଧିବାନ୍ ବ୍ୟବସାୟୀ କାନଡ଼େରି ଜାଣିପାରେ ଆଗାମୀ କାଲିର ବଜାରକୁ ଆସୁଥିବା ଜିନିଷର ଚାହିଦାକୁ, ସେହିପରି ।

 

ମୁଁ ସେତେବେଳଯାକେ ଜାଣି ନଥାଏ ଯେ ଏଇ ଫାଟକ ପଛଆଡ଼େ ସେଇ ଯୋଉ ମେଳାମେଳା ପିଲା ସବୁ ଘୂରୁଥାନ୍ତି ଓ ଯାହାଭିତରକୁ ଧସେଇ ପଶିଯାଉଥାଏ ସେଇ ଡେଙ୍ଗା ଲୋକଟି–ସେଇଟା କୁଆଡ଼େ ଥିଲା ସେଇ ଛାତ୍ରଆନ୍ଦୋଳନ–୧୯୫୧ର ଦରମାବଢ଼ା ଷ୍ଟ୍ରାଇକ୍ । କଲେଜ ଦରମା ବଢ଼ିଥିବାରୁ ପିଲେ ଷ୍ଟ୍ରାଇକ୍ କରିଥାନ୍ତି । ମୋର ଅଜାଣତରେ ମୁଁ ପଶିଗଲି ସେଇ ଆନ୍ଦୋଳନ ଭିତରକୁ ।

 

ସେତେବେଳକୁ ନାଁ ଲେଖେଇବା କଥା ମୁଁ ସମ୍ପୂର୍ଣ୍ଣ ଭୁଲିଯାଇଥାଏ । ମୁଁ କେବଳ ଚାଲୁଥାଏ ସେଇ ଡେଙ୍ଗା ଲୋକଟି ଯୁଆଡ଼େ ଯାଉଥାଏ । କିଛି ସମୟପାଇଁ ସେ ପଶିଗଲା ଏଇ ଆସେମ୍ଳି ଭିତରେ । ମୁଁ ବାହାରେ ଠିଆ ହୋଇ ଅପେକ୍ଷାକଲି ।

 

ହଠାତ୍ ପଞ୍ଝାଏ ଛାତ୍ର ଆସେମ୍ଳି ବାହାରେ ଠିଆ ହୋଇ କାହାକୁ ଶୋଧିବାକୁ ଆରମ୍ଭ କଲେ । ମୁଁ ଜାଣିପାରିଲି ଯେ ସେ ଶୋଧାଗୁଡ଼ାକ ବର୍ଷୁଥିଲା ସେଇ ଡେଙ୍ଗା ଲୋକଟି ଉଦ୍ଦେଶ୍ୟରେ-

 

କିଛି ସମୟ ପରେ ଗୋଟାଏ ହୋ ଉଠିଲା ଯେ ସେଇ ଡେଙ୍ଗା ଲୋକଟି କୁଆଡ଼େ ଆସେମ୍ଳି ଭିତରେ ବସି ଗୋଛାଏ ଟଙ୍କାର ନୋଟ୍ କାହିଁକି ଚିରି ପକେଇଲା ।

 

“ଆସେମ୍ଳି ଭିତରେ ? ସରକାରର ନାକ ତଳେ ! ବାସ୍ ! ଏଥର ଗଲା ! “ମନି’–‘ଲିଗାଲ୍ ଟେଣ୍ଡର୍’କୁ ଚିରିଚି ? ବେଶ୍ ଭଲ ହେଲା ! ଏଥର ଯାଉ ମାମୁଘର !” ଛାତ୍ରମାନେ ବିରକ୍ତିପୂର୍ଣ୍ଣ ମନ୍ତବ୍ୟ ଦେବାକୁ ଆରମ୍ଭ କଲେ ।

 

ମୁଁ କୌତୂହଳୀ ହୋଇ ଉଠିଲି । ଭାବିଲି–ସତେ ? ଟିକକ ଆଗରୁ ଯେ ଏଡ଼େ ଦର୍ପରେ ମାଟି ଦୁଲୁକେଇ ଚାଲିପାରେ, ପୁଣି ଟିକିଏ କ’ଣ ଦୋଷରେ ତାକୁ ମାମୁଘର ଦେଖେଇ ଦେଇପାରେ ଏଇ ଘର ! ଏତ କିଛି କମି ଜାଗା ନୁହେଁ–ଏ ଆସେମ୍ଳି !

 

ତେବେ ମୋର ମନରେ କଷ୍ଟ ହଉଥାଏ । ସତେ ଲୋକଟା ଆରେଷ୍ଟ ହୋଇଯିବ ? ଲୋକଟା ପ୍ରତି କାହିଁକି ଏଭଳି ସହାନୁଭୂତିଶୀଳ ମୁଁ ହୋଇପଡ଼ୁଥିଲି କେଜାଣି ? ବୋଧହୁଏ ସେଠି ଯେତେ ଛାତ୍ର ଏକଜୁଟ ହେଇଥିଲେ ସମସ୍ତେ ତା’ ବିରୁଦ୍ଧରେ ଗପୁଥିଲେ ବୋଲି କି କେଜାଣି !

 

ଟିକକ ପରେ ହଠାତ୍ ମୁଁ ଦେଖିଲି ସେଇ ଲୋକଟି ମାଡ଼ି ଆସିଲା ପୁଣି ଆସେମ୍ଳି ଭିତରୁ-

 

‘ଏ କିଏ ?’ ମୁଁ ଜଣକୁ ପଚାରିଲି ।

 

ସେ ପିଲାଟା ବୋଧହୁଏ ଭାରି ବିରକ୍ତ ଅବସ୍ଥାରେ ଥାଏ । କଟମଟ କରି ମୋ ଆଡ଼କୁ ଚାହିଁ ସେ କହିଲା–“ତମେ ଚିହ୍ନିନା ? ୟା ନାଁ କଳିଯୁଗ ଭେଣ୍ଡା !”

 

“କଳିଯୁଗ ଭେଣ୍ଡା ? ମୁଁ ଆଶ୍ଚର୍ଯ୍ୟ ହୋଇ ସେ ଲୋକଟିକୁ ଚାହିଁଲି । ଲୋକଟି ଉତ୍ୟକ୍ତ ଛାତ୍ରମାନଙ୍କ ଗହଳିରେ ଠିଆ ହୋଇ କ’ଣ ସବୁ କହୁଥାଏ । କିନ୍ତୁ ସେମାନେ କେହି ତା’ କଥା ଶୁଣୁ ନଥାନ୍ତି । କେବଳ ଚିତ୍କାର କରୁଥାନ୍ତି–‘‘ଆରେ ମାରରେ ସେଟାକୁ ।”

 

କିନ୍ତୁ ମୁଁ ଦେଖୁଥାଏ ଲୋକଟିକୁ ଟିପ ଛୁଆଁଇବା ତ ଦୂରର କଥା, ଏତେଗୁଡ଼ାଏ ପିଲା କେମିତି ମେଣ୍ଢାଙ୍କ ଭଳି ବୋବାଳି ଛାଡ଼ୁଥାନ୍ତି ଲୋକଟାର ଚାରିପାଖେ ।

 

ହଠାତ୍ କ’ଣ ହେଲା, ସେ ଲୋକଟି ପିଲାଙ୍କୁ ଆଡ଼େଇ ଦେଇ ମାଡ଼ିଗଲା ଆଗକୁ ।

 

ମୁଁ ତା’ ପିଛା ଧଇଲି କିନ୍ତୁ ଲୋକ ଗହଳି ଭିତରେ ଆଗେଇ ପାରିଲି ନାହିଁ ।

 

ଟିକିଏ ପରେ ମୁଁ ଶୁଣିଲି ଗୋଟିଏ କୋଳାହଳ ।

 

ପ୍ରିନ୍‍ସିପାଲଙ୍କ କୋଠରୀ ପାଖରେ ପଞ୍ଝାଏ ପିଲା ଠିଆହୋଇ ଭାରି ଜୋର୍ ପାଟିତୁଣ୍ଡ କରୁଥିଲେ । କୁଆଡ଼େ ସେଇ ଡେଙ୍ଗା ଲୋକଟି କଲେଜ ପ୍ରିନ୍‍ସିପାଲଙ୍କୁ କ’ଣ ଧମକେଇଲା, ଆଉ ପିଲାଙ୍କର ପୂଜ୍ୟ ପ୍ରିନ୍‍ସିପାଲଙ୍କୁ ‘କାଠଘୋଡ଼ା’ ବୋଲି ଆଖ୍ୟାଦେଇ ପିଲାମାନଙ୍କର ଆତ୍ମମର୍ଯ୍ୟାଦାକୁ କଠୋର ପଦାଘାତ କଲା ।

 

ଏହି ସମୟରେ ମୋର ମନେପଡ଼ିଲା ଯେ ମୁଁ ପ୍ରକୃତରେ ଷ୍ଟ୍ରାଇକ୍ ଦେଖିବାକୁ ଆସିନାହିଁ-। ଆସିଛି କଲେଜରେ ନାଁ ଲେଖେଇବାକୁ ।

 

ଏହି ସମୟରେ ଡେଙ୍ଗା ଲୋକଟି ମୋ ବାଟ ଦେଇ ଧସେଇ ଚାଲିଯାଉଥିବାର ମୁଁ ଦେଖିପାରିଲି ।

 

ପିଲା ଆଉ ଅଧ୍ୟାପକ ପଞ୍ଝାକାପଞ୍ଝା ତଟସ୍ଥ ହେଇ ଅନେଇ ରହିଥାନ୍ତି । କଳିଯୁଗ ଭେଣ୍ଡା ଧସେଇ ଚାଲିଥାଏ ଗୋଟାଏ ହିଟ୍‍ଲର୍ ପରି !

 

ଏହି ସମୟରେ ମୋର କାନରେ ପଡ଼ିଲା–କିଏ ଜଣେ କହୁଥିଲେ–ମୋର ମନେହେଉଛି ସେ ବୋଧହୁଏ ଏଇ ଆମରି ଡ: ଜେନା.....ତେବେ ସେ ଚନ୍ଦା ହେଇ ନଥିଲେ ସେ ଯାଏଁ......ସେଇ ବୋଧହୁଏ କହୁଥିଲେ–

 

“ଆରେ ଦେଖତ ! ଏ ପିଲା ଏଇଠି ଆମରି ପାଖରେ ପଢ଼ୁଥିଲା......କି କଥା ସେ କହିନଗଲା......ପୁଣି ପ୍ରିନ୍‍ସିପାଲଙ୍କୁ ! ଅନୁଷ୍ଠାନର ସର୍ବଶକ୍ତିମାନ ପୁରୁଷ ବୋଲି ଆମେ ଯାହାଙ୍କୁ ପୂଜାକରୁ ତାଙ୍କୁ ପୁଣି......ଓଃ ! ଏ ଯୁଗ କ’ଣ ହେଲା ସତେ !”

 

ମୋର ମନେଅଛି, ସେ ଦିନ ମୁଁ ଏଇ ଡ: ଜେନାଙ୍କୁ ଅତି ନିର୍ବୋଧଭାବେ ପଚାରିଥିଲି, “ଆଜ୍ଞା, ଏଇ ଯୋଉ ବ୍ୟକ୍ତି ଆପଣଙ୍କ ପ୍ରିନ୍‍ସିପାଲଙ୍କୁ ଏମିତି କହି ଦେଇଗଲେ, ତାଙ୍କର ପାଠ କ’ଣ-? ସେ କ’ଣ ପଢ଼ିଛନ୍ତି ?”

 

ଅଧ୍ୟାପକ ଜେନାଙ୍କର ସେଇ ଚାହାଣିଟା ମୋର ଏପର୍ଯ୍ୟନ୍ତ ମନେପଡ଼ିଯାଏ । ମୁଁ ଆଦୌ ଜାଣି ନଥିଲି ଯେ ଏ ହଉଚନ୍ତି ସେଇ ଅଧ୍ୟାପକ ଜେନା ଯାହାଙ୍କ ପାଖରେ ମତେ କାମ କରିବାକୁ ପଡ଼ିବ ଆଉ ସାତ ଆଠବର୍ଷ ପରେ । ବିଜ୍ଞାନରେ ଥେସିସ୍ ଦେବାକୁ ପଡ଼ିବ ତାଙ୍କରି ତତ୍ତ୍ଵାବଧାନରେ ।

 

ଗୋଟିଏ ସଭାମଣ୍ଡପରେ ଯଦି ଜଣେ ଲୋକକୁ ଲଙ୍ଗଳା କରି ଆଣି ଠିଆକରି ଦିଆଯାଏ ଓ ତାକୁ ବକ୍ତୃତା ଦବାକୁ କୁହାଯାଏ ସେ ଯେମିତି ମୁହଁ କରନ୍ତା, ଡ: ଜେନାଙ୍କ ମୁହଁ ସେମିତି କେଶେରା ପଡ଼ି ଯାଇଥାଏ । ସେଇ ମୁହଁରେ ସେ ମୋ ପ୍ରଶ୍ନର ଜବାବ ଦେଲେ–

 

“ଆଇ.ଏସ୍‍ସି. ! ଏକଦା ସେ ଥିଲା ବିଜ୍ଞାନର ଛାତ୍ର....”

 

ତା’ର ଚାରିଦିନ ପରେ ମୁଁ ନାଁ ଲେଖେଇବା ଦରଖାସ୍ତ ଫର୍ମ୍ ପୂରଣକରେ–ନାମ–ଶ୍ରୀ ନଟବର ରାଉତ ।

 

ପି–ଶ୍ରୀ ଓଲା ରାଉତ ।

 

ପଢ଼ିବାକୁ ଇଚ୍ଛା କରୁଥିବା ବିଷୟ–ଆଇ.ଏସ୍‍ସି. !

 

ସେତେବେଳକୁ ବିଭୁପ୍ରସାଦର ରାତ୍ରଭୋଜନ ସରିଥାଏ । ଦୋକାନ ମାଲିକ ବାସୁଦେବ, ପାଖରେ ବସି ଉପଦେଶ ଦେଉଥାଏ ସବୁଦିନ ଭଳି–

 

“ଆରେ ବାପା ! ପଢ଼ାଶୁଣାତ କଲ । ବଡ଼ମଣିଷ ହେଲ ! ଏଥର ବୁଢ଼ାକୁ ଟିକିଏ ଛୁଟି ଦିଅ । ଚାକିରିବାକିରି କର । ବାହାତୋଳା ହେଇ ଘର ଖଣ୍ଡିଏ କର । ବୁଢ଼ା ଟିକିଏ ଦମ୍ ମାରୁ । ବୁଢ଼ାସିନା କହୁନାହିଁ, ହେଲେ ଯୋଉଥର ଆସୁଚି, ସେ ଯେତେବେଳେ ଡାକି ଦଉଚି....‘‘ବାସୁ !” ମୋ ମନରେ ଏଇ ଖିଆଲ ହଉଚି । ବୋଧହୁଏ ବୁଢ଼ାଟା ହାରି ଯାଉଚି ଦିନକୁଦିନ । ଏଥର ପୁଅମାନେ ମିଳିମିଶି ଟିକିଏ ବୁଝ ତା’ କଥା !”

 

ବିଭୁପ୍ରସାଦର ଦେହରେ ବିଜୁଳିର ଛିଟା ଲାଗିଯାଏ । ଶୋଇବାକୁ ଯିବା ପୂର୍ବରୁ ସେ ଅଧିକାଂଶ ଦିନ ଟିକିଏ ବୁଲିଆସେ ମହାନଦୀ କୂଳଆଡ଼େ–ତା’ର ପ୍ରିୟ ମହାନଦୀର କୂଳ ଆଡ଼େ । ସେଇ କୂଳରେ ନଦୀର ଉପରମୁଣ୍ଡ, ପଶ୍ଚିମଦିଗକୁ ଅନାଇରହି ସେ ବସେ ଅନେକ ସମୟ । ଆକାଶପାତାଳର ଚିନ୍ତା ସବୁ ଆସି ପହଞ୍ଚେ ଏଇଠି ତା’ର ମୁଣ୍ଡ ଭିତରେ ।

 

ନଈର ପାଣି ଚବକା ଖାଉଥାଏ–କୂଳର ପଥରବନ୍ଧରେ । ଏଇ ! ତା’ର ପିଲା ଦିନର ନଈ । ତା’ର ଶୈଶବର ସାଥୀ ! ଆଉ, ୟାରି କୂଳରେ ସେଇ ଛୋଟ ସ୍କୁଲ୍ ହଷ୍ଟେଲ୍‍ର କଡ଼ପଟିଆ ସେଇ ଏକଣା ଘରେ ବସି ବସି ହୁଏତ ସେ ବି ଅନାଇଥିବେ ଏଇ ନଈପଟକୁ । ଅନିରୁଦ୍ଧ ଶୋଇପଡ଼ିଥିବ ।

 

ହଠାତ୍ ତା’ର ଦିହ ଶୀତେଇ ଉଠେ । ହୋଟେଲ ମାଲିକ ବାସୁଦେବର ସତର୍କବାଣୀ ଆସେ ତା’ର କାନକୁ–“ବୁଢ଼ା ହାରିଯାଉଚି !”

 

ପାଞ୍ଚ

 

କିନ୍ତୁ ବିଭୁପ୍ରସାଦର ସେଇ ଦୀର୍ଘଦିନର ନିଷ୍ଫଳ ଛାତ୍ରଜୀବନ–୧୯୪୨–୪୩ରେ ଆରମ୍ଭ ହୋଇଥିବା ନିମ୍ନପ୍ରାଥମିକ ସ୍କୁଲ୍‍ର ଦ୍ୱିତୀୟ ତୃତୀୟ ଶ୍ରେଣୀଠାରୁ ଆରମ୍ଭ କରି–ଜାତୀୟ ସତ୍ୟାଗ୍ରହ ଆନ୍ଦୋଳନ, ମହାଯୁଦ୍ଧ, ମହାମାରୀ, ମା’ର ମୃତ୍ୟୁ, ବ୍ୟକ୍ତିଗତ ଅସୁସ୍ଥତା, ଆର୍ଥିକ ଅସ୍ୱଚ୍ଛଳତା ପ୍ରଭୃତି ବିଭିନ୍ନ ପର୍ଯ୍ୟାୟରେ ବ୍ୟାହତ ହୋଇ, ତଥାପି ୧୯୬୦–୬୧ ପର୍ଯ୍ୟନ୍ତ ଅଗ୍ରଗତି କରି ଆସିଥିବା–ତା’ର ଏଇ ନିଷ୍ଫଳ ଚାକୁଣ୍ଡା ତେଲ ଗବେଷଣା କାଳ ଭିତରେ ଦିନେ ଦିନେ ପଡ଼ିଯାଏ ହୁଲସ୍ତୁଲ ଅନ୍ୟ ଏକପ୍ରକାର ।

 

ସେଦିନ ସକାଳୁ ହଠାତ୍ ଜଣେ ଲୋକ ଆସି ପହଞ୍ଚିଯାଏ ବିଭୁପ୍ରସାଦ ବସାରେ । ସବୁ ମାସ ପ୍ରଥମ ସପ୍ତାହରେ ପ୍ରାୟ, ଏଇ ଲୋକଟି ଗାଁରୁ ଆସି ପହଞ୍ଚିବାର କଥା । କାନ୍ଧରୁ ଜାଉଁଳିଟିକୁ ତଳେ ଥୋଇଦେଇ ବିଭୁପ୍ରସାଦକୁ ଦଣ୍ଡବତ ହୋଇ ତା’ର କହିବାର କଥା–

 

“ବୁଢ଼ୀ ପଠେଇଚି ଏଇତକ । ଏଥରେ ଚୁଡ଼ା ଅଛି, ଘିଅ ଅଛି ସେ ବୋତଲରେ–ହାଁ, ହୁସିଆର ଢାଳିଯିବ । ଆଉ ଏ ପଟେ ବନ୍ଧା ହେଇଚି ଦିଇଟା ପିଜୁଳି–ସେ ସବାଖିଆ ବାଦୁଡ଼ି ପଲ କ’ଣ ରଖେଇ ଥୋଇଦଉଚନ୍ତି ଯେ ଫଳ ଖାଇବ ଛୁଆବାବୁ ! ତା’ ସାଙ୍ଗକୁ ପଡ଼ିଲେଣି ପଲେ ମାଙ୍କଡ଼ । ସେବେ ସରକାର ଘର ବନ୍ଧୁକିଆ ପଠେଇ ଗୁଳି କରି ଦେଇଥେଲା ସେ ହେଲେ ପୁଣି ପରା ପଲଟାଏ କୋଉଠୁ ଆସି ଜୁଟିଲେଣି । ...”

 

ଆଉ, ବିଭୁପ୍ରସାଦର ପଚାରିବାର କଥା–

 

“ବୁଢ଼ୀ ଅଛି କେମିତି ? ତା’ ପେଟକୁ ଆଉ ଆମ୍ବାବାଇ ଖେଞ୍ଚୁଚି ନା ନାହିଁ ?”

 

“ବୋରେବୋରି ଖେଞ୍ଚୁଚି–ଆମ୍ବାବାଇ କ’ଣ ବନ୍ଦ ହେବାର ଜିନିଷ ଯେ ବନ୍ଦ ହବ ?” ଲୋକଟି ଉତ୍ତର ଦିଏ ଆଉ ବୁଢ଼ୀପାଇଁ କିଣା ହେଇଥିବା ମିଲକ୍ ଅଫ୍ ମ୍ୟାଗ୍ନେସିଆ ବୋତଲଟିକୁ ନେଇ ଲେଉଟି ଯିବା ପୂର୍ବରୁ କହିଯାଏ–

 

“ବୁଢ଼ାବାବୁ ଚିଠି ନେଖିଥେଲେ–ତମ ପରୀକ୍ଷା ଫି ବାବତ ଟଙ୍କା ଆଉଚି ପଛରେ–ଧାନ ବିକିରି ହେଲେ । ହେଲେ ୟା ଭିତରେ ମଝିଆଁବାବୁ ନେଖିଚନ୍ତି କାଳିମାଟିରୁ–ତାଙ୍କରବି କ’ଣ ନଅଣ୍ଟ ଧଇଲାଣି......”

 

ଲୋକଟି ଫେରିଯିବାର କଥା ।

 

କିନ୍ତୁ ସେଦିନ ଦେଖାଯାଏ ଏକ ମାରାତ୍ମକ ବ୍ୟତିକ୍ରମ ସେଇ ନିୟମିତ ଗବେଷକ ଜୀବନରେ–ବିଭୁପ୍ରସାଦର ।

 

ସେଦିନ ସକାଳୁ ଧଇଁସଇଁ ହେଇ ଆସି ବିଭୁପ୍ରସାଦର ବସାରେ ପହଞ୍ଚିଯାଏ ଲୋକଟି । ଲୋକଟିର ସେଇ ଅସ୍ଵାଭାବିକ ଧାଇଁବା ଆଉ ଖାଲି ହାତଟିକୁ ଦେଖି ପକାଇବାମାତ୍ରେ ବୁଝିଯାଏ ବିଭୁପ୍ରସାଦ ସବୁକଥା ।

 

ଆଉ, ତା’ରି ପରେ ପରେଇ ବିଗିଡ଼ିଯାଏ, ଭୁଲ ହୋଇଯାଏ, ଅସ୍ଥିର ହୋଇଉଠେ ସବୁକଥା ।

 

ଏକ ଆତଙ୍କିତ ସ୍ୱରରେ ସେ କହିଦେଇଯାଏ ବିଭୁପ୍ରସାଦର କାନରେ ସେଇ କଥା ପଦକ–

 

“ବାବୁ ! କଥା ସଇଲା !”

 

ଆଉ, ତା’ପରେ ସେ ଅନାଏ ବିଭୁପ୍ରସାଦର ମୁହଁକୁ–ସେଇ ଉଚ୍ଚଶିକ୍ଷିତ ଆଉ ବାବୁଭାୟା ପରି ଦିଶୁଥିବା ଘରର ପୁଅଟିର ପ୍ରତିକ୍ରିୟାକୁ ।

 

କିନ୍ତୁ, ନିଜ ଭିତରର ସବୁକିଛି ପ୍ରତିକ୍ରିୟାକୁ ପେଟଭିତରେ ଢୋକି ରଖିବାକୁ ପିଲାଟିଦିନୁ ଅଭ୍ୟାସ କରିଥିବା ବିଭୁପ୍ରସାଦ କେବଳ ପଚାରେ ସେଇ ଗାଉଁଲି, ନିରକ୍ଷର ଲୋକଟିକୁ–

 

“ଆରେ ଚୁଡ଼ା କାହିଁ ? ଘିଅ କାହିଁ ? ଆମକୁ କ’ଣ ଓପାସ ରଖିଦବ ନା କ’ଣ ?”

 

ଲୋକଟି ବୟସରେ ବଡ଼ ହୋଇଥିଲେ ମଧ୍ୟ, ବିଭୁପ୍ରସାଦକୁ କିଛି ବେହେଡ଼ାକରି କହିପାରେନା । କିନ୍ତୁ ବିଭୁପ୍ରସାଦ ଜାଣେ, ଲୋକଟି ମନେମନେ କ’ଣ କହୁଥାଏ ତା’ ଉଦ୍ଦେଶ୍ୟରେ-

 

ତଥାପି ଲୋକଟି ବୁଦ୍ଧିଦିଏ ବିଭୁପ୍ରସାଦକୁ । ସେ ହଉଚି ତାଙ୍କର ଜଣେ ଶୁଭାକାଂକ୍ଷୀ ଚାଷୀ ପରିବାରର ଲୋକ, ଯେ ପିଲାଟି ଦିନୁ ଜଗାରଖା କରିଆସିଥାଏ–ବିଭୁପ୍ରସାଦର ଗାଁର ଚାରିପାଞ୍ଚ ଏକର ଜମିକୁ ଆପଣାର ବୋଲି ଭାବି । ଭଗବାନ ଜାଣନ୍ତି କୁଆଡ଼ୁ ମଣିଷକୁ ଏଇଭଳି ଶୁଭାକାଂକ୍ଷୀ ବନ୍ଧୁଗୁଡ଼ିଏ ମିଳିଯାଆନ୍ତି–ବିଶେଷକରି ଭବାନୀପ୍ରସାଦ ଭଳି ଜଣେ ସ୍ଵଳ୍ପ ବେତନଭୋଗୀ ବିଦେଶୀ ଚାକିରିଆ ମାଷ୍ଟରଟିକୁ ।

 

ଲୋକଟି ବିଭୁପ୍ରସାଦକୁ ଚେତାଇଦେଇ କହେ–

 

“ତମ ଦିହକୁ ଟିକିଏ ହେଲେ ନିଅ ଛୁଆବାବୁ ! ଗାଁକୁ, ଜମିବାଡ଼ିକୁ ଟିକିଏ ଆଡ଼ଆଖିରେ ଅନାଅ ! ଏ ସନ ଫସଲ ଯେମିତି କୁଆଡ଼େ ନାହିଁ–ଚୁଡ଼ା କ’ଣ ? ଭାତ–ଅନ୍ନ ମିଳିବ ନାଇଁ ଛୁଆବାବୁ–ଅନ୍ନ ମିଳିବ ନାଇଁ ! ତା’ ସାଙ୍ଗକୁ ସେ ପଞ୍ଝାକଯାକ ଟାଉଟର ଏକାଠି ହେଇ ଉଠେଇ ନେଲେଣି ତେଣେ ଅଧମାଣେ ଜମିର ପାଚିଲା ଧାନ । ଦିଦିନରେ ଉଠିଆରି ହେଇଥାନ୍ତା । ଦାଢ଼ିଆ, ନୋକ ପୂରେଇ ଦେଲା । ଆଖି ପିଛଳାକ ଭିତରେ କୋଡ଼ିଏଟା ନୋକ ସଫା କରିଦେଲେ କ୍ଷେତଟାକୁ । ତମେ ଟିକିଏ ଯାଅ–ଜଲଦି ଯାଅ–ବୁଢ଼ୀ କଇଚି ଜଲଦି ଯାଇ ଥାନାରେ ଦାଏରିଦିଅ–ଗାଁରେ ଶହେଚଉରାଳିଶି (୧୪୪ ଦଫା) ଜାରି କରେଇ ସେ ଟାଉଟର ପଞ୍ଝାଙ୍କୁ ରୋକ, ନହେଲେ ଏ ସନ ସବୁ ଉଠିଯିବ !”

 

ଲୋକଟିର କଥାକୁ ଆଦୌ କାନ ନଦେବାପାଇଁ ଦୃଢ଼ସଂକଳ୍ପ ହୋଇ ବିଭୁପ୍ରସାଦ ବାହାରେ–ଲାବୋରେଟୋରୀକୁ । ବିଭୁପ୍ରସାଦକୁ ସେଭଳି ନିଶ୍ଚିନ୍ତ ହେଇ ଚାଲି ଯାଉଥିବାର ଦେଖି ଲୋକଟି ପଛରୁ ଡାକି କହେ–

 

“ତମର କୋଉ ସାଙ୍ଗ ପୁଲିସ ସାହାବ ହେଇଚି ବୋଲି କହୁଥେଲ ସେଦିନ ଗାଁରେ–ବୁଢ଼ୀ କହିଛି ଶୀଘ୍ରନ୍ତେ–ତୁରନ୍ତେ ଯାଇକିନା କିଛି ବ୍ୟବସ୍ଥାକର–ଗାଁକୁ ପୁଲିସ, ନାଲିପଗଡ଼ିଆ ପଠେଇ ସେ ନୋକଙ୍କୁ ଜବତ ନକଲେ ଆଉ ଦିନ ପନ୍ଦରଟା ଭିତରେ ଗାଁରୁ ଭିଟାମାଟି ଉଠିଯିବ ଛୁଆବାବୁ ! ଟିକିଏ ହେଜ କରିଥିବ ।”

 

ବିଭୁପ୍ରସାଦ ତଥାପି ଦିଏନା କିଛି ଉତ୍ତର । ତା’ର ଏକମାତ୍ର ଚିନ୍ତା ବର୍ତ୍ତମାନ ଥାଏ କିଭଳି ‘ନିରାମୟ ହୋଟେଲ୍’କୁ ପଶିଯାଇ ପୁଳାଏ ବରା, ପକୁଡ଼ି କରି ଚରିଯିବ ଆଉ କପେ ଗରମ ଚାହା ଠୁଙ୍କି ଦେଇ ସେ ଫେରିଯିବ ତା’ର ଲାବୋରେଟୋରୀ ଭିତରକୁ ଆଉ ବସିପଡ଼ିବ ତା’ର ସେଇ ‘ଚାକୁଣ୍ଡା–ତେଲ’ ଗବେଷଣା ସାମଗ୍ରୀଗୁଡ଼ିକୁ ଧରି ।

 

ଲୋକଟି ଏଥର ଗରଗର ହୋଇ କ’ଣ ଗୁଡ଼ାଏ ଗପିଯାଏ ବିଭୁପ୍ରସାଦକୁ ଶୁଣେଇ ଶୁଣେଇ । ତା’ପରେ ସେ ଚାଲିଯାଏ ସିଧାସଳଖ ସେଇ ଲୋକଟି ପାଖକୁ ଯେ ବିଚରା ବୁଝେ ଗାଁର ସେଇ ତନ୍ତ୍ର, ମନ୍ତ୍ର, ଜଡ଼ି, ବୁଟି ଆଉ ଟୁଣୁଟୁଣୁକା ଶବ୍ଦ କେଇଟା–ଡାଇରି, କୋରଖ, ଫଉଜଦାରୀ, ଶହେଚଉରାଳିଶିଧାରା ଆଉ ତାକୁ କାଟିବାପାଇଁ ଶହେପଇଁଚାଳିଶି ଧାରା, ପୁଣି ନମ୍ବରୀ, ଡିଗ୍ରୀଜାରି ପ୍ରଭୃତି ମାହାତ୍ମ୍ୟମୟ ଶବ୍ଦଗୁଡ଼ିକୁ ।

 

ବିଭୁପ୍ରସାଦ ପହଞ୍ଚେ ଲାବୋରେଟୋରୀରେ । ବିଷାକ୍ତ ତେଲରେ ତିଆରି ବରା ଆଉ ପକୁଡ଼ିର ସ୍ଵାଦ ଏପର୍ଯ୍ୟନ୍ତ ଯାଇ ନଥାଏ ତା’ର ପାଟିରୁ । ଉଠିବାକୁ ଆରମ୍ଭକରେ ହାକୁଟିମାନ–ଘନଘନ । ଚିର–ଡିସେଣ୍ଟ୍ରିଗ୍ରସ୍ତ–ପେଟ ଭିତରେ ତା’ର ଶୁଣାଯାଏ ବହୁ ବହୁ ଧ୍ୱନି । କାମୁଡ଼ିଧରେ ପେଟ–ଉଠେଇ ଆସେ ବାନ୍ତି । କିନ୍ତୁ ସେଗୁଡ଼ିକୁ ଜୋର୍ କରି ଚାପିରଖେ ସେ । ମନଦିଏ କାମରେ-

 

ମଇଳା ଚାକୁଣ୍ଡା ତେଲଟିକକ ଏଥିମଧ୍ୟରେ ବିଶୋଧିତ ହୋଇସାରିଥାଏ । ଈଷତ୍ ହଳଦୀ ରଙ୍ଗର ତରଳ ଜିନିଷଟିକିଏ । ଏଇ ହେଉଚି ତା’ର ଗତ କେତେ ମାସର ନିରବଚ୍ଛିନ୍ନ ସାଧନାର ଫଳ । କିନ୍ତୁ ଏ ସବୁକୁ ନେଇ କରିବ କ’ଣ ସେ ? ହଁ, ସେ ପରୀକ୍ଷା କରିବ ଏଇ ଦ୍ରବ୍ୟଟିର ଗୁଣ । ତା’ପରେ ? ତା’ପରେ ଏହି ପରୀକ୍ଷିତ ଦ୍ରବ୍ୟଟିରୁ ସେ ବାହାର କରିବ ଅନ୍ୟଏକ ଅପରିଚିତ ଦ୍ରବ୍ୟ ଓ ପୁଣି ଚାଲିବ ସେଇ ଅପରିଚିତ ଦ୍ରବ୍ୟଗୁଣ ପରୀକ୍ଷା । ତା’ପରେ ? ତା’ପରେ ପୁଣି ଏଇ ପରୀକ୍ଷିତ ନୂତନ ଦ୍ରବ୍ୟଟି ଅର୍ଥାତ୍ ଚାକୁଣ୍ଡାତେଲର ନାତି, ଅଣନାତି ଆଉ ପଣନାତି ଦ୍ରବ୍ୟଗୁଡ଼ିକୁ ସେ ଜାତ କରାଇବ ଏଇ ଗବେଷଣାଗାରରେ ଓ ସେମାନଙ୍କର ଦ୍ରବ୍ୟଗୁଣ ପରୀକ୍ଷା କରିବା ଗବେଷଣାର ଭାର ତାକୁ ଗ୍ରହଣ କରିବାକୁ ପଡ଼ିବ । ଏଇତ ତା’ର ଗବେଷଣା !

 

ହଠାତ୍ କେମିତିଟିକିଏ ବାନ୍ତି ଉଠେଇଲା ଭଳି ଲାଗେ ତାକୁ । ସେ ଦଉଡ଼ିଯାଏ ପାଇପ ପାଖକୁ ଓ ମୁହଁ ହାତ ଧୋଇନେଇ ସାଷ୍ଟାମହୁଏ । ଏ ବାନ୍ତିଟା ଅବଶ୍ୟ ତା’ର ନୁହେଁ–ପେଟ ଭିତରର ସେଇ ବରା ପକୁଡ଼ିର ବିଷାକ୍ତତେଲର ପ୍ରକ୍ରିୟା ।

 

ଏ ବାନ୍ତିଟା ତା’ର ଆସେ ସେତେବେଳେ ଯେତେବେଳେ ତା’ର କଳ୍ପନାର ସମୁଦ୍ରପକ୍ଷୀ–ଆଲ୍‍ବାଟ୍ରସର ଦୀର୍ଘ ଡେଣା ଦୁଇଟି ଅବଶେଷରେ ଥକିପଡ଼େ । ତା’ର ସୁଦୂରଦ୍ରଷ୍ଟା ଆଖି ଦୁଇଟି ତଳର ଦିଗନ୍ତବିସ୍ତାରି ସମୁଦ୍ର ଆଉ ଉପରର ଅସୀମ ଆକାଶକୁ ଚାହିଁ ଚାହିଁ ହୋଇ ଉଠେ ଅବସନ୍ନ-। ଅବଶେଷରେ, ଏକ ସ୍ଥଳଭାଗର ଅନ୍ଵେଷଣରେ ବାହାରିପଡ଼େ ଆଲ୍‍ବାଟ୍ରସ । ଆଉ, ଆପଣାର ସେଇ ଅଦ୍ଭୁତ ସ୍ଵଭାବବଶତଃ ସେ ଖୋଜିଖୋଜି ପାଏ ଶେଷରେ ଏକ ନିର୍ଜନ ଦ୍ଵୀପ–ଜନମାନବ ହୀନ ଦ୍ୱୀପ, ଯେଉଁଠାରେ ଓହ୍ଲାଇବାକୁ ସେ ବାଧ୍ୟହୁଏ !

 

ଏବଂ ଠିକ୍ ଏହି ସମୟରେ, ବାହାରେ କାହାର ଚପଲ ଶବ୍ଦ ଶୁଣିପାରି କାନଡ଼େରେ ବିଭୁପ୍ରସାଦ । ଗୋଟାଏ ମୟୂରର ପୁଚ୍ଛ ଆପଣାର ସର୍ବାଙ୍ଗରେ ଛୁଇଁଛୁଇଁ ହୋଇଗଲା ପରି ଶିହିରି ଉଠେ ବିଭୁପ୍ରସାଦ ।

 

ପାଦଶବ୍ଦ ଅଟକି ଯାଏଁ ହଠାତ୍–ବିଭୁପ୍ରସାଦର ସେଇ ନିର୍ଜନ ଲାବୋରୋଟୋରୀ କବାଟ ନିକଟରେ ।

 

“ମନମୋହନବାବୁ ଅଛନ୍ତି କି ?”

 

ଏବଂ, ତା’ପରେ, ଅକସ୍ମାତ୍ ବିଭୁପ୍ରସାଦକୁ ସ୍ତବ୍ଧ କରିଦେଇ ତା’ ଆଗରେ ଆସି ହାଜର ହୋଇଯାଏ ଝିଅଟିଏ–ମୁରାଶା !

 

ମୁରାଶା !

 

ବିଭୁପ୍ରସାଦର ଶୁଖିଲା ଜିଭଟା ଓଲଟେ ନାହିଁ ଆଦୌ । ସେଥିରେ ନଥାଏ ଉଚ୍ଚାରଣର ଶକ୍ତି । ସେଥିରେ ଥାଏ କେବଳ ଏକ ସପ୍ତବର୍ଣ୍ଣୀ ଫଳର ଆସ୍ୱାଦ ।

 

“ମନମୋହନବାବୁ ନାହାନ୍ତି ?”

 

କଲେଜଛାତ୍ରୀ ମୁରାଶା, ବିଭୁପ୍ରସାଦର ସେଇ ଫଳ ଆସ୍ୱାଦନକାରୀ ଜିଭଟାକୁ ଟିକିଏ ଚୁମୁଟି ଦେଲା ଭଳି ଉଚ୍ଚାରଣ କରେ ସେଇ ଶବ୍ଦଟିକୁ ।

 

ଚମକି ଉଠେ ବିଭୁପ୍ରସାଦ ଆଉ କହେ–

 

“ଓ ! ଆପଣ ମନମୋହନବାବୁଙ୍କୁ ଖୋଜୁଚନ୍ତି ?”

 

ବିଭୁପ୍ରସାଦର ନିର୍ବୋଧତାରେ ଅବଶ୍ୟ ହସିଦିଏ ନାହିଁ ସେଇ ଝିଅ ମୁରାଶା ।

 

ସେ ଅବଶ୍ୟ ନୁହେଁ ସେଇ ଧରଣର ଝିଅ ଯେଉଁମାନେ ହସିଦିଅନ୍ତି ପୁଅମାନଙ୍କର ମୁହେଁ ମୁହେଁ ଓ ଆଖି ଉପରର ସେଇ ଲମ୍ବାଲମ୍ବା ବୁମେରାଂ ଅସ୍ତ୍ର ଦୁଇଟିକୁ ସେମାନଙ୍କ ଉପରକୁ ଫିଙ୍ଗିଫିଙ୍ଗି ସେମାନେ ଉଚ୍ଚାରଣ କରନ୍ତି–ଦାନ୍ତ ଚିପିଚିପି ସେଇସବୁ ବିଶ୍ଵବିଦ୍ୟାଳୟ ଶିକ୍ଷାର ସାରାଂଶଗୁଡ଼ିକୁ–

 

“ଷ୍ଟୁପିଡ଼୍–ନନ୍‍ସେନ୍‍ସ–ଇଡ଼ିୟଟ୍......ଇତ୍ୟାଦି ଇତ୍ୟାଦି”

 

ନା । ମୁରାଶା ନୁହେଁ ସେଇ ଭଳି ଏକ ଝିଅ । ସେ ହେଉଚି ବାସ୍ତବିକ ସେଇ ଭଳି ଏକ କୋମଳ ଝିଅ ଯାହାର ସୌରଭକୁ କଥାପ୍ରସଙ୍ଗରେ ବହୁବାର ଆଘ୍ରାଣ କରିଛି ବିଭୁପ୍ରସାଦ–ନୀଳକଇଁ ଆଉ ନାଲି କାଠଚମ୍ପା ! ନା–ଏ ନୁହେଁ ନଟବରର ସେଇ ‘ନୀଳକଇଁ ଆଉ କାଠଚମ୍ପା’ ! ଯଦିଓ ନଟବରର ସେଇ ଧାରକରା ଶବ୍ଦଦୁଇଟିକୁ ବ୍ୟବହାର କରେ ବିଭୁପ୍ରସାଦ–ଏ ଝିଅଟିପାଇଁ, ତଥାପି ସେ ଦୁଇଟିଶବ୍ଦ ଏଥିମଧ୍ୟରେ ହୋଇସାରିଥାନ୍ତି ବିଭୁପ୍ରସାଦର ଏକାନ୍ତ ନିଜସ୍ଵ–ଏକାନ୍ତ ନିଜସ୍ଵ-

 

ଏବଂ ସେଥିସହିତ ବିଭୁପ୍ରସାଦ ମଧ୍ୟ ଭଲକରି ଚିହ୍ନେ ଏଇ ଝିଅଟିକୁ ଓ ଜାଣେ ମଧ୍ୟ ଏ ଝିଅଟି ବାସ୍ତବିକ ତା’ର କେତେଦୂର ନିଜସ୍ୱ ! କିନ୍ତୁ ସେ ଜାଣେନା ଏଇ ଝିଅଟି ହୁଏତ କେତେଦୂର ପରିଚୟ ପାଇଚି ତା’ ନିଜର–ବିଭୁପ୍ରସାଦର !

 

ଝିଅଟି ଆଉ ବେଶୀ ସମୟ ଅପେକ୍ଷା କରିପାରେନାହିଁ–ସେଇ ନିର୍ଜନ ଲାବୋରେଟୋରୀରେ–ବିଭୁପ୍ରସାଦ ଭଳି ଏକ ମୂକଦର୍ଶକର ଉତ୍ତରକୁ । ସେ ଚାଲିଯାଏ ଆଉ ଗଲାବେଳେ କହିଦେଇ ଯାଏଁ–

 

“ଦୟାକରି ମନମୋହନବାବୁଙ୍କୁ ଟିକିଏ କହିଦେବେ ଯେ ‘ମୁଁ’ ଆସିଥିଲି ବୋଲି ଆଉ ଯଦି କିଛି ମନେ ନକରନ୍ତି ଏତିକି ଟିକେ କଷ୍ଟ କରିବେ ମୋପାଇଁ ?”

 

ବିଭୁପ୍ରସାଦ ନିରୁତ୍ତର ରହେ । ଉତ୍ତର ଦେବାର ଆବଶ୍ୟକତା ନଥାଏ ଅବଶ୍ୟ ।

 

“ଦୟାକରି କହିଦେବେ ଯେ ମୁଁ ଆସିଥିଲି ମୋର ସେଇ ଏୟାର୍ ହୋଷ୍ଟେସ୍ପୋଷ୍ଟ୍‍ ପାଇଁ ଆପ୍ଲିକେସନ୍‍ଟା ବିଷୟରେ ଟିକିଏ ଖବର ନେବାକୁ । ମନମୋହନବାବୁ କହିଥିଲେ ତାଙ୍କ ବାପାଙ୍କଠୁଁ ଗୋଟାଏ ସୁପାରିସ୍ କରାଇଦେବେ ବୋଲି–ଟିକିଏ ତାଙ୍କୁ ମନେକରେଇ ଦେବେ ଦୟାକରି......”

 

ତା’ପରେ ହଠାତ୍–ମୁରାଶାର ସେଇ ନାଲିକାଠଚମ୍ପାର ଓଠ ଦୁଇଟି ବିଭୁପ୍ରସାଦ ଆଘାତ କରନ୍ତି–ଗୋଟାଏ ମନ୍ତୁରା ଫୁଲପରି । ଉଭେଇ ଯାଏଁ ମୁରାଶା । ଆଉ ବିଭୁପ୍ରସାଦର ପେଟ ଆଉଣ୍ଡେଇ ଉଠେ ପୁଣିଥରେ ।

 

ବିଭୁପ୍ରସାଦ ଫେରିଯାଏ–ଫେରିଯାଏ ସେ ପୁଣିଥରେ ତା’ର ସେଇ ଈଷତ୍ ହଳଦୀବର୍ଣ୍ଣ ଚାକୁଣ୍ଡା ତେଲଟିକକ ପାଖକୁ । ତା’ର ପେଟ ପୁଣିଥରେ ଆଉଣ୍ଡେଇ ଉଠେ । କିନ୍ତୁ ତା’ର ମନ ଆଉ ଯୁକ୍ତି ଉଭୟ ଏଥର ଶାନ୍ତ ଆଉ ନୀରବଭାବେ ଅନୁଧାବନ କରନ୍ତି ସେଇ ଚାକୁଣ୍ଡା ତେଲଟିକକର ଭବିଷ୍ୟତ ଗବେଷଣା ଉପରେ ।

 

କିନ୍ତୁ ସେ ଆଉ ଆଗେଇ ପାରେନା । ଠିକ୍, ସେଇ ଝିଅଟିର ପାଦର ଚଟି ଶବ୍ଦଟି ଲାବୋରେଟୋରୀ ବାରଣ୍ଡା ଉପରୁ ଲିଭିଯିବାମାତ୍ରେଇ ବିଭୁପ୍ରସାଦ ସମ୍ମୁଖୀନ ହୁଏ ଏକ ନୂଆ ଧରଣର ଆକ୍ରମଣର ।

 

ବିଭୁପ୍ରସାଦ ଆଶ୍ଚର୍ଯ୍ୟ ହୁଏ, ଯେତେବେଳେ ସେ ସମ୍ମୁଖୀନ ହେବାକୁ ଯାଉଥାଏ ସେଇ ଆକ୍ରମଣଟାର । ବାରଣ୍ଡାର ଏପଟକୁ ଶୁଣାଯାଏ ଜୋତା ଶବ୍ଦ । ଆଉ, ଗୋଟାଏ ଘୂର୍ଣ୍ଣିବାୟୁଭଳି ଧସେଇ ଆସନ୍ତି ପ୍ରଫେସର୍ ଜେନା–ବିଭୁପ୍ରସାଦ ଆଡ଼କୁ ।

 

ଆଶ୍ଚର୍ଯ୍ୟ ହୁଏ ବିଭୁପ୍ରସାଦ–କାହିଁକି ସେ ଝିଅଟି ଆସେ ଠିକ୍ ଏଇଭଳି ଏକ ନିରୋଳା ମୁହୂର୍ତ୍ତରେ–ଯେତେବେଳେ ଗାଳି ଶୁଣିବାପାଇଁ ଆଉ କେହି ଭାଗୀଦାର ତା’ର ନଥାନ୍ତି ? ନଟବର ଆଉ ମନମୋହନ ଦୁହେଁ ଅନୁପସ୍ଥିତ ଥାଆନ୍ତି । କୁଆଡ଼େ ଯାଇଥାନ୍ତି ସେମାନେ ? କାହିଁକି ଯାଇଥାନ୍ତି ସେମାନେ ?

 

କିନ୍ତୁ ବିଭୁପ୍ରସାଦକୁ ଆଉ ଅଧିକ ଭାବିବାକୁ ସମୟ ନଦେଇ ଡଃ ଜେନା, ବିଭୁପ୍ରସାଦର ରିସର୍ଚ୍ଚ ଗାଇଡ଼୍ ଆସିଯାନ୍ତି ।

 

ତା’ପରେ, ଜୀବନ ଶୂନ୍ୟ ଭାବରେ ଆସି ବସି ପଡ଼ନ୍ତି ସେ–ବିଭୁପ୍ରସାଦର ଆଗ ଚଉକିରେ । ଏବଂ, ଠିକ୍ ସେତିକିବେଳେ ଝୁଲିଆସୁଥାଏ ଏକ ଫାଶୀଦଉଡ଼ି ଶୂନ୍ୟରୁ–ବିଭୁପ୍ରସାଦର ବେକ ଆଡ଼କୁ ।

 

“ମୁଁ ପଚାରୁଚି ସେ ମାଇକିନିଆଟା କିଏ ?” ଡଃ ଜେନାଙ୍କର ସେଇ ଉଚ୍ଚାରଣଟାକୁ ଆଦୌ ସହ୍ୟ କରିପାରେ ନାହିଁ ବିଭୁପ୍ରସାଦ ।

 

ନୀରବ ରହେ ବିଭୁପ୍ରସାଦ । ଏକ ଆଧ୍ୟାତ୍ମିକ ନିୟମ ଅନୁସାରେ ରିସର୍ଚ୍ଚ ଗାଇଡ଼୍‍ର ପ୍ରଶ୍ନର ଜବାବ ମୁହେଁ ମୁହେଁ ଦିଆଯାଏନାହିଁ–ଡଃ ଜେନାଙ୍କର ଲାବୋରେଟୋରୀରେ । ସେପରି ଉତ୍ତର ଦେବାର ଅର୍ଥ ଯେ ସର୍ବନାଶ ଏ ବିଷୟ ଭଲଭାବେ ମନେରଖିଥାଏ ବିଭୁପ୍ରସାଦ । ତେଣୁ ଡଃ ଜେନା କଦାପି ଜାଣନ୍ତି ନାହିଁ, ପ୍ରକୃତରେ ସେ ମାଇକିନିଆଟା କାହିଁକି ଓ କାହା ପାଖକୁ ଆସିଥାଏ ବୋଲି । ସେ କଦାପି ଜାଣିବେ ନାହିଁ ମଧ୍ୟ ସେଇ କଲେଜର ପଢ଼ୁଥିବା ଗୋଟିଏ ଦରିଦ୍ର ଚାଷୀର ଝିଅ, ଆଉ ଗୋଟିଏ ଦୁଃସ୍ଥା ନର୍ସର ଭଉଣୀ ସେଇ ମୁହୂର୍ତ୍ତରେ ନିଜପାଇଁ ଏକ ସୁପାରିସ୍ ପତ୍ର ଯୋଗାଡ଼ କରିବାପାଇଁ କିଭଳିଭାବେ ବ୍ୟସ୍ତଥାଏ । ଏୟାର୍ ଇଣ୍ଡିଆ ଇଣ୍ଟର ନ୍ୟାସନାଲ୍ ପାଇଁ ଗୋଟିଏ ଏୟାର୍ ହୋଷ୍ଟେସ୍ ଚାକିରିର ଲୋଭନୀୟ ବିଜ୍ଞାପନଟିଏ ସେଦିନ କି ଚାଞ୍ଚଲ୍ୟ ଖେଳାଇବାକୁ ଯାଉଥାଏ ସେଇ ଉଚ୍ଚାକାଂକ୍ଷୀ ମହିଳାଟିର ପ୍ରାଣରେ–ଆଉ ତା’ ସହିତ ଜଡ଼ିତଥିବା ସେଇ ଗବେଷକ ଛାତ୍ରମାନଙ୍କର ମହଲରେ !

 

ଡଃ ଜେନାଙ୍କର ଗାଳି ଏଥିମଧ୍ୟରେ ଆରମ୍ଭ ହୋଇ କେତେବେଳେ ସରିବାକୁବି ଆରମ୍ଭ କରିଥାଏ ଏବଂ ବିଭୁପ୍ରସାଦକୁ ତାଗିଦ୍ କରିଦେଇ ଯିବା ପୂର୍ବରୁ ସେ ପୁଣିଥରେ ଚେତେଇ ଦେଇ ଯାଇଥାନ୍ତି ତାକୁ–“ଦେଖ ବିଭୁପ୍ରସାଦ ! ଜୀବନରେ ସବୁବେଳେ ମନେ ରଖିଥିବ ସେଇ ଗୋଟିଏ କଥା–ଚରିତ୍ର ଓ କର୍ମନିଷ୍ଠତା......”

 

କିନ୍ତୁ ଆଜି କାହିଁକି କେଜାଣି ହସିଦିଏ ନାହିଁ ବିଭୁପ୍ରସାଦ, ଡଃ ଜେନାଙ୍କର ସେଇ ମୁଦ୍ରାଦୋଷଟିକୁ ଲକ୍ଷ୍ୟକରି । ସେ କେବଳ ବିରକ୍ତ ହୁଏ ଆଉ ମନେମନେ ଭାବେ କିଭଳି ଏଇ ଶୁଷ୍କ ନୈରାଶ୍ୟମୟ ଜୀବନରୁ ଉଦ୍ଧାର ପାଇ ସେ କୁଆଡ଼େ ଟିକିଏ ଚାଲିଯିବ ।

 

କିନ୍ତୁ ସେ ଯିବ କୁଆଡ଼େ ?

 

କେଉଁ କେଉଁ ପନ୍ଥା ଆଉ ଖୋଲା ରହିଛି ଆଜି ତା’ପାଇଁ ? ଚାକିରି ? ଚାକିରି, ଅର୍ଥାତ୍ ଅଧ୍ୟାପକ ଚାକିରି ! ବିଭୁପ୍ରସାଦର ପେଟ ଭିତରେ ପୁଣି ଗୋଳେଇ ଘାଣ୍ଟି ହେବାକୁ ଆରମ୍ଭ କରେ । ବିଷାକ୍ତ ତେଲ ଯୁକ୍ତ ବରାଗୁଡ଼ିକ ପୁଣିଥରେ ତାକୁ ଚେତାଇ ଦିଅନ୍ତି ଅଧ୍ୟାପକ ଶେଠୀଙ୍କର ସେଇ ସତର୍କବାଣୀ–

 

“ହୁସିଆର । ଯାହା ଖାଇବ ଖାଇବ ପଛକେ ହେଲେ ବରା ଅର୍ଥାତ୍ ବିରିରେ ତିଆରି କିଛି ଜିନିଷ ଖାଇବ ନାହିଁ । ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ଯେ ବରା ଖାଇଲେ ବୁଦ୍ଧି କମିଯାଏ ମଣିଷର !”

 

“ତାହାହେଲେ ଆଉ କ’ଣ ଦୁଧ ପିଇବ ?” ବିଭୁପ୍ରସାଦ ପଚାରେ କେବଳ ସେହି ଉତ୍ତରଟିକୁ ବାରମ୍ବାର ଶୁଣିବାକୁ ତାଙ୍କର ବକ୍ରୋକ୍ତି ଜରିଆରେ ।

 

“ହଁ, ଦୁଧ ! କିନ୍ତୁ ଗଧ ଦୁଧ ଯଦି ପାଇପାରନ୍ତ ତେବେ ବଡ଼ ଚମତ୍କାର ହୁଅନ୍ତା । ଖୁବ୍ ମିଠା ଆଉ ତନ୍ଦୃସ୍ତିବି– ।”

ଅଧ୍ୟାପକ ଚାକିରିଆଡ଼ୁ ମୁହଁ ଫେରେଇ ବିଭୁପ୍ରସାଦ ଚାହେଁ ଏଥର ଆଉ ଆଡ଼େ–ଯୁଆଡ଼େ ଲାଗିଥାଏ ସକାଳର ସେଇ ଶହେଚଉରାଳିଶି, ଟାଉଟରି, ନମ୍ବରୀ, କୋରଖ ଜାରି, ଡିଗ୍ରୀଜାରି ପ୍ରଭୃତି ଶବ୍ଦର ମହାମାରୀ ।

ହଁ, ଏ ହଉଚି ସେଇ ଗାଁ–ଯୁଆଡ଼ୁ ପ୍ରାଣ ବିକଳରେ ପଳାଇ ଆସିଛନ୍ତି ସେ ଆଉ ତା’ରି ଭଳି ଲକ୍ଷ ଲକ୍ଷ । କିନ୍ତୁ ଏ ମଧ୍ୟ ହେଉଚି ସେଇ ଗାଁ ଯୁଆଡ଼ୁ ଆସେ ତା’ର ସକାଳ ଓ ସନ୍ଧ୍ୟାର ଜଳଖିଆ–ଚୁଡ଼ା ଆଉ ଘିଅ–କାର୍ବୋହାଇଡ଼୍ରେଟ୍, ପ୍ରୋଟିନ୍ ଓ ଫ୍ୟାଟ୍ !

କାହିଁକି କେଜାଣି ଏଇ ସବୁ ଭୋକିଲା ମୁହୂର୍ତ୍ତରେ ବିଭୁପ୍ରସାଦର ବେଶି ମନେପଡ଼େ ସେଇ ଗାଁ କଥା–ଯାହାଠୁଁ ଦୂରେଇ ରହି ନିର୍ଲିପ୍ତଭାବେ ଆପଣାର ପଢ଼ାପଢ଼ି ଆଉ ସେହି ଚାକୁଣ୍ଡାତେଲର ଗବେଷଣାରେ ମନ ଦେବାପାଇଁ ବାରବାରି ଚେଷ୍ଟାକରି ଆସିଥାଏ ସେ–ପିଲାଦିନୁଁ ଆଜିଯାଏ ।

ହଁ, ଏଇ ହଉଚି ସେଇ ଗାଁ–ଯୁଆଡ଼େ ଲାଗିଚି ମହାମାରୀ ଆଉ ଯୁଆଡ଼କୁ ହୁଏତ ବର୍ତ୍ତମାନ ଧାଇଁଥିବେ ତା’ର ବାପା ଭବାନୀପ୍ରସାଦ–ସକାଳେ ତା’ପାଖରୁ ନିରାଶ ହୋଇ ଫେରିଥିବା ଲୋକଟିଠାରୁ ଖବରପାଇସାରି । ନା–କେବଳ ବର୍ତ୍ତମାନ କାହିଁକି ? ଦଉଡ଼ିଛନ୍ତି ସେ ସେଇ ଆଡ଼କୁ ତାଙ୍କର ସାରା ଜୀବନ ଏକ ଅର୍ଦ୍ଧଶତାବ୍ଦୀ ଧରି–ଆଉ ଦଉଡ଼ୁଛନ୍ତି ସେ ଏକ ଇତିହାସର ଯେକୌଣସି ବୀର ପୁରୁଷପରି–ସେଇ ମହାମାରୀ ଆଡ଼କୁ !

ସକାଳେ ଆସିଥିବା ସେଇ ଶୂନ୍ୟହସ୍ତ ଲୋକଟିର କଥା ପଦକ–

“ତୁମ ଦିହକୁ ଟିକିଏ ହେଲେ ନିଅ ଛୁଆବାବୁ ! ଗାଁକୁ, ଜମିବାଡ଼ିକୁ ଟିକିଏ ହେଲେ ଆଡ଼ଆଖିରେ ଅନାଅ....ଅନ୍ନ ମିଳିବ ନାଇଁ ଏସନ....ଅନ୍ନ ମିଳିବ ନାଇଁ....”

ବିଶୁଦ୍ଧ ଚାକୁଣ୍ଡା ତେଲଟିକୁ ଦ୍ଵିତୀୟ ସ୍ତରର ଗବେଷଣା ପାଇଁ ପ୍ରସ୍ତୁତ କରୁ କରୁ, ବିଭୁପ୍ରସାଦ ଆପଣାର ଅଜାଣତରେ କେତେବେଳେ ପୁଣିଥରେ ଶୁଙ୍ଘିବାକୁ ଆରମ୍ଭ କରିଥାଏ ସେହି ଆଇଁଗିଣିଆ ଗନ୍ଧ ହଉଥିବା ଚାକୁଣ୍ଡା ଫଳର ଚୋପାଗୁଡ଼ିକୁ । ସୌଭାଗ୍ୟବଶତଃ ନଟବର କିମ୍ବା ମନମୋହନ ସେଠି ନଥାନ୍ତି । ବିଭୁପ୍ରସାଦକୁ ବାଧା ଦେବାପାଇଁ, ତା’ର ସେଇ ସହଜାତ ବଦଖୋଇଟିକୁ ପର୍ଯ୍ୟବେକ୍ଷଣ କରିବାକୁ ସେମାନେ ସେଠି ନଥାନ୍ତି ।

ହଠାତ୍ ବିଭୁପ୍ରସାଦର ନାକକୁ ଏଥର ଆସେ ଏକ ଅପୂର୍ବ ସୁଗନ୍ଧ । ନା–ନା–ଏ ନୁହେଁ ସେହି ନୀଳକଇଁ ବା କାଠଚମ୍ପା ଭଳି ଧାରକରା ଶବ୍ଦଗୁଡ଼ିଏ । ଏ ଥାଏ ଆହୁରି କିଛି ଚମତ୍କାର–ଆହୁରି ଅଧିକ କିଛି ରୋମାଞ୍ଚକର ସୌରଭ–ଏକ କବିତାର ସୌରଭ !

ମନେମନେ ଗୁଣୁଗୁଣୁ ହେଇ କ’ଣ ଆବୃତ୍ତି କରିବାକୁ ଆରମ୍ଭ କରିଦିଏ ବିଭୁପ୍ରସାଦ–କିନ୍ତୁ କ’ଣ ସେଇ କବିତାଟି ? “ଛୋଟ ମୋର ଗାଁଟି....” ? ବୋଧହୁଏ । କିମ୍ବା ତା’ଠାରୁ ଆହୁରି ବାସ୍ତବ କିଛି କଥା–କିଛି ବାସ୍ନା–ଗତମାସର ସେଇ ସଫେଦ୍ ଜିରା ବା ଲାଜକୁଳୀ ବଦନ ଚାଉଳର ସବୁ ଚୁଡ଼ା, ବୁଢ଼ୀମାର ଯୌତୁକ ଗଛର ସେଇ ନଡ଼ିଆ ପୁଞ୍ଜା–ଖୁବ୍ ପିଲାଦିନେ ଆପଣା ହାତରେ ପୋତିଥିବା ପିଜୁଳି ଗଛର ଦି’ଅଣ୍ଡା ପିଜୁଳିର ବାସ୍ନା ? କିମ୍ବା ମଲାଭଉଣୀର ନାଁ ଘେନି ବଢ଼ିଥିବା ଆମ୍ବଗଛର ଆମ୍ବ ଦିଇଟା, ଗାଁ ମଶାଣି କଡ଼ର ବେତକୋଳି ବୁଦାର କୋଳି କୁଞ୍ଚଟା, ଅଥବା ଗାଁ ଠାକୁରାଣୀ ଗଡ଼ିଆର (ଯୋଉ ଠାକୁରାଣୀର ମୁଣ୍ଡ ଫଟେଇଥିଲା ସେ ଦିନେ, ପିଲାଦିନେ–ଘଟଣାଚକ୍ରରେ ପଡ଼ି ସେଇ ଠାକୁରାଣୀ ଗଡ଼ିଆର) ଗଡ଼େଇ ମାଛର ଭଜା ଦିଇଟା....କାହାର ବାସ୍ନା ସେ ? କାହାର କବିତା ସେ ?

 

ବିଭୁପ୍ରସାଦର ଆଖି ଏଥିଭିତରେ କେତେବେଳେ ଛଳଛଳ ହୋଇ ସାରିଥାଏ ସେ ଜାଣେନା । ହଠାତ୍, କିପରି କେଜାଣି ସେଇ ସବୁ ବାସ୍ନାରୁ ଉଦ୍ଭବ ହୁଏ ଆହୁରି ଅନେକ ଅନେକ ବାସ୍ନା ।

 

ପାଖରେ ଜଳୁଥିବା ସେଇ ‘ବର୍ଣ୍ଣର’ ନିଆଁର ଧାସ ଆଉ ତା’ରି ଉପରେ କାଚ ପାତ୍ରରେ ଟକମକ ଟକମକ ହେଇ ଫୁଟୁଥିବା ଚାକୁଣ୍ଡା ତେଲକୁ ଚାହିଁଦେଇ କାହିଁକି କେଜାଣି ପୁଣି ଚମକି ଉଠେ ବିଭୁପ୍ରସାଦ । କାହିଁକି କେଜାଣି ତା’ର ନାକକୁ ଆସେ ଆଉ ଏକ ବାସ୍ନା–ଏକ ବନାରସୀ ପାଟ ଶାଢ଼ିର ବାସ୍ନା ଭଳି–ଗନ୍ଧ କର୍ପୂରଦିଆ ପେଡ଼ି ଲୁଗାର ବାସ୍ନା ।

 

ହଁ, ହଁ–ଏ ହଉଚି ସେଇ ଶାଢ଼ିର ବାସ୍ନା ଯେଉଁଟାକୁ ପିନ୍ଧାଇ ତା’ର ମା’ଙ୍କୁ ଶୁଆଇ ନିଆଯାଉଥିଲା କୋକେଇ ଉପରେ ସେଦିନ–ସେଇ ୧୯୪୨–୪୩ର ସେଇ ଖରାଛୁଟିର ବାସ୍ନା ଏଇ ! –ଯୋଉ ଛୁଟିରେ ପ୍ରଥମ କରି ଫଳ ଧରିଥିଲା ସେଇ କଲମି ଆମ୍ବ ଗଛଟା–ମାସ ମାସ ଧରି ଅଜଣା କୁନି କଳା ଚଢ଼େଇଟିଏ କୁଆଡ଼ୁ ଆସି ବୁଲୁଥିଲା ତାଙ୍କର ଘର ଚାରିପଟେ, ଆଉ ଯୋଉ ଛୁଟିରେ ଗୁଲର୍‍ରେ ଗୁଳିକରି ସେ ମାରିଦେଇଥିଲା (?) ସେଇ ହଳଦିବସନ୍ତ ଛୁଆଟାକୁ !

 

ହଁ, ଏ ହଉଚି ସେଇ ଛୁଟି ଆଉ ସେଇ ଗାଁ–ଯେଉଁଠି କୋକେଇ ଉପରେ ମଡ଼ା ଥୁଆ ହେଲାପରେ ବିଚାର ପଡ଼େ ଗାଁ ମୁଖିଆଙ୍କର ବୈଠକ ବସେ–ଗଳବସ୍ତ୍ର ହେଇ ମୃତ ସ୍ତ୍ରୀଲୋକର ସ୍ଵାମୀଟି ଆସି ପହଞ୍ଚେ ଗାଁ ମୁଖିଆଙ୍କର ପାଦତଳେ, ଆଉ ସେଇଠି ପାଞ୍ଚୋଟି ଟଙ୍କା ସଲାମି ରଖି ସେ ଠିଆ ହୁଏ କଣିକିଆ ହେଇ । ଆରମ୍ଭ ହୁଏ ବିଚାର । ଘଣ୍ଟା ଘଣ୍ଟା ଆଲୋଚନା ଆବଶ୍ୟକ ହୁଏ–ଜାତି ଭାଇଙ୍କ କାନ୍ଧରେ ମଡ଼ା ଉଠିବାପାଇଁ । ପାଞ୍ଚୋଟି ଟଙ୍କା–ଅଜାତିରେ ଭାତଖାଇ ପାଞ୍ଚବର୍ଷ ଧରି ହଜିଯାଇଥିବା ଜାତି ପୁଣି ଫେରିଆସେ । ମଡ଼ା ଉଠେ ।

 

ସେଇ ଗାଁ ।

 

ସେଇ ଗାଁକୁ ଆଜି ଫେରିଚାହିଁବାକୁ କହିଯାଇଚି ଲୋକଟି । ନଚେତ୍ ଆଜିଠାରୁ ସକାଳ ଆଉ ସଞ୍ଜରେ ଉପାସ ରହିବାକୁ ପଡ଼ିବ ତାକୁ ।

 

ବିଭୁପ୍ରସାଦ ଚାହିଁଥାଏ ସେଇ ଟକମକ ଫୁଟୁଥିବା ତେଲ ଆଡ଼କୁ । ଠିକ୍ ଏତିକିବେଳେ ବାହାରେ କାହାର ପାଦଶବ୍ଦ ଶୁଣାଯାଏ । ବିଭୁପ୍ରସାଦ ସତର୍କ ହୁଏ ।

 

ଟିକକ ପରେ ଲାବୋରେଟୋରୀ ଭିତରକୁ ପଶି ଆସେ ନଟବର । ନଟବର ଫେରୁଥାଏ ଲାଇବ୍ରେରିରୁ । କାହିଁକି କେଜାଣି ତା’ର ମୁହଁ ଶୁଖିଲା ଶୁଖିଲା ଦିଶୁଥାଏ । ବୋଧହୁଏ ତା’ ଘରୁ ଆସିଥାଏ କୌଣସି ଚିଠି ।

 

ମୁହଁଟି ମାରିଦେଇ କିଛି ସମୟ ଗୁମ୍ ହେଇ ବସିବା ପରେ ହଠାତ୍ ତେଜି ଉଠି ନଟବର ବାହାରିପଡ଼େ କାମ କରିବାକୁ । ତା’ର ସେଇ ଦୀର୍ଘଶ୍ୱାସ ତଳୁ ବିଭୁପ୍ରସାଦ ପଢ଼ିପାରେ ଅନେକ କିଛି କଥା । ହୁଏତ ସେ ହୋଇପାରେ ମୁରାଶା । ହୁଏତ ସେ ହୋଇପାରେ ମନମୋହନ ।

 

“ତୁ ଜାଣୁ ?” ନଟବରଠୁଁ କଥାଟାକୁ ଆଦାୟ କରିବାପାଇଁ ବିଭୁପ୍ରସାଦ ତାକୁ ଟିହାଏ, “ଆଜି, ଏଇ ଟିକିଏ ତଳେ ସେ ଝିଅଟା ଆସିଥିଲା–ମନମୋହନକୁ ଖୋଜୁଥିଲା–ବୁଢ଼ା କିନ୍ତୁ ସବୁଦିନ ଭଳି ମତେ ଧଇଲା ଆଉ ଗାଳି ଦେଇ ଯାଇଚି...... ?’’

 

“ଆବେ ମାର ଗୁଲି ତୋ ବୁଢ଼ାଫୁଢ଼ାଙ୍କୁ । ମୁଁ ସେମାନଙ୍କୁ କେଆର୍ କରେ ନାହିଁ । ତୁ ଜାଣୁ ? ମୋର ରିସର୍ଚ୍ଚ ସ୍କଲାର୍‍ସିପ୍ ବନ୍ଦ କରିବାପାଇଁ ଦାୟୀ କିଏ ? ବୋଧହୁଏ ଏ ବୁଢ଼ା । ମତେ ଆଜି ଜଣେ କହୁଥିଲା ଯେ ଏ ବୁଢ଼ା ବର୍ତ୍ତମାନ ଲାଗିଲାଣି ମନମୋହନଙ୍କୁ ତେଲେଇବା ପେଇଁ–କାରଣ, ମୁଁ ଶୁଣୁଚି ଯେ କୁଆଡେ଼ ମନମୋହନ ଏଥିମଧ୍ୟରେ ଢଳିଚି ଡ: ଶର୍ମାଙ୍କ ଆଡ଼କୁ । ବୁଢ଼ା ଏଇଲେ ପଡ଼ିଚି ହରଡ଼ଘଣାରେ । ସେଦିନ ମୋର ଯୋଉ ମାଂସପେଶୀକୁ ତାରିଫ୍ କରି ବୁଢ଼ା ମନମୋହନକୁ ଦବାଉଥିଲା ଏଇଲେ ସେଇ ଫଳ ପାଇବାକୁ ଯାଉଚି ସେ । ଅପେକ୍ଷା କରି ଦେଖିବୁ-। ହେଲେ ସେମାନେ ମୋର ରିସର୍ଚ୍ଚ ସ୍କଲାର୍‍ସିପ୍‍ଟାକୁ କାହିଁକି ବନ୍ଦ କରିଦେଲେ ?”

 

ବିଭୁପ୍ରସାଦ ମୁଣ୍ଡରେ ଚଡ଼କପଡ଼େ । ସେ କାବା ହୋଇ ପଚାରେ–‘‘ସେମାନେ ତାହାହେଲେ କ’ଣ ସତରେ ତୋର ସ୍କଲାର୍‍ସିପ୍ ବନ୍ଦ କରିଦେବେ ବୋଲି ବସିଚନ୍ତି ? ଆଚ୍ଛା ମୋ’ଟା ବି ତ ବନ୍ଦ ହେଇଯିବ ?”

 

“କେଜାଣି ! ତମେମାନେ ତ ବୁର୍ଜୁଆ ଗୋଷ୍ଠୀର ଲୋକ । ତମେ ଜାଣିଥିବ ।” ନଟବର ଚିହିଁକି ଉଠେ ।

 

ବିଭୁପ୍ରସାଦ ଟିକିଏ ହସେ ଆଉ ଆପଣାର ପରିସ୍ଥିତି ସହିତ ନଟବରକୁ ପରିଚିତ କରାଇବାକୁ ଯାଇ ସେ ଉତ୍ତରଦିଏ–

 

“ଆରେ ବାବା, ଆମେ କି ବୁର୍ଜୁଆ ? କାଣୀ ବିରାଡ଼ିର କୁଜୀ ଅସରପା ଉପରେ ରାଗ ଭଳି ତୁ ଯେ ବେଳେବେଳେ ମତେ ଅହନ୍ତା କରୁ ମୁଁ ବୁଝିଚି । କିନ୍ତୁ ତୁ ଯୋଉଥିପାଇଁ ଏତେ ଅହନ୍ତା କରୁ ସେତକ ଆଜି ବନ୍ଦ ହେଇଯାଇଚି । ଜାଣୁ ? ଆଜି ସକାଳୁ ଜଣେ ଲୋକ ଗାଁରୁ ଆସିଥିଲା । ସେ କହି ଦେଇ ଯାଇଚି ଯେ–ଆଉ ନମିଳେରେ ବାବା ! ସେ ସରୁଚୁଡ଼ା, ଘିଅ, ନଡ଼ିଆ...ସବୁ ବନ୍ଦ । ପାଚିଲା ଧାନକିଆରିରୁ ଧାନ ଉଠି ଯାଇଚି ।”

 

“ଭଲ ହେଇଚି । ଖୁବ୍ ଭଲ ହେଇଚି । ତୁମ ଭଳି ଲୋକଙ୍କୁ ଦରକାର ସେମିତିକିଆ କଥା । ନଚେତ୍ ତମେ ପଞ୍ଝାଏକ’ଣ ଭାବିଚ ଏଣେ ଠାକୁର ଖାଇବ ତେଣେ ଠାକୁର ଖଟୁଳିବି ଖାଇବ ? ତୋ ବାପା ଗୋଟାଏ ସ୍କୁଲ୍‍ର ହେଡ଼୍‍ମାଷ୍ଟର । ବେଶ୍ କିଛି ପକଉଥିବେ ସ୍କୁଲ୍ ଫଣ୍ଡରୁ । ବର୍ତ୍ତମାନ ତ ମାଷ୍ଟେରିଆଙ୍କ ଯୁଗ ! ଗାଁକୁ ସେଇ ପଞ୍ଝାକ ଲୋକ ଏଇଲେ ନଚଉଚନ୍ତି । ସେଇ ହେବେ ଗାଁ ପଞ୍ଚାୟତର ସେକ୍ରେଟେରୀ, ସେଇ ହେବେ ମାଷ୍ଟର, ପୋଷ୍ଟ୍‍ମାଷ୍ଟର୍ ଆଉ ହୋମିଓପାଥି ଡାକ୍ତର । ତାଙ୍କରି ହାତ ବାଟଦେଇ ଯିବ ତଗାବି ଋଣ ଟଙ୍କା–ସାର, ବିହନ ଆଉ ବଳଦ କିଣା ଟଙ୍କା-। ଏଣେ ପୁଣି ଜମି ! କ’ଣ ସୃଷ୍ଟିଟାକୁ ଶୋଷିନବ କିରେ ତୁମେ ମାଷ୍ଟର ପଞ୍ଝାକ ?”

 

ନଟବର ଆରମ୍ଭ କରିଦିଏ ଶୋଧା । ସବୁଦିନେ ମନମୋହନକୁ ଯେଉଁ ଭାଷାରେ ସେ ଗାଳିଦିଏ, ସେଇଭଳି ନହେଲେ ମଧ୍ୟ, ବିଭୁପ୍ରସାଦକୁ ଖୁବ୍ ବାଧେ ସେ ଶୋଧାଟା । ତେବେ ବିଭୁପ୍ରସାଦ ଉତ୍ତର ଦିଏ–

 

“ଆରେ ବାବା ! ତୁ ଯାହାକଥା କହୁଚୁ, ସେ ହଉଚନ୍ତି ନିମ୍ନପ୍ରାଥମିକ ସ୍କୁଲ୍‍ର ଶିକ୍ଷକ–ଯେଉଁମାନେ ଗ୍ରାମପଞ୍ଚାୟତର ସେକ୍ରେଟେରୀ ହେଇ ପାରିବେ । କିନ୍ତୁ ମୋ ବାପା ହଉଚନ୍ତି ମି: ଇ: ସ୍କୁଲ୍‍ର ଶିକ୍ଷକ । ସହକାରୀ ପ୍ରଧାନ ଶିକ୍ଷକ । ଚାଳିଶବର୍ଷ ଚାକିରି କରି ମଧ୍ୟ ପ୍ରଧାନ ଶିକ୍ଷକ ପଦବୀକୁ ଉନ୍ନୀତ ହୋଇ ନାହାନ୍ତି । କାହିଁକି ଚିନ୍ତା କରୁଚୁ ? ତା’ ଛଡ଼ା ତୁ ଜାଣିନୁ ମୋ ବାପାଙ୍କୁ । ଥରେ ଆସନ୍ତୁ ତାଙ୍କ ସହିତ ତୋର ପରିଚୟ କରେଇ ଦେବି ଭଲକରି ।”

 

“ମୁଁ ତୋର ବାପାଙ୍କୁ ଜାଣେ ବାବା ଜାଣେ ! ମତେ ଆଉ ଚିହ୍ନେଇବାକୁ ପଡ଼ିବ ନାହିଁ ତତେ । ବୋଧହୁଏ ତୁ ନିଜେ ଚିହ୍ନି ନଥିବୁ ତୋ ବାପାଙ୍କୁ ବିଭୁପ୍ରସାଦ ! ମୋ ଜାଣିବାରେ ତାଙ୍କଠୁଁ ବଳି କାମ୍ପିଲୋକ ଆଉ ପୃଥିବୀରେ ନାହାନ୍ତି । ଅନ୍ତତଃ ସେ ଦେଖାଯାନ୍ତି ସେଇଭଳି–ତାଙ୍କ ଲୁଗାପଟାରୁ ।” ନଟବର ଚୁମୁଟିବାକୁ ଚେଷ୍ଟାକରେ ବିଭୁପ୍ରସାଦକୁ ।

 

“ନା, ନା, ହେଃ ! ମୋ ବାପାଙ୍କ ବିଷୟରେ ତୁମ ସମସ୍ତଙ୍କର ଗୋଟାଏ ଭୁଲ ଧାରଣା ଅଛି–’’ ବିଭୁପ୍ରସାଦ ସାମାନ୍ୟ ଅପ୍ରତିଭ ହୋଇ ଉଠେ ଓ ଆତ୍ମରକ୍ଷା କରିବାକୁ ତତ୍ପର ହୋଇ ଉଠି ଜବାବ ଦିଏ–

 

“ତୁ ଜାଣିନୁ–କାହିଁକି ଗୁଡ଼ାଏ ବୃଥା କଥା କହୁ ତୁ ସବୁବେଳେ ? ମୋ ବାପା ଥିଲେ ଉତ୍କଳମଣିଙ୍କର ଜଣେ ଶିଷ୍ୟ । ତୁ ଯାହାକୁ କାମ୍ପିଗିରି କହୁଚୁ ଆଉ କୋଚଟ ପୋଷାକ କହୁଚୁ–ତାହା ହଉଚି ବାସ୍ତବିକ ଦାରିଦ୍ର୍ୟ ଆଉ ଖଦଡ଼ ପୋଷାକ । ମୋ ବାପା ୧୯୨୧ରୁ ଖଦଡ଼ ପିନ୍ଧି ଆସୁଚନ୍ତି–ତୁ ଜାଣୁନା ସେ ଇତିହାସ ।”

 

“ମୁଁ ଭଲ କରି ଜାଣେ ତୁମ ସବୁ ଖଦଡ଼ିଆଙ୍କୁ–ଆଉ ବୁଝାନା ମତେ । ତମେ ସବୁ ଶେଷ କଲଣି ଏ ଦେଶକୁ...... ।”

 

“ଆମେ ନୁହ ବାବା, ଆମେ ନୁହ !” ବିଭୁପ୍ରସାଦର ସ୍ୱର କିଞ୍ଚିତ୍ ବଢ଼ିଉଠେ । ଆତ୍ମରକ୍ଷା କରିବାକୁ ଆହୁରି ଉଦ୍‍ବିଗ୍ନ ହୋଇ ଉଠି ସେ କହେ–

 

“ସେମାନେ ପ୍ରକୃତରେ ହଉଚନ୍ତି ନଟବର ନଚେତ୍ ମନମୋହନ–ଯୋଉମାନେ ଏ ଦେଶକୁ ଖାଉଚନ୍ତି......”

 

“ଚୁପ୍‍କର ! ମୋ ନାଁ କଦାପି ନେଇପାରିବୁ ନାହିଁ ତୁ ।” ନଟବର ରାଗେନା । କିନ୍ତୁ ସେ ଅପମାନିତ ମନେ କରେ ନିଶ୍ଚୟ ।

 

“ତେବେ ମୋ ନାଁ ବି ନେଇପାରିବୁ ନାହିଁ ତୁ ।” ବିଭୁପ୍ରସାଦ ଆତ୍ମରକ୍ଷା କରିବାରେ କୃତକାର୍ଯ୍ୟ ହୋଇ ଈଷତ୍ ମୁରୁକିହସା ଦେଇ କହେ–‘‘ତୁ ଜାଣୁ, କିଭଳି ମୁଁ ଏ ଲାଇନ୍‍କୁ ପଶିଲି–ଏଇ ଏମ୍.ଏସ୍.ସି ଲାଇନ୍‍କୁ ? ଅଥଚ ମୋ ବାପାଙ୍କର ଖଦଡ଼ ପୋଷାକ ମତେ ଏତେଟିକେ ବୋଲି ସାହାଯ୍ୟ କରିପାରିଲା ନାହିଁ ସେତେବେଳେ–ଯେତେବେଳେ ସେଇ ଇଞ୍ଜିନିୟରିଙ୍ଗ ବା ମେଡ଼ିକାଲ ଭଳି ଟେକ୍‍ନିକାଲ୍ ଲାଇନ୍‍ରେ ପଶିଯାଇଥିଲେ ଆଜି ଆଉ ଚିନ୍ତା ନଥାନ୍ତା–ହଜାରେ ପ୍ରଫେସର୍ ବାଡ଼ିଆପିଟା ହଉଥାନ୍ତୁ ଏଠି ବା ହଜାରେ ମନମୋହନ ରାଜନୀତି କରୁଥାନ୍ତୁ ଯେଉଁଠି ପାରେ ସେଠି, ମୋର ଆଜି ଚିନ୍ତା ନଥାନ୍ତା ।”

 

ତା’ପରେ ବର୍ଣ୍ଣନା କରେ ବିଭୁପ୍ରସାଦ ସେଇକଥା–ଯେଉଁ କଥାକୁ ବାରମ୍ବାର ଚିନ୍ତାକରିଆସିଛି ସେ ଠିକ୍ ଏଇଭଳି ଦିନଗୁଡ଼ିକରେ, ଯେଉଁ ଦିନ ଗାଁରୁ ଆସୁଥିବା ଚୁଡ଼ା ଆଉ ଘିଅ ସବୁ ବନ୍ଦ ହୋଇଯାଇଛି । ଗତ ସ୍କୁଲ୍ କାରିଅରରୁ ଆଜି ପର୍ଯ୍ୟନ୍ତ–ତା’ ଜୀବନରେ କେବେ ।

 

ସେଇଟା ହଉଚି ସେଇ ବର୍ଷର କଥା, ଯୋଉବର୍ଷ ବିଭୁପ୍ରସାଦ ବି.ଏସ୍‍ସି.ପାସ୍ କରିଥାଏ ଅନର୍ସ ଆଉ ଡିଷ୍ଟିଙ୍କ୍‍ସନ୍ ସହିତ । ସେ ବର୍ଷ ଖରାଛୁଟିରେ ପାରିବାରିକ ଆଲୋଚନାଚକ୍ରରେ ବିଭୁପ୍ରସାଦ ପ୍ରଥମଥର ପାଇଁ ବିଜ୍ଞାନ ସପକ୍ଷରେ ଯୁକ୍ତିଦ୍ୱାରା ବୁଝେଇ ପାରିଥାଏ ଭବାନୀପ୍ରସାଦଙ୍କୁ ଯେ ଏମ୍.ଏସ୍‍ସି. ଅପେକ୍ଷା ଇଞ୍ଜିନିୟରିଙ୍ଗ ଲାଇନ୍ ଆଡ଼କୁ ତା’ର ପ୍ରକୃତ ସହଜାତ ପ୍ରବୃତ୍ତି ରହିଛି । ତା’ର ପ୍ରଥମ କାରଣ ହଉଚି ଯେ ସେ ହଉଚି ଜଣେ ଇଞ୍ଜିନିୟର୍‍ଙ୍କର ନାତି–ଦ୍ଵିତୀୟରେ–ଖୁବ୍ ପିଲାଦିନେ ବିଭୁପ୍ରସାଦ ଏ କ୍ଷେତ୍ରରେ ଯଥେଷ୍ଟ କୃତିତ୍ୱ ଦେଖାଇଥିବାର କଥା ମଧ୍ୟ ବେଶ୍ ଜଣାଥାଏ ଭବାନୀପ୍ରସାଦଙ୍କୁ । ତା’ର ଏକ ପ୍ରଧାନ ପ୍ରମାଣ ହେଲା ଏହିପରି–

 

ଯେତେବେଳେ ବିଭୁପ୍ରସାଦର ବୋଉ ବଞ୍ଚିଥିଲା, ସେତେବେଳେ ତାଙ୍କ ହାଣ୍ଡିଶାଳ ଘରର ଗୋଟାଏ କବାଟ ତାଙ୍କୁ ଖୁବ୍ ହଇରାଣ କରୁଥିଲା । କବାଟଟାକୁ ଖୋଲିବାମାତ୍ରେଇ କବାଟଟା ଧଡ଼ାସ୍‍କରି ଆସି ଖୋଲି ଧରିବା ଲୋକର ଦିହରେ ବାଜୁଥିଲା ।

 

ସେଦିନ ଭବାନୀପ୍ରସାଦ ଏହି ପ୍ରବ୍‍ଲେମ୍‍ଟି ଦେଇଥିଲେ ଶିଶୁ ବିଭୁପ୍ରସାଦକୁ । ବିଭୁପ୍ରସାଦର ବୟସ ସେତେବେଳେ ଚାରି ବା ପାଞ୍ଚ । ମାତ୍ର ଚବିଶଟି ଘଣ୍ଟା ଭିତରେ ବିଭୁପ୍ରସାଦ କବାଟଟାକୁ ଏଭଳିଭାବେ ସାଧ୍ୟ କରିଦେଲା ଯେ କବାଟଟି କେବଳ ସ୍ଥିର ଓ ନିଶ୍ଚଳ ହୋଇ ଠିଆ ହୋଇ ରହିଲା ନାହିଁ–କବାଟ ଖୋଲିଲାବେଳେ ଗୋଟାଏ ଘଣ୍ଟିବି ତା’ ଛାଏଁ ବାଜିବାକୁ ଆରମ୍ଭ କଲା । ସେ ଆୟୋଜନଟା କ’ଣ ଓ କିଭଳିଭାବେ ସେ ତାକୁ କରିଥିଲା ସେ କଥା ସେବେ ମଧ୍ୟ ବିଭୁପ୍ରସାଦ ବୁଝେଇ ପାରି ନଥିଲା ତା’ ବାପାଙ୍କୁ । କିନ୍ତୁ କବାଟ ଖୋଲିଲାବେଳେ ଘଣ୍ଟିଟାଏ ବାଜିବ–ଏଇ ଘଟଣା ସେ ଅଞ୍ଚଳରେ ସେଦିନ ଖେଳାଇ ଦେଇଥିଲା ଏକ ଚାଞ୍ଚଲ୍ୟ (ଖବରକାଗଜ ଭାଷାରେ) ।

 

କିନ୍ତୁ ଏ ସବୁ ସତ୍ତ୍ଵେ ପୁଅକୁ ଟେକ୍‍ନିକାଲ୍ ଲାଇନ୍‍କୁ ପଠାଇବା ପାଇଁ ଆଦୌ ଆଗ୍ରହୀ ନଥିଲେ ଭବାନୀପ୍ରସାଦ । ତାଙ୍କର ଥିଲା କେବଳ ଗୋଟିଏ ଆଗ୍ରହ–ପୁଅ କିପରି ଇଂରେଜୀ, ଓଡ଼ିଆ ଓ ସଂସ୍କୃତ ଏହି ତିନି ଭାଷାରେ ଅନର୍ଗଳ ବକ୍ତୃତା ଦେଇ ଏକା ରାହାକେ ଲୋକଙ୍କୁ ହସେଇ ପାରିବ ଓ କନ୍ଦେଇ ପାରିବ–ସେଇ ଏକ ଆଗ୍ରହ !”

 

କିନ୍ତୁ ସେଦିନ ବିଭୁପ୍ରସାଦ ଯେତେବେଳେ ବି.ଏସ୍‍ସି. ପାସ୍ କରି ସାରି ତା’ର ବାପାଙ୍କୁ ଜଣାଇ ଦିଏ ଯେ ଏମ.ଏସ୍‍ସି. ପାଠ ପଢ଼ିବା ଏ ଦେଶରେ ନିରର୍ଥକ–ବଡ଼ ଚାକିରିତ ମିଳିବ ନାହିଁ ଶେଷକୁ କିରାଣି ଚାକିରି ମଧ୍ୟ ମିଳିବ ନାହିଁ । ଆଉ ସତକୁସତ ସେତେବେଳକୁ ରାଜ୍ୟରେ ହୀରାକୁଦ ଓ ରାଉରକେଲା ଭଳି ପ୍ରତିଶ୍ରୁତିଶୀଳ ଅନୁଷ୍ଠାନ ସବୁ ଖୋଲି ସାରିଲା ପରେ ମଧ୍ୟ ଗାଁ ଗଣ୍ଡାରେ ମାଷ୍ଟରି ଚାକିରି ଖଣ୍ଡିଏ ପାଉ ନଥାନ୍ତି ଅନେକ ଉଚ୍ଚଶିକ୍ଷିତ ଯୁବକ–ଚାକିରି ଆଉ ବିଶେଷକରି ବିବାହ କ୍ଷେତ୍ରରେ ଇଞ୍ଜିନିୟର୍‍ମାନଙ୍କ ପାଇଁ ଏକ ଭୟଙ୍କର ଚାହିଦା ରହିଥାଏ । ଠିକ୍ ଏତିକିବେଳେ ଡିରେକ୍ଟର୍ ଅଫ୍ ଇଣ୍ଡଷ୍ଟ୍ରିକ୍ ଅଫିସ୍‍ରୁ ଖଣ୍ଡେ ଲମ୍ବା, ମାଟିଆ କାଗଜର ଲଫାଫା ପାଇଥାଏ ବିଭୁପ୍ରସାଦ । ଇଣ୍ଟରଭିଉ ପାଇଁ ଡକରା ।

 

ସେଦିନ ଜାମାଜୋଡ଼ ହେଇ ସରଗରମରେ ବାହାରୁଥାଏ ବିଭୁପ୍ରସାଦ–ସତେକି ସେ ଯାଉଥାଏ ବେଦୀରେ ବସିବାପାଇଁ । ନିଜେ ଭବାନୀପ୍ରସାଦ ପୁଅକୁ ପୋଷାକ ପିନ୍ଧେଇ ଦିଅନ୍ତି । ତାଙ୍କ ଘରର ମାଆ ଅମଳର ବୁଢ଼ୀ ଚାକରାଣୀଟି ଆଖିରୁ ଲୁହ ଗଡ଼େଇ ପକାଉଥାଏ ବିଭୁପ୍ରସାଦର ମୁହଁକୁ ଅନେଇଦେଇ–“ଆହା ! ମାଆ ବିଚାରୀ ବଞ୍ଚିଥାଆନ୍ତି ଯଦି...”ସେ ଆଖି ପୋଛୁଥାଏ ।

 

ସକାଳୁ ସକାଳୁ ସାଇକେଲ ଧରି ବାହାରି ପଡ଼େ ବିଭୁପ୍ରସାଦ । ସୁନ୍ଦର ସକାଳଟିଏ । ବିଭୁପ୍ରସାଦର ମନରେ ଲାଗି ଲାଗି ଆସୁଥାଏ ରଙ୍ଗ । ତା’ର ମନେ ପଡ଼ୁଥାଏ–ଦିନେ ତା’ର ମା’ ଭବିଷ୍ୟତବାଣୀ କହିଥିଲେ–“ଦେଖିବ ରହ ! ମୋ ପୁଅ ବଡ଼ ଇଞ୍ଜିନିୟର୍ ହବ । ଦଳେଇ ଘାଇର ପାଣିକୁ ସିନା ସ’ସାହାବ ଅଟକଳ କରି ଦେଇ ଯାଇଚି, ମୋ ପୁଅ ଅଟକଳ କରିବ ପୂରା ମହାନଦୀ ପାଣିକୁ ।”

 

ବିଭୁପ୍ରସାଦ ଭାବୁଥାଏ ଆଉ ସାଇକଲ ଘଣ୍ଟି ମାରୁଥାଏ । ତା’ର କଡ଼େ କଡ଼େ ଚାଲିଥାନ୍ତି ଧାଡ଼ିଏ ଶଗଡ଼–ଚୋସ୍ତ ଧାନ ବୋଝେଇ ଶଗଡ଼ । ମହାଜନର ଧାନ ଯାଉଥାଏ କଟକ ।

 

ବିଭୁପ୍ରସାଦ ମାରୁଥାଏ ସାଇକଲ ଘଣ୍ଟି । ସୂର୍ଯ୍ୟ କିରଣରେ ଚକ୍‍ଚକ୍ କରୁଥାଏ ସାଇକେଲର ବେଲ୍ କ୍ୟାପ୍‍ଟା । ବିଭୁପ୍ରସାଦର ସାରା ମୁହଁଟା ପ୍ରତିଫଳିତ ହେଉଥାଏ ସେଇ ଚକଚକିଆ ଘଣ୍ଟିଟା ଉପରେ । ଗୋଲାକାର ଘଣ୍ଟଟା ଉପରେ କେମିତି ଗୋଟାଏ ଅବାଗିଆ ଆଉ ଚେପ୍‍ଟା ଦିଶୁଥାଏ ତା’ ମୁହଁଟା । ତେବେ ତା’ର ଗୋରା ମୁହଁ ଆଉ ସେଇ ତୀକ୍ଷ୍ଣ ଅବୟବଗୁଡ଼ିକ ବେଶ୍ ସ୍ମାର୍ଟ ଦିଶୁଥାନ୍ତି ସେଇ ଘଣ୍ଟି ଉପରେ । ମଝିରେ ମଝିରେ ଦାନ୍ତଗୁଡ଼ିକୁ ଖୋଲି, ତା’ର ପ୍ରତିଫଳନରୁ ବିଭୁପ୍ରସାଦ ବିଚାର କରୁଥାଏ–“ଦାନ୍ତଗୁଡ଼ିକ ସଫା ଅଛିତ ? କାରଣ ଇଣ୍ଟରଭିଉରେ ସେମାନେ ପ୍ରଥମେ ଦେଖନ୍ତି–ଏଇ ସବୁ କଥା–ଦାନ୍ତ, ନଖ, ମୁଣ୍ଡବାଳ.......”

 

ଠିକ୍ ସେତିକିବେଳେ ପଚାକ୍ କରି କ’ଣ ପୁଳାଏ ଉଷୁମ ଉଷୁମ ନାଲ, ନାଲ ଜିନିଷ ଛିଟିକି ପଡ଼ିଲା ବିଭୁପ୍ରସାଦର ଗାଲଠୁଁ ସାର୍ଟ୍ ଦେଇ ପାଦଯାଏ ।

 

ବ୍ରେକ୍ ଚିପିଧରି, ସାଇକଲରୁ ଏକରକମ ଡେଇଁ ପଡ଼ିଲା ବିଭୁପ୍ରସାଦ ହଠାତ୍ ତା’ର ଆଖି ପଡ଼ିଲା–ଶଗଡ଼ ମୁଣ୍ଡାରେ ବସି ହାଫ୍‍ନିଶ, ବାବୁରିବାଳ, ଡୋରିଆ ସାର୍ଟ ଆଉ ହାଫ୍‍ ପେଣ୍ଟ୍ ଭିତରୁ ମୁଚୁକେଇ ମୁଚୁକେଇ ହସୁଥିଲା ସେଇ ଯୋଉ ଶଗଡ଼ିଆଟା ।

 

ବିଭୁପ୍ରସାଦର ହାଡ଼ ଜଳିଗଲା ସେ ମୁହଁକୁ ଚାହିଁ । ତା’ର ମନେହେଲା ଲୋକଟାର କାନମୁଣ୍ଡାକୁ ଜୋତାରେ ସେକି ଦବ ! କିନ୍ତୁ ଲୋକଟାର ମୂର୍ତ୍ତି ଦେଖି ସେ ଟିକିଏ ଦବିଗଲା । ତା’ ଛଡ଼ା ଶଗଡ଼ ଛାଏଁ ଶଗଡ଼ ଚାଲିଚି । ଗାଲରୁ ପାନପିକ ସେଭଳି ବୋହିପଡ଼ୁଥିବା ଅବସ୍ଥାରେ ଏବଂ ତାହା ବେଶି ବେଶି ଜାମାରେ ଲେସି ହେଇଯାଉଥିବା ଅବସ୍ଥାରେ ଶଗଡ଼ ପଛେ ପଛେ ଦଉଡ଼ି ଲୋକଟାକୁ ଜବତ୍ କରିବାର ବେଳକାହିଁ ?

 

ମନକୁ ଟିକିଏ ଆଶ୍ୱାସନା ଦେଲା ବିଭୁପ୍ରସାଦ–ଜୋର୍ ଜୋର୍ ବୋହୁଥିବା କଡ଼ପଟିଆ ପବନକୁ ଚାହିଁ ସେ ଭାବିଲା–ଲୋକଟି ବୋଧହୁଏ ନଜାଣି କରି ପକେଇ ଦେଇଚି–ପବନରେ ଉଡ଼ି ଆସିଚି ପାନପିକ । ଦୋଷ ଗାଡ଼ିବାଲାର ନୁହ । ଦୋଷ ତା’ ନିଜର । ଶଗଡ଼ କଡ଼େ କଡ଼େ ଏଭଳି ଅନ୍ୟମନସ୍କହେଇ ସାଇକେଲ ସେ ଛୁଟାଇଥିଲା କାହିଁକି ?

 

ପାଖ ନାଳ ଭିତରକୁ ଯାଇ ବିଭୁପ୍ରସାଦ ମୁହଁ ହାତ ଭଲକରି ଧୁଆଧୋଇ କଲା । ତା’ପରେ ସେଇ ଓଦା ଜାମା ପେଣ୍ଟ୍‍ରେ ସେ ମୁହେଁଇଲା ଇଣ୍ଟରଭିଉ ଆଡ଼କୁ ।

 

କିଛିବାଟ ପରେ, ପୁଣିଥରେ ସେଇ ଶଗଡ଼ ଧାଡ଼ିଟାକୁ ତାକୁ କଟେଇବାକୁ ହେଲା । ବିଭୁପ୍ରସାଦ ଲୋକଟି ଆଡ଼କୁ ଚାହିଁଲା–ଖୁବ୍ କଟମଟ ଆଖିରେ ।

 

ଲୋକଟି କ’ଣ ଭାବିଲା କେଜାଣି–ବିଭୁପ୍ରସାଦ ଟିକିଏ ବାଟ ଆଗେଇଗଲା ପରେ ପଛରୁ ସେ ତା’ର ଅନ୍ୟ ଶଗଡ଼ିଆଭାଇକୁ ଏକ କୁହାଟ ମାରିଲା–

 

“ବାବ୍‍ବାରେ ଆଲୁଅ !”

 

ଇଣ୍ଟରଭିଉର ଫଳ ବାହାରିଲା । ଫଳ ଯାହା ହବାର କଥା ହେଲା । ଫଳ କିଛି ନ ହବାରୁ, ବିଭୁପ୍ରସାଦ ତିନିଦିନ ତିନିରାତି ନଖାଇ ନପିଇ ମୁହଁମାଡ଼ି ଶୋଇଲା ।

 

ଅବଶେଷରେ ବାହାରିଲେ ଭବାନୀପ୍ରସାଦ । ଦିହରେ ତାଙ୍କର ସେଇ ୧୯୨୧ର ଖଦଡ଼ ପଞ୍ଜାବି ଆଉ ଧୋତି । ମୁଣ୍ତରେ କିନ୍ତୁ ଟୋପି ନଥାଏ । ଡିରେକ୍ଟର୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ଅଫିସ୍ ! ଅଫିସ୍‍ର ଦ୍ଵାରଦେଶରେ ବସିଥିବା ଚପରାସି ଟିକିଏ ଅନେଇଲା ସେଇ ଗୌରବର୍ଣ୍ଣ ଆଉ ସଫା ଖଦଡ଼ ପୋଷାକକୁ ଏକ ଦାର୍ଶନିକର ଚକ୍ଷୁରେ । ତା’ପରେ କ’ଣ ଭାବି ସେ ଉଠିଲା ଆଉ ସଲାମଟିଏ ଠୁଙ୍କିଲା । ଭବାନୀପ୍ରସାଦଙ୍କର ପାଦ ସେଇଠୁ ଥରିବାକୁ ଆରମ୍ଭକଲା ।

 

ହଠାତ୍ ସେ କ’ଣ ଭାବିଲେ କେଜାଣି ଆଗକୁ ନଯାଇ ଘୂରିଲେ ପଛକୁ । ବାହାରେ ଅପେକ୍ଷା କରି ରହିଥିଲେ ବିଭୁପ୍ରସାଦ ଓ ଅନିରୁଦ୍ଧ । ପିଲାମାନଙ୍କୁ ଡାକି ସେ କଥାଟା ବୁଝେଇଦେଲେ–

 

“ଶୁଣ ପିଲାଏ ! ତୁମେ ଶଉରୀବାବୁଙ୍କୁ ଜାଣ ? ପିଲାଦିନେ ସେ ଗୋଟାଏ କ’ଣ ଚାକିରି ପେଇଁ ଦରଖାସ୍ତ କରି, ଚାକିରି ନପାଇବାରୁ କାନ୍ଦି କାନ୍ଦି ଗଡ଼ିଲେ । ତାଙ୍କ ବାପା ଥିଲେ ଜଣେ ମୁକ୍ତାର । ପୁଅକୁ ପାଖକୁ ଡାକି ସେ କହିଲେ–ଆରେହେ ଅକର୍ମା ! କାନ୍ଦୁଚୁ କିଆଁ ମାଇକିନିଆଙ୍କ ଭଳିଆ ? କିଛି ଯଦି ନମିଳୁଚି ଆସୁନୁ ମୁକ୍ତାରୀ କରିବୁ । ଓକିଲ ହ, ଓକିଲ ! ଅନର୍ଗଳ ବକ୍ତୃତା ଦେଇ ଶିଖ । ଏ ପୃଥିବୀ ହଉଚି ତା’ର–ଯେ କଥା କହିପାରେ ନହେଲେ ଟଙ୍କା ଗଣିପାରେ । ଶଉରୀବାବୁ ଓକିଲାତି ପଢ଼ିଲେ ବୁଢ଼ା ବୟସରେ ! ଦେଖ୍ ଦେଖ୍ ଅନ୍ଧ ସେ ହେଉଛନ୍ତି ଜଷ୍ଟିସ୍ ଶଉରୀବାବୁ !”

 

କିନ୍ତୁ ବିଭୁପ୍ରସାଦ ଓକିଲାତି ପଢ଼ିଲା ନାହିଁ ସେଦିନ । ସେ ପୁଣି ଲାଗିଲା ଡାକ୍ତରୀ ପଢ଼ିବାପାଇଁ । ଡାକ୍ତରୀ କଲେଜକୁବି ଦରଖାସ୍ତ କରିଥିଲା ସେ ।

 

ଇଣ୍ଟରଭିଉ ପାଇଁ ଆସିଲା ଡକରା ଓ ବଡ଼ ସନ୍ତର୍ପଣରେ ସେଦିନ ପୋଷାକ ପିନ୍ଧି ସେ ପୁଣି ବାହାରିଲା କଟକ । ଗଲାବେଳେ ଅବଶ୍ୟ ସାଙ୍ଗରେ ଆଉ ହଳେ ପୋଷାକ ନେବାକୁ ଭୁଲିଲା ନାହିଁ ସେ ଏଥର ।

 

ଇଣ୍ଟରଭିଉରେ ତା’ର ନାଁ ବଛାଯାଇଥାଏ ଡାକ୍ତରୀ ପଢ଼ିବାକୁ ।

 

ବିଭୁପ୍ରସାଦର ପରିବାର ସେଦିନ ଉଛୁଳି ଉଠୁଥାଏ ଆନନ୍ଦ ଆଉ ସ୍ଵପ୍ନ ବିଭୋରତା ମଧ୍ୟରେ ।

 

ଓଃ ! ସେଗୁଡ଼ିକ ସବୁ କି କବିତାର ଦିନ । ସାରା ରାତି ଶୋଉ ନଥାନ୍ତି ଭବାନୀପ୍ରସାଦ, ନା ଶୁଆଇ ଦଉଥାନ୍ତି କାହାକୁ । ନଅ ଦଶବର୍ଷର ପିଲା ଅନିରୁଦ୍ଧକୁ ରାତିଯାକ ଚୁମୁଟି କରି ଚେତା ରଖେଇଥାନ୍ତି ସେ–ଶ୍ରୋତା ହେବାପାଇଁ । ସେତେବେଳେ ପ୍ରଧାନ ଚିନ୍ତା ଥାଏ ମାସକୁ ମାସ ଖର୍ଚ୍ଚ ଟଙ୍କା ଆସିବ କୁଆଡ଼ୁ । ମଝିରେ ମଝିରେ ଭବାନୀପ୍ରସାଦ ଏକ ଶୁଭାକାଂକ୍ଷୀ–ବାପାର ବିରକ୍ତି ପ୍ରକାଶ କରି ବିଭୁପ୍ରସାଦକୁ ଦୋଷ ଦେଉଥାନ୍ତି–

 

“ଆରେ ବାବା ! ତମମାନଙ୍କଦ୍ଵାରା କିଛି ହବ ନାହିଁ । ତମେମାନେ ଜାଣିଚ ପେଟକଟା ଆୟ ହଉଚି ସବୁଠୁ ବଡ଼ ଆୟ । ପେଟକୁ କାଟି ଶିଖ । ପୋଷାକ ପତ୍ର କମାଅ । ନଚେତ୍ କିଛି କରିପାରିବ ନାହିଁ ଜୀବନସାରା । ଯାହା ପାଉଥିବ ପାଟିକି ପକେଇ ଦଉଥିବ......”

 

ବିଭୁପ୍ରସାଦ ଯୁକ୍ତି କରୁଥାଏ ଅସଂଖ୍ୟ–ତା’ର ଖଙ୍କା ପେଟ ଆଉ ଚିରା ସାର୍ଟ୍‍କୁ ସର୍ବସମକ୍ଷରେ ଦେଖାଇ ।

 

କିନ୍ତୁ ଭବାନୀପ୍ରସାଦ ଯୁକ୍ତି କରନ୍ତି–

 

“ଲୋକେ ଓଉଦାଣ୍ଠି ଖାଇ, ନଈପାଣି ପିଇ ପାଠ ପଢ଼ିଥିଲେ କଲେଜରେ । ସେ ତୁଳନାରେ ତୁମେ ଆଜି କେତେ ଉଚ୍ଚରେ ? ଅନ୍ତତଃ ବର୍ଷସାରା ଗଣ୍ଡାଏ ଖାଇବାର ଚିନ୍ତା ନାହିଁ ତୁମର । ପାଞ୍ଚ ଏକର ଜମିକୁ ଜୀବନସାରା ଲାଗିପାତି ଏଇଥିପେଇଁ ମୁଁ ପକେଇଚି । ଜମିକୁ ଆଖି ରଖ–ସେଇଥିପେଇଁ ମୁଁ ଏତେ କହେ......”

 

ସେଇ ବର୍ଷ ଖରାଛୁଟିରେ ଠିକ୍ ଏଇଭଳି ଲାଗିଥାଏ କ’ଣ ଗୋଟାଏ ଜମିଜମାର ବିବାଦ-। ସେଦିନ ଗାଁରେ ନଥାନ୍ତି ଭବାନୀପ୍ରସାଦ । ବିଭୁପ୍ରସାଦ କଟକ ଆସିଥାଏ । ଏକାରାତିକେ ପାଞ୍ଚଭରଣ ଧାନ ଉଠିଗଲା ଖଳାରୁ । ଧାନତକ ଅମଳ ହୋଇ ଗୋଟାଏ ଗାତରେ ଖଣି ପଡ଼ିଥିଲା–ଚୋରମାନଙ୍କ ଦାଉରୁ ଧାନତକ ରକ୍ଷାକରିବା ପାଇଁ । ରାତାରାତି ଉଠିଗଲା ସେତକ–ବାହାଘରବେଳେ ବାଇଗଣ ରୋଉଥିବା ଲୋକର ବାଡ଼ିରୁ ବାଇଗଣ ତଳିତ କବି ଶେଷରେ ଉଠିଗଲା ପରି !

 

ପାଞ୍ଚଭରଣ ଧାନ, ଅର୍ଥାତ୍ ଭରଣ ଅଶୀଟଙ୍କା ହାରରେ ଚାରିଶହ ଟଙ୍କା ହଠାତ୍ ହାତରୁ ଖସିଯିବା ଫଳରେ ବିଭୁପ୍ରସାଦର ଡାକ୍ତରୀ ପଢ଼ିବା ସେଦିନ ସେତିକିରେ ବନ୍ଦ ହେଲା ।

 

ସେଦିନ, ବିଭୁପ୍ରସାଦର ମନେଅଛି, ଯେତେବେଳେ ତା’ର ବାପା ଏହିପରି କଚେରି ଦଉଡ଼ା ଦଉଡ଼ି କରୁଥିଲେ ସେଇ ଧାନଚୋରି ମକଦ୍ଦମାରେ, ସେଇ କଚେରି ଆଗ ବରଗଛ ମୂଳେ ବସିଥିବା ମହକିଲ ସଭାରେ ବକ୍ତୃତା ଦେଇ ବିଭୁପ୍ରସାଦ ପୁଣିଥରେ କିଭଳି ବୁଝେଇଥିଲା ତା’ର ବାପାଙ୍କୁ ବିଜ୍ଞାନର ଉପକାରିତା ବିଷୟରେ ।

 

ବିଭୁପ୍ରସାଦର ମନେପଡ଼େ ଏବେ ମଧ୍ୟ, ସେ ଯାହା କହୁଥିଲା ତା’ର ବାପାଙ୍କୁ ସେଦିନ ସେଇ ମହକିଲ ସଭାରେ–ସେ କହିଥିଲା–

 

“ବାପା ! ପ୍ରକୃତରେ କିନ୍ତୁ ଜୀବନସାରା ମୋର ଯେଉଁ ଏକମାତ୍ର ଉଚ୍ଚାଭିଳାଷ ଥିଲା–ତା’ ହେଉଚି ବିଜ୍ଞାନର ଶୀର୍ଷକୁ ଛୁଇଁବା । ମୁଁ ଗବେଷଣା କରିବି ବାପା ! ମୁଁ ଗବେଷଣା କରିବି ଓ ଗବେଷଣାର ଶୀର୍ଷସ୍ଥଳକୁ ଯାଇ ମୁଁ ପାଇବି ନୋବେଲ୍ ପ୍ରାଇଜ୍ ! ମୁଁ ଆବିଷ୍କାର କରିବି ଔଷଧ ! ଆପଣଙ୍କ ମନେ ଅଛି ବାପା ? ମୋର ବୋଉ ମରିଗଲା ଅଥଚ ଆମେ ତାକୁ ଦେଇପାରିଲେନି ଉପଯୁକ୍ତ ଔଷଧ । ତାହା କେବଳ ଆମର ଦାରିଦ୍ର୍ୟ ନୁହେଁ ବାପା ! ତାହା ହଉଚି ଆମର ଅଜ୍ଞତା । ଆମେ ସେଦିନ ଜାଣି ନଥିଲୁ ପେନିସିଲିନ୍‍ର ନାଆଁ–ଯାହା ଆଜି ପ୍ରତ୍ୟେକ କଥା କହିପାରୁଥିବା ଛୁଆକୁ ଜଣା.......”

 

ଅବଶେଷରେ ତା’ର ବାପା ଟିକିଏ ହସିଥିଲେ ଆଉ ଅନୁମତି ଦେଇଥିଲେ ବିଭୁପ୍ରସାଦକୁ ପଢ଼ିବାପାଇଁ–ଏମ୍.ଏସ୍‍ସି. ।

 

ବିଭୁପ୍ରସାଦର ମନେଅଛି, ଯେତେବେଳେ କଚେରି ହତାରୁ ବାହାରି ଆସୁଥାଏ ସେ, ତା’ର ପଛରେ ତା’ର ବାପା ଆଉ ଅନ୍ୟାନ୍ୟ ମହକିଲମାନେ କ’ଣ ସବୁ କଥାବାର୍ତ୍ତା ହେଉଥିଲେ ।

 

ବିଭୁପ୍ରସାଦର ପରିଚୟ ଦେଇ ତା’ର ବାପା ସେଦିନ କହୁଥାନ୍ତି କେତୋଟି ଗାଉଁଲି ମହକିଲଙ୍କ ଆଗରେ; ସେ କହୁଥାନ୍ତି–

 

“ତମେ ଏ ଟୋକାର ସ୍ୱରୂପ ଜାଣିଚ ମଉସା ?

 

ଏ ହଉଚି ଏକ କବି–କବି ଏ କବି ! ପଦ ଫାନ୍ଦେ । ଭାରି ବଢ଼ିଆ ଫାନ୍ଦେ । ଶୁଣିବ ପଦଟାଏ ତା’ର ? ଏଇଟା ହଉଚି ଶିଶୁମାନଙ୍କ ଉପରେ ଫନ୍ଦା ପଦ ୟାର–ପିଲାଦିନେ ଏଇ ପିଲା ଲେଖିଥିଲା ଏଭଳି ପଦ !

 

“ଜନମିଲୁ ଆରେ ନବୀନ ପ୍ରସୂନ.....”

 

“ଏ କ’ଣ କମି ପଦ ? କମି ଭାବ ରହିଚି ଏଥେରେ ? ଆଜି, ଏଇ ପଦ ବଳରେ ସିନା ଏ ପିଲା ବାହାରିଚି ଔଷଧ ସୃଷ୍ଟି କରିବାପେଇଁ !”

 

ଛଅ

 

କିନ୍ତୁ–

 

ପରଦିନ ସକାଳୁ–

 

ପରଦିନ ସକାଳଟି କିନ୍ତୁ ଅଲଗା ।

 

ସେଇଟି ଥିଲା ସେଇଭଳି ଏକ ସକାଳ ଯେତେବେଳେ ବିଭୁପ୍ରସାଦ ଭଳି ଛାତ୍ରମାନେ ବିଛଣା ଛାଡ଼ୁଥିଲେ ଆଖି ମଳି ମଳି । ସେମାନଙ୍କର ଚତୁର୍ଦ୍ଦିଗ ହଳଦୀବର୍ଣ୍ଣ: ସୂର୍ଯ୍ୟର ସୁନେଲି ନୁହେଁ, ପତ୍ରର ହରିତ ନୁହେଁ–ମନର ହଳଦିଆ କାହାଳ ? ଜଣ୍ଡିସ୍ କିଏ ଜାଣେ କ’ଣ ସେଇ ହଳଦିଆଟା ?

 

କିନ୍ତୁ ଭଗବାନଙ୍କୁ ଅଶେଷ ଧନ୍ୟବାଦ, ମାତ୍ର ଟିକିଏ ସମୟ ପରେ ପୁଣି ସଫା ହୋଇଯାଏ ଚାରିପାଖ । ଉଭେଇଯାଏ ହଳଦୀବର୍ଣ୍ଣ । ବୋଧହୁଏ ଭିଟାମିନ୍ ଡେଫିସିଏନ୍‍ସି, ସ୍ନାୟୁ ଦୌର୍ବଲ୍ୟ, ପିତ୍ତାଧିକ୍ୟ !

 

ସେମାନେ ତା’ପରେ ଉଠନ୍ତି । ନା–ଭିଟାମିନ୍ ଆହରଣ କରିବାକୁ ହେବ ଏଥର । ଅଧିକ ଭିଟାମିନ୍ । ପ୍ରଚୁର ଭିଟାମିନ୍ । ପୁଷ୍ଟିକର ଖାଦ୍ୟ । କିଛି ଗଜାମୁଗ, ଗୋଟିଏ ପାଚିଲା କଦଳୀ, ଚାମୁଚେ କୋରା ନଡ଼ିଆ, ହାଫ୍ ବଏଲ୍ ଅଣ୍ଡାରୁ ଅନ୍ତତଃ ଫାଳେ ଏବଂ ନିହାତି କମ୍ ଅଧ ଗିଲାସ ଦୁଧ–ସାଧାରଣ ଖାଦ୍ୟ ବାଦ୍ ।

 

ସେମାନେ ଧାଆଁନ୍ତି ।

 

“ମୁଗ ଅଛି ? ମୁଗ ?” ତେଜରାତି ଦୋକାନ ଆଗରେ ସେମାନେ ଧାରଣା ଦିଅନ୍ତି ।

 

“ଅଛି–ଗୋଟା ନା ଜାଇ ?” ମୋଟା ଗର୍ଦ୍ଦନଟିଏ, ମୃଦଙ୍ଗର ସରୁଆ ପାଖଟି ଭଳି ଗୁମୁକି ଉଠେ ।

 

“ଆରେ ଭାଇ ଜାଇ ହବ କ’ଣ ଆମର ? ଗୋଟା ଦରକାର ! ଗୋଟା–ଯୋଉଥିରୁ ଭଲ ଗଜା ବାହାରିବ । ଅସଲି ଗଜା । ଧଳା ଧଳା ତାଜା ଗଜା–ଭିଟାମିନ୍ କ, ଖ, ଗ, ଘ, ଙ......” ସେମାନେ ବେକ ବଢ଼େଇ ଅନାନ୍ତି ତରାଜୁର ଡାହାଣ ପଟକୁ ନଇଁ ପଡ଼ିଥିବା କଣ୍ଟାକୁ ।

 

“ଆହେ ! କିଆଁ ଗୋଟାଏ ବର୍ଣ୍ଣବୋଧ ସକାଳୁ ପଢ଼ାଉଚହେ ଆମକୁ ! ଆମେ କ’ଣ ଅକ୍ଷର ପଢ଼ିନୁ ନା କ’ଣ ହୋ ? କ’ଣ ତମେ କଲେଜ ପିଲା ଏକା ପାଠ ପଢ଼ିଚ କିଓ ? କହୁନା କେତେ ନବା ଗୋଟାଏ ପେଖନା କାଢ଼ୁଚ କାହିଁକି ?” ଲୋକଟା ରସବୋଧକୁ ଗୋଡ଼େ ଗୋଡ଼େ ବାଡ଼େଇବାପାଇଁ ତିଆରି ହେଲା ଭଳି ସ୍ୱରରେ ଜବାବ ଦିଏ ।

 

“ହଉ, ଦିଅ ଦିଅ ସେରେ, ଦିଅ ସେରେ । ଆଉ କ’ଣ କହିବା ତମକୁ ! ଯୁଗତ ଅଲଗା ହୋଇଗଲା–” ଖୋଲି ଧରନ୍ତି ସେମାନେ ବ୍ୟାଗ୍ ମୁହଁ । କଳା କଳା ମୁଗ–ସେମାନଙ୍କର ଧଳା ଧଳା ଲୋଭନୀୟ ଆଖିମାନଙ୍କୁ ମିଟିକେଇ ମିଟିକେଇ ଅନାଇ ଦିଅନ୍ତି ଦୋକାନୀର ତରାଜୁ ଭିତରୁ । ହାତ ବଢ଼େଇ ମା’ କୋଳକୁ ଡେଇଁ ପଡ଼ିଲା ଭଳି ସେମାନେ ଖୋଲା ବ୍ୟାଗ୍ ଭିତରକୁ ଡେଇଁପଡ଼ିବାକୁ ଉଦ୍ୟମ ହେଉଥାନ୍ତି । ଆହା କି ସୁନ୍ଦର ଦ୍ରବ୍ୟ ଏଇ ଗୋଟିଏ ଗୋଟାଏ ମୁଗର ଦାନା । ଚିତ୍ରର ବାଳଗୋପାଳ ମୂର୍ତ୍ତିଠାରୁ ଆହୁରି ଚମତ୍କାର–ଆହୁରି ରୋମାଞ୍ଚକର–ଆହୁରି ଦୁର୍ଲଭ ସେଇ ହସଟି–ସେଇ ମୁହଁଟି,ସେହି ରଙ୍ଗଟି । ମୁଗ !

 

କିନ୍ତୁ–ହାୟ ମୁଗ !

 

“ଆରେ ବାବୁ ! ଦିଅନା ଜଲଦି ଟିକିଏ । ଏତେ କ’ଣ ଡେରି କରୁଚ । ଆମେ ପୁଣି ଯିବୁ ନା ତେଣେ । କଲେଜ ଡେରି ହେଇ ଯାଉଚି ଯେ ।”

 

“ମାରୁନ ଗୁଲି ତମ କଲେଜକୁ ଏଣେ ମୋ ମୁଗ ଗଳି ପଡ଼ୁଚି ବସ୍ତାରୁ ଦେଖୁଚ ପରା । ଟିକିଏ ରହ । ସବରାତ କର; ଗୋଟାଏ ଦାନାର ଦାମ୍ ହେଲାଣି କେତେ ଜାଣିଚ ? ତୁଛେଇଁକି ପାଟିଟେ କରିଚ କିଆଁହୋ ସକାଳୁ ସକାଳୁ ?”

 

“ତମେ ତାହାହେଲେ ମୁଗ ଦବନାହିଁ ଦେଖୁଛି । ସେରେ ମୁଗପେଇଁ କେତେ ସମୟ ଖର୍ଚ୍ଚ କରିବ ଜଣେ କାମିକା ମଣିଷ ?” ନିରାଶ ବ୍ୟାଗ୍‍ଗୁଡ଼ିକର ମୁହଁ ବନ୍ଦ ହୋଇଯାଏ । ଭୟଙ୍କର ଅନିଚ୍ଛାସତ୍ତ୍ୱେ ମୁଗଗୁଡ଼ିକ ଆହୁରି ଜୋର ଖିଲିଖିଲି ହୋଇ ହସି ଉଠନ୍ତି ତେଣେ ଦୋକାନୀର ତରାଜୁ ଭିତରେ । ଓଃ କି ଭୟଙ୍କର ସେ ହସ !

 

“ତମେ ତାହାହେଲେ ମୁଗ ନବନାହିଁ–ସେ କଥା କହୁନ । ଆମକୁ ବୃଥାଟାରେ ଦୋଷ ଦଉଚ କିଆଁ ? ଆମେ ତ ବଇଚୁ ବେପାରୀ । କହିଲା ଭଳିଆ ଦେଲା ନାରୀ ହେଲା ପାରି । କାହିଁ ଟଙ୍କା କାଇଁମ ? ଟଙ୍କାର ଦେଖା ନାହିଁ, ଏଣେ ଜିନିଷ ନବାକୁ ତନାଘନା ।”

 

ଦୋକାନୀ କଚିଦିଏ ମୁଗ ତରାଜୁଟାକୁ । ମନଦିଏ ଅନ୍ୟ ଗରାଖଙ୍କ ଆଡ଼କୁ । ମୁଗଗୁଡ଼ାଏ ଛଞ୍ଚାଡ଼ି ହୋଇ ପଡ଼ନ୍ତି ବାହାରକୁ । ଠିକ୍ ପୁଳାଏ କାଦୁଅ ଆସି ମୁହଁରେ ଛିଞ୍ଚି ହୋଇଗଲା ଭଳି ଲାଗେ ସେଇ ଦୃଶ୍ୟଟି ଗରାଖର ମନ ଉପରେ । ସେ ଫେରିପଡ଼େ ପଛକୁ । ପଛରୁ ସେ ଶୁଣେ–

 

“ମୁଁ ୟାକୁ ଚିହ୍ନିନାହିଁ ? ହେଇ ହେଇ ବଡ଼ ଜୋର୍ ପାଉଥିବ ଟଙ୍କା ଅଢ଼େଇଶ । ଆରେ ମୋର ବସ୍ତାଏ ମୁଗ ଦାମ୍ ହେଲାଣି ଦେଢ଼ଶ’ । ଏଗୁଡ଼ାକ କ’ଣ ଖାଇବା ଲୋକ ! ଏଗୁଡ଼ାକ ଶୁଙ୍ଘା ଲୋକ ? ଏଁ କଲେଜ ଡେରି ହେଇ ଯାଉଚି ୟାର ।”

 

ସେମାନେ ଚାଲିଯାନ୍ତି–ନାଙ୍ଗୁଡ଼ ଜାକିକରି । ମନେମନେ ସେମାନେ ହିସାବ କରି ପକାନ୍ତି । ଅଶୀ ସେରକୁ ଦେଢ଼ଶହ ହେଲେ ସେରକୁ କେତେ ?

 

“ଇଲୋ ମା’ଲୋ....” ଆହୁରି ବେଗି ପାହୁଣ୍ଡ ପକାନ୍ତି ସେମାନେ–ଦୂରକୁ ଦୂରକୁ–ମୁଗଠାରୁ, କଦଳୀଠାରୁ, ଦୁଧଠାରୁ, ଅଣ୍ଡାଠାରୁ....ଭିନାମିନ୍‍ଠାରୁ ଦୂରକୁ ଦୂରକୁ । ଏବଂ ଠିକ୍ ଏହିଭଳି ଏକ ସକାଳେ ବିଭୁପ୍ରସାଦ ପୁଣିଥରେ ଉଠିଲା ।

 

ଗତ ରାତିରେ ଶୋଇବାପାଇଁ ତା’ର ଟିକିଏ ଡେରି ହେଇଥିଲା । କାହିଁକି କେଜାଣି କିଛିଦିନ ପୂର୍ବରୁ ସେ କେତେଖଣ୍ତ ଇତିହାସ ବହି ଆଣିଥିଲା ଲାଇବ୍ରେରିରୁ । ବହିଗୁଡ଼ିକ ଜମା ହୋଇଥିଲେ ଟେବୁଲ୍ ଉପରେ । ଆଖି ପଡ଼ିଗଲା ସେଥିରୁ ଖଣ୍ଡିଏ ଉଠେଇ ଆଣି ପଢ଼ୁ ପଢ଼ୁ ପଢ଼ିଗଲା ବିଭୁପ୍ରସାଦ । ରାତି ପ୍ରାୟ ଦିଇଟାବେଳେ ହଠାତ୍ ସେ ସମୟ ସଚେତନ ହେଲା ।

 

ଆରେ ! ସକାଳୁ ଉଠି ଚାକୁଣ୍ଡା ଫଳ ସଂଗ୍ରହ କରିବାର ଭାରଟା ଯେ ଅଛି ତା’ ଉପରେ-। ଫଳଗୁଡ଼ିକ ସଂଗ୍ରହ କରିବାପାଇଁ ଗାଁ ଆଡ଼କୁ ଯିବାକୁ ପଡ଼ିବ । ଜଲଦି ଉଠିବାକୁ ପଡ଼ିବ; କିନ୍ତୁ ସେ ଯେ ଏତେବେଳଯାକେ ଇତିହାସ ବହି ପଢ଼ୁଚି !

 

ଏବଂ ସେଇଟା ପୁଣି ବ୍ରିଟିଶ ଇତିହାସ !

 

କାହିଁକି ?

 

ହଠାତ୍ ସେ ଉଠିବସିଲା । ବହୁ ରାତି ପର୍ଯ୍ୟନ୍ତ ଚାହିଁଥିବାରୁ ହୁଏତ ସେ ବେଶ୍ ଶୀଘ୍ର ଉତ୍ତେଜିତ ହୋଇ ଉଠୁଥାଏ; କିନ୍ତୁ କାହିଁକି କେଜାଣି–ଅରଣ୍ୟର କୌଣସି ଶୁଖିଲା ଗଛର ଗଣ୍ଡିରେ ଏକ ତନ୍ୱୀ, ଯୁବତୀର ନିତମ୍ବର ପ୍ରତିଫଳନକୁ ଚାହିଁ ଅସହ୍ୟ କାମଜ୍ଵାଳାରେ ଜଳିଉଠୁଥିଲା ଏକ ବାଲ୍ୟବ୍ରହ୍ମଚାରୀ ପରି ସେ ଉଠିବସିଲା ।

 

ଆଗରେ ତା’ର ବ୍ରିଟିଶ ଇତିହାସ, ଭାରତ ଇତିହାସ, ଆଉ ରାଜନୀତି ବିଜ୍ଞାନର ବହିଥାକ !

 

“ମୁଁ ନିଶ୍ଚେ ନା ମୁଁ ନିଶ୍ଚେ....” ବିଭୁପ୍ରସାଦ ପୁଣିଥରେ ହାମୁଡ଼େଇ ପଡ଼ିଲା ସେହି ବହିଥାକ ଉପରେ । ସାରା ଥାକଟାକୁ ସେ ଆବୋରି ପକାଇଲା ଏକ ଅର୍ଦ୍ଧ ଉଲଗ୍ନ ନାରୀର ମୂର୍ତ୍ତିପରି ।

 

“ମୁଁ ମଧ୍ୟ ପାରିବି....କାହିଁକି....” ସେ ବିଳିବିଳେଇ ଉଠିଲା ବାରମ୍ବାର ।

 

ହଠାତ୍ ତା’ର ଆତ୍ମବିଶ୍ଵାସ ମଧ୍ୟ ଆହୁରି ଗଭୀର ହେବାକୁ ଲାଗିଲା । କାରଣ ସବୁ ଉଦ୍ୟମ ପୂର୍ବରୁ ଯେଉଁ ମନ୍ତ୍ରଟି ବାରବାର ଉଚ୍ଚାରଣ କରିବାକୁ ସେ ପିଲାଦିନୁ ଅଭ୍ୟାସ କରିଥାଏ ସେଇଟିବି ଆସିଗଲା ତାକୁ ସାହାଯ୍ୟ କରିବାକୁ–ଠିକ୍ ସେତିକିବେଳେ ।

 

“Whatever man has done man may do”

 

“ମଣିଷ ଯାହା କରିଛି ତାହା ଆଉ ମଣିଷର ସାଧ୍ୟାତୀତ ନୁହେଁ ।”

 

ଏବଂ ସେ ପଢ଼ି ଚାଲିଲା । ରାସାୟନ ଗ୍ରନ୍ଥଗୁଡ଼ିକୁ ଆଡ଼େଇ ଦେଇ ସେ ପଢ଼ି ଚାଲିଲା ଇତିହାସ । ବ୍ରିଟିଶ ଇତିହାସ ।

 

ରାତି ଚାରି ।

 

ତଥାପି ତା’ର ଚେତା ଥାଏ । ସେ ପଢ଼ି ଚାଲିଥାଏ ଓ ଆଙ୍ଗୁଠି ଆଗରେ ଗଣି ଚାଲିଥାଏ....ଜାନୁୟାରୀ, ଫେବୃୟାରୀ, ମାର୍ଚ୍ଚ....ଫର୍ମ୍ଫିଲ୍‍ଅପ୍....ଅପ୍ରେଲ୍, ମେ, ଜୁନ୍, ଆଉ ଅଗଷ୍ଟ । ବାସ୍ ସାତ ମାସ ! କିଛି କମ୍ ନୁହେଁ । ସାମାନ୍ୟ ବୀଜାଣୁଟିଏ ମଧ୍ୟ ଉପଯୁକ୍ତ ଅବସ୍ଥା ପାଇପାରିଲେ ଏକ ପୂର୍ଣ୍ଣାଙ୍ଗ ମନୁଷ୍ୟର ରୂପ ନେଇପାରେ ଏତିକି ସମୟ ଭିତରେ । ଆଉ ଏତିକି ସମୟ ଭିତରେ ବୁଦ୍ଧିମାନ ମଣିଷଟିଏ କାହିଁକି ଯେକୌଣସି କମ୍ପିଟିଟିଭ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବ ନାହିଁ ?

 

ରାତି ସାଢ଼େ ଚାରିବେଳକୁ ସେ ଦ୍ୱିଗୁଣ ବେଗରେ ଲାଗି ପଡ଼ିଥାଏ ।

 

ରାତି ପାଞ୍ଚଟାବେଳକୁ କିନ୍ତୁ ତା’ର ସେଇ “କମ୍ପିଟିଟିଭ୍” ଜ୍ୱରଟା ଅନେକ ଓହ୍ଲାଇ ଯାଇଥାଏ ତା’ର ମୁଣ୍ଡରୁ ।

ବୋଧହୁଏ ସକାଳ ସାଢ଼େ ପାଞ୍ଚଟାବେଳକୁ ସେ ଢୁଳେଇ ପଡ଼ିଥିଲା ଓ ସେଇ ଅବସ୍ଥାରେ ସେ ଦେଖୁଥିଲା ସେଇ ହଳଦିଆ ସ୍ଵପ୍ନଟିକୁ, ଯାହାକୁ ସେ ଆଖିରୁ ପୋଛୁଥିଲା ସେଦିନ ସକାଳୁ ଉଠି....ଆଖି ମଳି ମଳି ।

ସେତେବେଳକୁ କିନ୍ତୁ ଭଲକରି ଜାଣିଥିଲା ବିଭୁପ୍ରସାଦ....ତାହା ସ୍ଵପ୍ନ ନୁହେଁ....ଏକାନ୍ତ ବାସ୍ତବ ଏକ ସତ୍ୟ ! ତେବେ ତାହା ନଥିଲା ବିଭୁପ୍ରସାଦର ଯୁଗର ଏକ ସତ୍ୟ ! ତାହା ଥିଲା ସେଇ ଯୁଗର ସତ୍ୟ....ଯେଉଁ ଯୁଗରେ ସତ୍ୟ ଏକ ଭାବପ୍ରବଣ ଯୁବକରୂପେ କାଠଯୋଡ଼ି ନଈର ବାଲିରେ ଚିତ୍କାର କରି ଆହ୍ଵାନ କରୁଥିଲା–

“ଭାରତର ସତ୍ୟାଗ୍ରହୀ ଏକଜୁଟ ହୁଅ !”

“ଗୋରା ଶାସନ ! ଭାରତ ଛାଡ଼ !”

“ବନ୍ଦେ ମାତରଂ !”

“ଇନ୍‍କିଲାପ୍ ଜିନ୍ଦାବାଦ୍ !”

“ତାହା ଥିଲା ୧୯୨୧ ସାଲ...” ଭବାନୀପ୍ରସାଦଙ୍କର ଦୃଢ଼ ଇସ୍ପାତୀ ସ୍ଵର ବାରମ୍ଵାର ପ୍ରତିଧ୍ଵନିତ ହୁଏ ବିଭୁପ୍ରସାଦର କାନରେ ।

 

“ଯେଉଁ ଥର ମହାତ୍ମାଜୀ କଟକ ଆସିଥାନ୍ତି–ନଈ ବାଲିରେ ସଭା ହୁଏ । ଉତ୍କଳମଣି ଆହ୍ୱାନ ଦେଉଥାନ୍ତି–ଆଖିରୁ ତାଙ୍କର ଝରଝର ଝରିପଡ଼ୁଥାଏ ଲୁହ ଆଉ ମୁହଁରୁ ଜ୍ୟୋତି ! କଲେଜ ହଷ୍ଟେଲ୍‍ରେ ଛାତ୍ରମାନଙ୍କୁ ଅଟକା ଯାଇଥାଏ ଜବରଦସ୍ତି–ସାହେବ ପ୍ରିନ୍‍ସିପାଲର କଡ଼ା ହୁକୁମ ଆଉ କଳା ସୁପରିନ୍‍ଟେଣ୍ଡେଣ୍ଟଙ୍କର ଆଦେଶ ଜାହିରି–ଏଇ ମଙ୍ଗରାଜ ପାଇଖାନାବାଟେ ଡେଇଁଯାଇ ନଈବାଲିରେ ହାଜର ହୁଅନ୍ତି–ଏଇ ରାଜକୃଷ୍ଣ ବାର ଏକ୍ସର୍‍ସାଇଜ୍ କରି ପହିଲମାନ ବନିଥାନ୍ତି ଆଉ ‘ଯୁଦ୍ଧଂ ଦେହି, ଯୁଦ୍ଧଂ ଦେହି’ ଡାକରାରେ ନଈବାଲି ଫଟାଉଥାନ୍ତି–ଆଉ–ନଥାଏ, ବା କିଏ ? ଏପରି କି ବିଛନ୍ଦ, ଚାଲିବାକୁ ଯାହାର କ୍ଷମତା ନଥାଏ, ସେ ବି କାନ୍ଥ ଧରି ଧରି ପାହାଚ ଓହ୍ଲାଇ ଆସନ୍ତି । ସେଇ ଭୟଙ୍କର ଉନ୍ମାଦନାର ଦିନଗୁଡ଼ିକ...ସେମାନେ ମୋତେ ଡାକିଥାନ୍ତି ପୋଲିସ୍ ସବ୍ଇନ୍‍ସପେକ୍ଟର ପୋଷ୍ଟ୍‍ପାଇଁ ।”

 

“ତୁମେ ନ ଗଲ କାହିଁକି ବାପା ! ଓହୋ ! ହେ ଭଗବାନ୍ ! ପାଠଶାଠ ପଢ଼ି ପୁଣି ମଣିଷ ଏ ଭୁଲ୍ କରେ ? ବୋଧହୁଏ ତୁମେ ଆଜି ରିଟାୟାର କରୁଥାନ୍ତ ଆଇ.ଜି., ଡି.ଆଇ.ଜି. ହୋଇ !” ବିଭୁପ୍ରସାଦ ଏକରକମ କାନ୍ଦିପକାଉଥିଲା ସେତେବେଳେ । ’’

 

ସାନ ଭାଇ ମୀନକେତନ ଗୁମ୍‍ମାରି ବସୁଥିଲା ଅଭିମାନରେ । ତା’ର ସମସ୍ତ ଅଭିଯୋଗ ସେ ଢାଳିଚାଲିଥିଲା ନୀରବରେ ।

 

ସେତେବେଳେ ସେ ବି ଥିଲା ଏକ ଦିନ–ଯେଉଁ ଦିନ ପିତୃପୁରୁଷଙ୍କ କୁଳ କର୍ମର ବିଚାର ହେଉଥିଲା ସେମାନଙ୍କର ଅର୍ବାଚୀନ ସନ୍ତାନସନ୍ତତିଙ୍କଦ୍ଵାରା । ମୀନକେତନ ମ୍ୟାଟ୍ରିକ୍ ପାସ୍ କରିଥାଏ ସେଇ ବର୍ଷ । ବିଭୁପ୍ରସାଦ ବି.ଏସ୍‍ସି. (ଅନର୍ସ) ପାସ୍ କରିବାର ଥାଏ ।

 

ପୁଣି ଆସେ ସେଇ ଖରାଛୁଟି । ପାରିବାରିକ ସଭାସମିତିର ଦିନ । ଆରମ୍ଭ ହେଉଥିଲା ଯୁକ୍ତିତର୍କ ଆଉ କଳହ ଏବଂ ଶେଷରେ ସେଇ କରୁଣ ମୀମାଂସା । ସ୍ଥିର ହୁଏ–‘‘ସର୍ବନାଶ–ସମୁତ୍ପନ୍ନେ ଅର୍ଦ୍ଧଂ ତ୍ୟଜନ୍ତି ପଣ୍ଡିତାଃ ।” ବିଭୁପ୍ରସାଦ ପଢ଼େ ଏମ୍.ଏସ୍‍ସି. ଆଉ ମୀନକେତନ ପଶିଯାଏ କମ୍ପାନୀରେ । ତାକୁ ଦିଆଯାଏ ଅସଂଖ୍ୟ ଆଶା ଆଉ ଆଶ୍ଵାସନା–‘‘ରହ ଦେଖିବୁ ! ତୁ ଯଦି ଶେଷରେ ବିଭୁପ୍ରସାଦକୁ ନ ଟପିଚୁ ! ଆଜିକାଲି ବିଜ୍ଞାନର ଯୁଗ ! କଳକବଜାର ଯୁଗ । ଯେଉଁଠି ହାତ ମାରିବ ସେଠି ଟଙ୍କା । ପଶିଯା ବାପ ! କଳକବଜାରେ ପଶିଯା–ଯଦି ଟଙ୍କା ଚାହଁ, ବଞ୍ଚିବାକୁ ଚାହଁ । ଆଉ ସମ୍ମାନବି ସେଠି କିଛି କମ୍ ନାହିଁ । ସେଭଳି ନାଆଁ କଲେ ବିଲାତବି ଯିବ । ଏମ୍.ଏସ୍‍ସି. ପଢ଼ି ଏଣେ ଏ କ’ଣ କରୁଛି କରୁଥାଉ ।”

 

ଏ ହେଉଛନ୍ତି ସେଇ ଭବାନୀପ୍ରସାଦ ଯେ ଚାରିବର୍ଷ ତଳେ ବିଭୁପ୍ରସାଦ ସହିତ ଯୁକ୍ତି କରୁଥିଲେ–ବିଜ୍ଞାନର ଚିରଶତ୍ରୁରୂପେ ! ହଠାତ୍ ଓଲଟିପଡ଼ନ୍ତି ସେ–ବାଧ୍ୟ ହୋଇ ।

 

ସୁନା ପିଲାଟିପରି ମାନିନିଏ ମୀନକେତନ । ପିତାର ଆଦେଶ ଶିରୋଧାର୍ଯ୍ୟ । ବିଶେଷକରି ଜଣେ ମଧ୍ୟବିତ୍ତ ପରିବାରର ପିତାର ସୁପୁତ୍ର–ମୀନକେତନ ।

 

ସେତିକିବେଳେ ସେଇ ଯେଉଁ ଉଚ୍ଛ୍ଵାସ ସବୁ ଭବାନୀପ୍ରସାଦଙ୍କର ପିତୃହୃଦୟରେ ସ୍ଥାନ ପାଏ, ମୀନକେତନପାଇଁ, ତାହାରି ପ୍ରତିଧ୍ଵନି ବିଚଳିତ କରେ ବିଭୁପ୍ରସାଦକୁ ସେଇ ସବୁ ହଳଦିଆ ସକାଳଗୁଡ଼ିକରେ ।

 

ବିଭୁପ୍ରସାଦ ପୁଣି ଅଭିଯୋଗ କରେ–

 

“ତମରିମାନଙ୍କର ହେଳା ଯୋଗୁଁ ଆମର ଏଇ ଦୁର୍ଦ୍ଦଶା–ତୁମେମାନେ ବଡ଼ ନିର୍ଦ୍ଦୟ ପିତୃପୁରୁଷ ! ତୁମରି ଅବହେଳାକ୍ରମେ ଏକ ଜମିଦାର ପରିବାର ହେଲା ପଥର ଭିକାରି, ଆଉ ତୁମରି ଖିଆଲରେ, ତୁମେ ଜାଣୁ ଜାଣୁ ଏଡ଼େ ବଡ଼ ଏକ ସୁଯୋଗ ହରାଇ ବସିଲ ? ସେ ଦିନର ପୋଲିସ୍ ସବ୍ଇନ୍‍ସପେକ୍ଟରର ପୋଷ୍ଟ୍ ଭଳି ପୋଷ୍ଟ୍ !”

 

“ଆଜି ଆମେ ମଟରରେ ଘୂରୁଥାନ୍ତେ–ନା ଭାଇ ?” ଅନିରୁଦ୍ଧର କଳ୍ପନା ଏକ ଚାପୁଡ଼ାପରି ଆଘାତ କରେ ଭବାନୀପ୍ରସାଦଙ୍କୁ ସେତେବେଳେ ।

 

କଥାରେ ଅଛି–‘‘ପିତାମାତାର ସୁକୃତରୁ ପୁତ୍ର ହୁଏ ସୁଖୀ ।” ବିଭୁପ୍ରସାଦର କଠୋର ମନ୍ତବ୍ୟ ଭବାନୀପ୍ରସାଦଙ୍କର ଚମକୁ କୁତାକୁତା କରି କାଟିପକାଏ; କିନ୍ତୁ ମୁହଁ ଉପରୁ ପିଛିଲାଦିନର ଧୂଳିଗୁଡ଼ିକୁ ଝାଡ଼ିଦେଇ ପୁଣି ସ୍ୱାଭାବିକଭାବେ ଚକ୍ ଚକ୍ କରି ଉଠନ୍ତି ଭବାନୀପ୍ରସାଦ । ପଶ୍ଚାତାପର ଏତେ ଟିକେ ଛିଟିକାବି ଦେଖା ଯାଏନା ସେଇ ମୁହଁ ଉପରେ ।

 

ମନେ ପଡ଼େ ବିଭୁପ୍ରସାଦର–ସେଇ ମୁହଁ । ସେ ଜ୍ୟୋତି କେବଳ ଏକ ନିର୍ବୋଧର ଆତ୍ମବିଶ୍ୱାସ ନୁହେଁ । ଚୋରିକରି ପାଇଥିବା ସମ୍ପତ୍ତିକୁ ହଜାଇ ବସିଥିବା ମଣିଷର ନିଷ୍ଫଳ ଆତ୍ମଗୌରବ ସେ ନଥିଲା । ସେ ଥିଲା ସେଇଭଳି ଏକ ଜ୍ୟୋତି ଯହିଁରେ ସ୍ନାନ କରିବାକୁ ଆତ୍ମା ଡାକେ । ପିଲାମାନଙ୍କର ସବୁ ଅଭିମାନ ଅଭିଯୋଗକୁ ଏକ ଢୋକରେ ଗିଳିଦେଇ ଭବାନୀପ୍ରସାଦ ହସି ଦେଉଥିଲେ ଆଉ ସେଦିନ କହୁଥିଲେ–

 

“ଛାଡ଼ ଛାଡ଼ ! ଛାଡ଼ ସେ କଥା ଛାଡ଼ ! କିନ୍ତୁ ତୁମେ ପିଲାଏ ଯେ ସବୁ ଏଠି ବସିଚ ଆମେ ସବୁ ବାପମାନଙ୍କୁ ବିଚାର କରିବାପାଇଁ, ଥରେ ହେଲେ ତୁମେ ଦେଖିଲଣି ତୁମ ବାପା ତୁମପାଇଁ ଆଉସବୁ କ’ଣ ରଖିଯାଇଚି ? ଚାକିରି ତାଳ ଗଛ ଛାଇ; କିନ୍ତୁ ସେ ଯୁଗରେ ଏଇ ତାଳ ଗଛ ଛାଇ ଅପେକ୍ଷା ଲୋକେ ଆଶା କରୁଥିଲେ ଆଉ କିଛି ଏକ ଅଧିକ ସ୍ଥାୟୀ ଛାଇପାଇଁ । ଗାଁ ଆଡ଼କୁ ଚାହଁ ଏଥର । ଦେଖିବ ସେଠି ତୁମପାଇଁ କ’ଣ ରଖିଯାଇଛି ତୁମର ବାପା !”

 

ବିଭୁପ୍ରସାଦ ହସେ; କିନ୍ତୁ ହଠାତ୍‍ କରି ଆଉ କିଛି ଅଧିକ କଟୁ ମନ୍ତବ୍ୟ ଦେବାପାଇଁ ସାହସ କରେ ନାହିଁ ।

 

ମୀନକେତନ ଏତେବେଳଯାକେ ଚୁପ୍ ହେଇ ବସିଥାଏ । ହଠାତ୍ ସେ ମୁହଁ ଫିଟାଏ । ତା’ର ସେଇ ଫଣ–ଫଣିଆ ମୁହଁଟା ଫାଟିପଡ଼େ । କ୍ଷଣକପାଇଁ ସମସ୍ତଙ୍କୁ ମୂକ କରାଇ ଦିଏ ସେ–ତା’ର ଗର୍ଜନରେ ।

 

“ତୁମେ ଆମକୁ କ’ଣ କରି ପାଇଚ ବାପା ! ତୁମେ କ’ଣ ଭାବିଚ ଆମେମାନେ ପୁଣି ଫେରିଯିବୁ ସେଇ ମାନ୍ଧାତା ଅମଳକୁ ? ତୁମରିମାନଙ୍କ ପରି ପିଅନଗିରି, କିରାଣିଗିରି, ମାଷ୍ଟରଗିରି କରି–ଗାଁରୁ ସହର, ସହରରୁ ଗାଁ–ଭଣ୍ଡାରିମୁଠି ଟଙ୍କା ଛଅଟି–ଶନିବାର ଦିନ ଦଉଡ଼ି ଯାଉଥିବ ଗାଁକୁ ଭଙ୍ଗା ସାଇକେଲରେ–ଗୁଣ୍ଡୁଚିମୂଷା ଭଳି କ’ଣ ଟିକିଏ ଛିଞ୍ଚିଦେଇ, କ’ଣ ଟିକିଏ କୁଟୁରୁ କୁଟୁରୁ କରି ପାଟିକି ପକେଇ ଦେଇ, ପୁଣି ସୋଁବାର ସକାଳକୁ ଆସି ଚାକିରି ଉପରେ ହାଜର ? କାନ୍ଧରେ ଚାଉଳ ଜାଉଁଳିଟାଏ, ଚୁଡ଼ା ପୁଡ଼ିଆଟିଏ, ଜାଇ ପୁଳିଏ, ବଡ଼ି ଦିଇଟା । ତୁମେ କ’ଣ ଏତେବେଳଯାକେ ଏଇଆ ଭାବିଚ ତମର ପୁଅମାନଙ୍କୁ ? କହି ହଉଚ । କିବା ଜମି ସେ । କୋଉ ତିନି କି ଚାରିଟା ଏକର ! ସେ ପୁଣି ସ୍ୱୋପାର୍ଜିତ ନୁହେଁ । ଗାଁ, ଗାଁ, ଗାଁ....କ’ଣ ଛେନାଗୁଡ଼ ଅଛି ସେ ଗାଁରେ ? ସବୁବେଳେ ସେ ଗାଁ–କ’ଣ ନା ପୋଲିସ୍ ଚାକିରି ଛାଡ଼ିଦେଲି ଏଇ ଗାଁ ପେଇଁ–ଜମିପେଇଁ-! କାହିଁ ? ତୁମ ସାଙ୍ଗରେ ତ ଯେତେଯେତେ ଖଦଡ଼ିଆ, ଗାନ୍ଧୀଟୋପିଆ ଲୋକ ଥିଲେ ସମସ୍ତେ ତ ଏଇଲେ ବସିଚନ୍ତି ଧନଶେଠ ହେଇ ତାଙ୍କ ପୁଅମାନେ ପୁଣି ବି.ଏ., ଏମ୍.ଏ., ଡାକ୍ତରୀ, ଇଞ୍ଜିନିୟରିଙ୍ଗ ପଢ଼ିପାରୁଚନ୍ତି ! ଆମରିବେଳକୁ ଆମେ କିଆଁ ଯିବୁ କମ୍ପାନୀ ଚାକିରି କରିବାକୁ-! ଆମକୁ କିଆଁ କୁହାହବ–ଗାଁରେ ଧାନ ଜମି ରଖିଦେଇଚି, ତୋଟା ରଖିଦେଇଚି, ଛତୁ ରଖିଦେଇଚି, ସେଇଆକୁ ଧୋଇ ଶୁଖେଇ ଖାଅରେ ବାପା !”

 

ଭବାନୀପ୍ରସାଦଙ୍କର ମୁହଁ ଉପରୁ ତଥାପି ଲିଭି ନଥାଏ ସେଇ ହସ; କିନ୍ତୁ ତାଙ୍କ ଭିତରେ କ’ଣ ଗୋଟାଏ ଉଠିବାକୁ ଚେଷ୍ଟା କରୁଥାଏ ଓ ବେକ ପର୍ଯ୍ୟନ୍ତ ଆସି ପୁଣି ରହିଯାଉଥାଏ ।

 

ସେ ଆଦୌ ବୁଝାଇ ପାରନ୍ତି ନାହିଁ ତାଙ୍କର ଅଝଟ ପିଲାମାନଙ୍କୁ । କେମିତି ବୁଝାନ୍ତେ ? ସେଦିନ ଆଉ ଏଦିନର ବିଚାର ଭିତରେ ତଫାତ୍ ଏକ ଅର୍ଦ୍ଧଶତାବ୍ଦୀର ଇତିହାସ । ପାଣିର ଏକ ଚବକା ପରି ଇତିହାସର ସ୍ରୋତ ପୃଷ୍ଠରେ କୁଆଡ଼େ ଉଭେଇଯାଏ ସେଇ ସବୁ ଦିନ ଆଉ ତା’ର ଘଟଣା ସବୁ । ସେଇ ସବୁ ଚବକାଗୁଡ଼ିକୁ ଲିପିବଦ୍ଧ କରିପାରେନା ଇତିହାସ ।

 

ସେମାନେ ଆଦୌ ବୁଝିପାରନ୍ତି ନାହିଁ ସେଇ ସବୁ ଶବ୍ଦଗୁଡ଼ିକର ତାତ୍ପର୍ଯ୍ୟ ଯେତେବେଳେ ଭବାନୀପ୍ରସାଦ ବର୍ଣ୍ଣନା କରନ୍ତି ତାଙ୍କର ପିଲାମାନଙ୍କ ଆଗରେ ସେଗୁଡ଼ିକୁ । ଖତିଆନ୍, ପାହି, ନିଜଜୋତ, ଲାଖରାଜ ବାହେଲ, ପଟ୍ଟା, ପାଉତି, କବଲା ଭଳି ଧୀରେ ଧୀରେ ନିତାନ୍ତ ଅବୋଧ୍ୟ ବିରକ୍ତିକର ଓ ତାତ୍ପର୍ଯ୍ୟହୀନ ହୋଇ ପଡ଼ୁଥିବା ସେଇ ଶବ୍ଦଗୁଡ଼ିକ ମଧ୍ୟ ଖଦଡ଼, ଚରଖା, ରଚନାତ୍ମକ, ଗ୍ରାମସଫେଇ, ଲୁଣମରା....ହାୟ ସେଇ ସବୁ ଭାବପ୍ରବଣ ଦିନଗୁଡ଼ିକ ପରି ଅବୋଧ୍ୟ ରହିଥାନ୍ତି ଚିରକାଳ ।

 

ଭବାନୀପ୍ରସାଦଙ୍କର ଦୀର୍ଘଶ୍ଵାସ ଉଠେ–

 

ସେ ଦୀର୍ଘଶ୍ଵାସ ଅବଶ୍ୟ ଉଦ୍ଦିଷ୍ଟ ନଥାଏ–କାହାରି ପ୍ରତି । ପଡ଼େନା ସେ ରୁଦ୍ଧଶ୍ୱାସ କାହାରି ଉପରେ । ସେ କେବଳ ଟିକିଏ ଚହଲେଇ ଦେଇ ଯାଏଁ ସେଇ ରୁଦ୍ଧ କୋଠରୀର ବାୟୁମଣ୍ଡଳକୁ ।

 

ବୃଦ୍ଧ ମୀନକେତନ ଉଦ୍ଦେଶ୍ୟରେ ସେ କହନ୍ତି–

 

“ତୁମେ ସବୁ ଦିନେ ନା ଦିନେ ବୁଝିବ । ଯେଉଁ ଚାରି ଏକର ଜମି ମୁଁ ତଥାପି ବଞ୍ଚାଇ ପାରିଚି ଶତ୍ରୁମାନଙ୍କ ମୁହଁରୁ, ସେ ଯେ କେତେ କାମରେ ଆସିବ ଦିନେ ନା ଦିନେ ବୁଝିବ ଓ ସେତିକିବେଳେ କହିବ–ବାପ ରଖିଥିଲା, ଆମେ ଆଉ ଆମର ପିଲାମାନେ ଉପଭୋଗ କରୁଚୁ ।”

 

“କିନ୍ତୁ ବାପା ! ତୁମେ କ’ଣ ତଥାପି ଭାବୁଚ ସେଭଳି ଦିନ କେବେ ଆସିବ ? ଆମେମାନେ ଏତେ ଗରିବ ହୋଇଯିବୁ ଯେ,” ବିଭୁପ୍ରସାଦ ତଥାପି ଉତ୍ତର ଦିଏ ।

 

“ଅପେକ୍ଷା କର ବାବା–ଅପେକ୍ଷା କର । ଖୁବ୍ ଅଳ୍ପଦିନ ଭିତରେ ତୁମେ ପୁଣି ଶୁଣିପାରିବ ସେଇ ସ୍ଳୋଗାନ–‘Back to the field’–ବିଲକୁ ଫେରିଚାଲ ।”

 

“କିନ୍ତୁ ଆମେ ଯେ ଆଦୌ ଫେରି ଯାଇପାରିବୁ ନାହିଁ ।”

 

“ତୁମକୁ ଫେରିବାକୁଇ ହେବ । ଉଦରଜ୍ଵାଳା ତୁମକୁ ବାଧ୍ୟ କରିବ । ଦିନକୁଦିନ ବଢ଼ି ଉଠୁଥିବା ପରିବାର ତୁମକୁ ବାଧ୍ୟ କରିବ ପୁଣି ଫେରିବାପାଇଁ ।”

 

“ଆମେ ବଡ଼ ଚାକିରି କରିବୁ । ତୁମରି ପରି ମାଷ୍ଟରଟିଏ ହୋଇ ଟଙ୍କା ତିରିଶିଟାକୁ ମୁଣ୍ଡ ବିକିଦେବୁ ନାହିଁ ।”

 

“ଚାକିରିର ତାତ୍ପର୍ଯ୍ୟ ସେଇଆ–ମୁଣ୍ଡ ବିକ୍ରି; କିନ୍ତୁ ଆମେ ବିକି ନାହୁଁ କି ବିକିବୁ ନାହିଁ । ବିକିଥିଲେ ତ ତମର କଥାରେ ଆଜି ଆଇ.ଜି.–ପୋଲିସ୍ ଆଇ.ଜି. ହୋଇ ବସିଥାନ୍ତି ।”

 

“ମନ୍ଦ କ’ଣ ହୋଇଥାନ୍ତା ? ମାଷ୍ଟରିଠାରୁ ତ ଆଇ.ଜି.ର ଦରମା ଶହେଗୁଣ ଅଧିକ । ଇଚ୍ଛା କରିଥିଲେ ହଜାରେ ଏକର ଜମି କିଣି ପାରିଥାନ୍ତ ।”

 

“ସେଇଭଳି ଇଚ୍ଛା ନ କରିବାଟାଇ ତ ମୁଣ୍ଡ ବିକ୍ରି ନ କରିବାର ଲକ୍ଷଣ । ଆଉ ଯଦି ବିକ୍ରି କରିଥାନ୍ତି–” ହଠାତ୍ ଗମ୍ଭୀର ହୋଇ ଉଠେ ଭବାନୀପ୍ରସାଦଙ୍କର ସ୍ଵର ଓ ସେ ଏକ ଭୟଙ୍କର ରୂଢ଼ ସ୍ଵର ବ୍ୟବହାର କରି କହି ଉଠନ୍ତି, “ଯଦି ବିକ୍ରି କରିଥାନ୍ତି ତେବେ ତୁମମାନଙ୍କ ଭଳି ଶିକ୍ଷିତ, ଗୁଣବନ୍ତ ପିଲାଗୁଡ଼ିକର ବାପ ବୋଲାଇ ପାରିଥାନ୍ତି କିପରି ? ତୁମକୁ ଶିକ୍ଷା ଦେବାପାଇଁ ଓଡ଼ିଶାରେ ଆଜି ଗୋଟିଏ ହେଲେ ଶିକ୍ଷାନୁଷ୍ଠାନକୁ ବଞ୍ଚିରହିବାକୁ ମୁଁ କ’ଣ ଅନୁମତି ଦେଇଥାନ୍ତି ?”

 

“ଅର୍ଥାତ୍ ?” ପିଲାଗୁଡ଼ିକ ବାପଙ୍କର କଥା ଶୁଣି ନୁହେଁ, ବରଂ ସେଇ ଭୟଙ୍କର ମୁହଁଟିକୁ ଚାହିଁ ତଟସ୍ଥ ହୋଇଯାନ୍ତି । ଜଳି ଉଠେ ଭବାନୀପ୍ରସାଦଙ୍କର ମୁହଁ–ମଣି ପରି ନୁହେଁ–ରଡ଼ନିଆଁ ପରି-

 

“ଅର୍ଥାତ୍–ଗୋଟି ଗୋଟି କରି ପ୍ରତ୍ୟେକ ସ୍କୁଲ୍, ଟୋଲ୍, ଆଉ ଚାହାଳିରେ ନିଆଁ ଲଗେଇ ମୁଁ ଆଜି ବୋଲାଇଥାନ୍ତି–ଓଡ଼ିଶାର ଦ୍ୱିତୀୟ କଳାପାହାଡ଼ ! ଏବଂ ତାହାହିଁ ଥିଲା ମୋର ସବ୍ଇନ୍‍ସପେକ୍ଟର ପୋଷ୍ଟ୍‍ର ସର୍ତ୍ତ–ବ୍ରିଟିଶ ସରକାର ପକ୍ଷରୁ ।”

 

ଭବାନୀପ୍ରସାଦଙ୍କର ପିଲାମାନେ ବାପାଙ୍କର ଏହି ଭୈରବ ମୂର୍ତ୍ତି ସହିତ ଖୁବ୍ କ୍ୱଚିତ୍ ପରିଚିତ । ସେମାନେ ଚୁପ୍ ହୋଇ ବସିରହନ୍ତି–କେତୋଟି ଘୁଙ୍ଗାମୁହାଁ ଛୁଆ ପରି ।

 

ଭବାନୀପ୍ରସାଦଙ୍କର ଆଖିର ରଡ଼ନିଆଁଗୁଡ଼ିକରୁ ଏଥର ନିଆଁ ଝୁଲସବୁ ଖସିପଡ଼େ ।

 

“ଆମେ କଳାପାହାଡ଼ ନୋହୁଁ ! ଆମେ କଳାପାହାଡ଼ ନୋହୁଁ ! ମୂର୍ତ୍ତିଭାଙ୍ଗିବା ଆମ ବଂଶର ବେଉସା ନୁହେଁ ବାବା ! ମୂର୍ତ୍ତି ଗଢ଼ିବା–ମନ୍ଦିର ଗଢ଼ିବା ହେଲା ଆମର କୌଳିକ ପ୍ରଥା । ଆମେ ସାତପୁରୁଷୀ ମାଷ୍ଟର–ମାଷ୍ଟରଇ ରହିବୁ ।”

 

ଭବାନୀପ୍ରସାଦ ଫୁଲି ଉଠନ୍ତି । ତାଙ୍କର ପଞ୍ଜରା ଭିତରେ ଘୂରିଘୂରି ଯାଏଁ ମସ୍ତ ଏକଦମ୍ ପବନ । ତା’ପରେ ସେ ନିଜକୁ ସମ୍ଭାଳି ନିଅନ୍ତି ଓ ପରମୁହୂର୍ତ୍ତରେ ସେ ପରିଣତ ହୁଅନ୍ତି ଏକ ସାହିତ୍ୟ–ଶିକ୍ଷକର ସ୍ଵାଭାବିକ ରୂପରେ । ସତେକି ସେ ଆବୃତ୍ତି କରୁଥାନ୍ତି ସେଇ ସବୁ କବିମାନଙ୍କର କବିତା ସେତେବେଳେ–

 

“ଆରେହେ ଭିକାରିର ଦଳ ! ମଣିଷ ହୁଅ ! ମଣିଷ ହୁଅ ! ମାଙ୍କଡ଼ ନ ହୋଇ ମଣିଷ ହୁଅ । ଦି’ ଗୋଡ଼ରେ ଚାଲି ଶିଖ । ମେରୁଦଣ୍ଡ ସଳଖି ଠିଆହୋଇ ଶିଖ । ଯାଅ–ଦେଖ–ଏ ସଂସାର–ଅରଣ୍ୟରେ ମାଙ୍କଡ଼ କେମିତି ମଣିଷ ପାଲଟେ– ।” ତୁମ ଆଗରେ ପରା ଠିଆ ହେଇଚନ୍ତି ସେଇ ସବୁ ମଣିଷ । ପଚାର ମଧୁବାରିଷ୍ଟରକୁ । ପଚାର ସେଇ ନାକକାନ୍ଦୁରା ଗୋପବନ୍ଧୁକୁ । ଯାଅ–ପଚାର ନୀଳକଣ୍ଠ ଆଉ ଗୋଦାବରୀଶଙ୍କୁ । ପଚାର ତାଙ୍କର କାନ ଧରି–

“ହଇଓ ! ଏତେ କଷ୍ଟ ସହିଲ–କଦଳୀଚୋପା ଖାଇ, ପୂଜାରୀ ହୋଇ ତମେ ମଣିଷ ହେଲ–ତାଳପତ୍ରଛତା ମୁଣ୍ଡରେ ବୋହି ତୁମେ ‘ଉଡ଼େମେଢ଼େ’ ତ ସବୁ କଲିକତା ଭଳି ବିଶ୍ୱବିଦ୍ୟାଳୟ ମନ୍ଥିଲ–ହେଲେ ହାକିମ, ମାଜିଷ୍ଟ୍ରେଟ ହୋଇ; ପୁଲିସ ଗୁଇନ୍ଦାଗିରି କରି ସରକାରର ଡାହାଣହାତ ହେଇ ପଇସା ନ କମେଇଲ କିଆଁ ? ସଂସାରରେ ବଡ଼ ନ ବୋଲାଇଲ କିଆଁ ?”

କିଏ ରୋଷେଇ କରୁ କରୁ ଡିବି ଆଲୁଅରେ ବସି ପାଠ ପଢ଼ୁପଢ଼ୁ ଦୃଷ୍ଟିଶକ୍ତି ହରାଏ ଆଉ ଜାନକୀବୋଷ ଭଳି ବାପର ପୁଅ ସୁବାସ ବୋଷଙ୍କ ସଙ୍ଗେ ଟକ୍କର ଦେଇ କେହି ଗାଈଜଗୁଆଳ ବାପର ପୁଅ କ୍ଲାସ୍‍ରେ ଫାଷ୍ଟ୍ ହୁଏ । କୋଉ ପିଲା ଭାତ ଖାଇବାକୁ ନପାଇ ବାଟରେ ଓଉ ଗଛରେ ଚଢ଼ି ଓଉ ଖାଇ ପେଟର ଭୋକମାରେ । ନାଳ ପାଣିରେ ଆଣ୍ଠେଇ ପଡ଼ି ପେଟର ଶୋଷ ମାରେ । ପାଠ ପଢ଼ି ମଣିଷ ହୁଏ । ତାଙ୍କୁ ଚିହ୍ନିକି ତୁମେ ସବୁ ଭିକାରିର ଦଳ ?

ଏଇ ଯୁଗରେ ଶ୍ରେଷ୍ଠ ହୋଇ ପାରିଲେ ସେମାନେ–ପତି, ପରିଜା, ଷଡ଼ଙ୍ଗୀ । ଆଉ ଏଇ ଯୁଗରେ ତୁମେ ହତଭାଗାଏ ଅନେଇ ବସିଚ–କର୍ମକୁ ନିନ୍ଦା ଦେଇ । ୟାକୁ ତାକୁ ଦୋଷ ଦେଇ ଆଖିରୁ ଲୁହ ଗଡ଼ୋଉଚ !

କାହିଁକି ? ତୁମେ ତ ଅନାଥ ନୁହ ସେମାନଙ୍କ ପରି । କେବଳ ମା’ ମରିଚି । ନା–ମଲା କେମିତି ? ତୁମପାଇଁତ ରଖିଯାଇଚି ଦି’ପଟ ସୁନା ଖଡ଼ୁ, ସୁନା ହାରବିକିଭାଙ୍ଗି ଖାଇବାପାଇଁ । ତୁମର ବାପ କାଙ୍ଗାଳ ନୁହେଁ । ପୋଲିସ୍ ଆଇ.ଜି. ବା ଜିଲା କଲେକ୍‍ଟର ନହେଲେ ମଧ୍ୟ ତୁମ ବାପା କାଙ୍ଗାଳ ନୁହେଁ । ସେ ବି ଗଣ୍ଡାଏ ଦରମା ପାଏ । ସଞ୍ଚି ରଖିଛି ସେ ପୈତୃକ ଭିଟାମାଟି ପାଞ୍ଚଏକର ଜମିକୁ ତୁମପାଇଁ ଶତ୍ରୁ ସଙ୍ଗେ ଊଣେଇଶବର୍ଷ ବୟସରୁ ଯୁଝିଯୁଝି । ସେ ପୁଣି କମ୍ ଶତ୍ରୁ ନୁହେଁ ! ଖୋଦ୍ ସରକାର–ଯାହାର ନାମ ସେତେବେଳେ ଥିଲା ଜମିଦାର ଆଉ ମକଦ୍ଦମ । ଆଉ ସେ ପୁଣି କମି ଜମିଦାର ନୁହ ! ସେ ହଉଚି ଖୋଦ୍ ପ୍ରହରାଜ ଭଳି ଓକିଲ ଆଉ ଜମିଦାର ଯାହା ବସ୍ତାନିରେ ଏଭଳି ଇଲମ୍ ଥାଏ–ଲୋକେ କହନ୍ତି ସେ କୁଆଡ଼େ ଅପରପକ୍ଷ ଓକିଲର ମୁହଁ ବାନ୍ଧିଦିଏ, ହାକିମର ଚକ୍ଷୁ ବନ୍ଧନ କରିଦିଏ ।

ଏଇ ସେଇ ତୁମର ବାପ ! ତମରି ଆଗରେ ସେ ବସିଚି । ମୁଣ୍ଡ ନୁଆଁଇ ନାହିଁ ଅନ୍ୟାୟ ଆଗରେ । ନଇଁ ପଡ଼ି ନାହିଁ–ଚୋରି, ଜୁଆଚୋରି, ଲାଞ୍ଚ, ମିଛ କାହାରି ଆଗରେ ।

ଆରେ ବାପା ! ଡର କାହାକୁ ତୁମର ? ଭୟ କାହାକୁ ? କଥାରେ ପରା ଅଛି–‘ବାପଥିଲା ପୁଅ ସଭାରେ ହାରେ ନାହିଁ ।’ ଯାଅ–ଉଡ଼ । ପାଠ ପଢ଼ । ଦେଶ ବିଦେଶ ବୁଲ । ବକ୍ତୃତା ଦିଅ–ଅନର୍ଗଳ ବକ୍ତୃତା । ଗାନ୍ଧୀ ହୁଅ, ବିବେକାନନ୍ଦ ହୁଅ, ଗୋପବନ୍ଧୁ, ଗୋଦାବରୀଶ ହୁଅ-। ସତ୍ୟପଥେ, ଧର୍ମପଥେ, ସ୍ଵାଧୀନତାପଥେ ଛାତି ଫୁଲାଇ ଚାଲ....ବଞ୍ଚାଅ ଏ ଦେଶକୁ ଏ ଘୋର ଦାରିଦ୍ର୍ୟ ଆଉ ନିରକ୍ଷରତାର ନିରନ୍ଧ୍ର ଅନ୍ଧକାର ଗର୍ଭରୁ । ଲୋକଙ୍କ ମୁହଁରେ ଆହାର ଦିଅ, ଆଖିରେ ଆଲୁଅ ଦିଅ....ଏଇତ ସୁପୁତ୍ରର କର୍ତ୍ତବ୍ୟ ।”

ଆଖିର ହଳଦିଆକୁ ତରବର କରି ପୋଛି ପକାଇ ବିଭୁପ୍ରସାଦ ଉଠିପଡ଼େ ଶେଯରୁ । ପୂର୍ବରାତିରୁ ଖୋଲା ହୋଇ ପଡ଼ିଥିବା ଇତିହାସ ଆଉ ରାଜନୀତି ବିଜ୍ଞାନ ବହିଗୁଡ଼ିକୁ ଥାକ କରି ପୁଣି ଯଥାସ୍ଥାନରେ ଥୋଇ ଦେଇ ବିଭୁପ୍ରସାଦ ନିଃଶ୍ଵାସ ମାରେ–ଏକ ଆଶ୍ଵସ୍ତିର ନିଃଶ୍ୱାସ !

ଓଃ ! ଆଉ ମାସ ଗଣିବାର ଆବଶ୍ୟକତା ନାହିଁ ।

ଆଇ.ଏ.ଏସ୍, ଆଇ.ପି.ଏସ୍., ଓ.ଏ.ଏସ୍.....ଗବେଷକର ନିଦ୍ରାବିହୀନ ଏକ ଏକ ଦୁଃସ୍ଵପ୍ନ ପରି ସେମାନେ ଉଭେଇଯାନ୍ତି, ବିଭୁପ୍ରସାଦର ଆଖିରୁ । ମୁଗବାଲା ଦୋକାନୀମାନଙ୍କୁ ଡରାଇବା ପାଇଁ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ବା ପୋଲିସ୍ ଏସ୍.ପି. ହେବାର ସେଇ ସାମୟିକ ଆକାଂକ୍ଷାର ପ୍ରତିକ୍ରିୟା ଧୀରେ ଧୀରେ ଓହ୍ଲେଇ ଯାଏଁ ତା’ର ଆଖିରୁ ।

ସକାଳର ସୂର୍ଯ୍ୟକିରଣ, ଶୀତଳ ପବନ, ପକ୍ଷୀର କାକଳି, ପାଖ ପଡ଼ିଶା ଘର ବାଛୁରୀର ହେମ୍ବାରଡ଼ି, ଘରବାଲା କଣ୍ଟ୍ରାକ୍ଟରର ଟ୍ରକ୍ ହର୍ଣ୍ଣ....ସବୁ ଭାରି ଭଲଲାଗେ ତା’ର କାନକୁ ପୁଣିଥରେ ।

ବିଭୁପ୍ରସାଦ ବାହାରି ଯାଏଁ ମଫସଲର ରାସ୍ତାରେ । ଚାକୁଣ୍ଡାଫଳ କିଛି ଲୋଡ଼ା ଗବେଷଣାପାଇଁ ।

 

ସାତ

 

ସେଦିନ ନଟବର ଏକ କାଣ୍ଡ କରି ଆସି ପହଞ୍ଚେ ।

 

ବିଭୁପ୍ରସାଦ ଲାବୋରେଟୋରୀରେ ବସି ଚାକୁଣ୍ଡା ମଞ୍ଜିରୁ ବାହାର କରାଯାଇଥିବା ତେଲ ଟିକକୁ ଗୋଟିଏ କନିକାଲ୍‍ଫ୍ଳାସ୍କରେ ସଂଗ୍ରହ କରୁଥାଏ । ନାଲ କିଟିକିଟି ହୋଇ ଅପରିଷ୍କାର ତେଲ ଟିକିଏ । ଏକ ବିଚିକିଟିଆ ଗନ୍ଧ ବାହାରୁଥାଏ ସେଥିରୁ । ଖାଲି ସେଇ ଜିନିଷଟି କାହିଁକି ? ସାରା ଲାବୋରେଟୋରୀରୁ ଉଠୁଥାଏ ସେଦିନ ସେମିତି ଗୋଟାଏ ବିଚିକିଟିଆ ଗନ୍ଧ । ଚତୁର୍ଦ୍ଦିଗ ଫାଟି ପଡ଼ୁଥାଏ ପିରିଡ଼ିନ୍‍ ବଦବୋଇରେ । ମାଛି ଭଣଭଣ ।

 

ଟିକିଏ ଦୂରରେ ମନମୋହନ ବସି ଲୁଚିଲୁଚିକା ତା’ର ଜର୍ମାନୀ ଭାଷା ଶିକ୍ଷା ବହିଟିକୁ ଆଉଡ଼ୋଉ ଥାଏ । ମଝିରେ ମଝିରେ ସେ ଉଠି ଆସୁଥାଏ ତା’ ଟେବୁଲ୍ ପାଖକୁ । ସେ କାମ କରୁଥାଏ କ’ଣ ଗୋଟିଏ ଚିନିଜାତୀୟ ଜିନିଷ ଉପରେ । ତା’ର ଟେବୁଲ୍‍ସାରା କେବଳ ସେଇ ଚିନି ଆଉ ସେହି ଜାତୀୟ କ’ଣ ସବୁ ଆନୁସଙ୍ଗିକ ରାସାୟନିକ ଦ୍ରବ୍ୟରେ ଭରପୂର ହୋଇଥାଏ ।

 

“ଆରେ ଜାଣିଚ ପିଲେ ? ମୁଁ ଯାଉଚି ହବାପେଇଁ–ପୃଥିବୀର ଆଉ ଏକ ପର୍କିନ୍” ମଝିରେ ମଝିରେ ହସିହସିକା ସେ କହୁଥାଏ ।

 

[ପର୍କିନ୍ ବୋଲି ଜଣେ ବୈଜ୍ଞାନିକ କୁଇନାଇନ୍ ଉପରେ ଗବେଷଣା କରୁ କରୁ ହଠାତ୍ ଏକପ୍ରକାର ରଙ୍ଗ ଆବିଷ୍କାର କରିଥିଲେ । ସେଇ ରଙ୍ଗର ନାମ ‘ମଭ୍’ ! ରାସାୟନିକ ଶାସ୍ତ୍ରର ଇତିହାସରେ ଉଲ୍ଲେଖ ଅଛି କିପରି ଏଇ କୁଇନାଇନ୍ ଗବେଷକ ଶେଷରେ ଏକ କୋଟିପତି ରଙ୍ଗ ବ୍ୟବସାୟୀ ହୋଇ ଉଠିଲେ । ଜର୍ମାନୀର ବୈଜ୍ଞାନିକ ବେୟରଙ୍କ ଭଳି ଏହି ଇଂରାଜୀ ବିଜ୍ଞାନୀକ କ୍ରମେ ପୃଥିବୀର ରଙ୍ଗ ବଜାରକୁ ଏଭଳି କାବୁ କରିଦେଲେ ଯେ ଭାରତ ଭଳି ଯେଉଁ ଅଧମ ଅନୁନ୍ନତ ଦେଶ ସବୁ ବିଲରେ ଧାନ, ଗହମ ବଦଳରେ କୁଙ୍କୁମ ଚାଷ, ନୀଳ ଚାଷ ଭଳି ଲାଭଜନକ ବ୍ୟବସାୟ କରି କିଛି କିଛି ଷ୍ଟର୍ଲିଂ ବା ଡଲାଲ ଆମଦାନୀ କରିପାରୁଥିଲେ, ସେତକରୁ ବଞ୍ଚିତ ହେଲେ ସେମାନେ । ଗତ ଶତାବ୍ଦୀରେ ଭାରତପାଇଁ ଏତିକି ‘ସାହାଯ୍ୟ’ କରିଥିଲେ ପାଶ୍ଚାତ୍ୟ ବୈଜ୍ଞାନୀକମାନେ !]

 

“ବେଶ୍ ଭଲ !” ବିଭୁପ୍ରସାଦ ଉତ୍ତର ଦେଉଥାଏ ହସି ହସି, “ପର୍କିନ୍ ଆଉ ବେୟର ଆମ ଦେଶ ଚାଷୀର ସ୍ତ୍ରୀ ହାତରୁ ଖଡ଼ୁ କଢ଼େଇ ଥିଲେ । ଆଉ ତୁ ? ତୁ ବି ବାହାର କର ଚିନି । କ’ଣ କୋଇଲା ନା କାଠରୁ ବାହାର କରୁଚୁ ? ସେର କେତେ ହବ ବୋଲି ଆଶା ?”

 

ମନମୋହନ ପୁଣି ଫେରି ଆସୁଥାଏ ତା’ର ଟେବୁଲ୍ ଉପରେ ମେଲା ହୋଇପଡ଼ି ରହିଥିବା ଜର୍ମାନୀ ଭାଷାର ବହି ଖଣ୍ଡକ ପାଖକୁ ଆଉ କହୁଥାଏ–

 

“ସେ ସବୁ ଚିନ୍ତା କରିବାର ସମୟ ଆମମାନଙ୍କର ନାହିଁହୋ ! ହୁ କେଆର୍‍ସ୍ ? ସେଥିରେ ବୈଜ୍ଞାନିକର ଯାଏଁ କେତେ ଆସେ କେତେ ? ଆମର କାମ ହେଲେ ଜିନିଷ ବାହାର କରି ଥୋଇଦେବା । ପ୍ରଥମ କଥା ହେଲା ପିଏଚ.ଡ଼ି. । ତା’ପରେ ଡିଏସ୍.ସି., ତା’ପରେ ନୋବେଲ୍ ପ୍ରାଇଜ୍ ! ସେଇଠି ସରିଗଲା ବାବା ମୋର କାମ ।”

 

“ତୁ ତାହାହେଲେ ନୋବେଲ୍ ପ୍ରାଇଜ୍‍ପାଇଁ ଲାଗିପଡ଼ିଲୁଣି ନା କ’ଣ ? ନୋବେଲ୍ ପ୍ରାଇଜ୍ !”

 

କିନ୍ତୁ ବିଭୁପ୍ରସାଦକୁ ନିଜ ମନ୍ତବ୍ୟର ଲୁଣିଆ ସ୍ୱାଦଟିକ ଅନୁଭବ କରିବାକୁ ନ ଦେଇ ମନମୋହନ କହି ଉଠୁଥାଏ–

 

“ଆରେ ଇଡ଼ିୟଟ୍ ! ନୋବେଲ୍ ପ୍ରାଇଜ୍ ପାଏ ଏଇ ମଣିଷ । ଏଥିପାଇଁ ଗୋଟିଏ ଅଲଗା ମଣିଷ ତିଆରି ହୋଇ ନଥାଏ । ସେଥିପାଇଁ ଯାହାକିଛି ଦରକାର ସେଗୁଡ଼ିକ ହେଉଛି ପ୍ରଥମେ ଲାବୋରେଟୋରୀର ସୁବିଧା, ଦ୍ଵିତୀୟରେ ଜଣେ ବୁଦ୍ଧିଆ ଗାଇଡ଼୍, ତୃତୀୟରେ ଜଣେ ରିସର୍ଚ୍ଚ ସ୍କଲାର୍ । ଏଠି ନା ଅଛି ଲାବୋରେଟୋରୀ, ନା ଅଛି ସେମିତିକା ଭଲ ଗାଇଡ଼୍ । ଏଇ ଦେଖ୍ ବର୍ଲିନ୍ ୟୁନିଭର୍‍ସିଟିର ପ୍ରସ୍‍ପେକ୍‍ଟସ୍ । ଗୋଟିଏ ଗୋଟିଏ ବିଭାଗରେ ସେଠି ଅଛନ୍ତି ଗଣ୍ଡା ଗଣ୍ଡା ନୋବେଲଲରିଏଟ୍ । ବାସ୍–ଗାଇଡ଼୍ ମିଳିଲେ; ରିସର୍ଚ୍ଚ ସ୍କଲାର୍ ତ ହେଲି ମୁଁ । ଆଉ ବାକି କଥା ହେଲା ସେଠିକି ଯାଇ ପହଞ୍ଚିବା ଓ ସେଠାକାର ଉନ୍ନତ ଲାବୋରେଟୋରୀର ସୁବିଧା ଉଠାଇବା । ସେଥିପାଇଁ ତ ମୁଁ ପ୍ରସ୍ତୁତ ।”

 

“ପ୍ରସ୍ତୁତ ?” ବିଭୁପ୍ରସାଦ ଚମକି ଉଠିଲା । ସେ ଆଦୌ ଜାଣି ନଥିଲା ଯେ ମନମୋହନ ଏଥିଭିତରେ ଜର୍ମାନୀ ଯିବାପାଇଁ ପ୍ରସ୍ତୁତ ହୋଇ ସାରିଲାଣି ବୋଲି । ସେ ଆଶ୍ଚର୍ଯ୍ୟ ହେଉଥାଏ ଯେତିକି, ଦୁଃଖିତ ହେଉଥାଏ ସେତିକି । ଏକଥା ପ୍ରଫେସର୍ ଶୁଣିଲେ କ’ଣ ଭାବିବେ ? କାହିଁକି ? ବୁଢ଼ା ପାଖରେ ସେଦିନ ତିନିହେଁ–ନଟବର ସେ ନିଜେ ଓ ମନମୋହନ–ପ୍ରତିଜ୍ଞା କରି ନଥିଲେ କି, ପିଏଚ.ଡ଼ି. ନ କରିବାଯାଏଁ ସେମାନେ ବିବାହ କରିବେ ନାହିଁ କି ଅନ୍ୟକାମରେ ମନ ଦେବେ ନାହିଁ...-! ମନମୋହନ ତେବେ କ’ଣ ଭୁଲିଗଲା ସେ ପ୍ରତିଜ୍ଞା ! ତେବେ କ’ଣ ସେ ପ୍ରଫେସର୍‍ଙ୍କୁ ଦଗା ଦେବାପାଇଁ ବାହାରିଚି !

 

(ଅବଶ୍ୟ ମନମୋହନର ବାପା ଜଣେ ଖୁବ୍ ଧନୀ, ଶକ୍ତିଶାଳୀ ସରକାରୀ ଚାକିରିଆ । ସାତପୁରୁଷ କାହିଁକି–ଆହୁରି କେତେଦିନୁ ସେମାନେ ହେଲେ ଓଡ଼ିଶାର ଭାଗ୍ୟବିଧାତା । ଶୁଣାଯାଏ ନ’ଅଙ୍କ ଦୁର୍ଭିକ୍ଷବେଳେ କମିଶନର ରେଭେନ୍‍ସା ସାହେବଙ୍କର ହାତ–ପାଣ୍ଠି ନେଇ ମନମୋହନର ଗୋସବାପାଙ୍କ ଗୋସବାପା ଓଡ଼ିଶାରେ ଚୁଡ଼ା, ଚାଉଳ, ବାଣ୍ଟିଥିଲେ । ସେଇ ଦିନଠୁଁ ଅଚଳାଚଳ ସମ୍ପତ୍ତିରେ ଭାସୁଚନ୍ତି ମନମୋହନର ପୁରୁଷ–ପରମ୍ପରା ।)

 

“ଶୁଣ୍ ! ମୁଁ ଏକଥା ବେଶ୍ ବୁଝିଚି ଯେ ଆଜିକାଲି ସ୍ପେଶାଲିଷ୍ଟ ବା ବିଶେଷଜ୍ଞ ଯୁଗରେ ବିଜ୍ଞାନକୁ ସାଧିବାପେଇଁ ଗୋଟିଏ ଜିନିୟସ୍‍ର ଆବଶ୍ୟକ ପଡ଼େନା । ସବୁ ନୋବେଲ୍ ପ୍ରାଇଜ୍ ଉଇନର୍‍ଗୁଡ଼ାକ ଯେ ଗୋଟାଏ ଗୋଟାଏ ଜିନିୟସ୍–ଏକଥା ଆଦୌ ନୁହେଁ । ଆଜିକାଲିକାର ବିଜ୍ଞାନ ବୁଦ୍ଧିର ବ୍ୟାପାର ନୁହେଁ । ଏହା ହେଲାପରିଶ୍ରମର ବ୍ୟାପାର । ଏ ପରିଶ୍ରମ ଯେ କରିପାରିବ ସେ ଆଜି ନୋବେଲ୍ ପ୍ରାଇଜ୍ ପାଇପାରିବ ।” ମନମୋହନ କହୁଥାଏ ଓ ତା’ର ଜର୍ମାନୀ ଭାଷାଶିକ୍ଷା ବହି ଓଲଟାଉ ଥାଏ ।

 

“ତାହାହେଲେ ତୁ କ’ଣ କହୁଚୁ ଆମେ ବୃଥା ପରିଶ୍ରମ କରୁଛୁ ଏଠି ଆମ ଲାବୋରେଟୋରୀରେ ? କାହିଁ ? ଆମର ଏଠି ତ କେହି ନୋବେଲ୍ ପ୍ରାଇଜ୍ ପାଉ ନାହାନ୍ତି ସେ ଦେଶ ଭଳି !” ଚାକୁଣ୍ଡା ମଞ୍ଜିର ତେଲ ଟିକକୁ ବିଶୋଧନ ପାଇଁ ସଜାଡ଼ୁ ସଜାଡ଼ୁ ବିଭୁପ୍ରସାଦ ଉତ୍ତର ଦେଉଥାଏ । କାହିଁକି କେଜାଣି ମନମୋହନ ପ୍ରତି ତା’ର ଟିକିଏ ଈର୍ଷା ଏଥିଭିତରେ ଜାତ ହେଉଥାଏ । ତା’ର ମନେ ପଡ଼ୁଥାଏ–ମନମୋହନ ସେଦିନ କଥାଲହସରେ ଗୋଟାଏ ଗୁପ୍ତ କଥା ଯାହା ପ୍ରକାଶ କରି ଦେଇଥାଏ । ମନମୋହନର ବାପା ଏଥିମଧ୍ୟରେ ଯୋଡ଼ିଏ ବଡ଼ବଡ଼ କମ୍ପାନୀର ଇନ୍‍କମ୍‍ଟିକସ କେଶ୍ ନେଇ କ’ଣ ଗୋଟିଏ ବଡ଼ ଧରଣର ହାତସଫେଇ ଦେଖେଇଥାନ୍ତି । ବୋଧହୁଏ ସେଇ କମ୍ପାନୀମାନଙ୍କ ତରଫରୁ ମନମୋହନର ସେ ନୋବେଲ୍ ପ୍ରାଇଜ୍ ଖିଆଲଟା ଚରିତାର୍ଥ ହେବାକୁ ଯାଉଥାଏ ସେତେବେଳେ ।

 

ବିଭୁପ୍ରସାଦର ପ୍ରଶ୍ନର ଉତ୍ତର ଦେବାପାଇଁ ଭୁଲି ନଥାଏ ମନମୋହନ । ସେ କହୁଥାଏ ତା’ର ସେଇ ନିତିଦିନିଆ ଥିଓରିଟିକୁ । ସେ କହୁଥାଏ–

 

“ଆରେ ବୋକା ! ଥରେ କହିଲି ପରା ବିଜ୍ଞାନର ଅର୍ଥ ବୁଦ୍ଧି ନୁହେଁ–ପରିଶ୍ରମ ! ଶତକଡ଼ା ନବେ ଭାଗ ଝାଳ । ତେଣୁ ଶ୍ରମ ଯେଉଁଠି ହେଲା ବଡ଼କଥା, ସେଠିକି କ୍ୟାପିଟାଲ ବା ମୂଳଧନ ଥିଓରି ତ ବଳେ ବଳେ ଚାଲି ଆସିବ । ଅର୍ଥାତ୍ କ୍ୟାପିଟାଲ ଯେଉଁଠି ଯେତେ ବେଶି ସେଠି ଶ୍ରମ ନିୟନ୍ତ୍ରଣ ପାଇଁ ସୁବିଧା ତତୋଽଧିକ । ଆଉ, ଶ୍ରମ ନିୟନ୍ତ୍ରଣର ସୁବିଧା ଯେଉଁଠି ଯେତେ ଅଧିକ ସେଠି ପ୍ରୋଡ଼କ୍‍ସନ୍ ବା ଉତ୍ପାଦନ ମଧ୍ୟ ଅଧିକ । ତେଣୁ ଆଜି ବିଶେଷଜ୍ଞ ଯୁଗରେ, ନୋବେଲ୍ ପ୍ରାଇଜ୍ ମଧ୍ୟ କ୍ୟାପିଟାଲିଜିମ୍ ଅର୍ଥନୀତିଦ୍ୱାରା ପରିଚାଳିତ । ଅର୍ଥାତ୍ ଧନ ଯେଉଁଠି ଯେତେ ବେଶି–ନୋବେଲ୍ ପ୍ରାଇଜ୍ ସଂଖ୍ୟା ସେଠି ସେତିକି ଅଧିକ । ଏଇ ହଉଚି ମୋର ଷ୍ଟାଟିସ୍‍ଟିକ୍ସ ! ତୁ ନିଜେ ପରୀକ୍ଷା କରି ଦେଖ–ପ୍ରତିବର୍ଷ ଆମେରିକା କେତେ ନୋବେଲ୍ ପ୍ରାଇଜ୍ ପାଏ । ଆଉ ଅନ୍ୟ ଦେଶମାନେ କେତେ କିଏ ପାଆନ୍ତି ।”

 

ନୋବେଲ୍ ପ୍ରାଇଜ୍ ପାଇବାର ସମ୍ଭାବନାକୁ ଅର୍ଥନୀତିର ନିୟମରେ ପକାଇ ଦେଖିବାର କଥାଟା ଯେ କେବଳ ଏକ ବିଦ୍ରୂପାତ୍ସକ କୌଣସି କଥା–ଏ କଥା କାହିଁକି କେଜାଣି ମନେକରି ପାରୁ ନଥାଏ ବିଭୁପ୍ରସାଦ । ବିଭୁପ୍ରସାଦର ମନେ ହେଉଥିଲା ସତେ ଯେପରି ମନମୋହନ ତା’ର ଅଜାଣତରେ ଆଜିର ବିଜ୍ଞାନ ଓ ବୈଜ୍ଞାନିକମାନଙ୍କ ଉପରେ ଏକ ତୀବ୍ର ଦାର୍ଶନିକ–ସମାଲୋଚନା ଆରମ୍ଭ କରିଦେଇଥିଲା । କାରଣ ମନମୋହନର କଥାଟା ଅନେକାଂଶରେ ଆଜି ଅକ୍ଷରେ ଅକ୍ଷରେ ପ୍ରମାଣିତ ହେଲାପରି ଲାଗୁଥାଏ–ବିଭୁପ୍ରସାଦକୁ ।

 

ସେଗୁଡ଼ିକ ଥାଏ ସେଇଭଳି ଦିନ, ଯେଉଁଦିନ ବଡ଼ଲୋକମାନଙ୍କର ପିଲାଏ ଭାରତୀୟ ବିଶ୍ଵବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପାସ୍ କରି କୌଣସିମତେ ଖସିଯାଇ ଗୋଟିଏ ପ୍ରାରମ୍ଭିକ ଡିଗ୍ରୀ ହାସଲ କରିପାରିଲେ ନିଜକୁ ଭାଗ୍ୟବାନ ମନେ କରୁଥିଲେ । କାରଣ, ସେମାନେ ସେତେବେଳକୁ ଜାଣିସାରିଥାନ୍ତି ଯେ ଶ୍ରେଣୀର ପ୍ରଥମ ପିଲାକୁ ବିଟ୍ କରିବାପାଇଁ ଆଉ ଅଧିକବେଳ ଲାଗିବ ନାହିଁ ତା’ପରେ । ହୁଏତ ଏପରି ହୋଇପାରେ ଯେ ବର୍ଷ ପାଞ୍ଚଟା ପରେ ଶ୍ରେଣୀର ପ୍ରଥମ ପିଲାଟି ଧାଇଁ ଧାଇଁ ଯାଇ ଯେଉଁଠି, ଶ୍ରେଣୀର ଶେଷ ପିଲାଟି ପାହୁଣ୍ଡ ପକେଇ ସେଇଠି ! ବିଦେଶର ୟୁନିଭର୍‍ସିଟି ଆଉ ଡିଗ୍ରୀ ପଛରେ ଥିବା କ୍ୟାପିଟାଲିଜିମ୍ ଅର୍ଥନୈତିକ ଥିଓରିଟି ସେତେବେଳକୁ ବେଶ୍ କାମ ଦେଖାଏ ।

 

ବିଭୁପ୍ରସାଦ ଲାଗିପଡ଼ିଥାଏ କାମରେ । ମନମୋହନ କିନ୍ତୁ ତା’ର ଗୁଣୁଗୁଣୁ ହବା ବନ୍ଦ କରି ନଥାଏ । ସେ କହୁଥାଏ–

 

“ସବୁ ଟଙ୍କା ହଉଚି ମୋ ନିଜର ! ଭାରତ ସରକାରଠୁ ଏକ ଅଧଲା ମୁଁ ନଉନାହିଁ । ମୋ ପାଖରେ ଅଛି ପ୍ରଚୁର ଧନ ଆଉ ପ୍ରଚୁର ସମୟ । ଏ ହଉଚି ମୁଆଁଖିଆ ଖେଳ । ଯେ ଯେଡ଼େ ଉଚ୍ଚ ତା’ର ମୁହଁ ସେତିକି ଉଚ୍ଚକୁ ପାଇବ । ଆଉ ଯାହାର ପାଟି ଯେଡ଼େ ବଡ଼, ତା’ ପାଟିରେ ମୁଆଁର ସେତିକି ବେଶି ଅଂଶ ପଶିବ । ତେଣୁ ସେ ଜିତିବହିଁ ଜିତିବ । ଏଥିରେ ରାଗରୋଷ କରି ଲାଭ କ’ଣ-?”

 

ଠିକ୍ ସେତିକିବେଳେ ହଠାତ୍ କଲେଜପଡ଼ିଆ ପଟୁ କ’ଣ ଗୋଟାଏ ଗୋଳମାଳ ଶୁଣି ମନମୋହନ ଓ ବିଭୁପ୍ରସାଦ ଦୁହେଁ ବାହାରକୁ ଧାଇଁଗଲେ ।

ପ୍ରଫେସର୍ ଜେନା ଯୋଗକୁ ସେଦିନ ଛୁଟି ନେଇଥାନ୍ତି ଓ କଲେଜ ପଟୁ ବିଶେଷ କେହି ଛାତ୍ର ପଡ଼ିଆ ପଟକୁ ଆସି ନଥାନ୍ତି ।

ଏହି ଅବସରରେ ଘଟିଯାଏ ସେ ଘଟଣାଟି ।

ବିଭୁପ୍ରସାଦ ଓ ମନମୋହନ ଦଉଡ଼ି ଆସି ଦେଖନ୍ତି–ଆଗେଆଗେ ଗୋଟାଏ ବୁଲା ଷଣ୍ଢ ପରି ପଡ଼ିଆ ମଝିରେ ଧାଇଁଚି ଟୋକାଟାଏ ଆଉ ତା’ର ପଛେ ପଛେ ଧାଇଁଛନ୍ତି ପଞ୍ଝାଏ ଲୋକ ।

ସେ ଏକ ଦୃଶ୍ୟ !

ଜଣେ ଆଦୌ ଗମ୍ଭୀର ହୋଇ ଠିଆ ହୋଇ ପାରିବ ନାହିଁ ସେଇ କୌତୁକପୂର୍ଣ୍ଣ ଦୃଶ୍ୟଟି ଆଗରେ ।

“ସେ ନିଶ୍ଚୟ କାହା ଘରେ ପଶିଥିଲା–ବୋଧହୁଏ–” ମନମୋହନର ଆଉ ବିଭୁପ୍ରସାଦ ହସି ଉଠନ୍ତି ଏକ ସାଙ୍ଗରେ ।

ଜୀବନ ବଞ୍ଚେଇବାକୁ ଧାଉଁଥିବା ଟୋକାଟା କାଲିଆ ଖାଉଥାଏ ରୀତିମତ ପଡ଼ିଆ ମଝିରେ । ପଛରୁ ଗୋଡ଼େଇଥିବା ଲୋକେ ଟିକିଏ ଥମି ଯାଉଥାନ୍ତି ବାଟବଣା ହେଲାପରି । ତା’ପରେ ଅହୁରି ଜୋର୍ ଉଠୁଥାଏ ଶୋଧା, ଗାଳି, ବୀଭତ୍ସ ଭାଷାର ଆହ୍ୱାନ ସବୁ ।

 

ପଡ଼ିଆ ଚାରିପଟେ ଥିବା ଷ୍ଟାଫ୍ କ୍ୱାଟର୍ ଆଉ ଲେଡ଼ିଜ୍ ହଷ୍ଟେଲ୍‍ରୁ ମୁଣ୍ଡଗୁଡ଼ିଏ ପଦାକୁ ବାହାରିବାକୁ ଆରମ୍ଭ କରିଥାଏ ।

 

“ଦେଖ୍ ! ଦେଖ୍ ! କେମିତି କୋଭାଡ଼ି ଚିତ୍ରର ସେଇ ମାଟାଡ଼ାର୍ (ଷଣ୍ଢ ଲଢ଼େଇ କରୁଥିବା ଲୋକ) ଭଳି କାଲିଆ ଖାଉଚି....”

 

ହସୁଥାନ୍ତି ମନମୋହନ ଓ ବିଭୁପ୍ରସାଦ ।

 

ହଠାତ୍ ଟୋକାଟା ଥାଏ ଥାଏ, ଗୋଟାଏ ଗୁଡ଼ି ଗୋତ୍ ମାଇଲା ପରି ଶେଷଥର ପାଇଁ ଗୋଟାଏ କାଲିଆ ଖାଏ ଆଉ ଚାହୁଁଚାହୁଁ ମାଲଗୋଦାମପଟେ କୁଆଡ଼େ ଉଭେଇଯାଏ ।

 

ଲୋକଗୁଡ଼ାକ ଟିକିଏ ସମୟପରେ ଏଣେତେଣେ ହୋଇ ଯାଆନ୍ତି । ପଡ଼ିଆ ପୁଣି ଫାଙ୍କା ଆଉ ନୀରବ ପଡ଼ିଯାଏ । ଷ୍ଟାଫ୍ କ୍ୱାଟର୍ ଆଉ ଲେଡ଼ିଜ୍ ହଷ୍ଟେଲ୍‍ର ଝରକାଗୁଡ଼ିକ ଭିତରୁ ମୁଣ୍ଡସବୁ ଅପସରିଯାଏ । ମୁହୂର୍ତ୍ତକ ମଧ୍ୟରେ ଲୋକେ ପୁଣି ଭୁଲିଯାନ୍ତି ସେହି ଦୁର୍ଘଟଣାଟିକୁ । ସେତେବେଳେ, କଲେଜର ସେଇ ପଡ଼ିଆପଟେ ସେଭଳି ଘଟଣା ବା ଦୁର୍ଘଟଣା ସବୁ ଥାଏ ଅତି ସାଧାରଣ ଦୈନନ୍ଦିନ ଘଟଣା । ଲୋକେ ଚୋରି କରନ୍ତି, ବଦମାସି କରନ୍ତି–ଲୋକେ ପୁଣି ଗୋଡ଼ାନ୍ତି, ପୁଣି ଚୁପ୍‍ଚାପ୍ ହେଇ ରହନ୍ତି । ହରି ପଶିଯାନ୍ତି ହରିଙ୍କ ଭିତରେ ହରି ନ ପାଆନ୍ତି ହରିଙ୍କି-!

 

କିନ୍ତୁ ବିଭୁପ୍ରସାଦ ଓ ମନମୋହନ ଆଖିରେ ସେ ଘଟଣାଟି ଯେତେ କୌତୁକପୂର୍ଣ୍ଣ ହେଲେ ମଧ୍ୟ ସେଥିରେ ତାତ୍ପର୍ଯ୍ୟ ଥାଏ ପ୍ରଚୁର !

 

ଦୁଇଘଣ୍ଟା ପରେ ନଟବର ଆସି ପହଞ୍ଚିଯାଏ । ତା’ର ଦିହମୁଁହ ସବୁ ନିଖୁଣ ଥାଏ । କେବଳ କପାଳ ଉପରେ ଆବୁ ଭଳି ଗୋଟାଏ କ’ଣ ବାହାରି ପଡ଼ିଥାଏ ।

 

କଞ୍ଚା ଚାକୁଣ୍ଡାତେଲ ଟିକକୁ ବିଶୋଧନ କରିବାର ସମସ୍ତ ଆୟୋଜନ ଶେଷ ହୋଇ ସାରିଥାଏ ବିଭୁପ୍ରସାଦର । ସେ ଠିକ୍ କାମ ଆରମ୍ଭ କରିବାକୁ ଯାଉଥାଏ, ଏତିକିବେଳେ ପଶିଆସେ ନଟବର ଲାବୋରେଟୋରୀ ଭିତରକୁ–ସେଇ ଅବସ୍ଥାରେ !

 

ତାକୁ ସ୍ୱାଗତ କରିବାପାଇଁ ମନମୋହନ ଓ ବିଭୁପ୍ରସାଦ ହସ ସବୁ ଆଗରୁ ପ୍ରସ୍ତୁତ ହୋଇ ଥାଆନ୍ତି । ଟୁଲ୍ ଉପରେ ଲଥ୍‍୍କରି ବସିପଡ଼େ ନଟବର ।

 

ମନମୋହନ ଓ ବିଭୁପ୍ରସାଦ ପରିହାସଗୁଡ଼ିକ କିନ୍ତୁ ଆଦୌ ପ୍ରତିଫଳିତ ହୁଅନ୍ତି ନାହିଁ ନଟବରର ମୁହଁରୁ । ବିଧା ଉଠାଇ ନିଜକୁ ରକ୍ଷା କରିବାକୁ ଉପକ୍ରମ କରିବା ପରିବର୍ତ୍ତେ ନଟବର ହଠାତ୍ ଫାଟିପଡ଼େ । ତା’ର ଶୁଖିଲା ତୋଟିଭିତରୁ ସେ କ’ଣ ସବୁ କହୁଥାଏ କେଜାଣି । ହଠାତ୍ ସେ ଟଳିପଡ଼େ ଟୁଲ୍ ଉପରୁ–ତଳକୁ ।

 

ସେଠି ଆଉ କୌତୁକର ପ୍ରଶ୍ନ ନଥାଏ । ତାହା ଥାଏ ଏକ ବାସ୍ତବ କ୍ଷୁଧାର୍ତ୍ତ ଗବେଷକ ଛାତ୍ରର ଶେଷ ପରିଣତି ।

 

ବିଭୁପ୍ରସାଦ ଜାଣିଥାଏ–ଗତ ଛ’ମାସ ଧରି ନଟବର ତା’ର ରିସର୍ଚ୍ଚ ସ୍କଲାର୍‍ସିପ୍ ଟଙ୍କା ପାଇ ନଥାଏ । ଡକ୍ଟର ଜେନାଙ୍କର ବହୁ ସୁପାରିସ୍ ସତ୍ତ୍ଵେ କାହିଁକି କେଜାଣି ସେ ଟଙ୍କା ମଞ୍ଜୁର ହୋଇ ପାରୁ ନଥାଏ କିମ୍ବା ମଞ୍ଜୁର ହୋଇଥିଲେ ମଧ୍ୟ ମିଳିବାରେ ଅସୁବିଧା ଥାଏ ଆହୁରି ଅନେକ କିଛି । ଟି–କ୍ଲବ୍‍ରେ ଗୋଟିଏ ଗୁଜବ ଉଠିଥାଏ ଯେ କୁଆଡ଼େ ବୈଜ୍ଞାନିକ ଗବେଷଣାର ମାନ କ୍ରମାଗତ ବହୁତ ନିମ୍ନସ୍ତରର ହେବାର ଜଣାପଡ଼ିବାରୁ ଓ ଗବେଷକ ଛାତ୍ର ଓ ଅଧ୍ୟାପକମାନଙ୍କ ସେହି ସ୍କଲାର୍‍ସିପ୍ ଟଙ୍କାର ନାନା ଅସଦ୍‍ବ୍ୟବହାର କରିବାର ଅଭିଯୋଗ ହେବାରୁ ସେହି ବର୍ଷଠାରୁ (ଓଡ଼ିଶାର) ବିଭିନ୍ନ ଶିକ୍ଷାକ୍ଷେତ୍ରରୁ ଏହି ରିସର୍ଚ୍ଚ ସ୍କଲାର୍‍ସିପ୍ ବ୍ୟବସ୍ଥା ଉଠାଇଦେବାପାଇଁ ଶିକ୍ଷା ବିଭାଗ ସ୍ଥିର କରିଥାନ୍ତି ।

 

ତା’ର ହଳଦିଆ ପଡ଼ିଯାଇଥିବା ରକ୍ତଶୂନ୍ୟ ମୁହଁରେ ପାଣିଛାଟ ମାରି ଓ ତା’ର ନାକରେ ମଝିରେ ମଝିରେ ଆମୋନିଆ ଶୁଙ୍ଘାଇ ବିଭୁପ୍ରସାଦ ଓ ମନମୋହନ ନଟବରର ଚେତା କରାଇବାରେ ଲାଗିପଡ଼ିଥାନ୍ତି ।

 

“ତାକୁ ଥୋଡ଼ାଏ ଚିନିପାଣି ପିଇବାପେଇଁ ଆମର ଦବା ଉଚିତ ! ରକ୍ତରୁ ଗ୍ଲୁକୋଜ ପର୍ସେଣ୍ଟ କମିଯାଇଛି ଭୟଙ୍କର ଭାବରେ....’’ ମନମୋହନ କହେ ।

 

“ଚିନି କାହିଁକି ? ଗ୍ଲୁକୋଜ ତ ଅଛି ଆମର !”

 

“ତୁ ଅପେକ୍ଷା କର–ମୁଁ କପେ ଚା’ ଆଣେ !’’ ବିଭୁପ୍ରସାଦ ବ୍ୟସ୍ତ ହୋଇ ଉଠେ ।

 

“ଆଃ ! ଚା’ରେ କି ହୁଏ ! ବ୍ରାଣ୍ଡି ଦରକାର–ନହେଲେ କିଛି ହ୍ଵିସ୍କି କିମ୍ବା ଓଲ୍ଡ଼୍ ରମ୍ । ମୋର ବାପା ଯେତେବେଳେ ଏମିତି ପଡ଼ନ୍ତି ମୂର୍ଚ୍ଛା ହୋଇ ଏଇ ହଉଚି ତାଙ୍କୁ ଚେତା କରିବା ଉପାୟ !” ହଠାତ୍ ହସି ଉଠେ ମନମୋହନ ।

 

“ତୋର ବାପାଙ୍କର ମୂର୍ଚ୍ଛା ରୋଗ ଅଛିନା କ’ଣ ?

 

“ଅବଶ୍ୟ ସେଇଟା ହିଷ୍ଟ୍ରିୟା ନୁହ....” ମନମୋହନ ବୁଝାଇବାକୁ ଲାଗିଯାଏ–ତା’ର ବାପାଙ୍କର ସେଇ ମୂର୍ଚ୍ଛା ରୋଗଟାକୁ–ବିଭୁପ୍ରସାଦକୁ ।

 

ନଟବରର ଓଦା ମୁହଁ ଆଉ ମୁଣ୍ଡବାଳଗୁଡ଼ିକୁ ଗୋଟିଏ ଶୁଖିଲା ତଉଲିଆରେ ପୋଛି ଦେଉ ଦେଉ, ସେଇ ଶୁଖିଲା ମୁହଁ ଓ ତା’ ଭିତରକୁ ଭିତରକୁ ପଶି ପଶି ଯାଉଥିବା ଆଖି ଦୁଇଟାକୁ ଚାହିଁଦେଇ, ଚମକି ଉଠେ ବିଭୁପ୍ରସାଦ । ହୁଏତ ସେ ଭାବୁଥାଏ ସେତେବେଳେ–

 

ଏଇଠି ଗୋଟିଏ ପିଲା କାମ କରେ ତା’ରି ସାଥିରେ ଯାହାର ବାପା ନାହିଁ....ବାପା ମରିଯାଇଛି ଗଳଗଣ୍ଡ ରୋଗରେ....ସାମାନ୍ୟ ଟିକିଏ ଆୟୋଡ଼ିନ ଲବଣ ଖାଦ୍ୟରେ ନ ମିଳିବାରୁ....ଏଇ ହଉଚି ଓଲା ରାଉତର ପୁଅ....ବାପ ୟାର ଥିଲା ଓଡ଼ିଶାର ଶେଷ ଖାରବେଳ !

 

ବିଭୁପ୍ରସାଦ ଚାହିଁ ପାରେନା ସେଇ ଓଲଟି ପଡ଼ିଥିବା ଆଖି ଦୁଇଟିକୁ । ସେ ଚାହେଁ ତା’ ଟେବୁଲ୍ ଉପରେ ଥୁଆ ହୋଇଥିବା ସେଇ ନାଲି କଟକଟ ଅପରିଷ୍କୃତ ଚାକୁଣ୍ଡା ତେଲଟିକକୁ ।

 

“କ’ଣ ଏହାର ଆବଶ୍ୟକତା ?–ଏଇ ତୁଚ୍ଛା ଚାକୁଣ୍ଡା ତେଲର ? ଛଅଦିନ ହେବ ଅନ୍ନ ପଡ଼ିନାହିଁ ଯାହାର ପେଟରେ–ଢଳି ପଡ଼ିଚି ଗବେଷକ ଏଇଠି ଏଇ ଲାବୋରେଟୋରୀର ଟେବୁଲ୍ ଗୋଡ଼ ପାଖେ !”

 

ପିରିଡ଼ିନ୍‍ର ଦୁର୍ଗନ୍ଧ ଆଉ ମାଛିମାନଙ୍କର ଭଣଭଣରେ ଫାଟିପଡ଼େ ଲାବୋରେଟୋରୀଟା-। ବିଭୁପ୍ରସାଦ ଅଣନିଃଶ୍ଵାସୀ ହୋଇ ଉଠେ ।

 

ନଟବରର ଦୁର୍ଘଟଣାଟି ଥିଲା ଏହିପରି–

 

ନଟବରର ମେସ୍‍ଟି ପାଞ୍ଚ ଛ’ଦିନ ହେବ ବନ୍ଦ ହୋଇ ଯାଇଥାଏ । ମେସ୍‍ର ଅନ୍ୟ ମେମ୍ବରମାନଙ୍କ ଭିତରେ ଜଣେ ନୂଆ ପାସ୍‍କରି ଓକିଲାତି ଶିଖିଥିବା ଭଦ୍ରଲୋକ ହଠାତ୍ ଏକ କାଣ୍ଡ କରିବା ଫଳରେ ପାଞ୍ଚ ଛ’ବର୍ଷର ପୁରୁଣା ‘ମୈତ୍ରୀ–ନିବାସ’ ମେସ୍‍ଟି ବନ୍ଦ ହୋଇ ଯାଇଥାଏ । ମେସ୍‍ର ମେମ୍ବରମାନଙ୍କ ମଧ୍ୟରେ ଏକପ୍ରକାର ବୁଝାବୁଝି ହେଇଥିଲା ଯେ ବାହାରେ ଯେ ଯାହା କରୁ ପଛେ ମେସ୍ ଭିତରେ କୌଣସି ବଦ୍‍କାର୍ଯ୍ୟ ଅର୍ଥାତ୍ ମଦ ପିଇବା, ରାଣ୍ଡୀବାଜ୍ କରିବା ଖଣ୍ଡା ବୁଲାଇବା ବା ସେପରି କିଛି ଶାନ୍ତିଭଙ୍ଗ କଲାପରି ଆଚରଣ କରିପାରିବେ ନାହିଁ । ମେସ୍ ମେମ୍ବରମାନଙ୍କ ମଧ୍ୟରେ କେତୋଟି ଦରିଦ୍ର ଛାତ୍ର, ଜଣେ ଅଧେ କିରାଣି, ଜଣେ କମ୍ପାଉଣ୍ଡର ଆଉ ଅନ୍ୟ କିଏ କିଏ ସବୁ ଥିଲେ ।

 

ହଠାତ୍ ଦିନେ ରାତିଅଧରେ ଯୋଡ଼ିଏ ରିକ୍ସା ଆସି ଅଟକେ ମେସ୍ ଆଗରେ । ସକାଳକୁ ଉଠି ଅନ୍ୟାନ୍ୟ ମେମ୍ବରମାନେ ଦେଖନ୍ତି ତ ବାରଣ୍ଡା ତଳକୁ ତିନୋଟି ପିଲା ଧାଡ଼ିହେଇ ବସି ଝାଡ଼ା ଫେରୁଚନ୍ତି ଆଉ ସେମାନଙ୍କ ଭିତରେ ଗପ୍‍ସପ୍ଚଳେଇଛନ୍ତି–

 

“ଏଇତା କାହା ଘର କିରେ ମୁନିଆ ? ଆମଲି ?

 

ଦାଣ୍ଡପିଣ୍ଡାରେ ବୁଢ଼ାଟିଏ ବସି ସେମାନଙ୍କୁ ତାଗିଦା କରୁଥାଏ–

 

“ହେ ଛୁଆ ! ଆରେ ଜଲଦି ହଗ ! କ’ଣ ଗପ ନଗେଇବ ଘଣ୍ଟାଏ ହେଲା ?”

 

ବୁଢ଼ୀଟିଏ ନିଚିପର କରି ମାଟି ପିଣ୍ଡାଟିକି ଲିପାପୋଛା କରି ଝୋଟି ପକେଇବା ଆରମ୍ଭ କରିଦେଇଥାଏ ।

 

ମେମ୍ବରମାନେ ତାଟକା ହୋଇ ଠିଆହୋଇଯା’ନ୍ତି ।

 

ଛୁଆଗୁଡ଼ାକ ଝାଡ଼ା ବସି ବସି ସେଇ ନୂଆ ସଂସାରକୁ ଆଶ୍ଚର୍ଯ୍ୟ ଆଖିରେ ଅନାଇବାକୁ ଆରମ୍ଭ କରିଥାନ୍ତି । ହଠାତ୍ ଏତେଗୁଡ଼ିଏ ଲୋକଙ୍କୁ ଆଗରେ ଭେଟି–ପୁଣି ନିଜ ଘର ଭିତରୁ ବାହାରି ଆସୁଥିବାର ଦେଖି କେଉଁ ଶିଶୁ ଭେଟଣା ନ ହେବ ?

 

“ଆରେ ଡରନାରେ ଛୁଆ–ସେ ପରା ଆମରି ବସା ନୋକ ! ବଳେ ଚିହ୍ନା ପରିଚୟ ହୋଇଯିବ ଯେ–ହଉ ହଗ ହଗ....ଡରନା.... !”

 

–ବାରଣ୍ଡା ଉପରୁ ଜେଜେବାପା ବୁଝେଇବାକୁ ଆରମ୍ଭ କରିଦେଇଥାନ୍ତି ।

 

ଏହି ସମୟରେ ଖୋଦ୍ ଓକିଲ ବାହାଦୁର ଆଖି ମଳି ମଳି ବିଛଣାରୁ ଉଠି ଆସନ୍ତି ।

 

ମେସ୍ ମେମ୍ବରମାନେ ବିଶେଷ କିଛି ମୁଖଭଙ୍ଗୀ କରିବା ପୂର୍ବରୁ ଓକିଲ ମହାଶୟ ବୁଝାଇ ଦିଅନ୍ତି କଥାଟା–

 

ଦେଖ ଭାଇମାନେ–ରାଗନା–ଅସୁବିଧାବେଳେ ମଣିଷ ବାରଦୁଆର ଶୁଣ୍ଢି ପିଣ୍ଡା ହୁଏ–ଦୈବଦୁର୍ଯୋଗକୁ ହାତ କାହାର ? ଗୋଟିଏ ମେସ୍‍ରେ ଆମ୍ଭେମାନେ ଭାଇ ଭାଇ ପରି ଚଳିଆସୁଥିଲେ । ଆପଣମାନେ ଏତିକି ନିଶ୍ଚୟ ବିଚାର କରିବେ ବୋଲି ମୋର ଆଶା । ଆପଣ ହେଲେ ମୋର ଭାଇ । ଆପଣମାନଙ୍କ ଭିତରୁ ଅଧିକାଂଶ ମୋ ସାନଭାଇ ବୟସର । ଆପଣମାନେ ଜାଣନ୍ତି ଗତ ଦିଦିନ ତଳେ ଯୋଉ ଭୟଙ୍କର ତୋଫାନ କଥା ଖବରକାଗଜରେ ବାହାରିଥିଲା....ପିଲା ତିନୋଟି, ସେଥିରେ ପୁଣି ସ୍ତ୍ରୀଙ୍କର ପୁଣି ଏକ....ଏଇତ ଭାଇ ଦୈବଦୁର୍ବିପାକ ! ଏଇଠି ତ ଭଗବାନ୍ ପରୀକ୍ଷା କରନ୍ତି ମଣିଷର ମନବଳ ଆଉ ଚରିତ୍ରବଳ ! ତୁମରି ଭରସାରେ ଭାଇ ପିଲାଗୁଡ଼ାଙ୍କୁ ଘେନି ଆସିଲି ମଫସଲରୁ....ଆମ ଗାଁର ଆଉ ନାଁ ଗନ୍ଧ ନାହିଁ....ଏଥର ତମେଇ ତାଙ୍କ ସାହାଭରସା....”

 

ସେଦିନ ସନ୍ଧ୍ୟାବେଳକୁ ମେସ୍ ବନ୍ଦ । ଖାଇବା ବନ୍ଦ । ପୂଜାରୀର ଦେଖାନାହିଁ ଦିପହରୁ । ପରଦିନ ସକାଳୁ ଗୋଟିଏ ଗୋଟିଏ ହେଇ ଖସିଲେ ମେସ୍‍ର ଅନ୍ୟାନ୍ୟ ମେମ୍ବରମାନେ । ଏକା ନଟବର ପଡ଼ିରହେ । ଏତେ ଜଲଦି ଜାଗାଟାଏ ଯୋଗାଡ଼ କରିପାରେନାହିଁ ସେ । ତା’ ଛଡ଼ା ଓକିଲବାବୁଙ୍କ ସଙ୍ଗେବି ଏକ ଆଚ୍ଛା ବଚସା କରିବାର ଯୋଗାଡ଼ରେ ଥାଏ ନଟବର । ସେ ଭଲକରି ଜାଣିଥାଏ ଓକିଲଟିର ଫିସାଦିଆ ମତଲବକୁ । କାରଣ ଛୋଟ ପିଲାମାନଙ୍କର କଥାବାର୍ତ୍ତାରୁ ବା ଓକିଲର ବୁଢ଼ା ବାପ ମା’ ଆଉ ସ୍ତ୍ରୀଙ୍କର କଥାବାର୍ତ୍ତାରୁ ସେ ଆଦୌ ଝଡ଼ତୋଫାନର ସୁରାକ ପାଇ ପାରୁ ନଥାଏ ।

 

ମେସ୍ ବନ୍ଦ ହେଇଯିବାରୁ ନଟବରର ଖିଆପିଆ ମଧ୍ୟ ବନ୍ଦ ହୋଇଯାଏ, ମାସକପାଇଁ ଆଡ଼୍‍ଭାନ୍‍ସ୍‍ ଟଙ୍କା ମଧ୍ୟ ଦିଆ ସରିଥାଏ ମେସ୍‍କୁ; କିନ୍ତୁ ସେଦିନ ରାତି ନ’ରେ କଲେଜରୁ ଫେରି ନଟବର ଶୁଣେ ଯେ ମେସ୍ ବନ୍ଦ ଓ ଯେ ଯୁଆଡ଼େ ଛୁ’ । ଗୋଟାଏ ରାଗରେ ନଟବର ପଡ଼ିରହିଥାଏ ସେ ମେସ୍‍ରେ ସତେ କି କିଏ ତା’ର ସାମ୍ବିଧାନିକ ଅଧିକାର ଉପରେ ଆଞ୍ଚ ଆଣିଥାଏ । ଛ’ଦିନ କାଳ କେବଳ ବରା, ପକୁଡ଼ି ଖାଇ ନଟବର ପଡ଼ିରହିଲା ମେସ୍‍ରେ । ଦିନବେଳା ଲାବୋରେଟୋରୀକୁ ଆସେ ସେ ଓ ରାତି ଆଠଟାରୁ ଗୋଟାଏଯାକେ ମେସ୍‍ରେ ନିଜ କୋଠରୀରେ ସେ ବସେ ଆଲୁଅ ଜାଳି । ଏମିତି ଦୁଇଟି ରାତି ଯାଏଁ । କେହି ତାକୁ କିଛି କହନ୍ତି ନାହିଁ । ଏପରିକି ଓକିଲ ମହାଶୟଙ୍କ ପିଲାମାନଙ୍କର ଚଳପ୍ରଚଳରେବି କୌଣସି ବାଧା ପକାଇ ପାରେ ନାହିଁ ନଟବର ।

 

ତୃତୀୟ ରାତିରେ ନଟବର ଗୋଟିଏ କାମ କରେ । ସନ୍ଧ୍ୟାବେଳେ କଲେଜରୁ ଫେରିଲାବେଳେ ସେ ସାଙ୍ଗରେ ଟିକିଏ ରେକ୍‍ଟିଫାଏଡ଼୍ ସ୍ପିରିଟ୍ ନେଇ ଆସିଥାଏ । ଟ୍ରଙ୍କ୍ କଡ଼ରେ ପଡ଼ିଥାଏ ତା’ର ଗୋଟିଏ ଫଟା ବଂଶୀ–ଫାଷ୍ଟ୍‍ଇଅର ବର୍ଷର ! ରେକ୍‍ଟିଫାଏଡ଼୍ ସ୍ସିରିଟ୍‍ତକ ଟିକିଏ ଟିକିଏ ଏଣେତେଣେ ବାରଣ୍ଡାରେ ଛିଞ୍ଚିଦିଏ ସେ–ଯେମିତି ଗୋଟାଏ ଆଲ୍‍କୋହଲ୍ ବାୟୁମଣ୍ଡଳ ସେଠି ସୃଷ୍ଟି ହେଇ ପାରିବ । ତା’ପରେ ଧରେ ସେ ବଂଶୀଟିକୁ ରାତି ଦ’ଶ, ଏଗାର, ବାର ପର୍ଯ୍ୟନ୍ତ । ପ୍ରଥମେ ପ୍ରଥମେ ସେ ଦେଖିଲା ଓକିଲଙ୍କର ମା’ ବୁଢ଼ୀ ଟିକିଏ ବିଗିଡ଼ି ଉଠୁଥାଏ । ବୋଧହୁଏ ଓକିଲ ବିଚରା ମା’ର ଏକମାତ୍ର ପୁଅ । ଏକ ପୁଅ ମା’ ରାତିରେ ବଂଶୀ ଶୁଣିବାକୁ ଶାସ୍ତ୍ରରେ ମନା; କିନ୍ତୁ ସବୁ ମା’ ତ ଯଶୋଦା ନୁହନ୍ତି କିମ୍ବା ସବୁ ପୁଅତ କୃଷ୍ଣଚନ୍ଦ୍ର ନୁହନ୍ତି । ପରେ ପରେ ବୁଢ଼ୀ ଚୁପ୍ ହୋଇଯାଏ । ଏଥର ପିଲା ତିନୋଟି ଆସି ଉଙ୍କି ମାରିବାକୁ ଲାଗନ୍ତି ଝରକା ପାଖେ–ନଟବର ଦେଖେ ।

 

ବୋଧହୁଏ ବଂଶୀର ସ୍ୱର ସେମାନଙ୍କୁ ବିରକ୍ତ କରିବା ପରିବର୍ତ୍ତେ ବେଶ୍ ଏକ ଆମୋଦ ଯୋଗାଉଛି ବିନା ମୂଲ୍ୟରେ–ନଟବର ଆଶଙ୍କା କରେ । ତେଣୁ ସେ ରାଗିକରି ଜାଣିଶୁଣି ଏଣୁତେଣୁ କରି ବଂଶୀ ଫୁଙ୍କିବାକୁ ଆରମ୍ଭ କରେ । ରାତି ଗୋଟାଏବେଳେ ସେ ଆପେଆପେ ଆପଣାର ସ୍ଵରରେ ଏଭଳି ବିରକ୍ତ ହୋଇ ପଡ଼ିଲା ଯେ କେତେବେଳେ ବଂଶୀଟି ତା’ ହାତରୁ ଖସି ପଡ଼ିଛି ଓ ସେ ଶୋଇ ଯାଇଛି ସେ ନିଜେ ଜାଣି ନଥାଏ ।

 

ଚତୁର୍ଥଦିନ ନଟବର ବଦ୍ଧପରିକର ହୁଏ ଓକିଲ ପରିବାରକୁ ସେଠୁ ହଟାଇବାକୁ । ସେତେବେଳକୁ ତିନିଦିନର ଏକରକମ ଉପାସ ଓ ମାନସିକ ଉତ୍ତେଜନାର ଆଧିକ୍ୟ ହେତୁ ତା’ର ମୁଣ୍ଡରେ ନାନା ବିକୃତ ଚିନ୍ତା ଖେଳିବାକୁ ଆରମ୍ଭ କରିଥାଏ ।

 

ସେତେବେଳକୁ ସେ ଠିକ୍ କରିନେଇଥାଏ ଯେ ସେଇ ସ୍ଥିତିସ୍ଥାପକ ଟାଉଟର ଓକିଲକୁ ପରାସ୍ତ କରିବାହିଁ ତା’ର ଜୀବନର ପଣ । ଏ ସଂସାରରେ ଯୁଗକୁ ଯୁଗ ରାମ ଜନ୍ମ ହୁଅନ୍ତି କୃଷ୍ଣ ଜନ୍ମ ହୁଅନ୍ତି ଦୁଷ୍କୃତ ବିନାଶ କରି ସାଧୁମାନଙ୍କୁ ରକ୍ଷା କରିବାପାଇଁ ଏବଂ ସେହିପରି ଏକ ତଳହଟି ମଫସଲ ଗାଁରେ ଓଲା ରାଉତ ନାମକ ଏକ ଅତ୍ୟାଚାରିତ ଅନାମଧେୟ କୃଷକ ପରିବାରରେ ଜନ୍ମ ହୁଏ ଯେଉଁ ବାଳକ ନଟବର, ତା’ର ଜୀବନର ବ୍ରତ ହେଉଚି ଏ ଦେଶରୁ ଟାଉଟର, ଚୋର, ଜ୍ୱାଚୋରଙ୍କ ବଂଶ ନିପାତ କରି ବାସହୀନ, ଅନ୍ନହୀନ ଦରିଦ୍ର ଲୋକଙ୍କୁ ପୁଣି ସେମାନଙ୍କର ଅପହୃତ ମେସ୍; ମେସ୍‍ପାଇଁ ଦିଆଯାଇଥିବା ଆଡ଼୍‍ଭାନ୍‍ସ୍ ଟଙ୍କା ଇତ୍ୟାଦି ସବୁ କଡ଼ା, କ୍ରାନ୍ତି ହିସାବରେ ଫେରସ୍ତ କରାଇବା ।

 

“ଯଦି ଦରକାର ପଡ଼େ ଆଲ୍‍କୋହଲ୍ ପିଇ, ନଙ୍ଗଳା ହେଇ ନାଚିବି ମୁଁ ତା’ ମାଇକିନା ଆଗରେ...ଦେଖିବି କିଭଳି ସକାଳକୁ ପୁଡ଼ାପୁଟୁଳିଯାକି ସେ ନ ପଳେଇବ ସେଠୁ ।” ନଟବର ନିଏ ଭୀଷ୍ମ–ପ୍ରତିଜ୍ଞା ସେଇ ସନ୍ଧ୍ୟାରେ । ଏବଂ ବାସ୍ତବିକ ସେ ସେଇ ରାତିରେ ପିଇଦେଲାବି ଥୋଡ଼ାଏ ଆଲ୍‍କୋହଲ୍–ଲାବୋରେଟୋରୀରୁ ଲୁଚାଇ ଘେନି ଯାଇଥିବା ଆଲ୍‍କୋହଲ୍ ।

 

ସେଦିନ ସନ୍ଧ୍ୟାରେ ସେ ଯେତେବେଳେ ମେସ୍‍ରେ ପହଞ୍ଚି ତା’ର କୋଠରୀ ଦୁଆରମୁହଁ ଖୋଲେ ସେତିକିବେଳେ ସେ ଦେଖେ ସେ ଓକିଲର ତିନୋଟିଯାକ ପିଲା ବାରଣ୍ଡାର ଗୋଟିଏ କୋଣରେ କୁଙ୍କୁଡ଼ିକାଙ୍କୁଡ଼ି ହୋଇବସିଚନ୍ତି । ବୁଢ଼ୀମାଟି ଗୋଡ଼ ଲମ୍ବେଇ ବସି କ’ଣ ବୋଧହୁଏ ଅସୁର ଅସୁରୁଣୀ କଥା କହି ଡରେଇଦେଇଥାଏ ଛୁଆଗୁଡ଼ିଙ୍କୁ । ବୁଢ଼ାଟିଏ ଟିକିଏ ଦୂରଛଡ଼ା ହୋଇ ବସି ପାନକୁଟା ନେଇ ଖଟଖଟ କରି କୁଟା ଲଗେଇଥାଏ ଏବଂ ସବୁଠୁ ନୂତନ ଆବିଷ୍କାର ନଟବର ପକ୍ଷରେ ହେଲା ସେ ବାରଣ୍ଡା ତଳକୁ ଗୋଟିଏ ଖୁଣ୍ଟ ପୋତାହୋଇ ଗାଈଟିଏ ଆସି କେତେବେଳେ ବନ୍ଧାହୋଇ ସାରିଲାଣି ଖୁଣ୍ଟରେ । ଟିକିଏ ଦୂରକୁ ଆମ୍ବଗଛମୂଳେ ଛୋଟ ଅଟେଇଟିଏ ଭିତରେ କଅଁଳା ବାଛୁରିଟିଏ ପଶି ଘୁମୁରିବା ଆରମ୍ଭ କରିଦେଇଥାଏ ମଧ୍ୟ । ଏକ ପୂରାପୂରି ପାରିବାରିକ ଅନୁଭୂତି । ନଟବର ଆଲ୍‍କୋହଲ୍–ଅନଭ୍ୟସ୍ତ ମସ୍ତିଷ୍କଟି ହଠାତ୍ କେମିତି ବିହ୍ୱଳ ହୋଇଉଠେ । ତାଲା ଫିଟେଇ ନଟବର ଯାଇ ବସେ ତା’ର ଖଟିଆ ଉପରେ । ଦିହରୁ ଜାମା କାଢ଼ୁ କାଢ଼ୁ ସେ କାହିଁକି ଟିକିଏ ଆଶ୍ଚର୍ଯ୍ୟ ହୋଇ ଚାହେଁ ତା’ ନିଜ ଦେହକୁ । “ଖାଇବାକୁ ନ ପାଇ ଏଇ ଦିହ ମରି ମରି ଯାଉଚି ଦିନକୁଦିନ...ବର୍ତ୍ତମାନର ପ୍ରଧାନ ସମସ୍ୟା ହେଉଛି ଖାଦ୍ୟ...ବାସ ନୁହେଁ ବା ବସ୍ତ୍ର ନୁହେଁ...” ମନକୁ ମନ ସେ କହିଲା ।

 

ତା’ର ପୁଣି ସେତେବେଳେ ମନେପଡ଼େ ସନ୍ଧ୍ୟାର ପ୍ରତିଜ୍ଞା–

 

“ଲଙ୍ଗଳା ହୋଇ ନାଚିବାକୁ ପଡ଼ିବ ତାକୁ–”

 

ମନକୁ ମନ ସେ ହସିଲା–ଗୋଟାଏ ନିଶାଖୋର ଭଳି । ତା’ପରେ ପୁଣି ମନକୁ ମନ କହିଲା–

 

“ହେଃ ଏଇ ଦିହ ନେଇ ସେ ନାଚିବ ? ପୁଣି ଗୋଟିଏ ଗର୍ଭିଣୀ ସ୍ତ୍ରୀଲୋକର ଆଗରେ-? ହେଁ ।” ହଠାତ୍ ଭୋକରେ ତା’ର ପେଟ କଁ କଁ ହେଇଉଠେ । ତା’ପରେ କ’ଣ ହେଲା ସେ ଜାଣେନା । ସେ ବୋଧହୁଏ ଶୋଇ ପଡ଼ିଲା ନିଶ୍ଚିନ୍ତରେ ସେଇ ଆଲ୍‍କୋହଲ୍ ନିଶାରେ ।

 

ପଞ୍ଚମ ଦିନଟି ଗଭୀର ନୀରବତା ଓ ଏକରକମ ଆତ୍ମଚୈତନ୍ୟ ଭିତରେ କଟିଯାଏ ନଟବରର । ସେଦିନ ସେ କଲେଜ ଆସି ନଥାଏ କିମ୍ବା କୁଆଡ଼େ ବାହାରି ନଥାଏ ।

 

ଘଟଣାଦିନ ସକାଳେ ସାଇର ଚାରି ଛଅ ଜଣ ଉତ୍ସାହୀ ଯୁବକ ନଟବରର କବାଟରେ ଆସି ଟିପ୍ପଣା ମାରନ୍ତି । ସେଦିନ ମ୍ୟୁନିସିପାଲଟି ମାଛ ବଜାରରେ ଏକ ପିକେଟିଂ ହବାର ପ୍ରୋଗ୍ରାମ ଥାଏ । କିଛିଦିନ ପୂର୍ବରୁ ବଜାରରେ ମାଛଦର ବୃଦ୍ଧିର ପ୍ରତିବାଦ ହୋଇ ସଭାସମିତିମାନ ହେଉଥାଏ-। ମାଛ ସେର ହଠାତ୍ ତିନି ଟଙ୍କାରୁ ସାତ ଟଙ୍କାକୁ ବୃଦ୍ଧି ପାଇଥାଏ । ସାଇର ସେହି ଉତ୍ସାହୀ ଯୁବକଗଣ ପୂର୍ବ ରାତିରେ ଏକ ବୈଠକରେ ପିକେଟିଂ ଲାଗି ସଂକଳ୍ପମାନ ଗ୍ରହଣ କରିଥାନ୍ତି-

 

ନଟବର ହାଲିଆ ହେଇ ପଡ଼ିଥାଏ । ତା’ର ମୁଣ୍ଡଟା ଖୁବ୍ ଫାଙ୍କା ଫାଙ୍କା ଆଉ ଓଜନ ନଥିବା ଭଳି ଲାଗୁଥାଏ l ଏହି ସମୟରେ ଯୁବକ ଦଳଟି ପଶି ଆସନ୍ତି ତା’ର କୋଠରୀକୁ । ନଟବରର ହାତରେ ପୂର୍ବ ରାତିର ସଂକଳ୍ପଗୁଡ଼ିକ ଲିଖିତ କାଗଜଟିକୁ ବଢ଼ାଇ ଦେଇ ସେମାନେ କହନ୍ତି–

 

“ଆଜ୍ଞା ! ଆପଣ ନ ଆସିଲେ ହବନି । ଏଠି ଏ ପ୍ରଫେସର୍ ପଡ଼ାର ମାନ୍ଦା ପ୍ରଫେସର୍‍ଗୁଡ଼ାଙ୍କ ସାଙ୍ଗେ ପଡ଼ି ଏ ସାହିବାଲାଏବି ମାନ୍ଦା ହେଇ ଗଲେଣି । ସାବଳ ଲଗେଇଲେବି କିଆଁ ଚଙ୍କନ୍ତେ ସେମାନେ ।”

 

“ଆରେ ସେ କ’ଣ ବୁଝିବେ ? କୁମ୍ଭୀର ନେଇକରି ମଝି ନଈରେ କଲେ ଯାଇବି ସାଇବାଲାଏ ଉଠିବେ ନାହିଁ ।” କିଏ କ’ଣ କହୁଥାଏ–ନଟବର କାନ ପାଖରେ ।

 

କିନ୍ତୁ ନଟବର ସେମିତି ଶୋଇଥାଏ ।

 

ତା’ର ଚିହ୍ନା ପରିଚିତ ଦିଇଟା ଗୋଟାଏ ଟୋକା ତା’ ଡେଣାଧରି ଭିଡ଼ି ଉଠେଇ ଦିଅନ୍ତି ତାକୁ ।

 

“ଆଚ୍ଛା, ହରତାଳରେ ଯୋଗ ନ ଦେଲେ ନ ଦବ ପଛେ–ଟିକିଏ ଠିଆ ହବ ଚାଲ । ତମମାନଙ୍କ ଭଳି ଉଚ୍ଚ ଶିକ୍ଷିତ ପୁଣି ବୈଜ୍ଞାନିକମାନେ ଠିଆ ହେଲେ କଥାଟାର ଗୁରୁତ୍ଵ ବଢ଼ିବ ନାହିଁ-। ନା’ କ’ଣ କହୁଛହୋ ନଟବରବାବୁ ? ଆରେ ଟିକିଏ ଉଠ ।”

 

“ଆରେ ବାବୁ ! ସେ ହେଲେ ରାସାୟନଶାସ୍ତ୍ରବାଲା । ସେ ଯଦି ପଦେ କହି ଦେବେ ଯେ....ଜନତାକୁ ତତେଇକିରି ନା ? ...ସେ ଖାଲି କହନ୍ତୁ ନା–ପ୍ରୋଟିନ୍ ଆମ ଶରୀରର କି କି କାର୍ଯ୍ୟ କରେ, ଭିଟାମିନ୍ ଆମର କେତେ ଦରକାର....ସେରେ ମାଛରେ କେତେ ପ୍ରୋଟିନ୍ ଥାଏ ଆଉ ଭିଟାମିନ୍ ଯେତିକି ଥାଏ ଔଷଧ ଆକାରରେ ସେତିକି ଖାଦ୍ୟର ଦାମ୍ କେତେ–ଗୋଟାଏ ଖାଲି ଷ୍ଟାଟିସ୍‍ଟିକ୍ସ ଦେଇ ଦିଅନ୍ତୁ ନା...ଦେଖିବ ଜନତା କେମିତି ଘୋବରି ପେଞ୍ଚ ମାରି ଉଠିବ । ମାଛଦୋକାନୀ ଅନେଇଥେବେ...”

 

ନଟବରର ମୁଣ୍ଡର ଓଜନ ଆସ୍ତେ ଆସ୍ତେ ବଢ଼ୁଥାଏ ଓ ପୂର୍ବରାତିରେ ପିଇ ଦେଇଥିବା ଆଲ୍‍କୋହଲ୍‍ର ଫାଙ୍କା ଫାଙ୍କା ଭାବ ଯଥେଷ୍ଟ କଟି ଯାଇଥାଏ ସେତେବେଳକୁ । ସେମାନଙ୍କର ସେଇ ଉତ୍ତେଜକ ଡୋଜ୍‍ଗୁଡ଼ିକ ତେଣୁ ବେଶ୍ କାମ ଦେଖାଇବାକୁ ଲାଗେ ନଟବରର ମୁଣ୍ଡ ଭିତରେ-। ସେ ଆଖି ଫିଟେଇ ଚାହେଁ–

 

ଗୋଟି ଗୋଟି କରି ସେ ଅନାଏ ସେମାନଙ୍କ ମୁହଁକୁ । ପ୍ରତ୍ୟେକଟି ଗାଲରୁ ବୋହି ପଡ଼ୁଥାଏ ତେଲ । –ସେଉ, ନାସପାତି ଭଳି ଗାଲ ଗୋଟାଏ ଗୋଟାଏ ! ପାଚିଲା କଦଳୀ ଭଳି ରଙ୍ଗ କାହାର ! ଗୋଟାଏ ଗୋଟାଏ ଫାଲୁକା ବନ୍ଧାକୋବି ଭଳି ଗାଲ ! ଶାଗଟୋକେଇ ଭଳି ସତେଜ ! କଳା ଛନଛନ ବାଇଗଣପସରା ଭଳି ଛନଛନ ! କମଳାଝୁଡ଼ି ଭଳି ରସରସିଆ ! ବୋହି ପଡ଼ୁଚି ପାନପିକ ଦି’ କଳରୁ ।

 

ସେମାନେ ବାହାରିଥାନ୍ତି ମାଛ ଦର କମେଇବା ପାଇଁ !

 

ନଟବର ହସିଦିଏ– !

 

ସେମାନେ ଆଶ୍ଚର୍ଯ୍ୟ ହୋଇ ଚାହାଁନ୍ତି–

 

“ଆପଣ ହସୁଚନ୍ତି ! କ’ଣ ଆପଣ ଭାବୁଚନ୍ତି ଏ ପିକେଟିଂ ସଫଳ ହବନି ?”

 

“ହବନି କାହିଁକି ?” ନଟବର ସେମିତି ହସି ହସି ଉତ୍ତର ଦେଲା–“ହବ ଯେ....ହେଲେ ଆମର ବିଜ୍ଞାନ କହୁଚି ସୁଷମ ଖାଦ୍ୟପାଇଁ କେବଳ ଛେନା–ଜାତୀୟ ଖାଦ୍ୟତ ଆବଶ୍ୟକ ନୁହେଁ । ଆପଣ ମାଛଦର କମାଇ ଦେବେ ହଁ–କିନ୍ତୁ...”

 

“ହଁ, ହଁ ବାବୁ ! ସେ କଥାବି ଅଛି ଆମ ପ୍ରୋଗ୍ରାମ ଭିତରେ ! ଆପଣ କହୁଚନ୍ତି...ବଙ୍ଗକୁ ଯୋଉ ଧାନ ଚଲାଣ ହଉଚି ? ଆମେ କ’ଣ ଭାବିନୁ ସେ କଥା ଆପଣ ଭାବିଚନ୍ତି ? ଚାଉଳ ସେର ଦି’ଟଙ୍କା ହେଲାଣି ଆମକୁ ମାଲୁମ ଅଛି ଯେ ! ଏକା ରାତିକେ ବନ୍ଦ କରି ଦେଇ ହବ ବାବା ଇଚ୍ଛା କଲେ । ମହାନଦୀ କୂଳେ କୂଳେ ଗୋଟାଏ ରାତି ଛକିଗଲେ ହେଲା...”

 

“ଆଉ ସାର୍ ।” ଜଣେ କିଏ ତାଙ୍କରି ଭିତରୁ ଯୋଗ କଲା–“ଧାନ ସିନା ଯାଉଚି ଉତ୍ତରକୁ–ଏଣେ ଟ୍ରକ୍ଟ୍ରକ୍ ସାର ଧାଉଁଚି ଦକ୍ଷିଣକୁ । ଏଣେ ଆମ ଚାଷୀଙ୍କ ନାଁରେ ଆସୁଚି ସାର । ତେଣେ କିନ୍ତୁ ମଦ କାରଖାନାକୁ ଚଲାଣ ଚାଲିଚି ସେଇ ସାର । ’’

 

“ସତେ ?” ନଟବର ପାଇଁ ତାହା ଏକ ନୂଆ ଖବର ଥିଲା । ସେ କେବଳ ବହିରେ ପଢ଼ିଥିଲା ଯେ ଆଲ୍‍କୋହଲ୍ ତିଆରିପାଇଁ ଆମୋନିୟମ୍ ସଲଫେଟ୍ ଆବଶ୍ୟକ ହୁଏ; କିନ୍ତୁ ପୋଥିବାଇଗଣ ଯେ ବାଡ଼ିରେ ଫଳିଲାଣି !

 

“ଆଉ ଚିନି ?” ପ୍ରଥମ ଜଣକ ପୁଣି କହିଲା–‘‘ବଜାରରେ ଯୋଉ ଚିନି ମିଳୁନାଇଁ–ଦୋକାନୀମାନେ ମାଲ ଚାପି ଦେଇଚନ୍ତି–ସେର ଦି’ଟଙ୍କା ଚାରଣା ଅବିକା ମାର୍କେଟରେ ! ସେ ବି ବାଲିମିଶା, କାଚ ଗୁଣ୍ଡ ମିଶା ଚିନି !”

 

“ଆଉ ଗୁଣ୍ଡଦୁଧ ? ଶୁଣିଚନା ଗୋଟାଏ ଇସ୍କୁଲରେ ଗୁଣ୍ଡଦୁଧ ପିଇ ଚଉଦଟା ଛୁଆ ମରିଗଲେ !”

 

“ଚଉଦଟା ?” ନଟବର ଆଖି ଖୋସି ହୋଇ ପଡ଼ିଲା । ସେ ପୁଣିଥରେ ପଚାରିଲା–‘‘ଚଉଦଟା ସ୍କୁଲ୍ ପିଲା ମରିଗଲେ ?”

 

“ଆପଣ କ’ଣ ଖବରକାଗଜ ପଢ଼ୁନାହାନ୍ତି ନା କ’ଣ ? ଦେଶ ଆସି କୋଉଠି ଆମ ପ୍ରଫେସର୍ ପଡ଼ାର ଲୋକଙ୍କୁ ଦେଖ ! ଖାଇପିଇ ଗଡ଼ଗଡ଼ୋଉଚନ୍ତି ।” ଓର କରି ଜଣେ କିଏ ଶେଷରେ ଦେଲା ଏକ ଖେଞ୍ଚା ନଟବରକୁ ।

 

ଠିକ୍ ତା’ର କିଛିଦିନ ପୂର୍ବରୁ ବିଷାକ୍ତ ଅଟା ମଇଦାର ଖାଦ୍ୟ ଖାଇ କେରଳ, କଲିକତାରେ ଶତାଧିକ ଲୋକ ମରିଥାନ୍ତି । ନିମଚଉଡ଼ି ଛକରେ ରିକ୍ସାବାଲାଟିଏ ପକୁଡ଼ି ଖାଇ ମରିଥାଏ । ଅନେକ ଲୋକଙ୍କର ମୁହଁ ପକ୍ଷାଘାତ ଗ୍ରସ୍ତ (ପାରାଲିସିସ୍) ହେଇ ଯାଉଚି ଏହିଭଳି ଅଟା ମଇଦାର ଖାଦ୍ୟ ଖାଇ ବୋଲି ଖବରକାଗଜରେ ବାହାରିବା ପରଠୁ ସାରା ଓଡ଼ିଶାରେ ଚହଳ ପଡ଼ିଥାଏ ଠିକ୍ କିଛିଦିନ ପୂର୍ବରୁ ।

 

ଏଗୁଡ଼ିକ ସବୁ ଧୀରେ ଧୀରେ ନଟବରର ଭୋକିଲା ପେଟ ଆଉ ଶୁଖିଲା ତୋଟି ଭିତରେ ମିଞ୍ଜିଯିବାକୁ ଆରମ୍ଭ କରିଥାନ୍ତି–ଆଲ୍‍କୋହଲ୍ ପରି ।

 

ପୁଣି ତା’ ଉପରେ ବର୍ଷା ହେଉଥାଏ....

 

“ଏ କ’ଣ ହେଲାଣି କି ? ଆହୁରି ହବ ! ଆରେ ବାବୁ ମାଳିକାରେ ପରା ଅଛି–

 

“ଲୋକେ ହୋଇବେ ଖଳବଳ,

 

ନାଶିବେ ଭୁବନ ମଣ୍ଡଳ...

 

ପୁଣି କହିଚି–

 

“ଉତ୍ତରେ ସାଜିବ, ଦକ୍ଷିଣେ ଗାଜିବ

ପୂର୍ବେ ନ ରହିବେ କେହି

ଝାଡ଼ବାଡ଼ ଦେଖି... କ’ଣ ହବତ ?

ହଁ–ବିହନ ହୋଇବେ ସେହି !”

 

‘‘ଅର୍ଥାତ୍ ଏ ଯୁଗରେ ଜଙ୍ଗଲରେ ଯେ ରହିବ ଜାଣ ସେଇ ଖାଇବାକୁ ପାଇ ବଞ୍ଚିବ । ନହେଲେ ମାଉଁସ ସେର ଚାରିଟଙ୍କା, ପାଞ୍ଚଟଙ୍କା, ମାଛ ସେର ସାତଟଙ୍କା ଦେଇ କିଏ ଖାଇବ ? କାହା ଅଣ୍ଟାରେ ଏତେ ଜୋର୍ ?”

 

କିନ୍ତୁ ମାଳିକାର ବ୍ୟାଖ୍ୟା ଆହୁରି ଭିତରକୁ, ଆହୁରି ଗଭୀରକୁ ପ୍ରବେଶ କରେ ।

 

“ଉତ୍ତର ଅର୍ଥ କ’ଣ ସେଇଆ ? ଉତ୍ତର ଅର୍ଥ ଋଷିଆ ! ଦେଖିଲ ନାହିଁ ? ପଚାଶ ମୋଗଟନ୍‍ବାଲା ପରମାଣୁ ବୋମାଟାଏ ଦେଲା ଛାଡ଼ି ଯେ ଅବିକା ରକ୍ତ ବର୍ଷା ସବୁ ହବ–ଦେଖିବ ରହ ! ଖବରକାଗଜ କହୁଚି କୁଆଡ଼େ ସେଣେ ଘରେ ଘରେ ଆରମ୍ଭ ହୋଇଗଲାଣି କ୍ୟାନ୍‍ସର୍ ରୋଗ !’’

 

“ସେ ରୁଷିଆ ନୁହରେ ଓଲୁ–ଚୀନ ! ୧୯୫୬ ଆଉ ୧୯୫୯ରେ ସେ ଯୋଉ ମାଡ଼ି ଆସିଥିଲା–ରୁହ ଦେଖିବ ! ସେଇ ତୁମକୁ ଯଦି ହଲାପଟା ନ କରିଚି ଆଉ ବର୍ଷ ଗୋଟାଏ ଦିଇଟା ଭିତରେ...”

 

“ଆରେ ସେ ରୁଷିଆ, ଚୀନକୁ ଗୁଲି ମାରହୋ ! ଅବିକା ଓଡ଼ିଶା କଥା ଦେଖ ! ତମେ ଜାଣିଲଣି–ଓଡ଼ିଶାର ବାଲେଶ୍ଵର ଜିଲ୍ଲାରେ ଅବିକା ନ’ଅଙ୍କ ଆରମ୍ଭ ହୋଇଗଲାଣି ? ସବୁ ଧାନ ଅବିକା ସମୁଦ୍ରେ ସମୁଦ୍ରେ ଯାଇ କଲିକତାରେ ! ୧୯୬୬ ବେଳକୁ–ନ’ଅଙ୍କର ଶତବାର୍ଷିକୀ ଯଦି ଓଡ଼ିଶା ନପାଳିଚି ମତେ କହିବ ! ଲୋକେ ତ ଇଆଡ଼ୁ ହାଁ ହାଁ ହେଲେଣି... ହା–ଅନ୍ନ ! ହା–ଅନ୍ନ ଡାକ ମାଇଲେଣି !”

 

“ଶହେବର୍ଷ ତଳର ଓଡ଼ିଶା ଆଉ ଆଜିକାର ଓଡ଼ିଶା ! କ’ଣ ତଫାତ୍ କିଓ ! ଖାଲି ଗୋଟାଏ ହୀରାକୁଦ ହୋଇଗଲେ କ’ଣ ଭାସିଗଲା ଆମର ? ଯୋଉ ବଢ଼ି କି ସେଇ ବଢ଼ି । ଯୋଉ ଦୁର୍ଭିକ୍ଷ, ଧୋଇମରୁଡ଼ିକୁ ସେଇଆ । ସେତେବେଳେ ଯୋଉ ଯୋଉ କାରଣରୁ ନ’ଅଙ୍କ ହେଉଥିଲା ଏବେବି ତ ସେଇଆ ପଡ଼ିଲାଣି ଦେଶରେ । ସେଇ ଧାନ ଚାଲାଣ...ୱାଗନ ଅଭାବ...”

 

“ହାୟ ! ସେଦିନ, ଆଖପାଖରେ ହେଲେ ସାହାଭରସା ହେବାକୁ ମଣିଷ ଥିଲେ । ଡାକ ମାଇଲେ ଓ କରୁଥିଲେ–ଓଡ଼ିଶାର ଚଳନ୍ତି ଠାକୁର–ଉତ୍କଳମଣି ଆଉ କହିଲାପରି ତାଙ୍କ ପଞ୍ଚୁପାଣ୍ଡବ ଭାଇମାନେ...ଆଜି କିଏ ଅଛି ବା ଦରିଦ୍ର ଓଡ଼ିଆର ହାରିଗୁହାରି ଶୁଣିବାପାଇଁ ?”

 

ବାସ୍ !

 

ଧଡ଼୍‍କରି ଉଠି ବସେ ନଟବର !

 

ନା–ସେ ଯିବ ଶୋଭାଯାତ୍ରାରେ । ପିକେଟିଂ କରିବ ମାଛଦୋକାନ ଆଗରେ । ସେ ଯିବ–ଶୋଭାଯାତ୍ରାର ଲିଡ଼ର୍ ହୋଇ ସେ ଯିବ ।

 

ତା’ର ଆଖିରେ ନାଚିଯାଏ ଗୋଟାଏ ଅର୍ଘାତିଆ ମଣିଷର ଚେହେରା । କଲେଜରେ ନାଁ ଲେଖେଇବା ଦିନ ସେଇ ଯୋଉ ମଣିଷଟି ବେପରୁଆ ହେଇ ଧସେଇ ପଶୁଥିଲା ଛାତ୍ର–ଧର୍ମଘଟକାରୀଙ୍କ ଦଳ ଭିତରକୁ । ସେମିତି ସେ ଧସେଇ ପଶିବ ଜନତା ଭିତରକୁ ।

 

ଲୋକନେତା ! ଏ ଯୁଗର ଗୋଟିଏ ଉତ୍କୃଷ୍ଟ ଧରଣର ଲୋକନେତାହିଁ ଆବଶ୍ୟକ–

 

ଆଗେଆଗେ ନଟବର । ପଛେ ପଛେ ବିଦ୍ୟୁତ୍ସାହୀ ଯୁବକଦଳ । ଜଣେ କିଏ ସ୍ଳୋଗାନ ମାରୁଥାଏ–‘‘ମାଛ ସେର ଆଠଅଣା ହେଉ !”

 

“ମୁନାଫାଖୋର ମୁର୍ଦ୍ଦାବାଦ୍ !”

 

ଶୋଭାଯାତ୍ରାଟି ଫଳବଜାର ଛକରୁ ମୁହେଁଇଥାଏ ସହର ଭିତରକୁ । ଫଳ ବଜାର !

 

ଏଇଠି ବହେ ଭୂମଧ୍ୟସାଗରୀୟ ଜଳବାୟୁ–ଓଡ଼ିଶାର ହୃଦ୍‍ଦେଶରେ । ରାସ୍ତାର ଦୁଇକଡ଼େ–ଗଦାଗଦା ଫଳ ! ପନିପରିବା ! ବର୍ଣ୍ଣାଢ଼୍ୟ ସୌନ୍ଦର୍ଯ୍ୟ !

 

କମଳାଗଦାକୁ ଥରେ ଅନାଇ ଦେଇ ନଟବର ଓଠ ଚାଟେ ।

 

ଓଃ ! କି ସାଙ୍ଘାତିକ ସେ ପ୍ରତିକ୍ରିୟା–ପେଟ ଭିତରେ !

 

ପଛରେ ତା’ର ଚାଲିଥାନ୍ତି ସେଇ ପୁଚୁକାଗାଲିଆ ବିଦ୍ୟୁତ୍ସାହୀ ଯୁବକଦଳ... ‘‘ମାଛ ସେର ଆଠଅଣା ହେଉ ।”

 

ଏହି ବିଦ୍ୟୁତ୍ସାହୀ ଯୁବକମାନଙ୍କର ବାପା, ଭାଇମାନେ, ଦାଦା, ଖୁଡ଼ୁତାମାନେ ଶୋଭାଯାତ୍ରାକୁ ଅନାଇ ରହି ମୁରୁକି ହସା ଦେଉଥାନ୍ତି ।

 

ଏ ହେଉଚି ନୂଆରକ୍ତ ! ନବଯବାନ୍ !

 

ନଟବର ଆଉ ସମ୍ଭାଳି ପାରୁ ନଥାଏ । ସେ ଚୁପ୍ କରି ଖସିଗଲା । ଟିକିଏ ପଛରେ ପଡ଼ିଯାଇ ସେ ପହଞ୍ଚିଲା ଗୋଟିଏ କମଳା ଦୋକାନରେ ।

 

“ଭାଇ ଟଙ୍କାକୁ କମଳା କେଇଟା.... ?

 

ଲୋକଟି ଶୋଭାଯାତ୍ରା ଆଡ଼କୁ ଅନାଇଥାଏ । ଅନ୍ୟମନସ୍କ ହେଇ ସେ ଉତ୍ତର ଦିଏ–‘ଦୁଇଟା !’

 

“ଦୁଇଟା ? ମୋଟେ ଦୁଇଟା ? ଆଉ ଏ ଯୋଉ ଶଢ଼ା ସବୁ ଗଦା ହେଇଚି ସେଠି ?” ନଟବର ଗୋଟିଏ ଶଢ଼ା କମଳା ଆଡ଼କୁ ହାତ ବଢ଼େଇ କହେ ।

 

ଲୋକଟା ଗୋଟିଏ ପାଞ୍ଚଣ ଧରିଥାଏ । ଅନ୍ୟମନସ୍କ ହେଇ ଟିକିଏ ଠୁକେଇ ଦେଲା ନଟବରର ହାତକୁ । ପାଞ୍ଚଣଟା ଦେଲା ଏକ ଭଲ ଠୋକର ନଟବରର ସେଇ ଆଙ୍ଗୁଠିରେ–ଯୋଉଟାକୁ ପିଲାଦିନେ ପିଟୁଥିଲେ ଖୁବ୍–ତାଙ୍କ ଗାଁ ଅବଧାନେ । ନଟବର ହାତ କାଢ଼ିନେଲା ।

 

ତଥାପି ନଟବରର ଭୋକ ମରି ନଥାଏ । ସେ କଦଳୀ କାନ୍ଦିଆଡ଼କୁ ହାତ ନ ବଢ଼େଇ ଏଥର ଦୂରରେ ଠିଆ ହେଇ ପଚାରିଲା–

 

“ଭାଇ କଦଳୀ ଡଜନ୍ କେତେ ?

 

“ବାରଣା ।”

 

“ବାରଅଣା ? ଗୋଟେ ଅଣାଏ ?”

 

“ଅଣାଏ ।”

 

ନଟବର ବଡ଼ ବିରକ୍ତ ହୋଇ ଉଠିଲା । ହଠାତ୍ ସେ କହି ପକାଇଲା–“ହଇଓ ଭାଇ ! ଏ ସବୁ ଯେ ଶୋଭାଯାତ୍ରା କରି ଯାଉଚନ୍ତି ସେମାନେ ତମରି ପୁଅ, ନାତିଟି ? ଆମ ଭାରତରେ ମୁଣ୍ଡପିଛା ଆୟ ପରା ଛ’ଅଣା ! ଛ’ଅଣାରୁ, ଅଣାଟିଏ ତ ଗଲା କଦଳୀରେ ! ମାଛପେଇଁ ପଇସା କାହିଁ ?”

 

ଲୋକଟି ତଥାପି ଶୁଣିଲା ନାହିଁ ନଟବରର ବୃଥା ବାକ୍‍ବିତଣ୍ଡାକୁ । ସେ କେବଳ ହଲଉଥାଏ ତା’ର ପାଞ୍ଚଣଟାକୁ–ମାଛି ହୁରୁଡ଼ାଇଲା ଭଳି ।

 

ନଟବର ବୁଲିପଡ଼ିଲା ଓ ଏକଡ଼ିଆଁକେ ସେ ଯାଇ ପୁଣି ପହଞ୍ଚିଗଲା ତା’ର ମୂଳ ଜାଗାରେ–ଶୋଭାଯାତ୍ରା ଆଗରେ ।

 

ହଠାତ୍ ସେ କୁହାଟ ମାରିଲା ।

 

“କଦଳୀ ଡଜନ୍ ଏକ ନୂଆପଇସା ହଉ !’’

 

ପ୍ରଥମ ଡାକଟାରୁ ଏ ଡାକର ଫରକ ଜନତା କିଛି ଠଉରେଇ ପାରିଲା ନାହିଁ । କେବଳ ଯନ୍ତ୍ରବତ୍ ସେ ବି ଡାକ ଫେରେଇଲା ନଟବରର ।

 

“କଦଳୀ ଡଜନ୍ ଏକ ନୂଆପଇସା ହଉ !”

 

ଜନତାର ପ୍ରତିକ୍ରିୟା ନ ଦେଖି, ନଟବର ପୁଣି ଡାକିଲା–

 

Unknown

“ବାଇଗଣ କିଲୋ ଦୁଇ ନୂଆପଇସା ହଉ...

 

ହଠାତ୍ ଏକ ମୃଦୁଗୁଞ୍ଜନ ଖେଳିଗଲା ଜନତା ଭିତରେ । ବିଦ୍ୟୁତ୍ସାହୀ ଯୁବମଣ୍ଡଳୀ ନଟବରର ଡାକ ଫେରାଇଲା ନାହିଁ । କେବଳ ଆବାକାବା ହେଇ ଚାହିଁଲେ ଯୁବକମାନେ ରାସ୍ତା ଦି’କଡ଼କୁ ।

 

ନଟବର ପୁଣି ଏକ କୁହାଟ ମାରିବାକୁ ଯାଉଥାଏ, ଏତିକିବେଳେ ଗୋଟାଏ ଠେଙ୍ଗାର ଗୋବ ଆସି ବାଜିଯାଏ ତା’ ମୁଣ୍ଡରେ ।

 

ନଟବର ଓଲଟି ପଡ଼ୁ ପଡ଼ୁ ଦେଖେ ସେ ଠେଙ୍ଗାଟା ବାସ୍ତବିକ ଥିଲା ଜଣେ କେହି ବିଦ୍ୟୁତ୍ସାହୀ ଯୁବକର–ସେ ଓଡ଼ିଶାକୁ ନ’ଅଙ୍କ ଆସିଗଲା ବୋଲି କହି ଟିକିଏ ଆଗରୁ ନଟବରକୁ ଉତ୍ତେଜିତ କରୁଥାଏ ।

 

କିନ୍ତୁ ସେଠି ଆଉ କିଛି ଭାବିବାର ଅବସର ନଥାଏ । ଠେଙ୍ଗାମାନେ ସୁଦର୍ଶନ ଚକ୍ରଭଳି ଘୂରିବାକୁ ଆରମ୍ଭ କରିଦେଇଥାନ୍ତି ସେଠି ।

 

ନଟବର ଯୁଆଡ଼େ ଦଉଡ଼ୁଥାଏ ସୁଦର୍ଶନଚକ୍ର ତା’ ପିଛା ପଡ଼ିଥାଏ ।

 

ଆଖି ପିଛୁଳାକ ଭିତରେ ଶୋଭାଯାତ୍ରାଦଳ କୁଆଡ଼େ ଛିନ୍‍ଛତର ହୋଇଗଲା । କିଏ ଘରେ ପଶିଗଲା, କିଏ ସବୁ ଖିଦ୍‍ଖାଦ୍ ହେଇ ଡେଇଁ ପଡ଼ିଲେ ନାଳଭିତରକୁ–ଏମାନେ ସବୁ ଥିଲେ ଦେଖଣାହାରି ।

 

ବିଦ୍ୟୁତ୍ସାହୀଦଳ ଠେଙ୍ଗା ଧରି ଗୋଡ଼ାଇଥାନ୍ତି ।

 

ଜଣେ କିଏ ଲଣ୍ଡାମୁଣ୍ଡିଆ ଟୋକା ବିକଳରେ କଲେଜହତା ଭିତରକୁ ପଶିଯାଏ ! ବିଦ୍ୟୁତ୍ସାହୀଦଳ ଭୁଲରେ ସେଇ ଟୋକାଟାକୁ ନଟବର ଭାବି ତାକୁ ମାଲଗୋଦାମ ଆଡ଼େ ଗୋଡ଼ାଇ ନିଅନ୍ତି ।

 

କଲେଜପଡ଼ିଆ ଭିତରେ ସେ ଦିନ ଦିପହରେ ଯୋଉ ଟୋକା କାଲିଆ ଖାଉଥିଲା ସେ ନଟବର ନୁହେଁ ।

 

ଜଣେ ବିଜ୍ଞ, ହୁସିଆର ଲୋକନେତା ଭଳି ନଟବର ବିଦ୍ୟୁତ୍ସାହୀ ଠେଙ୍ଗାମାନଙ୍କ ଘେରରୁ ବର୍ତ୍ତିଯାଏ । କିନ୍ତୁ ତା’ ମୁଣ୍ଡର ସେଇ ଆବୁଟା–ପ୍ରଥମ ଠେଙ୍ଗା ମାଡ଼ଟା–ରହିଯାଏ ବହୁତ ଦିନ ପର୍ଯ୍ୟନ୍ତ ।

 

ସେ ଦିନ ସନ୍ଧ୍ୟାବେଳକୁ ବିଭୁପ୍ରସାଦ ଖଣ୍ଡିଏ ରିକ୍ସା ନେଇଯାଏ । ପ୍ରଫେସର୍ ପଡ଼ାର ସେଇ ପୁରୁଣା ‘ମୈତ୍ରୀ ମେସ୍’ରୁ ନଟବର ଆସବାବପତ୍ର ଉଠାଇ ଆଣେ ।

 

ଓକିଲ ସାହାବ ଘରେ ନଥାନ୍ତି–

 

କାହିଁକି କେଜାଣି ପିଲା ତିନୋଟି ବିଭୁପ୍ରସାଦକୁ ଦେଖି ମୁରୁକି ହସା ମାରୁଥାନ୍ତି । ଜଣେ କିଏ ମଧ୍ୟ ପଛରୁ ତା’ର ଡାକୁଥାଏ–‘‘କାକା, କାକା...”

 

“ସିଏ ତୁମ କାକା ନୁହେଁରେ, ସେ ଆଉ କିଏ...କାହାକୁ କାକା, କାକା, ଡାକ ଛାଡ଼ିଚ ଛୁଆଗୁଡ଼ାକ ?” ଘରଭିତରୁ କେହି ଜଣେ ତାଗିଦ କରୁଥାଏ ପିଲାଗୁଡ଼ିଙ୍କୁ ।

 

ଆଠ

 

ନଟବର, ବିଭୁପ୍ରସାଦର ବସାରେ ଆସି ରହିବା ପରଠାରୁ ଆରମ୍ଭ ହୁଏ ବିଭୁପ୍ରସାଦର ସେଇ “ନୀରବ ନିଳୟ” ମେସ୍‍ର ଏକ ନୂତନ ନାମକରଣ !

 

ବିଭୁପ୍ରସାଦର ବସାର ଇତିହାସ ଓ ଅବସ୍ଥିତିଟି ହେଉଛି ଏହିପରି । ସେଦିନ ଯେତେବେଳେ କୌଣସି ଅସୁବିଧାଜନକ ପରିସ୍ଥିତିର ସମ୍ମୁଖୀନ ହୋଇ ବିଭୁପ୍ରସାଦକୁ ପୋଷ୍ଟ୍‍ଗ୍ରାଜୁଏଟ୍ ହଷ୍ଟେଲ୍‍ ଛାଡ଼ିବାକୁ ହୁଏ ସେତେବେଳେ ସାରା ସହରରେ ତା’ପାଇଁ ମୁଣ୍ଡ ଗୁଞ୍ଜିବା ଜେଗା ଟିକିଏ ମିଳେ ଏଇଠି–ଏଇ ବଖୁରିକିଆ ଟିଣ ଘରଟିରେ । ଏ ଘରଟି ଯେ ଏଠି ଏଭଳି ଅପନ୍ତରା ଜେଗାରେ କିଏ କାହିଁକି ପ୍ରଥମେ ତୋଳେଇଥିଲା ସେ କଥା ଜଣା ନଥାଏ ବିଭୁପ୍ରସାଦକୁ-। କିନ୍ତୁ ବିଭୁପ୍ରସାଦ ଯେତେବେଳେ ପଦାର୍ଥବିଦ୍ୟାର ପ୍ରଫେସର୍ ନାୟକଙ୍କଠୁଁ ଏ ବଖୁରିକିଆ ଘରଟିକୁ ମାସିକ ଦଶଟଙ୍କା ଭଡ଼ାରେ ନିଏ ସେତେବେଳେ, ସବୁ କାମ ଛିଣ୍ଡିବା ପରେ ପ୍ରଫେସର୍ ନାୟକ ଦିନେ ବିଭୁପ୍ରସାଦକୁ ପାଖକୁ ଡାକି କହିଲେ–

 

“ଦେଖ ! ଘରଟାରେ ଟିକିଏ ପ୍ରଥମ ପ୍ରଥମରୁ ଅସୁବିଧା ହବ ! ହେଲେ ଡରିବ ନାହିଁ । ଜେଗାଟା ନୂଆ କିଣା ହେଇଚି କିନା–ଶତ୍ରୁ ପଡ଼ିଚନ୍ତି ତା’ ପିଛା । ତେବେ ପରବାୟ ନାହିଁ ।”

 

ଘର ପ୍ରବେଶ ପ୍ରଥମରୁ ଏଭଳି ଏକ ସତର୍କବାଣୀ ଶୁଣି ବିଭୁପ୍ରସାଦ ଟିକିଏ ଘାବରେଇ ଗଲା । ବିଭୁପ୍ରସାଦ ଘାବରୋଉଚି ବୋଲି ବୁଝିପାରି ପ୍ରଫେସର୍ ନାୟକ କଥାଟାକୁ ଆଉ ଟିକିଏ ସରଳ କରି କହିଦେଲେ ଯେ–ଦେଖ ! ଭୂତଫୁତ ଭୟ କିଛି ଆଶଙ୍କା କରନା ସେଠୁ । ତେବେ ତୁମକୁ ସେଠୁ ଗୋଟିଏ ଗୁର୍ଖାକୁ ହଟେଇବାକୁ ପଡ଼ିବ । ସେ ଗୁର୍ଖା ହଉଚି ଆରପାଖରେ ଯୋଉ ନୂଆ କରତକଳ ବସୁଚି ତା’ରି ମାଲିକର । ଲୋକଟା ଏ ଜେଗାକୁ ଆଖେଇଥିଲା । ହେଲେ ମଝିରେ ମାରୁଆଡ଼ିଠୁଁ ମୁଁ ୟାକୁ କିଣିନେଲି ବୋଲି ତା’ର ଆକ୍ରୋଶ ରହିବା ସ୍ଵାଭାବିକ । ତୁମେ ଯାଅ ସେ ଗୁର୍ଖାକୁ ଟିକିଏ ପଟାପଟି କରି ସେଠୁ ବିଦାକର ।

 

ସେ ପର୍ଯ୍ୟନ୍ତ ଗୁର୍ଖା ବୋଲି ଗୋଟିଏ ଶବ୍ଦ ବିଭୁପ୍ରସାଦର ମନରେ ସୃଷ୍ଟି କରୁଥିଲା ଏକ ଉତ୍କଟ କଳ୍ପନା । ଗୁର୍ଖା କହିଲେ ବିଭୁପ୍ରସାଦର ମନେ ହେଉଥିଲା ଗୋଟିଏ ବାୟୋନେଟ୍ ଦେଖେଇ କେହି ଯେମିତି ହଠାତ୍ ପୁଣି ଛପି ଯାଉଚି ଗୋଟାଏ ବୁଦା ଆଢ଼ୁଆଳରେ !

 

କିନ୍ତୁ ସେ ଯାହାହେଉ ଏଇ ଗୁର୍ଖା ଲୋକଟି ସହିତ ଦୀର୍ଘ ଏକମାସ ସହାବସ୍ଥାନ ପରେ ଏବଂ ଶେଷରେ ପାଞ୍ଚୋଟି ଟଙ୍କା ଅକଲସଲାମି ଦେବାପରେ ସେଇ ଗୁର୍ଖା ଜଗୁଆଳର କବଳରୁ ଘରଟିକୁ ମୁକୁଳାଇବାକୁ ସମର୍ଥ ହେଲା ବିଭୁପ୍ରସାଦ । ଆଉ, ଯେଉଁ ଦିନ ଘରଟିକୁ ମୁକୁଳାଇ ଆଣି ବିଭୁପ୍ରସାଦ ପ୍ରଥମ କରି ସେ ଘର କବାଟ ଉପରେ ଲଗେଇଲା ଗୋଟିଏ ନେମ୍‍ପ୍ଲେଟ୍ ଓ ତା’ ସହିତ ସେଇ ଶବ୍ଦ ‘ନୀରବନିଳୟ’ଟିକୁ, ଠିକ୍ ସେଇଦିନ ରାତିରେ ହୁଏ ଅଚାନକ ଢେଲାମାଡ଼–ବିଭୁପ୍ରସାଦର ଏଇ ନୀରବ–ନୀଳୟର ଟିଣ ଛପରଉପରେ । ସାତଦିନ ଓ ସାତରାତି ଧରି ଏ ଢେଲାବର୍ଷା ଲାଗି ରହିଲା । ତା’ପରେ ହଠାତ୍ ଅଚାନକ ଦିନେ ତାହା ବନ୍ଦ ହୋଇଗଲା–ଯେମିତି ଆରମ୍ଭ ହେଇଥିଲା ସେମିତି । କିନ୍ତୁ ତା’ ପରଦିନ ପ୍ରଫେସର୍ ନାୟକଙ୍କର ପୂଜାରୀ ଖଣ୍ଡିଏ ଚିଠି ନେଇ ଆସି ପହଞ୍ଚେ ବିଭୁପ୍ରସାଦ ପାଖରେ । ଏବଂ, ସେଇ ଦିନଠୁଁ ଘରଭଡ଼ା ବର୍ଷକୁ ଦୁଇ ଦୁଇ ଟଙ୍କା ହାରରେ ବଢ଼ି ବଢ଼ି ତାହା ବର୍ତ୍ତମାନ କୋଡ଼ିଏ ଟଙ୍କାକୁ ଧାପ ଦେଲାଣି । ଆଉ, ସେଇ ଦିନଠୁଁ ମଧ୍ୟ ବିଭୁପ୍ରସାଦର ମନେ ହେଉଚି ସତେ ଯେପରି ଦିନକୁଦିନ ସେଇ ଛୋଟ ଟିଣ ଘରଟିର ସାଇଜ୍ ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତାରେ କମି କମି ଚାଲିଛି । ଆଉ, ତା’ର କାରଣ ମଧ୍ୟ ଜାଣିଥାଏ ସେ । ତାହା ହଉଚି ଅବଶ୍ୟ ଏଇ ଛୋଟ ଟିଣ ଘରଟିର ଚତୁଃପାର୍ଶ୍ଵରେ ଦୈନିକ ବଢ଼ି ଉଠୁଥିବା ସେଇ ସବୁ କରତକଳ, ହ୍ୟୁମ୍‍ପାଇପଡ଼ିପୋ, ଆଳୁ ଷ୍ଟୋରେଜ ଘର, ମଟର୍ ବଡ଼ି ବିଲ୍‍ଡିଂ କାରଖାନା ଇତ୍ୟାଦି ଇତ୍ୟାଦିର ଆପେକ୍ଷିକ ପ୍ରତିକ୍ରିୟା । ବିଭୁପ୍ରସାଦର ଛୋଟ ବଖୁରିକିଆ‘ନୀରବ ନିଳୟ’ଟି ଉପରେ ବେଶ୍ କାମ କରେ ସେଇ ସବୁ ପ୍ରତିକ୍ରିୟା ।

 

‘ନୀରବ ନିଳୟ’ର ବର୍ଦ୍ଧିତ ଭଡ଼ାରେ ଭାଗୀଦାର ହେବାପାଇଁ ସେଦିନ ନଟବରକୁ ଘେନି ଆସିଲା ବିଭୁପ୍ରସାଦ, ଆପଣା ସାଙ୍ଗକୁ ।

 

ସେତେବେଳକୁ ଫଳ ଦୋକାନ ସାମ୍ନାରେ ପିକେଟିଂ କରିବାର କେତେଦିନ ହେଇଗଲାଣି । ତେବେ ସେ ପର୍ଯ୍ୟନ୍ତ ନଟବରର କପାଳ ଉପରର ସେ ଅବାଗିଆ ଆବୁଟା ମିଶି ନଥାଏ ପୂରାପୂରି ତା’ର କପାଳରେ । ବୋଧହୁଏ ତାହା ଆଉ ମିଶିବ ନାହିଁ ।

 

ଏଣେ କଲେଜର ଗବେଷଣା–ଆକାଶରେ ଏକ ଲଞ୍ଜାତାରା କିଛିଦିନ ହବ ଖୁବ୍ ବିତରଣ କରିବାକୁ ଆରମ୍ଭ କରିଥାଏ । କଲେଜର ଚା’ କ୍ଲବ୍‍ର ଆଲୋଚନା ସବୁ ଆହୁରି ଗରମାଗରମ ଆଉ କାନର ନିକଟତମ ସ୍ୱର ବିଶିଷ୍ଟ ହେବାକୁ ଆରମ୍ଭ କରିଥାଏ । ଆଉ, ସବୁଦିନ ସେଇ ନୀରବ ଆଲୋଚନାଗୁଡ଼ିକ ଆରମ୍ଭ କରନ୍ତି ସେଇ ଏକ ବିନ୍ଦୁରୁ–ପେ ସ୍କେଲରୁ । ତା’ପରେ ଅବଶ୍ୟ ସ୍କେଲ ସବୁ ବଦଳିଯାଏ । ଏବଂ ଅବଶେଷରେ ତାହା ଛିଣ୍ଡେ ସେଇଠି ଯେଉଁଠୁ ତାହା ଆଉ ଅଧିକ ଉଚ୍ଚକୁ ଉଠିପାରେନାହିଁ କୌଣସି ସ୍କେଲ ! ତା’ପରେ ହୁଏତ ଠଣାସ୍ ଆବାଜ କରି ତାରଟା ଛିଣ୍ଡିଯିବା କଥା କିମ୍ବା ଶୂନ୍ୟରୁ ଦୁଇଟା ଗୋଟାଏ ଶୁଖିଲା ଘଡ଼ଘଡ଼ି ପଡ଼ିଲା ଭଳି କିଛି ଆବାଜ୍ଶୁଣାଯିବା କଥା । କିନ୍ତୁ ତାହା ପଡ଼େନା । ତେଣୁ ଆଲୋଚନାଗୁଡ଼ିକ ବାଧ୍ୟ ହୋଇ ସେଇଠି ବନ୍ଦ ହୁଅନ୍ତି ସେଇ ଗୋଟିଏ ପଦରେ–

 

‘ଜଳେ ଦ୍ୱାରକା ଯିବ ନାଶ’ !

 

ସେଦିନ ସନ୍ଧ୍ୟାରେ ନଟବର ଟିଉସନ୍‍ରୁ ଫେରି ଏକ ଜରୁରୀ ଆଦେଶ ଜାହିର କଲା ବିଭୁପ୍ରସାଦ ଉପରେ–

 

“ଦେଖ ! ଏ ମେସ୍‍ର ନେମ୍‍ପ୍ଲେଟ୍ କାଲିଠାରୁ ବଦଳାଯିବ । ମୁଁ ଅଡ଼ର୍ ଦେଇ ଆସିଚି । ନୂଆ ନେମ୍‍ପ୍ଲେଟ୍‍ଟା ହେବ–

 

“ଏଠାରେ ମଳ ମୂତ୍ର ପରୀକ୍ଷା କରାଯାଏ” (ମଳ ମୂତ୍ର ପରୀକ୍ଷା ଗବେଷଣାଗାର !)

 

ବିଭୁପ୍ରସାଦ ସେତେବେଳେ ଠିକ୍ ଫେରୁଥାଏ ମହାନଦୀ କୂଳରୁ । ତା’ ଛଡ଼ା ସେଦିନ ସନ୍ଧ୍ୟାରେ ନିରାମୟ ଖାଦ୍ୟ ଭଣ୍ଡାର ମ୍ୟାନେଜରଙ୍କ ଜରିଆରେ ସେ ଖଣ୍ଡିଏ ଚିଠି ପାଇଥାଏ ଯେ ତା’ର ବାପାଙ୍କ ସ୍କୁଲ୍‍ର ହେଡ଼୍‍ମାଷ୍ଟର ଏଥିମଧ୍ୟରେ ଅବସର ଗ୍ରହଣ କରୁଚନ୍ତି । ତେଣୁ ଖୁବ୍ ଶୀଘ୍ର ତା’ର ବାପା ସ୍କୁଲ୍‍ର ହେଡ଼୍‍ମାଷ୍ଟର ହୋଇଯାଇପାରନ୍ତି । ଚିଠିଟିକୁ ପକେଟରେ ରଖିଥାଏ ବିଭୁପ୍ରସାଦ । ଏକ ଚମତ୍କାର ଭାବପ୍ଲୁତ ପତ୍ର । ଚିଠିଟିକୁ ପଢ଼ିସାରି ବିଭୁପ୍ରସାଦର ଆଖିରୁ ସେ ପର୍ଯ୍ୟନ୍ତ ଶୁଖି ନଥାଏ ଲୁହ ବିନ୍ଦୁଟା ତା’ର ବାପାଙ୍କପାଇଁ ବୋହିଥିବା ଲୁହ ବିନ୍ଦୁଟା ଅବଶ୍ୟ । ଲୋକଟି ଅବଶେଷରେ ପହଞ୍ଚିବାକୁ ଯାଉଛି ତାହାହେଲେ ତା’ର ଈପ୍ସିତ ଲକ୍ଷ୍ୟ ବିନ୍ଦୁରେ !

 

ବିଭୁପ୍ରସାଦକୁ ଚୁପ୍ ଆଉ କାଲୁଆ ରହିବାର ଦେଖି ନଟବର ଟିକିଏ ବିଗିଡ଼ି ଗଲା । ସେ କହିଲା–

 

“ମୁଁ ତତେ ଏଇଥିପେଇଁ ଘୃଣା କରେ ବିଭୁପ୍ରସାଦ । ତୋର ଆଇଡ଼ିଆ କ୍ୟାଚ୍ କରିବାର ଶକ୍ତି ଟିକିଏ କମ୍ । ତୁ ଜାଣୁ ଯେ ବର୍ତ୍ତମାନ ଯୁଗ ଆସିଗଲା ଟେକ୍ନୋଲଜିର ଯୁଗ । ଆଉ ଏ ଯୁଗରେ ଯଦି ତୁମେ ଭୋକିଲା ରହିବ ତେବେ ତୁମେ ହଉଚ ପାପିଷ୍ଠ–ଅଧମ ଲୋକ । ଆଜି ଏ ଆଇଡ଼ିଆଟା ମତେ ଷ୍ଟ୍ରାଇକ୍ କରିଚି–ଖୁବ୍ ଚମତ୍କାର ଆଇଡ଼ିଆଟାଏ । ନା କ’ଣ କହୁଚୁ ?”

 

ବିଭୁପ୍ରସାଦ ତଥାପି ନୀରବ ରହିଥାଏ । ମନ ଭିତରେ ତା’ର କାମ ଚଲେଇଥାଏ ସେଇ ଚିଠିଟା । ତା’ର ବାପା ଲେଖିଥିଲେ–

 

“କୁଆଡ଼େ ଚାଲିଗଲା ଚାଳିଶବର୍ଷ କାନ କୁଣ୍ଡୋଉ କୁଣ୍ଡୋଉ.... । ମୋର ମଧ୍ୟ ପୂରି ଆସୁଚି ସମୟ । ଏତିକିବେଳେ ମନେ ପଡ଼ୁଚି ଏ ଚାଳିଶବର୍ଷରୁ ମୁଁ ପାଇଲି କ’ଣ ? ବେଳେବେଳେ କିଏ ମନ ଭିତରେ କହୁଚି–ତୁମେ ପିଲାଏ ଠିକ୍ କହୁଥିଲ । ପୁଲିସ ଚାକିରି କରିଥିଲେ ଅନ୍ତତଃ ଧନ ବଳରେ ଏ ଜୀବନଟାକୁ ଆଉ ଟିକିଏ ଭଲ ଉପଭୋଗ କରିପାରିଥାନ୍ତି.... ।”

 

କିନ୍ତୁ ବିଭୁପ୍ରସାଦକୁ ଆଉ ଅଧିକ ଭାବିବାକୁ ନ ଦେଇ ତାକୁ ଏକ ଝିଙ୍କାଦେଇ ନଟବର ପ୍ରଭାବିତ କରି ଉଠୁଥାଏ–

 

“ଦେଖ୍ ! ଖୁବ୍ ପ୍ରଫିଟେବ୍ଲ ପ୍ରଫେସନ୍ ଗୋଟାଏ ଏ । ଆମେ ୟାକୁ ଅବଶ୍ୟ ଗୋଟାଏ ବ୍ୟବସାୟ ଦୃଷ୍ଟିରୁ ବିଚାର କରିବା ନାହିଁ । ୟାକୁ ଗୋଟାଏ ହବି–ଗୋଟାଏ ସୌଖୀନ ଦୃଷ୍ଟିରୁ ବିଚାର କରିବା ପ୍ରଥମେ । ଦେଖ୍ ! ଏ ସହରରେ ଏଭଳି ଲୋକଙ୍କର ସଂଖ୍ୟା ହଉଚି ସବୁଠୁ ଅଧିକ ଯୋଉମାନେ ଯଦି ଟିକିଏ ମଳ ବା ମୂତ୍ର ପରୀକ୍ଷା କରାଇ ନେଇପାରନ୍ତେ ତେବେ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ପାଇବାରୁ ସେମାନେ ବଞ୍ଚିତ ହୁଅନ୍ତେ ନାହିଁ । ଥରେ ଭାବି ଦେଖ୍–ଏଇ ଆମରି ଚାରିପାଖରେ ଯେତେ ଦରିଦ୍ର ରିକ୍ସାବାଲା, ସ୍କୁଲ୍ ପିଲା, ସ୍କୁଲ୍ ମାଷ୍ଟର ଆଉ ଅସଂଖ୍ୟ ଅଳ୍ପ ରୋଜଗାର–କ୍ଷମ ଲୋକଗୁଡ଼ିକ ଅଛନ୍ତି, ସେମାନଙ୍କର କ’ଣ ଶକ୍ତି ଅଛି, ଥରକୁ ଚାରିଟଙ୍କା ଦେଇ, ଏତେଟିକେ ମଳ ପରୀକ୍ଷା କରାଇବାର ? ଆମେ ଯଦି ଏଠି ଏକ ପରୀକ୍ଷାଗାର ଖୋଲୁ, ଯୋଉଠି ଆମେ ମାତ୍ର ଦୁଇଟି ଟଙ୍କାରେ ମଳ ପରୀକ୍ଷା କରେଇ ନେଇପାରିବା, ତେବେ ଆମେ କ’ଣ ଦେଶର କିଛି ଗୋଟାଏ ଉପକାର କରିପାରନ୍ତେ ନାହିଁ ?”

 

ବିଭୁପ୍ରସାଦ ଭାବୁଥାଏ–ତା’ର ବାପାଙ୍କ ଚିଠିର ସେଇ ଭାବପ୍ରବଣ ଅଂଶଟାକୁ । ସେ ଲେଖିଥିଲେ–

 

“କିନ୍ତୁ ମୁଁ ପୁଣି ଭାବେ–ଏଇ ପଇଁତିରିଶବର୍ଷରେ ବା ମୁଁ ନ ଦେଖିଛି କ’ଣ ? ଜୀବନର ଅର୍ଥ ଯଦି ଏଇ ଦେଖିବା, ଚାଖିବା, ଶୁଣିବା ଆଉ ଆଘ୍ରାଣ କରିବା, ତେବେ ତ ଢେର୍ ମୁଁ ପାଇଛି ସେ ସବୁ । ଏପରିକି ଗୋଟାଏ ବିଲାତିଆଳୁକୁ ଦେଖି, ମୋର ଆଖି ଆଗରେ ନାଚି ଯାଉଚି ଏବେ ମଧ୍ୟ ମୋର ସମସ୍ତ ଭୌଗୋଳିକ ରସବୋଧ । ମୁଁ ସ୍ପଷ୍ଟ ଦେଖିପାରୁଚି ସେଇ କମନୀୟ ଦୃଶ୍ୟମାଳାମୟ ଆଣ୍ଡିଜ୍ ପର୍ବତର ପାଦଦେଶ ! ଆମାଜନ୍‍ଣ ମୁହାଣ.... ! ହିମାଳୟର ବରଫାବୃତ୍ତ ଶୀର୍ଷ !

 

“ବେଳେବେଳେ ତୁମମାନଙ୍କର ଶୁଖିଲା ମୁହଁ ଦେଖିଲେ ମୋର ମନେହୁଏ ତୁମମାନଙ୍କର ରୋଗଟା ଠିକ୍ ଖାଦ୍ୟାଭାବ–ମାଲ୍‍ନ୍ୟୁଟ୍ରିସନ୍ ନୁହେଁ ! ତୁମର ଅଭାବ ବର୍ତ୍ତମାନ ରସବୋଧ । ମୁଁ ବିଜ୍ଞାନର ଛାତ୍ର ନୁହେଁ । କିନ୍ତୁ ମୁଁ ଶୁଣିଚି–ସାର୍ ଜଗଦୀଶଚନ୍ଦ୍ର କୁଆଡ଼େ ବୃକ୍ଷଲତାମାନଙ୍କ ସହିତ କଥାବାର୍ତ୍ତା କରିପାରୁଥିଲେ । ସେ ନିଶ୍ଚୟ କରିପାରୁଥିବେ । ନଚେତ୍ ବୃକ୍ଷଲତାଙ୍କର ସ୍ପର୍ଶକାତରତାକୁ କେଉଁ ମୂଢ଼ କେବେ ଅନୁଭବ କରିପାରିଥାନ୍ତା ଯାବତ୍‍ ଚନ୍ଦ୍ରାର୍କ ?”

 

ବିଭୁପ୍ରସାଦଠାରୁ ତଥାପି ଉତ୍ତର ନପାଇ, ଏଥର ନଟବରର ଧୈର୍ଯ୍ୟଚ୍ୟୁତି ଘଟେ । ତା’ପରେ ଯାହା ହବାର କଥା ସ୍ୱାଭାବିକ ଘଟେ । ଆଲୋଚନାରେ ଭାଗ ନେବାକୁ ସମର୍ଥ ହୁଏ ବିଭୁପ୍ରସାଦ ।

 

ନଟବର ପୁଣିଥରେ ମୂଳରୁ ବୁଝାଏ ତା’ର ମୂଲ୍ୟବାନ ଆଇଡ଼ିଆଟିକୁ । ସେ କହେ–

 

“ଦେଖ ! ବର୍ତ୍ତମାନ, ବିଶେଷକରି ଆମର ଅନୁନ୍ନତ ଦେଶ ପକ୍ଷରେ, ବିଜ୍ଞାନ ଅପେକ୍ଷା, ବିଜ୍ଞାନର ଆପ୍ଲିକେସନ୍ ବା ବ୍ୟବହାର ଅଧିକ ପ୍ରୟୋଜନ । ବର୍ତ୍ତମାନ ଥରେ ନିଜକୁ ନିଜେ ଚାହିଁ ଦେଖ । ଆଚ୍ଛା, ଗବେଷଣା ନାଁରେ ଆମେ କ’ଣ କରିଚେ ? ମୌଳିକ ଗବେଷଣା ନାଁରେ ଆମେଗୁଡ଼ିଏ ମୌଳିକ ଅନୁକରଣହିଁ କରିଚେ । ଆମେରିକାରେ ଯଦି ଡିଜେଲ ତେଲ, କପାମଞ୍ଜିର ତେଲ ବା ବାଦାମ ତେଲ ଉପରେ ଗବେଷଣା ଚାଲେ, ତେବେ ଆମେ ଏଠି ଗବେଷଣା କରୁଥାଇଁ ଚାକୁଣ୍ଡା ତେଲ ଉପରେ ! କିନ୍ତୁ ଫଳ ଏଇଆ ହବ ଯେ ଆମେରିକା ଆମ ଦେଶକୁ ଯୋଗାଇବ ଚାଉଳ ଆଉ ତାକୁ ଖାଇ ଆମେ ଏଠି ଜନ୍ମ କରିବା କାଗଜର ପିଏଚ.ଡ଼ି ଗୋଟାକୁ ଗୋଟା ! ଆମେରିକା ଯେତେବେଳେ କୋଟି କୋଟି ଡଲାର୍ ଉଠେଇବ ଏ ଦେଶରୁ, ଆମ ଦେଶର ବୁଭୁକ୍ଷୁ ଜନତା ସେତେବେଳେ ଧାଇଁଥିବ ଯୋଡ଼ିଏ ଇନ୍‍କ୍ରିମେଣ୍ଟ ପେଇଁ–ଡି.ପି.ଆଇ. ଅଫିସ୍‍ରୁ ସେକ୍ରେଟେରିଏଟ୍ । ଆଖର ସେ ଟଙ୍କା ମିଳିବ ନାହିଁ । ମଝିରେ ମନମୋହନ ଭଳି ଲୋକ ଥିବେ ତାକୁ ଅଟକେଇବା ପାଇଁ !”

 

“ତାହାହେଲେ ତୁ କ’ଣ କହୁଚୁ ?” ଏତେବେଳକେ ପାଟି ଫିଟେ ବିଭୁପ୍ରସାଦର । ସେ ଯୁକ୍ତି କରେ–“ତାହାହେଲେ ତୁ କ’ଣ କହୁଚୁ ଆମର ଏଠି ଗବେଷଣା ହବନାହିଁ ? ଆମେ ଅନେଇଥିବା ଆମେରିକାର ବୈଜ୍ଞାନିକମାନଙ୍କୁ ? ଆମର ଏଠି ଔଷଧଗବେଷଣା ହବ ନାହିଁ ? ଯଦି ହଠାତ୍ କୌଣସି କାରଣରୁ ସେ ଦେଶ ସହିତ ଯୁଦ୍ଧ ଲାଗିଯାଏ ଆମର ?”

 

ନଟବର ଚିଡ଼ି ଉଠେ ଆଉ କହେ–

 

“ସେ ଦେଶ ସହିତ ଯୁଦ୍ଧ ଲାଗିଲେ ? ତମେ ନିପାତ ହେବ ପହିଲେ ! କାରଣ ତମ ହାତରେ କ’ଣ ହାଇଡ଼୍ରୋଜନ୍ ବୋମା ଅଛି ?”

 

“ତାହାହେଲେ ତ ଆମର ପ୍ରଥମେ ହାଇଡ଼୍ରୋଜନ ବୋମା ତିଆରି କରିବା ଉଚିତ....” ବିଭୁପ୍ରସାଦ ଟିହାଇ ଟିହାଇ କହେ ।

 

ନଟବର ଜବାବ ଦିଏ ଦାନ୍ତ ଭିତରୁ–

 

“ଇଡ଼ିଅଟ୍ ! ହାଇଡ଼୍ରୋଜନ୍ ବୋମା କ’ଣ ଶୂନ୍ୟରୁ ହୁଏ ? ଯାହାର ଅର୍ଥ ନାହିଁ ମଳ ପରୀକ୍ଷା କରିବାକୁ, ସେ କରିବ ହାଇଡ଼୍ରୋଜନ୍ ବୋମା– ?”

 

ବିଭୁପ୍ରସାଦ ଟିକିଏ ହସିଲା ନଟବର ମୁହଁକୁ ନିଠେଇ ଚାହିଁ–ତା’ପରେ ସେ ଦେଲା ତା’ର ଠିକଣା ଜବାବଟା ଏବଂ କହିଲା–

 

“ଆଉ ମଳ ପରୀକ୍ଷା ହବ କ’ଣ ଶୂନ୍ୟରୁ ? ପେଟରେ ଯାହାର ଖାଦ୍ୟ ନାହିଁ, ତାହାର ମଳ ପରୀକ୍ଷାପାଇଁ ମଳ ମିଳିବ କେଉଁଠୁଁ ?”

 

ନଟବର ଟିକିଏ ଗୁମ୍‍ମାରିଯାଏଁ । ତା’ପରେ ହଠାତ୍ ସେ ଏକାପଦକେ ଉଡ଼ାଇଦିଏ ବିଭୁପ୍ରସାଦର ସବୁକିଛି ଯୁକ୍ତିକୁ । ସେ କହେ–

 

“କିନ୍ତୁ କାଲିଠାରୁ ନିଶ୍ଚୟ ଏଠି ସାଇନ୍‍ବୋର୍ଡ଼ ମରାହବ ତୁ ଦେଖିବୁ । ତୋର ବ୍ୟସ୍ତ ହବାର କିଛି ଆବଶ୍ୟକତା ନାହିଁ । ସେ ସବୁ ଖବର ମୁଁ ବୁଝିବି । ପ୍ରଥମେ ଆଗ ନିଜ ମଳ ତିଆରି ହଉ ନିଜ ପେଟରେ !”

 

ବିଭୁପ୍ରସାଦ ବୁଝିପାରେ ନଟବରର ସେଇ ସବୁ ଯୁକ୍ତିର ଅର୍ଥ । ସେଗୁଡ଼ାକ ଯେ ନିଶ୍ଚୟ ସେଇ ଫଳଦୋକାନ ସାମନାରେ ପିକେଟିଂ ବେଳର ଠେଙ୍ଗାର ପ୍ରତିକ୍ରିୟା ଏଥିରେ କିଛି ସନ୍ଦେହ କରିବାର ଆଉ ନଥାଏ ସେଠି ।

 

ତା’ପରେ ରାତିଯାକ ଚାଲେ ଆଳାପ ଆଉ ଆଲୋଚନା । ସ୍ତ୍ରୀଲୋକମାନଙ୍କ ସମ୍ବନ୍ଧରେ ଖୁବ୍ କ୍ୱଚିତ୍ କଥା ପକାଏ ନଟବର । ପୃଥିବୀର ଯେକୌଣସି ବଡ଼ମଣିଷ ଭଳି ନାରୀ ଆଉ ନିଦ୍ରା ଏ ଦୁଇଟି ବୋଧହୁଏ ତାକୁ ମନେ ପକେଇ ଦିଅନ୍ତି ସେଇ ଗୋଟିଏ ପରିଣତି ବିଷୟରେ–ମରଣଶୀଳ ମନୁଷ୍ୟ ଦେହର ଶେଷ ପରିଣତି ବିଷୟରେ !

 

ତେବେ, କଥାପ୍ରସଙ୍ଗରେ କେଉଁଠି କେମିତି ଛପି ଛପି ଆସିଯାଏ ମୁରାଶା । ଅବଶ୍ୟ ସେ ତା’ ଛାଁକୁ ଆସେ ନାହିଁ । କେବଳ ବିଭୁପ୍ରସାଦ ତାକୁ ଆଣେ । ନଟବରକୁ ଉସ୍କାଇଉସ୍କାଇ ବିଭୁପ୍ରସାଦ କହେ–

 

“ମୁଁ ଜାଣେନା କାହିଁକି–” ବିଭୁପ୍ରସାଦ କହିଲାଗେ “ସେ ମୋତେ ଟିକିଏ ନିରୋଳାରେ ଦେଖା କରିବାକୁ ବୋଧହୁଏ ଇଚ୍ଛା କରେ । ତୁ ତାଣୁ ? ଅନେକ ସମୟରେ ତୁମେ ସବୁ କେହି ନଥିଲାବେଳେ ସେ ଆସେ ଲାବୋରେଟୋରୀକୁ କ’ଣ ଗୋଟାଏ କିଛି ବାହାନା କରି । କିନ୍ତୁ ସେ କ’ଣ ଚାହେଁ ପ୍ରକୃତରେ ?”

 

ନଟବର କିଛି ଜବାବ ଦିଏ ନାହିଁ ।

 

ବିଭୁପ୍ରସାଦ ପୁଣି କହେ–

 

“ଆଚ୍ଛା, ସତରେ କ’ଣ ସେ ଏୟାର୍ ହୋଷ୍ଟେସ୍ ହବାପେଇଁ ଏତେ ଚେଷ୍ଟା କରୁଚି ନା ଗୋଟାଏ ପୁଡ଼ି ମାରୁଚି ? ତେବେ ସେତ ଏତେ ସୁନ୍ଦର ନୁହେଁ–ଏୟାର୍ ହୋଷ୍ଟେସ୍ ହେଲାଭଳି ? ମୁଁ ତ ଭାବେ ଯେକୌଣସି ସିନେମା ଷ୍ଟାର୍ ସଙ୍ଗେ ଏୟାର୍ ହୋଷ୍ଟେସ୍‍ମାନଙ୍କର ସୌନ୍ଦର୍ଯ୍ୟ ସମାନ ନହେଲେ ଜଣେ ଏୟାର୍ ହୋଷ୍ଟେସ୍ ହୋଇପାରିବ ନାହିଁ ସହଜରେ ! ଏତ ସିନେମା ଯୁଗ । ତା’ ଛଡ଼ା ଖୁବ୍ ଶକ୍ତି ବ୍ୟାକିଂ ମଧ୍ୟ ଥିବା ଚାହି । କମ୍ପାନୀ ଚାକିରିରେ ଢୁକିବାପାଇଁ ମୁରାଶା କ’ଣ ପାରିବ-?”

 

ନଟବର କଡ଼ ଲେଉଟେଇ ଶୁଏ । ସେ ଅବଶ୍ୟ ଚାହିଁଥାଏ ଓ କ’ଣ ଗୋଟାଏ ଭାବୁଥାଏ ବୋଧହୁଏ ।

 

କିନ୍ତୁ ନିଜର ଚିନ୍ତା ନିଜଗୁଡ଼ିକୁ ଛାତି ଭିତରେ ଚାପି ରଖିବାକୁ ସମର୍ଥ ନ ହୋଇପାରି ବିଭୁପ୍ରସାଦ କହି ପକାଏ–

 

“ତୁ ଜାଣୁ ? ମୋର ସେ ଝିଅଟା ପ୍ରତି ଗୋଟାଏ ବିରାଟ ଦୁର୍ବଳତା ଅଛି । ପ୍ରଥମ ଦିନ ମୁଁ ଯେତେବେଳେ ତାକୁ ସେଇ ଲାଇବ୍ରେରି ପାଖ କାମିନୀ ଗଛ ମୂଳେ ଦେଖେ–ତୁ ଜାଣୁ ? ସେ ହେଉଚି ଆମ ଗାଁ ଆଡ଼ର, ପରେ ମୁଁ ଖବର ନେଇ ବୁଝିଲି ।”

 

ନଟବର ପୁଣିଥରେ କଡ଼ ଲେଉଟାଏ ଆଉ ପାଖରେ ମିଞ୍ଜିମିଞ୍ଜି ହେଇ ଜଳୁଥିବା ଲଣ୍ଠନ ଆଲୁଅରେ ବିଭୁପ୍ରସାଦର ମୁହଁଟାକୁ ଖୋଜି ବାହାର କରି ସେ କହେ–

 

“ସୀମା ଭିତରେ ଟିକିଏ ରହ ବିଭୁପ୍ରସାଦ । ଏତେ ବ୍ଲଫ୍ କରି ଯା’ନା ମୁଁ କହି ଦଉଚି । ତୋର ଜାଣିବା ଉଚିତ ଯେ ତୁ ଜାଣିବା ପୂର୍ବରୁ ମୁଁ ତାକୁ ଆହୁରି ଭଲକରି ଚିହ୍ନିଚି । ସେ କଦାପି ତୁମ ଆଡ଼ିକା ଲୋକ ନୁହ । ତା’ ଛଡ଼ା ତୁ ତାକୁ ଆଦୌ ଚିହ୍ନିନୁ ।”

 

ସେତେବେଳେ ଅବଶ୍ୟ ବିଭୁପ୍ରସାଦର ମୁହଁର ଭାବ ପରିବର୍ତ୍ତନ କିଛି ଲକ୍ଷ୍ୟ କରି ହୁଏନା–ସେଇ ଅଳ୍ପ ଆଲୋକିତ ବାୟୁମଣ୍ଡଳ ଭିତରେ । କିନ୍ତୁ ସେ ଟିକିଏ ହସିଦିଏ ଆଉ କହେ–

 

“ସେଇ ନ ଚିହ୍ନିବାରେଇ ସବୁଠାରୁ ଅଧିକ ଆନନ୍ଦ ଭାଇ ! ମୁଁ ତାକୁ ନ ଚିହ୍ନେ–କ’ଣ ହେଲା ସେଇଠୁ ? କିନ୍ତୁ ମୁଁ ତ ଦେଖିପାରୁଚି ତା’ର ସେଇ ଆଲୁଅ ଶିଖାଟାକୁ–ଯାହାକୁ ଅନେଇ ମୁଁ ଠିଆ ହେଇପାରେ ଗୋଟାଏ ହେମକାକର ପୋଖରୀ ଭିତରେ–ଏକ ଶୀତ ରାତିରେ ! ସେ ହେଉଚି ମୋର ପ୍ରେରଣା ! ମୋର ପ୍ରାଣ ! ମୋର ସବୁ !”

 

“ପ୍ରେରଣା ନା ଆଳୁ ! ତେଣେ ସୁପାରିସ୍ ପତ୍ର ଦଉ ଦଉ ମନମୋହନ ପଛେ ପେଟ କରୁ ତା’ର...’’ ନଟବରର ଅସହିଷ୍ଣୁ ସ୍ୱର ସ୍ପଷ୍ଟ ଜଣାଯାଏ ।

 

“ଖବରଦାର୍ !’’ ବିଭୁପ୍ରସାଦ ହଠାତ୍ ଚିଡ଼ି ଉଠେ, “ଅସଭ୍ୟ ଭାବରେ କୌଣସି ଭଦ୍ରମହିଳା ନାମରେ କୁତ୍ସା କରନା ନଟବର ! ତାହା ପାପ ! ଆମେ ଜାଣୁନା–ହୁଏତ କି ଆଶା ଆଉ ଆକାଂକ୍ଷା ନେଇ ସେଇ ଝିଅଟି ଚେଷ୍ଟା କରୁଚି ଉଠିବାକୁ । ଟିକିଏ ଭାବ–ଗୋଟିଏ ଓଡ଼ିଆ ଝିଅ ଆଜି ନିଜ ଗୋଡ଼ରେ ଠିଆହୋଇ ଚେଷ୍ଟା କରୁଚି ପୁଣି କ’ଣ ନା ଏକ ଏୟାର୍ ହୋଷ୍ଟେସ୍ ହବାପାଇଁ ! ତା’ର ଉଡ଼ିବାର ସେଇ ଅଦମ୍ୟ ଇଚ୍ଛାଟାକୁ ଟିକିଏ ଲକ୍ଷ୍ୟକର । ଆଉ ତା’ର ଭଉଣୀ–ସେଇ ଗରିବ ନର୍ସଟିଏ । ବିଚାରୀ ! ହାୟ !” ବିଭୁପ୍ରସାଦ ଏକ ଦୀର୍ଘନିଃଶ୍ଵାସ ପକାଏ ।

 

ନଟବର ଚୁପ୍ ରହେ ।

 

ବିଭୁପ୍ରସାଦ ମଧ୍ୟ ଚୁପ୍‍ହୁଏ କିଛି ସମୟ ।

 

ତା’ପରେ ବିଭୁପ୍ରସାଦ ମୁହଁ ପୁଣି ଖୋଲେ । ସେ କହେ–

 

“ବରଂ, ତୋର ଏଇ ମଳମୂତ୍ର ପରୀକ୍ଷା ଆଇଡ଼ିଆଟା ସେଇ ମୁରାଶାର ଭଉଣୀକୁ ଦେ ନଟବର । ସେ ହଉଚି ଗୋଟିଏ ନର୍ସ । ସେ ବିଷୟରେ ସେ ଜାଣେ କିଛି ଆଉ କାମ କରିବାର ସ୍ମୃହା ମଧ୍ୟ ରହିବ ତା’ର । ଆଇଡ଼ିଆଗୁଡ଼ାକ ନିଜେ କାର୍ଯ୍ୟକାରୀ ନ କରି ବରଂ ଯେ କରିପାରିବ ତାକୁ ଦେ !”

 

“ତୁ ଚୁପ୍ ରହ !” ନଟବର ପୁଣି ମୁହଁବୁଲେଇ ନେଇ ଶୁଏ ଆଉ କହେ–“ନିଜେ ନକରି ପରକୁ ବୁଦ୍ଧି ଦବାର ଯୁଗ ଗଲାଣି । ସେଗୁଡ଼ାକ ସବୁ ସାମନ୍ତବାଦୀଙ୍କ ଯୁଗ ସହିତ ଗଲାଣି ବୋଲି ତୁ ଜାଣ । ସେଗୁଡ଼ାକ ଆଉ କହିଲେ ମାଡ଼ ହବ ଜାଣିଥା.....”

 

ନଟବର ଶୋଇପଡ଼େ ।

 

ଅନେକରାତି ପର୍ଯ୍ୟନ୍ତ ଆଖିବୁଜି ପଡ଼ିରହି ବିଭୁପ୍ରସାଦ ଚିନ୍ତାକରେ ଅନେକକିଛି କଥା–ସେଇ ପେନ୍‍ଫ୍ରେଣ୍ଡ “ଲୁସି”ଠାରୁ ଆରମ୍ଭକରି ସେଇ “ଡଃ. ଭି.କେ.ଏସ୍.ଡ଼ି.ଏନ୍. ନାଇଡ଼ୁ”ଙ୍କଠାରୁ ପାଇଥିବା ସେଇ ବଶୀକରଣ ଡେଉଁରିଆ ପର୍ଯ୍ୟନ୍ତ ଅନେକ କଥା ।

 

‘ଲୁସି’–ମନେପଡ଼େ ବିଭୁପ୍ରସାଦର–ସେଇ ପିଲାଦିନର କଥାଟା ! ନା । ସେ କେବଳ ଝିଅଟିଏ ନୁହେଁ–ଏଇ ଲୁସି ! ସେ ଥିଲା, ଆଉ ଅଛି ମଧ୍ୟ ବିଭୁପ୍ରସାଦର ମନଭିତରେ–ଗୋଟିଏ ଫିଲାଡ଼େଲଫିଆର ମୋହର–ବସା ଚିଠିର ସେଇ ପ୍ରଥମ ଶବ୍ଦ ‘ଡାର୍ଲିଂ’ !–ଏଇ ଚମତ୍କାରତମ ସମ୍ବୋଧନର ଧ୍ୱନିଟି ଭିତରେ ।

 

ସେତେବେଳେ ସେ ପଢ଼ୁଥିଲା ନବମ ଶ୍ରେଣୀରେ । ସେଗୁଡ଼ିକ ଥିଲା–ସେଇ ପେନ୍‍ଫ୍ରେଣ୍ଡ ସୃଷ୍ଟି କରିବାର ଯୁଗ ଆଉ ବୟସ ମଧ୍ୟ । ଆଜି ଯେପରି ଖବରକାଗଜରେ ବିଜ୍ଞାପନ ବାହାରୁଛି–“ଘରେ ବସି ଏମ୍.ଏ. ପାସ୍ କର” ସେଦିନ ସେଇଭଳି ଏକ ରୋମାଞ୍ଚକର ବିଜ୍ଞାପନ “ଘରେ ବସି ସାତ ମହାଦେଶର ଲୋକଙ୍କୁ ବନ୍ଧୁ କରିନିଅ”–ଏଇ ସବୁଜ କଳ୍ପନାଟି ଅନ୍ୟାନ୍ୟ ଅନେକ ଛାତ୍ରଙ୍କପରି ବିଭୁପ୍ରସାଦର ମନକୁ କାବୁ କରିନେଇଥିଲା । ଏବଂ ତାହାରି ଫଳସ୍ୱରୂପ ବିଭୁପ୍ରସାଦ ସେଦିନ ପାଇଥାଏ ତା’ର ସେଇ କଲମ–ବନ୍ଧୁ, ‘ଲୁସି’କୁ ।

 

କିନ୍ତୁ–‘ଲସି’ ସହିତ ତା’ର ସେଇ ମଧୁର ବାୟବୀୟ ସମ୍ପର୍କଟି ଯେଉଁଭଳି ପରିସ୍ଥିତି ଭିତରେ କଟିଯାଏ–ଏବେ ମଧ୍ୟ ସେଇ ଘଟଣାଟି ବିଷୟରେ ଚିନ୍ତାକଲେ ବିଭୁପ୍ରସାଦକୁ ହସଲାଗେ ଯେତିକି, ଦୁଃଖବି ହୁଏ ସେତିକି ! ଏବଂ ଏହି ଦୃଷ୍ଟିରୁହିଁ ସେ ଅନେକଟା ବିରକ୍ତ ହୁଏ ତା’ର ବାପାଙ୍କର ସେଇ ଅଯଥା ମାଷ୍ଟରି ମନୋବୃତ୍ତିଟା ଉପରେ ।

 

ସେଦିନ କୌଣସି କାରଣରୁ ବିଭୁପ୍ରସାଦର ସୁଟ୍‍କେଶ୍ ଖୋଜୁଖୋଜୁ ଦୈବାତ୍ ସେ ଚିଠିଟା ହସ୍ତଗତ ହୁଏ ଭବାନୀପ୍ରସାଦଙ୍କର ।

 

ଅଷ୍ଟମ ନବମ ଶ୍ରେଣୀ ପିଲା ବିଭୁପ୍ରସାଦର ବାକ୍ସରୁ ହଠାତ୍ ଏଭଳି ଏକ ଚୋରାମାଲ୍ ଯେ କେବେ ଆବିଷ୍କୃତ ହୋଇ ପାରିବ–ଏ ବିଷୟ ବୋଧହୁଏ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ ଭବାନୀପ୍ରସାଦ ।

 

ବିଭୁପ୍ରସାଦର ମନେ ପଡ଼େ–ତା’ର ବାପାଙ୍କର ସେଇ ଯୋଉ ରାହୁଆ ପାଟିର ପ୍ରଶ୍ନ–

 

“ବଦମାସ ! କହ ସେ ବାଳିକା ପିଲାଟା କିଏ ?” ତାଙ୍କର ସେଇ ପାଟିରେ ଜମା ହୋଇଗଲେ ହଷ୍ଟେଲ୍‍ର ପିଲା ପଞ୍ଝାଏ । ଆସିଗଲେ ସୁପରିଟେଣ୍ଡେଣ୍ଟ । ଚିଠି ଲେଖା ବନ୍ଦ ହେଲା । କିନ୍ତୁ ସବୁଠାରୁ ଦୁଃଖକର କଥା ହେଲା–ସେଇ ଘଟଣାର କିଛିଦିନ ପରେ ଯେତେବେଳେ ‘ଲୁସିର’ଚିଠି ବିଭୁପ୍ରସାଦ ଦେଖେ ଇସ୍କୁଲର ଆଉ ଏକ ପିଲା ହାତରେ । ନାନା ଆଲୋଚନା ଆଉ ସମାଲୋଚନା ଭିତରେ ଲୁସିର ଶତାବ୍ଦୀର ନଚିକେତା ସେଇ ଯୋଉ ଅପମୃତ୍ୟୁ ଘଟିଲା–ସେଇ କାରୁଣ୍ୟର ଦାଗ ସାରା ଜୀବନ ଲିଭିନାହିଁ, ଲିଭିବ ନାହିଁ ମଧ୍ୟ ବିଭୁପ୍ରସାଦର ମନରୁ ।

 

ଏବଂ, ଆଜି ଦୀର୍ଘଦିନ ପରେ–ସେଇ କାରୁଣ୍ୟର ପ୍ରତୀକ ହୋଇ ଠିଆ ହୁଏ ମୁରାଶା–ବିଭୁପ୍ରସାଦ ଆଗରେ ।

 

ହଁ ! ଏ ହଉଚି ସେଇ ମୁରାଶା–ଯାହାକୁ ଦିନେ ବଶ କରିବ ବୋଲି ଗୋଟିଏ ବଶୀକରଣ ଡେଉଁରିଆ ବ୍ୟବହାର କରିବାର ଆବଶ୍ୟକତା ଅନୁଭବ କରିଥିଲା ବିଭୁପ୍ରସାଦ !

 

ମୁରାଶାକୁ ବିଭୁପ୍ରସାଦ ଆବିଷ୍କାର କରେ ପ୍ରଥମେ ସେଇଠି–ଯେଉଁ ଗ୍ରୀକ୍‍ପାଗୋଡ଼ା ଧର୍ମୀ ପୁସ୍ତକାଗାରର ଉଚ୍ଚ, ବିଭିନ୍ନ ରଙ୍ଗଯୁକ୍ତ ରାଜକୀୟ ଝରକା ତଳେ ଥିବା କାମିନୀ ଗଛର ଆଢ଼ୁଆଳରେ ଠିଆ ହୋଇ ବିଭୁପ୍ରସାଦ ତା’ର ଜୀବନରେ ପ୍ରଥମଥର ପାଇଁ ପରିଚିତ ହୋଇଥିଲା ଏଇ ମହାନ୍ ଅନୁଷ୍ଠାନଟି ସହିତ । ଯେଉଁଠି ଆଖି ପିଛୁଳାକ ଭିତରେ ତା’ର ବାପାଙ୍କର ସେଇ କଥାଗୁଡ଼ାକ ତାକୁ ନେଇ ଯାଉଥିଲା ତା’ର ଆଶା ଆଉ ଆକାଂକ୍ଷାର ସ୍ଵର୍ଗକୁ ଆଉ ପୁଣି ଆଖି ପିଛୁଳାକ ଭିତରେ ତାକୁ ଆକତା, ଅମୁହାଁ କରି ଦେଉଥିଲା ସେଇ ଅତଳ ପାଣିତଳେ ।

 

ସେଇ ଘଟଣାର ପ୍ରାୟ ସାତବର୍ଷ ପରେ–ଯେତେବେଳେ ବିଭୁପ୍ରସାଦ ବାସ୍ତବିକ ଉଠିସାରିଥାଏ ତା’ର ଆକାଂକ୍ଷାର ସେଇ ସ୍ଵର୍ଗକୁ ଏବଂ ବିଜ୍ଞାନକୁ କରଗତ କରି ସେ ହୋଇଥାଏ ରିସର୍ଚ୍ଚ ସ୍କଲାର୍‍ସିପ୍ ପାଇଁ ପ୍ରାର୍ଥୀ–ସେତିକିବେଳେ ନୂଆହେଇ କଲେଜକୁ ଆସିଥିବା ଗୋଟିଏ ଛାତ୍ର, ଛାତ୍ରୀ ଦଳ ଭିତରେ ସେ ଆବିଷ୍କାର କରେ ଏଇ ଅନାମଧେୟ ଝିଅଟିକୁ !–ଯାହାର ନାଁ ପରେ ସେ ଶୁଣିବାକୁ ପାଇଲା ସେଇ ମୁରାଶା ବୋଲି !

 

ବର୍ଷା ଦିନର ସେଇ ବର୍ଣ୍ଣାଢ଼୍ୟ ହରଗୌରୀର ଦୁଇଟି ଧାଡ଼ି ସେଦିନ ଲମ୍ବି ଯାଇଥାଏ ଏଇ ଲାଇବ୍ରେରି ତଟରୁ ସୂର୍ଯ୍ୟସ୍ତମ୍ଭ ଦେଇ ସେଇ ପୋର୍ଟିକୋ ପର୍ଯ୍ୟନ୍ତ ଯେଉଁଠି ଫୁଟେ ମୁଚୁକୁନ୍ଦ ! ଅପର୍ଯ୍ୟାପ୍ତ ମୁଚୁକୁନ୍ଦ ! ଆଉ, ଯାହାର ପାଦଦେଶରେ ଊର୍ଦ୍ଧ୍ଵମୁଖ ହୋଇ ପଡ଼ି ରହିଥାନ୍ତି ମଧ୍ୟ ଦୁଇଟି ପୁରାତନ ଯୁଗର ତୋପ–ଯାହା ଉପରେ ବସି ମନମୋହନ ଦିନେ ଦିନେ ବର୍ଣ୍ଣନା କରେ ତା’ର ସାତପୁରୁଷ ତଳର ସେଇ କାହାଣୀ–ଯାହାର ଆରମ୍ଭ ହେଉଚି–“ସେତେବେଳେ ପଡ଼ିଥାଏ ନ’ଅଙ୍କ ! ରେଭେନ୍‍ସା ସାହେବ ଥାନ୍ତି କମିଶନର ଆଉ ମୋର ଜେଜେ.....”

 

ଝିଅଟିଏ ବାହାରିଲା ଏଇଠି, ଏଇ ଲାଇବ୍ରେରିରୁ । ହାତରେ ତା’ର ଥାଏ କୁଣ୍ଢେବହି ଆଉ ଏକ ବିରାଟ ଡିସେକ୍‍ସନ୍ ବାକ୍ସ । ସେତେବେଳକୁ କଲେଜ ପ୍ରାୟ ବନ୍ଦ ହୋଇଯାଇଥାଏ କିମ୍ଵା ଶେଷ ପିରିଅଡ଼୍ ଚାଲୁଥାଏ ବୋଧହୁଏ । କ୍ଵାଡ଼୍ରାଙ୍ଗଲ୍‍ର ରାସ୍ତା ସିଧା ଆଉ ସଫା ।

 

ମନମୋହନ, ନଟବର ଆଉ ବିଭୁପ୍ରସାଦ ଓ ମିଃ ଶେଠୀ ମଧ୍ୟ–ଏ ସମସ୍ତେ ଠିକ୍ ଗଡ଼ୁଥାନ୍ତି ଚା’ ଖାଇବାକୁ ଯିବାପାଇଁ । ସେମାନେ ସେ ପର୍ଯ୍ୟନ୍ତ ଅଦୃଶ୍ୟ ଥାନ୍ତି, ସେଇ କାମିନୀଗଛ ଆଢ଼ୁଆଳରେ ।

 

ହଠାତ୍ ବିଭୁପ୍ରସାଦ ଲକ୍ଷ୍ୟକଲା–ଝିଅଟି ଲଇଁପଡ଼ିଲା ଓ ରାସ୍ତାକଡ଼ରୁ ଫୁଲକେଣ୍ଡାଟାଏ ଉଠେଇନେଲା । ମନମୋହନ ହେରିକା ସେ ପର୍ଯ୍ୟନ୍ତ ଲକ୍ଷ୍ୟ କରି ନଥିଲେ ସେଇ ଝିଅଟିକୁ ବା ତା’ର ସେଇ ଫୁଲତୋଳାକୁ । ସେମାନେ ସେପର୍ଯ୍ୟନ୍ତ କଥା ପକେଇଥାନ୍ତି ସେଇ ଡିପାଟ୍‍ମେଣ୍ଟ ରାଜନୀତି କଥା–ଡଃ ଜେନା ଆଉ ଡଃ ଶର୍ମାଙ୍କର ବାଦବିବାଦ କଥା । ମନମୋହନ ସେତେବେଳେ ଡଃ ଜେନାଙ୍କର ସପକ୍ଷରେ ଥାଏ ଓ ନୂଆ ନୂଆ ଗବେଷଣା ଆରମ୍ଭକରି ତା’ର ସେଇ ଛିଣ୍ଡାଚପଲ ଆଉ ‘ଟେରି ଖଦଡ଼’ ପୋଷାକଟିକୁ ପିନ୍ଧିବାକୁ ଅଭ୍ୟାସ କରୁଥାଏ । ଡଃ ଶର୍ମାଙ୍କ ଛାତ୍ର ମିଃ ଶେଠୀଙ୍କୁ ଡରାଇବାକୁ ଯାଇ ସେ କହୁଥାଏ–

 

“ମୁଁ ଆଜି କହିବି ମୋ ବାପାଙ୍କୁ । ଏ ଶର୍ମା ଲୋକଟାକୁ ଗୋଟାଏ ଏଲ୍.ପି ସ୍କୁଲ୍‍ର ପ୍ରିନ୍‍ସିପାଲ କରି ପଠାଇଦିଆଯିବା ଉଚିତ । ଲୋକଟା ସମଗ୍ର ବାୟୁମଣ୍ଡଳକୁ ନଷ୍ଟକରୁଛି । ମୁଁ ଶୁଣୁଚି ଏ କଲେଜର ଫାଷ୍ଟ୍‍କ୍ଲାସ୍ ସବୁ ଏବର୍ଷ ବିକ୍ରି ହେବାକୁ ଆରମ୍ଭ ହେଇଚି । ଏ ବିଷୟ ସବୁ ସରକାରକୁ ଜଣାଇ ଦିଆଯିବା ଉଚିତ ।

 

ବିଭୁପ୍ରସାଦ ଲକ୍ଷ୍ୟକରେ–ଝିଅଟି ପୁଣିଥରେ ଏଣିକି ତେଣିକି ଚାହେଁ ଓ ତା’ର ହାତର ସେଇ ଫୁଲକେଣ୍ଡାଟାକୁ ଉଠାଇ ନେଇ ଠିକ୍ ସେଇ ଚମତ୍କାର ଖୋସାଟା ଉପରେ ଖୋସି ଦେବାପାଇଁ ଯାଉଥାଏ, ଏହି ସମୟରେ ମନମୋହନର ସେଇ ହସଟା କ୍ଵାଡ଼୍ରାଙ୍ଗଲ୍‍ର ନୀରବତାକୁ ଚମକେଇ ଦିଏ ।

 

ତା’ପରେ–

 

ଝିଅଟି ଏଥିଭିତରେ ଏଣେତେଣେ ଖସିପଡ଼ିଥିବା କଇଁଚି, ଛୁରି, କ୍ଷୁର ଆଉ ଛୁଞ୍ଚିଗୁଡ଼ିକୁ ଏକାଠିକରି ଡିସେକ୍‍ସନ୍ ବାକ୍ସ ଆଉ ବହିଥାକଟିକୁ ଯେତେଥର ଟେକିବାକୁ ଚେଷ୍ଟାକରୁଥାଏ ସେତିକିଥର ତାହା ଖସିବାକୁ ଆରମ୍ଭକରେ ତା’ ହାତରୁ । ଅବଶେଷରେ ଝିଅଟି ତା’ର ଜିନିଷପତ୍ର ଉଠେଇନେବାକୁ ସମର୍ଥ ହେଲା ଅବଶ୍ୟ । କିନ୍ତୁ ବିଭୁପ୍ରସାଦ ଯେତେବେଳେ ସେଇବାଟ ଦେଇ ଆପଣା ବନ୍ଧୁ ଗହଣରେ ଚାଲିଥିଲା ସେଇ କଫି ଦୋକାନ ଆଡ଼େ–ସେ ଠିକ୍ ଲକ୍ଷ୍ୟକରିଥାଏ ତଳେ ପଡ଼ିଥିବା ସେଇ ଫୁଲକେଣ୍ଡାଟାକୁ ।

 

ଟିକିଏ ପଛେଇଯାଏ ବିଭୁପ୍ରସାଦ ତା’ର ସାଙ୍ଗ ଗହଣରୁ ଓ ଏତିକିବେଳେ ଟେକିନିଏ ଫୁଲକେଣ୍ଡାଟାକୁ ଟୁପ୍‍କରି । ତା’ପରେ ସେଇଟିକୁ ଲୁଚେଇରଖେ ସେ ଆପଣାର ପକେଟଭିତରେ । ତା’ପରେ ସେ ଲକ୍ଷ୍ୟକରେ–ତରତର ପାହୁଣ୍ଡପକେଇ ସେଇ ଝିଅଟି କିଭଳି ଅଦୃଶ୍ୟ ହୋଇଯିବାକୁ ଚେଷ୍ଟାକରେ ସେଇ ପୋର୍ଟିକୋପାଖ ତୋପ ଦୁଇଟିର କଡ଼ପଟେ ।

 

ତା’ର କିଛି ସମୟପରେ–ସେମାନେ ଯେତେବେଳେ କଫି ପିଉଥାନ୍ତି–କଥାଟାକୁ ଆଉ ଅଧିକବେଳ ଆପଣା ଭିତରେ ଚାପିରଖିବାକୁ ଅକ୍ଷମହୋଇ ବିଭୁପ୍ରସାଦ କହିପକାଏ–

 

“ମୋର କେଡ଼େ ଇଚ୍ଛା ହଉଥାଏ ଦଉଡ଼ିଯାଇ ସେ ଝିଅଟିକୁ ଟିକିଏ ସାହାଯ୍ୟ କରିବାକୁ–ତା’ର ସେଇ ବହିବସ୍ତାନିଗୁଡ଼ାକ ଗୋଟେଇ ପକେଇବାକୁ !”

 

ନଟବର ଆଉ ମନମୋହନ ଦୁହେଁ ମୁରୁକେଇ ମୁରୁକେଇ ହସନ୍ତି ତାଙ୍କର କଫିକପ୍ ଉପରୁ ଆଉ ନଟବର କହେ–

 

“ଆହା ନୀଳକଇଁ ଆଉ କାଠଚମ୍ପା !”

 

ବିଭୁପ୍ରସାଦ ଆତ୍ମରକ୍ଷା କରିବାକୁ ଯାଇ କହେ–

 

“ତୁମେ ଦେଖିବ ! ସେଇ ହେବ ଏ ବର୍ଷର କଲେଜ କୁଇନ୍ ! ତା’ଠୁ ଭଲ ଝିଅ ତ କାହିଁ ମୋ ଆଖିରେ ପଡ଼ୁନାହାନ୍ତି !”

 

“କେତେଟା ଝିଅ ତୁ ତୋ ଜୀବନରେ ଦେଖିଚୁ....ଇଡ଼ିଅଟ୍ !” ମନମୋହନ କଥାଟାକୁ ଉଡ଼େଇଦିଏ ବାଏଁବାଏଁ–ତା’ର ସ୍ଵଭାବସୁଲଭ ଫୁତ୍କାର ଭିତରେ ।

 

ବିଭୁପ୍ରସାଦ ଉପରେ ଆକ୍ରମଣ ହେବାର ଦେଖି, ଆପଣାର କର୍ତ୍ତବ୍ୟ କରିବାକୁ ଯାଇ ମିଃ ଶେଠୀ ଟିକିଏ କୁନ୍ଥେଇ ଉଠି କହନ୍ତି–

 

“ଟିକିଏ ସାବନା । ହେଲେ ଲାବଣ୍ୟ ଅଛି ।”

 

ବିଭୁପ୍ରସାଦ କହେ–

“ତୁମେ ସବୁ କେହି ଲକ୍ଷ୍ୟ କରିନା ତା’ର ସେଇ ଯୋଉ ଗ୍ରେସ୍ !–ତୁମେ ଦେଖିଛ ତା’କୁ–ଯେତେବେଳେ ସେ ଏ ଫୁଲକେଣ୍ଡାକ ଉଠେଇନେଲା ପଡ଼ିଆରୁ ଆଉ ସେତେବେଳେ ସେ ୟାକୁ ନେଇ ଖୋସିବାକୁ ବସିଥିଲା ତା’ର ଗଭାରେ ?”

ଘଟଣାଟିର ସତ୍ୟାସତ୍ୟ ପ୍ରମାଣ କରିବାକୁ ଯାଇ ବିଭୁପ୍ରସାଦ ବାହାର କରି ଆଣେ ଆପଣା ପକେଟଭିତରୁ ସେଇ ଫୁଲକେଣ୍ଡାଟିକୁ ଆଉ ବଢ଼ାଇ ଦିଏ ମନମୋହନର ହାତକୁ ।

ତା’ପରେ–

ସେଇ ମାଦକତା–ଭରା କଫି ଟେବୁଲ୍‍ଟିର ଚତୁଃପାର୍ଶ୍ଵରେ ଥରଥର ହୋଇ ବୁଲିଆସେ–ହାତକୁ ହାତ–ସେଇ ଫୁଲକେଣ୍ଡାଟା । ସେମାନେ ତାକୁ ପରୀକ୍ଷା କରନ୍ତି, ହରେକ ମନ୍ତବ୍ୟ କରନ୍ତି ତା’ ଉପରେ ଆଉ ଶେଷରେ ନାକରେ ଛୁଆନ୍ତି ଏବଂ ସବା ଶେଷରେ ଆଙ୍ଗୁଠି ଆଗରେ ଟିକିଏ ଘୂରେଇ ଦେଇ ପୁଣି ବଢ଼େଇ ଦିଅନ୍ତି ପାଖ ଲୋକକୁ–ଠିକ୍ ଗୋଟିଏ ଗଞ୍ଜେଇ ଚିଲମ ପରି ।

ସେଇ ଘଟଣାର କିଛିଦିନ ପରେ ବିଭୁପ୍ରସାଦ ଦିନେ ଆବିଷ୍କାର କରେ ମନମୋହନ ମୁହଁରୁ ସେଇ ନାଆଁଟା–ମୁରାଶା !

ଚମକି ପଡ଼େ ବିଭୁପ୍ରସାଦ–କାହିଁକି କେଜାଣି ! ଏବଂ ତା’ର ପରେ ପରେଇ ଦିନେ ବିଭୁପ୍ରସାଦର ଆବଶ୍ୟକ ହୁଏ ସେଇ ଦୁଃସାହସିକ କାର୍ଯ୍ୟ–ଡଃ. ଭି.କେ.ଏସ୍.ଡ଼ି.ଏନ୍. ନାଇଡ଼ୁଙ୍କ ବଶୀକରଣ ଡେଉଁରିଆ ବ୍ୟବହାର !

 

ଡଃ. ଭି.କେ.ଏସ୍.ଡ଼ି.ଏନ୍. ନାଇଡ଼ୁ କଥାଟି ହେଉଛି ଏହିପରି–

 

ବିଭୁପ୍ରସାଦ ଯେତେବେଳେ ପ୍ରଥମେ ଆସି ସେଇ ଏକଣା ଘରେ ରହୁଥାଏ–ଗୁର୍ଖା ଚାଲିଯାଇଥାଏ ଓ କରତକଳ ଆଡ଼ୁ ସେଇ ଅଚାନକ ଟେକାବୃଷ୍ଟି ସବୁ ବନ୍ଦ ହୋଇ ସାରିଥାଏ ସେତେବେଳେ ଏଇ ଭି.କେ.ଏସ୍.ଡ଼ି.ଏନ୍. ନାମକ ଲୋକଟି ଆଉ ତା’ର ସ୍ତ୍ରୀ ଆସି ରାତାରାତି ଗୁଡ଼ାଏ କିରାସିନି ଟିଣ କଟାକଟି ବାଡ଼ିଆବାଡ଼ି କରି ଦୁଇଦିନ ଭିତରେ ରାସ୍ତାକଡ଼କୁ କରି କେବିନ୍‍ଟିଏ ଠିଆ କରେଇ ଦିଅନ୍ତି । ସେତେବେଳକୁ ସେ ଅବଶ୍ୟ ‘ଡଃ’ ହୋଇ ନଥାଏ ।

 

ଲୋକଟି ପ୍ରକୃତରେ ହଉଚି ରେଳବାଇର ଗୋଟିଏ ଭୂତ–ପଏଣ୍ଟସ୍ ମ୍ୟାନ୍ । ରେଳବାଇ ଆକ୍‍ସିଡ଼େଣ୍ଟରେ ଆଖିଟିଏ ହରାଇବା ପରେ ବିଚରା ଚାକିରିରୁ ବାହାରି ଆସେ ଓ ପ୍ରଥମେ ଏଇ ନିରୋଳା, ନିକାଞ୍ଚନ ଜାଗାଦେଖି କୁଡ଼ିଆଟିଏ ଜମାଏ । ସ୍ୱାମୀଟିଏ, ସ୍ତ୍ରୀଟିଏ ଖୁପୁରୁଖାପୁରୁ କ’ଣ ଯେ ସେ ଘରର ଚାରିପାଖେ କରୁଥାନ୍ତି ! ବିଭୁପ୍ରସାଦ ସେମାନଙ୍କ ନାଁ ଦେଇଥାଏ–ଗୁଣ୍ଡୁଚି ଆଉ ଘରଚଟିଆ !

 

ଦିନେ କ’ଣ ହେଲା–ବିଭୁପ୍ରସାଦ ଦେଖେତ ଦଶପନ୍ଦରଟି ରିକ୍ସା ଆସି ଜମି ଯାଇଚି ସେ କୁଡ଼ିଆଟିର ଚାରିପାଖେ ଏବଂ ସେଦିନ ବିଭୁପ୍ରସାଦ ଦେଖିଲା ଦେଇ କୁଡ଼ିଆ ପାଖରେ ଥିବା ଏକ କରଞ୍ଜଗଛର ବିରାଟ ଗଣ୍ଡି ଉପରେ ଟିଣ ଖଣ୍ଡିଏ ମରା ହେଇଚି ଓ ସେଥିରେ ଲେଖା ହୋଇଚି ଇଂରାଜୀରେ ଓ ତା’ ତଳକୁ ତେଲୁଗୁ ଅକ୍ଷରରେ ବୋଧହୁଏ–ସେଇ ନାଁଟା–

 

“ଡଃ ଭି.କେ.ଏସ୍.ଡ଼ି.ଏନ୍. ନାଇଡ଼ୁ”

 

କିନ୍ତୁ ଏସବୁ ବାଦ୍ ବିଭୁପ୍ରସାଦ ଆହୁରି ଲକ୍ଷ୍ୟକଲା–ସେଇ କରଞ୍ଜିଗଛର ଆଉ ଠାଆକେ ମରା ହେଇଚି ଆଉ ଖଣ୍ଡିଏ ଟିଣ ପାତ । ବିଭୁପ୍ରସାଦ ସେଇଟିକୁ ପଢ଼ିପାରିଲା ନାହିଁ । କିନ୍ତୁ ପରେ ସେ ସେଇଟିକୁ ବୁଝିଲା । ସେଇଟା ଥିଲା ଏଇ ମର୍ମରେ ଲେଖା–

 

“ଭାଇ ଓ ଭଉଣୀମାନେ ! ଦେଶ ଓ ଜାତିପାଇଁ ରକ୍ତଦାନ କରନ୍ତୁ”

 

ସେପର୍ଯ୍ୟନ୍ତ ବିଭୁପ୍ରସାଦର ଧାରଣା ଥିଲା ସେଇଟି ବୋଧହୁଏ କୌଣସି ସରକାରୀ ବିଜ୍ଞାପନ । କାରଣ ସେତେବେଳେ ଦେଶସାରା ରକ୍ତଦାନ ଆନ୍ଦୋଳନ ଖୁବ୍ ଜୋର୍‍ସୋର୍‍ରେ ଚାଲିଥାଏ ! ନୂଆ, ନୂଆ, ବଡ଼ବଡ଼ ବ୍ଲଡ଼ବ୍ୟାଙ୍କ ସବୁ ଖୋଲୁଥାଏ । ଲୋକମାନେ ବିଶେଷକରି ରିକ୍ସାବାଲାମାନେ ବହୁସଂଖ୍ୟାରେ ଭିଡ଼ ଜମୋଉଥାନ୍ତି ରକ୍ତ ବିକିବାପାଇଁ ।

 

ସହରର ରିକ୍ସାବାଲାମାନଙ୍କୁ ଏକ ଶାନ୍ତ, ଶିଷ୍ଟ, ସଂଘବଦ୍ଧ ଉପାୟରେ ଏକଜୁଟ କରି, ସେମାନଙ୍କର ସ୍ୱାସ୍ଥ୍ୟପ୍ରତି ଲକ୍ଷ୍ୟରଖି, ଗୋଟିଏ ନିର୍ଦ୍ଦିଷ୍ଟ ପାଳିରେ ସେମାନଙ୍କୁ ବ୍ଲଡ଼ ବ୍ୟାଙ୍କରେ ହାବୁଡ଼େଇବା ଯେ ଏକ ଲାଭଦାୟକ ଏଜେନ୍‍ସି ସେ ବିଷୟ ଖୁବ୍ କମ୍ ଲୋକଙ୍କ ମୁଣ୍ଡକୁ ଜୁଟିଥାଏ ସେତେବେଳେ । ତା’ ଛଡ଼ା, ରିକ୍ସାବାଲାମାନଙ୍କର ପ୍ରଧାନ ରୋଗ ସେଇ ଯାଦୁ ଆଉ ପେଟମରା–ୟାର ଶସ୍ତା ସୁବିଧା ଔଷଧବି ସେଇ ଏଜେନ୍‍ସି ଜରିଆରେ ଭଲ ବିକ୍ରି ହେଇପାରିବ ଏ ବିଷୟ ମଧ୍ୟ ଖୁବ୍ କମ୍ ଲୋକଙ୍କ ମୁଣ୍ଡରେ ପଶିଥିଲା ସେତେବେଳେ ।

 

ସନ୍ଧ୍ୟାବେଳକୁ ରୋଗୀମାନଙ୍କର ଏକ ବ୍ୟାଟାଲିଅନ୍ ଆସି ହାଜର ହୁଅନ୍ତି ସେଇ “ଗୁଣ୍ଡୁଚି ଆଉ ଘରଚଟିଆ” ଦୁଇଟିଙ୍କ ଚାରିପାଖେ । ଗୋଟିଏ ରାତିରେ ଡଃ ନାଇଡ଼ୁ ପରିଣତ ହୁଅନ୍ତି–ଆଫ୍ରିକାର ଜଙ୍ଗଲ ଡାକ୍ତର ନୋବେଲ୍ ପ୍ରାଇଜ୍ ପ୍ରାପ୍ତ ଆଲବର୍ଟ ସ୍ୱେଜର୍‍ଙ୍କର ଖ୍ୟାତିରେ !

 

ଏହିପରି ବିତିଯାଏ ଗୋଟାଏ ବର୍ଷ ।

ଦିନେ ଡଃ ନାଇଡ଼ୁ ହଠାତ୍ ଆସି ପହଞ୍ଚନ୍ତି ବିଭୁପ୍ରସାଦର ବସାରେ । ସେଇ ଦିନ ପ୍ରଥମ କରି ଲୋକଟି ସହିତ କଥାବାର୍ତ୍ତା କରିବାର ସୁଯୋଗ ପାଏ ବିଭୁପ୍ରସାଦ ।

ଲୋକଟିର ରେଳ ଆକ୍‍ସିଡ଼େଣ୍ଟରୁ ବଞ୍ଚି ଯାଇଥିବା ସେଇ ଆଖିଟିକୁ ଚାହିଁ ବିଭୁପ୍ରସାଦ ଦେଖିଲା–ଏକ ବିରାଟ ଜୀବନୀ ଶକ୍ତି କାମ କରୁଚି ସେଠି, ତା’ରି ଭିତରେ । ସେଇ ଆଖିଟା ବାଧ୍ୟ କଲା ତାକୁ–ଶୁଣିବାକୁ ସେଇ ଲୋକଟା କଥା ।

“ଦୟାକରି ଏ ବାକ୍ସଟିକୁ ଟିକିଏ ଆପଣଙ୍କ ବସାରେ ଜେଗା ଦେବେକି ?” ଲୋକଟି ଅନୁରୋଧକଲା ବିଭୁପ୍ରସାଦକୁ ।

ବିନା ବାକ୍ୟବ୍ୟୟରେ ବିଭୁପ୍ରସାଦ ଲୋକଟିର ଛୋଟ ସୁଟ୍‍କେଶ୍‍ଟିକୁ ରଖିନେଲା ।

ଲୋକଟି ଚାଲିଗଲା । ରାତିଅଧବେଳକୁ କ’ଣ ସବୁ ଖସ୍‍ଖାସ୍ ଶବ୍ଦ ଶୁଣି ବିଭୁପ୍ରସାଦ ଦେଖେତ ଡଃ ନାଇଡ଼ୁଙ୍କ ଘର ଖାନ୍‍ତଲାସ୍ ଚାଲିଛି । ବନ୍ଧୁକଧାରୀ ପୁଲିସ କେଇଜଣ ଘରଟାକୁ ଘେରିଯାଇଛନ୍ତି ।

ସକାଳକୁ ପୁଲିସମାନେ ଚାଲିଯାଆନ୍ତି । ଦିନକ ପରେ ଡଃ ନାଇଡ଼ୁ ବିଭୁପ୍ରସାଦର ବସାକୁ ଆସିଲେ । ସବୁଦିନଭଳି ବେଶ୍ ଚୁପ୍‍ଚାପ୍ ଆଉ ଧୀରସ୍ଥିର ଦେଖାଯାଉଥାଏ ଲୋକଟି ! ଅବିକଳ ଗୁଣ୍ଡୁଚି ମୂଷାଟିଏ !

ଲୋକଟି ବିଭୁପ୍ରସାଦଠୁଁ ବାକ୍ସଟି ଫେରେଇନେଇ କହିଲା–

“ବିପଦବେଳେ ଆପଣ ମୋତେ ସାହାଯ୍ୟ କରିଚନ୍ତି । କୁହନ୍ତୁ–ମୁଁ କ’ଣ କରିପାରେ ଆପଣଙ୍କର ?”

ବିଭୁପ୍ରସାଦ କିଛି ଉତ୍ତର ଦେଇପାରିଲା ନାହିଁ ।

ଲୋକଟି ଟୋକାଟାର ସେଇ ଶୁଖିଲା ମୁହଁକୁ କିଛିସମୟ ପାଇଁ ନିରେଖିକରି ସାମାନ୍ୟ ମୁରୁକେଇ ହସି କହିଲା–

“ମୁଁ ଓ ମୋର ସ୍ତ୍ରୀ ଗତ କେଇଦିନହବ ଆପଣଙ୍କୁ ଲକ୍ଷ୍ୟରଖିଚୁ । କାହିଁ ଆପଣ ଟିକିଏ ହେଲେ ହସିବାର ତ ଆମେ ଦେଖିନୁ–ମୋର ସ୍ତ୍ରୀ କହୁଥିଲା ।”

ବିଭୁପ୍ରସାଦ ଟିକିଏ ଅସୁସ୍ଥ ବୋଧକଲା ଲୋକଟିର ସେଇ ମନ୍ତବ୍ୟରେ ।

“ଆପଣ କ’ଣ ଚିନ୍ତା କରୁଚନ୍ତି ଏତେ ?” ଲୋକଟି ପୁଣି ସେଇଭଳି ଆକ୍ଷେପ କଲାପରି କହିଲା–‘‘ଉ–ମ୍ୟାନ୍ ? ସ୍ତ୍ରୀଲୋକଟିଏ ଚାହାନ୍ତି ନାହିଁ ଆପଣ...ଆପଣଙ୍କର ଏଇ ଏକୁଟିଆ ବସାଖଣ୍ଡକରେ ଟିକିଏ......ମାନେ, ଏଇ ଟିକିଏ...... !”

ତା’ପରେ–ଲୋକଟି ବିଭୁପ୍ରସାଦର ପାଖାପାଖି ଲାଗିଆସି ତା’ କାନରେ କହିଲାଭଳି କହିଲା–

 

“ଦେଖନ୍ତୁ ! ଆପଣ ଯେତେବେଳେ ମୋର ଉପକାର କରିଚନ୍ତି, ସେତେବେଳେ ମୁଁ ନିଶ୍ଚୟ ଆପଣଙ୍କର ଉପକାର କରିବି ।”

 

ଲୋକଟି ଠିଆ ହୋଇଥାଏ–ଦୁଆରମୁହଁକୁ ଘେରି । ବିଭୁପ୍ରସାଦ ଲକ୍ଷ୍ୟକଲା ବାହାରର ଦୁର୍ଗମ ଅନ୍ଧକାରକୁ ।

 

“ଦେଖନ୍ତୁ ! ଆପଣ ଜଣେ ବିଶ୍ଵସ୍ତ ଲୋକ । ଏ ବାକ୍ସଭିତରେ ଯୋଉ ଲକ୍ଷେଟଙ୍କାର ସମ୍ପତ୍ତି ଅଛି, ଆପଣ ସେଥିରେ ହାତ ଦେଇନାହାନ୍ତି ମୁଁ ଜାଣିପାରୁଚି ଏଇ ସିଲ୍‍ରୁ । ଏଇଭଳି ବିଶ୍ଵସ୍ତ ଲୋକକୁହିଁ ଇଲମ୍ ଦବାର ହୁକୁମ ଅଛି ଆମକୁ । ଏଇ ନିଅନ୍ତୁ ଏ ଡେଉଁରିଆଟି–ୟାକୁ ଯାହା ଆଦେଶ ଦେବେ ୟେ ତା’ ପାଳନ କରିବ । ଆସାମର କାମାକ୍ଷା ଠାକୁରାଣୀଙ୍କ ହୁକୁମ ଏ ଆଜ୍ଞା ! ୟାକୁ ଅବିଶ୍ୱାସ କରିବେ ନାହିଁ ।”

 

ଲୋକଟି ଅନ୍ତର୍ଦ୍ଧାନ ହେଇଗଲା ରାତାରାତି–ସେଇ ବାକ୍ସଟି ସହ । ବିଭୁପ୍ରସାଦର ଦିହ ତଥାପି ଥରୁଥାଏ । ରାତି ପାହି ସକାଳ ହୁଏ । ଡେଉଁରିଆଟି ସେମିତି ଥୁଆହୋଇଥାଏ ଟେବୁଲ୍ ଉପରେ, ଯୋଉଠି ତାକୁ ରଖିଦେଇଯାଇଥିଲା ଲୋକଟି ।

 

ଏବଂ, ଏଇ ହଉଚି ସେଇ ଡେଉଁରିଆ ଯାହାକୁ ଦିନେ ବାହୁରେ ବାନ୍ଧି ବିଭୁପ୍ରସାଦ ସତକୁସତ ଦିନେ ବାହାରିଥିଲା–ତା’ର ଦ୍ରବ୍ୟଗୁଣ ପରୀକ୍ଷା କରିବାପାଇଁ–ସେଇ ମୁରାଶା ବୋଲି ଝିଅଟି ଉପରେ ।

 

କିନ୍ତୁ ହାୟ !

 

ସେ ହଉଚି ପ୍ରକୃତରେ ବିଭୁପ୍ରସାଦ–ଯାହାପାଇଁ ଉଦ୍ଦିଷ୍ଟ ଥିଲା ସେଇ ଡେଉଁରିଆଟି । ବଶୀକରଣ ଡେଉଁରିଆଟିକୁ ହାତରେ ବାନ୍ଧି, ସେଦିନ ଯେତେବେଳେ ଜୀବନର ପ୍ରଥମଥରପାଇଁ ଏକ ଝିଅର ପିଛାକଲା ବିଭୁପ୍ରସାଦ ସେତେବେଳେ ତା’ର ମନହେଲା ସତେ ଯେପରି କୌଣସି ବାହ୍ୟ ଶକ୍ତି ତା’ର ସ୍ୱରଯନ୍ତ୍ରଟିକୁ ହଠାତ୍ ଅକାମୀ କରିଦେଲା । ସତେ ଯେପରି ସେ ହରାଇ ଦେଇଛି କେତେବେଳେ–ତା’ ନିଜକୁ ! କିଏ ଯେପରି ହଠାତ୍ ଚିପି ଧରିଲା ତା’ର ଗଳାକୁ–ଏକ ଲୌହମୁଷ୍ଟି ଭିତରେ ! ହାୟ !

 

ସେଦିନ ମୁରାଶାକୁ ମନମୋହନର କବଳରୁ କୌଣସିମତେ ଛଡ଼ାଇଆଣି ପାରେନା ବିଭୁପ୍ରସାଦ । ଶେଷରେ, ସେଇଦିନ ସନ୍ଧ୍ୟାବେଳେ ଡେଉଁରିଆଟିକୁ ମହାନଦୀରେ ବିସର୍ଜନ ଦେଇଆସେ ବିଭୁପ୍ରସାଦ–ଯେଉଁଠି ଦିନେ ନଟବର ବିସର୍ଜନ ଦେଇଥିଲା ତା’ ବାପାଙ୍କର ମୁଣ୍ଡର ଟୋପିକୁ ! ସେଇ ଓଟରୁମର ଟୋପିଟିକୁ !

 

ବର୍ତ୍ତମାନ ସେ କୁଡ଼ିଆ ଘରଟି ସେଠୁ କୁଆଡ଼େ ଗଲାଣି । ତା’ ସ୍ଥାନରେ ଠିଆ ହେଲାଣି ଆଜି ଗୋଟିଏ କଣ୍ଟ୍ରାକ୍ଟର ଦୋମହଲା କୋଠା । କୋଠା ବାରନ୍ଦାର ଛାତରୁ ଝୁଲୁଚି ବର୍ତ୍ତମାନ ପଞ୍ଜୁରୀଟିଏ । ଗୋଟିଏ ବୁଢ଼ା ସାରୀ ସେଇଠୁ ବେଳେବେଳେ ଡାକି ଉଠେ–‘‘ରାଧା ! ରାଧା !” ଦିନେ ପ୍ରୌଢ଼ କଣ୍ଟ୍ରାକ୍ଟର ଲୋକଟି ସେଇ କୋଠାକଡ଼ର ସହକାରକୁ ଅନେଇ ବିହ୍ଵଳହୋଇ ଠିଆ ହେଲାପରି ଠିଆହୁଏ ।

 

ଦିନେ ଦିନେ ସେଇ ପଞ୍ଜୁରୀ ଆଉ ପ୍ରୌଢ଼ କଣ୍ଟ୍ରାକ୍ଟରଟିକୁ ସେଇଭଳି ଅବସ୍ଥାରେ ଦେଖିଦେଇ ଚମକି ଉଠେ ବିଭୁପ୍ରସାଦ । ତା’ର ମନେହୁଏ ସତେଯେପରି ସେଇ ଡଃ. ଭି.କେ.ଏସ୍.ଡ଼ି.ଏନ୍. ନାଇଡ଼ୁ ଲୋକଟି ସେଠି ଠିଆ ହୋଇଚି ବିଭୁପ୍ରସାଦକୁ ଅନେଇ ! ଆଉ ସେଇ ପଞ୍ଜୁରୀଟି ହଉଚି ବାସ୍ତବିକ ସେଇ ଡେଉଁରିଆଟି ଯାହାକୁ ଭୟରେ ନଈରେ ଫୋପାଡ଼ିଦେଇ ଆସିଥିଲା ସେଦିନ ବିଭୁପ୍ରସାଦ ।

 

ନଅ

 

“ମଳମୂତ୍ର ପରୀକ୍ଷା ଗବେଷଣାଗାର”ର ସାଇନ୍‍ବୋର୍ଡ଼ଟା ଆସି ଲଗାଯାଇ ସାରିଥାଏ, ବିଭୁପ୍ରସାଦର ‘ନୀରବ ନିଳୟ’ ସାଇନ୍‍ବୋର୍ଡ଼ର ତଳକୁ–ଏଥିମଧ୍ୟରେ । ବିଭୁପ୍ରସାଦର ନାହିଁ ନାହିଁ, ନଟବରର ହୋଇ ହୋଇ । ଶେଷକୁ ସାଇନ୍‍ବୋର୍ଡ଼ ଲାଗିଲା । ଏକ ବିରାଟ କଳା ବୋର୍ଡ଼ ଆଉ ତା’ ଉପରେ ଢେବା ଢେବା ଅକ୍ଷରରେ ଲେଖା ବିଜ୍ଞାପନଟା ବେଶ୍ ଦୂରକୁ ଝଟକୁଥାଏ ।

 

ତେବେ, ବିଭୁପ୍ରସାଦର ଏକମାତ୍ର ଆଶ୍ଵାସନା ଥାଏ । ତାହା ହେଉଛି ବୋର୍ଡ଼ ଲଟକା ସରିଲେ ମଧ୍ୟ ସେଥିରେ କିଛି କାମ ଆରମ୍ଭ କରି ନଥାଏ ସେପର୍ଯ୍ୟନ୍ତ ନଟବର ! ସେ ସେତେବେଳେ ବ୍ୟସ୍ତଥାଏ ଟ୍ରେନିଙ୍ଗ୍ ନେବାରେ । ମେଡ଼ିକାଲରେ ତା’ର କୌଣସି ଡାକ୍ତର ବନ୍ଧୁଠାରୁ ସେ ନେଉଥାଏ ଟ୍ରେନିଙ୍ଗ୍ । କଲେଜକୁ ଯିବା ସେତେବେଳକୁ ତା’ର ପ୍ରାୟ ବନ୍ଦ ହୋଇ ସାରିଥାଏ । ବର୍ତ୍ତମାନ ତା’ର ସେଇ ଏକ ଝୁଙ୍କ୍ ଉପରେ ସବୁତକ ନଜର ସେ ଢାଳିଥାଏ । ସେ ବ୍ୟବସାୟ କରିବ । ମଳମୂତ୍ର ପରୀକ୍ଷା ମାଧ୍ୟମରେ ଦେଶ ସେବାଠାରୁ ସେ ଆରମ୍ଭ କରିବ ତା’ର ସେଇ ଭବିଷ୍ୟତ ପରିକଳ୍ପନାଟିକୁ ।

 

ବହୁଦିନ ପରେ, ବହୁପୂର୍ବରୁ ଦାଖଲ ହୋଇଥିବା ବିଭୁପ୍ରସାଦର ଗୋଟିଏ ପେପର୍ ପ୍ରକାଶିତ ହୋଇଥାଏ ଏଥିମଧ୍ୟରେ–ବେଶ୍ ଏକ ନାମଜାଦା ପତ୍ରିକାରେ । କୌଣସି ବିଦେଶୀ ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକ ବିଭୁପ୍ରସାଦର ସେଇ ପେପର୍‍ଟିକୁ ବେଶ୍ ପ୍ରଶଂସା କରି ଚିଠିଟିଏ ଲେଖିଥାନ୍ତି ଏବଂ ପେପର୍‍ଟିର ଆଉ ଏକ ନକଲ ମଗାଇଥାନ୍ତି । ଚିଠିଟି ଆସିଥାଏ ଅଧ୍ୟାପକ ଡଃ ଜେନାଙ୍କର ଜରିଆରେ ।

 

ଅଧ୍ୟାପକ ଜେନା ସେଦିନ ବିଭୁପ୍ରସାଦକୁ ଡାକି ଚିଠିଟିକୁ ତା’ ହାତରେ ଦେଲେ ଓ ଚିଠିଟିର ଠିକଣା ଆଡ଼କୁ ତା’ର ଦୃଷ୍ଟି ଆକର୍ଷଣ କରି ସେ କହିଲେ–“ଦେଖୁଛ ? ତୁମ ନାଁ ପୂର୍ବରୁ ଡକ୍ଟର ଶବ୍ଦଟି ସେମାନେ ବେଶ୍ ଆଗକୁ ଲଗେଇଦେଲେଣି । କ’ଣ କହୁଚ ? ଏଥର ମନଖୁସିତ-?”

 

ବିଭୁପ୍ରସାଦ ଡଃ ଜେନାଙ୍କର ଆଖିକୁ ଟିକିଏ ଚାହିଁଲା । ଗଭୀର ଆତ୍ମତୃପ୍ତିର ସହିତ ସେ ହସିଦେଲା ଗୋଟାଏ ହସ । ତା’ର ପରମୁହୂର୍ତ୍ତରେ ମଧ୍ୟ ସେ ନିଜକୁ ସଂଯତ କରିନେଲା । କାହିଁକି କେଜାଣି ତା’ର ଆଖି ଟିକିଏ ଛଳଛଳବି ହେଇଗଲା ।

 

ତା’ପରେ ପଡ଼ିଲା ଅନେକ କଥା । ନଟବର କଥା, ମନମୋହନ କଥା, ରିସର୍ଚ୍ଚ କଥା ।

 

ଗତ କିଛିଦିନ ହବ ମନମୋହନବି ଆସୁ ନଥାଏ ଲାବୋରେଟୋରୀକୁ । ଡଃ ଜେନା ଜାଣିଥାନ୍ତି ଯେ ସେ ସେତେବେଳେ ଚେଷ୍ଟା କରୁଥାଏ ଜର୍ମାନୀ ଯିବାପାଇଁ । ସେଇ କାମନେଇ ସେ ଦଉଡ଼ାଦଉଡ଼ି କରୁଥାଏ–କଲିକତା ବୋଧହୁଏ ଏଥିମଧ୍ୟରେ ।

 

ସେଇ ବିଦେଶୀ ବିଶ୍ଵବିଦ୍ୟାଳୟ ବିଷୟରେ ଆଲୋଚନା କରୁ କରୁ ପଡ଼ିଯାଏ ଅନେକ କଥା । ଡଃ ଜେନା ମନେ ପକାନ୍ତି ତାଙ୍କର ଅନେକ ଅଭିଜ୍ଞତା ଆଉ କହନ୍ତି କିପରି ତେଣେ ବିଦେଶରେ ଗବେଷଣା ଚାଲେ । ସେଠାକାର ଗବେଷଣାଗାର ଗବେଷକ ଶିକ୍ଷା, ଅଧ୍ୟାପକ, ଶିକ୍ଷାର ମାନମହତ, ସମାଜରେ ଶିକ୍ଷକର ସ୍ଥାନ ଇତ୍ୟାଦି ଇତ୍ୟାଦି ଅନେକ କଥା । ଏବଂ ସେଥିମଧ୍ୟରେ ପଡ଼େ ମଧ୍ୟ–କିପରି ପୂର୍ବେ ସାହେବମାନେ ଆମର ଭାଷାକୁ ‘ନେଟିଭ୍’ବୋଲି କହି ହେୟ ଦୃଷ୍ଟିରେ ଦେଖୁଥିଲେ । ସେହିପରି ମଧ୍ୟ ଆମର ଲାବୋରେଟୋରୀରୁ ବାହାରୁଥିବା ପିଏଚ.ଡ଼ି.ଗୁଡ଼ିକ କିପରି ଆଜି ପର୍ଯ୍ୟନ୍ତ ସେଇ ‘ନେଟିଭ୍’ ଦୃଷ୍ଟିରୁଇ ବିଚାର କରାଯାଉଛି ଇତ୍ୟାଦି ।

 

ତା’ପରେ ଡଃ ଜେନା, ବିଭୁପ୍ରସାଦକୁ ପୁଣିଥରେ ଉତ୍ସାହିତ କରି କହନ୍ତି–“କିନ୍ତୁ ବର୍ତ୍ତମାନ ଦେଖୁଚତ ? କିପରି ବିଦେଶୀ ବିଶ୍ଵବିଦ୍ୟାଳୟର ଅଧ୍ୟାପକମାନେ ବର୍ତ୍ତମାନ ଆମର ଏଇ ‘ନେଟିଭ୍’ ପେପର୍‍ଗୁଡ଼ିକୁ ପ୍ରଶଂସା କରିବାକୁ ଆରମ୍ଭ କରିଚନ୍ତି ? ରଖ ! ରଖ ! ଏଇହିଁ ତୁମର ସାର୍ଟିଫିକେଟ୍-। ଏହାହିଁ ତୁମର ଗୌରବ ।”

 

‘ନା ସାର୍ !’ ବିଭୁପ୍ରସାଦ ଖୁବ୍ ନମ୍ରସ୍ଵରରେ କୃତଜ୍ଞତା ଜ୍ଞାପନ କରେ, “ଏ ହଉଚି ବାସ୍ତବିକ ଆପଣଙ୍କର ଗୌରବ ଏବଂ ମୋ ଦେଶର ଗୌରବ । ମୋର ନୁହେଁ !”

 

ତା’ପରେ ପଡ଼େ ନଟବର କଥା । ଅଧ୍ୟାପକ ଜେନା ଦୁଃଖିତ ହୁଅନ୍ତି ଆଉ କହନ୍ତି–

 

“ଟୋକାଟା ନଷ୍ଟ ହୋଇଗଲା । ଏକ ତୀବ୍ର, ବିଚକ୍ଷଣ ଛାତ୍ର । ମୋର ଧାରଣାଥିଲା... I ଛାଡ଼ ! ମୁଁ ଜାଣେ କିନ୍ତୁ । ସେଭଳି ବିଚକ୍ଷଣ ଛାତ୍ରକୁ ଏ ଦେଶ ଅନୁମତି ଦେବନାହିଁ ବିଜ୍ଞାନରେ ମନୋନିବେଶ କରିବାକୁ । ସେମାନେ ସବୁବେଳେ ତାକୁ ଟାଣିବେ ସେଇ ରାଜନୀତି ଆଡ଼କୁ ।”

 

ଅଧ୍ୟାପକ ଜେନା, ନଟବର ସେଇ ଫଳଦୋକାନ ସାମ୍ନାର ଦୁର୍ଘଟଣା କଥା ଏଥିମଧ୍ୟରେ ଶୁଣିସାରିଥାନ୍ତି । ସେଇ ଘଟଣାକୁ ଉପଲକ୍ଷ୍ୟକରି ସେ କହନ୍ତି–“ତମେ ଦେଖିବ ! ଦିନେ ସେ ଯଦି କମ୍ୟୁନିଷ୍ଟ ନହେଇଚି ! ସେ ଯୋଉବାଟରେ ଚାଲିଚି !”

 

ବିଭୁପ୍ରସାଦ ଟିକିଏ ଗୁମ୍‍ମାରିଯାଏ । ତା’ପରେକ’ଣ ଭାବି ସେ କହେ–“କମ୍ୟୁନିଷ୍ଟ ନୁହ ସାର୍ ! ହେଲେ ହବ ଜଣେ ପକ୍କା ନାଜି (Nazi) ! କ୍ୟୁମାନଙ୍କ ଶୋଷଣରୁ ଯେଉଁ ପରି ଜନ୍ମହେଇଥିଲା–ହିଟ୍‍ଲର୍ !”

 

କଥାଟାକୁ ଅନ୍ୟ ଆଡ଼କୁ ବାଗେଇ ନିଅନ୍ତି ଡଃ ଜେନା । ତା’ପରେ ସେ ଉଠନ୍ତି, ଆଉ ଗଲା ପୂର୍ବରୁ କହି ଯାଆନ୍ତି–

 

“ମୁଁ ଲକ୍ଷ୍ୟ କରୁଚି–ତୁମର ତୃତୀୟ ପର୍ଯ୍ୟାୟର ଗବେଷଣା ପାଇଁ ଆଉ ଥୋଡ଼ାଏ ଚାକୁଣ୍ଡା ତେଲ ପ୍ରସ୍ତୁତ କରିବା ଉଚିତ । ଆଜିକ ତୁମେ ସେଇଆ କର । ସାନି ତେଲ କିଛି ପ୍ରସ୍ତୁତ କର ।”

 

ଟିକିଏ ପରେ କଲେଜର ଚା’ କ୍ଲବ୍ ଆଡ଼େ ଯାଏଁ ବିଭୁପ୍ରସାଦ । ପ୍ରଥମେ ଆସେ ହରିଶ୍ ବୁଢ଼ା । କପେ ଚା’ ଆଗରେ ଥୋଇଦେଇ, ବିଭୁପ୍ରସାଦପିଠିରେ ହାତ ବୁଲେଇ ଆଣି ସେ କହେ–

 

“ସାବାସ୍ ! ସାବାସ୍ ! ବଢ଼ିଆ ପେପର୍‍ଟାଏ କୁଆଡ଼େ ବାହାର କରିଚ ତ !–ଆଉ କିଛି ଚିନି ଦେବି ?”

 

ହରିଶ୍‍ର ପାଚିଲା ନିଶ ହଳକୁ ଆଉ ତା’ର ସେଇ ପାଚିଲା ବୋଇତିକଖାରୁଆ ମୁହଁଟାକୁ ଚାହୁଁଚାହୁଁ ବୁଢ଼ାଟା ପ୍ରତି ବେଶ୍ ଟିକିଏ ଦରଦୀ ହୋଇ ଉଠେ ।

 

କଥାଟା ଅବଶ୍ୟ ପ୍ରଥମେ ବୁଢ଼ା ଆଡ଼ୁ ପଡ଼େ । ବୁଢ଼ା କହେ–

 

“ହଇଓ ବାବୁ ! ତମେ ସବୁ ଥାଉଁଥାଉଁ ଟୋକାଟା ଏମିତି ଏମିତି ହେଇ ନଷ୍ଟ ହେଇଯିବ-?”

 

“କୋଉ ଟୋକା ?” ଆଶ୍ଚର୍ଯ୍ୟ ହୋଇ ପଚାରେ ବିଭୁପ୍ରସାଦ ।

 

“ଆରେ ସେ ନଟବର ଟୋକାଟା ବା ! ଏଡ଼େ ବଢ଼ିଆ ଟୋକାଟା ! କି ତମତମ ଠାଣି–ତରଙ୍ଗ ତରଙ୍ଗ ଚାହାଣି ! ମୋର ପା’ ମନେ ଅଛି–ଦିନେ କ’ଣ କଥାରୁ କହୁଥାଏ ସେ–ଆରେ ରୁହହୋ ରୁହ ! ମୁଁ ଯଦି ନ ପାଇଚି ନୋବେଲ୍ ପ୍ରାଇଜ୍ ! କି କଥା ! କି ଚେହେରା ! ଟୋକାଟା ବିଗିଡ଼ି ଗଲା–ତମେ ସାଙ୍ଗମାନେ ତା’ପେଇଁ କିଛି ଟିକିଏ କଲ ନାଇଁ ?”

 

ବିଭୁପ୍ରସାଦ ଚା’ ପିଇବାରେ ମନ ଦିଏ ଆଉ ଭାବେ–ହରିଶ୍‍ର ଝିଅଟିଏ ଏ ବର୍ଷ ପାସ୍ କରିବ ପ୍ରିୟୁନିଭର୍‍ସିଟି । ନାଁଟି ତା’ର ମାଳତୀ । କିନ୍ତୁ ରାସାୟନ ବିଭାଗର ପିଅନ ବୁଢ଼ା ହରିଶ୍‍ର ମଧ୍ୟ କିଛି କମ୍ ରସବୋଧ ନାହିଁ–ଠିକ୍ ତା’ ବାପା ଭବାନୀପ୍ରସାଦଙ୍କ ପରି ! ଗୋଟିଏ ବିଲାତିଆଳୁକୁ ଦେଖି ସେ ଯେପରି ଦେଖି ପାରନ୍ତି ଆଣ୍ଡିକ୍ ପର୍ବତର ପାଦଦେଶକୁ–ସେଇପରି ହରିଶ୍‍ ବୁଢ଼ା ତା’ର ସେଇ ତନୁପାତେଳୀ ମୁରୁକୁଟିଆ ଝିଅଟିକୁ ଚାହିଁଦେଇ ମଧ୍ୟ ଅନୁଭବ କରିନିଏ ସେଇ ସାର୍ ରାମ୍‍ସେଙ୍କର କବିତାର ଉତ୍ସଟିକୁ ! ଝିଅଟିର ଡାକ ନାଁ ଦେଇଥାଏ ହରିଶ୍–ହିଲି ! ହିଲିୟମ୍ ନାମକ ବାୟୁମଣ୍ଡଳରେ ଥିବା କାଣିଚାଏ ପ୍ରମାଣର ହାଲୁକା ହେଇ ଗ୍ୟାସ୍ ଟିକିଏର ନିର୍ଯ୍ୟାସ ଭଳି ସେଇ ଡାକ ନାଁଟି ହିଲି । ସାର୍ ରାମ୍‍ସେ ଯୋଉଦିନ ଏହି ଅଦୃଶ୍ୟ ବାୟୁମଣ୍ଡଳର ଅଦୃଶ୍ୟତମ ଗ୍ୟାସ୍‍ଟିକର ସତ୍ତାକୁ ପ୍ରଥମେ ଅନୁଭବ କରିଥିବେ–ସେଦିନ ସେ ନିଶ୍ଚୟ ଏଇଭଳି ଆଦରରେ ଡାକିଥିବେ ସେଇ ଗ୍ୟାସ୍‍ଟିକକୁ–ହିଲି !

ଏହି ସମୟରେ ଚା’ କ୍ଲବ୍‍ର ଅନ୍ତରାଳରେ କ’ଣ ଟିକିଏ ଉଚ୍ଚବାଚ ଶୁଣାଯାଏ । ବିଭୁପ୍ରସାଦ କାନ ଡେରେ । ସେ ଭାବିଥିଲା–ସେଇଟା ବୋଧହୁଏ ହେଉଥିବ ସେଇ ପେ–ସ୍କେଲ ଆଲୋଚନା; କାରଣ ସେଥିଭିତରେ ନୂଆ ଦରମା ବା ପେ–କମିଶନଙ୍କର ରିପୋର୍ଟ ବାହାରି ସାରିଥାଏ କି ବାହାରିବ ବାହାରିବ ହଉଥାଏ । ମନମୋହନ ଆଗତୁରା ଆସି ଖବର ଦେଇ ସାରିଥାଏ ଯେ କୁଆଡ଼େ ମାଷ୍ଟରମାନଙ୍କର ଦରମା ବଢ଼ିବାର ବ୍ୟବସ୍ଥା ହଉଚି । ଗତ କିଛିଦିନ ହବ ସେଇ ଖବର ଯୋଗୁଁ ଏକ ଚାଞ୍ଚଲ୍ୟ ଖେଳିଥାଏ ଓଡ଼ିଶାର ସବୁ ଚାକିରିଆ ମହଲରେ । ଯୁଆଡ଼େ ଗଲେ ସେତେବେଳେ ଦେଖାଯାଉଥାଏ ଲୋକମାନେ ବସିଥାନ୍ତି ହାତରେ ଖଣ୍ଡିଏ ପେନ୍‍ସିଲ୍, ଏକ ଲମ୍ବା ହିସାବ ଫର୍ଦ୍ଦ ଆଉ ଖଣ୍ଡିଏ ଲଗ୍ ଟେବୁଲ୍ ବା ସଂଖ୍ୟା ଗୁଣାଗୁଣି କରିବାରେ ସାହାଯ୍ୟକାରୀ କୌଣସି ବହି ସହିତ ।

କିନ୍ତୁ ବିଭୁପ୍ରସାଦ ଛାତିରେ ଲାଗିଲା ଏକ ବିଜୁଳି ଧକ୍କା–ଯେତେବେଳେ ସେଣୁ ଫେରିଆସି ହରିଶ୍ ବୁଢ଼ା ଟିକିଏ ବିକୃତିଆ ମୁହଁକରି କହିଲା–“ଏହେ । ଯୋଡ଼ାଏ ଯୋଡ଼ାଏ ଛୁଆ ଖସିଗଲେ କୋଉ ବାପର ଛାତି ଏଥେରେ ଧୈର୍ଯ୍ୟ ଧରିବ !”

ଏବଂ ତା’ପରେ ଗୋଟିଏ ମୁହୂର୍ତ୍ତ ମଧ୍ୟରେ ଜାଣିନେଲା ବିଭୁପ୍ରସାଦ ସେ ବାପଟି କିଏ । ସେ ଶୁଣିଥିଲା କିଛିଦିନ ହବ ମିଃ ଶେଠୀଙ୍କର ପିଲା ଦୁଇଟା ଅସୁସ୍ଥଥିଲେ । ମିଃ ଶେଠୀ କହୁଥିଲେ ଛୁଆ ଦିଇଟାଙ୍କର କ’ଣ ହେଉଥିଲା । ସେଦିନ ସ୍କୁଲ୍‍ରୁ ଫେରି ଦୁଇଟାଯାକ ପିଲା ଠକାଠକ୍ ଏକାସଙ୍ଗେ ପଡ଼ିଗଲେ । ଝାଡ଼ା, ବାନ୍ତି ଲାଗଲାଗ । ବହୁ ଚିକିତ୍ସା ପରେ ସେମାନଙ୍କର ଅବସ୍ଥା ଅବଶ୍ୟ ଟିକିଏ ଭଲ ଆଡ଼କୁ ଆସିଥିଲା । କିନ୍ତୁ ପୁଣି କ’ଣ ହେଲା ଗୋଟାକର ଆଖି କେମିତି ଟେରେଇ ହେଇଗଲା ଆଉ ଆରଟାର ମୁହଁର ଗୋଟାଏ ପାଖ ରହିଗଲା । ପିଲା ଦିଇଟା ତେବେ ଶେଷରେ ଚାଲିଗଲେ ?

କାହିଁକି କେଜାଣି ସେଇ କଥାଟା ଶୁଣି ପକାଇଲାମାତ୍ରେ ନିଜେ ନିଜେ ଖୁବ୍ ଅସୁସ୍ଥ ମନେକଲା ବିଭୁପ୍ରସାଦ । ଏପରିକି, ଟିକିଏ ସମୟ ପରେ ସେ ଯାଇ ବାନ୍ତି ଥୋଡ଼ାଏବି କରି ପକେଇଲା–ଆପେଆପେ ଚେଷ୍ଟା କରି । ତା’ର ଖାଲି ମନେ ପଡ଼ିଲା ସେଇ ଗନ୍ଧଟା–ସେଇ ସକାଳେ ନିରାମୟ ଖାଦ୍ୟ ଭଣ୍ଡାରରେ ଖାଉ ଖାଉ ସେଇ ଯୋଉ ତେଲ କଡ଼େଇର ଗନ୍ଧଟା ଆସି ବାଜିଥିଲା ତା’ର ନାକରେ ! କିଏ ଜାଣେ କ’ଣ ମିଶିଥିବ ସେ ତେଲରେ !

ବିଭୁପ୍ରସାଦ ବାନ୍ତି କଲା ପୁଣିଥରେ ଏବଂ ତା’ର ଅଜାଣତରେ ସେ ଆଉଁଷି ପକାଉଥାଏ ତା’ର ମୁହଁକୁ–ସତେକି ଅବଚେତନରେ ତା’ର କାମ କରୁଥାଏ କିଛି ଏକ ସାଂଘାତିକ ଆଶଙ୍କା ! ମୁହଁର ମାଂସପେଶୀଗୁଡ଼ିକୁ ସେ ପରୀକ୍ଷା କରୁଥାଏ ବାରମ୍ୱାର–ଠିକ୍ କାମ କରୁଚନ୍ତି କି ନାହିଁ ସେମାନେ !

ସେଦିନ ସନ୍ଧ୍ୟାରେ ନଟବର ତା’ର ଟ୍ରେନିଙ୍ଗ୍ ଆଉ ଟିଉସନ୍ ସାରି ବସାକୁ ଫେରେ ଟିକିଏ ଡେରିରେ ।

ବେଶ୍ ଟିକିଏ ଗରମ ପଡ଼ି ଆସିଥାଏ । ଚୈତ୍ରର ଶେଷଭାଗ ବୋଧହୁଏ । ବାହାରେ ବେଶ୍ ପବନ ପିଟିବାକୁ ଆରମ୍ଭ କରି ସାରିଥାଏ । ଖଟିଆ ଖଣ୍ଡକ ବାହାରକୁ ଟାଣିଆଣି ବିଭୁପ୍ରସାଦ ପଡ଼ି ଯାଇଥାଏ । ଜହ୍ନ ଆଲୁଅଟା ବେଶ୍ ଆରାମ ଲାଗୁଥାଏ ଆଖିକୁ । କିନ୍ତୁ ଘରର ଚାରିପଟେ ଜଳୁଥିବା ସେଇ ବିଜୁଳି ଆଲୁଅଗୁଡ଼ାକ ଆଖିକୁ ସ୍ଵାଭାବିକଭାବେ ବାଧା ଦେଉଥାଏ । ଜହ୍ନ ବିଷୟରେ ଜଣେ ଖୁବ୍ ସଚେତ ନହବାଯାକେ ହୁଏତ ସେ ଅନୁଭବ କରିପାରନ୍ତା ନାହିଁ ସେଇ ଅଲଗା ଆଲୁଅଟିକକୁ ।

 

କିନ୍ତୁ ବିଭୁପ୍ରସାଦ ସେତେବେଳେ ବାସ୍ତବିକ ଦେଖୁ ନଥିଲା ଜହ୍ନକୁ । ତା’ର ଦୃଷ୍ଟିଟା ଧୀରେ ଧୀରେ ଜହ୍ନଆଡ଼ୁ ଫେରି ଯାଇଥିଲା ସେଇ ପାଚେରୀ ଆରପଟ ଆମ୍ବଗଛ ଆଡ଼କୁ । ରାତିରେ ଆମ୍ବଗଛଟା ସ୍ପଷ୍ଟ ଦିଶୁ ନଥାଏ । କିନ୍ତୁ ତା’ର ସେଇ ଅନ୍ଧାରିଆ ଅନ୍ଧାରିଆ ଆକାରଟା ବେଶ୍ ଏକ ରୂପ ଘେନି ଆସୁଥାଏ । ବିଭୁପ୍ରସାଦ ଭାବୁଥାଏ–ତାଙ୍କ ଗାଁର ସେଇ ଆମ୍ବ ଗଛଟା କଥା-। ବେଶ୍ ସବୁ ଆମ୍ବ ଲେନ୍ଥି ହେଇଥିବ ଏବର୍ଷ ସେଥିରେ । ବୋଧହୁଏ ପାଚିବଣି ଗୋଟାଏ ଗୋଟାଏ–କୋଇଲିପାରୁଡ଼ା ! କହନ୍ତି–ପଣାକୁ ବଣା । କିନ୍ତୁ ପଣା କ’ଣ ଗଲାଣି ? କିଏ ଜାଣେ-?

 

ଭାବୁଥାଏ ବିଭୁପ୍ରସାଦ । ଧୀରେ ଧୀରେ ପୁଣି ତା’ର ଆଖି ଓଲଟୁଥାଏ ସେଇ ଆମ୍ବଗଛ ଆଡ଼ୁ–ସେଇ ପାଖ ଘରଟା ଆଡ଼କୁ । କଣ୍ଟ୍ରାକ୍ଟରର ଘର ଆଉ ତା’ର ସେଇ ବୁଢ଼ା ସାରୀଟାର– ରାଧା-! ରାଧା !

 

ସେଇ କଣ୍ଟ୍ରାକ୍ଟର ବୁଢ଼ାର ଘରଟା ଆଡ଼କୁ ଚାହେଁ ଏଥର ବିଭୁପ୍ରସାଦ । ଘର ଭିତରେ ଜଳୁଥିବା ବାର୍ ଆଲୁଅର କେତେଟା ଧାର ଆଲୁଅ ଆସି ପଡ଼ୁଥାଏ ସେଇ ଲମ୍ବା ବାରନ୍ଦା ଉପରେ । କିଏ ସବୁ ଚଳପ୍ରଚଳ ହଉଥାନ୍ତି ତା’ରି ଉପରେ–ସେଇ ଦୋମହଲା ଉପରେ ବୋଧହୁଏ ।

 

ଗୋଟାଏ ଗାଈ ହଠାତ୍ ହମ୍ବାରଡ଼ି ଦେବାକୁ ଆରମ୍ଭ କରେ । ପାଖ କରତକଳ ଆଉ ଆଳୁ ଗୋଦାମର ରିଫ୍ରିଜରେଟର ମେସିନର ମହୁମାଛିଆ ଗୁଣୁଗୁଣୁ ଉପରେ ଗାଈଟାର ହମ୍ବାରଡ଼ି–ବେଶ୍ ଗୋଟାଏ ପ୍ରକାର ଶୁଭୁଥାଏ କାନକୁ ।

 

ବିଭୁପ୍ରସାଦକୁ ଲାଗି ଆସୁଥାଏ–ପିଲାଦିନେ ଯେତେବେଳେ ମେଲେରିଆ ଜରରେ ବାରବାର ପଡ଼ୁଥାଏ ସେ, ଜର ଆସେ–ଆସେ ହୁହୁ କମ୍ପ–କିଏ ସବୁ ତା’କୁ ଘୋଡ଼େଇ ପକାନ୍ତି–କମ୍ବଳ ତଳେ ଚାପିଚୁପି ଦିଅନ୍ତି–ବିଭୁପ୍ରସାଦ ଜାଣେନା ତା’ପରେକ’ଣ ସବୁ ହୁଏ–କିନ୍ତୁ କେତେ ସମୟ ପରେ ସେ ଯେତବେଳେ ଶୁଣିପାରେ ଗାଁ ଦାଣ୍ଡରେ ଚରିବାକୁ ଯାଉଥିବା ଗୋରୁପଲର ହମ୍ବାରଡ଼ି–ଖୁବ୍ ଦୂରରେ ଯାଉଥିବା ଲାଇନ୍‍ ବସ୍‍ର ଇଞ୍ଜିନ୍ ଶବ୍ଦ–କମ୍ବଳ ଭିତରେ ଥାଇ କାନପାରେ ବିଭୁପ୍ରସାଦ–ତା’ର ମୁଣ୍ଡରେ ଆଉ କିଛି ପଶେନା–କମ୍ବଳର ଛିଦ୍ର ଭିତରୁ ଅସଂଖ୍ୟ ଆଲୁଅ ବିନ୍ଦୁ ତା’ର ଆଖିକୁ ବେଢ଼ି ରହନ୍ତି ଅନେକ ସମୟ–କିଛି ସମୟ ପରେ କାହିଁକି କେଜାଣି ତା’ର ଦୁର୍ବଳ ମସ୍ତିଷ୍କ ଭିତରେ ସାମାନ୍ୟ ଟିକିଏ ଉତ୍ସାହ ଆଉ ଉତ୍ତେଜନାର ଲହଡ଼ି ଅନୁଭୂତ ହୁଏ–ଦୂରରେ, ଗାଁ ସ୍କୁଲ୍‍ର ୱାର୍ନିଂ ଘଣ୍ଟି ବାଜୁଥାଏ–ସେତେବେଳେ ଅବଶ୍ୟ ସେ ପଢ଼ୁ ନଥାଏ ସେଇ ସ୍କୁଲ୍‍ରେ । କିନ୍ତୁ କାହିଁକି କେଜାଣି ତାକୁ ଭଲ ଲାଗେ । ସେତେବେଳେ ସେ ବୁଝିପାରେ ଯେ ସ୍କୁଲ୍ ଯିବାର ବେଳ ଗଡ଼ି ଯାଇଛି, ଆଉ ହୁଏତ ଦିପହରକୁ ସେ ଯାଇପାରେ ଟିକିଏ ଆମ୍ବତୋଟା ଆଡ଼େ !

 

ବିଭୁପ୍ରସାଦ ସଚେତ ହୁଏ । ତା’ପରେତା’ର ମନ ପୁଣି ଫେରିଆସେ–ସେଇ ଘର ଆଡ଼କୁ । ନା–ସେଇ ଘରର ମାଲିକ ଆଡ଼କୁ ।

 

ଦିନେ ଏ ଥିଲା କୃଷି ବିଭାଗର ଏକ ଦୁଃସ୍ଥ କର୍ମଚାରୀ । ସାମାନ୍ୟ କିରାଣିଟିଏ ବିଚରା । ହାୟ ! ସେଦିନ କି ଦୁଃଖରେ ନଥିବ ଏଇ ଲୋକଟି ଆହା । ହୁଏତ ତା’ରବି ମରିଥିବେ ପିଲା–ଏକ, ଦୁଇ,ତିନି, ଚାରି....ଭୋକରେ କିମ୍ବା ହୁଏତ ବିଷାକ୍ତ ଖାଦ୍ୟରେ । କିନ୍ତୁ କ’ଣ ହେଲା ? ଏଇଯେ ! ଏଇଯେ ଗଢ଼ି ଉଠୁଚି ଏପଟେ ଏକ ମଟର ଗ୍ୟାରେଜ୍ ! ଚାଳିଶଟି ଟ୍ରକ୍ ୟାର ଗଡ଼ି ଚାଲିଚନ୍ତି ଅନବରତ ରାସ୍ତାରେ । ମଝିରେ ମଝିରେ ସେମାନେ ଫେରନ୍ତି । ଏକଜୁଟ ହୁଅନ୍ତି ଏଇ ଗ୍ୟାରେଜ୍‍ରେ । ରାତିଯାକ ଚାଲେ କାମ–ଧମାଧମ୍ । ସକାଳୁ ପୁଣି ଯୋଜନାର କ୍ଷୀର–ସମୁଦ୍ରକୁ ମନ୍ଥିବାକୁ ଆରମ୍ଭ କରି ଦିଅନ୍ତି ସେଇ ଚାଳିଶଟି ଟ୍ରକ୍‍ର ଶହେଷାଠିଏଟା–ନା ନା–ଦୁଇଶହ ଚାଳିଶଟା ଚକ !

 

କିନ୍ତୁ କେମିତି ? କେମିତି ଏହା ସମ୍ଭବ ?

 

ଅନାଇ ରହେ ବିଭୁପ୍ରସାଦ ସେଇ ଘରଟା ଆଡ଼େ । ଆଉ, ତା’ର କାନରେ ବାଜୁଥାଏ ସେଇ ହମ୍ବାରଡ଼ି–ଗୋଟାଏ ଦୁଧିଆଳୀ ଗାଈର ହମ୍ବାରଡ଼ି ।

 

ଏହି ସମୟରେ ଝଡ଼ପରି ପଶିଆସେ ନଟବର–ସେଇ ଅନ୍ଧାର ଭିତରୁ । ଆଉ, ବିଭୁପ୍ରସାଦ ତା’ର ମୁହଁ ଦେଖିବା ପୂର୍ବରୁ ସେ କହିଉଠେ–

 

“ବିଭୁ ! ଗୋଟାଏ ଚମତ୍କାର ଆଇଡ଼ିଆ ଆଜି ଯୁଟିଚି ମୋର ମୁଣ୍ଡକୁ । ଶୁଣ୍ !”

 

ନଟବରର ସେଇ ଉତ୍ସାହପୂର୍ଣ୍ଣ ସ୍ୱରଟା ଶୁଣିଲାବେଳେ ବିଭୁପ୍ରସାଦର ମନେହୁଏ ସତେ ଯେପରି ସତକୁସତ ସେ ପଡ଼ିଚି ସେଇ ମାଲେରିଆ ଜରରେ ଆଉ ବାହାରେ ଚାଲିଛି ଗାଈପଲ, ଆଉ ତା’ର ପଛରେ ସେଇ ଗାଈ ଜଗୁଆଳ–ଯାହାର ନାଁ ଯୁଧେଷ୍ଠି ବାୟା–ଆଡ଼ପାଗଳିଆ, କିନ୍ତୁ ଚମତ୍କାର ଜୀବନ୍ତ ସ୍ଵରର ସେଇଶବ୍ଦ....ଘ୍ରିଃ....ହୋଓଓଓଓଓଓ.... !

 

ବିଭୁପ୍ରସାଦର ଖଟିଆ ଉପରେ ବସିପଡ଼ି ନଟବର ଖୁବ୍ ଉତ୍ସାହର ସହିତ କହି ଉଠେ–

 

“ଗୋଟାଏ କେମିକାଲ୍ ଇଣ୍ଡଷ୍ଟ୍ରି ଏତେ ସହଜରେ ଯେ ଷ୍ଟାର୍ଟ୍ କରାଯାଇପାରେ ମୁଁ ଜାଣି ନଥିଲି । କିନ୍ତୁ ଆଜି, ଜଣେ ଲୋକଠୁଁ ମୁଁ ବୁଝିଲି....ତୁ ଜାଣୁ ବିଭୁପ୍ରସାଦ ? ମୋହରସଲ୍‍ଟ–ଅର୍ଥାତ୍ ଫେରସ୍ ଆମୋନିୟମ୍ ସଲଫେଟ୍ କେମିକାଲ୍‍ଟା କେଡ଼େ ସହଜରେ ତିଆରି କରାଯାଇପାରେ ? ଏଇ ଦେଖ୍ ! ଏଇ ଯୋଉ ଡ୍ରାଇ ବ୍ୟାଟେରୀ....ଟର୍ଚ୍ଚ ଲାଇଟ୍ ଆଉ ରେଡ଼ିଓ ବ୍ୟାଟେରୀ ସବୁ ଆମେ ଫୋପାଡ଼ି ଦଉଚୁ, ସେଗୁଡ଼ାକ ଯଦି ଗୋଟେଇ ହୁଅନ୍ତା ଆଉ ଥୋଡ଼ାଏ ଲୁହା–ଏଇ ବାଜେ ଏଣେତେଣେ ପଡ଼ିଥିବା ଲୁହା–ଆଉ କିଛି ସଲଫ୍ୟୁରିକ୍ ଏସିଡ଼୍ ! ମୋହରସଲ୍‍ଟ ବୋତଲ ଏଗାର ଟଙ୍କା ଆଠଅଣା ବର୍ତ୍ତମାନ ବଜାରରେ !....କ’ଣ କହୁଚୁ ? ଷ୍ଟାର୍ଟ୍ କରିବା ?”

 

ବିଭୁପ୍ରସାଦ ଗୁମ୍‍ମାରେ ।

 

“ମତେ ବିଶ୍ୱାସ କର ଭାଇ ! ମୁଁ ଏଇଟା ପାଇଚି ଜଣେ ପକ୍କା ବିଜିନେସ୍‍ନମ୍ୟାନ୍‍ଠୁ । ଆଉ ସେ ହଉଚି ସେଇ ଧରଣର ଲୋକ ଯାହାର ଜାତିଭାଇ ବର୍ତ୍ତମାନ ଭାରତର ସର୍ବଶ୍ରେଷ୍ଠ ବ୍ୟବସାୟୀ ଜାତି । ସେ ମତେ ପୁଣି କହିଚି–ଡ୍ରାଇବ୍ୟାଟେରୀ ମିଳିବାର ସୂତ୍ର ! ତୁ ଜାଣୁ ? ପ୍ରତି ଛ’ମାସରେ ଖୋର୍ଦ୍ଧାରୋଡ଼୍‍ ଷ୍ଟେସନ୍‍ର ରେଳବାଇ ତରଫରୁ ନିଲାମ ହୁଏ ପୁରୁଣା ଡ୍ରାଇବ୍ୟାଟେରୀ ମହଣ ମହଣ !”

 

ବିଭୁପ୍ରସାଦ ସେହିପରି ଚୁପ୍‍ଥାଏ ।

 

ନଟବର ଅପେକ୍ଷା କରେ ତା’ର ଉତ୍ତରପାଇଁ । କିନ୍ତୁ ବିଭୁପ୍ରସାଦ ଯେତେବେଳେ ହାଇ ମାରିବାକୁ ଆରମ୍ଭ କରେ ନଟବର ବିରକ୍ତ ହୋଇଯାଏ ସବୁଦିନ ପରି, ଆଉ ହଠାତ୍ କହି ଉଠେ–

 

“ଦେଖ୍ ! ତୁ ଯଦି ଏଥରବି ମତେ ଉତ୍ସାହିତ ନ କରୁ, ତାହାହେଲେ ଏଇ ଚାହାଁ....”

 

ତା’ପରେ ସେହି ଜହ୍ନ ଆଲୁଅରେ ବିଭୁପ୍ରସାଦ ଅନୁଭବ କରେ–ତା’ର ବେକ ପାଖରେ ସେଇ ଯୋଉ ହାତଟା ଝୁଲୁଥାଏ–ନଟବରର !

 

ବିଭୁପ୍ରସାଦ ଡରେନା । ତା’ର ରୁମ କେଇଟା ଅବଶ୍ୟ ଟାଙ୍କୁରି ଉଠନ୍ତି । ତଥାପି ସେ ନୀରବ ରହେ । ତା’ର କିଛି ସମୟ ପରେ ଯାଇ ସେ ପାଟି ଫିଟାଏ, ଆଉ ଏକ କୁଣ୍ଠିତ ସ୍ୱରରେ ପଚାରିଦିଏ–

 

“ଆଚ୍ଛା ! ମଳମୂତ୍ର ପରୀକ୍ଷା କଥା ଗଲା କୋଉ ପର୍ଯ୍ୟନ୍ତ ?’’

 

କିନ୍ତୁ ଖୁବ୍ ପରିଷ୍କାର କଣ୍ଠରେ ନଟବର ଦିଏ ତା’ର ଜବାବ–

 

“ତୁ ମତେ ଦେଇପାରିବୁ–ଟଙ୍କା ସାତଶ’ ଆଠଶ’ ? ଅନ୍ତତଃ ମାଇକ୍ରୋସ୍କୋପ୍ ଗୋଟାଏ ତ କିଣିବା ଦରକାର–ମଳମୂତ୍ର ପରୀକ୍ଷାପାଇଁ !”

 

“ତୁ କ’ଣ ଏ କଥା ଜାଣି ନଥିଲୁ ଆଗରୁ ?” ବିଭୁପ୍ରସାଦ ପଚାରେ ।

 

‘‘ମୁଁ ଜାଣିଥିଲି । କିନ୍ତୁ....”ନଟବର ଟିକିଏ ଅକଲସଲାମି ଦେଲାପରି ଚୁପ୍ ରୁହେ ଓ ତା’ପରେ ହଠାତ୍ କହେ–”କିନ୍ତୁ, ସେଇଥିପେଇଁତ ମୁଁ କହୁଚି–ମୂଳଧନ ସୃଷ୍ଟି କରିବାପେଇଁ ଆମକୁ ଆରମ୍ଭ କରିବାକୁ ପଡ଼ିବ ଆହୁରି ମୂଳରୁ–ଅର୍ଥାତ୍ ଫୋପଡ଼ା ହଉଥିବା ଡ୍ରାଇବ୍ୟାଟେରୀରୁ ଆରମ୍ଭ କରିବାକୁ ହଉଚି ବର୍ତ୍ତମାନ ମତେ ।”

 

ବିଭୁପ୍ରସାଦ ଏତେବେଳେ ଟିକିଏ ହସେ ଆଉ କହେ–

 

“ମୁଁ କହୁ ନଥିଲି ତତେ ? ଏ ଦେଶର ସବୁକଥା ବର୍ତ୍ତମାନ ଦରକାର କରୁଚି ଆଉଥରେ ମୂଳରୁ ଆରମ୍ଭ ହବାପେଇଁ ?”

 

ତା’ପରେ ଦୁଇ ବନ୍ଧୁ କିଛି ସମୟ ଚୁପ୍ ରହନ୍ତି । କିଛି ସମୟ ପରେ ବିଭୁପ୍ରସାଦ ହଠାତ୍ ଘୋଷଣା କଲେ–

 

“ଦେଖ୍ ! ମତେ ଆଉ ଭଲ ଲାଗୁ ନାହିଁ ଏହି ଶୁଖିଲା ଜୀବନ । ମୁଁ ଏ ଗବେଷଣାକୁ ଛାଡ଼ିବି । ଭାବୁଛି ଗାଁକୁ ଫେରିଯିବି । ସେଇଠି ପୁଣିଥରେ ଆରମ୍ଭ କରିବି ମୂଳରୁ । କିଛି କୁକୁଡ଼ା ରଖିବି । ଗୋଟାଏ ଗାଈ ରଖିବି । ....କୌଣସି ଗୋଟିଏ ସଜୀବ ବର୍ଣ୍ଣର ଉଷ୍ମତା ଯେ ଆମେ ଅନୁଭବ ନକରିପାରୁଚୁ–ଏପରି କି ଗୋଟାଏ ପୋଷା ବିଲେଇକି ଏଣ୍ଡିପୋକ ସହିତ ଭଲା ସଂସ୍ପର୍ଶ ରହନ୍ତା ଆମର !”

 

ନଟବର ଚୁପ୍ ରହେ । ହୁଏତ ସେ ହଠାତ୍ ସହାନୁଭୂତିଶୀଳ ହୋଇଉଠେ ବିଭୁପ୍ରସାଦ ପ୍ରତି ।

 

ତା’ପରେ, ଅନେକ ରାତି ପର୍ଯ୍ୟନ୍ତ ଦୁଇବନ୍ଧୁ ଶୋଇ ରହନ୍ତି ପରସ୍ପରର ପାଖାପାଖି, ସେଇ ଅଖଣ୍ଡ ନୀରବତା ମଧ୍ୟରେ । ଦୁହେଁ ପଡ଼ି ରହିଥାନ୍ତି ଆଖି ବୁଜି । ଆଉ, ଦୁହିଁଙ୍କର ମୁଣ୍ଡ ନିଯୁକ୍ତ ଥାଏ ଆପଣା ଆପଣା ଚିନ୍ତାରେ ।

 

ବିଭୁପ୍ରସାଦ ଭାବେ–ସେଇ ବିଚରା ଡଃ ଜେନା ଲୋକଟି ବଞ୍ଚେ କିପରି ! ସାରା ଜୀବନ ଏକୁଟିଆ–ନିଛାଟିଆ । କ’ଣ ସେ ଭାବେ ? କ’ଣ ସେ କରେ ? ଆଉ, କ’ଣ କରିବ ସେ–ଯଦି ବିଭୁପ୍ରସାଦ ଛାଡ଼ିଦିଏ ସେଇ ଗବେଷଣାକୁ ତା’ର !

 

ବିଭୁପ୍ରସାଦର ମନେପଡ଼େ–ଏମିତି କିଛିଦିନ ତଳେ, କୌଣସି ଏକ ବିରକ୍ତିକର ମୁହୂର୍ତ୍ତରେ, ଥରେ ସେ ମଧ୍ୟ କରିଥିଲା ସେଇଭଳି । ସେଥର ଦୁଇ ତିନିଦିନ ଧରି ଲାବୋରେଟୋରୀରୁ ଅନୁପସ୍ଥିତ ରହି ସେ ବସି ବସି ଭାବିଥିଲା ଏହିପରି, ଆଉ ଲେଖିଥିବା ଖଣ୍ଡିଏ ଚିଠି ତା’ର ବାପାଙ୍କ ପାଖକୁ ଏହି ମର୍ମରେ–

 

“ବାପା ! ବହୁତ କିଛି ଭାବିସାରି ମୁଁ ଶେଷରେ ଛାଡ଼ିଲି ଏଇ ଗବେଷଣା ଲାଇନ୍‍କୁ । ମୁଁ ଜାଣିପାରୁଛି ଏହି ପ୍ରକାର ଗବେଷଣା ଶାନ୍ତ କରିପାରିବ ନାହିଁ ମୋର ଜଠରର କ୍ଷୁଧାକୁ ଓ ମାନସିକ କ୍ଷୁଧାକୁ ।

 

ଗୋଟିଏ ପଦାର୍ଥକୁ ଆଖିରେଦେଖି, ସେ ପଦାର୍ଥ ବିଷୟରେ କିଛି ଜ୍ଞାନ ଅର୍ଜନ କରିବାର ଦୁଇଟି ଅବସ୍ଥା ମୁଁ ଦେଖି ଆସିଲି । ପ୍ରଥମଟି ହେଉଛି ଯେତେବେଳେ ମୁଁ ଥିଲି ଗୋଟିଏ ହାତୀ ଆଉ ମୋର ଆଖି ଆଗର ବସ୍ତୁ ବା ମ୍ୟାଟର୍ ଥିଲା ଗୋଟିଏ ପିମ୍ପୁଡ଼ି । କିନ୍ତୁ ବର୍ତ୍ତମାନ ମୋର ଆଖି ଆଗର ବସ୍ତୁଟି ଏପରିଭାବେ ବୃଦ୍ଧି ପାଇଛି ଯେ ବର୍ତ୍ତମାନ ସେ ହେଉଚି ହାତୀ ଆଉ ମୋର ଆଖି ହେଉଛି ସାମାନ୍ୟ ଏକ ପିମ୍ପୁଡ଼ିର ଆଖି ! ମୁଁ ଆଉ ପଦାର୍ଥକୁ ଦେଖିପାରୁନାହିଁ । ଦେଖୁଚିତା’ର ଗୋଟିଏ ପରମାଣୁକୁ ମାତ୍ର ! ମୁଁ ଅନ୍ଧ ହୋଇଗଲା ପରି ମନେ କରୁଚି । ମତେ ଏ ‘ସ୍ପେଶିଆଲାଇଜେସନ୍’ରୁ ରକ୍ଷାକର । ମୁଁ ବାହାରିଲି ଚାକିରିପାଇଁ !”

 

ଦୁଇଦିନ ପରେ ବିଭୁପ୍ରସାଦ ଯେଉଁ ଉତ୍ତରଟି ପାଏ ତା’ର ବାପାଙ୍କଠାରୁ ଆଉ କିଛି ନଥାଏ । ତାହାଥାଏ ଖୋଦ୍ ବିଭୁପ୍ରସାଦର ଚିଠି–ଡାକରେ ୱାପସ୍ ହୋଇ ଆସିଥିବା ତା’ ନିଜ ଚିଠି ଖଣ୍ଡକ । ଲଜ୍ଜିତହୋଇ ବିଭୁପ୍ରସାଦ ଦେଖିବାକୁ ପାଏ ଯେ ଏଥର ମଧ୍ୟ ତା’ର ସମସ୍ତ ସତର୍କତା ସତ୍ତ୍ଵେ ସେ ଚିଠିରେ ରହିଯାଇଛି କେତୋଟି ଅତି ସାଙ୍ଘାତିକ ଧରଣର ମୌଳିକ ବର୍ଣ୍ଣାଶୁଦ୍ଧି ଯାହାର ଚାରିପାଖେ ନାଲିସ୍ୟାହିରେ ମୁଣ୍ଡଳା ବୁଲାଯାଇଥାଏ ଯଥାରୀତି ।

 

ତା’ର ପରଦିନ ଅବଶ୍ୟ ନିଜେ ଆସି ପହଞ୍ଚିଯାନ୍ତି ବସାରେ–ତା’ର ବାପା । ଏକ ଦୀର୍ଘ ଯୁକ୍ତିତର୍କ ପୁଣି ଆରମ୍ଭ ହୁଏ ବାପପୁଅଙ୍କ ଭିତରେ । କିନ୍ତୁ ତା’ର ବାପାଇ ସବୁଦିନପରି ଜିତନ୍ତି ଶେଷରେ । ପୁଅର ସେଇ ସାମୟିକ ଅବସାଦର ନିଦାନ ଖୋଜିବାରେ ଭବାନୀପ୍ରସାଦ ଜନ୍ମରୁ ଅଭ୍ୟସ୍ତ । ବିଭୁପ୍ରସାଦର ମୁହଁକୁ ଚାହିଁଦେଇ ସେ ଠିକ୍ ଠଉର କରିଦିଅନ୍ତି ସବୁକଥା । ବିଭୁପ୍ରସାଦର ଅବସାଦର ମୂଳରେ ଯେ ଏଥରବି ଅଛି ସେଇ ମନମୋହନ ଓ ତା’ର ସେଇ ‘ନୋବେଲ୍ ପ୍ରାଇଜ୍’ ଚାଲେଞ୍ଜଟି–ଏକଥା ଅଛପା ନଥାଏ ତାଙ୍କୁ ।

 

ସେଦିନ ଦିନସାରା ବାପା ପୁଅଙ୍କ ଭିତରେ ଯେଉଁ ଯୁକ୍ତିତର୍କ ଲାଗିଯାଏ ସେଥିରେ ବଡ଼ ଅସମ୍ଭବଭାବେ ହାରିଯାନ୍ତି ଭବାନୀପ୍ରସାଦ–ସେଇ ଏକ ମି: ଇ: ସ୍କୁଲ୍‍ର ଏଫ୍.ଏ.ଫେଲ୍ ସହକାରୀ ପ୍ରଧାନ ଶିକ୍ଷକ ଭବାନୀପ୍ରସାଦ ।

 

କିନ୍ତୁ ସେଇଦିନ ସନ୍ଧ୍ୟାବେଳକୁ ଅବସ୍ଥାର ପୁଣି କ’ଣ ଏକ ଅସ୍ୱାଭାବିକ ପରିବର୍ତ୍ତନ ଘଟିଯାଏ କେଜାଣି ହଠାତ୍ ଦେଖାଯାଏ ଯେ କଲେଜର ପଶ୍ଚିମ ପଟର ସେଇ ପୁରୁଣା ଜଗନ୍ନାଥ ସଡ଼କେ ସଡ଼କେ ସେଇ ରାସ୍ତାଟିରେ–ଚାଲିଥାନ୍ତି ଆଗିଲି ପଛିଲି ହେଇ ବାପଟିଏ ଆଉ ପୁଅଟିଏ ! ଆଗେଆଗେ ବାପ ଆଉ ପଛେ ପଛେ ପୁଅ । ସେମାନେ ସେତେବେଳକୁ ଫେରୁଥାନ୍ତି ପ୍ରଫେସର୍ ଡଃ ଜେନାଙ୍କର ସେଇ ନାଳକୂଳ ବସାଘରୁ ।

 

ମଝିରେ ମଝିରେ ସେଇ ସ୍ଵଭାବସିଦ୍ଧ ଠିଆ ବେକ ଆଉ ଗମ୍ଭୀର କଣ୍ଠରେ ପୁଅକୁ ସିଧାସଳଖ ହେଇ ବାଟ ଚାଲିବାକୁ ତାଗିଦା କରୁକରୁ ଭବାନୀପ୍ରସାଦ ଆରମ୍ଭ କରନ୍ତି–

 

“ସମୁଦ୍ରକୂଳରେ ଥାଏ ବ୍ରାହ୍ମଣ ଶାସନଟିଏ.... ।”

 

ପକେଟରୁ ଲୁଚେଇ ଲୁଚେଇ ରୁମାଲଟିଏ କାଢ଼ି ବିଭୁପ୍ରସାଦ ଭଲକରି ପୋଛିନିଏ ତା’ର ଦୁଇଟିଯାକ ଛଳଛଳ ଆଖିକୁ । ଆଉ, ହଠାତ୍ ତା’ର ଅଜାଣତରେ କେତେବେଳେ ତା’ର କୁଜେଇ ଯାଇଥିବା ପିଠିଟି ସିଧା ହୋଇଯାଏ ଓ ସେ କାନଦିଏ ତା’ର ବାପାଙ୍କର ସେଇ ଅତିପ୍ରିୟ କିମ୍ବଦନ୍ତୀଟି ଆଡ଼କୁ–ଯାହାକୁ ଅବଶ୍ୟ ଏଥିପୂର୍ବରୁ ସେ ଅନେକଥର ଶୁଣିଥାଏ ତା’ର ବାପାଙ୍କ ମୁହଁରୁ । କିନ୍ତୁ ପ୍ରତ୍ୟେକଟି ଥର ଏଭଳି ଏକ ସମ୍ପୂର୍ଣ୍ଣ ନୂତନ ଆଉ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ପରିସ୍ଥିତି ମଧ୍ୟରେ ଏହି କିମ୍ବଦନ୍ତୀଟି ବିଭୁପ୍ରସାଦର ଆଖିଆଗରେ ଏଭଳି ଏକ ନୂତନ ବେଶରେ ଆସି ଉପସ୍ଥିତ ହୋଇଯାଏ ଯେ ବିଭୁପ୍ରସାଦ ତନ୍ମୟ ହୋଇଯାଏ ଏବଂ ହଠାତ୍ ଏକ ବିରାଟ, ନୀଳିମ ବିସ୍ତୃତି ମଧ୍ୟରେ ଆପଣାକୁ ହଜାଇ ଦେଇ ପୁଣିଥରେ ଖୋଜିଆଣିବା ପାଇଁ ଅନେକଦିନ ଲାଗିଯାଏ ତାକୁ ।

 

ହଁ ! ସେଇଟି ହଉଚି ସେଇ ଚିଲିକାର ଦୃଶ୍ୟ–ଚିଲିକା ହ୍ରଦ ମଧ୍ୟସ୍ଥ ପାରିକୁଦ ନାମକ ସେଇ କ୍ଷୁଦ୍ର ଦ୍ଵୀପ ସମ୍ବନ୍ଧୀୟ ଏକ ବିସ୍ତୃତ କିମ୍ବଦନ୍ତୀ ।

 

ଭବାନୀପ୍ରସାଦ ସେତେବେଳକୁ ଅନେକ ଆଗେଇ ଯାଇଥାନ୍ତି ।

 

“ବ୍ରାହ୍ମଣ ଘରଟିଏ । ନୂଆ ହେଇ ବୋହୂଟିଏ । ରାତିବିକାଳି ପୋଖରୀଲାଗେ ଭୁଆସୁଣୀ ବୋହୂଟିକୁ । ବିଚାରୀ ଚୁଚୁ କରି ସମସ୍ତଙ୍କୁ ଡାକିଲା–ଶାଶୁକୁ, ନଣନ୍ଦକୁ । ନିଘୋଡ଼ ନିଦର ମାୟା ସମସ୍ତଙ୍କୁ ଘୋଟିଲାବେଳେ ଶୁଣୁଚି ବା କିଏ କାହା ଡାକକୁ !

 

କେହି ଯୋଉଠୁ ନଉଠନ୍ତି ବିଚାରୀ କରିବ କ’ଣ ବୁଝି ନପାରି ଅନ୍ଧକାରରେ ଦରାଣ୍ଡି ଦେଖେତ–ଇଶାଣ କୋଣରେ ଗାଡ଼ଟିଏ ! ହୋମକୁଣ୍ଡ ! ସକାଳକୁ ଯେତେବେଳେ ଶାଶୁବୁଢ଼ୀ ଉଠି ହୋମକୁଣ୍ଡର ପାଉଁଶ ଭିତରକୁ ହାତ ପୂରେଇଦିଏ–ଆରେ ବାବୁ ! ଦିବ୍ୟସୁନ୍ଦର ସୁନାଲେଣ୍ଡଟିଏ ଥୁଆ ହେଇଚି ସେଠି ! ଖୋଜ ଖୋଜ–ସେ ହଉଚି ବୋହୂଲେଣ୍ଡ !

 

ତା’ ପରଦିନ ଶାଶୁ ବୋହୂକୁ ଡାକି ଆଣିଲା ଆଉ ତାକୁ ହୋମକୁଣ୍ଡ ଉପରେ ବସେଇ ଆପେ ଜଗି ବସିଲା । ପୁଣି ଏକ ଜବର ସୁନା ଲେଣ୍ଡ !

 

ଏଥର ଦେଖ ଶାଶୁଙ୍କର ନାଟ ! ସବୁଦିନ ସକାଳେ ଆଉ ସନ୍ଧ୍ୟାରେ ବୋହୂକୁ ହୋମକୁଣ୍ଡ ଉପରେ ହଗି ବସେଇବା ହେଲା ଶାଶୁଙ୍କର ଏକମାତ୍ର କାମ ।

 

ଚାଲିଲା ତିଆରି ସୁନା ଗହଣା । ଉଠିଲା କୋଠା–ସୁନାର ହର୍ମ୍ମ୍ୟ ! କୁଆଡ଼େ ଉଭେଇଗଲା ଚାଳକୁଡ଼ିଆ ।

 

ଏଭଳି ଏକ ଘଟଣାର ସୂତ୍ର କି ଛପି ରହିପାରେ ? ପ୍ରଘଟ ହୋଇଗଲା ଯେ ବୋହୂ ସାଆନ୍ତାଣୀଏ ହୋମକୁଣ୍ଡ ଉପରେ ବସିଲେଇ ଲେଣ୍ଡ ସୁନା ପାଲଟି ଯାଉଛି । ଆଲୋହେ ! ଏଇ ମାତରକ କଥା ! ନିଆଁଲାଗି ଆମ ଆଖି ଫୁଟିଗଲା–ଏତିକି ମାତର ଆମକୁ ଦିଶୁ ନଥିଲା !

 

ତହିଁ ଆରଦିନ ଭୋର ପାହି ନାଇଁ ଗାଁଯାକର ହୋମକୁଣ୍ଡରେ ଭରି ହୋଇଗଲା ଖାଲି ସୁନା ଲେଣ୍ଡମାନ ! ଚାହୁଁଚାହୁଁ ସାରା ଗାଁ ପାଲଟିଗଲା ଏକ ଇନ୍ଦ୍ରଭୁବନ । ସୁନାର ହର୍ମ୍ମ୍ୟ ଆକାଶ ଆଡ଼କୁ ବଢ଼ିଚାଲିଥାଏ ।

 

ଗାଁମୁଣ୍ଡରେ ତଥାପି ବୁଢ଼ା ବ୍ରାହ୍ମଣଟିଏ ଆଉ ବୁଢ଼ୀଟିଏ ବାସ କରୁଥାନ୍ତି । ଦିନକର ବୁଢ଼ୀ ବୁଢ଼ାକୁ ଫୁସୁଲେଇଲା–

 

“ହଇଓ ! ଏତେ ଲୋକ ବଡ଼ ହୋଇଗଲେ । ସୁନା, ରୁପା, ମୋତି, ମାଣିକ୍ୟରେ ଏ ସହର ଭାସିଲାଣି । ତମର ଆଖିକି କ’ଣ କିଛି ଦିଶୁନାଇଁ ? ଆମର ଟିକିଏ ବଡ଼ ହଅନ୍ତେ ନାଇଁ ? ତୁମେ ମତେ ଟିକିଏ କହମ–ମୁଁ ଟିକିଏ ବସେ ତୁମର ହୋମକୁଣ୍ଡ ଉପରେ ! ଦେଖିବ କାଲି ସକାଳକୁ ଯଦି ସୁନାଲେଣ୍ଡଟିଏ ମୁଁ ନଦେଇଚି ତୁମକୁ !”

 

ବ୍ରାହ୍ମଣ ବିଚରା ବୁଢ଼ୀକୁ କିଛି କହିଲା ନାହିଁ । କେବଳ କଟମଟ ଆଖିରେ ଟିକିଏ ଅନେଇଦେଇ ସେ ଚାଲିଗଲା ଆପଣା ବାଟରେ–ଭିକ୍ଷା କରିବାପାଇଁ । ତା’ ପରଦିନ ବୁଢ଼ୀ ପୁଣି ଧଇଲା ପିଛା–ବ୍ରାହ୍ମଣର । ବ୍ରାହ୍ମଣ କିନ୍ତୁ ଶୁଣିଲା ନାହିଁ । ସେମିତି କଟମଟ କରି ବୁଢ଼ୀ ମୁହଁକୁ ଅନେଇ ସେ ଚାଲିଗଲା ତା’ ବାଟରେ ।

 

ତୃତୀୟ ଦିନ । ତିନିଥରକୁ ତ ଧର୍ମଛାଡ଼ । କ’ଣ ହେଲାନା–ବୁଢ଼ୀ ଯେତେବେଳେ ପୁଣି କଟାଳ କଲା ବ୍ରାହ୍ମଣ ସହିତ–ବ୍ରାହ୍ମଣର ପାଟି ଫିଟିଗଲା । ବୁଢ଼ୀକୁ ଭାରି ମିଠା ଆଖିରେ ଅନେଇ ବ୍ରାହ୍ମଣ କହିଲା–‘‘ଆଲୋହେ ! ତୁ କ’ଣ ଏଡ଼େ ସୁନ୍ଦର ରାଇଜକୁ ବୁଡ଼େଇ ମାରିବୁ ବୋଲି ମତେ ଶିଖୋଉଚୁ କିଲୋ ଏ ତିନିଦିନ ହବ ? ଆଲୋ ହୁଣ୍ଡୀ ବୁଢ଼ୀ ! ତୁ ଜାଣିଚୁ ଏ ରାଇଜ କାହା ଯୋଗୁଁ ତିଷ୍ଠିଚି ? ଏଇ ସବୁ ଆକାଶକୁ ମୁଣ୍ଡଟେକିକରି ଠିଆହେଇଥିବା କୋଠାବାଡ଼ି ସବୁ କୋଉ ମୂଳଦୁଆ ଉପରେ ଠିଆ ହେଇଚି ! ଆଲୋ ଶୁଣ ଶୁଣ ! ଏଇ “ଗୋଟାଏ” ମାତ୍ର ପବିତ୍ର ଯଜ୍ଞକୁଣ୍ଡ ଯୋଗୁଁ ଏ ରାଜ୍ୟ ତିଷ୍ଠିଚି ! କିନ୍ତୁ ଯୋଉଦିନ ତୁ ବି ହଗିବୁନା ଏ ଯଜ୍ଞକୁଣ୍ତରେ–ସେଦିନ ଏ ରାଜ୍ୟର ମୂଳଦୁଆ ଦୋହଲି ଯିବ । ଆଖିପିଛଡ଼ାଏ ଲାଗିବ ନାହିଁ ଏଇ ସ୍ଵର୍ଣ୍ଣମୟୀପୁରକୁ ମାଟିରେ ମିଳେଇଯିବାକୁ !”

 

“ସତେ ! ଏମନ୍ତ ତୁମର ଶକ୍ତି ? ଆହା ହା....ଏତେ ଶକ୍ତି ମୋ ଘଇତା ଠେଇଁ ଥାଉଁଥାଉଁ ଆମକୁ ଖାଇବାକୁ ଗଣ୍ଡାଏ ମିଳୁନି ! ମୁଁ କି କରିବିଲୋ ! ମୁଁ ମରିଯାଉଥାଏଁଲୋ !”

 

ବୁଢ଼ୀର ତାଚ୍ଛଲ୍ୟରେ ଅତିଷ୍ଠ ହୋଇଉଠିଲା ବ୍ରାହ୍ମଣ । ତା’ପରେ ସେ ଉଠିପଡ଼ିଲା । ବୁଢ଼ୀର ହାତଧରି ସେ ତାକୁ ଟାଣିନେଲା ସେଇ କୁଡ଼ିଆ ବାହାରକୁ ।

 

ଆଉ ଠିକ୍ ସେତିକିବେଳେ ତେଣେ ହଠାତ୍ ମଧ୍ୟ ଉଠିପଡ଼ିଲା ସମୁଦ୍ର–ସତ୍ୟର ଚିରନ୍ତନ ବିଶ୍ଵସ୍ତ ଶ୍ୱାନ !

 

ବୁଢ଼ାଟିଏ, ବୁଢ଼ୀଟିଏ ଚାଲିଥାନ୍ତି ସେଇ ସୁନାର ରାଜପ୍ରାସାଦ ଟପି, ସହର ଟପି ଦୂରକୁ...ଦୂରକୁ । ପଛେ ପଛେ ଚାଲିଥାଏ ସମୁଦ୍ର–ବିଶ୍ୱାସୀ, ପ୍ରଭୁଭକ୍ତ କୁକୁରଟିଏ ପରି !

 

Unknown

ତା’ପରେ–

 

ଗୋଟିଏ ବରଗଛ ମୂଳେ ଥକ୍କାମାରି ବସିପଡ଼ିଲା ବୁଢ଼ା ! ଝଙ୍କା ବରଗଛଟିଏ । ହଜାର ହଜାର ବର୍ଷର ଓହଳ ମାଟିରେ ଲାଗିଛି ଦେଖି ବୁଢ଼ା ସେଇଠି ଅଟକିଲା । କାନ୍ଧରୁ ଜାଉଁଳିଟି କାଢ଼ି ବୁଢ଼ା ହୋମପାଇଁ ଛୋଟ ବେଦୀଟିଏ ତିଆରି କଲା । ସେଇଠି–ସେଇ ବଟ ମୂଳରେ ।

 

ପଛରେ ତା’ର ଜଳାବର୍ଣ୍ଣ ! ସମାନ । ଚତୁର୍ଦ୍ଦିଗ ସମାନ । ବୁଢ଼ୀ ଅନେଇଥିଲା । ତା’ ଆଖିକୁ ଆଉ କିଛି ଦିଶୁ ନଥିଲା । ଖାଲି ପାଣି ଆଉ ପାଣି । ସମୁଦ୍ର ଅଟକି ଠିଆ ହେଇଥିଲା ଅବିକଳ ସେଇ ବିଶ୍ଵସ୍ତ ଶ୍ଵାନ ପରି । ଏଇ ହଉଚି ପାରିକୁଦର ସୃଷ୍ଟି ! ଚିଲିକାର କିମ୍ବଦନ୍ତୀ !

 

ରୁମାଲରେ ଆଖି ଦଳି ଦଳି, ଡଃ ଜେନାଙ୍କ ବସାରୁ ଫେରନ୍ତି ବାପ ପୁଅ ଦିହିଁଙ୍କି ଦିହେଁ । ଗବେଷଣାକୁ ଛାଡ଼ିପାରେନା ବିଭୁପ୍ରସାଦ–କିମ୍ବା ଗବେଷଣା ମଧ୍ୟ ଛାଡ଼ିପାରେନା ବିଭୁପ୍ରସାଦକୁ ।

 

ଦୁହେଁ ଦୁହିଁଙ୍କୁ ଜାବୋଡ଼ି ଧରନ୍ତି ଆହୁରି ନିବିଡ଼ଭାବେ ।

 

ଦଶ

 

ବିଭୁପ୍ରସାଦର ‘ନୀରବ ନିଳୟ’ ଓ ନଟବର ପୂର୍ବ ପ୍ରସ୍ତାବିତ ‘ମଳମୂତ୍ର ପରୀକ୍ଷାଗାର’ର ଚାରିପଟେ ବର୍ତ୍ତମାନ ଜମା ହେବାପାଇଁ ଆରମ୍ଭ କରେ କୁଢ଼କୁଢ଼ ଭଙ୍ଗା, ଛେଚା, ଚେପା–ଟିଣ, ଲୁହା ଆଉ ଅନ୍ୟାନ୍ୟ ଧାତୁର ଅଳିଆଗଦା । ଗୋଟିଏ ସପ୍ତାହ ଧରି ନଟବର ସେତେବେଳକୁ ବ୍ୟସ୍ତଥାଏ ତା’ର ନୂତନ ପ୍ରସ୍ତାବିତ “କେମିକାଲ୍‍ କଟେଜ୍ ଇଣ୍ଡଷ୍ଟ୍ରି” ପାଇଁ ଆବଶ୍ୟକୀୟ ମାଟିରିଆଲ୍ ସଂଗ୍ରହରେ-। ଏଗୁଡ଼ିକ ଅବଶ୍ୟ ସଂଗ୍ରହ କରିବା ବିଶେଷ କିଛି କଷ୍ଟକର ବ୍ୟାପାର ନଥାଏ । ସାମନା କଣ୍ଟ୍ରାକ୍ଟର ଘରର ପାଇଖାନା ସଫା କରିବାକୁ ଆସୁଥିବା ମେହେନ୍ତରାଣୀକୁ ଟଙ୍କା ଗୋଟାଏ ଦିଇଟା ବକ୍ସିସ୍ ଦେଇଦେଲେ, ମ୍ୟୁନିସିପାଲଟି ଅଳିଆଗଦାକୁ ଏକାଦିନେ ଖୁଣ୍ଟିଦେଇ ଗଦେଇ ଦିଆଯାଇପାରେ କୁଢ଼େ ଲୁହା ।

 

ଲୁହା ଆସିଯାଇଥାଏ । ବର୍ତ୍ତମାନ ଅଣାହେବାର ଥାଏ ପୁରୁଣା ଟର୍ଚ୍ଚଲାଇଟ୍ ବ୍ୟାଟେରୀ-। ଏ ଜିନିଷଗୁଡ଼ିକୁ ସଂଗ୍ରହ କରିବା ଅବଶ୍ୟ ଥାଏ ଟିକିଏ କଷ୍ଟକର ବ୍ୟାପାର । ଖୋର୍ଦ୍ଧାରୋଡ଼୍‍ରୁ ଚିଠିଦ୍ଵାରା ଖବର ନେବାପାଇଁ ଚେଷ୍ଟା ଚଳେଇଥାଏ ନଟବର । କିନ୍ତୁ ଏ ରେଳବାଇ ନିଲାମ ଉପରେ ତା’ର ସେତେ ପତିଆରା ନଥାଏ । କାରଣ, ଏଇ ପୁରୁଣା ଡ୍ରାଇବ୍ୟାଟେରୀ ନିଲାମ ଧରିବା ଜିନିଷଟା ଯେତେ ସହଜ ବୋଲି ପ୍ରଥମରୁ ମନେ କରାଯାଉଥିଲା–ପରେ ବାସ୍ତବ କ୍ଷେତ୍ରକୁ ଯାଇ ନଟବର ଦେଖିଲା ଯେ, ସେ ଜିନିଷ ଏତେ କିଛି ସହଜ ବ୍ୟାପାର ନୁହେଁ । କାରଣ, ନିଲାମ ଶବ୍ଦର ଅର୍ଥ ହେଲା ନିଲାମ ! ଅର୍ଥାତ୍ “କମ୍ପିଟିସନ୍” ବା ପ୍ରତିଯୋଗିତା । ଆଉ, କମ୍ପିଟିସନ୍ ମାନେଇ ଟଙ୍କା–ଅର୍ଥ ! ଯୋଉ ବେପାରୀମାନେ ପୂର୍ବରୁ ଏ ନିଲାମ ଧରି ଆସୁଚନ୍ତି, ତାଙ୍କ ମୁହଁରୁ ରେଳବାଇର ଡ୍ରାଇବ୍ୟାଟେରୀ ଗଦାଟାକୁ ଛଡ଼େଇ ଆଣିବା କ’ଣ ଏଡ଼େ ସହଜ ? ତେଣୁ ଡ୍ରାଇବ୍ୟାଟେରୀ ଭଳି କଞ୍ଚାମାଲ ସଂଗ୍ରହ କରିବାପାଇଁ ମଧ୍ୟ ନଟବରକୁ ଚାହିଁବାକୁ ହୁଏ ପୁଣି ସେଇ ଅଳିଆଗଦାକୁ । “ଷ୍ଟାର୍ଟ୍ ଫ୍ରମ୍ ନଥିଙ୍ଗ୍ !” ଅର୍ଥାତ୍ ଏକେବାରେ ମୂଳରୁ ଆରମ୍ଭ !

 

ତେଣୁ ବର୍ତ୍ତମାନ ନଟବରର କାମ ହୋଇଥାଏ–ଟିଉସନ୍‍ରୁ ବଳୁଥିବା ସବୁତକ ସମୟକୁ ଖତଗଦାରୁ ପୁରୁଣା ଟର୍ଚ୍ଚ ବ୍ୟାଟେରୀ ଖୋଜାରେ ଲଗାଇବା ! ଖତଗଦାରୁ ଖତଗଦା–ଡଷ୍ଟବିନ୍‍ରୁ, ଡଷ୍ଟବିନ୍‍–ବୁଲୁଥାଏ ନଟବର ।

 

ଆଉ, ଏପଟେ ବିଭୁପ୍ରସାଦ–

 

ନଟବରର ଏ ସବୁ କାଣ୍ଡକାରଖାନା ସତ୍ତ୍ଵେ ବିଭୁପ୍ରସାଦ ଅବଶ୍ୟ ସେ ପର୍ଯ୍ୟନ୍ତ ଛାଡ଼ି ପାରି ନଥାଏ ତା’ର ନୀରବ ନିଳୟଟିକୁ । ଛାଡ଼ିକରି ବା ଯାଆନ୍ତା କୁଆଡ଼େ ସେ ? କଟକ ସହରର ସେହି ପରିମିତ ସୃଷ୍ଟି ଭିତରେ ତା’ପାଇଁ ସ୍ଥାନ ଟିକିଏ ବା ଆଉ ଥିଲା କେଉଁଠି ? ପୁଣି, ଛାଡ଼ି ଦିଅନ୍ତା କିପରି ଅବା ବିଭୁପ୍ରସାଦ, ତା’ର ଶତସ୍ମୃତି ବିଜଡ଼ିତ ଏଇ ନିଳୟଟିକୁ–ଯାହାକୁ ସେ ମନେକରେ ଏତେ ଆପଣର ! –ଏତେ ନିଜର ! –ଠିକ୍ ଗୋଟିଏ ପୁରାତନ କୃଷକ ପରିବାରର ଚାଷଭୂମି ପରି ଭାବପ୍ରବଣଭାବେ ଆପଣାର ! କାହିଁକି ? ଏ ନୀରବ ନିଳୟଟି ସତେ କ’ଣ ଆଜି ନୁହେଁ ସେଇ ଉଇହୁଙ୍କାମୟ, କଙ୍କଡ଼ାବିଛା ଆଉ ମାଙ୍କଡ଼ସା ଭରପୂର ଘର ଖଣ୍ଡିକ–ଯେଉଁଠି ସେ ଦିନେ ସହାବସ୍ଥାନ କରୁଥିଲା ଗୋଟିଏ ବିପଜ୍ଜନକ “ଗୁର୍ଖା” ଅଧିବାସୀ ସହିତ ? ଆଉ ଯାହା ଉପରେ ଅଧିକାର ସାବ୍ୟସ୍ତ କରିବାକୁ ତାକୁ ସହ୍ୟ କରିବାକୁ ହୁଏ ସାତୋଟି ଭୌତିକ ରାତ୍ରିର ଢେଲାମାଡ଼–ଏ କ’ଣ ନୁହେଁ ସେଇ ଘର ‘ନୀରବ ନିଳୟ’ ?–ବିଭୁପ୍ରସାଦର ?

 

ତେଣୁ ଏଇ ଲୁହାକୁଢ଼ ଆଉ ପୁରୁଣା ଟର୍ଚ୍ଚ ଲାଇଟ୍ ବ୍ୟାଟେରୀର କ୍ରମବର୍ଦ୍ଧମାନ ପରିବେଷ୍ଟନୀ ମଧ୍ୟରେ ଥାଇବି ବିଭୁପ୍ରସାଦ ଲାଗିଥାଏ ତା’ର ଗବେଷଣାରେ । ସବୁଦିନ ପରି ସକାଳୁ ସକାଳୁ ଉଠି, ନିତ୍ୟକର୍ମ ଶେଷ କରିଦେଇ ସେ ବାହାରିଯାଏ ତା’ର କର୍ମକ୍ଷେତ୍ର–ଲାବୋରେଟୋରୀକୁ । ସେତେବେଳକୁ ହୁଏତ ଉଠି ନଥାଏ ନଟବର । ନଟବର କିନ୍ତୁ ରାତିରେ ଫେରେ ଟିକିଏ ଡେରିରେ । ଆଉ, ଏଇ ଅବସରରେ ବସାକୁ ଫେରିଆସି ଖଟିଆ ଖଣ୍ଡକ ବାହାରକୁ ଟାଣିନେଇ ଶୋଇପଡ଼ିଥାଏ ବିଭୁପ୍ରସାଦ । ନଟବର ସହିତ ତେଣୁ ଖୁବ୍ କ୍ଵଚିତ୍ ଆଳାପ ଆଲୋଚନାର ସୁଯୋଗ ଥାଏ ତା’ର ଆଜିକାଲି ।

 

କିନ୍ତୁ ବିଭୁପ୍ରସାଦର ଏଇ ସମସ୍ତ ଦୁରୂହ ସହାବସ୍ଥାନ ଓ ଏକାଗ୍ରଚିତ୍ତତା ସତ୍ତ୍ଵେ, ତେଣେ ଲାବୋରେଟୋରୀର ପରିସ୍ଥିତି ଯେ କିଛି ନିଶ୍ଚିତ ଥାଏ–ତାହା ଅନୁଭବ କରିପାରୁ ନଥାଏ ବିଭୁପ୍ରସାଦ ।

 

ମି: ଶେଠୀଙ୍କର ପିଲା ଦୁଇଟି ମରିଯିବାର ଘଟଣା ପରେ ଏଣେ ଟି’ କ୍ଲବ୍‍ରେ ରଟିବାକୁ ଆରମ୍ଭ କରିଥାଏ ଅନ୍ୟ ଏକରକମ ଗୁଜବ । ଏଥିମଧ୍ୟରେ ଶୁଣାଯିବାକୁ ଆରମ୍ଭ ହୋଇଗଲା ଯେ ମନମୋହନ ପୁଣି ଫେରୁଚି । କୌଣସି କାରଣରୁ ତା’ର ବିଦେଶ ଯିବା ସ୍ଥଗିତ ରହୁଥାଏ । କିନ୍ତୁ ମନମୋହନର ଫେରିବାଟାକୁଇ ନେଇ ସେତେବେଳେ ଆରମ୍ଭ ହେଇଯାଇଥାଏ ନାନା କଳ୍ପନା ଜଳ୍ପନା । ଶୁଣାଯାଉଥାଏ ଯେ ଏଥର ଯଦି ସେ ଫେରେ, ତେବେ ସେ ଆଉ ଫେରିବନାହିଁ ଡ: ଜେନାଙ୍କର ଛାତ୍ରଭାବେ । ସେ ଫେରିବ ଡ: ଶର୍ମାଙ୍କର ପଟକୁ ଏଥର । ଆଉ, ମନମୋହନ ଡ: ଶର୍ମାଙ୍କ ପଟକୁ ଫେରିବାର ଅର୍ଥଟା କ’ଣ ସେଇ ବିଷୟଟାହିଁ ଥାଏ ସେତେବେଳକାର ପ୍ରଧାନ ଆଲୋଚ୍ୟ ବିଷୟ–ଡିପାଟ୍‍ମେଣ୍ଟର ପ୍ରତି ଦୁଇଜଣଙ୍କ ଭିତରେ ।

 

ଏ ସବୁ ଆଲୋଚନା ଆଉ ଗୁଜବ ସ୍ଵାଭାବିକଭାବେ ଆସି ବାଜୁଥାଏ ବିଭୁପ୍ରସାଦର କାନରେ । ଯେତେ କାନ ନଦେବାକୁ ଚେଷ୍ଟା କଲେମଧ୍ୟ ବିଭୁପ୍ରସାଦ କାନ ଏଡ଼ାଇ ପାରୁ ନଥାଏ ସେଇସବୁ କଥୋପକଥନଗୁଡ଼ିକୁ । କେମିତି ବା ଏଡ଼ାନ୍ତା ? ସେଗୁଡ଼ିକ ସେ ସିଧାସଳଖ ତା’ ନିଜ ଭାଗ୍ୟ ସହିତ ଜଡ଼ିତ ! –ଯେଉଁ ଭାଗ୍ୟର ଫଳାଫଳ ନିର୍ଣ୍ଣୟ କରିବାପାଇଁ ଆଜି ସମସ୍ତେ ହୋଇଉଠିଥାନ୍ତି ବ୍ୟାକୁଳ–ପିଅନଠାରୁ ଆରମ୍ଭକରି ସରକାରର ଉଚ୍ଚ କ୍ଷମତାପନ୍ନ ଚାକିରିଆ ପର୍ଯ୍ୟନ୍ତ ।

 

ଏଣେ ବିଭୁପ୍ରସାଦର ଏଇ ଅବସ୍ଥାବେଳକୁ, ତେଣେ ଡ: ଜେନାଙ୍କର ଅବସ୍ଥା ହେଉଥାଏ ଆହୁରି ସାଂଘାତିକ । ତାଙ୍କ ନାଁରେ ଆସୁଥିବା ବେନାମୀ ଚିଠିଗୁଡ଼ିକର ସଂଖ୍ୟା ଧୀରେ ଧୀରେ ବଢ଼ିବାକୁ ଆରମ୍ଭ କରିଥାନ୍ତି ଏଥର । ଆଉ, ପ୍ରତ୍ୟେକଟି ବେନାମୀ ଚିଠିର ଅର୍ଥ ସେ ଡ: ଜେନାଙ୍କ ଦେହରେ ଶିଖଣ୍ଡୀର ଆଉ ଏକ ନାରାଚ–ଏକଥା ମଧ୍ୟ ଭଲକରି ଜାଣିଥାଏ ବୋଧହୁଏ ସେଇ ଅଜ୍ଞାତ ପତ୍ରପ୍ରେରକ ।

 

ଡ: ଜେନାଙ୍କର ଏଇ ଅଦ୍ଭୁତ ବେନାମୀ ଚିଠିଗୁଡ଼ିକ ଯେ କେଉଁଠୁଁ ଆସେ ଆଉ କିଏ ତା’ର ପ୍ରେରକ, ଏ ବିଷୟରେ ବହୁତ ଥର ଚିନ୍ତା କରିଚି ବିଭୁପ୍ରସାଦ । ଚିଠିଗୁଡ଼ିକର ବିଶେଷତ୍ଵ ଏହି ଯେ ସେଗୁଡ଼ିକ ଡାକରେ ଆସେନା । ପ୍ରାୟ ଅଧିକାଂଶଥର ସେଗୁଡ଼ିକ ଆପେଆପେ ଆସି ଡ: ଜେନାଙ୍କର ଟେବୁଲ୍ ଉପରେ ଥୁଆହୋଇଥିବାର ଦେଖାଯାଏ । ଡ: ଜେନାଙ୍କର ଟେବୁଲ୍‍ଟି ଅବଶ୍ୟ ଥାଏ ଗୋଟିଏ ଝରକା ନିକଟରେ–ଯେଉଁ ଝରକାଟିକୁ ନିବୁଜକରି ବନ୍ଦକରିଦେଲେ ମଧ୍ୟ ଝରକା ଫାଙ୍କବାଟେ ଟେବୁଲ୍ ଉପରକୁ କାଗଜଟିଏ ବେଶ୍ ସହଜରେ ଗଳେଇଦେଇ ହୁଏ ।

 

ଝରକାର ଏଇ ଦୁର୍ବଳତାକୁ ଲକ୍ଷ୍ୟକରି, ଡ: ଜେନା ଗୋଟିଏ ବଢ଼େଇ ଡକେଇ ଝରକାଟାକୁ ଏକବାରେ କାଠପଟା ଦେଇ ଥରେ ସିଲ୍ କରେଇଦେଲେ ମଧ୍ୟ । କିନ୍ତୁ ତା’ପରଠୁଁ ଚିଠିଗୁଡ଼ିକ ସେ ବନ୍ଦ ହେଇଗଲେ ଏ କଥା ନୁହେଁ । ଡ: ଜେନାଙ୍କର ଟେବୁଲ୍ ଉପରେ ଆସିବାକୁ ସମର୍ଥ ନହେଲେ ମଧ୍ୟ, ସେମାନେ କବାଟ ଫାଙ୍କ ଦେଇ ଏଥର ଆସନ୍ତି କୋଠରୀ ଭିତରକୁ । ଆଉ, କୋଠରୀ ଭିତରେ ଏପରି ଏକ ଅବସ୍ଥାରେ ସେମାନେ ପଡ଼ିଥାନ୍ତି ଯେ, କବାଟ ଫିଟେଇବାମାତ୍ରେଇ ସେମାନେ ଆବିଷ୍କୃତ ହୁଅନ୍ତି । ପୁଣି, ଏପରି ଅବସ୍ଥାରେ ସେମାନେ ଅନେକ ସମୟରେ ଆବିଷ୍କୃତ ହୁଅନ୍ତି ଯେ, ଜଣେ ଗଭୀରଭାବେ ମନସ୍ତାତ୍ତ୍ୱିକ ଆତ୍ମସଚେତନ ବ୍ୟକ୍ତି ସେଗୁଡ଼ିକୁ ନିଶ୍ଚିତଭାବେ ଖୋଲିବହିଁ ଖୋଲିବ, ଗୋଟିଏ ଦୁଗ୍ଧପୋଷ୍ୟ ଶିଶୁର ଆଖିରୁ, ତା’ ନିଜର ଟିକି ଦିହର ଭୟଙ୍କରଭାବେ ପରିବର୍ଦ୍ଧିତ ଛାଇକୁ ଯେତେ ପ୍ରକାର ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ଯେପରି ତା’ର ସଚକିତ, ତ୍ରସ୍ତ ଦୃଷ୍ଟି କ୍ରମେ ଆପଣାର ଛାଇକୁ ଆଲୋକଠାରୁ ବହୁତ ଦୂରରେ–ରାତିର ଗଭୀର ଅନ୍ଧାର ଭିତରେ ଆବିଷ୍କାର କରି ଶିଖେ ଓ କ୍ରମେ ସେଇ ଅନ୍ଧକାରକୁହିଁ ଆଜୀବନ ଲକ୍ଷ୍ୟ କରି ସେ ହୁଏତ ତା’ର ଶୈଶବର ସେଇ ଅବଚେତନ କୌତୂହଳକୁଇ ଚରିତାର୍ଥ କରିବାକୁ ସୁଖପାଏ, ସେହିପରି ହୁଏତ ପ୍ରତ୍ୟେକଟି ବେନାମୀ ଚିଠି ଆବିଷ୍କୃତ ହୁଏ ତା’ର ଶରବ୍ୟ ଡ: ଜେନାଙ୍କଦ୍ୱାରା । ଏହାହିଁ ଥାଏ ସେହି ଚିଠିଗୁଡ଼ିକର ବିଶେଷତ୍ଵ ।

 

ସେଦିନ ଚିଠିଟିକୁ ପାଇବାମାତ୍ରେଇ, କାହିଁକି କେଜାଣି ଡ: ଜେନା ହୋଇ ଉଠନ୍ତି–ଭୀଷଣ ଉତ୍‍କ୍ଷିପ୍ତ ! ଆଉ, ତାଙ୍କର ଉତ୍‍କ୍ଷିପ୍ତତା ହଠାତ୍ ଏକ ନୈତିକ ଅବବୋଧରେ ପରିଣତ ହୋଇ ଢଳିପଡ଼େ ବିଭୁପ୍ରସାଦର ମୁଣ୍ଡ ଉପରେ ।

 

କିନ୍ତୁ ସେଗୁଡ଼ିକ ଅବଶ୍ୟ ବଳେଇ ଯାଏନା ବିଭୁପ୍ରସାଦକୁ । ଜୀବନସାରା ଏହି ନୈତିକ ଉପଦେଶର ଅମୃତମୟ ସ୍ରୋତରେ ସନ୍ତରଣ କରିବାପାଇଁ ଯଦି ଆବଶ୍ୟକୀୟ ସାହସ ଓ ଧୈର୍ଯ୍ୟ ବାସ୍ତବିକ କାହାର ଥାଏ, ସେ ହେଉଚି ବିଭୁପ୍ରସାଦ । କାରଣ, ନଟବର, ମନମୋହନ ଓ ବିଭୁପ୍ରସାଦ–ଏଇ ତିନୋଟିଙ୍କ ଭିତରେ, ଏଇ ବିଭୁପ୍ରସାଦଟି ହେଉଛି ଏକମାତ୍ର ଜୀବ, ଯେ ଆପଣାର ସୁଦୀର୍ଘ ଜୀବନକାଳ ମଧ୍ୟରେ ଅଭ୍ୟାସ କରିଥାଏ–ଉଭୟ ମେରୁପ୍ରଦେଶ ଓ ବିଷୁବମଣ୍ଡଳର ଜଳଭାଗରେ ଏକ ସମୟରେ ସନ୍ତରଣ କରି ଆତ୍ମରକ୍ଷା କରିବାକୁ !

 

କିନ୍ତୁ ସେଇଟା ଥିଲା ଏକ ଭିନ୍ନ ରକମର ଦିନ ।

 

ଚୈତ୍ର ଶେଷ ହୋଇ ବୈଶାଖର କେତୋଟି ଦିନ ଅତିକ୍ରାନ୍ତ ହୋଇଛି । ଆକାଶରେ ଛୁଟି ଚାଲିଲେଣି ବାଦଲ । କେବଳ ଉତ୍ତପ୍ତ ଦୃଶ୍ୟମାନ ବାଷ୍ପର ସମଷ୍ଟି ଅବଶ୍ୟ । ଆକାର ଧରି ନଥାଏ ଏପର୍ଯ୍ୟନ୍ତ ସେଥିରେ । ଡିପାଟ୍‍ମେଣ୍ଟ କଡ଼ର ଦେବଦାରୁ ଗଛର ପତ୍ରରେ ଜମି ଯାଇଥାଏ ପୁଟ ପୁଟ ଧୂଳି । ଚୋରାବସନ୍ତର ପୂର୍ବର ସୂକ୍ଷ୍ମ ଶ୍ୱାସଗୁଡ଼ିକ ବର୍ତ୍ତମାନ ଝଙ୍କାର ଦୀର୍ଘଶ୍ଵାସରେ ପରିଣତ ହେବାପାଇଁ ଯାଉଥାନ୍ତି । କଲେଜର ସବୁଜ ପଡ଼ିଆଟି ବର୍ତ୍ତମାନ ପରିଣତ ହୋଇଥାଏ ଏକ ରୁକ୍ଷ ମରୁଭୂମିରେ । ଆସି ଯାଇଛି ଗ୍ରୀଷ୍ମ କେତେବେଳେ ଏଥିମଧ୍ୟରେ ।

 

ବିଭୁପ୍ରସାଦ ଲାଗି ପଡ଼ିଥାଏ କାମରେ । ଚାକୁଣ୍ଡା ତେଲ ଗବେଷଣାର କେଉଁ ଏକ ପର୍ଯ୍ୟାୟରେ ଉତ୍ପନ୍ନ ହେଇଥିବା ଦ୍ରବ୍ୟଗୁଡ଼ିକର ଗୁଣ ପରୀକ୍ଷା କରୁ କରୁ ସେଗୁଡ଼ିକକୁ ପୁଣି ପରବର୍ତ୍ତୀ ପର୍ଯ୍ୟାୟର ଦ୍ରବ୍ୟରେ ପରିଣତ କରିବା ଆୟୋଜନରେ ବ୍ୟସ୍ତ ଥାଏ ସେ ।

 

ସେଦିନ ସକାଳେ ଡ: ଜେନା ଯେତେବେଳେ ଲାବୋରେଟୋରୀକୁ ଆସିଥିଲେ, ସେତେବେଳେ ସେ ସାବଧାନ କରିଦେଇ ଯାଇଥାନ୍ତି ବିଭୁପ୍ରସାଦକୁ ଆଉ କହିଦେଇ ଯାଇଥାନ୍ତି–

 

“ଦେଖ ! ଏଇଟି ହେଉଚି ବାସ୍ତବିକ ଏକ ଜଟିଳ ପର୍ଯ୍ୟାୟ । ଆମେରିକାର କ୍ୟାନସର୍ ଗବେଷଣା ଡଃ କେ–ଯେତେବେଳେ ଏହି ଜାତୀୟ ଏକ ଦ୍ରବ୍ୟ ଉପରେ ଗବେଷଣା କରୁଥିଲେ, ସେ ଲେଖିଛନ୍ତି ଯେ, ହୁଏତ ଏଇ ଦ୍ରବ୍ୟଟି କ୍ୟାନସର୍ ରୋଗ ସୃଷ୍ଟି କରିବାରେ ସହାୟତା କରୁଥାଇପାରେ । ତେଣୁ ହୁସିଆର ! ଭୟ କର ନାହିଁ । କିନ୍ତୁ ଟିକିଏ ସାବଧାନ ହୋଇ କାମ କର-!”

 

ସେଦିନ ଦିନସାରା ବିଭୁପ୍ରସାଦ ଲାଗିଥାଏ କାମରେ । କାହିଁକି କେଜାଣି ତା’ର ମନଟାବି ବେଶ୍ ଖୁସିଥାଏ । ଗବେଷଣାର ସମସ୍ତ ଅନିଶ୍ଚିତତା ସତ୍ତ୍ୱେ, କାହିଁକି କେଜାଣି, ଲାବୋରେଟୋରୀର ସେ ପ୍ରତିଦ୍ଵନ୍ଦ୍ୱିତା ଶୂନ୍ୟ ନିରୋଳା ମୁହୂର୍ତ୍ତର ଏକ ଅଜ୍ଞାତ ସମ୍ଭାବନା ବିଭୁପ୍ରସାଦକୁ ତନ୍ମୟ କରି ରଖିଥାଏ । ସେଇ ନୀରବ ଅଥଚ ସବୁଠାରୁ ଅଧିକ କୋଳାହଳମୟ ମୁହୂର୍ତ୍ତଟିକୁ ଆପଣାର ମର୍ମେ ମର୍ମେ ଅନୁଭବ କରି କିଭଳି ଏକ ଅଧୀର ଆତ୍ମତୃପ୍ତିର ସହିତ କାମ କରି ଚାଲିଥାଏ ବିଭୁପ୍ରସାଦ ।

 

ଜୀବନ ବିରୁଦ୍ଧରେ ଆଜି କାହିଁକି କେଜାଣି ତା’ର ନଥାଏ କିଛି ଅଭିଯୋଗ । ନା ମନମୋହନ, ନା ନଟବର–କେହି ତାକୁ ଧରିପାରୁ ନଥାନ୍ତି ବର୍ତ୍ତମାନ–ଏଇ ମୁହୂର୍ତ୍ତରେ । ତନ୍ମୟ ହୋଇ ସେ କେବଳ ଚାହୁଁଥାଏ ତା’ ଚାରିପାଖର ସୃଷ୍ଟିକୁ–ତା’ ନିଜର ସୃଷ୍ଟିକୁ ! ଲାବୋରେଟୋରୀର ସମସ୍ତ ନିତି–ପ୍ରତି ଜଡ଼ବସ୍ତୁ–କାଚ ଆଉ କେମିକାଲ୍‍ର କୃତ୍ରିମ ସଂସାର ସବୁଦିନପରି ବିବ୍ରତ କରୁ ନଥାଏ ତାକୁ, ବରଂ ସେଇ ଢୋଲା ଢୋଲା, କଦାକାର ବିରାଟ ବୋତଲ କେଇଟାକୁ ଚାହିଁ କିଭଳି ଏକ ଅବୋଧ୍ୟ କାରୁଣ୍ୟରେ ଭରି ଉଠୁଥାଏ ତା’ର ମନ ।

 

“ହଁ ! –ଏଇ ସବୁ ଗର୍ଭିଣୀ ସ୍ତ୍ରୀଲୋକଗୁଡ଼ିକ !’’

 

“ନା, ନା–ଏଇ ସବୁ ପ୍ଳୀହାଗ୍ରସ୍ତ କଳା କଳା, ଗାଉଁଲି ଜୀବଗୁଡ଼ିକ ! ଆହା....”

 

ଏକ ଦୁର୍ବୋଧ୍ୟ କର୍ମ ପ୍ରେରଣାରେ ହଠାତ୍ ଭରିଉଠୁଥାଏ ବିଭୁପ୍ରସାଦର ମନ । ସେ ଲାଗିପଡ଼ୁଥାଏ କାମରେ ।

 

ଲାବୋରେଟୋରୀ ଭିତରେ ସେତେବେଳକୁ ମୁହଁ ଅନ୍ଧାର । ତେବେ ବାହାରେ, କଲେଜ କୋଠାର ନାଲି ଇଟାକାନ୍ଥରୁ ପ୍ରତିଫଳିତ ହେଉଥାଏ ସୂର୍ଯ୍ୟର ଶେଷ ଆଲୁଅ ଟିକକ ।

 

ବିଭୁପ୍ରସାଦ ଲାଗିଥାଏ କାମରେ । –ଲାବୋରେଟୋରୀର ବିଜୁଳିବତିଗୁଡ଼ିକୁ ଲଗାଇ ଦେବାପାଇଁ ସେ ଭୁଲିଯାଇଥାଏ ।

 

ବାହାରେ ‘ଶେଷ ଆଲୋକ’ ! –ମିଲିଟାରୀ ବିଜ୍ଞାନରେ ଯାହାକୁ କୁହାଯାଏ ‘ଲାଷ୍ଟ୍ ଲାଇଟ୍’ ! ଏବଂ ଯେଉଁ ସମୟଟିକୁ ସାଧାରଣତଃ ଛକି ବସିଥାଏ ଜଣେ ମିଲିଟାରୀ ଜେନେରାଲ–ଆକ୍ରମଣ ଉଦ୍ୟତ ସେନାଧ୍ୟକ୍ଷ !

 

କ’ଣ ଗୋଟାଏ କାମ କରୁ କରୁ ବିଭୁପ୍ରସାଦର ହାତ ଉପରର ଚମଟା ଟିକିଏ କାହିଁକି ପୋଡ଼ିବାକୁ ଆରମ୍ଭକଲା । ରୁଗୁରୁଗୁ–ରୁଗୁରୁଗୁ । ପାଇପ୍ ପାଖକୁ ଧାଇଁଯାଇ ସାଙ୍ଗେ ସାଙ୍ଗେ ହାତଟାକୁ ଧୋଇପକାଇଲା ବିଭୁପ୍ରସାଦ । ତା’ପରେ ସେ ଫେରିଆସିଲା ଓ ଲୋବୋରେଟୋରୀର ଆଲୁଅଗୁଡ଼ାକୁ ଲଗାଇ ଦେବାପାଇଁ ଉଦ୍ୟତ ହେଉଥାଏ । ଠିକ୍ ଏତିକିବେଳେ ତା’ର ଆଖି ପଡ଼ିଗଲା–ବାହାରେ କଲେଜ କୋଠାର ଲାଲ୍ ଇଟାଗୁଡ଼ାକ ଉପରେ ପ୍ରତିଫଳିତ ହେଉଥିବା ସେଇ ଆଲୋକଟା–‘ଲାଷ୍ଟ୍ ଲାଇଟ୍ ଉପରେ !’

 

ଶେଷ ଆଲୋକ !

 

ଚମକି ଉଠିଲା ବିଭୁପ୍ରସାଦ–କାହିଁକି କେଜାଣି ବଡ଼ ଅସ୍ୱାଭାବିକଭାବେ ଚମକି ଉଠିଲା ସେ ।

 

ସାଧାରଣତଃ କଲେଜ କୋଠାରୁ ପ୍ରତିଫଳିତ ହେଉଥିବା ସ୍ଵାଭାବିକ ରଙ୍ଗଟା ତା’ର ଆଖିକୁ ଦିଶେ ଭୟଙ୍କର ଅସ୍ୱାଭାବିକ ! ଭୟଙ୍କର କୃତ୍ରିମ ! ଭୟଙ୍କର....ଭୟଙ୍କର....ଏକେବାରେ ଭୟଙ୍କର !

 

ପୁଣି, କାହିଁକି କେଜାଣି, ଠିକ୍ ସେତିକିବେଳେ କେହି ଯେପରି ଆସି ତା’ର ମନେପକେଇ ଦେଇଯାଏ ଡ: ଜେନାଙ୍କର ସେଇ ସତର୍କବାଣୀ–

 

“ଦେଖ ! ଏଇଟି ହଉଚି ବାସ୍ତବିକ ଏକ ଜଟିଳ ପର୍ଯ୍ୟାୟ ! ଆମେରିକାର କ୍ୟାନ୍‍ସର ଗବେଷକ ଡ: କେ.... !”

 

କିନ୍ତୁ ଜଣେ ବିଜ୍ଞାନ ଛାତ୍ର ହୋଇ ଡ: ଜେନାଙ୍କର ଉକ୍ତ ସାବଧାନ ବାଣୀକୁ ଭୟକରିବାର କୌଣସି ଯୁକ୍ତିଯୁକ୍ତ କାରଣ ନଥାଏ ବିଭୁପ୍ରସାଦ । ସେ ମଧ୍ୟ ବାସ୍ତବିକ ଭୟକରୁ ନଥାଏ ସେଇ ସତର୍କବାଣୀଟିକୁ । ଭୟ କରିବାର ବା ଥିଲା କ’ଣ ପ୍ରକୃତରେ ? ଜଣେ ଡାକ୍ତର ଛାତ୍ର କ’ଣ କେବେ ଭୟକରେ ତା’ର ନିଜ ଲାବୋରେଟୋରୀର ଅନ୍ଧାରୁଆ କଣରେ ଝୁଲୁଥିବା ସ୍କେଲିଟନ ବା ନରକଙ୍କାଳଟିକୁ ? ସେ କ’ଣ ଭୟକରେ ତା’ର ଅଣୁବୀକ୍ଷଣ ଯନ୍ତ୍ରର ଲେନ୍‍ସ୍ ତଳେ ରଖାଯାଇଥିବା କଲେରା, କୁଷ୍ଠ, ଗନେରିଆ, ଡିପ୍‍ଥେରିଆ ବା ଯକ୍ଷ୍ମାର ଜୀବାଣୁମାନଙ୍କୁ ?

 

କିନ୍ତୁ କାହିଁକି କେଜାଣି ସେଇ ଭୟଙ୍କର ମନସ୍ତାତ୍ତ୍ଵିକ ମୁହୂର୍ତ୍ତଟିର ଗୁରୁଭାରକୁ ଆଉ ମୁଣ୍ଡଉପରେ ବୋହିନପାରି ବସିପଡ଼ିଲା ବିଭୁପ୍ରସାଦ । ରାସାୟନ ବିଜ୍ଞାନର ଗବେଷକ ଛାତ୍ର ବିଭୁପ୍ରସାଦ ହଠାତ୍ ଆରମ୍ଭ କଲା ଗଁ ଗଁ ହେବାପାଇଁ–ଆପଣା ମସ୍ତିଷ୍କର ଭୟଙ୍କର ଚାପ ତାକୁ ଚାପିନେଉଥିଲା ସତେବା–ଗୋଟାଏ ଅତିକାୟ ପ୍ରାଗ୍‍ଐତିହାସିକ ହାତୀର ପାଦତଳେ ପଡ଼ିଯାଇଥିବା ମଣିଷ ମୁଣ୍ଡଟାଏ ପରି !

 

ଆଉ, ତା’ର କାରଣଟା ହେଉଛି ଏହିପରି–

 

ସେଦିନ ସକାଳେ ଭାତ ଖାଇବାପାଇଁ, ସବୁଦିନପରି ବିଭୁପ୍ରସାଦ ପଶେ ତା’ର ଲାଗୁଆ ହୋଟେଲ–ନିରାମୟ ଖାଦ୍ୟଭଣ୍ଡାର ଭିତରକୁ । ଜଣେ ଭାରତୀୟ ରାସାୟନବିତ୍ ଛାତ୍ର ପକ୍ଷରେ ଭାତ ଖାଇବା ଯେତେ ସମୟସାପେକ୍ଷ ନୁହେଁ, ତା’ଠାରୁ ଅଧିକ ସମୟସାପେକ୍ଷ ନିଶ୍ଚୟ–ସାବୁନଦ୍ଵାରା ହାତଧୋଇ, ଶୁଦ୍ଧପୂତଭାବେ ଖାଦ୍ୟପାଇଁ ଅପେକ୍ଷା କରି ବସିବା–ଆଉ ଖାଦ୍ୟ ସଂକ୍ରାନ୍ତୀୟ ସେଇ ସବୁ ସୁମଧୁର, ସୁଲଳିତ ପଦାବଳୀ, ଦୃଶ୍ୟପଂକ୍ତି ଓ ଚମତ୍କାର ସୌରଭଗୁଡ଼ିକୁ ମନେମନେ ବାରମ୍ବାର ଆବୃତ୍ତି କରିବା ! ତା’ପରେ, ଠିକ୍ ଏକ ତରୁଣସୁଲଭ, ନିଃସଙ୍ଗ କାମଲାଳସାର ଅଧ୍ୟାୟ ପରି, ମୂଳ ଅଧ୍ୟାୟଟି ଶେଷ ହୋଇ ସାରିଲା ପରେ ଓ ଜିଭର ଚତୁଃପାର୍ଶ୍ଵରୁ ସେଇ କ୍ଷୁଧାର୍ତ୍ତ ମୁହୂର୍ତ୍ତଟି ପାଇଁ ସଞ୍ଚିତ ଲାଳତକ ପୂରା ନିଗିଡ଼ି ଆସିବାପରେ ହୋଟେଲର ଦୁର୍ଗନ୍ଧତମ କୋଣରୁ ସେଇ ଯେଉଁ ଦରମଲା ମଣିଷଟି ହାତରେ ଖାଦ୍ୟ ପାତ୍ର ଧରି ବାହାରି ଆସେ, ତାହାରି ଉପରେ ଦିନଯାକର ସଞ୍ଚିତ ଅବଶୋଷତକ ନିଗାଡ଼ି ପକାଇବା ।

 

କିନ୍ତୁ ସେଦିନ ସକାଳର ପରିସ୍ଥିତି ଥିଲା ଆହୁରି ଜଟିଳ । କାହିଁକି କେଜାଣି ସେଇ ମଣିଷଟା ଅପେକ୍ଷା, ତା’ ନିଜର ସାବୁନ ରଗଡ଼ା ହାତଟାର ଚେହେରାଟାଇ ସୃଷ୍ଟି କଲା ଏକ ସାଙ୍ଘାତିକ ପ୍ରତିକ୍ରିୟା–ବିଭୁପ୍ରସାଦର ମନରେ । ସେତେବେଳକୁ ହାତଟାକୁ ସେ ବୁଡ଼େଇ ସାରିଥାଏ ତା’ ଆଗରେ ଥୁଆ ହୋଇଥିବା ଡାଲି ଗିନାଟାରେ ।

 

“ଏ କ’ଣ ଡାଲି ? ଏଇ, ଲାଲ ହଳଦିଆ ପାଣିଟା କ’ଣ ଡାଲି ?”

 

ଚମକି ଉଠି, ଡାଲି ଗିନାଟା ଭିତରୁ ହାତଟାକୁ କାଢ଼ି ଆଣିଲା ବିଭୁପ୍ରସାଦ–ସତେ ଯେପରି ସେ ସେତେବେଳେ ଦୈବାତ୍ ଛୁଇଁ ଦେଇଥାଏ କିଛି ଗୋଟାଏ ସାଂଘାତିକ ପ୍ରତିକ୍ରିୟାପୂର୍ଣ୍ଣ ରାସାୟନିକ ଦ୍ରବ୍ୟକୁ !

 

ମନେମନେ ସେ ଗୁଣୁଗୁଣୁ ହେଇ ଉଠିଲା–

 

“କାହିଁକି ? ଏଇଟା ଆଉ ତା’ ନିଜ ହାତତିଆରି ସେଇ ରଙ୍ଗଟା ନୁହେଁ ତ ?”

 

ତା’ ମନକୁ ପାପ ଛୁଇଁଲା । ନିରାମୟ ଖାଦ୍ୟ ଭଣ୍ଡାରର ମେନେଜରକୁ ପାଖକୁ ଡାକି ସେ ପଚାରିଲା ତା’ର ମନକଥା । ମେନେଜର କିନ୍ତୁ ଖୁବ୍ ଜୋର ଦେଇ କହିଲା–

 

“ବାୟା ହେଲ ? ଆମ ଦୋକାନର ହଳଦୀଗୁଣ୍ଡା ବୋଧହୁଏ ତେମେ ଦେଖିନ ବାବୁ ! କିଓ ଏ ହଳଦୀ କ’ଣ ଆମେ ଆମ ବିଲରେ କରୁଚୁ ? ଏ ପରା ସିଧା ଆଉଚି ବୋରବୋରି ସେଇଠଉଁ ଯୋଉଠଉଁ ହଳଦୀ ଆମର ବରାବର ଆସେ ! ତେମେ କନ୍ଧମାଳର ଏ ହଳଦୀକୁ ନିନ୍ଦା କରିଦବ ବାବୁ ? ଆଉ ହବନି ! ଆଉ ହବନି !”

 

ମେନେଜର ଲୋକଟାର ସରଳ ପ୍ରକାଶଭଙ୍ଗୀ ଆଉ କଥାର ସେଇ ଗାମ୍ଭୀର୍ଯ୍ୟପୂର୍ଣ୍ଣ ନିର୍ଦ୍ଦେଶ ଶକ୍ତି ବଳରେହିଁ ବିଭୁପ୍ରସାଦର ହାତ ଚାଲିଗଲା ତା’ର ପାଟି ଭିତରକୁ ସେତେବେଳେ ।

 

ତେବେ ନିରାମୟ ଖାଦ୍ୟ ଭଣ୍ଡାରରୁ ବାହାରି ଆସିଲାବେଳେ, ଘଟିଥିଲା ଆଉ ଟିକିଏ ଅଧିକ ଉଲ୍ଲେଖଯୋଗ୍ୟ ଘଟଣା । ଖାଇସାରି ମୁହଁ ପୋଛାପୋଛି କରି ହୋଟେଲ ମାଲିକ ବାସୁଦେବ ସହିତ କଥାବାର୍ତ୍ତାରେ ଭୋଳ ଥିବା ସମୟରେ, ବିଭୁପ୍ରସାଦର ଅଜ୍ଞାତରେ, ତା’ର ଆଖିକୁ ଆସିଥିଲା ଆଉ ଏକ ଦୃଶ୍ୟ । ଅବଚେତନ ଭିତରେ ବିଭୁପ୍ରସାଦ ପଢ଼ିଥିଲା–ମେନେଜର ଟେବୁଲ ଉପରେ ରଖାଯାଇଥିବା ଟିଣଟି ଉପରେ ଲିଖିତ ରାସାୟନିକ ରଙ୍ଗଟିର ନାଁଟିକୁ ।

 

କିନ୍ତୁ କାହିଁକି କେଜାଣି, ହୋଟେଲ ମାଲିକର ଟେବୁଲ୍ ଉପରେ ରଖାଯାଇଥିବା ସେଇ ଦୁର୍ମୂଲ୍ୟ ପେୟ–‘ବୋର୍ନଭିଟା’ ‘ହରଲିକ୍‍ସ’ ‘ଓଭାଲଟିନ୍’ ‘ବୃକ୍‍ବଣ୍ଡ୍ ଚା’ ଇତ୍ୟାଦି ଇତ୍ୟାଦି ନାଁଗୁଡ଼ିକ ସହିତ ଆଖିକୁ ଅସଂଗତ ଦିଶୁଥିବା ଶବ୍ଦ–‘ମେଟାନିଲ୍ ୟେଲୋ’ଟା ବିଭୁପ୍ରସାଦକୁ ବିବ୍ରତ କରି ନଥିଲା ସେତେବେଳେ ।

 

ବାସୁଦେବ ସହିତ କଥାବାର୍ତ୍ତାର ଲହସରେ, ବିଭୁପ୍ରସାଦ ସେତେବେଳେ ଭୁଲି ଯାଇଥାଏ ସେଇ ଶବ୍ଦଟିକୁ । ବାସୁଦେବ ବରଂ ତା’ର ମନେ ପକେଇ ଦେଇଥିଲା–

 

“ବୁଢ଼ାଟା ହାରି ହାରି ଯାଉଚି... । ଆଉ, ଜାଇଁଲଣି ? ବୁଢ଼ା ପିଛାରେ ଏଇନେ ପଡ଼ିଲେଣି ଶତ୍ରୁ । ଇସ୍କୁଲର ହେଡ଼୍‍ମାଷ୍ଟର ରିଟାୟାର କରିବାବେଳ ହେଇଗଲାଣି । ହେଲେ ବୁଢ଼ାକୁ ହେଡ଼୍‍ମାଷ୍ଟର କରେଇ ଦେବେନି ସେମାନେ । ସେମାନେ ଦରଖାସ୍ତ କରିଚନ୍ତି ବୋର୍ଡ଼କୁ । ଅନେକ କଥା ନେଖିଚନ୍ତି ସେମାନେ, ବୁଢ଼ା ବିରୁଦ୍ଧରେ । ତମେ, ଏଡ଼େ ଏଡ଼େ ପାଠୁଆ ପୁଅମାନେ ଥାଉଁଥାଉଁ ଟିକିଏ ଧରାଧରି କରୁନ କିଆଁ–ଉପରମହଲାରେ ? ହାକିମହୁକୁମା, ବାବୁଭାୟାଙ୍କ ମହଲରେ ଟିକିଏ ପଶ ! ଯାଅ ! ଆଉ ଏମିତି ଘର କଣରେ ପଶିଲେ ହୁଏ ?”

 

ଏ ଲୋକମାନଙ୍କ ସହିତ ଯେତେ ଯୁକ୍ତି ନ କରିବ ବୋଲି ବିଭୁପ୍ରସାଦ ଭାବିଥାଏ, କାହିଁକି କେଜାଣି ଅସଲବେଳକୁ ତା’ର ସେ ପ୍ରତିଜ୍ଞାଗୁଡ଼ାକ ପାଣିଫାଟି ଯାଏଁ । ତେବେ, ହସି ହସି ବିଭୁପ୍ରସାଦ ତା’ର ଉତ୍ତର ଦେଇଥିଲା ସେତେବେଳେ–ନିରାମୟ ଖାଦ୍ୟ ଭଣ୍ଡାରର ମାଲିକ ବାସୁଦେବକୁ । ସେ କହିଥିଲା–‘‘ଆରେ ବାବୁ ! ତମେ କ’ଣ ଭାବିଚ–ମୁଁ ଗୋଟିଏ ଲୋକ, ମୋର କାମ ହେଲା ଖାଲି ହାକିମହୁକୁମାଙ୍କ ପାଖକୁ ଦଉଡ଼ିବା ? ଗାଁରୁ ଲୋକ ଆସି କହିବ ଯେ ତେଣେ ଜମିବାଡ଼ି ନେଇଗଲେଣି–ଧାଇଁପଡ଼ । ଦଉଡ଼ ପୁଲିସ୍ ସାହାବ ପାଖକୁ ! ଆଉ ଏଣେ ତମେ ସବୁ କହିବ–ବାପର ଚାକିରି ଚାଲି ଯାଉଚିହୋ ଧାଇଁପଡ଼ !....ଏସବୁ କ’ଣ ? କିହୋ, ମୁଁ ଗୋଟିଏ ଲୋକ ଏଠି ଗବେଷଣା କରୁଚିଟି ? ତମେ କ’ଣ ଭାବିଚ ମୁଁ ତୁଚ୍ଛାକୁ ବସିଚି ଏଠି ?”

 

ନିରାମୟ ଖାଦ୍ୟ ଭଣ୍ଡାରର ମାଲିକ ବାସୁଦେବର ଶେଷ ହସଟା କାହିଁକି କେଜାଣି ଟିକିଏ ଦବେଇ ଦେଇଥିଲା ବିଭୁପ୍ରସାଦକୁ–ସେତେବେଳେ ।

 

ମୁହଁ ପୋଛି ପୋଛି ପଳେଇ ଆସିଥିଲା ବିଭୁପ୍ରସାଦ–ଖାଦ୍ୟ ଭଣ୍ଡାରର ମାଲିକ ସାମନାରୁ । ଆଉ, ତା’ରି ପରଠୁଁ–ସକାଳ ଦଶଟାବେଳୁ, ସନ୍ଧ୍ୟା ଛଅଟାଯାକେ, ଗଭୀର ଏକାଗ୍ରତାର ସହିତ ସେଦିନ ଲାଗି ପଡ଼ିଥିଲା ବିଭୁପ୍ରସାଦ ତା’ର ସେଇ ଚାକୁଣ୍ଡା ତେଲର ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ପର୍ଯ୍ୟାୟଟିର କାମରେ ।

 

କିନ୍ତୁ–ପରେ ପରେ–ଅଶେଷ ସମ୍ଭାବନାପୂର୍ଣ୍ଣ ଗବେଷଣାର ସୁଖମୟ ଉଜ୍ଜ୍ୱଳ ମୁହୂର୍ତ୍ତଟିର ଶେଷ ଭାଗର ସେଇ ‘ଇଷ୍ଟ ଲାଇଟ୍’ ବା ଶେଷ ଆଲୁଅ ଟିକକ ଯେତେବେଳେ ପଡ଼ିଯାଏ ବିଭୁପ୍ରସାଦର ଆଖିରେ ! ସେତେବେଳେ ଯାଇ ଚମକି ଉଠିଲା ବିଭୁପ୍ରସାଦ–ସେପରି ସେ କେବେ ଚମକି ନଥିଲା ଆଗରୁ ! ସାମାନ୍ୟ ଗୋଟିଏ ରାସାୟନିକ ଦ୍ରବ୍ୟର ନାମର ଉଲ୍ଲେଖ ଯେ ମଣିଷକୁ କେବେ ଏଭଳି ଚମକାଇ ଦେଇପାରେ, ସେ ବିଷୟରେ ସଠିକ୍ ଧାରଣା କରିପାରେ କେବଳ ଜଣେ ରାସାୟନ ଶାସ୍ତ୍ରର ଗବେଷକ ଛାତ୍ର–ବିଭୁପ୍ରସାଦ !

 

“ମେଟାନିଲ୍ ୟେଲୋ ? ଗତ ପାଞ୍ଚବର୍ଷ ଧରି ତାହାହେଲେ ସେ ଖାଇ ଆସିଚି ଏଇ ମେଟାନିଲ୍ ୟେଲୋ ନାମକ କୃତ୍ରିମ ରାସାୟନିକ ରଙ୍ଗଟିକୁ ? ହାପୁଡ଼ି ଯାଇଚି ତାହାହେଲେ ସେ ଏଇ ମେଟାନିଲ୍ ୟେଲୋର କେତେ ଗ୍ୟାଲନ୍ ପାଣି–ଡାଲି ପାଣି ନାଆଁରେ ? ଜୀବନସାରା ତା’ ପେଟକୁ ଯାଇଥିବା ଅଜସ୍ର ପରିମାଣ ଖାଦ୍ୟ ସହିତ ଅପମିଶ୍ରିତ ହୋଇ କେତେ ମହଣ ବିଷ ତାହାହେଲେ ନ ଯାଇଥିବ ଏଇ ପେଟକୁ ତା’ର !”

 

ସେତେବେଳକୁ ବିଭୁପ୍ରସାଦ ମୁଣ୍ଡ ଭିତରେ, ‘ମେଟାନିଲ୍ ୟେଲୋ’ ନାମକ କୋଇଲାର ଆଲକାତରାରୁ ପ୍ରସ୍ତୁତ କୃତ୍ରିମ ରଙ୍ଗଟି, ଢାଳିବାକୁ ଆରମ୍ଭ କରିଥାଏ–ତକ୍ଷକର ଗରଳ !

 

ଏବଂ, ତା’ପରେ, ଆଉ ଯାହା ଯାହା ସବୁ ଘଟିଯାଏ ବିଭୁପ୍ରସାଦର କାବ୍ୟିକ ମନର ଅତୀନ୍ଦ୍ରିୟ ରାଜ୍ୟରେ–ତାହା ସବୁ ଥାଏ କେବଳ କଳ୍ପନାର ବସ୍ତୁ । ‘ମେଟାନିଲ୍ ୟେଲୋ’ର ରାସାୟନିକ ଦ୍ରବ୍ୟଗୁଣଗୁଡ଼ିକୁ ଯେତେଯେତେ ଅଧିକ ନିରୀକ୍ଷଣ କରୁଥାଏ ବିଭୁପ୍ରସାଦ, ତା’ର ପୁରାତନ ପାଠ୍ୟପୁସ୍ତକଟିର ସେଇସବୁ ଅଜଣା ପୃଷ୍ଠାଗୁଡ଼ିକ ଭିତରେ, ତା’ର ସ୍ମୃତି ଆଉ ମନର ସେଇସବୁ ଅଜଣା ବିନ୍ଦୁଗୁଡ଼ିକୁ ସେତିକି ସେତିକି ଜୋରରେ ଆଉ ଶୀଘ୍ର ଶୀଘ୍ର ଉଖାରି ଦେଇ ଯାଉଥାଏ ସତେକି କୌଣସି ଏକ ମନସ୍ତତ୍ତ୍ଵବିତ୍ !–ତା’ର ଅଦୃଶ୍ୟ ଛୁଞ୍ଚିଗୁଡ଼ିକଦ୍ଵାରା !

 

ସେଇ ଶୁଖିଲା, ଟାକୁଆ ଗାଲଟିକୁ ଏକ ନଳିଆ ହାତର ଢିରାରେ ଟେକିଧରି, ବିଭୁପ୍ରସାଦ ଯେତେବେଳେ ବସିପଡ଼େ ଅନ୍ଧାରୁଆ ଲାବୋରେଟୋରୀ କଣରେ ପଡ଼ିଥିବା ଚତୁଷ୍କୋଣାକାର ଟେବୁଲ୍‍ଟି ପାଖରେ–ସେତେବେଳେ ସେ ନିଜେ ହୁଏତ ବେଶ୍ ବୁଝିପାରିଥାଏ ଦୂରର ଏକ ଦର୍ଶକର ଆଖିରେ ସେ ଦିଶୁଥିବ ସତେ କିପରି–ସେତେବେଳେ !

 

ହଁ, ହଁ ! ସେ ଦିଶୁଥିବ ଅବିକଳ ଗୋଟିଏ ବୁଢ଼ାପରି–ଯେଉଁ ବୁଢ଼ା, ନିଜର ନିଶ୍ଚିତ ଶେଷ ଦିନଟିପାଇଁ କିଣାକିଣି କରି ସାରିଥାଏ ସବୁ କିଛି ସରଞ୍ଜାମକାଠ, ଘିଅ, କରିଆ, ବରିଆ ଆଉ ଅନ୍ୟସବୁ ଆନୁସଙ୍ଗିକ ପାଥେୟଗୁଡ଼ିକୁ ! ଆଉ, ତା’ପରେ–ସବୁ ସଉଦାର ସ୍ତୂପ ଭିତରେ ବସି ସେ ଯେପରି ଚଲାଇଥାଏ ତା’ର ହିସାବକିତାବ, ମୂଲଚାଲ, ଦରଦାମ, ଲାଭକ୍ଷତିର ଯୁକ୍ତିତର୍କ ସେଇ ସବୁ ଦୋକାନୀମାନଙ୍କ ସାଙ୍ଗରେ–ଠିକ୍ ସେହିପରି...... ଠିକ୍ ସେହିପରି ଦିଶୁଥିବ ସେ !

 

ମନେ ପଡ଼ୁଥାନ୍ତି ସେଇ ସବୁ ଦୃଶ୍ୟଗୁଡ଼ିକ–ବିଭୁପ୍ରସାଦର । ସ୍ପଷ୍ଟଭାବେ ସେ ଦେଖିପାରୁଥାଏ–କିପରି ସେ ଗିଳି ଲାଗିଥାଏ ଏଇ ‘ମେଟାନିଲ୍ ୟେଲୋ’ ପରି ଆହୁରି ଅସଂଖ୍ୟ, ଭୟାନକ କ’ଣ ସବୁ ଜିନିଷ–ବିଭିନ୍ନ ରଙ୍ଗର, ବିଭିନ୍ନ କିସମର କେତେକଅଣ ! ସେ ଦେଖିପାରୁଥାଏ, କିପରି ଛୋଟପିଲାଟିଏବେଳେ ଦୋଳପୁନେଇଁ ମେଲଣଯାତ ପଡ଼ିଆରେ ସେ ଶୋଷି ଚାଲିଥାଏ ଗୋଟାକ ପରେ ଗୋଟାଏ, ଗିଲାସ ଗିଲାସ ହରରଙ୍ଗୀ ପାଣି–ସର୍ବତ୍ ! ଆଉ ସେଥିସହିତ ସେ ଶୁଣିପାରୁଥାଏ ମଧ୍ୟ ସେଇସବୁ ଶବ୍ଦଗୁଡ଼ିକୁ–ମେଲଣଯାତ ପଡ଼ିଆର ଫଗୁବୋଳା ନାଲି ନାଲି ମୁହଁ, ଅଣନିଃଶ୍ୱାସୀ କୀର୍ତ୍ତନ, ଲଢ଼େଇ ଯାତ୍ରାର କାନଫଟା କନସଟ୍, ଆଉ ସବା ଉପରେ ସେଇ ହରରଙ୍ଗୀ ବୋତଲଗୁଡ଼ିକ ଆଡ଼କୁ ଟାଣି ନେଉଥିବା ବିଚରଣଶୀଳ ଠେଲାଗାଡ଼ିଗୁଡ଼ିକର କଡ଼ରେ ଲଗାଯାଇଥିବା ସାଇରନ୍‍ଗୁଡ଼ିକର ବିଶେଷ ଆକର୍ଷଣୀୟ ଶବ୍ଦଗୁଡ଼ିକ-!

 

ନିଜର ମୁଣ୍ଡ ଆଉ ପେଟ ଉପରେ ବାରମ୍ବାର ହାତ ପୋଛିନେଇ ଠିଆହୁଏ ବିଭୁପ୍ରସାଦ-। କିନ୍ତୁ ସେ ଭାବି ପାରୁ ନଥାଏ ଯଦି ତା’ର ପେଟ ଭିତରର ସେଇ ଦୁର୍ବୃତ୍ତ ଆତାପି ଆଉ ବାତାପିମାନଙ୍କୁ ସେ ଆଜି ହଜମ କରିଦେଇ ପାରେ କେବେହେଲେ !

 

ସେଦିନର ଆତାପି ଆଉ ବାତାପି !

 

ଆଉ, ଆଜି ସେ ନିଜେବି ସୃଷ୍ଟି କରି ଚାଲିଛି ଯେଉଁସବୁ ନୂତନ ଆତାପି ବାତାପିମାନଙ୍କୁ-!

 

ପେଟ ଭିତରେ ବର୍ଷ ବର୍ଷର ସଞ୍ଚିତ ବିଷାକ୍ତ ଖାଦ୍ୟଦ୍ରବ୍ୟ–କିଏ ଜାଣେ ? ଆଉ କେତେକଅଣ ରୂପରେ ସେଇ ପୌରାଣିକ ଯୁଗର ଆତାପି ଆଉ ବାତାପି ରାକ୍ଷସଦ୍ଵୟ ଲାଗି ରହିଛନ୍ତି ଏଇ ସରଳ, ନିରୀହ, ରୁଜୁବିଶ୍ୱାସୀ ଭାରତୀୟ ମଣିଷଗୁଡ଼ିକର ପଛରେ !

 

ମନେପଡ଼ିଲା ବିଭୁପ୍ରସାଦର–କିଛିଦିନ ତଳେ, ଦିନେ ରାତିରେ ପଟେ ରୁଟି ପାଟି ଭିତରକୁ ନେଉ ନେଉ କ’ଣ ସବୁ ସତର୍କବାଣୀ ଶୁଣିଥିଲା ସେ ତା’ର ଟେବୁଲରେ ବସିଥିବା ଜଣେ ଶୁଭାକାଂକ୍ଷୀ ପ୍ରୌଢ଼ ଲୋକଠାରୁ ! ଲୋକଟି ସେଦିନ ତାକୁ ସାବଧାନ କରାଇ ଦେଇଥିଲା–ଠିକ୍ ଏଇ ସ୍ଵରରେ ଯେଉଁ ସ୍ଵରରେ ଡ: ଜେନା ଆଜି ସକାଳେ ସାବଧାନ କରେଇ ଦେଇଥିଲେ ତାକୁ । ସେ ପଚାରିଥିଲା–

 

“କ’ଣ ଆଜ୍ଞା ଖାଉଚନ୍ତି କି ?”

 

ପ୍ରଥମେ ପ୍ରଥମେ ଲୋକଟିକୁ ଟିକିଏ ବୋକା ବୋଲି ଜ୍ଞାନ କରିଥିଲା ବିଭୁପ୍ରସାଦ । ତେଣୁ ଲୋକଟିର ସେଇ ନିର୍ବୋଧ ପ୍ରଶ୍ନର ଉତ୍ତର ମଧ୍ୟ ସେ ଦେବାକୁ ଚେଷ୍ଟା କରିଥିଲା ସେମିତି ନିର୍ବୋଧଭାବେ ।

 

କିନ୍ତୁ ଲୋକଟି ବିଭୁପ୍ରସାଦର ହେୟଜ୍ଞାନକୁ ଦିହକୁ ନନେଇ, ଆପଣାର ପିଲାପରି ଜ୍ଞାନକରି ବୁଝାଇ କହିଥିଲା ଆଉଥରେ–

 

“ଶୁଣ ବାବୁ ! ରୁଟି ଖାଉଚତ ଭଲକଥା । କିନ୍ତୁ ଟିକିଏ ସାବଧାନ !”

 

“ସାବଧାନ ?” ବିଭୁପ୍ରସାଦର ହାତର ରୁଟି ଅଟକି ଯାଇଥିଲା ଅଧ ବାଟରେ । ଲୋକଟିର ମୁହଁକୁ ଅନେଇ, କାହିଁକି କେଜାଣି ସେ ଫେରେଇ ନେଇଥିଲା ସେଇଟାକୁ ପ୍ଲେଟ୍ ଉପରକୁ ।

 

ପାଖରୁ ଖଣ୍ଡିଏ ଖବରକାଗଜ ଉଠେଇ ନେଇ ଲୋକଟି ତା’ପରେ ଦେଖେଇ ଦିଏ ବିଭୁପ୍ରସାଦକୁ–ରୁଟି ଖିଆଳିମାନଙ୍କ ପାଇଁ ସେଇ ସରକାରୀ ନୋଟିସ୍‍କୁ !

 

ଭୟରେ ଧୀରେ ଧୀରେ ଖସି ପଡ଼ୁଥାଏ–ବିଭୁପ୍ରସାଦର ତଳ ପାଟିଟା ସେତେବେଳକୁ । ଆଉ, ଥପ୍ ଥପ୍ ଖସି ପଡ଼ୁଥାଏ କେଇଟୋପା ଲାଳ–ତା’ର ପାଟି ପାଖକୁ ଆସି ଫେରି ଯାଇଥିବା ରୁଟି ପଟଟାପାଇଁ ଉଦ୍ଦିଷ୍ଟ ଥିବା ଲାଲ କେଇଟୋପା ଅବଶ୍ୟ–ସେଇ ଖବରକାଗଜର ପୃଷ୍ଠା ଉପରେ-

 

“ଆପଣ ଏ ଖବର ଜାଣି ନଥିଲେ ନା କ’ଣ ?” ଲୋକଟି ପୁଣି ପ୍ରଶ୍ନ କରେ ।

 

ପ୍ରୌଢ଼ ଲୋକଟିର କରୁଣାମୟ ଓଠ ଦୁଇଟିକୁ ଚାହିଁ ନିରୁତ୍ତର ରହେ ବିଭୁପ୍ରସାଦ ।

 

“ଆଜିକାଲି ‘କଦାପି ରୁଟିଖାଇବ ନାହିଁ । ’ ମୋର ଏଇ ଉପଦେଶକୁ ଟିକିଏ ମନେ ରଖିଥିବ ବାବା ! ଅଟା ଆଉ ତେଲ ଏ ଦୁଇଟି ଜିନିଷଠାରୁ ଟିକିଏ ଦୂରଛଡ଼ା ରହିଥିବ ଏ ଯୁଗରେ । ଦେଖୁଚତ ଆଖିରେ ? ଏ ସବୁ ତମେ ଯାହା ବର୍ତ୍ତମାନ ଖାଇବାକୁ ବସିଥିଲ ବାବା–ଏ ରୁଟିଗୁଡ଼ିକ ! କିଏ ଜାଣେ ?–ଏଗୁଡ଼ିକ ଯେ ହେଇ ନଥିବ ସେଇ ସରକାରୀ ଇସ୍ତାହାରରେ ଉଲ୍ଲେଖ ଥିବା ବସ୍ତାର ଅଟାରେ ତିଆରି ରୁଟି, କିଏ କହିବ ? ଅନେକ କହୁଚନ୍ତି ଏଗୁଡ଼ିକ ବିଦେଶରୁ କିଣା ଯାଇଥିବା ଅଟା । ଆଉ, ଜାହାଜରେ ଅଣାଗଲାବେଳେ କୁଆଡ଼େ ଏଥିରେ ଦୈବାତ ମୂଷା ବିଷଗୁଡ଼ାଏ ମିଶି ଯାଇଚି ।”

 

“କେରଳରେ ଏବେ ଯେଉଁ ନଅଶହ ସ୍ୱେଚ୍ଛାସେବକ ତାଲିମ ଶିବିରର ଲୋକ ମରିଗଲେ ସେଗୁଡ଼ିକ କୁଆଡ଼େ କେବଳ ଏଇ ଅଟା–ମଇଦାରେ ତିଆରି ରୁଟି ଆଉ ଲୁଚି ଖାଉ ଖାଉ ମରିଗଲେ ! ହାୟ ରାମ୍ !”

 

ସେତେବେଳକୁ ରାତି ହୋଇ ଆସିଥାଏ । କଲେଜର ନାଲ ଇଟାକାନ୍ଥ ଉପରୁ ସୂର୍ଯ୍ୟର ବିଚିତ୍ର ରଙ୍ଗର ଶେଷ ଆଲୁଅଟି ଅନେକବେଳୁ ଲିଭି ଯାଇଥାଏ ଆଉ, ତା’ର ସ୍ଥାନରେ ଠିଆ ହୋଇଥାଏ ଆସି–ଅନ୍ଧାର ! ବିଭୁପ୍ରସାଦ ଲଗାଇଦେଲା ଲାବୋରେଟୋରୀର ଆଲୁଅଗୁଡ଼ିକୁ ।

 

ତା’ପରେ, ସେ ଆଉ ଅଧିକ କିଛି ଭାବିପାରିଲା ନାହିଁ । ସେ ଉଠିଲା–ଟେବୁଲ୍ ଉପରେ ଖେଳିଆମେଳିଆହେଇ ପଡ଼ିଥିବା ତା’ର ଗବେଷଣାର ଖାତାପତ୍ର କାଗଜଗୁଡ଼ିକୁ ସଂଗ୍ରହ କରୁ କରୁ ହଠାତ୍ କେମିତି ସେ ଝୁଣ୍ଟିପଡ଼ିଲା । ଟେବୁଲ୍‍ର ଗୋଟାଏ କଣ ପିଟି ହେଇଗଲା ତା’ର କହୁଣୀରେ । ଗୋଟାଏ ମୁହୂର୍ତ୍ତପାଇଁ ଛଟଛଟ ହେଇଗଲା ବିଭୁପ୍ରସାଦର ହାତଟା । ବସି ପଡ଼ିଲା ସେ ଏଥର ପୁଣିଥରେ ।

 

ବିଭୁପ୍ରସାଦର ହାତର କହୁଣୀ ଲଗାଏତ ଦିହର ପ୍ରତ୍ୟେକଟି ସ୍ନାୟୁକେନ୍ଦ୍ର ଯେତେବେଳେ ଛଟଛଟ ହଉଥାନ୍ତି, ଠିକ୍ ସେତିକିବେଳେ ଟେବୁଲ୍ ଉପରର କାଗଜ ଗଦାଟାର ଭିତରୁ ଦିଶୁଥିବା ଏକ ଲଫାଫାର କଣଟିକୁ ଆବିଷ୍କାର କରିପାରି ବିଭୁପ୍ରସାଦ ସାମାନ୍ୟ ଉଦ୍‍ବିଘ୍ନ ହୋଇ ଉଠିଲା ।

 

ସେଇ ଯନ୍ତ୍ରଣାମିଶ୍ରିତ ଉଦ୍‍ବିଘ୍ନତା ଭିତରେ, ଲଫାଫାଟିକୁ ଟାଣିଆଣି, ଫଡ଼୍ କରି ଚିରିଦେଇ, ଭିତରର କାଗଜଟାକୁ ବାହାର କରିଆଣି, ବିଭୁପ୍ରସାଦ ଚାହିଁଦିଏତ–ପୁଣି ଏକ ବିରକ୍ତିକର ବେନାମୀ ଚିଠିର ନାଁ ଭଳି ଏକ ନାଁ !

 

‘ରାଧା’–ଚିଠିର ଶେଷଭାଗରେ ସେଇ ପରିହାସମୟ ନାଁଟା ସତେ ଯେପରି ଗୋଟାଏ ଚାପୁଡ଼ା କଷିଦେଲା ବିଭୁପ୍ରସାଦର କାନମୁଣ୍ଡାରେ ।

 

ବିଭୁପ୍ରସାଦର ମୁଣ୍ଡ ଭାଁ ଭାଁ କରି ଉଠିଲା ।

 

ତା’ପରେ କ’ଣ ହେଲା କେଜାଣି ! ବିଭୁପ୍ରସାଦର ମୁଣ୍ଡରେ ଏକ ଦୁର୍ଦ୍ଦାନ୍ତ ସଇତାନ ସତେ ଯେପରି ଓହ୍ଲାଇପଡ଼ିଲା ହଠାତ୍ ଶୂନ୍ୟରୁ । ଚିଠିଟାକୁ ଧରି ବିଭୁପ୍ରସାଦ ସିଧା ଧାଇଁଗଲା ଡ: ଜେନାଙ୍କର ଅଫିସ୍ କୋଠରୀର କବାଟ ପର୍ଯ୍ୟନ୍ତ ଏବଂ ଗୋଟିଏ ପୌରାଣିକ ଶାମ୍ୱର ଉଦରର ଲୌହ ଦଣ୍ଡର ଘର୍ଷିତ ଅବଶିଷ୍ଟାଂଶ ପରି, ଚିଠିଟିକୁ ଗଳେଇ ପକାଇଲା ବିଭୁପ୍ରସାଦ–ସେଇ ନିର୍ଜନ ଅନ୍ଧକାରମୟ କୋଠରୀ ଭିତରକୁ ।

 

ଆଉ, ତା’ପରେ–ଫେରିପଡ଼ିଲା ସେ ପଛକୁ ।

 

ଏଗାର

 

ପଛକୁ ଫେରିପଡ଼େ ବିଭୁପ୍ରସାଦ–ଯେମିତି ସେ ଆଦୌ ଫେରି ନଥାଏ କେବେ, ତା’ର ଜୀବନସାରା !

ଲାବୋରେଟୋରୀର କବାଟରେ ସେଇ ସନ୍ଧ୍ୟାରେ ତାଲା ଲଗାଇଲାବେଳେ ତା’ର ଆଉ କିଛି ଚିନ୍ତା ନଥାଏ । ତା’ର ସେତେବେଳେ ପ୍ରଧାନ ଚିନ୍ତାଥାଏ କିଭଳି ସେ ବସାକୁ ଫେରିବ ଓ ସର୍ବପ୍ରଥମେ ତା’ର ବସା ସାମନା ଟିକି ବାରଣ୍ଡାର ଗୋଟିଏ କଡ଼କୁ କରି ପକେଇବ ଛୋଟ ଚୁଲିଟିଏ–ତିନୋଟି ଇଟାର ଝିଙ୍କା ବିଶିଷ୍ଟ ସର୍ବପ୍ରାଥମିକ ଆୟୋଜନର ଛୋଟ ଚୁଲିଟିଏ । ଆଉ, ଏଇ ଚୁଲିଟି ପଡ଼ି ସାରିବା ପରେ ଯାଇ ଯାହା ହେବ ଆଜି ସନ୍ଧ୍ୟାରେ । ତା’ପରେ ସେ ଆସିବ ବଜାରକୁ, ଆଉ ରୋଷେଇର ସରଞ୍ଜାମ ସବୁ କିଣିନବ ବଜାରରୁ–ବିଡ଼ାଏ କାଠ, ଛୋଟ ଆଟିକାଟିଏ, କରଚୁଲିଟିଏ, କରେଇଟିଏ ଆଉ ଯଦି ହୁଏ ଗୋଟିଏ ସସ୍‍ପ୍ୟାନ୍ ! ତା’ପରେ, ଆଜିକପାଇଁ ଅନ୍ତତଃ ସେ କିଣିନବ–ଚାଉଳ, ଡାଲି ଆଉ ପରିବା । ସକାଳୁ ସକାଳୁ ଉଠି ସେ ଯିବ ଗାଁକୁ, ଆଉ, ସେଠୁ ନେଇ ଆସିବ ସେ ଅନ୍ତତଃ ମାସକମାନିଆ ସଞ୍ଚା । ତାହାହେଲେ ଯାଇ ରିସର୍ଚ୍ଚ ହେଲେ ହେବ ନହେଲେ ନାଇଁ । ବଜାରରେ ଆଉ ଗୋଟିଏ ଦିନବି ସେ ଖାଇପାରିବ ନାହିଁ, କିମ୍ବା ଜାଣୁ ଜାଣୁ ବହୁମୂଲ୍ୟ ଆୟୁଟିକୁ ସେ ତିଳତିଳ କରି ଖର୍ଚ୍ଚ କରିଦେଇପାରିବ ନାହିଁ–କେବଳ ବିଷାକ୍ତ ଖାଦ୍ୟରେ ଅଖାଦ୍ୟରେ ବା ଅଳ୍ପ ଖାଦ୍ୟରେ !

ମନେମନେ ସେ ଗୋଟିଏ ରୁଟିନ୍ ପ୍ରସ୍ତୁତ କରି ସାରିଥାଏ । ସକାଳୁ କେତେବେଳେ ସେ ଉଠିବ, କେତେବେଳେ ରୋଷେଇ କରିବ ଓ ଲାବୋରେଟୋରୀ ଆସିବ । କିନ୍ତୁ ସେ ପର୍ଯ୍ୟନ୍ତ ସେ ଗୋଟିଏ କଥା ସ୍ଥିର କରି ପାରି ନଥାଏ ସେଇଟି ହଉଚି ନଟବର । ଦିନୁଦିନ ଏଇ ନଟବରଟି ଗୋଟିଏ ତମ୍ବୁ ଭିତରେ ଓଟ ପରି ଅଧିକରୁ ଅଧିକ ବିବ୍ରତ କରିବାକୁ ଆରମ୍ଭ କରିଥାଏ ବିଭୁପ୍ରସାଦକୁ । ତାକୁ ହଟେଇ ହବନାହିଁ କି ରଖି ହବନାହିଁ ଆଉ ଅଧିକ କାଳ ଏ ବସାରେ । ଏପର୍ଯ୍ୟନ୍ତ ଯାହା ଗୋଟାଏ ରକମ ଚାଲିଛି, ଚାଲିଛି । କିନ୍ତୁ ଯୋଉ ମୁହୂର୍ତ୍ତରୁ ଏ ରୋଷେଇର ଆୟୋଜନ ହବ ବସାରେ– ! କିଏ ଜାଣେ ? ଏ ରୋଷେଇରେ ସେ ସହଯୋଗ କରିବ କି ନା–ବିଭୁପ୍ରସାଦ ସାଙ୍ଗରେ ! ତା’ ଛଡ଼ା ଯଦିବା ସହଯୋଗ କରେ–ହାତରେ ରୋଷେଇ କରିବାପାଇଁ ସେ ପ୍ରସ୍ତୁତ ହେବ କି ନାହିଁ କିଏ ଜାଣେ ? ସେ ଯଦି କହେ ହାତରେ ରୋଷେଇ ନକରି ପୂଝାରି ରଖିବାକୁ ? ପ୍ରଥମରୁ ଲୋକ ମିଳିବେ ନାହିଁ । ଦ୍ଵିତୀୟରେ, ଲୋକ ମିଳିଲେବି ସେତ ନିଶ୍ଚୟ ଚଢ଼ା ଦରମା ମାଗିବ । ଅବଶ୍ୟ ପୂଝାରି ରଖିବାର ପ୍ରଶ୍ନ ନାହିଁ ଏ ଯୁଗରେ-। ସବୁଠୁ ବଡ଼କଥା ହେଲା ସେ ଲୋକକୁ ଜଗିବ କିଏ ? ଆଉ ଯଦି ଜଣେ ଲୋକକୁ ଜଗିବାପାଇଁ ପୁଣି ଜଣେ ଲୋକ ନଥାଏ କାହାଘରେ, ତା’ ହେଲେତ ସେ ଘର ପୁଣି ବଳିପଡ଼େ ଗୋଟିଏ ହୋଟେଲ !

 

ଏହିପରି ରୋଷେଇ ସମ୍ବନ୍ଧରେ ଆକାଶପାତାଳ ଚିନ୍ତା କରି କରି ଚାଲିଥାଏ ବିଭୁପ୍ରସାଦ–ଆପଣାର ବସା ଉଦ୍ଦେଶ୍ୟରେ । ସେ ଚାଲିଥାଏ ଠିକ୍ ଗୋଟିଏ ଉପନିଷଦ ଯୁଗର ଶିଷ୍ୟ ଯେପରି ଚାଲିଥାଏ । ଆଉ ସେ ହଉଚି ପୁଣି ସେଇ ଶିଷ୍ୟ ଯେ ଆସିଥାଏ ଜ୍ଞାନାର୍ଜନ କରିବାକୁ–ଆପଣାର ପିତା ବା ଗୁରୁକୁଳାଶ୍ରମଠାରୁ ନୁହେଁ–ସ୍ଵୟଂ ଯମଠାରୁ !

 

ବସାରେ ଚୁଲି ପକାଇବାର ଏକ ଦୃଢ଼ସଂକଳ୍ପ ନେଇ ଆଜି ଚାଲିଥାଏ ବିଭୁପ୍ରସାଦ । ସେ ଚାଲିଥାଏ–ତା’ର ପ୍ରିୟ ଚାକୁଣ୍ଡା ତେଲର ଗବେଷଣାଗାରଟିକୁ ପଛରେ ପକାଇ–ସେ ଆଜି ଚାଲିଥାଏ ଦୃଢ଼ ପଦକ୍ଷେପରେ । ଟିକିଏ ହେଲେ ଭାବପ୍ରବଣ ହୋଇ ସେ ଚାହୁଁ ନଥାଏ–ତା’ର ପଛର ସେଇ କାମିନୀଗଛ, ଲାଇବ୍ରେରିର ହରରଙ୍ଗୀ କାଚର ଝରକା, ସୂର୍ଯ୍ୟସ୍ତମ୍ଭ, ପୋର୍ଟିକୋ ପାଖର ମାର୍ବଲ ଫଳକ, ମୁଚୁକୁନ୍ଦ ଗଛ ଅଥବା ସାମନାର ଦେବଦାରୁ ଧାଡ଼ିମାନଙ୍କୁ । ସେ ଚାହୁଁ ନଥାଏ କିମ୍ବା ମନେ ପକୋଉ ନଥାଏ ପିଛିଲା ଦିନର ସେଇସବୁ ବିପଦ ସଙ୍କେତଗୁଡ଼ିକୁ–

 

“ମୁଁ କ’ଣ କହୁଥିଲି ଭାଇନା ? ବିଜ୍ଞାନ ? ଫେଲ୍ ଘରେ ଗୁଆ ପକେଇବାର ଇଚ୍ଛା ଅଛିତ ପୁଅକୁ ଆଇ.ଏସ୍‍ସି.ରେ ଦିଅ ! ମୁଁ କହୁ ନଥିଲି ?”

 

କିମ୍ବା–

 

“କଳାନେ ବାବା ! କଳାନେ ! କଳାହିଁ ଜୀବନ ! ବିଜ୍ଞାନ କ୍ଷଣିକ...”

 

ଚାଲିଥାଏ ବିଭୁପ୍ରସାଦ ଏକଲୟରେ । ଆଗରେ ବର୍ତ୍ତମାନ ତା’ର ଏକ ଲକ୍ଷ୍ୟ–ଚୁଲି ! ବାସ୍ !

 

ତେବେ ମଝିରେ, କଲେଜ ଛକ ଉପରେ ସେ ଯେତେବେଳେ ପହଞ୍ଚିଯାଏ, ତା’ର ସେଇ ନାକ ସଳଖ ଚାଲିଟା ଟିକିଏ ବାଧାପ୍ରାପ୍ତ ହୁଏ । ସେଇଠି, ତା’ର ଦେଖାହୁଏ–ତା’ର ସ୍କୁଲ୍‍ବେଳର ସାଙ୍ଗ ଆବୁମିଆଁ ସାଙ୍ଗରେ । ଆବୁମିଆଁ ଫେରୁଥାଏ ମଫସଲରୁ । ହଠାତ୍, ବହୁଦିନ ପରେ ଏଇ ଆବୁମିଆଁ ସହିତ ଦେଖାଟାକୁ ସହଜେ ଏଡ଼ାଇ ଦେଇ ପାରୁ ନଥାଏ ବିଭୁପ୍ରସାଦ । ତା’ ଛଡ଼ା, ସେଇ ମୁହୂର୍ତ୍ତରେ ନିଜେ ଆବୁମିଆଁବି ଥାଏ ଏକ ଦେଖିବାର ଜିନିଷ ! ତା’ର ମଫସଲ ଫେରନ୍ତି ଚେହେରା ଖଣ୍ଡକ ସତେ ! ସେତେବେଳେ ଆବୁମିଆଁ ଦିଶୁଥାଏ ଆରବିଆନ୍ ନାଇଟ୍ ଗପର ଏକ ବହୁମୂଲ୍ୟ ଜହରତ ବ୍ୟବସାୟୀ ପରି ! ତା’ର ସାଇକେଲ ଖଣ୍ଡିକ ଆଉ ତା’ର ପ୍ରତ୍ୟେକ ଗଣ୍ଠିଲିରୁ ଝୁଲି ପଡ଼ିଥିବା ସେଇ ପେନ୍ଥା ପେନ୍ଥା ମୁକ୍ତା ବା ହୀରାର ସ୍ତବକଗୁଡ଼ିକୁ ଦେଖିଦେଲେ କିଏ ବା ସ୍ତମ୍ଭୀଭୂତ ନ ହୋଇଯିବ ! ଆବୁମିଆଁ ମଫସଲରୁ ଅଣ୍ଡା ଚାଲାଣ କରୁଥାଏ ।

 

ବିଭୁପ୍ରସାଦ ଦେଖି ଖୁବ୍ ଖୁସିହେଲା ଆବୁମିଆଁ । ବହୁ ସନ୍ତର୍ପଣରେ ସାଇକେଲକୁ ବ୍ରେକ୍‍ କରି, ଆସ୍ତେ ଗୋଡ଼ ଲଗେଇ ଠିଆ ହେଇ ଏକ ଅମୀର ମାର୍କା ହସ ହସି ଆବୁମିଆଁ କହିଲା–

 

“କ୍ୟା ଭାଇ ! ଅବି କାହାଁ ହୋ ତୁମ୍ ?”

 

ଆବୁମିଆଁର ଚତୁଃପାର୍ଶ୍ଵରୁ ଝୁଲି ପଡ଼ିଥିବା ସେଇ ମୁକ୍ତା ପେନ୍ଥାଗୁଡ଼ିକୁ ଏକ ଅଙ୍ଗୁର କୋଳି–ଲୋଭୀ ଶୃଗାଳର ଦୃଷ୍ଟିରେ ନିରୀକ୍ଷଣ କରି ବିଭୁପ୍ରସାଦ କେବଳ ହାତଠାରି ଦେଖାଇଦେଲା, ତା’ ପଛର ନାଲି କୋଠାଟାକୁ କଲେଜ ବିଲ୍‍ଡିଂକୁ !

 

ଆବୁମିଆଁର ଦିଲ୍‍ଦାରିଆ ହସଟା ଆଦୌ ସଙ୍କୁଚିତ ନହୋଇ ବରଂ ଆହୁରି ଦିଲ୍‍ଦାରିଆଲା ହୋଇଗଲା । ଖୁବ୍ ଖୁସିହୋଇ ସେ ପୁଣି ପଚାରିଲା–

 

“ଓ ! ପ୍ରଫେସର୍ ସାହେବ ! ତୁମ୍ ଅବି ପ୍ରଫେସର୍‍ ବନ୍‍ ଗିୟା–ନେହିଁ ?”

 

ବିଭୁପ୍ରସାଦ ସେତେବେଳକୁ ଆସ୍ତେ ଆସ୍ତେ ଲାଗିଯାଏ ଆବୁମିଆଁର ଅଣ୍ଡା ବୋଝେଇ ସାଇକେଲଟା ଆଡ଼କୁ । ଅଣ୍ଡା ବାସ୍କେଟଗୁଡ଼ିକୁ ଏକ ଯାଦୁଘର ଦର୍ଶକର ଆଙ୍ଗୁଠିରେ ଛୁଇଁ ଛୁଇଁ ଦେଇ ବିଭୁପ୍ରସାଦ ଉତ୍ତର ଦିଏ, ତା’ର କୈଶୋର ଆବୁମିଆଁର ପ୍ରଶ୍ନର ।

 

ଏବଂ, ବିଭୁପ୍ରସାଦ ସେ ଉତ୍ତରରୁ ଆବୁମିଆଁ କ’ଣ ବୁଝେ କେଜାଣି ହଠାତ୍ ଆଁକରି ଥମିଯାଇ ସେ କହିପକାଏ–“ଆରେ ! ତୁମ୍ ଏତେନା ବଡ଼ା ଆଦମୀ ବନ୍‍ ଗିୟା ହୋ–ଏଇ ଦଶ୍ ବାର୍ ସାଲ୍ କା ଅନ୍ଦର ଅନ୍ଦର ମେ ? ତୁମ୍ ଅବି ରିସର୍ଚ୍ଚ ଇସ୍କଲର୍ ହୋ ?” ସାହସ କରି ଆବୁମିଆଁର ବାସ୍କେଟ୍‍ରେ ହାତ ପୂରେଇ ଦୁଇଟା ବଡ଼ବଡ଼ ଫାର୍ମ କୁକୁଡ଼ା ଅଣ୍ଡା ହାତରେ ଧରି, ସେମାନଙ୍କର କୋହିନୁରୀୟ ଉଷ୍ମତାକୁ ଗାଲରେ, ଓଠରେ ଆଉ ଚିବୁକରେ ଅନୁଭବ କରୁକରୁ ବିଭୁପ୍ରସାଦ ତା’ର କୈଶୋରବନ୍ଧୁ ଆବୁମିଆଁକୁ ହଠାତ୍ ପ୍ରଶ୍ନକରେ–

 

“ଆଚ୍ଛା ଭାଇ ! ଏଥିରୁ ଦିଇଟା କିଣିବାକୁ ଚାହିଁଲେ କିଛି ଆପତ୍ତି ଅଛି ତମର ?”

 

ହଠାତ୍ କାହିଁକି କେଜାଣି କୃତକୃତ୍ୟ ହୋଇଉଠେ ସୌଦାଗର ଆବୁମିଆଁ ! ବିଭୁପ୍ରସାଦର ହାତକୁ ଆଉ ଦିଇଟା ବଢ଼େଇ ଦେଇ ସେ କହେ–

 

“ଆରେ ଭାଇ ଇସ୍‍ ମେ କ୍ୟା ହୈ । ଲେଓ ଲେଓ ନା ତୁମ୍ । ଔର ଦୋ ଚାର ଲେଲୋ । ଇସ୍ ମେ କ୍ୟା ହୈ ? ଲେକିନ୍ ତୁମ୍‍ହାରା ମାଫିକ୍ ଏତେନା ବଡ଼ା ଆଦମୀକୋ ମୈ କ୍ୟା ଦେ ଶକେଗେଁ ? .....ରିସର୍ଚ୍ଚ ଇସ୍କଲାର ତୁମ୍ ହୋ ! ନେହିଁ ?”

 

“ରିସର୍ଚ୍ଚ ସ୍କଲାର”–ସେ ଶବ୍ଦଟିକୁ କାହିଁକି ଏଭଳି ଏକ ଗୁରୁତ୍ଵ ଦେଲା ଆବୁମିଆଁ–ଭଗବାନ ଜାଣନ୍ତି । ହୁଏତ ଏଇ ସ୍କଲାର୍ ଶବ୍ଦଟି ତା’ ମୁଣ୍ଡରେ “ସ୍କଲାର୍‍ସିପ୍” ଭଳି ସ୍କୁଲ୍ ଦିନର କୌଣସି ସମ୍ମାନସୂଚକ ଶବ୍ଦର ପ୍ରତିକ୍ରିୟା ସୃଷ୍ଟି କରୁଥିଲା କି କ’ଣ କେଜାଣି ? ବିଭୁପ୍ରସାଦର ମନେ ପଡ଼ିଲା । ସେ ନିଜେ ସେତେବେଳେ ସ୍କୁଲ୍‍ରେ ପଢ଼ୁଥିଲା, କି ଭଳି ‘ସ୍କଲାର୍’ମାନଙ୍କୁ ସେ ଡରୁଥିଲା ସେତେବେଳେ । ଯୋଉମାନେ ମାଇନର୍ ସ୍କୁଲରୁ ବୃତ୍ତିପାଇ ଆସି ଖୁବ୍ କମ୍ପିଟିସନ୍ କରି ପାଠ ପଢ଼ୁଥିଲେ ସେତେବେଳେ ! ସେଦିନ ସେ ଆବୁମିଆଁବି ଥିଲା ସେମାନଙ୍କ ମଧ୍ୟରୁ ଜଣେ । ଆବୁମିଆଁ ମାଇନର୍‍ରେ ସ୍କଲାର୍‍ସିପ୍ ପାଇଥିଲା । ଅବଶ୍ୟ ମୁସଲମାନ ପିଲାଙ୍କପାଇଁ ରିଜର୍ଭ ଥିବା ସ୍କଲାର୍‍ସିପ୍‍ଟି ସେ ପାଇଥିଲା ସେତେବେଳେ । କିନ୍ତୁ ପରବର୍ତ୍ତୀ କାଳରେ ତା’ର କ’ଣ ହେଲା କେଜାଣି ମ୍ୟାଟ୍ରିକ୍ ଦଶମ ଶ୍ରେଣୀରୁ ଆବୁମିଆଁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲା ସ୍କୁଲ୍‍ରୁ । ଆଉ, ଏ ହଉଚି ସେଇ ଆବୁମିଆଁ ଯାହାକୁ ଆଜି ହିଂସା କରୁଚି ବିଭୁପ୍ରସାଦ !

 

ତା’ପରେ, ଆବୁମିଆଁ ସହିତ ବିଭୁପ୍ରସାଦର ଅନେକ ଦୁଃଖସୁଖ ହୁଏ ଓ ଶେଷରେ ଆବୁମିଆଁ ସାଇକେଲ ପେଡ଼ଲ୍ ଉପରେ ଗୋଡ଼ ଥୋଇ, ପୁଣି ଏକ ଅମିରି ହସ ହସିଦେଇ କହିଦେଇ ଯାଏଁ–

 

“ଆରେ ଭାଇ ତୁମ୍ ବେଧଡ଼କ୍ ଅଣ୍ଡେ ଯୋଗାଓନା ! ମୈ ପବ୍ଲିକକୋ ଦେଖାନେକା, ବତାନେକା ଔର ଚଖାନେକା ଭାର୍ ଲେତା ହୈ । ଔର ତୁମକୋ ମାଲୁମ ଅଛି–ମୈ ଅବି ଏକ ବଡ଼ା କାମ ହାତ୍‍ପର ଲେଇଛି ଭାଇ ! ମୈ ଅବି ଅଣ୍ଡେକା ଏକ ହୋଲ୍‍ସେଲ୍ ଡିଲର୍ ବନଗିୟା ହୈ । ମେରା ଟାରଗେଟ୍ ହୈ ଅବି ରୋଜ୍ରୋଜ୍ ଏକ ୱାଗନ୍ ଅଣ୍ଡେ କାଲ୍‍କାଟା ମାର୍କିଟ୍‍ ପର ଭେଜନା । ତୁମ୍ ଯଦି ମଦଦ୍ କରନ୍ତ ଭାଇ ମତେ ଏ କାମରେ ବହୁତ ଆଚ୍ଛା ହୁଅନ୍ତା । ଅବି ଓଡ଼ିଶାମେ ପୋଲ୍‍ଟ୍ରିଫାର୍ମିଂକା ବହୁତ ବଡ଼ା ଫ୍ୟୁଚର୍ ଅଛି । ପଶିଯା ଭାଇ ଏତିକିବେଳିଆ ପଶିଯା ସେ କାମରେ । ତୁମ୍ ସାଇଣ୍ଟିଷ୍ଟ୍ ଆଦ୍‍ମୀ ହୋ–ତୁମ୍‍କୋ ବହୁତ ଆଚ୍ଛା ଲଗେଗା ଓଇ କାମ୍ ! ଇଣ୍ଡିପେଣ୍ଡେଣ୍ଟ୍ କାମ୍ ହୈ । ଔର୍ ଜବ୍ ଦିଲ୍ ଲାଗିଯିବ କାମରେ ତ ଏକ ଦୋ ସାଲ୍ ମେ ଲାଲେଲାଲ୍ ବନ୍ ଯାଉଗା ଭାଇ ! ଆଜି ଅଣ୍ଡେ ମାର୍କେଟ କେତନା ତାଉ ଅଛି ତୁ ଜାଣିନୁ ଭାଇ । ଜେରା ମେହେରବାନି କରି ହାତର ବକ୍ସିବଜାର ଗୋଡ଼ାଉନ୍‍ର ଆଯାଓ–ଏକ ଦଫା ଆଖିରେ ଦେଖିଯିବୁ । ଅଣ୍ଡେ ସେ କେତ୍‍ନା ଭିଟାମିନ୍ ନିକଲତା ହୈ ଔର ଅଣ୍ଡେ ବିଜିନେସ୍‍ମେସେବି କେତନା ଭିଟାମିନ୍ ହୈ ସବୁ ମାଲୁମପଡ଼୍ ଯାଏଗା ଏକ ନଜର ମେ ।”

 

“ଆବୁମିଆଁର ବାସ୍କେଟ୍‍ର ଚାରୋଟି ବହୁମୂଲ୍ୟ ଅଣ୍ଡାକୁ ପକେଟରେପୂରେଇ ବିଭୁପ୍ରସାଦ ପୁଣି ଟିକିଏ ଆଉଁଷି ଆଣିଲା ଆବୁମିଆଁର ସେଇ ମୁକ୍ତାବୋଝେଇ ସାଇକେଲଟିକୁ । ତା’ପରେ ଆବୁମିଆଁ ଚାଲିଗଲା ପରେ ସେ ପୁଣି ଚାଲିଲା ନିଜର ବସା ଆଡ଼କୁ ଅର୍ଥାତ୍ ଚୁଲି ଆଡ଼କୁ-

 

କିନ୍ତୁ ଆବୁମିଆଁର ଆକସ୍ମିକ ସାକ୍ଷାତ, ତା’ର ପ୍ରାକଟିକାଲ୍ ଉପଦେଶ ଆଉ ସବାଉପରେ ଆବୁମିଆଁର ସେଇ ବାଗ୍‍ଦାଦୀ, ଧନାଢ଼୍ୟ ବଣିକର ରାଜକୀୟ ରୁଚିଯୁକ୍ତ ସମ୍ଭବର ଦୃଶ୍ୟଟି ବିଭୁପ୍ରସାଦକୁ ଯେତେବେଳେ ଏଭଳିଭାବେ ପ୍ରଭାବିତ କରିଥିଲା ଯେ ତା’ର ମନେ ହେଉଥିଲା ସତେ ଯେପରି ସେଇ ମୁହୂର୍ତ୍ତରେ କିଏ ତା’ର ହାତ ଧରି ଭିଡ଼ି ନେଇଯାଇଥାଏ ତାକୁ ମର୍ତ୍ତ୍ୟର କୌଣସି ଏକ ନନ୍ଦନକାନନକୁ–ଯେଉଁଠି, ଯେଉଁ “ଡିଭାଇନ୍ କମେଡ଼ି’ର ଶେଷପ୍ରାନ୍ତରେ ଠିଆ ହୋଇ ସେତେବେଳେ ସେ ଦେଖିବାକୁ ପାଉଥାଏ ସେଇସବୁ ଚମତ୍କାର ଦୃଶ୍ୟରାଜିକୁ !

 

ଆପଣାର ପକେଟ ଭିତରର ସେଇ ଅଣ୍ଡା ଚାରୋଟିକୁ ତା’ର ପରମ ସମ୍ବେଦନଶୀଳ ଆଙ୍ଗୁଠିଗୁଡ଼ିକର ଟିପଅଗରେ ଯେତେବେଳେ ବାରମ୍ବାର ଛୁଇଁ ଛୁଇଁ ଯେ ପୁନଃପୁନଃ ଅନୁଭବ କରୁଥାଏ ସେଇ ସବୁ ମୌଳିକ ପଦାର୍ଥଗୁଡ଼ିକର ମୃତସଞ୍ଜିବନୀ ସ୍ପର୍ଶଗୁଡ଼ିକୁ, ସେତେବେଳେ ବିଭୁପ୍ରସାଦର ପୈତୃକ ଭୌଗୋଳିକ ମସ୍ତିଷ୍କଟି ଖୁବ୍ ସହଜରେ ଅନୁମାନ କରିପାରୁଥାଏ ତତ୍ ସନ୍ନିହିତ ଅନ୍ୟାନ୍ୟ ସବୁ ସୂକ୍ଷ୍ମ ସାମାଜିକ, ଅର୍ଥନୈତିକ, ରାଜନୈତିକ, ବୈଜ୍ଞାନିକ ଆଉ ସବାଉପରର ସେଇ ବିଶ୍ୱଜନୀନ କାବ୍ୟିକ ଦୃଷ୍ଟିକୋଣଗୁଡ଼ିକୁ ।

 

ତା’ର ମନେ ପଡ଼ୁଥାଏ–କିଭଳି ପିଲାଦିନେ ଭୂଗୋଳରୁ ଅଷ୍ଟ୍ରେଲିଆର ଡାଉନ୍‍ସ ଚାରଣଭୂମିରେ ମେଷ ପାଳନର ଦୃଶ୍ୟ ଅନୁମାନ କରୁକରୁ ସେ କହିଥିଲା ତା’ର ବାପାଙ୍କୁ–

 

“ବାପା ! ଆମେ କାହିଁକି ମେଷ ପାଳନ ନକରୁଚେ ? ଚାଲ ଆମର ପଲେ ମେଣ୍ଢା ରଖିବା, ଆଉ ମେଷ ଲୋମ ଓ ମେଷ ମାଂସ ସବୁ ଦେଶ ବିଦେଶକୁ ରପ୍ତାନି କରି ଧନୀ ହେବା ।”

 

ବାର

 

ବିଭୁପ୍ରସାଦର ଘର–ରୋଷେଇ କାମଟି ଏଥିମଧ୍ୟରେ ବେଶ୍ ସୁରୁଖୁରୁରେ ଆରମ୍ଭ ହୋଇ ଯାଇଛି । ଆଉ, ତା’ ସହିତ ସବୁଠୁ ଭଲ କଥା ହେଲା ନଟବର ମଧ୍ୟ ମିଶି ଯାଇଛି ବିଭୁପ୍ରସାଦ ସହିତ ରୋଷେଇ କାମରେ । ବଜାର ଖାଦ୍ୟର ଅସାରତା ଆଉ ମାରାତ୍ମକତା ଉଭୟ ଉପଲବ୍ଧି କରି, ବର୍ତ୍ତମାନ ରୋଷେଇ କାର୍ଯ୍ୟଟି ଖୁବ୍ ଜୋର୍‍ସୋର୍‍ରେ ଚାଲିଛି ବିଭୁପ୍ରସାଦର ନୀରବ ନିଳୟ ମେସ୍‍ରେ କିନ୍ତୁ–ଏଥିମଧ୍ୟରେ ନଟବରର କେମିକାଲ୍ କଟେଜ୍ ଇଣ୍ଡଷ୍ଟ୍ରି ଯୋଜନାଟି ହଠାତ୍ ବାଧାପ୍ରାପ୍ତ ହୁଏ । ସେ ଦିନ ଗାଁରୁ ତା’ପାଇଁ ଖଣ୍ଡିଏ ଚିଠି ଆସି ପହଞ୍ଚେ–

 

“ମାଆକୁ ଦେଖିବାର ଇଚ୍ଛା ଅଛି ତ ଜଲଦି ବସିବା ଥାନରୁ ଉଠିଆ । ଆସିଲାବେଳକୁ ସାଙ୍ଗରେ କିଛି ଫଳ ଓଗେର ଘିତି ଆସିବାକୁ ଯେମିତି ନ ଭୁଲୁ.... !”

 

ପୋଷ୍ଟ୍‍କାର୍ଡ଼୍‍ ଖଣ୍ଡକୁ ଓଲଟପାଲଟ କରୁ କରୁ ନଟବର ଟିକିଏ ଗୁମ୍‍ମାରି ବସିପଡ଼ିଲା-। ବିଭୁପ୍ରସାଦ ସେପର୍ଯ୍ୟନ୍ତ ଜାଣି ନଥାଏ ଚିଠି ଖଣ୍ଡକର ପ୍ରକୃତ ମର୍ମ କ’ଣ ।

 

ସେଦିନ ଲାବୋରେଟୋରୀରୁ ବାହାରି ଆସିଲା ପରେ ନିଜେ ବିଭୁପ୍ରସାଦ ମଧ୍ୟ ନଟବରକୁ ତା’ର ପ୍ରସ୍ତାବିତ ‘ଫେରସ୍ ଆମୋନିୟମ ସଲଫେଟ’ ଶିଳ୍ପପାଇଁ ଆବଶ୍ୟକ ହେଉଥିବା ପୁରୁଣା ଟର୍ଚ୍ଚଲାଇଟ୍ ବ୍ୟାଟେରୀ ଆଉ ସେଇ ‘କ୍ୟାଟ୍ ଉଇଥ୍ ନାଇନ୍ ଲାଇଭସ୍’ ବା ‘ଏକ ନଅ ଜୀବୀନିଆ ବିରାଡ଼ି’ ମାର୍କା ସେଇ ସବୁ ପୁରୁଣା ରେଡ଼ିଓ ବ୍ୟାଟେରୀ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିବାରେ ମନୋନିବେଶ କରିବାକୁ ଆରମ୍ଭ କରିଆସୁଥାଏ । ସହରରେ ବହୁ ଜଣାଶୁଣା ବ୍ୟାଟେରୀସେଟ୍ ରେଡ଼ିଓବାଲା ବନ୍ଧୁଙ୍କର ଖୋଜ୍‍ଖବର ନେଇ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା ବ୍ୟତୀତ ବିଭୁପ୍ରସାଦର ମୁଣ୍ଡକୁ ଯୁଟିଥାଏ ଆଉ ଏକ ଚମତ୍କାର ଆଇଡ଼ିଆ !

 

ବିଭୁପ୍ରସାଦ, ନଟବରକୁ ଶୁଣେଇଥାଏ–

 

“ଦେଖ୍ ! ପୃଥିବୀର ସବୁ ବଡ଼ଲୋକ ଆଉ ବଡ଼ ଅନୁଷ୍ଠାନ–ସମସ୍ତଙ୍କର ଆରମ୍ଭ ହେଉଛି ମୂଳରୁ–ଏକେବାରେ ମୂଳରୁ । ଆଉ ତା’ ଛଡ଼ା, ଜଣେ ବୈଜ୍ଞାନିକ ପକ୍ଷରେ କୌଣସି ଦୁର୍ଦ୍ଦଶାର ପ୍ରତିକାର କରିବାକୁ ଯିବା ଅର୍ଥ, ତାକୁ ପ୍ରଥମେ ଖୋଜିବାକୁ ପଡ଼େ ସେଇ କାର୍ଯ୍ୟଟିର ମୌଳିକ ଉତ୍ସଟିକୁ । ଆମ୍ଭମାନଙ୍କର ବର୍ତ୍ତମାନର ଦୁର୍ଦ୍ଦଶା ହେଲା କ୍ଷୁଧା ଆଉ ଦାରିଦ୍ର୍ୟ । ଏ ଦୁଇଟିର ପ୍ରତିକାର କରିବାକୁ ହେଲେ ଆମକୁ ଆରମ୍ଭ କରିବାକୁ ହେବ ପୁଣିଥରେ ମୂଳରୁ । ଅବଶ୍ୟ ଏ ବିଷୟରେ ଚିନ୍ତା ରାଜ୍ୟରେ ତୁ ମୋର ଅଗ୍ରଜ । ଆଉ, ସେଇଥିପାଇଁ ମୁଁ ତତେ ତୋର ଏଇ ‘କେମିକାଲ୍‍ କଟେଜ୍ ଇଣ୍ଡଷ୍ଟ୍ରି’ କାର୍ଯ୍ୟରେ ସାହାଯ୍ୟ କରିବାକୁ ସ୍ଥିର କରିଛି । କିନ୍ତୁ ଦେଖ ! ଥରେ ଚିନ୍ତାକରି ଦେଖ–ତୋର ଏ ‘କେମିକାଲ୍‍ କଟେଜ୍ ଇଣ୍ଡଷ୍ଟ୍ରି’ଟି କିନ୍ତୁ ପ୍ରକୃତ ମୌଳିକ ପ୍ରତିକାର ନୁହେଁ । ଆମକୁ ପ୍ରଥମେ କ୍ଷୁଧା ବିରୁଦ୍ଧରେ ସଂଗ୍ରାମ କରିବାକୁ ହେବ । ତେଣୁ ଆମକୁ ଆରମ୍ଭ କରିବାକୁ ହେବ ପ୍ରକୃତ ମୂଳରୁ–ଓ, ତାହା ହେଉଚି ଚାଷ !”

 

ନଟବର ସେତେବେଳେ ବିଭୁପ୍ରସାଦ କଥାର ପ୍ରକୃତ ଅର୍ଥ ଆଉ ଉପାୟ ବୁଝିନପାରି ତାକୁ ଥଟ୍ଟା କରି କହିଥିଲା–

 

“ଠିକ୍ ଅଛି । ଅପେକ୍ଷା କର । ମୁଁ, ବାୟୁମଣ୍ଡଳରେ ଚାଷ କରିବାର ଏକ ନୂତନ ପ୍ରଣାଳୀ ଆବିଷ୍କାର କରିସାରେ, ତା’ପରେ ତୁ ଆରମ୍ଭ କରିବୁ ।”

 

କିନ୍ତୁ ବିଭୁପ୍ରସାଦ ହାରି ଯାଇ ନଥିଲା । ସେ ବାହାରି ଆସିଲା ଏଥର ତା’ର ସେଇ ସ୍ୱପ୍ନଟିକୁ କାର୍ଯ୍ୟରେ କରି ଦେଖାଇ ଦେବାପାଇଁ । ନଟବରକୁ ଆହ୍ଵାନ ଦେଇ ସେ କହିଥିଲା–

 

“ଦେଖ୍ ! ତୋର ଗୋଟାଏ ଭୁଲ ଧାରଣା ଅଛି । ଚାଷ କରିବା ଅର୍ଥ ତୁ ଭାବିଚୁ ବୋଧହୁଏ ପଚାଶ ଷାଠିଏ ହଜାର ଏକର ଜମି ପ୍ରଥମେ ନହେଲେ ଚାଷକାର୍ଯ୍ୟ ହେଇ ପାରିବ ନାହିଁ । କିନ୍ତୁ ତୁ ଦେଖ୍ ! ମୁଁ ତ ମୋ ବାପାଙ୍କ ପାଖକୁ ଲେଖି ସାରିଲିଣି–ସେ ଏଥିଭିତରେ ରିଟାୟର କରୁଛନ୍ତି–ତାଙ୍କର ପ୍ରୋଭିଡ଼େଣ୍ଟ ଫଣ୍ଡ ଆଉ ପେନ୍‍ସନ୍ ବାବତ ତ ନିଶ୍ଚୟ କିଛି ମିଳିବ । ସେଇଥିରୁ ଷ୍ଟାର୍ଟ୍‍ କରି ମୁଁ ପ୍ରଥମେ ହାତଦେବି ଆମ ଗାଁର ସେଇ ପାଞ୍ଚଏକର ଜମି ଉପରେ । ଦେଖାଯାଉ କ’ଣ ହଉଚି । ଗୋଟାଏ ଏକ୍‍ସପେରିମେଣ୍ଟ ତ ! ଜମି ତ ବେଶ୍ ଅଉଲ ଜମି । ନାଳ–କୂଳିଆ । ରେଭେନ୍‍ସା ସାହେବଙ୍କ ଦୟାରୁ ଯାହାହଉ ଆମେ କେବଳ ତାଙ୍କ କଲେଜରେ ପାଠପଢ଼ି ମଣିଷ ହୋଇନାହୁଁ–ତାଙ୍କ କଲମର ଗାର ଭଳି ସେଇ ଯୋଉ ତାଳଦଣ୍ଡା କେନାଲଟି ବୋହି ଯାଇଚି ଆମ ଗାଁ ପାଖେ ! ତୁ ସେ ଜମିକୁ ଦେଖିନୁ ନଟବର । ମୁଁ ଭାବୁଚି–ଯଦି ଜଣେ ଲୋକ ମନଦେଇ ସେଇ ପାଞ୍ଚୋଟି ଏକରରୁ ମଧ୍ୟ ଆରମ୍ଭ କରେ–ଖାଲି କୋବି ଆଉ ଟମାଟୋ ! ଆଃ ! ବର୍ଷ ପାଞ୍ଚଟାରେ ସେ ନିଶ୍ଚୟ ଲାଲେଲାଲ ହେଇଯିବ । କାହିଁକି ? କୋବି ଗୋଟାକ ମନେକର ଯଦି ଟଙ୍କାଏ ବିକ୍ରି କରାଯାଏ ତାହାହେଲେ ପାଞ୍ଚ ହଜାରଟା କୋବି ତ ଏକା ଉଠେଇବ ପାଞ୍ଚହଜାର ଟଙ୍କା । ଆଉ ପାଞ୍ଚ ହଜାର କୋବି ଫସଲପେଇଁ କେତେ ଭୂଇଁ ଦରକାର ?”

 

ଏହିପରି ନାନା କଳ୍ପନା ଜଳ୍ପନା ଭିତରେ ନଟବର ଆଉ ବିଭୁପ୍ରସାଦଙ୍କର ‘କେମିକାଲ୍‍ କଟେଜ୍ ଇଣ୍ଡଷ୍ଟ୍ରି’ର କାର୍ଯ୍ୟ ଚାଲି ଆସୁଥାଏ । ଆଉ, ତା’ ସହିତ, ଅର୍ଥାତ୍ ନଟବର ସହିତ ଟକ୍କର ଦେଇ, ଏକ ଏକ୍‍ସପେରିମେଣ୍ଟାଲ ବେସିସ୍‍ରେ ବିଭୁପ୍ରସାଦ ମଧ୍ୟ ଆରମ୍ଭ କରିବାକୁ ବସିଥାଏ ଏକ ଛୋଟ କାଟର ‘ପୋଲ୍‍ଟ୍ରିଫାର୍ମିଂ’ ବା କୁକୁଡ଼ା ଚାଷ–ତା’ର ସେଇ ‘ନୀରବ ନିଳୟ’ ବସାଘରଟିର କ୍ଷୁଦ୍ର ପରିସର ମଧ୍ୟରେ । ଆବୁମିଆଁ ପ୍ରଦତ୍ତ ସେଇ ଅଣ୍ଡା ଚାରୋଟିକୁ ଏପର୍ଯ୍ୟନ୍ତ ଖାଇଦେଇ ନଥାଏ ବିଭୁପ୍ରସାଦ । ଖାସ୍ ନଟବର ଆଗରେ, ଚାଷ ସଂକ୍ରାନ୍ତରେ ନିଜର ଦୃଢ଼ ମନୋଭାବର ଏକ ଦୃଷ୍ଟାନ୍ତଗତ ପ୍ରମାଣ ଦେବାପାଇଁ ବିଭୁପ୍ରସାଦ ସେତେବେଳେ ପ୍ରସ୍ତୁତ ହେଉଥାଏ ଆଉ ନଟବରକୁ ଦେଖେଇ ଶୁଣେଇ କହୁଥାଏ–

 

“ଆଚ୍ଛା ଦେଖ୍ ! ଏଇ ଅଣ୍ଡା ଚାରୋଟିକୁ ଚାହାଁ । ଏଇ ଚାରୋଟି ଅଣ୍ଡାକୁ ମୂଳ କରି, ଅନ୍ତତଃ ବର୍ତ୍ତମାନ ପାଇଁ, ଗାଁକୁ ଯିବା ପୂର୍ବରୁ ମୁଁ କ’ଣ କରିପାରୁଚି ଦେଖ୍ !”

 

ଏବଂ ଠିକ୍ ତା’ର ପରେ, ଗୋଟିଏ ଲଣ୍ଠନ ନେଇ, ତା’ ଉପରେ ଗୋଟିଏ ବିସ୍କୁଟ୍ ଡବା ଥୋଇ, ଏକ ଲାବୋରେଟୋରୀ ଥର୍ମୋମିଟର ସାହାଯ୍ୟରେ ଅଣ୍ଡା ଉଷୁମେଇବା ପାଇଁ ଏକ ଥର୍ମୋଷ୍ଟାଟ୍‍ର ନିର୍ମାଣ କାର୍ଯ୍ୟରେ ବିଭୁପ୍ରସାଦ ବ୍ୟସ୍ତ ରହିଥିବା ସମୟରେଇ ନଟବରର ଗାଁରୁ ଆସି ପହଞ୍ଚିଯାଏ ସେଇ ବ୍ୟାଘାତକାରୀ ଚିଠି ଖଣ୍ଡକ ।

 

କାମ କରୁ କରୁ ମଝିରେ ହଠାତ୍ ନଟବରକୁ ଏଭଳି ଗୁମ୍‍ମାରି ବସି ପଡ଼ିବାର ଦେଖି, ବିଭୁପ୍ରସାଦ ପ୍ରଥମେ କିଛି ଠଉର କରିପାରିଲା ନାହିଁ । ପୂର୍ବ କଥାର ଖିଅଧରି ସେ ଟିକିଏ ଥଟ୍ଟାଳିଆ ସ୍ଵରରେ ନଟବରକୁ କହିଲା–

 

“କିରେ ! ନୀଳକଇଁ ପୁଣି ଚିଠି ଦେଲାକି ! ମୁଁ କହୁଚି–ତାକୁ ଯା ଘିନିଆ । ଆଜିକାଲି ଯୁଗରେ ଖାଲି ଖାଦ୍ୟ ବିଷୟରେତ ଇକନମିକାଲ୍ ହେଇଗଲେ ହେବନାହିଁ । ବିବାହ କାର୍ଯ୍ୟରେବି ଇକନମିକାଲ୍ ହବା ଦରକାର । ତୁ ଯା–ଘିନିଆ ସେ ନୀଳକଇଁକୁ–ଏ ବସାରେ ଗୋଟାଏ ମାଇକିନିଆ ଝିଅ ନହେଲେ ଆଉ ଚଳି ହବନାଇଁ ମୁଁ ଯାହା ଦେଖୁଚି !”

 

ବିଭୁପ୍ରସାଦ ଏଇ ଯୋଉ ନୀଳକଇଁ ବିଷୟରେ ସେତେବେଳେ ନଟବରକୁ ଚିଡ଼ୋଉଥାଏ, ସେ ହେଉଚି ସେଇ ନୀଳକଇଁ ଯାହା ବିଷୟରେ ପୂର୍ବେ ନଟବର ଖୁବ୍ ଗପୁଥିଲା–ଯାହା କଥା ନଟବର ଆଗେ କହୁଥିଲା କଲେଜ ଗେଟ୍ ପାଖର ମୁଣ୍ଡା ମୁଣ୍ଡା ପକ୍ଷୀମଳକୁ ଶୁଙ୍ଘୁଶୁଙ୍ଘୁ, ନିଜର କଳିକତି ଫେରନ୍ତି ମାମୁଁ ଆଉ ତାଙ୍କର ସେଇ ମେମ୍ ସାଇବର ଲଭ୍ ଲେଟ୍‍ର କଥା କହୁ କହୁ ଭାଲୁକୁଣୀ ଓଷାର ଜାଙ୍ଗୁଲୁଜାଙ୍ଗୁଲୁ ରାତିମାନଙ୍କରେ ଅନ୍ଧାର ଗୁଡ଼ୁ ଗୁଡ଼ୁ ଆଉ ମଶାଣି ଚଣ୍ଡୀମାନଙ୍କର ଉଜାଗର ମୁହୂର୍ତ୍ତରେ ଯୋଉ ଝିଅଟି ନଟବରର ପେଣ୍ଟ୍ ପକେଟ୍‍ରେ ଚିଠି ପୂରେଇ ଦେଇଥାଏ–ଏ ହଉଚି ସେଇ ନୀଳକଇଁ–ମୌଳିକ ନୀଳକଇଁ–ଯାହାର ବାସ୍ନାକୁ ବିଭୁପ୍ରସାଦ କାଳକ୍ରମେ ଆରୋପ କରିଥାଏ ଅବଶ୍ୟ ମୁରାଶା ଝିଅଟି ଉପରେ ।

 

କିନ୍ତୁ, ବିଭୁପ୍ରସାଦର ରହସ୍ୟରେ ଭାଗ ନେବାତ ଦୂରର କଥା–ନଟବରର କ’ଣ ହେଲା କେଜାଣି, ହଠାତ୍ ଗୋଟାଏ ନାଗସାପ ଭଳି ସ୍ଵର ଟେକି ସେ ଗର୍ଜି ଉଠିଲା ଆଉ କହିଲା–

 

“ଆଗ ମତେ ଖଣ୍ଡେ ଠେଙ୍ଗାଦେ ତ ଭାଇ ! ବର୍ତ୍ତମାନ ମୁଁ ସେ ସରକାରୀ ପୋଷ୍ଟ୍‍ମାଷ୍ଟର୍‍କୁ ମାରିବି ତା’ପରେ ଯାଇ ଗାଁକୁ ଯିବି–ମା’ ଶୁଦ୍ଧ କରିବାକୁ ।”

 

ନଟବରର ଏଇ ଆକସ୍ମିକ ବିସ୍ଫୋରଣରେ ବିଭୁପ୍ରସାଦ କାବାଭୂତ ହୋଇଗଲା ଏବଂ ସେ ଏପରିଭାବେ ଚମକି ପଡ଼ିଲା ଯେ ତା’ର ଅଜାଣତରେ ସେ କେତେବେଳେ ଗୋଟାଏ ଅଣ୍ଡା ଉପରେ ହାତ ଭରା ଦେଇ ଠିଆହେଇ ପଡ଼ିଲା ସେ ବିଷୟରେ ଖିଆଲ ନଥିଲା ତା’ର ।

 

ନଟବର ସେତେବେଳକୁ କମ୍ପୁଥାଏ । ସେ ଚିତ୍କାର କରୁଥାଏ–

 

“ଦେଖ୍ ! ମୁଁ ଯଦି ଆଜି ସେ ସରକାର ପୋଷ୍ଟ୍‍ମାଷ୍ଟର୍‍ର ମୁଣ୍ଡ ଛତୁ ନ କରିଚି ମୁଁ ବୋପାର ପୁଅ ନୁହେଁ । ଆଉ, ମୁଁ ଯଦି ଏଣୁ ଯାଇ ଦେଖେ ଯେ ମୋ ମା’ ମରିଯାଇଚି–ତାହାହେଲେ ମୁଁ ସେ ଲୋକକୁ ମର୍ଡ଼ର କେସ୍ ପକେଇବି । ସେଇ ମାରିଚି । ମୋ ମାଆକୁ ସେଇ ନିଶ୍ଚୟ ମାରିଚି ! ତା’ରି ସରକାର ! ସେଇ ପୋଷ୍ଟ୍‍ମାଷ୍ଟର୍‍ର ସରକାର ମାରି ଦେଇଚି ମୋର ମା’କୁରେ ଆଜି......ସେଇ ମାରି ଦେଇଚି ।”

 

ନଟବରକୁ ଧରାଧରି କରି, ବିଭୁପ୍ରସାଦ ବହୁ କଷ୍ଟରେ ତା’ ହାତରୁ ପୋଷ୍ଟ୍‍କାର୍ଡ଼୍ ଖଣ୍ଡକ ଆଣିଲା ଓ ସବୁ ଖବର ବୁଝିପାରିଲା । ଚିଠିଟିର ଡାକ ମୋହରକୁ ପରୀକ୍ଷାକରି ବିଭୁପ୍ରସାଦ ବୁଝିପାରିଲା–ନଟବରର ସେଇ ସବୁ ବିସ୍ଫୋରଣର କାରଣ । ସେଗୁଡ଼ିକ ସବୁ ଯେ ନଟବର ପକ୍ଷରେ ନ୍ୟାୟୋଚିତ ବିସ୍ଫୋରଣ ଥିଲା ଏଥିରେ ଆଉ ସନ୍ଦେହ ନଥିଲା ବିଭୁପ୍ରସାଦର । ତେବେ ଖଣ୍ଡିଏ ଚିଠିକୁ ଚାଳିଶ ମାଇଲ ବାଟ ଆସିବାପାଇଁ ଦଶଦିନ ସମୟ ଯେ କାହିଁକି ଲାଗିଲା ସେ ବିଷୟରେ କୌଣସି କାରଣ ଖୋଜିବାପାଇଁ ହାତପାହାନ୍ତିରେ ଆଉ ସମୟ ନଥିଲା ଅବଶ୍ୟ ।

 

ବିଭୁପ୍ରସାଦ, ନଟବରକୁ ଶାନ୍ତ କରିବାକୁ ଲାଗିଲା ଆଉ କହିଲା–

 

“ଦେଖ୍ ! ବର୍ତ୍ତମାନ ତେଣେ ମା’ର ଅବସ୍ଥା କ’ଣ ହେଲାଣି ନଦେଖି ପୋଷ୍ଟାଲ୍ ଡିପାଟ୍‍ମେଣ୍ଟ ବିରୁଦ୍ଧରେ ଅଭିଯୋଗ କରିବାକୁ କୋର୍ଟକୁ ଦଉଡ଼ିବାର ବେଳ ଏ ନୁହେଁ । ପ୍ରଥମେ ମୌଳିକ କର୍ତ୍ତବ୍ୟପ୍ରତି ଲକ୍ଷ୍ୟ ଦବା ଆମର କର୍ତ୍ତବ୍ୟ । ଯା–ଜଲଦି ଗାଁକୁ ଯା–ବୁଢ଼ୀର ହାଲତ କ’ଣ ହେଲାଣି ଦେଖ୍ ।”

 

“କିନ୍ତୁ ସେ ରୋଗ୍ କାହିଁକି ମୋ ଚିଠିକୁ ପକେଇ ରଖିଲା ?–“ଏଥିପେଇଁ ଦାୟୀ କିଏ-?” ନଟବର ତଥାପି ଗର୍ଜୁଥାଏ ।

 

କିନ୍ତୁ ସେ ଯାହାହଉ ନଟବରକୁ ଶାନ୍ତ କରାଇବାରେ ସେଦିନ ବିଶେଷ ସାହାଯ୍ୟ କରେ ବିଭୁପ୍ରସାଦ । ତାକୁ ସେ ଭଲଭାବେ ବୁଝେଇଦିଏ ଯେ ପ୍ରକୃତ ଦୋଷଟା ପୋଷ୍ଟାଲ୍ ଡିପାଟ୍‍ମେଣ୍ଟର ନୁହ । ଦୋଷଟା ହଉଚି ନଟବର ପକ୍ଷର । ଏଭଳି ଏକ ଜରୁରୀ ଅବସ୍ଥାରେ ସାଧାରଣ ଚିଠିଟିଏ ପଠାଇବାହିଁ ହେଉଛି ପ୍ରଥମ ଭୁଲ । ଆଉ ଏ ଭୁଲବି ଯେ କରିଛି, ଅର୍ଥାତ୍ ତାଙ୍କ ଗାଁର ସେଇ ଯେଉଁ ଶୁଭାକାଂକ୍ଷୀ ବ୍ୟକ୍ତିଟି ଦୟାପରବଶପୂର୍ବକ ଲେଖିଚି ଅନ୍ତତଃ ସେଇ ଚିଠିଟିକୁ, ତାକୁବି ଏଥିପାଇଁ ଦୋଷ ଦେଇ ଲାଭ ନାହିଁ । ସେ ଯେ ଚିଠି ଖଣ୍ଡିଏ ଲେଖିଛି, ଏତିକିହିଁ ଯଥେଷ୍ଟ । ତା’ ଛଡ଼ା, ନଟବରର ସେଇ ତଳମାଳ ଅଞ୍ଚଳର ଗାଁରୁ, ଯୋଉ ଇଲାକାରେ ଦଶମାଇଲ ଆକ୍ରାନ୍ତରେ ପୋଷ୍ଟ୍‍ ଅଫିସ୍’ର ଲୋକେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନାହାନ୍ତି, ସେ ଅଞ୍ଚଳରୁ ଚିଠିଖଣ୍ଡିଏ ଯେ ଆସି ପାରିଲା, ସେ ବି ବହୁ ଭାଗ୍ୟର କଥା । ତେଣୁ ଏଥିରେ ସହରର ସେଇ ବିଚରା ସରକାରୀ ପୋଷ୍ଟ୍‍ମାଷ୍ଟର୍‍କୁ ଦୋଷ ନଦେଇ, ବରଂ ଭାଗ୍ୟକୁ ଦୋଷ ଦେବା ବା ପ୍ରଶଂସା କରିବା ବ୍ୟତୀତ ନଟବରର ଆଉ କିଛି କହିବାର ଅଧିକାର ନଥିଲା ।

 

ଏବଂ ତା’ର ପରେ ପରେ ନଟବରକୁ ସାଙ୍ଗରେ ନେଇ ବିଭୁପ୍ରସାଦ ଯାଏଁ ପୁଣି ସେଇ ପୋଷ୍ଟ୍‍ ଅଫିସ୍‍ର ପୋଷ୍ଟ୍‍ମାଷ୍ଟର୍ ପାଖକୁ । ବିଭୁପ୍ରସାଦର ପାସ୍‍ବୁକ୍‍ରୁ ପଚାଶଟି ଟଙ୍କା ଡ୍ର ହୁଏ ଆଉ ନଟବର ଯାଏଁ ଗାଁକୁ । (ବିଭୁପ୍ରସାଦ ଏଥିମଧ୍ୟରେ ତା’ର ରିସର୍ଚ୍ଚ ସ୍କଲାର୍‍ସିପ୍ ବାବଦ ଛ’ ମାସକୁ ଛଅଶହ ବକେୟା ଟଙ୍କା ପାଇସାରିଥାଏ ଅବଶ୍ୟ ।) ଗାଁକୁ ଯିବା ପୂର୍ବରୁ ଏହି କଥା ନଟବରର ମନେ ପକେଇ ଦିଏ ବିଭୁପ୍ରସାଦ ଆଉ କହିଥାଏ–

 

“ଦେଖ୍ ! ସାଙ୍ଗରେ ଫଳ କିଛି ହେଲେ ନେଇ ଯାଇଥା, ଆଉ ବୁଝି ଖବରଦାର–ସେ ଫଳବାଲା ସାଙ୍ଗରେ ଯେପରି କଳି ନହୁଏ ପୁଣି । ସେମାନେ ତତେ ଚିହ୍ନିଚନ୍ତି, ଆଉ ତୋର ମୁଣ୍ଡର ସେ ଆବୁଟାବି ଏପର୍ଯ୍ୟନ୍ତ ରହିଚି ତତେ ଚିହ୍ନଟ କରିବାପେଇଁ । କଳି କରିବୁନି ତାଙ୍କ ସାଙ୍ଗରେ । ଯାହା ଦେବେ ନେଇ ଚାଲିଯିବୁ । ଆଉ, ଗଲାମାତ୍ରକେ ଯଦି ବୁଢ଼ୀର ଅବସ୍ଥା ବିଶେଷ ସାଂଘାତିକ ହେବାର ଦେଖୁ, ତାହାହେଲେ ସାଙ୍ଗେ ସାଙ୍ଗେ କଟକ ଘିନି ଆସିବାର ବ୍ୟବସ୍ଥା କରିବାରେ ଯେପରି ତ୍ରୁଟି ନରହେ.... ।

 

ନଟବରକୁ ଗାଁକୁ ପଠେଇ ଦେଇ ସେଦିନ ବିଭୁପ୍ରସାଦ ପୁଣିଥରେ ଫେରି ଆସେ ପୋଷ୍ଟ୍ଅଫିସ୍‍କୁ ଓ ଖଣ୍ଡିଏ ପୋଷ୍ଟ୍‍କାର୍ଡ଼୍ କିଣି ତା’ର ବାପାଙ୍କ ପାଖକୁ ଲେଖେ ଚିଠି ଖଣ୍ଡିଏ–

 

“ବାପା ! ଆପଣ ଚାକିରିରୁ ଅବସର ନେଉଛନ୍ତି ବୋଲି ନିରାମୟ ଖାଦ୍ୟ ଭଣ୍ଡାରର ମାଲିକ ବାସୁଦେବଠାରୁ ଖବର ପାଇଲି । ଏ ଖବର ଶୁଣି ମୁଁ ଦୁଃଖିତ ନହୋଇ ବରଂ ଆନନ୍ଦିତ ହେଉଛି । ଚାକିରି ଜୀବନର କ୍ରୀତଦାସତ୍ୱରୁ ସେମାନେ ଆପଣକୁ ମୁକ୍ତି ଦେଉଛନ୍ତି ଏହାହିଁ ମୋର ଆନନ୍ଦର ବିଷୟ ।

 

‘ହଁ ଅବସ୍ଥା ଚକ୍ରରେ ପଡ଼ି ମୋର ଗବେଷଣା ପୋଥିରେ ଡୋର ବନ୍ଧାହେଲା । ଆମ ଏଠାକାର ଡିପାଟ୍‍ମେଣ୍ଟ ଅବସ୍ଥା ବଡ଼ ସାଂଘାତିକ । ଯେଉଁ ମନମୋହନ କଥା ମୁଁ ଆପଣଙ୍କୁ ଆଗରୁ କହିଥିଲି, ସେ ମନମୋହନ ପୁଣି ଫେରିଲାଣି । ଆଉ ତା’ ଛଡ଼ା ଆମର ଗବେଷଣା ଦାୟିତ୍ୱରେ ଥିବା ଅଧ୍ୟାପକ ଡଃ ଜେନାଙ୍କର ଅବସ୍ଥା ମଧ୍ୟ ସେହିପରି । ଶୁଣାଯାଉଛି ସେ ବର୍ତ୍ତମାନ ଗବେଷଣା ଛାଡ଼ି ବିନୋବାବାଭେଙ୍କ ଭୂଦାନ ଆନ୍ଦୋଳନରେ ଯୋଗ ଦେବାପାଇଁ ପ୍ରସ୍ତୁତ ହେଉଛନ୍ତି । ଏପରି ପରିସ୍ଥିତିରେ ମୋର ଗାଁକୁ ଫେରିଯିବାହିଁ ଏକମାତ୍ର କର୍ତ୍ତବ୍ୟ ହୋଇ ରହିଛି ।

 

‘କିନ୍ତୁ କିଛି ଚିନ୍ତା ନାହିଁ । ମୁଁ ଆଦୌ ବିଚଳିତ ନୁହେଁ । ବରଂ ଠିକ୍ ଏହି ସମୟକୁ ଆପଣ ରିଟାୟାର କରୁଛନ୍ତି ଶୁଣି ମୁଁ ଆହୁରି ଆଶାବାନ ହେଉଛି । ଆପଣଙ୍କ ପ୍ରୋଭିଡ଼େଣ୍ଡ ଫଣ୍ଡ ଆଉ ପେନ୍‍ସନ୍ ବାବତ ଟଙ୍କାପାଇଁ ଜଲଦି ଦରଖାସ୍ତ କରନ୍ତୁ । ମୁଁ ୟାଡ଼ୁ ଏକ ବିରାଟ ଯୋଜନା ଧରି ଯାଉଛି । ଆପଣ ଦେଖିବେ ବର୍ଷ ପାଞ୍ଚଟାରେ ଯଦି ମୁଁ ଏକ ବିଶ୍ୱବିଖ୍ୟାତ ଚାଷୀ (ଏଗ୍ରିକଲଚରିଷ୍ଟ) ନହେଇଚି ତ ମତେ କହିବେ ।”

 

ଚିଠିଟିକୁ ପୋଷ୍ଟ୍ କରି ସାରିବା ପରେ, କାହିଁକି କେଜାଣି, ବିଭୁପ୍ରସାଦ ଟିକିଏ ଅଟକିଗଲା ସେଇ ଲେଟରବକ୍ସ ପାଖରେ । ତା’ପରେ ଚିଠି ବାକ୍ସର କଣା ଭିତରେ ହାତ ପୂରେଇ ସେ ଟିକିଏ ଦରାଣ୍ଡି ଆଣିଲା । କିନ୍ତୁ ନା । ଚିଠିଟିକୁ ହୁଏତ ଆଉ ଫେରାଇ ଆଣିବା ଉଚିତ ହେବନାହିଁ ଭାବି, ବିଭୁପ୍ରସାଦ ପୁଣି ଫେରାଇ ଆଣିଲା ତା’ର ହାତଟିକୁ । ତା’ପରେ ସେ ଫେରିଆସେ ବସାକୁ ଓ ଲାଗିପଡ଼େ ତା’ର ସେଇ ଅଣ୍ଡା ଉଷୁମେଇବା ଥର୍ମୋଷ୍ଟାଟ୍ ଯନ୍ତ୍ରଟିର ମୌଳିକ ନିର୍ମାଣ କାର୍ଯ୍ୟରେ ।

 

ଏବଂ, ସେତିକିବେଳେ ଯାଇ ଆବିଷ୍କାର କରେ ବିଭୁପ୍ରସାଦ ସକାଳର ଆକସ୍ମିକ ଦୁର୍ଘଟଣାଟିକୁ । ଆବୁମିଆଁ ପ୍ରଦତ୍ତ ଚାରୋଟି ଅଣ୍ଡାରୁ ସେଇ ଅଣ୍ଡାଟି ପେଚିକି ଯାଇଥାଏ ବିଭୁପ୍ରସାଦର ହାତ ତଳେ–ତା’ଭିତରର ସେଇ ଟିକିଟିକି ଆଖି ଦୁଇଟି, ଟିକି ଥଣ୍ଟଟି, ଟିକିଟିକି ଗୋଡ଼ ଦୁଇଟିର ମୌଳିକତମ ଅଂଶ ଆଉ ତା’ ଚାରିପାଖେ ସେତେବେଳକୁ ଘେରି ଯାଇଥିବା ନାଲି ନାଲି ପିମ୍ପୁଡ଼ି ମନ୍ଦାଟାକୁ ଦେଖି ପକେଇ ଚମକି ଉଠେ ବିଭୁପ୍ରସାଦ । ସେ ଚମକି ଉଠେ–ଯେଉଁପରି ଦିନେ ସେ ଚମିକିଥିଲା ତା’ର ଶୈଶବରେ, ଯେଉଁଦିନ ଗୁଲର୍‍ଟିଏ ଧରି ସେ ଗୁଳିକରି ମାରି ଦେଇଥିଲା ହଳଦିବସନ୍ତ ଛୁଆଟିକୁ–ଗୋଟାଏ ରାଗରେ–ଗୋଟାଏ ଅହନ୍ତାରେ–ଠିକ୍ ଏଇଭଳି ଏକ ଖରାଛୁଟିରେ–ଯୋଉଦିନ ରୋଗ ଶେଯରେ ପଡ଼ିଥିଲା ତା’ର ମା’–ଆଉ, ମାସ ମାସ ଧରି ଗୋଟିଏ କୁନି କଳା ଚଢ଼େଇ ଆସି ଚକ୍କର ମାରୁଥିଲା ତାଙ୍କ ଘର ଚାରିପାଖେ–ଏକ ଅଶୁଭ ଚଢ଼େଇ ବୋଲି ଯାହାକୁ କହୁଥିଲେ ତାଙ୍କର ଗାଁବାଲା–ଆଉ, ଯାହା ଉପରେ ଅହନ୍ତା ରଖି ସେଦିନ ସେ ମାରିଥିଲା ନିରୀହ ହଳଦିବସନ୍ତ ଚଢ଼େଇର ଛୁଆଟିକୁ !

 

କାହିଁକି କେଜାଣି ବିଭୁପ୍ରସାଦର ଦିହ ଶୀତେଇ ଉଠିଲା । ମନକୁ ମନ ସେ କହିଲା–ସେଇ ପିମ୍ପୁଡ଼ିଲଗା ମାଉଁସ ମେଞ୍ଚାଟିକୁ ଆଉଥରେ ଲକ୍ଷ୍ୟକରି “ଆହା ! ବୋଧହୁଏ ମା’ ୟାର କୁଡ଼କି ବସିଥିଲା–ଯେତେବେଳେ ଆବୁମିଆଁର ଏଜେଣ୍ଟ ଯାଇ ଛଡ଼େଇ ଆଣିଥିବ ୟାକୁ ତା’ର ମା’ ପେଟତଳୁ !”

 

ସେଥିସହିତ ପୁଣି ମନେ ପଡ଼ିଗଲା । ବିଭୁପ୍ରସାଦର–ସେଦିନର ଯୋଉ ପ୍ରାଣମୂର୍ଚ୍ଛା ଦଉଡ଼ା । ବେକ ମୋଡ଼ିହେଇ ତଳେ ଖସି ପଡ଼ିଥିବା ଚଢ଼େଇ ଛୁଆଟିକୁ ହାତକୁ ଟେକି ନେଇ ସେ ଯେତେବେଳେ ତା’ର କାନ ନାକ ଫୁଙ୍କିବା ଆରମ୍ଭ କରିଦିଏ ! ନାଲ ନାଲ କାଠଜନ୍ଦା କେତେଟା ସେତେବେଳକୁ ଧରି ନେଇଥାନ୍ତି ଖୁବ୍ ଜୋରରେ ତା’ର ଟିକିଟିକି କୁଣ୍ଡାଲଗା ପରଗୁଡ଼ିକୁ । ବିଭୁପ୍ରସାଦ ଦଉଡ଼େ । ସେ ଦଉଡ଼ି ଯାଏଁ ପ୍ରଥମେ ନିକଟସ୍ଥ ଗ୍ରାମଦେବତୀ ମୂର୍ତ୍ତି ନିକଟକୁ । ଗ୍ରାମଦେବତୀ–ଯେ ବସିଥାଏ ଗାଁମୁଣ୍ଡ ବରଗଛର ସେଇ କୋରଡ଼ ଭିତରୁ ଆପଣାର ଲାଲ ମୁଣ୍ଡଟିକୁ ପଦାକୁ କାଢ଼ି–ସଦାସର୍ବଦା ଯେ ଅନାଇ ରହିଥାଏ ତା’ର ସେଇ ବିକଟ ଚକ୍ଷୁ ଦିଇଟାଦ୍ଵାରା–ସାରା ଗାଁକୁ–ସାରା ଦେଶକୁ–ସାରା ବିଶ୍ୱବ୍ରହ୍ମାଣ୍ଡକୁ ! ଯେ ବିଚାର କରେ ସୃଷ୍ଟିର ସବୁ ପାପ–ପୁଣ୍ୟର । ଆଉ ଯାହା ପାଖରେ ମାଜଣା କଲେ ସେ ପୁନର୍ବିଚାର କରେ ଅଜ୍ଞାନ ମନୁଷ୍ୟ ଶିଶୁର କୃତକାର୍ଯ୍ୟକୁ !

 

ମୃତ ଚଢ଼େଇ ଛୁଆଟିପାଇଁ ମାଜଣା କରି ବାଳକ ବିଭୁପ୍ରସାଦ ପ୍ରାର୍ଥନା କରେ–

 

“ମା’–ତୁ ଯଦି ୟାକୁ ବଞ୍ଚାଇ ଦେଉ ତେବେ ତୋ ନିକଟରେ ଏକଲବ୍ୟ ପରି ମୋର ଏ ଆଙ୍ଗୁଠିଟି ବଳିଦେବି ମା’ !”

 

ଠାକୁରାଣୀ ସିନ୍ଦୂରରେ ଚଢ଼େଇ ଛୁଆଟିକୁ ଗୋଳିଦେଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରେ ବିଭୁପ୍ରସାଦ ।

 

ତା’ପରେ ସେ ପୁଣି ଉଠେ ଆଉ ପୁଣି ଦଉଡ଼େ । ସେ ଧାଇଁଯାଏ ଶିବ ମନ୍ଦିରକୁ । ସେଠି ମଧ୍ୟ ସାହାଯ୍ୟ ନ ପାଇ ସେ ଫେରିପଡ଼େ ପଛକୁ । ହଠାତ୍ ସେତିକିବେଳେ ମନେପଡ଼େ ତା’ର–ତାଙ୍କର କୁଳପୁରୋହିତ ଥରେ କହୁଥିଲେ ଯେ ତାଙ୍କ ଘରର ଯେଉଁ ଭାଗବତଗାଦିଟି ଅଛି, ସେଇଠି ଅଛି ପୋଥିଟିଏ ଯେଉଁଠି ଲେଖାଅଛି ସେଇ ମନ୍ତ୍ର–ଯାହାକୁ କୁହାଯାଏ ମହାମୃତ୍ୟୁଞ୍ଜୟ ମନ୍ତ୍ର ଏବଂ ଯାହାକୁ ପାଠ କଲେ ମୃତବ୍ୟକ୍ତି ବଞ୍ଚିଉଠେ ।

 

ଏହିପରି ଧାଁ ଦଉଡ଼ ଭିତରେ ଯେତେବେଳେ ସେ ଅଣନିଃଶ୍ୱାସୀ ହେଇ ପଡ଼ୁଥାଏ–ମନେପଡ଼େ ବିଭୁପ୍ରସାଦର–ସେଦିନ ଯେଉଁଭଳି ଅବସ୍ଥାରେ ସେ ଆତ୍ମସମର୍ପଣ କରିଥିଲା ତା’ର ବାପାଙ୍କ ନିକଟରେ ।

 

“ବାପା ! ବାପା ! ମୋର ଆଉ ତ୍ରାହି ନାହିଁ ବାପା ! ମୁଁ ଏକ ଗୁରୁତର ପାପ କରି ଦେଇଚି ବାପା !” କଇଁକଇଁ ହୋଇ କାନ୍ଦିଉଠେ ବାଳକ ବିଭୁପ୍ରସାଦ ।

 

ଆଉ ମନେପଡ଼େ ମଧ୍ୟ, ସେଦିନ କ’ଣ କହି ବୁଝେଇଥିଲେ ତା’ର ବାପା । ଶିଶୁ ପୁତ୍ରକୁ କୋଳକୁ ଟେକିନେଇ ଭବାନୀପ୍ରସାଦ ସେଦିନ କହିଥିଲେ ତା’ର କାନେକାନେ–ପାଖ ଘରେ ତା’ର ରୁଗ୍‍ଣା ମା’ ଅଧିକରୁ ଅଧିକ ଯନ୍ତ୍ରଣାରେ ଗୁମୁରି ଉଠୁଥାନ୍ତି–ଆଉ, ଭବାନୀପ୍ରସାଦ ବୁଝେଇ ଚାଲିଥାନ୍ତି ତାଙ୍କର ଶିଶୁ ପୁତ୍ରକୁ–

 

“ବାବା ! ଏଇ ମଲା ଚଢ଼େଇ ଛୁଆଟି ପ୍ରକୃତରେ କିଏ ଜାଣୁ ? ଏ ହଉଚି କାରୁଣ୍ୟ ! ଏଇଭଳି ଗୋଟିଏ ଚଢ଼େଇର ମରଣ ଦେଖି ମହର୍ଷି ବାଲ୍ମୀକି ରାମାୟଣ ରଚନା କରିଥିଲେ । ଯଦି ଏଇ ଚଢ଼େଇ ଛୁଆଟିର ମୃତ୍ୟୁ ତତେ ସେଇ ଅମୃତ ଭଳି କାରୁଣ୍ୟର ଅଧିକାରୀ କରିଚି, ତାହାହେଲେ ତୁ ତ ଏକ ବିରାଟ କବି ପାଲଟି ଯାଇଚୁ । ଏ ଚଢ଼େଇ ଛୁଆଟିକୁ ବଞ୍ଚେଇବାପାଇଁ, ୟା ଲାଗି ଏକ ରାମାୟଣ ଲେଖିବାକୁ ନ ଯାଇ, ତୁ ଏଣେତେଣେ ଧାଇଁଚୁ କାଇଁକିରେ ବାୟା ? ଆଉ, ଯେ ରାମାୟଣ ଲେଖି ନ ପାରିବ ସେ କାହୁଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ସାଧନ କରିବ ? ତା’ର କମଣ୍ଡଳୁ ଜଳରେ ମୃତସଂଜୀବନୀ ଶକ୍ତି ଆସିବ କାହୁଁ ?”

 

ଚଢ଼େଇ ଛୁଆର ମୃତ୍ୟୁ, ଆବୁମିଆଁ ଅଣ୍ଡାର ନଷ୍ଟଭ୍ରୂଣର କରୁଣ ଦୃଶ୍ୟ, ବିଷାକ୍ତ ଖାଦ୍ୟଦ୍ରବ୍ୟ, ମନମୋହନର ଅତ୍ୟାଚାର ଇତ୍ୟାଦି ଇତ୍ୟାଦି ସବୁକଥା ପାସୋରି ପକାଇବାକୁ ଚେଷ୍ଟାକରି ବିଭୁପ୍ରସାଦ ଏଥର ମନପ୍ରାଣ ଦେଇ ଲାଗିପଡ଼ିବାକୁ ଚେଷ୍ଟାକରେତା’ର ସେଇ ନୂତନ ଯୋଜନାଟି ପଛରେ । ନା–ତାକୁ ଗାଁକୁ ଫେରିବାକୁଇ ହବ, ଏବଂ ସମାଜର ଅବିଚାର ଲାଗି ପ୍ରତିକ୍ରିୟାଶୀଳ ନହୋଇ ବରଂ ତାକୁ ଲାଗିପଡ଼ିବାକୁ ହବ ସବୁ ବାସ୍ତବ ରଚନାତ୍ମକ କର୍ମଗୁଡ଼ିକର ପଛରେ । ତାକୁ ଆଦର୍ଶ ଦେଖାଇବାକୁ ହେବ । ଲାବୋରେଟୋରୀରେ ପିଏଚ.ଡ଼ି. ନହେଲେ ମଧ୍ୟ ବାସ୍ତବ ଜୀବନ କ୍ଷେତ୍ରରେ ଯେ ଅନେକ କିଛି ଗବେଷଣାର କ୍ଷେତ୍ର ତା’ ଲାଗି ଉନ୍ମୁକ୍ତ ରହିଛି ସେ ବିଷୟ ବେଶ୍ ବୁଝିପାରେ ବିଭୁପ୍ରସାଦ ।

ଏବଂ ତା’ରି ପରେ ପରେ ସେ ଲାଗିପଡ଼େ, ପୁଣିଥରେ ମନପ୍ରାଣ ଦେଇ ତା’ର ଲଣ୍ଠନ, ବିସ୍କୁଟ୍ ଟିଣ ଆଉ ଥର୍ମୋମିଟର ସଂଶ୍ଳେଷଣରେ ଗଢ଼ିଉଠୁଥିବା ସେଇ ଅଣ୍ଡା ଉଷୁମେଇବା ଥର୍ମୋଷ୍ଟାଟ୍‍ ଯନ୍ତ୍ରଟିର ନିର୍ମାଣ କାର୍ଯ୍ୟରେ ।

ସେ ଦିନ ଲାବୋରେଟୋରୀରେ ଖବର ଅନ୍ତର ନେବାକୁ ଯାଇ ବିଭୁପ୍ରସାଦ ଶୁଣିବାକୁ ପାଏ ଯେ ବିଭୁପ୍ରସାଦର ଗବେଷଣା–ତତ୍ତ୍ୱାବଧାରକ ପ୍ରଫେସର୍ ଡ: ଜେନା ସାତଦିନ ହେବ ଅସୁସ୍ଥ ଓ ଶଯ୍ୟାଶାୟୀ । କେହି ଜାଣେନା କ’ଣ ତାଙ୍କର ହୋଇଛି । କାହାରିକୁ ପାଖରେ ପୂରେଇ ଦଉ ନାହାଁନ୍ତି ସେ ! କାହାରି ସହିତ କଥାବାର୍ତ୍ତା ନାହିଁ ।

କେବଳ ଜଣେ ଗୈରିକ ବସ୍ତ୍ରଧାରୀ ବାବାଜି, ଯେ କି ଅଦ୍ଭୁତଭାବେ କେଉଁଠୁଁ ଆସି ଯୁଟି ଯାଇଛନ୍ତି ଏଥିମଧ୍ୟରେ, ତାଙ୍କୁ ଛାଡ଼ିଦେଲେ ଆଉ କାହାରିକୁ ଦେଖା କରିବାକୁ ସେ ଅନୁମତି ଦେଉ ନାହାନ୍ତି ।

 

ସେଦିନ ଚା’ କ୍ଳବ୍‍କୁ ଯାଇ ବିଭୁପ୍ରସାଦ ପୁଣି ଶୁଣିପାରିଲା ଏକ ଆଶ୍ଚର୍ଯ୍ୟଜନକ ଗୁଜବ । ଅଧ୍ୟାପକ ଜେନାଙ୍କର ଅସୁସ୍ଥତା ସମ୍ବନ୍ଧରେ ସେ ଶୁଣିବାକୁ ପାଇଲା ହରିଶ୍ ପିଅନଠୁଁ । ଚୁପ୍ ଚୁପ୍ ହରିଶ୍ କହିଲା ବିଭୁପ୍ରସାଦର କାନରେ–

 

“ସେ ତ ଏକ ଡିଟେକ୍‍ଟିଭ୍ ନଭେଲ୍ ହୋ ବାବା ! କିଏ ଗୋଟାଏ କ’ଣ ବେନାମୀ ଲେଖିଦେଲା । ଏ ସଂସାରରେ ବାବୁ ଏଡ଼େ ବଦମାସ ନୋକ ଅଛନ୍ତି ନା ପୁଣି ! ବୁଢ଼ାଟା ତ ଜାଣି ଡରକୁଳା । ହେଲେ ୟା ଭିତରେ ପୁଣି ଗୋଟାଏ ବେନାମୀ ଆଇଲା ବୁଢ଼ା ପାଖକୁ । ସେଥେରେ କୁଆଡ଼େ ନେଖା ଥେଲା ଅମୁକ ଦିନ ଅମୁକ ଥାନକୁ ନ ଆଇଲେ ମୁଁ ଆତ୍ମହତ୍ୟା କରିଦେବି । ବୁଢ଼ା ତ ସେଇ ଚିଠି ପାଇକିନା ଗୋଟାପଣେ ଥରିଲା–ଥରିବାଟା କ’ଣ ଅସଂଗତ କଥା ? ତା’ ନୁହେଁ ଯେ–ହେଲେ ଏଥିଭିତରେ ତୁମେ ଶୁଣିଲଣି ନା ଗୁଜବ ?”

 

ହରିଶ୍‍ର ସେଇ ଗମ୍ଭୀର ମୁହଁ ଆଉ ସ୍ଵରରେ କାହିଁକି କେଜାଣି ବିଭୁପ୍ରସାଦର ଦିହଟା ଟିକିଏ ଶୀତେଇ ଉଠିଲା ।

 

କିନ୍ତୁ ବିଭୁପ୍ରସାଦର ସେଇ ଭାବାନ୍ତରଟିକୁ ଲକ୍ଷ୍ୟ ନକରି, ବୁଢ଼ା ହରିଶ୍ ଆହୁରି ଟିକିଏ ଲଇଁ ପଡ଼ିଲା ବିଭୁପ୍ରସାଦର କାନ ପାଖକୁ, ଆଉ ଚୁପ୍ ଚୁପ୍‍କରି ସେଇ ପଦକ କଥା କହିଦେଇ ସେ ଆଡ଼ ହେଇଗଲା ।

 

ବିଭୁପ୍ରସାଦ ଉଠିପଡ଼ିଲା । ତା’ର ମନେହେଲା ସତେ ଯେପରି ତା’ର ପାଦତଳୁ ସେଇ ଦୋମହଲା କୋଠାର ଶୂନ୍‍ଛାତଟା ହଠାତ୍ ଖସି ପଡ଼ିଲା ।

 

ଏହି ସମୟରେ ଦି’ ଚାରିଜଣ ବୁଢ଼ା ବୁଢ଼ା ଲେକ୍‍ଚରର୍ ପଶି ଆସିଲେ ଚା’ କ୍ଳବ୍ ଭିତରକୁ । ହାତରେ ସେତେବେଳେ ସେମାନଙ୍କର ଥାଏ ଆଙ୍କକଷା ଏକ ବିରାଟ ଫର୍ଦ୍ଦ କାଗଜ ଆଉ ମୁଣ୍ଡାଏ ପେନ୍‍ସିଲ୍ । ସେମାନେ ବସି ପଡ଼ିଲେ ଆଉ ସାଙ୍ଗେ ସାଙ୍ଗେ ଘେରିଗଲେ କାଗଜ ଫର୍ଦ୍ଦଟାର ଚାରିପାଖରେ ।

 

ସେମାନେ ସେତେବେଳେ କ’ଣ ଯେ ସବୁ ପାଟି କରୁଥିଲେ ବିଭୁପ୍ରସାଦ ଜାଣେନା । କିନ୍ତୁ ବିଭୁପ୍ରସାଦ ଜାଣିଥାଏ ଯେ ସେତେବେଳେ ଦରମା କମିଶନଙ୍କ ରିଭାଇଜ୍ ହେଇଥିବା ରିପୋର୍ଟଟା ବାହାରିଥାଏ । ଏବଂ, ସେଇ ରିପୋର୍ଟଟି ଦେଶର ବୁଦ୍ଧିଜୀବୀମାନଙ୍କୁ ଏକ ଜଟିଳ ଗଣିତ ଶାସ୍ତ୍ରରେ ନିଯୁକ୍ତ କରି ରଖିଥାଏ ।

 

ଏବଂ, ଠିକ୍ ସେତେବେଳେ ସହରର ରାସ୍ତା ଉପରେ ଧାଉଁଥାଏ–ବିଭୁପ୍ରସାଦ ବୋଲି ଗୋଟିଏ ଗବେଷକ ଛାତ୍ର । ତା’ର ଗବେଷଣା–ଅଧ୍ୟାପକ ପାଗଳ ପ୍ରାୟ । ତା’ର ବନ୍ଧୁ ନଟବରର ଖୋଜ୍‍ଖବର ନଥାଏ । ତା’ର ବାପାଙ୍କର ଅବସର ନେବାର ମୁହୂର୍ତ୍ତ ଆଗତ ପ୍ରାୟ । ଆଉ, ସବୁଠୁ ଅଧିକ ମର୍ମାନ୍ତିକ ହେଉଛି ସେଇ ଗୁଜବଟା–ଯେଉଁଥିରେ ତା’ର କବିତା କରିଥାଏ ଆତ୍ମହତ୍ୟା ! କାରଣ ସେଦିନ ଯେତେବେଳେ ସହର ତମାମ ବହୁ ଖୋଜ୍‍ଖବର ନେବାପରେ ବିଭୁପ୍ରସାଦ ମୁରାଶା ବିଷୟରେ କୌଣସି ସଠିକ୍ ଖବର ପାଇଲା ନାହିଁ ସେତେବେଳେ ତାକୁ ଧରିନେବାକୁ ହେଲା ଯେ ମୁରାଶା ନାମରେ ଉଠିଥିବା ଗୁଜବଟି ସତ । ହରିଶ୍ ବୁଢ଼ାର ଗାଉଁଲି ଗମ୍ଭୀର ସ୍ୱରଟି ବାରମ୍ବାର ଆସି ପଡ଼ୁଥିଲା ବିଭୁପ୍ରସାଦ କାନରେ । ସତେ ଯେପରି ତୁହାଇ ତୁହାଇ ସେ କହୁଥିଲା–

 

“ହଇଓ ବାବୁ ! ସେ ରାଣ୍ଡୀ ନର୍ସର ଭଉଣୀ–ସେ କଲେଜ ଟୋକୀ ଖଣ୍ଡକ ସତରେ କୁଆଡ଼େ ସୁଇସାଇଡ଼ି କରିକିନା ମରିଚି ? ଆଉ, ତେମେ ଜାଣିଚ ? ସେ ଟୋକୀର ଗର୍ଭ ହୋଇଥିଲା ଆଠମାସ । ମନମୋହନବାବୁ ତାକୁ କଥା ଦେଇଥିଲେ ବାହା ହେବେ ବୋଲି । କିନ୍ତୁ ଶୁଣୁ ଶୁଣୁ ସେ କୁଆଡ଼େ ମଲାଣି ! ମନମୋହନବାବୁ ମନା କରି ଦେଲେ ବାହା ହବାପେଇଁ ! ହେ ଭଗବାନ ! ଏ ଯୁଗ କ’ଣ ହେଲା !!”

 

ତେର

 

ଦିନସାରା ଏଇ ସବୁ କଥା–ଏହି ହା–ହୁତାଶ, ଏଇ ଆଶଙ୍କା ଆଉ ଅନିଶ୍ଚିତତା ଭିତରେ ଡୁବିରହି ବିଭୁପ୍ରସାଦ ସେଦିନ ଫେରୁଥିଲା ବସାକୁ । ଭୟଙ୍କର ଚିନ୍ତାମଗ୍ନ ଅବସ୍ଥାରେ ବିଭୁପ୍ରସାଦ ବସା ଆଗରେ ପହଞ୍ଚିଲା । ସେଦିନ ଅଭ୍ୟାସ ମୁତାବକ ପକେଟରେ ହାତ ପୂରେଇ ଚାବିଟିକୁ ଅଣ୍ଡାଳି ଲାଗିଲା । ଏହି ସମୟରେ ସେ ହଠାତ୍ ଆବିଷ୍କାର କଲା ଯେ କବାଟର ତାଲାଟି ଆଗରୁ ଖୋଲା ଅଛି । କିନ୍ତୁ କବାଟଟି ଭିତରୁ ବନ୍ଦ ଥିଲା ।

 

ବିଭୁପ୍ରସାଦ ଆଶ୍ଚର୍ଯ୍ୟ ହେଲା ।

 

ନଟବର ତେବେ ଫେରି ଆସିଚି ?

 

କବାଟ ଠକ୍ ଠକ୍ କଲା ବିଭୁପ୍ରସାଦ । କିନ୍ତୁ ଭିତରୁ କୌଣସି ଆବାଜ୍ ଆସିଲା ନାହିଁ ।

 

ସେତେବେଳକୁ ଦିନ ରତରତ ହେଉଥାଏ । ବାହାରେ ପୁଣି ସେଇପରି ‘ମେଟାନିଲ୍ ୟେଲୋ’ ସନ୍ଧ୍ୟାର ଶେଷ ଆଲୋକ । ଚତୁର୍ଦ୍ଦିଗ କ୍ଳାନ୍ତ ଆଉ ଅବସନ୍ନ । କେବଳ ପାଚେରୀ ଆରପାଖେ ଫଳ ଲେନ୍ଥି ହେଇଥିବା ଆମ୍ୱ ଗଛଟାର ପଛପଟ କୋଠା ବାରଣ୍ଡାରୁ କଣ୍ଟ୍ରାକ୍ଟର ବୁଢ଼ାର ସାରୀଟି ସବୁ ଦିନ ଭଳି ଡାକୁଥାଏ–

 

“ରାଧା ! ରାଧା !’’

 

କିନ୍ତୁ ବିଭୁପ୍ରସାଦର ଆଜି କାନ ନଥାଏ ସେ ଆଡ଼କୁ । କଣ୍ଟ୍ରାକ୍ଟରର ମଟର ହର୍ଣ୍ଣ ପରି, କିମ୍ବା ନିକଟସ୍ଥ ହିଉମ୍ ପାଇପ୍ କାରଖାନାର ସକାଳ ଓ ସନ୍ଧ୍ୟାର ପୁଙ୍ଗା ଶବ୍ଦ ପରି ‘‘ରାଧା” ଡାକର ବିଶେଷତ୍ଵ ହଜି ଯାଇଥାଏ ସେତେବେଳକୁ, ସେଇ ସନ୍ଧ୍ୟାରେ, ବିଭୁପ୍ରସାଦର ମନରୁ ।

 

ବାରମ୍ବାର କବାଟ ଠକ୍, ଠକ୍ କରିବା ପରେ ଯେତେବେଳେ ଭିତରୁ କୌଣସି ଉତ୍ତର ପାଇଲା ନାହିଁ ବିଭୁପ୍ରସାଦ, ତା’ ମନକୁ ପାପ ଛୁଇଁଲା ।

 

କାହିଁକି କେଜାଣି ତା’ର ମନେ ହେଲା–ବୋଧହୁଏ ନଟବର ଫେରି ଆସିଛି ଗାଁରୁ ଓ ତା’ର ମା’ ମରିଯାଇଥିବାରୁ ବୋଧହୁଏ ଦୁଃଖ ଆଉ ନୈରାଶ୍ୟବଶତଃ ସେ ଏଥିମଧ୍ୟରେ କିଛି ଏକ କାଣ୍ଡ କରି ସାରିଲାଣି ।

 

ବିଭୁପ୍ରସାଦ ଡରିଲା–ତେବେ କ’ଣ ସୃଷ୍ଟିର ଏଇ ଗୋଟିଏ ଜେଗା ବାଛି କରି ସେ ଆତ୍ମହତ୍ୟା କରି ବସିଲା ? ଏଇଠି ? ମୋରି ଘରେ ?

 

ଶାରୀରିକ କ୍ଳାନ୍ତି ଆଉ ମାନସିକ ଅବସାଦ କ୍ରମେ ଅସହ୍ୟ ହୋଇ ଉଠୁଥାଏ ବିଭୁପ୍ରସାଦ ପକ୍ଷରେ । ଦିନସାରା ଏଣେତେଣେ ଘୂରି ଘୂରି ତା’ର ଦୁର୍ବଳ ଆଣ୍ଠୁ ଦୁଇଟା ଘୋଳେଇ ହୋଇ ଭୂମିଆଡ଼କୁ ଝୁଲି ପଡ଼ୁଥାନ୍ତି ।

 

ନିଜକୁ ଆଉ ସମ୍ଭାଳି ନ ପାରି ବିଭୁପ୍ରସାଦ ଏଥର ଚିତ୍କାର କରି ଉଠିଲା–“ବଦମାସ କାଙ୍ଗାଳ କାହାଁକା ! ମତେ ସର୍ବସ୍ଵାନ୍ତ କରି ଖାଇଲା ।”ଏବଂ ତା’ପରେ ଗୋଟାଏ ଗୋଡ଼ ଉଠେଇ ସେ ମାଇଲା ଏକ ଶକ୍ତ ଧକ୍କା କବାଟର ଗୋଟାଏ ଫାଳକୁ । ଏଥର କିନ୍ତୁ କବାଟଟା ଖୋଲିଗଲା । କବାଟଟା ଖୋଲି ପଡ଼ିଲା–ସିଧାସଳଖ ଗୋଟିଏ ସ୍ତ୍ରୀଲୋକର ଅସ୍ତବ୍ୟସ୍ତ, ବିବ୍ରତ ମୂର୍ତ୍ତି ଉପରକୁ ।

 

ବିଭୁପ୍ରସାଦର ପାଦ ଅଟକିଗଲା ।

 

ସେ ଦେଖିଲା–ଝିଅଟିଏ–ସାବନା ହେଇ, ମଧ୍ୟମ ଉଚ୍ଚତାର, ଆଉ ଏକ ଅଦ୍ଭୁତ ପୋଷାକର–ଏକ ବିଚିତ୍ର ପରିଧେୟର–ଛିଟଛିଟକିଆ ଜାପାନୀ କିମୋନୋ ଭଳି ଏକ ଅଦ୍ଭୁତ ଗାଉନ ପିନ୍ଧା ବିଚିତ୍ର ସ୍ତ୍ରୀଲୋକ–ପ୍ରାଣ ବିକଳରେ ତା’ର ବିଚିତ୍ର ପରିଧେୟ ଭିତରୁ ବାହାରି ଆପଣାର ଚିରାଚରିତ ସେଇ ଗାଉଁଲି ପାଟ ବା ଆର୍ଟିଫିସିଆଲ୍ ସିଲ୍କ ଶାଢ଼ିଟି ଭିତରକୁ ପଶିଯିବା ଅବସ୍ଥାରେଇ ହଠାତ୍ ଧରାପଡ଼ିଯାଇଛି !

 

ଚମକି ଉଠିଲା ବିଭୁପ୍ରସାଦ । ସେ ଚମକି ଉଠିଲା–ଠିକ୍ ଯେମିତି ପରୀରାଇଜ ଗପର ରାଜକୁମାର ସେଦିନ ଚମକି ଉଠିଥିବ, ଯେଉଁଦିନ ସେ ଆବିଷ୍କାର କରିଥିବ ସର୍ବପ୍ରଥମେ–ଗଳ୍ପବର୍ଣ୍ଣିତ ତା’ର ସେଇ ଅଭିଶାପଗ୍ରସ୍ତ ବ୍ରାହ୍ମଣୀବେଙ୍ଗ ସ୍ତ୍ରୀଟିକୁ–ଯେ ଆପଣାର ବେଙ୍ଗ ଖୋଳପାଟି ଭିତରୁ ବହୁ ସନ୍ତର୍ପଣରେ ବାହାରି ପଡ଼ି, ଦିବ୍ୟସୁନ୍ଦର ନାରୀମୂର୍ତ୍ତିଟିଏ ହେଇ ଦିନେ ଏକାନ୍ତରେ ବୁଲୁବୁଲୁ ପୁରୁଷଟିର ଆଖିରେ ହଠାତ୍ ଧରାପଡ଼ିଯାଇଥିବ ।

 

ବିଭୁପ୍ରସାଦ ଅନାଇ ରହିଲା–ଏକ ଦୀର୍ଘ ମୁହୂର୍ତ୍ତ । ଏପରି ଏକ ଦୀର୍ଘ ମୁହୂର୍ତ୍ତ ଯେ, ତା’ ନିଜର ଜଳନ୍ତା ଆଖି ଦୁଇଟି ସେତେବେଳକୁ ନରମି ଯାଇଥାଏ ଅନେକ ଆଉ ଆରପଟ କାନ୍ଥରେ ମିଶିଯାଇଥିବା ମୂର୍ତ୍ତିଟିର ଆଖିରେ ଢଳଢ଼ଳ ହେଉଥିବା ସେଇ ତରଳ ମହମ ଠୋପା ଦୁଇଟି ମଧ୍ୟ ନିଗିଡ଼ି ପଡ଼ିଥାଏ–ଦୁଇଟି ଲମ୍ବା ବିସ୍ମୟସୂଚକ ଚିହ୍ନ ଆକାରରେ !

 

ଛାତି ଭିତରକୁ ଏକ ଦୀର୍ଘଶ୍ଵାସ ଟାଣିନେଇ ବିଭୁପ୍ରସାଦ ଟିକିଏ ପଛେଇ ଆସେ ଘର ଭିତରୁ । ହଠାତ୍ ସେତିକିବେଳେ ତା’ ନାକରେ ବାଜି ବାଜି ଯାଏଁ ତା’ର ପରିଚିତ ରୋମାଣ୍ଟିକ୍–ନୀଳକଇଁ ବାସ୍ନାଟି । ଏବଂ ସେତିକିବେଳେ ମଧ୍ୟ ତା’ର ପୁଣି ମନେ ପଡ଼ିଯାଏ ଏକ ଅପରାହ୍ନର କଥା–ଯେଉଁ ଦିନ ସର୍ବପ୍ରଥମେ ଆବିଷ୍କୃତ ହୋଇଥିଲା ମୁରାଶା !–ସେଇ ଖସି ପଡ଼ୁଥିବା ବହିଥାକ–ଫୁଲକେଣ୍ଡା.... ।

 

ସେତେବେଳକୁ ଅବଶ୍ୟ ଦିହର ଲୁଗାପଟା ସଜାଡ଼ି ଦେଇଥିଲା ସ୍ତ୍ରୀଲୋକଟି । କାନ୍ଥ ଦିହରୁ ବାହାରି ଆସି ସେ ଏଥର ବେଶ୍ ସାହସର ସହିତ ସମ୍ମୁଖୀନ ହେଲା ବିଭୁପ୍ରସାଦର । ତା’ ମୁଣ୍ଡରେ ଓଢ଼ଣା ନଥିଲା କିମ୍ବା ତା’ର ଆଖିରେ ନଥିଲା ପୂର୍ବର ଭୟଭୀତ ଚାହାଣିଟିଏ । ତେବେ ତା’ର ଆଖିକଣର ଲୁହ ଠୋପାଟା ଶୁଖି ନଥାଏ ଏପର୍ଯ୍ୟନ୍ତ ।

 

ଆଖିର ଗୋଟାଏ ପଲକରେ ବିଭୁପ୍ରସାଦ ଦେଖିନେଲା ପୁଣିଥରେ ତା’ର “ନୀରବ ନିଳୟ” ବସାଘରଟିର ଭିତର ପଟକୁ । କାନ୍ଥରେ ମରା ହୋଇଥିବା ଗୋଟିଏ କଣ୍ଟାରୁ ଝୁଲୁଥାଏ ନଟବରର ମଇଳା, କୋଚଟ ଜାମା ଖଣ୍ଡକ–ଯୋଉଟାକୁ ପିନ୍ଧି ସେ ଯାଇଥିଲା ଗାଁକୁ । ଘରକଣରେ ଜମା ହୋଇଥାଏ ଗୋଟାଏ ବୋକଚା–ଅଦ୍ଭୁତଭାବେ ଚେପା ହେଇଯାଇଥିବା ଗୋଟିଏ ଟ୍ରଙ୍କ–ଆଉ, ସେଇଟା କ’ଣ କେଜାଣି–ବୋଧହୁଏ ଗୋଟାଏ ମୃଦଙ୍ଗ, ଖଣ୍ଡିଏ ନାଲି ଛିଟକନାରେ ଗୁଡ଼ିଆ ହେଇଥାଏ ସେଇଟି, ଆଉ ତା’ ପାଖକୁ ଗୋଟିଏ କାଠ ଢାବଲ–ବୋଧହୁଏ ହାରମୋନିୟମ୍ ବାକ୍ସଟିଏ !

 

ଆଶ୍ଚର୍ଯ୍ୟ ହେଲା ବିଭୁପ୍ରସାଦ । ମନେମନେ ସେ ଭାବୁଥାଏ–ଏ କ’ଣ ? ଗୋଟାଏ ଯାତ୍ରାପାର୍ଟି ସାଙ୍ଗରେ ଘେନି ଆସିଛି ନା କ’ଣ ?

 

ବିଭୁପ୍ରସାଦ ସେମିତି ଠିଆ ହେଇଥାଏ ବାହାରେ । ଗୋଡ଼ଦୁଇଟା ଘୋଳେଇ ହେଇ ହେଇ ଛିଣ୍ଡିପଡ଼ିବା ଭଳି ଲାଗୁଥିଲେ ମଧ୍ୟ ସେ ଆଉ ଯାଇ ପାରୁ ନଥାଏ ତା’ ବସା ଭିତରକୁ ।

 

ହଠାତ୍ ତା’ର ମନ ଭିତରେ ଏକ ସନ୍ଦେହ ଉଙ୍କି ମାରିବାକୁ ଆରମ୍ଭ କରେ । ମନେମନେ ସେ ନିଜକୁ କହୁଥାଏ–କିରେ ? ମତେ ପୁଣି ଏକ ଓକିଲାତି ବୁଦ୍ଧିରେ ଏଠୁ ନିକାଲିବାର ପ୍ଲନ୍‍ଟାଏ କଲାକି ଆଉ ନଟବର ?

 

ସେ ଡରିଯାଏ । ମନେମନେ ଭାବୁଥାଏ–ନଟବର ସିନା ଓକିଲର ଗର୍ଭିଣୀ ସ୍ତ୍ରୀକୁ ଡରେଇବା ପାଇଁ ଆଲ୍‍କୋହଲ୍ ପିଇ, ରାତିଅଧରେ ବଇଁଶୀ ବଜେଇ, ଟିଣ ବାଡ଼େଇ ପାରିଲା, ମୁଁ ଏବେ କରେ କ’ଣ ? ଏ ତମ୍ବୁ ଭିତରର ଓଟଗୁଡ଼ିଙ୍କୁ ଏଠୁ କିପରି ତଡ଼ିବାକୁ ହେବ ?

 

ବଡ଼ ବ୍ୟସ୍ତରେ ପଡ଼ିଗଲା ଏଥର ବିଭୁପ୍ରସାଦ । ସେ ଏବେ ଯିବ କୁଆଡ଼େ ? ଏଇ ଯେ ତା’ର ବସା ଓ ଏକମାତ୍ର ଆଶ୍ରୟ ସ୍ଥଳ । ଏଇଠି ଅଛି ତା’ର ଲୁଗାପଟା, ଆସବାବପତ୍ର, ଶେଯ ଆଉ ବହିପତ୍ର ।

 

ଏକ କରୁଣ ଆଖିରେ ବିଭୁପ୍ରସାଦ ପୁଣିଥରେ ଅନେଇଲା ବଖରା ଭିତରକୁ । ତା’ର ଶେଯ ଉପରେ ପଡ଼ିଥିବା ସମ୍ବଲପୁରୀ ବିଛଣା ଚଦରଟି ବେଶ୍ ସଜଡ଼ାସଜାଡ଼ି ଆଉ ସାଉଁଳାସାଉଁଳି ହେଇ ଯାଇଥାଏ ଅବଶ୍ୟ ସେତେବେଳକୁ । କିନ୍ତୁ–

 

ବଡ଼ ଦିଗ୍‍ଦାର ହେଇ ଶେଷରେ ଉଠି ପଡ଼ିଲା ବିଭୁପ୍ରସାଦ । ପୂର୍ବର “କେମିକାଲ୍ କଟେଜ୍ ଇଣ୍ଡଷ୍ଟ୍ରି” ପାଇଁ ଜମିଥିବା ସବୁ ଅଳିଆମଳିଆ, ଲୁହା, ଟିଣ, ଟର୍ଚ୍ଚଲାଇଟ୍ ବ୍ୟାଟେରୀ, କନ୍ଥା ଆଉ କ’ଣ, ଆଉ କ’ଣ, ସେଇ ସବୁ ସାଇନ୍‍ବୋର୍ଡ଼–‘‘ମଳମୂତ୍ର ପରୀକ୍ଷାଗାର” ପ୍ରଭୃତି ଦୁର୍ଗନ୍ଧ ଭିତରୁ ହଠାତ୍ ଉଠି ପଳେଇବା ପେଇଁ ସେ ଠିଆ ହଉଥାଏ ।

 

ଠିକ୍ ସେତିକିବେଳେ ଏକ ଚମତ୍କାର କଣ୍ଠସ୍ଵର ଶୁଣି ଚମକି ଉଠିଲା ବିଭୁପ୍ରସାଦ ।

 

ଝିଅଟି ସେତେବେଳକୁ ଅଣ୍ଟାରେ ଲୁଗା ଭିଡ଼ିଦେଇ ଧାଇଁ ଯାଉଥାଏ ଚୁଲିମୁଣ୍ଡକୁ–ସେଇ ଚୁଲିମୁଣ୍ଡକୁ ଅବଶ୍ୟ–ଯେଉଁଟାକୁ କିଛିଦିନ ତଳେ ହାତେହାତେ ବସେଇଥାଏ ବିଭୁପ୍ରସାଦ ।

 

ଚୁଲିମୁଣ୍ଡେ ନଇଁପଡ଼ି ଝକ୍‍କରି ଗୋଟାଏ ଆଲୁଅ ଲଗେଇ ସେ ନିଆଁ ଧରେଇ ଦେଲା–ଚୁଲିରେ । ବିଭୁପ୍ରସାଦ ଲକ୍ଷ୍ୟ କଲା–ଯୋଉ ଆଲୁଅର ପ୍ରଥମ ଝଲକଟି ସେଠି ଦେଖାଗଲା–ସେଇଟା ଥିଲା ଟିକିଏ ଭିନ୍ନ ରକମର କିଛି ଆଲୁଅ–ତାହା କଦାପି ନଥିଲା ସାଧାରଣ ଦିଆସିଲି କାଠି ଖଣ୍ଡିକର ଆଲୁଅ–ତାହା ଥିଲା ଏକ ସିଗାରେଟ ଲାଇଟରର ଆଲୁଅ ।

 

“ମଲିନାଇଁ ମୁଁ ନିଆଁନାଗୀ”....ସେ ଏଥର ଆରମ୍ଭ କରି ଦେଇଥାଏ, ତା’ର ଚମତ୍କାର ସ୍ଵରରେ ଏକ ହଳଦିବସନ୍ତ ଚଢ଼େଇ ଛୁଆର କିଚିରିମିଚିରି ବୋଲିଟି–

 

“ନଟଭାଇ ପରା ଏତେ କରି କହିଯାଇଥେଲେ ମତେ–ତାଙ୍କ ସାଙ୍ଗ ଆଇଲେ ଜଳଖିଆ ଆଉ ଚାହା କରି ଖାଇବାକୁ ଦବାକୁ–ଆଉ ମୁଁ ଏତେ ଜଲଦି ଭୁଲିଗଲି କେମିତି ବା !” ସେତେବେଳକୁ ବିଭୁପ୍ରସାଦ କିଛି ଭାବିପାରୁ ନଥାଏ । ସେ କେବଳ ଏକପ୍ରକାର ଭୟ, ବିସ୍ମୟ ଓ ରହସ୍ୟବୋଧର ସହିତ ଅନୁଭବ କରୁଥାଏ, କୌଣସି ଏକ ତୀବ୍ର, ମୌଳିକ ଅନୁଭୂତିକୁ । ସେଗୁଡ଼ିକ ସବୁ ଥାଏ ପରୀରାଇଜର କଥା–ବିଭୁପ୍ରସାଦ ପାଇଁ ।

 

ସେ କେବଳ ଦେଖୁଥାଏ ଗୋଟିଏ କଥା–କିପରି ଦୁଇଟି ଅଦ୍ଭୁତ ହାତ ସୃଷ୍ଟି କରୁଥାନ୍ତି ସେଠି ତିନୋଟି ଇଟାର ଝିଙ୍କା ମଧ୍ୟସ୍ଥିତ କ୍ଷୁଦ୍ର ଯଜ୍ଞକୁଣ୍ଡ ଭଳି, ସୀମିତ ଆଧାରଟି ଭିତରର ସେଇ ପବିତ୍ର ନିଆଁଟିକକୁ–ଏକ ପାରିବାରିକ ଅଗ୍ନି !

 

ଆଶ୍ଚର୍ଯ୍ୟ ହେଲା ବିଭୁପ୍ରସାଦ–ସେତେବେଳେ ତା’ର ମନେ ପଡ଼ୁଥାଏ ସେଇସବୁ ଅଦ୍ଭୁତ ଲୋକମାନଙ୍କର କଥା–ଯେଉଁମାନେ ପ୍ରଥମେ ଆରମ୍ଭ କରିଥିବେ ସେଇ ନିଆଁଟିକୁ–ଘରଦ୍ଵାର, ରାଜ୍ୟସୁଖ ତ୍ୟାଗ କରି, ପିତୃ ଅବା ଭାତୃସତ୍ୟ ପାଳନ କରିବାକୁ ଯେଉଁମାନେ ବନବାସ କରିବାକୁ ଆସି; ଅଗ୍ନିଶୂନ୍ୟ ପର୍ବତ ଗହ୍ଵରରେ ସୃଷ୍ଟି କରିଥିବେ ପ୍ରଥମେ ସେଇ ମୌଳିକ ଅଗ୍ନିଟିକକୁ–ଯାହାକୁ ସେମାନେ ସିଦ୍ଧ କରିଥିବେ ସେମାନଙ୍କର ମୌଳିକ ଧ୍ୱନିଦ୍ୱାରା ଆଉ ଯାହାଦ୍ଵାରା ସିଦ୍ଧ ହୋଇଥିବେ ମଧ୍ୟ ସେମାନେ ନିଜେ–ସେମାନଙ୍କର କ୍ଷୁଧା ସମେତ !

 

ସନ୍ଧ୍ୟା ହେଇ ନଥାଏ ପୂରାପୂରି । ସୂର୍ଯ୍ୟର ଶେଷ ଆଲୋକର ପୃଷ୍ଠଭୂମି ଉପରେ ଚୁଲି ନିଆଁର ତେଜ ସେପରି ସ୍ପଷ୍ଟଭାବେ ଜଣା ପଡ଼ୁ ନଥାଏ । ନବାଗତା ସ୍ତ୍ରୀଲୋକଟି ସେତେବେଳକୁ ଖୁବ୍ କାର୍ଯ୍ୟବ୍ୟସ୍ତ ହେଇ ଆରମ୍ଭ କରି ଦେଇଥାଏ ଧାଁଧପଡ଼ । ସେତେବେଳକୁ ହାଲୁଆ ଜଳଖିଆର ଖୁବ୍ ଏକ ଚମତ୍କାର ବାସ୍ନା ଆମୋଦିତ କରି ରଖିଥାଏ ବିଭୁପ୍ରସାଦକୁ ।

 

ମୁହୂର୍ତ୍ତକ ପରେ ଗୋଟିଏ ବିଚିତ୍ର ଶଙ୍ଖଥାଳିଆରେ ଥାଳିଆଏ ସୁଜି ହାଲୁଆ, ଆଉ ଠିକ୍ ସେଇ ପ୍ରକାର ଏକ ଚୀନାମାଟିର କପ୍‍ରେ କପେ ଚା’ ଧରି ଆସି ବିଭୁପ୍ରସାଦର ଆଗରେ ଥୋଇ ଦେଇ ଝିଅଟି ଟିକିଏ ଆଡ଼ ହୋଇ ଠିଆ ହେଇଯାଏ ॥

 

ତା’ପରେ ବିତିଯାଏ ଏକ ଦୀର୍ଘ ନୀରବ ମୁହୂର୍ତ୍ତ । ବିଭୁପ୍ରସାଦ ବୁଝିପାରେନା କ’ଣତା’ର କର୍ତ୍ତବ୍ୟ ସେଇ ଅସମ୍ଭବ ମୁହୂର୍ତ୍ତଟିରେ । ସେ ହୁଏତ କ’ଣ ପଦଟିଏ କହିବାକୁ ଆରମ୍ଭ କରୁଥାଏ, ଠିକ୍ ଏତିକିବେଳେ ଘଟିଯାଏ ପୁଣି ଏକ ଅସ୍ଵାଭାବିକ ଘଟଣା ।

 

ହାଲୁଆ ପ୍ଲେଟ୍‍ଟି ସେମିତି ଅସ୍ପୃଶ୍ୟ ଅବସ୍ଥାରେ ବିଭୁପ୍ରସାଦ ଆଗରେ ଥୁଆ ହୋଇଥିବାର ଦେଖି, ଝିଅଟି କ’ଣ ଭାବିଲା କେଜାଣି, ହଠାତ୍ ଖୁବ୍ ବିବ୍ରତ ହୋଇ ପଡ଼ିଲା ସ୍ୱରରେ କହିବାକୁ ଆରମ୍ଭ କଲା–

 

“ମୁଁ ନିଆଁନାଗୀ–ମୋର ମନେ ନାଇଁ–ଡାକତରଖାନା ଗଲାବେଳକୁ ନଟଭାଇ କହିଯାଇଥିଲେ–ଆପଣଙ୍କୁ ପଚାରିକିନି ଖାଇବାକୁ ଦବାକୁ–ଆପଣ ଆମ ହାତେରେ ଖାଇବେ କି ନାଇଁ–ଆମର ଜାତି ହଉଚି ହାଡ଼ି–ମେହେନ୍ତର....”

 

“ହାଡ଼ି ?”–ବିଭୁପ୍ରସାଦ ଚମକି ଉଠିଲା । ଏ ତାହାହେଲେ ନୀଳକଇଁ ନୁହେଁ ?....ସତ କହିବାକୁ ଗଲେ ବିଭୁପ୍ରସାଦର ଦିହ ଟିକିଏ ବୁଲେଇ ଆସିଲା ସେଇ ଶଙ୍ଖଥାଳିଆଟିକୁ ଅନେଇ ଦେଇ । ମୁହୂର୍ତ୍ତକ ପୂର୍ବରୁ ଯୋଉ ଅଦ୍ଭୁତ ରଙ୍ଗିନ ପୋଷାକ, ସିଗାରେଟ ଲାଇଟର, ଶଙ୍ଖଥାଳିଆ, ମୃଦଙ୍ଗ ଆଉ ହାରମୋନିୟମ୍‍ର ଆଭିଜାତ୍ୟଗୁଡ଼ିକ, ଗୋଟିଏ ଅକ୍‍ଟୋପସର ବାହୁଗୁଚ୍ଛ ପରି ଜାବୁଡ଼ି ଧରିଥିଲେ ବିଭୁପ୍ରସାଦ ମନକୁ–ସେମାନେ ଖସି ପଡ଼ୁଥାନ୍ତି–ଅପସରି ଯାଉଥାନ୍ତି–ହୁଗୁଳି ଯାଉଥାନ୍ତି ସତେବା !

 

ଅଟକିଗଲା ବିଭୁପ୍ରସାଦ–ସେ ଅଟକିଯାଏ ଅବଶ୍ୟ ଜଣେ ହଜାରେ ଟଙ୍କା ଦରମାର ପଦସ୍ଥ କର୍ମଚାରୀର ହାତ ପରି, ଯୋଉ ହାତ, ଆପଣା ଖାଇବା ପତ୍ର ପାଖରେ ବସି ପଡ଼ିଥିବା ଏକ ମାସିକ ତିରିଶଟଙ୍କା ବେତନ ପାଉଥିବା ଆଉ ଜଣେ ଅଧସ୍ତନ କର୍ମଚାରୀର ଅଇଁଠା ହାତକୁ ଅନେଇ ଦେଇ, ଅଟକିଯାଏ ଆପଣା ପତ୍ର ଉପରେ ।

 

କିନ୍ତୁ ପରମୁହୂର୍ତ୍ତରେ ଝିଅଟି ପୁଣି ପୂରାପୂରି ବଦଳାଇଦିଏ ଆପଣାର ସ୍ୱରକୁ । ଚମକି ପଡ଼ିଲା ବିଭୁପ୍ରସାଦ । ପରୀରାଇଜର ବେଙ୍ଗବତୀ କନ୍ୟା କଥା ସେ ପର୍ଯ୍ୟନ୍ତ ପୂରାପୂରି ପାସୋର ଯାଇ ନଥାଏ ତା’ର ।

 

ବିଭୁପ୍ରସାଦକୁ ନିଜ ବିଷୟରେ ଆଉ ବିଶେଷ କିଛି ଭାବିବାକୁ ସମୟ ନ ଦେଇ ଝିଅଟି ପୁଣି ଏକ ଆଭିଜାତ୍ୟର ଥୋପ ବଢ଼ାଇ ଦେଲା ବିଭୁପ୍ରସାଦ ଆଡ଼କୁ । ଏବଂ, ପର ମୁହୂର୍ତ୍ତରେ, ଠିକ୍ ଏକ ମନସ୍ତତ୍ଵବିତ୍ ପରି ସେ ପ୍ରତିଷ୍ଠିତ କରିନେଲା ନିଜର ବିଭୁପ୍ରସାଦ ଭଳି ଉଚ୍ଚ ଶିକ୍ଷିତ ଯୁବକର ମନ ଭିତରେ ।

 

“ହେଲେ–ଆପଣଙ୍କୁ ନଟଭାଇ କହିଥିବେ କି ନାହିଁ କେଜାଣି–ମୋ ବାପା ଅଛନ୍ତି ଜାପାନୀ ଜାହାଜ ‘ହସ୍ତ”ରେ–’

 

ବର୍ତ୍ତମାନ ଯାଇ ବିଭୁପ୍ରସାଦ ବୁଝିପାରିଲା । ସେହି ଛିଟଛିଟକିଆ ଅଦ୍ଭୁତ ପୋଷାକଟା ଯେ ବାସ୍ତବିକ ଏକ ଜାପାନୀ ପୋଷାକ–ଯାହାର ନାଁ କିମୋନୋ–ଯାହାର ଚିତ୍ର ସେ ପ୍ରଥମେ ଦେଖିଥିଲା ତା’ର ଦ୍ଵିତୀୟ ଶ୍ରେଣୀର ପାଠ୍ୟପୁସ୍ତକ ପୃଷ୍ଠାରେ–I ସେଇ ଅତିଥିବତ୍ସଳା ଜାପାନୀ ଝିଅଟିର ଏକ ଜୀବନ୍ତ ଚିତ୍ର ହଠାତ୍ ଭୁଟି ଖାଇ ଖାଇ ଉଠି ଆସିଲା ବିଭୁପ୍ରସାଦର ମନର ଅତଳ ପଙ୍କିଳ ସରୋବର ତଳୁ–ଏବଂ ଧୀରେ ଧୀରେ ପୁଣିଥରେ ଆପଣାର ସେଇ ଜୀବନ୍ତ ନୀଳ ପାଖୁଡ଼ାଗୁଡ଼ିକୁ ମେଲିଦେଇ ଫୁଟି ଉଠିଲା ସେ ଏଥର ତା’ର ମନର କଳୁଷ ପଙ୍କର–ସବାଉପର ସ୍ତରରେ ।

 

“ନୀଳକଇଁ ?” –ବିଭୁପ୍ରସାଦ ବାସ୍ତବିକ ଚମକି ଉଠିଲା ଓ ଏଥର ସିଧାସଳଖ ସେ ଚାହିଁବାକୁ ଆରମ୍ଭ କରିଦେଲା ସେଇ ମୁହଁଟିକୁ ।

 

ନୀଳକଇଁ ! ପୁଣିଥରେ ମନକୁ ମନ ଉଚ୍ଚାରଣ କଲା ବିଭୁପ୍ରସାଦ ।

 

ଝିଅଟିର ସ୍ୱର ତା’ପରେ ଆଉ ବିଶେଷ ପରିମାଣରେ ପଡ଼ିଲା ନାହିଁ ବିଭୁପ୍ରସାଦର କାନରେ । ସେତେବେଳକୁ ତା’ର ହାତଟା ଚାଲିବାପାଇଁ ଆରମ୍ଭ କରି ଦେଇଥିଲା–ମୁହଁରୁ ପ୍ଲେଟ୍ ଆଉ ପ୍ଲେଟ୍‍ରୁ ମୁହଁକୁ ।

 

ଗୁଜୁରାତି ଦାନାଟିକୁ ଦୁଇକଳ ଭିତରେ ଚାକୁଳେଇ ଚାକୁଳେଇ ଆପଣାର ଛୋଟ, ଟିଣଛାତବାଲା ଘରଟିର ପିଣ୍ଡାରେ ବସି ବସି କରି ବିଭୁପ୍ରସାଦ ଅନାଉଥାଏ ଚତୁର୍ଦ୍ଦିଗକୁ । ଚତୁର୍ଦ୍ଦିଗର କ୍ରମବର୍ଦ୍ଧମାନ ବିରାଟ ବିରାଟ ଦୋମହଲା, ତିନିମହଲା ଘର ଆଉ ବିରାଟ ଧାନଅମାର, ଆଳୁଗୋଦାମ, ହିଉମ୍ ପାଇପ୍ କାରଖାନା ପ୍ରଭୃତିର ବିରାଟ ପାଚେରୀଗୁଡ଼ାକୁ ଆଁଟା କରି ଅନାଇ ରହି ସେ କ’ଣ ସବୁ ଭାବୁଥାଏ କେଜାଣି !

 

ତା’ପରେ ହଠାତ୍ ଗୋଟାଏ ଢୋକରେ ତା’ର କପ୍‍ଟିକୁ ଶେଷ କରିଦେଇ ସେ ଉଠି ବସିଲା । କିନ୍ତୁ ପରେ ପରେ ଚାଉଁକିନା କ’ଣ ଅନୁଭବ କରିପାରି ସେ ଫେରିକରି ଚାହିଁଲା ।

 

ସତେ ଯେପରି ପୁଣି ଏକ ନୂତନ କର୍ତ୍ତବ୍ୟ ଆସି କଟିଗଲା ତା’ର ଆଗରେ । ଛୋଟ ଆଲୁମିନିଅମ୍ କ୍ୟାନ୍‍ଟିଏରେ କ’ଣ ଟିକିଏ ପୂରେଇ ଆଣି ବିଭୁପ୍ରସାଦ ଆଗରେ ଥୋଇଦେଇ ଝିଅଟି ଏକ ଚମତ୍କାର ପାରିବାରିକ ସ୍ୱରରେ ଆଦେଶ ଦେଇ ବସିଲା–

 

Unknown

“ନଟଭାଇ କହି ଯାଇଥେଲେ–ଆପଣ ଏଇ ବାଲି ଟୋପାକ ମୋ ମା’ପାଇଁ ନେଇ ଯିବାକୁ–ଡାକ୍ତରଖାନା....”

 

“ଡାକ୍ତରଖାନା ?” ବଡ଼ ଅଦ୍ଭୁତଭାବେ ପରିଷ୍କାର ହୋଇ ସାରିଥିଲା ସେତେବେଳକୁ ବିଭୁପ୍ରସାଦର ସ୍ୱର । ସେଥିରେ ନଥାଏ କିଛି ଟାଳଟୁଳ–ଟଣାଓଟରା ।

 

“ନଟବର ତେବେ କ’ଣ ତା’ମା’ଙ୍କୁ ଘେନି ଆସିଛି ସାଥିରେ–ନଟବରର ମା’ କେମିତି ଅଛନ୍ତି.... ?” ବିଭୁପ୍ରସାଦର ମନେ ପଡ଼ିଲା ଏତେବେଳକେ ନଟବରର କଥା ।

 

ଝିଅଟି ଥିଲା ଥିଲା–ହଠାତ୍ ସେଁ ସେଁ ହୋଇ କାହିଁକି କାନ୍ଦିବାକୁ ଆରମ୍ଭ କରିଦେଲା ।

 

ଏଥରକ ଆଉ ବୁଝିବାକୁ ବାକି ରହିଲା ନାହିଁ ବିଭୁପ୍ରସାଦର । ନଟବରର ମା’ ଯେ ସତକୁସତ ଖସି ଯାଇଚନ୍ତି ଏଥିମଧ୍ୟରେ ତା’ର ସନ୍ଦେହ ରହିଲା ନାହିଁ । ଝିଅଟିର କାନ୍ଦରେ ଆଦୌ ବିବ୍ରତ ହୋଇ ପଡ଼ିଲା ନାହିଁ ବିଭୁପ୍ରସାଦ । ବରଂ ତାକୁ ଖୁବ୍ ଭଲ ଲାଗୁଥିଲା–ତା’ର ସେଇ “ନୀରବ ନିଳୟ” ବସାଘରେ ଯେ ଗୋଟିଏ ସ୍ତ୍ରୀଲୋକ କେବେ କାନ୍ଦି ବସିବ–ଏ ଧାରଣାଟି ବେଶ୍ ବିସ୍ମୟକର ବୋଧ ହେଉଥିଲା । ସେତେବେଳେ ତା’ର ମନେ ପଡ଼ୁଥିଲା ବରଂ ସେଇ ଦୁର୍ଦ୍ଦାନ୍ତ ଗୁର୍ଖା ଅଧିବାସୀଟି କଥା ଯେ ଏକଦା ବାସ କରୁଥିଲା ଏଇ ଟିଣ ଛପରଟିର ତଳେ !

 

ସ୍ତ୍ରୀଲୋକଟିର କାନ୍ଦରେ ବାଧା ଦେବାପାଇଁ ଇଚ୍ଛା ନ କରି ବିଭୁପ୍ରସାଦ ଆସ୍ତେ କରି ଉଠେଇ ନେଲା ସେଇ ବାର୍ଲି କ୍ୟାନ୍‍ଟିକୁ । କିନ୍ତୁ ଟିକିଏ ଦୂର ଯାଇ ଫେରି ଆସିଲା ଓ ପଚାରିଲା–

 

“ଆଚ୍ଛା–ଡାକ୍ତରଖାନାର କୋଉ ୱାଡ଼୍–କିଛି କହି ଯାଇଛି ନଟବର ?”

 

ଗୋଟିଏ ଲଣ୍ଠନ କାଚରେ ଆଫା କରି କାଚଟିକୁ ପରିଷ୍କାର କରି ପୋଛୁ ପୋଛୁ ଉତ୍ତର ଦେଲା ଝିଅଟି–

 

“ମେତେ ତ କିଛି କହି ନାହାନ୍ତି ନଟଭାଇ–ସେ ଖାଲି କହିଯାଇଥେଲେ ଆପଣ ଆଇଲେ ଜଳଖିଆ କରି ଖାଇବାକୁ ଦବାକୁ ଆଉ ଯଦି ତାଙ୍କର ଫେରିବାକୁ ଡେରିହୁଏ ତାହାହେଲେ ବାଲି ଟିକିଏ କରି ପଠେଇ ଦବାକୁ ।”

 

“ଆଚ୍ଛା–ତାଙ୍କର କି ରୋଗ ହେଇଛି କିଛି ଜାଣିଚନ୍ତି.... ? ତାହାହେଲେ ମୁଁ ବୁଝି ନିଅନ୍ତି....” ବିଭୁପ୍ରସାଦ ପୁଣି ପଚାରେ ।

 

ଆଉ ତା’ର ଉତ୍ତର ସେ ପାଇଲା–

 

“ମୁଁ ତ ଜାଣିନାଇଁ–ନଟଭାଇ କିନ୍ତୁ ଭାରି ବ୍ୟସ୍ତ ହଉଥିଲେ–ତାଙ୍କ ମା’ ମରିଯିବାର ଛଅଦିନ ପରେ ସେ ଯାଇ ପହଞ୍ଚିଲେ ଗାଁରେ । ଶୁଦ୍ଧି କାମ ତ କାଲି ସଇଲା ଆଉ ଆଜି ସକାଳୁ ସେ ଆମକୁ ଘିନି ଆସିଲେ । ସେ କିନ୍ତୁ ଭାରି ବ୍ୟସ୍ତ ହଉଥିଲେ ଆଉ କହୁଥେଲେ ଯେ ସେ ରୋଗଟା କିଛି ନୁହ–ଖାଲି ଟିକିଏ ଛୁରି ଚଲେଇ ଦେଲେ କୁଆଡ଼େ ଭଲ ହେଇଯିବ.... !”

 

ବୁଲି ପଡ଼ିଲା ବିଭୁପ୍ରସାଦ ଓ ଟାଉଟାଉ ଗୋଡ଼ କାଢ଼ି ଏଥର ସେ ଚାଲିଗଲା ଡାକ୍ତରଖାନାର ସର୍ଜିକାଲ ୱାଡ଼୍ ଆଡ଼େ ।

 

ଚଉଦ

 

ନଟବରକୁ ସେଦିନ ଅଧବାଟରେ ଆବିଷ୍କାର କଲା ବିଭୁପ୍ରସାଦ । ସେ ଓ ତା’ର ପାଖରେ ବସିଥିବା ଗାଉଁଲି ସ୍ତ୍ରୀଲୋକଟିଏ–ଜଣେ ପ୍ରୌଢ଼ା–ସେମାନେ ଫେରୁଥାନ୍ତି ରିକ୍ସାରେ । ନଟବରର ଲଣ୍ଡାମୁଣ୍ଡ ଆଉ ବିବ୍ରତ ମୁହଁଟିକୁ ଦେଖିବାମାତ୍ରେ ଚିହ୍ନିପାରିଲା ତାକୁ ବିଭୁପ୍ରସାଦ ଓ ହାତଠାରି ଅଟକାଇଲା ତା’ର ରିକ୍ସାକୁ । କିନ୍ତୁ ନଟବରର ସେଇ ବିମର୍ଷ ମୁହଁ ଆଉ ତା’ ସହିତ ବେଖାପ ଦିଶୁଥିବା ଓଠ ଦୁଇଟାର ଅଦ୍ଭୁତ ହସଟାକୁ ଦେଖିବାମାତ୍ରେଇ ପୁଣି ଚମକି ଉଠିଲା ବିଭୁପ୍ରସାଦ । ନଟବର ମୁହଁର ସେଇ ହସଟା ସେତେବେଳେ ଦିଶୁଥିଲା ବଡ଼ ଭୟଙ୍କର । ସେତେବେଳେ ସେ ଦିଶୁଥିଲା ଟଲଷ୍ଟୟଙ୍କ ଗଳ୍ପର ଯମଦୂତ ପରି–ଯେ ଏକଦା ଏକ ଅଦ୍ଭୁତ ମାନବିକ ଦୁର୍ବଳତାର ବଶବର୍ତ୍ତୀ ହୋଇ ପଡ଼ିଥିବାରୁ ଓ କର୍ତ୍ତବ୍ୟରେ ହେଳା କରି ସୃଷ୍ଟିକର୍ତ୍ତାଙ୍କର ବିଧିବିଧାନ ଉପରେ ଆପଣାର ଅକ୍ଷମଣୀୟ ସନ୍ଦେହ ପ୍ରକାଶ କରୁଥିବାରୁ, ଅଭିଶପ୍ତ ହୋଇ ଆସିଥାଏ ମର୍ତ୍ତ୍ୟକୁ–ମନୁଷ୍ୟ ବେଶରେ–ମନୁଷ୍ୟଠାରୁ ଭଗବାନଙ୍କ ସୃଷ୍ଟିର କଠୋର ସତ୍ୟଟିକୁ ଆଉଥରେ ହୃଦୟଙ୍ଗମ କରିବାପାଇଁ–

 

“ହ୍ୱାଟ୍ ମେନ୍ ଲିଭ୍ ବାଇ ? (What men live by ?) ମନୁଷ୍ୟ କ’ଣ ଘେନି ବଞ୍ଚେ ?’’

 

“ମୁଁ ବାର୍ଲି ଧରି ଯାଉଥିଲି ତୋ ପାଖକୁ...କ’ଣ ହେଇଚି ଏ ବୁଢ଼ୀର ? କାହିଁ ସେମିତି କିଛି ରୋଗା ଦିଶୁନାହିଁ ତ !” ନଟବରର ସେହି ରହସ୍ୟମୟ ଦୃଷ୍ଟିଟିକୁ ଏଡ଼େଇବାକୁ ଯାଇ ବିଭୁପ୍ରସାଦ ଲକ୍ଷ୍ୟକଲା ରିକ୍ସାରେ ବସିଥିବା ସେ ସ୍ତ୍ରୀଲୋକଟିକୁ ଆହୁରି ଟିକିଏ ନିକଟରୁ ।

 

ସ୍ତ୍ରୀଲୋକଟିର ଚେହେରା ଦିଶୁଥାଏ ଠିକ୍ ସେମିତି–ଝିଅ ଭଳି ସରଳ ଆଉ ସାଦାସିଧା । କିନ୍ତୁ ସେ ଦିଶୁଥାଏ ଆହୁରି ମିଠା । ହୁଏତ ତାହା ଥାଏ ତା’ର ମୁହଁର କାରୁଣ୍ୟ–ଏକ ନୈରାଶ୍ୟହୀନ, ଚିରପ୍ରସ୍ତୁତ କାରୁଣ୍ୟ ! ତା’ର ଗାଉଁଲି ବେଶପୋଷାକ, ମୁଣ୍ଡର ଓଢ଼ଣା, ପାଟି କଳରେ ଜକା ପାନ ଓ ପାନପିକ ଏବଂ ମଝିରେ ମଝିରେ ତା’ର ମସ୍ତ ଚାହାଣି ଓ ଆଖିର ଗଭୀରତା ସହିତ ମିଶି ରହିଥିବା ଅପେକ୍ଷମାଣ ଭାବ ଓ ଅସୀମ ଧୈର୍ଯ୍ୟର ସୂଚନା ନଟବରର ସେଇ ରହସ୍ୟମୟ ଚାହାଣିଠାରୁ ପରିଷ୍କାରଭାବେ ପୃଥକ୍ କରି ଧରି ରଖିଥାଏ ବିଭୁପ୍ରସାଦର ଦୃଷ୍ଟିକୁ ।

 

“ଏ ହେଉଚି ସୁକୁମାରୀର ମାଆ–” ଅବଶେଷରେ ଉତ୍ତର ଦେଲା ନଟବର–ବିଭୁପ୍ରସାଦ ପ୍ରଶ୍ନର । କିନ୍ତୁ ତା’ପରେ ହଠାତ୍ କାହିଁକି ସେ ଚୁପ୍ ହୋଇଗଲା । ସତେ ଯେପରି ବିଭୁପ୍ରସାଦ ହାତର ବାର୍ଲି କ୍ୟାନ୍‍ଟାକୁ ଦେଖିଦେଇ ସେ ବିରକ୍ତ ହୋଇ ଉଠିଲା ବିଭୁପ୍ରସାଦ ଉପରେ ।

 

କିନ୍ତୁ ପ୍ରକୃତରେ ନଟବର ସେତେବେଳେ ବିରକ୍ତ ବା ବ୍ୟସ୍ତ ହେଉ ନଥିଲା କାହାରି ଉପରେ । ସେ କେବଳ ଆଶ୍ଚର୍ଯ୍ୟ ହେଉଥିଲା ଓ ବାରମ୍ବାର ତା’ର ମନ ଭିତରେ ଖେଳାଉଥିଲା ସେଇ ପ୍ରଶ୍ନଟିକୁ ଯେଉଁ ପ୍ରଶ୍ନଟିର ଉତ୍ତର ଠିକ୍ କରିବାପାଇଁ ସେ ଅଭିଶାପ ପାଇ ଆସିଥିଲା ଏ ମର୍ତ୍ତ୍ୟପୁରକୁ–ସେଇ ଏକ ପ୍ରଶ୍ନ–

 

“ହ୍ୱାଟ୍ ମେନ୍ ଲିଭ୍ ବାଇ ? ମଣିଷ କ’ଣ ଘେନି ବଞ୍ଚେ ?”

 

ଆଗିଲାପିଛିଲା ହେଇ ଦୁଇ ବନ୍ଧୁ ସେ ଦିନ ସନ୍ଧ୍ୟାରେ ଫେରିଆସନ୍ତି ପୁଣି ନୀରବ ନିଳୟ ବସାକୁ ତାଙ୍କର । ସେମାନଙ୍କ ଆଗେଆଗେ ଚାଲିଥାଏ ସୁକୁମାରୀ ମା’ର ରିକ୍ସାଟି ? ମଝିରେ ମଝିରେ ପଛକୁ ଅନେଇ ଅନେଇ ପ୍ରୌଢ଼ା ସ୍ତ୍ରୀଲୋକଟି ବୁଲେଇ ନେଉଥାଏ ତା’ର କରୁଣ ଆଖି ଦୁଇଟିକୁ–ପଛେ ପଛେ ଧପାଲି ଥିବା ପିଲା ଦୁଇଟିଙ୍କର ଉପରେ । ନଟବରର ଆଖି ଦୁଇଟା ସ୍ଥିର ଥାଏ–ସ୍ତ୍ରୀଲୋକଟିର ମୂର୍ତ୍ତି ଉପରେ । ସେ ତଥାପି ହସୁଥାଏ ତା’ର ସେଇ ଅଦ୍ଭୁତ ହସଟିକୁ–ମନେମନେ ।

 

“ନୀରବ ନିଳୟ” ବସା ସାମନାରେ ଅଟକେ ଅବଶେଷରେ, ବୁଢ଼ୀର ରିକ୍ସା । ଏବଂ ସେଇଠି ହଠାତ୍ ଏକ ଦୀର୍ଘଶ୍ଵାସ ଭିତରେ ପ୍ରକାଶ କରେ ନଟବର ତା’ର ମନକଥା ବିଭୁପ୍ରସାଦର କାନରେ–

 

“ଏଇଟା ଏଥର ଗଳଗଣ୍ଡ ନୁହେଁ କି ‘ଡାକ ଡେରି’ ନୁହେଁ ବିଭୁପ୍ରସାଦ–ଏଇଟା ହଉଚି ମ୍ୟାଲିଗନାଣ୍ଟ ଟ୍ୟୁମ୍‍ର !”–ନଟବର କହି ଉଠିଲା ତା’ର ଛାତ୍ରଜୀବନର, ‘ଓଟରୁମ ଟୋପି’ ଦିନର ଅଭିମାନୀ ସ୍ୱରରେ–”

 

“ଏଥର କ୍ୟାନସର୍ ମୁହଁ ଗୁଞ୍ଜିଚି ତା’ର ଛାତିରେ–ବ୍ରେଷ୍ଟ୍ କ୍ୟାନ୍‍ସର !”

 

“କ୍ୟାନ୍‍ସର୍ ?”–ତାହାହେଲେ ତୁ ଏଥର ଧରି ଆସିଚୁ ଗୋଟିଏ କ୍ୟାନ୍‍ସର୍ ରୋଗୀକୁ-? ବିଭୁପ୍ରସାଦ ଚମକି ଉଠିଲା । ସେ ଏଇଠି ଆମରି ସାଙ୍ଗରେ ରହିବ ? ବିଭୁପ୍ରସାଦର ମନେ ପଡ଼ିଗଲା ହଠାତ୍ ‘ମୈତ୍ରୀନିବାସ ମେସ୍’ର ସେଇ ଓକିଲଟିର କଥା । କିନ୍ତୁ ଏଇସବୁ ମନସ୍ତାପ, ଭୟ, ଭ୍ରାନ୍ତି, ଦୁଃଖ, ନିଃସହାୟତା ବ୍ୟତୀତ ସେଇ ସନ୍ଧ୍ୟାରେ ଥିଲା ଆଉ ଏକ ଜିନିଷ ଯାହା ବିଭୁପ୍ରସାଦକୁ ଆକର୍ଷଣ କରିଥିଲା ସେମାନଙ୍କ ଆଡ଼କୁ ଆହୁରି ଗଭୀରଭାବେ । ଆହୁରି ଓତପ୍ରୋତ ଭାବରେ ଜଡ଼ିଯାଇଥିଲା ବିଭୁପ୍ରସାଦ ସେମାନଙ୍କ ସହିତ–ସେଇ ଅପରିଚିତ ‘ତମ୍ବୁଭିତରର ଓଟ’ ଭଳି ଲୋକଗୁଡ଼ିକଙ୍କ ସହିତ ।

 

ବିଭୁପ୍ରସାଦକୁ ସେମାନେ ଲୋଡ଼ିଥିଲେ ସେଇ–ସନ୍ଧ୍ୟାର ବିଶିଷ୍ଟ ଅତିଥିଭାବେ ।

 

ବୁଢ଼ୀ ସହିତ ପରିଚିତ ହେବାକୁ ବେଶି କିଛି ସମୟ ଲାଗିଲାନାହିଁ ବିଭୁପ୍ରସାଦକୁ । ଗାଁର, ବିଶେଷକରି ଗୋଟିଏ ଦୁଃସ୍ଥ, ଅଶିକ୍ଷିତ ହରିଜନ ପରିବାରର ସ୍ତ୍ରୀଲୋକଟିଏ ଯେଉଁଭଳି ନିଜକୁ ହୀନ ମନେକରି ଦୂରଛଡ଼ା ହୋଇ ରହେ ଓ ଆପଣାଛାଏଁ ଆପଣାକୁ ଠେଲିଦିଏ ସମାଜର ନିମ୍ନତମ ସ୍ତରକୁ–ସେଭଳି କୌଣସି ଲକ୍ଷଣ ପ୍ରକାଶ ପାଉ ନଥାଏ ସେଇ ବିଚିତ୍ର ପରିବାରଟିର ହାବଭାବରୁ । ତେଣୁ ସେମାନଙ୍କ ସହିତ ମିଶିଯିବା ପାଇଁ ବିଶେଷ କିଛି ଅସୁବିଧା ନଥିଲା ବିଭୁପ୍ରସାଦ ପକ୍ଷରେ । ତା’ଛଡ଼ା ସେମାନଙ୍କ ମଧ୍ୟରେ, ବିଭୁପ୍ରସାଦ ଓ ସେଇ ଦୁଇ ସ୍ତ୍ରୀଲୋକଙ୍କର ମଝିରେ ଦୃଢ଼ହୋଇ ଠିଆ ହୋଇଥିଲା ନଟବର–ସେମାନଙ୍କର ବ୍ୟାଖ୍ୟାକାର ।

 

“ତୁ ଆଜି ଆମ ସାଙ୍ଗରେ ରାତିରେ ଖାଇବୁ”–ନଟବର ପ୍ରଥମେ ନିମନ୍ତ୍ରଣ କଲା ବିଭୁପ୍ରସାଦକୁ ।

 

ତା’ପରେ ଆଗେଇ ଆସିଲା ସୁକୁମାରୀର ମା’ । ଏଥିମଧ୍ୟରେ ସେ ତା’ର ଲୁଗାଟି ବଦଳେଇ ପକେଇଥିଲା । ବସା ଆଗରେ, ଟିକିଏ ଦୂରରେ ରାସ୍ତାକଡ଼ରେ ଥିବା ସର୍ବସାଧାରଣ ପାଇପ୍ ପାଖକୁ ଯାଇ ଧୁଆଧୋଇ ହୋଇ ମଧ୍ୟ ସେ ଫେରିଆସିଥାଏ ବାରଣ୍ଡାର ଗୋଟିଏ କଡ଼କୁ ତିନିଖଣ୍ଡି ଇଟା ଥୁଆହେଇ, ନିଚିପରକରି ମାଟି ଲିପାହେଇ କେତେବେଳେ ଚୁଲିଟିଏ ବସି ସାରିଥାଏ । ସୁକୁମାରୀ ଲାଗିପଡ଼ିଥାଏ ସେତେବେଳକୁ ତ କାମରେ । ଚୁଲିରେ ପବନ ଧରୁଥାଏ । ଛୋଟ ଡେକ୍‍ଚିଟି ତଳୁ ନିଆଁଧାସ ଏକଡ଼ୁ ସେକଡ଼କୁ ଉଡ଼ୁଥାଏ ।

 

ବିଭୁପ୍ରସାଦ ଆଶ୍ଚର୍ଯ୍ୟ ହେଲା । କ’ଣ ସେମାନେ ଜାଳୁଚନ୍ତି ? କାଳ କୋଉଠୁ ସଂଗ୍ରହ କଲେ ସେମାନେ ?

 

କିନ୍ତୁ ସେମାନେ ଜାଣନ୍ତି–ପିମ୍ପୁଡ଼ିଟିଏ ଆପଣାର ଗାତକୁ ବାଟ ଜାଣିଲା ପରି ସେମାନେ ଜାଣନ୍ତି ତାଙ୍କ ରାସ୍ତା । ବିଭୁପ୍ରସାଦ ଦେଖିଲା–ଚୁଲି ପାଖରେ ଜମା ହେଇଥିଲା କୁଣ୍ଡେ ଉଚ୍ଚର ଶୁଖିଲା କାଠି, କୁଟା, ଘାସ, ପୋକଶୁଂଘା, ଲଙ୍କାମରିଚିଆ, ଲିଷ୍ଟି କଣ୍ଟା, ଅର୍ଖ, ଦୁଦୁରା ଯାହା ସବୁ ସେଇଠିଥିଲା–ସେଇ ହତା ଅରାକ ଭିତରେ ଯୋଉଠି କୁକୁଡ଼ାଚାଷ ପେଇଁ ମସୁଧା କରୁଥିଲା ବିଭୁପ୍ରସାଦ । ସୁକୁମାରୀ ପାଇଁ ଜାଲର ଅଭାବ ନଥିଲା ସେଠି–ଟିକି ହତାଟି ଭିତରେ । ଏଥିମଧ୍ୟରେ ସଂଗ୍ରହ କରିନେଇଥିଲା ସେ କେତେବେଳେ କୁଣ୍ଡେ ଉଚ୍ଚର ଜାଳ । ଚୁଲି ଝିଙ୍କାଭିତରେ ତେଣୁ ନିଆଁର ଅଭାବ ନଥାଏ ତା’ପାଇଁ–ତା’ର ଉଦ୍‍ଯୋଗୀ ହାତ ଦୁଇଟି ପାଇଁ ।

 

ବୁଢ଼ୀ ଆସି ବସିପଡ଼ିଲା ଝିଅ ପାଖରେ–ଝିଅକୁ ସାହାଯ୍ୟ କରିବାପେଇଁ ।

 

“ନାଇଁ ନାଇଁ ବୋଉ ! ତୁ ଯା ଏଠୁ । ନିଆଁଧାସ ପାଖରେ ବ’ନା ତୁ ।

 

ତୋ ଧିଅ ଆହୁରି ଖରାପ ହବ ।” ସୁକୁମାରୀ ମା’ ହାତରୁ କାମ ଛଡ଼ାଇ ନେଉଥାଉ ।

 

“ଆଲୋ ଯା ବା–କୋଉ ଧିଅଟା ମୋର ଖରାପ ହେଇଚି ବା ? ଏ ପୁଆଟା ତୁଚ୍ଛାଟାରେ ମେତେ କଟକ ଘିତି ଆସିଚି । କାହିଁ ? କ’ଣ ହେଇଚିକି ମୋ ଧିଅ ! ହେଇ ହେଇ ଟିକିଏ ଅଣ୍ଟାକୁ ମାରୁଚି ଆଉ କୋଉଦିନ ଟିକିଏ ଜର ହେଇଥେଲା । ମୁଁ ପରା ମନା କରୁଚି–ମେତେ କଟକ ଆଣିବା କି ଦରକାର ଥିଲା ! ଏଡ଼େ ମହରଗ ଜେଗା–ଇଲୋ ମା’ଲୋ ! ମୁଁ ତ କାଲି ସକାଳୁ ଉଠି ଗାଁକୁ ପଳେଇବି । ମୋର ଦରକାର ନାଇଁ ଏ ସହର ବଜାରଲୋ ମା’ ! ପାନଖଣ୍ଡକ ଏଠେଇଁ ଚାରିପଇସା ! ମୋ କାନ ଉଠିଲା ଦିନୁ ମୁଁ ଶୁଣି ନଥିଲିଲୋ ମା’ !”

 

“ବୋଉ ତତେ ଡାକ୍ତର ଦେଖି କ’ଣ କହିଲା ?” ସୁକୁମାରୀ ମସଲା ବାଟୁଥାଏ ଟିକିଏ ଦୂରରେ ବସି । କୋଉଠୁ ଖଣ୍ଡିଏ ଚିକ୍କଣ ପଥର ଏଥିଭିତରେ ଆବିଷ୍କାର କରିଥାଏ ସେ । ସେଇଆକୁ ଶିଳ ଆଉ ଖଣ୍ଡିଏ ପଥରକୁ ଶିଳୁପତା ଭଳି ବ୍ୟବହାର କରି ସେ ଛେଚୁଥାଏ ମସଲା ।

 

“ଆଲୋହେ ! ତୁ ମସଲାରେ ଗୁଜୁରାତି ପକେଇ ନାହୁ କିଲୋ ? କାହିଁକି କିଛି ବାସନା ତ ହଉ ନାହିଁ ! ମଲା ମଲା ! ଆଉ କି ତିଅଣ ତୁ ରାନ୍ଧିବୁଲୋ–ମା’ । ହଇଲୋ ସେ ଆର ପୁଅ ପରା ଖାଇବ ଆମ ସାଙ୍ଗରେ ? ଏଡ଼େ ସରାଗରେ ଡାକିଥାଇଁ କ’ଣ ଏଇମେତି ଏଣୁତେଣୁ କରି କ’ଣ ଗଣ୍ଡିଏ ତାଙ୍କୁ ବାଢ଼ିଦବା ନା କ’ଣ ବା ? କିଲୋ ତେତେ ଏତେ କିରି କହି କରି ଗଲିପରା– ! ମୁଁ ଗାଧୋଇ ଗଲାବେଳେ କହିଲି ନାହିଁ ତେତେ–ସେଇ ପେଡ଼ିଟା ଖୋଲିବୁ–ମସଲା ପୁଡ଼ିଆଟାଏ ପଡ଼ିଚି ତା’ରି ଭିତରେ–ଅଳେଇଚ, ଗୁଜୁରାତି, ଲବଙ୍ଗ, ଡାଲିଚିନି, କବାବଚିନି, ଜାଇଫଳ......ତୋ ବାପା ଆଣି ନଥେଲେ । ସେଥର ଯୋଉଥର ଜାପାନରୁ ସେ ଆଣିଥେଲେ ତୋପେଇଁ ସେଇ ଛିଟ ପୋଷାକ ଖଣ୍ଡକ......ସେଇ କିମନ ନା କ’ଣ ସେ ଖଣ୍ଡକ ବା......”

 

ଟିକିଏ ଦୂରରେ ଖଟିଆ ପକେଇ ବସିଥିଲେ ଦୁଇ ବନ୍ଧୁ–ନଟବର ଆଉ ବିଭୁପ୍ରସାଦ । ଚାରିଆଡ଼ ବେଶ୍ ଅନ୍ଧାର ହେଇଯାଇଥାଏ । ମଝିରେ ଲଣ୍ଠନ ଆଲୁଅଟି ଜଳୁଥାଏ–ସନ୍ଧ୍ୟାବେଳର ସେଇ ଚିକ୍କଣ କାଚ ଭିତରର ତୋଫା ଆଲୁଅଟି । ତା’ଛଡ଼ା ସେଠିଥାଏ ଚୁଲିର ନିଆଁ । ଧୂଆଁ ସହିତ ମିଶିରହିଥାଏ ଡାଲି ବଘରାର ସୁନ୍ଦର, ଘରୋଇ ବାସ୍ନା । ତରକାରୀ ପାଇଁ ବଟାହଉଥିବା ମସଲାର ଅପୂର୍ବ ସୁଗନ୍ଧ ଏବଂ ସେଥିସହିତ ହଠାତ୍ ମିଶିଗଲା ଆଉ ଏକ ନୂଆ ଶବ୍ଦ–କିମନୋ ! ଜାପାନିଜ୍ କିମନୋ !

 

ଗୁଳୁଗୁଳି ବେଶ୍ ଆରମ୍ଭ ହେଇଯାଇଥାଏ । ନଟବର ବିଞ୍ଚିହଉଥାଏ ଓ ବିଞ୍ଚୁଥାଏ ମଧ୍ୟ ବିଭୁପ୍ରସାଦକୁ ଖଣ୍ଡିଏ ଛିଣ୍ଡା ତାଳପତ୍ର ବିଚଣାରେ ।

 

ତା’ର ସେଇ ପେଡ଼ିଟିକୁ ମସଲାପେଇଁ ଦରାଣ୍ଡୁ ଦରାଣ୍ଡୁ ବାହାର କରିଥିଲା ଖଣ୍ଡିଏ ସୁନ୍ଦର ଜିନିଷ, ବୁଢ଼ୀ, ସେତିକିବେଳକୁ ।

 

“ନେଲୋ ମା’ !” ବୁଢ଼ୀ ଡାକିଲା ତା’ ଝିଅକୁ ଆଉ କହିଲା, “ନେ, ୟାକୁ ଦେ–ଖଣ୍ଡିଆ ତାଳପତ୍ର ବିଚଣାଟାରେ ପୁଅଟା କାଇଁକି ବିଞ୍ଚିହଉଚି ବା ସେତିକିବେଳୁ ।”

 

ସୁକୁମାରୀ ଆସିଲା । ତା’ ହାତରେ ଖଣ୍ଡିଏ ଟିଣ, କଲେଇକରା ସୁନ୍ଦର ଥାଳିଆରେ ଟିକିଏ ମସଲା ଆଉ ଆର ହାତରେ ତା’ର ଥାଏ ଖଣ୍ଡିଏ ଚମତ୍କାର ସୂକ୍ଷ୍ମ ଜିନିଷ ! ଚିକଚିକ ସୁନେଲି ଚାଖଣ୍ଡେ ଲମ୍ବର ଖୋଳଟିଏ ।

 

“କ’ଣଟାଏ ଏଇଟା ?” ନଟବର ଟିକିଏ ଆଶ୍ଚର୍ଯ୍ୟ ଆଉ ଟିକିଏ ଇଙ୍ଗିତକରି ପଚାରିଲା, “ଏଇଟା ପୁଣି କି ଜୀବ ? ସେଦିନଭଳି ଜାପାନୀ ସାପଟାଏ ପୁଣି ଡେଇଁପଡ଼ିବ ନାଇଁତ ମୋ ଉପରକୁ !”

 

“ନାଇଁ ନାଇଁ....” ମୁହଁରେ ଲୁଗାଦେଇ, ଆପଣାର ହସକୁ ଲୁଚେଇ ନଉନଉ କହୁଥାଏ ସୁକୁମାରୀ, “କେଡ଼େ ମିଛୁଆ ମ ତେମେ । କୋଉଦିନ ସାପଟାଏ ଡେଇଁଥେଲା ତମ ଉପରକୁ ?”

 

ହୋହୋ ହେଇ ହସି ଉଠିଲା ନଟବର । ବିଭୁପ୍ରସାଦବି ଯୋଗ ଦେଲା ସେଇ ନିରୀହ, ସୁନ୍ଦର ପରିହାସ–ପାରିବାରିକ ପରିହାସରେ ।

 

ଲାଜେଇଯାଏ ସୁକୁମାରୀ । ବୋଧହୁଏ ସେ ବୁଝିପାରେ ନଟବରର ସେଇ ଇଙ୍ଗିତ । ତା’ ମୁହଁରେ ଖେଳିଯାଏ ଚମତ୍କାର ରଙ୍ଗଟିଏ । ମିଠା ଲାଜର କୃତ୍ରିମରାଗ ଟିକିଏ । ନଟବର ପାଖରେ ମସଲା ଥାଳିଆ ଆଉ ସେଇ ଜାପାନୀ ଲେଡ଼ିଜ୍ ବିଚଣା ଖଣ୍ଡକ ଥୋଇଦେଇ ସେ ପଳେଇଯାଏ ଅନ୍ଧାର ଆଡ଼କୁ–ଆଲୁଅଠୁଁ ଦୂରକୁ ।

 

ବିଚଣାଟିର ଗୋଟିଏ ମୁଣ୍ଡରେ ଝୁଲୁଥିବା ଛୋଟ ଦଉଡ଼ିଟିକୁ ଟାଣିଦିଏ ନଟବର ଏବଂ ଖୋଲିଯାଏ ବିଚଣା ଖଣ୍ଡକ–ଆପଣାଛାଏଁ–ଗୋଟିଏ ମୟୂରପୁଚ୍ଛ ଭଳି ଓ ଚାହୁଁଚାହୁଁ ସେଇ ଗ୍ରୀଷ୍ମରାତିର ତତଲା ପବନରେ ଢାଳିହେଇ ପଡ଼େ ଅପର୍ଯ୍ୟାପ୍ତ ଶୀତଳ, ସୁଗନ୍ଧ ! ଚନ୍ଦନର ସୌରଭ-! ବିଚଣାଟି ତିଆରି ହେଇଥିଲା କେତେଗୁଡ଼ିଏ ଚନ୍ଦନକାଠର ସୂକ୍ଷ୍ମ ପାତିଆରେ ।

 

“ବାଃ ! ବାଃ ! ଚମତ୍କାର ! କି ସୁନ୍ଦର ବାସ୍ନା !” ବିଭୁପ୍ରସାଦ ବିଭୋର ହୋଇଉଠେ । ଉନ୍ନତ୍ତ ହୋଇଉଠେ ।

 

ସାଙ୍ଗରେ ଗାଁରୁ ଆଣିଥିବା ପରିବା ଦିଇଟାକୁ ଛୁରିରେ କାଟୁଥାଏ ବୁଢ଼ୀ–ପନିକି ଅଭାବରେ ଏବଂ ସେ ଶୁଣୁଥାଏ ବିଭୁପ୍ରସାଦ ଓ ନଟବରଙ୍କର ସେଇ ବିଭୋରିତ ପ୍ରଶଂସାଗୁଡ଼ିକୁ ।

 

“ଏଇଟିକୁ ସୁକୁମାରୀର ମା’ ନିଜହାତରେ ତିଆରି କରିଚନ୍ତି....ଜାଣିଚୁ ? କେବଳ ଏଇ ଖୋଳଟିଛଡ଼ା ଆଉ ଏଥିରେ ଯାହାସବୁ ଲାଗିଚି ସବୁ ତାଙ୍କରି ହାତତିଆରି–ଏଇ ଦେଖ୍ ତ ! କେତେ ସରୁସରୁ କାରୁକାର୍ଯ୍ୟରେ ଭରପୂର ହେଇଚି ଏଇ ଚନ୍ଦନ ପାତଗୁଡ଼ିକ ଦେଖୁଚୁ ! ଏ ହଉଚି ତାଙ୍କର କୃତିତ୍ଵ ! କେବଳ ଏତିକି ନୁହେଁ । ସେ ଯଦି କିଛିଦିନ ରହନ୍ତି ଏଠି ତେବେ ଜାଣିବୁ–ସେ ଜଣେ ସଙ୍ଗୀତଜ୍ଞ, ଆଉ ସେ ସ୍ଵର ଯଦି ଥରେ ତୋର ସ୍ନାୟୁମଧ୍ୟଦେଇ ଭିତରକୁ ପ୍ରବେଶକରେ....ତୁ ଆଉ ଛାଡ଼ିପାରିବୁ ନାହିଁ ଏଇମାନଙ୍କୁ ବିଭୁପ୍ରସାଦ ! ସେ ହାରମୋନିୟମ୍ ବଜାନ୍ତି ଆଉ ମୃଦଙ୍ଗ ବଜାନ୍ତି । ପିଲାଦିନେ ଏଇ ମୃଦଙ୍ଗ ଛାଉଣି କରିବାକୁ ମୁଁ ଯାଏଁ ତାଙ୍କରି ଘରକୁ ଓ ସେଇଠି ମୁଁ ଚିହ୍ନେ ଏମାନଙ୍କୁ ! ଅଦ୍ଭୁତ ବଡ଼ ଅଦ୍ଭୁତ ସେ ସବୁ କଥା....ମୁଁ କହିବି ତତେ ପରେ ସେ ସବୁ କଥା....ୟାଙ୍କର ସ୍ୱାମୀ ଅଛନ୍ତି ଜାହାଜରେ....ସୁଇପର୍ ଥିଲେ, ସୁଇପର୍‍ରୁ ଉଠିଉଠି ସେ ବର୍ତ୍ତମାନ ଜାହାଜର ଗୋଟିଏ ମେଟ୍....ପରେ କହିବି ସେ ସବୁ କଥା....”

 

ନଟବରର ସ୍ଵର ବୋଧହୁଏ ବୁଢ଼ୀକୁ ଶୁଣାଯାଉଥାଏ । କିନ୍ତୁ ସେଗୁଡ଼ିକୁ ପ୍ରକାଶ୍ୟରେ ଶୁଣିବାକୁ ଇଚ୍ଛା ନକରି ଲାଗିପଡ଼ିଥାଏ ତରକାରୀ ବାଘାରିବାରେ ।

 

ସେଁ, ସାଁ, ଚେଁ, ଚାଁ....ଟିଣ ଆଉ ଶଙ୍ଖବାସନର ଟୁଂଟାଂ ଶବ୍ଦ, ନଟବରର କଥା, ସୁକୁମାରୀ ଆଉ ତା’ର ମା’–ଦୁହିଁଙ୍କର କଥୋପକଥନ, ପାଖ ଆଳୁଗୋଦାମ ରିଫ୍ରିଜରେଟରର ଝିଁଝିଁ ନିଶାଗର୍ଜିଲା ଭଳି ସ୍ୱର, କଣ୍ଟ୍ରାକ୍ଟର ଗୁହାଳରେ ଘୁମୁରୁଥିବା ଗାଈର ସ୍ଵର ଏବଂ ତା’ ସାଙ୍ଗକୁ ସେଇ ସବୁ ଅପୂର୍ବ ବାସ୍ନା–ବିଭୁପ୍ରସାଦ ଫେରିଯାଉଥାଏ ଧୀରେ ଧୀରେ ତା’ର ଶୈଶବକୁ....ଏବଂ ଦିନେ ତା’ର ବି ଥିଲା ଗୋଟିଏ ମା’, ଏଇଭଳି ଏକ ଏକ ରାତି......ରଜ ପୂର୍ବଦିନ ବା ସମ୍ବରଦଶମୀ, ଚିଟାଉ ଅମାବାସ୍ୟା ପୂର୍ବ ଦିନ ରାତିରେ ପିଠାପଣାପାଇଁ ଆୟୋଜନ ହେଉହେଉ ଢେର୍ ରାତି ହେଇଯାଏ । ପିଠୋଉ ବଟାବଟି, ଖଳି ଯନ୍ତାଯନ୍ତି, ପୁର ତିଆରି, ପିଠା ବଳାବଳି......ଚାଲିଥାଏ ଗପ୍‍ସପ୍, ପାନଭଙ୍ଗାଭଙ୍ଗି, ଗୁଆକାତିର ଠକ୍‌ଠାକ୍, ଚୁଲିରୁ ପିଠାର ବାସ୍ନା, ଥଟ୍ଟାପରିହାସ......ତା’ର ବାପା ସାହାଯ୍ୟ କରୁଥାନ୍ତି ତା’ର ମା’ଙ୍କୁ ପିଠା ତିଆରିରେ, ପିଲାଗୁଡ଼ିକ ଢୁଳେଇ ପଡ଼ୁଥାନ୍ତି ପୁଣି ହଠାତ୍ ଚେଇଁ ଉଠନ୍ତି, ପିଠାର ବାସ୍ନା ଆଉ ସେଇସବୁ ବିଚିତ୍ର ସୁଗନ୍ଧ...ଛାଇଛାଇ ନିଦ ଭିତରେ ପିଲାଏ ଅନୁଭବ କରୁଥାନ୍ତି...ଅନିରୁଦ୍ଧ ଛୋଟଟିଏ ହେଇଥାଏ, ହଠାତ୍ ତା’ର ନିଦ ଭାଙ୍ଗିଯାଏ । ଜଳଜଳ କରି ଚାହିଁ ସେ ଗୋଡ଼ହଲାଏ ଓ ହସୁଥାଏ ମନକୁମନ ତା’ର କୁନିକୁନି ପୁଚୁକା ଗାଲ ଦୁଇଟି ଭିତରେ–ଛ’ସାତ ମାସର ଛୁଆଟିଏ ହୋଇଥାଏ ସେ । ଘେରିଯାନ୍ତି ସାରା ପରିବାରଟି ସେଠି; ସେଇ ଛୁଆଟିର ଚାରିପାଖେ । ଚିପା ଚିପା ସ୍ଵରରେ ତା’ର ମା’ ଗୀତ ବୋଲନ୍ତି......ନାନାବାୟା ଗୀତ । ବାହାରେ ନିଶାଗର୍ଜୁଥାଏ । ପଡ଼ିଶାଘର ଗୁହାଳରେ ଗାଭୁଲୀ ଗାଈଟିଏ ହମ୍ବାରଡ଼ି ଛାଡ଼େ.......ଠିକ୍ ସେଇଭଳି ଆଜି ଏକ ରାତି !

 

କ୍ଳାନ୍ତ ବିଭୁପ୍ରସାଦକୁ ଛାଇନିଦରୁ ଉଠାନ୍ତି ସେମାନେ । ଖଲିପତ୍ର ପଡ଼ିଯାଇଥାଏ । ବିଭୁପ୍ରସାଦ ଆଉ ନଟବର ସାଙ୍ଗହୋଇ ଖାଇବସନ୍ତି । ବିଭୁପ୍ରସାଦ ଲକ୍ଷ୍ୟକରେ ସେଇ ପୁରୁଣା ଆଉ ସୁନ୍ଦର ଶଙ୍ଖ ଥାଳିଆଟି ପଡ଼ିଥାଏ ତା’ରି ଭାଗରେ–ସନ୍ଧ୍ୟାର ବରେଣ୍ୟ ଅତିଥି ବିଭୁପ୍ରସାଦ ।

 

ବିସ୍ମିତ ହୋଇଥାଏ କ୍ୟାନ୍‌ସର୍–ସେଇ ଚମତ୍କାର ସନ୍ଧ୍ୟାର ପାରିବାରିକ ପରିବେଶ ମଧ୍ୟରେ ସ୍ଥାନ ନଥାଏ ଦାରିଦ୍ର୍ୟ, ଅନିଶ୍ଚିତତା ଓ ମୃତ୍ୟୁର !

 

ପନ୍ଦର

 

କିନ୍ତୁ ରାତି–ବିଶେଷକରି ରାତିର ଅଧ । ଯେତେବେଳେ ଆଖି କାମ କରିପାରେନା–କାମକରେ ଆଖିର ପଛକୁ ଲାଗିଥିବା ବାକ୍ସଟି–କଳ୍ପନା । କୌଣସି ଉଚ୍ଚ, ସୁରକ୍ଷିତ ବୃକ୍ଷଶାଖାର ଗୋପନୀୟ ସ୍ଥାନରେ ଝୁଲୁଥିବା ଉଷୁମ ନୀଡ଼ଟି ଭିତରେ ଆତ୍ମଗୋପନ କରିବାକୁ ଚେଷ୍ଟାକରି ବିଫଳ ହେଉଥାଏ କଳ୍ପନା ଏବଂ ସେ ଖସି ପଡ଼ୁଥାଏ ପ୍ରତିଥର–ତଳକୁ–ତଳର ଅନିଶ୍ଚିତ, ଉପଦ୍ରୁତ ସଂସାରକୁ–ସେଇଭଳି ଏକ ବିଷମ ସମୟ ଏଇ ରାତି, ସ୍ନେହୀ, ଆଶାୟୀ ମଣିଷପାଇଁ ।

 

ନଟବରର ଚିପା ଚିପା କୋହମିଶା କାନ୍ଦରେ ନିଦ ଭାଙ୍ଗିଲା ବିଭୁପ୍ରସାଦର ।

 

“ନଟବର ! ନଟବର ! କ’ଣ ହେଉଚିରେ ତୋର !’’ ବିଭୁପ୍ରସାଦ ଉଠି ବସିଲା ।

 

ଦୁହେଁ ଶୋଇଥିଲେ ପାଖାପାଖି ହୋଇ । ମୁଣ୍ଡ ଉପରେ ପଙ୍ଖା ଘୂରୁଥାଏ । କାହିଁକି କେଜାଣି ଟିକିଏ ଶୀତ ଶୀତବି ଲାଗୁଥାଏ । ସେମାନେ ଶୋଇଥାନ୍ତି, ଦୁଇଟି କ୍ଲାସ୍ ବେଞ୍ଚ୍ ଉପରେ । ମୁଣ୍ଡତଳେ କେବଳ ଖଣ୍ଡିଏ ଖଣ୍ଡିଏ ତକିଆ । ଲାବୋରେଟୋରୀର ଗୋଟିଏ ଖୋଲା କପ୍‌ବୋର୍ଡ଼ ଭିତରେ ସେମାନେ ଦିନବେଳା ଲୁଚାଇ ଦିଅନ୍ତି ଏଇ ତକିଆ ଦୁଇଟିକୁ ଏବଂ ରାତି ହେଲେ ବସାରୁ ଖାଇପିଇ ସେମାନେ ବାହାରି ଆସନ୍ତି କଲେଜକୁ–ଶୋଇବାକୁ । ଲାବୋରେଟୋରୀକୁ ଲାଗି ଛୋଟ ବଖରାଟିଏ । ଏଇଠି ସେମାନେ ପଢ଼ୁଥିଲେ ଏମ୍.ଏସ୍‌ସି । ଦିନରେ ପଢ଼ାହୁଏ ଇଠି, ପାଖ ଲାବୋରେଟୋରୀରେ କାମଦାମ ହୁଏ ଓ ରାତିରେ ଶୁଆବସା ହୁଏ ମଧ୍ୟ ଏଇଠି–ଏଇ କଲେଜରେ-। କେବଳ ସେଇ ଦୁହେଁ ନୁହନ୍ତି, ଆହୁରି ଅନେକ ଦରିଦ୍ର, ବାସହୀନ ଛାତ୍ରଙ୍କପାଇଁ ବସାଘର ମଧ୍ୟ ଯୋଗାଇ ଦିଏ ଏଇ ଘର–ଏଇ କଲେଜଘର । ପାଠ ପଢ଼ି ସେମାନେ ମଣିଷ ହୁଅନ୍ତି । କିଏ କିଏ ନିଜର ମୁଣ୍ଡ ଗୁଞ୍ଜିବାପାଇଁ ନିର୍ମାଣ କରନ୍ତି ଆପଣାର ଘର । ଆଉ, କିଏ କିଏ ମଧ୍ୟ ପଡ଼ିରହନ୍ତି ସେଇଠି ସେଇ ଗୋଟିଏ ଘରକୁ ଆଶ୍ରୟ କରି–ସାରା ଜୀବନ । ସେମିତି ପଡ଼ିଥିଲେ ସେଠି ଦୁଇଟି ସମଦଶାପନ୍ନ ବନ୍ଧୁ–ନଟବର ଏବଂ ବିଭୁପ୍ରସାଦ । ସେମାନଙ୍କ ପାଇଁ ଆଉ ସ୍ଥାନ ନଥିଲା ଏ ସଂସାରରେ ।

 

ବସାରୁ ବାହାରି ଆସିଲାବେଳେ ନଟବର ସୁକୁମାରୀକୁ ଡାକି ସତର୍କ କରିଦିଏ–“ଖବରଦାର୍” ! କେହି ଯଦି ରାତିରେ ଡାକେ, କବାଟ ଖୋଲିବ ନାହିଁ !”

 

ସୁକୁମାରୀପାଇଁ ସୁକୁମାରୀର ମା’ ଜବାବ ଦିଏ–

 

“ଆରେ ବାପା ! ଆମପେଇଁ ଜମାରୁ ଚିନ୍ତା କରନା । ତମେ ଦିହେଁ ଯାଅ ଶୋଇବ ଯାଅ-। ରାତି ଢେର୍ ହେଇଗଲାଣି । ସକାଳକୁ ଉଠି ପୁଅ ପୁଣି କାମକୁ ଯିବ ପରା । ତମେ ଶୁଅ ନିଶ୍ଚିନ୍ତରେ । ଆମକୁ ଡର କ’ଣ । ସାରା ଜୀବନତ କହିଲା ଭଳିଆ ଏକାଏକାରେ ଗଲା । ଆମକୁ ଡରବି ଡରିବ-। ଆମ ପାଖରେ କ’ଣ ଅଛି ଯେ ଆମକୁ ଡର ମାଡ଼ିବ ?”

 

ନଟବର ଆଉ ବିଭୁପ୍ରସାଦ ବାହାରି ଆସନ୍ତି । ତେବେ ନଟବର ପୁଣି ଟିକିଏ ମନେପକାଇ ଦିଏ–“ମାଉସୀ ! ଏ ହଉଚି ସହର ବଜାର ଜେଗା । ଗାଁ ନୁହେଁ । କେତେବେଳେ କୋଉ କଥା–ତୁମେ ଜାଣିପାରିବ ନାହିଁ । ସେଇଥିପାଇଁ କହିଲି । କିଛି ମନେ କରିବ ନାହିଁ । ’’

 

ସେଗୁଡ଼ିକ ଥାଏ ସେହି ଲୋମହର୍ଷଣକାରୀ ଶାନ୍ତିଲତା ହତ୍ୟା ଘଟଣା ଭଳି ଅନ୍ୟ କେତୋଟି ନିର୍ମମ, ମର୍ମନ୍ତୁକ ଘଟଣାର ଦିନ । ପିଲାଛୁଆ ଧରି ସହରରେ ରହିବା, ଦରିଦ୍ର ଓ ନିମ୍ନ ମଧ୍ୟବିତ୍ତ ପରିବାର ପକ୍ଷରେ ମନେହେଉଥାଏ ଏକ ଜୁଆଖେଳ ଭଳି । ଝିଅଟିଏ ଆଜି ସକାଳୁ ସ୍କୁଲ୍‍କୁ ଯାଉଚି ହୁଏତ ସନ୍ଧ୍ୟାବେଳକୁ ସେ ଆଉ ଫେରିବ ନାହିଁ ! ରାତିଅଧରେ ତୁମର ଦୁଆରମୁହଁରେ ରହିବ ଜିପ୍‍ଟିଏ । କେଉଁ କଣ୍ଟ୍ରାକ୍ଟଟର ଅଥବା କେଉଁ ଶିକାରପ୍ରିୟ ଧନିକ ସନ୍ତାନର କିପ୍ ବା କାର୍ ! ତୁମର ସ୍ତ୍ରୀ–ସନ୍ତାନର ମା’, କବାଟ ଖୋଲି ପାଇବେ ଆପଣାର ଲୁପ୍ତ ରତ୍ନଟିକୁ । ମେଞ୍ଚାଏ କନା ଆଉ ରକ୍ତର କୂଅ ଭିତରେ ଛଟପଟ ହୋଇ ଝିଅଟିର ଆଖି ଖୋସି ହୋଇପଡ଼ିଥିବ-। ତା’ର ପାଟି କେବଳ ପାକୁ ପାକୁ ହେଉଥିବ । ତା’ର ଶୁଖିଲା ଓଠର ଯନ୍ତ୍ରଣା ବୁଝିବାକୁ ଓ ବୁଝାଇବାକୁ ଏ ସଂସାରରେ ଭାଷାର ସୃଷ୍ଟି ହୋଇ ନଥିବ । ସେଇ ହେବ ଉପହାର–ଆଜିର ସମାଜର ଗୋଟିଏ ସମ୍ବଳହୀନ ଦରିଦ୍ର ବା ନିମ୍ନମଧ୍ୟବିତ୍ତ ପରିବାରର ମା’ପାଇଁ-! ଏବଂ ସେତିକିରେଇ ସନ୍ତୁଷ୍ଟ ହେବାକୁ ପଡ଼ିବ ତାଙ୍କୁ ।

 

ନଟବରର ଅନୁନାସିକ କଥାଗୁଡ଼ିକ ବିଭୁପ୍ରସାଦକୁ କରିଦେଲା ଆହୁରି ଶୀତଳ–ବାୟୁମଣ୍ଡଳର ଶୀତଳତାଠାରୁ ଆହୁରି ତଳକୁ ।

 

“ନା, କିଛି ନାହିଁ ।” ଉତ୍ତର ଦେଲା ନଟବର । ‘‘ମୁଁ କେବଳ ସ୍ଵପ୍ନ ଦେଖୁଥିଲି ମୋର ବାପାଙ୍କୁ । ତାଙ୍କର ସେ ଗଳଗଣ୍ଡଟା ସେମିତି ଅଛି–ଭଲ ହୋଇନାହିଁ ।” ବିଭୁପ୍ରସାଦ ଟିକିଏ ଗୁମ୍ ମାରିଗଲା । ହଠାତ୍ କରି କିଛି ଗୋଟାଏ କହି ବା ଯୁକ୍ତିକରି ସଦ୍ୟମାତୃହୀନ ଯୁବକଟିକୁ ବୁଝାଇବାର ଆବଶ୍ୟକତା ଅନୁଭବ କରୁ ନଥାଏ ସେ ।

 

ନଟବର ଉଠିବସିଲା । ଟିକିଏ ବାହାରକୁ ଯାଇ ବୁଲିଆସିଲା । ବାହାର ରାସ୍ତାର ଆଲୁଅ ଏପଟେ କଲେଜ ପଡ଼ିଆପଟର ବଡ଼ବଡ଼ ଝଙ୍କା ଝଙ୍କା ଗଛର ଛାଇ କେତେଟା ଘରଭିତରକୁ ଲମ୍ବି ଆସିଥାନ୍ତି । ବିଭୁପ୍ରସାଦର ନିଦ ଭାଙ୍ଗିଗଲା । ତା’ର ଇଚ୍ଛା ହେଲା ଲାବୋରେଟୋରୀ ଖୋଲି ରାତିର ଅବଶିଷ୍ଠାଂଶଟିକୁ କାମ କରୁ କରୁ କଟାଇ ଦେବାପାଇଁ ସେ ଉଠିଲା ଓ ତକିଆ ତଳୁ ଲାବୋରେଟୋରୀର ଚାବି ଦରାଣ୍ଡି ଆଣିଲା ।

 

କିନ୍ତୁ ନଟବର ତାକୁ ବାଧାଦେଲା ଓ କହିଲା–

 

“ଶୁଣ୍ ! ତୋ ସାଙ୍ଗରେ ମୋର ବହୁତ କଥାବାର୍ତ୍ତା ଅଛି । ସକାଳୁ ମୁଁ ଚାଲିଯିବି ଡାକ୍ତରଖାନା ଆଉ ତୁ ଚାଲିଯିବୁ କୁଆଡ଼େ । ତୋ ସହିତ ଗୋଟିଏ ବଡ଼ ଧରଣର ପରାମର୍ଶ କରିବାର ଅଛି । ଆ ଯିବା । କଲେଜ ପଡ଼ିଆରେ ସିମେଣ୍ଟ ବେଞ୍ଚ୍‍ରେ ଟିକିଏ ବସିବା ଓ ଗପ୍‍ସପ୍ ହେବା–ଆଜି ରାତିକ ତା’ପରେ–ସେ ଯୋଗକଲା ଟିକିଏ ନୀରବତା ପରେ, “ତା’ପରେ ହୁଏତ ସକାଳକୁ ତୁ ଆଉ ମୁଁ.....ଆମ ଦୁହିଁଙ୍କ ମଧ୍ୟରେ ବ୍ୟବଧାନ ଥିବ ଆକାଶ ଆଉ ପାତାଳ !”

 

ବିଭୁପ୍ରସାଦ ଟିକିଏ ନିଃଶ୍ଵାସ ବାରିଲା–ନଟବରର କଥାରୁ । ସେ ଆଗରୁ ଅନ୍ଦାଜ କରିଥିଲା–ନଟବରର କଠିଣ ଓ ଅପେକ୍ଷାକୃତ ଶୀତଳ ଆବରଣତଳେ ପ୍ରବାହିତ ହେଉଥିବା ଉତ୍ତତ୍ପ ଲାଭାସ୍ରୋତ, ସେଇ ବିକ୍ଷୁବ୍ଧ ସର୍ବହରାର କ୍ଷୁଣ୍ଣତା ତଥାପି ମରି ନଥିଲା । ସେ କେବଳ ଟିକିଏ ଦବିଯାଇଥାଏ ସେଇ ନବାଗତା ସୁକୁମାରୀ ନାମଧାରିଣୀ ଝିଅଟିର ପ୍ରଭାବରେ ସତେକି ।

 

ସାଙ୍ଗହୋଇ ଦୁହେଁ ରାସ୍ତା ଟପିଲେ ଓ ତାରବାଡ଼ ଅତିକ୍ରମକରି ପଶିଲେ କଲେଜ ପଡ଼ିଆ ଭିତରକୁ । ନିର୍ମଳ, ଭଙ୍ଗାରୁଜା ହେଇ ନଥିବା ସିମେଣ୍ଟ ବେଞ୍ଚ୍‍ଟିଏ ଖୋଜି ବସିଲେ ଦୁହେଁ । ଉପରକୁ ଚାହିଁ ବିଭୁପ୍ରସାଦ ଦେଖିଲା–ରାସ୍ତା ବତିର ଝାପ୍‍ସା ଆଲୁଅଗୁଡ଼ିକ ଚମତ୍କାରଭାବେ ପ୍ରତିଫଳିତ ହେଉଥାନ୍ତି ସେଇ ସୁନାର ଝାଲରଭଳି ସୁନାରିଫୁଲର ବିଲମ୍ବିତ ସ୍ତବକଗୁଡ଼ିକରୁ ।

 

ଗୋଟିଏ ସେକେଣ୍ଡ୍‍ର ଏକ ସହସ୍ରାଂଶ ସମୟପାଇଁ ବିଭୁପ୍ରସାଦର ମନଭିତରେ ଖେଳିଗଲା ଗୋଟିଏ ବାସ୍ନା–ମୁରାଶା ! ଏବଂ ତା’ପରେ ସେ ପୁଣି ଅନ୍ତର୍ହିତ ହୋଇଗଲା ଆପଣାଛାଏଁ । –ଯେଉଁଭଳି ବିନାକରଣରେ ସେ ଆସିଥିଲା ସେଇଭଳି ।

 

ନଟବର ଚୁପ୍‍ହୋଇ ବସିଥାଏ । ସତେକି ସେ ପ୍ରସ୍ତୁତ ହେଉଥାଏ ଗୋଟିଏ ଟାଇମ୍‍ବମ୍ ଭଳି ।

 

କିଛି ସମୟ ପରେ ବିଭୁପ୍ରସାଦ ପୁଣି କ୍ଳାନ୍ତି ବୋଧକଲା ଓ ନଟବରକୁ ଟିକିଏ ଚୁମୁଟିଦେଇ କହିଲା–

 

‘‘କିରେ ! କ’ଣ ଏମିତି ବସିବୁ ବୋଲି ଡାକି ଆଣିଥିଲୁ ନା କ’ଣ ? କ’ଣ କହୁନୁ କାହିଁକି-? କାହିଁକି ଏମିତି ଭିତରେ ଭିତରେ ପୋଡ଼ି ମରୁଚୁ । କହୁନୁ କାହିଁକି କ’ଣ ତୁ ଭାବୁଚୁ ?”

 

ନଟବର ତଥାପି ଗୁମ୍‍ମାରି ବସିଥାଏ ।

 

ବିଭୁପ୍ରସାଦ ବୁଝିପାରିଲା ନଟବରର ସେଇ ନିରବତାକୁ । ବୋଧହୁଏ ସେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନଥାଏ ଫୁଟିବାକୁ । ତା’ର ଗୋଳମାଳିଆ ଭାବନାଗୁଡ଼ିକ ହୁଏତ ଏପର୍ଯ୍ୟନ୍ତ ଧରିପାରି ନଥାନ୍ତି କୌଣସି ନିର୍ଦ୍ଦିଷ୍ଟ ରୂପ–ବୈଶାଖରେ ଅନିର୍ଦ୍ଦିଷ୍ଟ, ଛୁଟନ୍ତା ବାଦଲଗୁଡ଼ିକ ପରି ।

 

କିନ୍ତୁ ହଠାତ୍ କାହୁଁ ଆସିଲାପରି ନଟବରର ମୁହଁ ଖୋଲିଲା–

 

“ବିଭୁ ତୁ ମତେ କୋଉଠୁ ହେଲେ ଟଙ୍କା ପାଞ୍ଚଶହ କରାଇଦେଇପାରନ୍ତୁ ନାହିଁ ? ପାଞ୍ଚଶହ ଟଙ୍କା–ନଗଦ !”

 

ବିଭୁପ୍ରସାଦ ସ୍ତବ୍ଧ ହୋଇଗଲା । ସେଇ ଝାପ୍‍ସା ଆଲୁଅ ଭିତରେ ନଟବରର ମୁହଁକୁ ଖୋଜିବାକୁ ଚେଷ୍ଟା କରୁ କରୁ ସେ ଉତ୍ତର ଦେଲା–

 

“ନଗଦ ? ପାଞ୍ଚଶହ ?”

 

ନଟବର ପୁଣି ଗୁମ୍ ମାରିଗଲା ।

 

ବିଭୁପ୍ରସାଦ ଟିକିଏ ହସିଲା–“ହୁଁ !” ତା’ପରେ ସେ ଯୋଗକଲା–

 

“ବାବା ! ଖାସା କଥାଟିଏ ମନେ ପକାଇଲୁ । ତୁ ଜାଣୁ ? କାଲି ସକାଳକୁ ମୋ ପାଖରେ ଅଧଲାଟିଏ ନାହିଁ । ମୁଁ ତ ଭାବିଥିଲି କାଲି ସକାଳେ ତତେ ମାଗିବାପେଇଁ–ଟଙ୍କା ପଚାଶଟା !” ଏଇ ଶେଷ ପଦଗୁଡ଼ିକୁ ଈଷତ୍ ତୀର୍ଯ୍ୟକଭାବେ କହିପକେଇଲା ବିଭୁପ୍ରସାଦ କାହିଁକି କେଜାଣି ।

 

ନଟବର ଚେଇଁ ଉଠିଲା । ବୋଧହୁଏ ସେ ଏଥିମଧ୍ୟରେ ମନରୁ ସମ୍ପୂର୍ଣ୍ଣ ପାସୋରି ପକେଇଥିଲା ବିଭୁପ୍ରସାଦର ଟଙ୍କା କଥା–ଯୋଉ ଟଙ୍କା ଧାର କରି ସେ ଗାଁକୁ ଯାଇଥିଲା–ବୁଢ଼ୀପାଇଁ ଫଳ ଖରିଦ କରି । ଗୋଟାଏ ଚାବୁକ୍ ମାଡ଼ ଭଳି କାମ କଲା ବିଭୁପ୍ରସାଦର ସେଇ ଆଘାତଟା ନଟବରର ମନ ଉପରେ ।

 

“ବିଭୁପ୍ରସାଦ !” ନଟବର ତେଜି ଉଠିଲା, “ବେଳେବେଳେ ତୋର ଭିତରେ ଗୋଟାଏ ନୃଶଂସ ସାଇଲକ୍ କାମକରେ । ମୁଁ କ’ଣ ତୋତେ ଡାକି ଆଣିଥିଲି ତୋଠାରୁ ଏଭଳି ତାଗିଦା ପାଇବାପାଇଁ ?”

 

“ନଟବର !” ବିଭୁପ୍ରସାଦ ଆଶ୍ଚର୍ଯ୍ୟ ହେଲା ତା’ର ବନ୍ଧୁର ଏଇ ଚରମ ସ୍ପର୍ଶକାତରତାଟିକୁ ଅନୁଭବ କରିପାରି । ସେ ଆଦୌ ଇଚ୍ଛା କରି ନଥିଲା ନଟବରକୁ ଆଘାତ ଦେବାପାଇଁ । କିନ୍ତୁ–

 

ନଟବର ଉଠି ଠିଆହେଲା–ସତେକି ସେ କୁଆଡ଼େ ଦଉଡ଼ି ପଳେଇବା ପାଇଁ ତିଆରି ହେଉଥିଲା କିମ୍ବା ସେଇ ନିର୍ଜନ ପଡ଼ିଆ ମଝିରେ ବିଭୁପ୍ରସାଦର ବେକ ଚିପି ମାରି ଦେବାପାଇଁ ଉଦ୍ୟତ ହେଉଥିଲା ।

 

“ନଟବର ! ଏଭଳି ସ୍କୁଲ୍ ପିଲାଙ୍କ ଭଳି ଭୁଲ ବୁଝନା ଜଣକର କଥାକୁ । ଆ–ବସ୍ । ମୁଁ କହୁଛି ତତେ–ସେମିତିଗୁଡ଼ାଏ ବାଡ଼େଇପିଟି କାହିଁକି ହଉ ତୁ ସଦାବେଳେ ? ଏମିତି ହେଲେ ସ୍ଵାସ୍ଥ୍ୟ ଖରାପ ହେଇଯାଏ ମଣିଷର । ଆମେମାନେ ବୈଜ୍ଞାନିକ । ଆମର କଥାଭାଷାଠାରୁ ଆରମ୍ଭକରି କାମରେ ମଧ୍ୟ ସେଇଭଳି ଯୁକ୍ତି–ଲଜିକ୍ ରହିବା ଉଚିତ । ଏଭଳି ଭାବପ୍ରବଣ ହୋଇପଡ଼ୁ ତୁ କାହିଁକି-? ବସ୍-। କ’ଣ ଘଟଣାଟା ଆଗ କହ !”

 

ବିଭୁପ୍ରସାଦ ସାନ୍ତ୍ଵନା ଦେଉଥାଏ ନଟବରକୁ ।

 

କିନ୍ତୁ ନଟବର– !

 

“ସେମିତି ଗୋଟାଏ ଚଲାଖିଆ କଥାବାର୍ତ୍ତା କରନା ବିଭୁପ୍ରସାଦ ! ତୋ ମନେମନେ ତୁ ଗୋଟାଏ ସାଧୁପୁରୁଷ ଅବଶ୍ୟ । ତୋର ରାଗ ଶେଷ ନାହିଁ । ତା’ର କାରଣ ତୋର ଗୋଟାଏ ବାପ ଅଛି ପଛକୁ । ଆଉ ଗୋଟାଏ ଜିଭ ଅଛି ମୁହଁରେ–ଯେ ଚାଟି ନେଇପାରେ ବିନା ଆପତ୍ତିରେ ଯେକୌଣସି ଲୋକର ପାଦକୁ–ଯେ କୌଣସି ମାନ, ଅପମାନ, ନିନ୍ଦା ଓ କୁତ୍ସାରଟନାକୁ । କିନ୍ତୁ ତୁ କ’ଣ ଭାବିଛୁ ଏ ସଂସାରରେ ସମସ୍ତେ ହଉଚନ୍ତି ଗୋଲାମ ଆଉ ପରପଦ ଲେହନକାରୀ...” ସେ ଉତ୍ତର ଦିଏ ।

 

ବିଭୁପ୍ରସାଦର କ୍ଳାନ୍ତି ଭାଙ୍ଗିଗଲା । ସେ ଜାଣିପାରିଲା ଯେ ସେଇ ମୂର୍ତ୍ତିଟି, ଯେ ତା’ ଆଗରେ ଠିଆହୋଇ ତାକୁ ଉତ୍‍କ୍ଷିପ୍ତ କରିବାକୁ ଚାହୁଁଥାଏ ସେତେବେଳେ, ସେ ନୁହେଁ ନଟବର । ସେ ହଉଚି ନଟବରର ସେଇ “ଓଟରୁମ ଟୋପି”ର ଭୂତ ! ନଟବର–‘ଲର୍ଡ଼’ ଉଇଲିଅମ୍ ବେଣ୍ଟିଂର ପୁଅ ନଟବର; କିନ୍ତୁ ବିଭୁପ୍ରସାଦ ଚୁପ୍ ରହିଲା । ନଟବର ବିଷତକ ଉଦ୍‍ଗାରି ପକେଇବା ପାଇଁ ତାକୁ ସୁଯୋଗ ଦେଲା ସେ ।

 

“ସମୟ ସମୟରେ ତୋ ଭିତରେ ମୁଁ ଆବିଷ୍କାର କରେ କାହାକୁ ଜାଣୁ ?” ନଟବରର ଘୃଣା ଜର୍ଜରିତ ସ୍ଵରରେ ପ୍ରତିଫଳିତ ହେଲା, “ମୁଁ ଜାଣେ–ମନମୋହନ ଆଉ ତୁ–ତୁମ ଦୁହିଁଙ୍କ ମଧ୍ୟରେ ଆଦର୍ଶଗତ ତଫାତ୍ କିଛିନାହିଁ । ତୁମେ ଦୁହେଁ ହେଉଛ ସୁବିଧାବାଦୀ । –ଧନୀ ଆଉ ମଧ୍ୟବିତ୍ତ ! ସେଇ ଏକ ନିଃଶ୍ଵାସରେ ତୁମେ ଏପଟ ହୁଅ ଆଉ ସେପଟ ହୁଅ ! ମୁଁ ଜାଣେ ବାବା ତୁମକୁ ସବୁ । ଭଲକରି ଚିହ୍ନେ ସେଇଦିନଠୁଁ ଯେଉଁଦିନ ତମେ ସବୁ ଏକଜୁଟ ହେଇ ମତେ ମାଡ଼ ଖୁଆଇଲ ଫଳ ବଜାରରେ–”

 

“ଆମେ ମାଡ଼ ଖୁଆଇଲୁ ?” ବିଭୁପ୍ରସାଦ ପ୍ରତିବାଦ ଜଣାଇଲା ତା’ର ସେଇ ସାମୟିକ କ୍ଷୀଣ କଣ୍ଠରେ ।

 

“ନିଶ୍ଚୟ ! ତୁମେ ନୁହତ ଆଉ କିଏ ?–ଯୋଉମାନେ ମାଛ ଖାଇବାକୁ ନ ପାଇ ନ’ଅଙ୍କ ଆସିଗଲା ବୋଲି ତେଜୋଉଥିଲ ଭାତ ଖାଇବାକୁ ପାଉ ନଥିବା ଲୋକଙ୍କୁ–ସେମାନେ କିଏ ? ତମରି ଧନୀ ଆଉ ମଧ୍ୟବିତ୍ତ ଲୋକ ସେମାନେ ନା ନୁହେଁ ?–ଯେଉଁମାନେ ଡଜନେ କଦଳୀପେଇଁ ଦାବି କରନ୍ତି ଗୋଟିଏ ମୂଲିଆର ଦିନକର ଦରମା–ସେରେ ଚାଉଳପେଇଁ ସେମାନେ ଘୂରେଇ ଦିଅନ୍ତି ଭୋକିଲା ଶ୍ରମିକକୁ ଦଶଜାଗା ଆଉ ଦିଅନ୍ତି କ’ଣ ? ପାଞ୍ଚଟି ଟଙ୍କା ଫୋପାଡ଼ି ଦେଇ ଯୋଉମାନେ କିଣି ନିଅନ୍ତି ଭୋଟ୍‍କାଗଜ–ପାଞ୍ଚବର୍ଷ ପାଇଁ ! ଏଇ ନୁହକି ତୁମେମାନେ–ତୁମର ସ୍ୱରୂପ ? ମନମୋହନ ଆଉ ତୁ ?”

 

“ମୁଁ ?”

 

“ହଁ, ହଁ, ତୁ !” ଏବଂ ହଠାତ୍ ନଟବର ଫେରି ଆସିଲା ଠିକ୍ ତା’ର ଲକ୍ଷ୍ୟ ଜେଗାକୁ ଓ ତା’ର ସେଇ ଅଭ୍ୟସ୍ତ ସିଧାସଳଖ ସ୍ଵରରେ ସେ ଅଭିଯୁକ୍ତ କଲା ବିଭୁପ୍ରସାଦକୁ–

 

“ମୁଁ ଜାଣେ ବିଭୁପ୍ରସାଦ–ତୁ ମତେ ମିଛ କହିବାକୁ ଚେଷ୍ଟା କରିଛୁ । ମୋର ଏ ଦୁର୍ଦ୍ଦିନରେ ଯେତେବେଳେ ଗୋଟାଏ ବିପଦଗ୍ରସ୍ତ ପରିବାରକୁ ରକ୍ଷା କରିବାପାଇଁ ମୁଁ ଦିନରାତି ଡାକ୍ତରଖାନାରେ ଦଉଡ଼ି ଦଉଡ଼ି ମରୁଛି, ସେତେବେଳେ ଗୋଟାଏ ପାସ୍‍ବହିରେ ଟଙ୍କା ପାଞ୍ଚଶହ ରଖି ତୁ ଯେ କେତେବଡ଼ ମିଛ କହିପାରୁ......ପୁଣି ଜଣକର ଜୀବନମରଣବେଳେ...ତୁ ଜାଣୁ ବିଭୁପ୍ରସାଦ–ଜଣେ କ୍ୟାନ୍‍ସର୍ ରୋଗୀ ଗୋଟିଏ ଦିନର ଅବହେଳା ଫଳରେ କି ସାଂଘାତିକ ପରିଣତି ଆଡ଼କୁ ଟାଣି ହୋଇଯାଏ ? ତୋର ଦୟା ହେଉନାହିଁ ସେଭଳି ଏକ ଚମତ୍କାର ମହିଳାର ଜୀବନ ରକ୍ଷାପାଇଁ.....ତୁ ଚିହ୍ନିନୁ, ତୁ ତଥା ! ଚିହ୍ନିପାରିନୁ ସେଇ ହୃଦୟକୁ ବିଭୁପ୍ରସାଦ–ତୁ ଚିହ୍ନିନୁ !”

 

ନଟବରର ସ୍ଵର ପୁଣି ହାରି ଯାଉଥାଏ, ପୁଣି ଭରି ଯାଉଥାଏ ଶ୍ଳେଷରେ ଅଭିମାନରେ ।

 

କିନ୍ତୁ ବିଭୁପ୍ରସାଦ ? ବିଭୁପ୍ରସାଦର ସମଗ୍ର ଆସ୍ଥାନଟା ଯେପରି ହଠାତ୍ ଟଳି ଉଠିବାକୁ ଚେଷ୍ଟା କରୁଥାଏ । ନା–ତାହା ନଟବରର ଆକ୍ଷେପ ନୁହେଁ ବରଂ ତା’ ନିଜର ବିବେକ !

 

ଏବଂ, ବାସ୍ତବିକ ବିଭୁପ୍ରସାଦ–ଏକ କୌଶଳୀ, ପ୍ରତ୍ୟୁତ୍ପନ୍ନମତି ମଧ୍ୟବିତ୍ତ ପରି ଭୁଲିଯିବାକୁ ଚେଷ୍ଟା କରିଥିଲା ସେ ପର୍ଯ୍ୟନ୍ତ–ଆପଣା ଘରର ଇଶାଣ କୋଣରେ ପୋତା ହୋଇଥିବା ସରାଗାତର ସୁନାମୋହର ଭଳି ସେଇ ଟଙ୍କା ପାଞ୍ଚଶହକୁ ! ଗତ ଦୁଇ ସପ୍ତାହ ତଳେ ତା’ର ରିସର୍ଚ୍ଚ ସ୍କଲାର୍‍ସିପ୍ ବାବଦରେ ଛ’ମାସକୁ ଛଅଶହଟି ଟଙ୍କା ସେ ପାଇଥିଲା କଲେଜ ଅଫିସ୍‍ରୁ ଏବଂ ସେଥିରୁ ଟଙ୍କା ପଚାଶଟି ଏଇ ନଟବରକୁ ଦେଇ ଅବଶିଷ୍ଟ ଟଙ୍କାକୁ ସେ ଜମା ରଖିଥିଲା ଡାକଘରେ–ଭବିଷ୍ୟତ ପାଇଁ ! ଭବିଷ୍ୟତ–ଯେଉଁ ଭବିଷ୍ୟତ ତା’ର କଳାଗୁମର ଆଖିଦ୍ଵାରା ଚାହୁଁଥାଏ ବିଭୁପ୍ରସାଦକୁ ତା’ର ବାପାଙ୍କର ଚାକିରିରୁ ଅବସର ପରେ ପରେ–ସେଇ ଭବିଷ୍ୟତ ପାଇଁ ।

 

ବିଭୁପ୍ରସାଦ ଇତଃସ୍ତତଃ ହୋଇଗଲା ନଟବରର ରୂଢ଼ ଆକ୍ଷେପରେ । ସେ କଦାପି ଆଶଙ୍କା କରି ନଥିଲା ଜଣେ ନଟବର କେବେ ଈର୍ଷା କରିପାରିବ ଆଉଜଣେ ଦରିଦ୍ର ବିଭୁପ୍ରସାଦ ଦୀର୍ଘ ଅନିର୍ଦ୍ଦିଷ୍ଟ ପଥର ପାଥେୟକୁ । କିନ୍ତୁ ତାହାହିଁ ବନ୍ଧୁତାର ପରିଚାୟକ !

 

ଡରିଗଲା ବିଭୁପ୍ରସାଦ । ତା’ର ମନେ ହେଲା ସତେ ଯେପରି କୌଣସି ଏକ ଦୁର୍ଭିକ୍ଷ ପ୍ରପୀଡ଼ିତ ଜନତା । ହଠାତ୍ ତା’ର ଅନୁଧାବନ କରୁଛି ଓ ଜୋର୍ କରି ତା’ର ଘରେ ପଶି ଛଡ଼ାଇ ନେଉଛି ତା’ ଥାଳୀର ଭାତଗୁଣ୍ଡା !

 

“ମନେରଖ ବିଭୁପ୍ରସାଦ !’’ ନଟବର ପୁଣିଥରେ ସତର୍କ କରିଦେଲା, “ମୁଁ ଏ ଟଙ୍କା ମାଗୁନାହିଁ ମୋ ନିଜପାଇଁ, କିମ୍ଵା ସୁକୁମାରୀର ମା’ପାଇଁ !

 

ମୁଁ ଏ ଟଙ୍କା ମାଗୁଛି ଦେଶର ଜଣେ ଦାୟିତ୍ୱବାନ , ବିବେକୀ ସେବକ–ଜଣେ ଡାକ୍ତରଙ୍କ ପାଇଁ, ଯେ ନିଜର ଦାୟିତ୍ଵକୁ ଦାୟିତ୍ଵ ବୋଲି ମନେ କରିବାପାଇଁ ଆବଶ୍ୟକ କରନ୍ତି ଦରମା ବାହାରେ କିଛି ପାରିଶ୍ରମିକ, କିଛି ପାରିତୋଷିକ । ଏଇ ଟଙ୍କା କେତେଟା ଦେଇ ମୁଁ କିଣିବାକୁ ଚାହେଁ କିଛି ସ୍ନେହ, କିଛି ସହାନୁଭୂତି ଆଉ କିଛି ବିଶେଷ କର୍ତ୍ତବ୍ୟବୋଧ ଆଜିର ଏଇ “ଫଳ” ମାର୍କେଟରୁ–ଯେମିତି ମୁଁ କିଣିଥିଲି କିଛି ସେଓ, କିଛି ନାସପାତି ମୋର ମୃତା ମା’ପାଇଁ–ତୋରି ଟଙ୍କାରେ–ତୋରି ଟଙ୍କା କୋଡ଼ିଏଟିରେ !”

 

ଏବଂ ନଟବର ଫେରେଇ ଦେଲା ବିଭୁପ୍ରସାଦର ସେଇ ଶବ୍ଦଗୁଡ଼ିକୁ ତା’ର ନିଜର ମୁଦ୍ରାରେ । ତା’ପରେ ଟିକିଏ ସନ୍ତୁଷ୍ଟ ହୋଇ ସେ ଚୁପ୍ ହେଲା ।

 

“ତୁ ମତେ କାହିଁକି ଆକ୍ରମଣ କରୁଛୁ ନଟବର ? ମୁଁ ତୋର କ’ଣ କ୍ଷତି କରିଛି ? ମୁଁ ତୋତେ ମୋର ଯଥାଶକ୍ତି ସାହାଯ୍ୟ କରିଛି ଓ କରିବି ମଧ୍ୟ । କିନ୍ତୁ ତୁ କ’ଣ ଭାବିଛୁ ଏଇଭଳି ଜୋର୍ ଜବରଦସ୍ତି କରି ତୁ ଆଦାୟ କରିପାରିବୁ ସ୍ନେହ, ସହାନୁଭୂତି ଆଉ ପ୍ରେମ ଅନ୍ୟ ଜଣଙ୍କର ହୃଦୟରୁ-? ତୁ ଏକ ଭୁଲ ରାସ୍ତା ଧରିଛୁ । ଏ ରାସ୍ତାରେ ଗଲେ ତୁ ଅମୃତ ପାଇବୁ ନାହିଁ–ପାଇବୁ ବିଷ ! ଶେଷକୁ ରକ୍ତପାତହିଁ ସାର ହେବ ।” ବିଭୁପ୍ରସାଦ କହିଲା–ଆଉ ସମ୍ଭାଳି ନ ପାରି ।

 

କିନ୍ତୁ ନଟବର ତା’ର ଉତ୍ତର ଦେଲା–“ଯେତେବେଳେ ଟଙ୍କା ଦେଇ ତୋର ସେଇ ଅମୃତକୁ କିଣିବାପାଇଁ ଅଣ୍ଟାରେ ଶକ୍ତି ନଥିବ ସେତେବେଳେ ରକ୍ତଦେଇ କିଣିବାକୁ ଜଣେ ଯେ ବାଧ୍ୟ ହେବ ।”

 

ବିରକ୍ତି ହୋଇଗଲା ବିଭୁପ୍ରସାଦ । ସେ ଆଉ ସହ୍ୟ ନ କରିପାରି କହିଲା–“ତୁ ତ ଗୋଟାଏ କମ୍ୟୁନିଷ୍ଟ ଭଳି କଥା କହୁଛୁ ନଟବର !”

 

ଏତେବେଳକେ ହସିଲା ଟିକିଏ ନଟବର । ସେ ଟିକିଏ ନରମି ଗଲା ଓ କ’ଣ ଭାବି ପୁଣି ଆସି ବସିଲା ବେଞ୍ଚ୍ ଉପରେ–ବିଭୁପ୍ରସାଦ ପାଖରେ ! ଟିକିଏ ଥଟ୍ଟାଳିଆ ସ୍ଵରରେ ଇଙ୍ଗିତ କରି ସେ କହିଲା–

 

“ଡରନା, ଡରନା ମୁଁ ତତେ ଆଦୌ ମାରିବି ନାହିଁ । ମୁଁ ତତେ ମନେ ରଖିଛି–ତୁ ମୋର ବନ୍ଧୁ ବିଭୁପ୍ରସାଦ ଯେ ମୋର ବିପଦବେଳେ ପାଖରେ ଠିଆ ହୋଇଛି, ମତେ ଆଶ୍ରୟ ଦେଇଛି, ମୋର ସୁଖ ଆଉ ଦୁଃଖର କଥାକୁ କାନ ଦେଇଛି । ମୁଁ କ’ଣ ତତେ ମାରିବି ? ନାଃ....କିନ୍ତୁ ମନେରଖ, ରାତି ପାହି ସକାଳ ହେଲେ ମୋର ତୋଠୁଁ ଦାବି ପାଞ୍ଚଶହ ଟଙ୍କା !”

“ନଟିଆ !’’ ବିଭୁପ୍ରସାଦ ହସି ପକେଇଲା–ନଟବରର ସେଇ ପରିହାସ–ଯୁକ୍ତ ସ୍ୱର ଶୁଣି ଓ ସେମାନଙ୍କର ଚିରାଚରିତ ଛାତ୍ରଦିନର କଥନିରେ କହିବାକୁ ଆରମ୍ଭ କରି ଦେଲା, “କିରେ ! ତୁ’ ତ କ’ଣ ବିହାରୀ ଚୋରକୁ ବଳିଗଲୁ ! ଆରେ ଝିଣ୍ଟିକା ମାରି ବଣି ପୋଷି ତୁ କ’ଣ ଦାନୀ କର୍ଣ୍ଣ ବୋଲେଇ ହବାକୁ ବସିଚୁ ! ହଇରେ ! ତୋର ଆଖିରେ ଗୋଟାଏ ଦରିଦ୍ର ରିସର୍ଚ୍ଚ ସ୍କଲାର୍‍ର ଭବିଷ୍ୟତର ମୂଲ୍ୟ ବେଶି ନା ଗୋଟିଏ ଗାଉଁଲି ପ୍ରୌଢ଼ା ସ୍ତ୍ରୀଲୋକର ଜୀବନର ମୂଲ୍ୟ ବେଶି ? ତୁ ମୋର ପାଞ୍ଚଶହ ଟଙ୍କା ନେଇ ଡାକ୍ତରକୁ ଦେବୁ । କିନ୍ତୁ ତା’ ପରିବର୍ତ୍ତେ ତୁ କ’ଣ ଗ୍ୟାରେଣ୍ଟି ଦେଇପାରିବୁ ସେଇ ଜୀବନଟି ପାଇଁ ? ପୁଣି କ୍ୟାନ୍‍ସର୍ ଭଳି ଏକ ରୋଗର କବଳରୁ ?”

କିନ୍ତୁ ନଟବର ପାଇଁ ତାହା ଥିଲା ଆଉ ଏକ ଚାଲେଞ୍ଜ । ସେ ଉତ୍ତର ଦେଲା ସମାନ ଉତ୍ସାହର ସହିତ–“ଯଦି ମୂଳଧନ ବା କ୍ୟାପିଟାଲ, ଜଣେ ରିସର୍ଚ୍ଚ ସ୍କଲାର୍‍ର ସର୍ବୋଚ୍ଚ ଆକାଂକ୍ଷା–ଏକ ନୋବେଲ୍‍ ପ୍ରାଇଜ୍‍ପାଇଁ ଗ୍ୟାରେଣ୍ଟି ଦେଇପାରିବ, ତେବେ ମୂଳଧନ ନିଶ୍ଚୟ ଗୋଟିଏ ମଣିଷର ଜୀବନପାଇଁ ଗ୍ୟାରେଣ୍ଟି ଦେଇପାରିବ !”

ହଠାତ୍, ସେଇ ପଦେ କଥାରେ, ସେମାନେ ପୁଣି ଆଉଜି ପଡ଼ିଲେ ପରସ୍ପର–ଆଡ଼କୁ ଓ ସେଇ ଅନ୍ଧାର ଭିତରେ ସେମାନେ ପୁଣିଥରେ ଅନୁଭବ କରିପାରିଲେ ପରସ୍ପର ହାତର ଉଷ୍ମତା । ଏବଂ ସଙ୍ଗେ ସଙ୍ଗେ ନଟବରର ଉତ୍ସାହ ପୁଣି ମାଡ଼ି ଆସିଲା । ସେ ଭୁଲିଯାଇଥିଲା ସେତେବେଳକୁ ତା’ର ବାପାଙ୍କ’ର ସେଇ ସ୍ଵପ୍ନକୁ ଯାହା ପରିବର୍ତ୍ତେ ସେ ପାଇଥିଲା ବିଭୁପ୍ରସାଦର ବନ୍ଧୁତ୍ୱ ।

“ଆଃ ! କି ସୁନ୍ଦର ସତେ ଏଇ ସୁନାରିର ସ୍ତବକଗୁଡ଼ିକ ! ଶୁଣ୍ ! କଜଳପାତିଟିଏ କେମିତି ହୁଇସିଲ୍ ମାରୁଛି ! ସକାଳ ପାଖେଇ ଆସୁଛି । କି ସୁନ୍ଦର ପବନ ! ଚାହାଁ ! ଦୂରରେ ସେଇ ଯୋଉ କ୍ୱାଟର୍‍ଟିରେ ନୀଳବତିଟିଏ ଜଳୁଚି ! ଏବଂ ପୁଣି ଶୁଣ୍–ରେଳ ପୋଲ ଉପରେ ଗାଡ଼ିର ଶବ୍ଦ-! ମତେ ଭାରି ଚମତ୍କାର ଲାଗେ ରାତିର ଏଇ ଅଂଶଟି !”

 

ନଟବରର ବନ୍ଧୁତାକୁ ଯଥାସମ୍ଭବ ଭାଙ୍ଗିଦେଲା ବିଭୁପ୍ରସାଦ । ସେ ଟାଣି ନେଉଥାଏ ନଟବରକୁ–ମଣିଷଠାରୁ ପ୍ରକୃତି ଆଡ଼କୁ, କେବଳ ସେଇ ପ୍ରକୃତିର ପଥ ଦେଇ ପୁଣିଥରେ ମଣିଷଆଡ଼କୁ ଫେରି ଆସିବାପାଇଁ ।

 

ନଟବର ଓ ବିଭୁପ୍ରସାଦ–ବିଭୁପ୍ରସାଦ ଓ ଭବାନୀପ୍ରସାଦ । ଏମାନଙ୍କର ଅନୁପାତିକ ଧର୍ମକୁ ଗୋଟିଏ ଆଲଜେବ୍ରାର ଇକ୍ୱେସନ୍‍ରେ ପକାଯାଇ ବେଶ୍ ବୁଝାଯାଇପାରେ । ଏବଂ ବର୍ତ୍ତମାନ ବିଭୁପ୍ରସାଦ ଠିଆ ହେବାକୁ ଚେଷ୍ଟା କରୁଥାଏ ନଟବର ପାଖରେ ଠିକ୍ ସେଇଭଳି, ଯେଉଁଭଳି ସେଦିନ ଠିଆ ହୋଇଥିଲେ ଭବାନୀପ୍ରସାଦ ତାଙ୍କ ପୁଅ ପାଖରେ ।

 

ନଟବରର ଶାଣିତ ଜିହ୍ଵା ଯଥେଷ୍ଟ ନରମି ଯାଇଥାଏ ସେତେବେଳକୁ । ସେ ଆଉ ମୃତ୍ୟୁ ବିଷୟରେ ଚିନ୍ତିତ ନ ହୋଇ ଚିନ୍ତା କରିବାକୁ ଆରମ୍ଭ କରିଥାଏ ଜୀବନ ବିଷୟରେ ।

 

“ପିଲାଦିନେ ମୁଁ ବି କବିତା ଲେଖୁଥିଲି ତୋରି ପରି ବିଭୁପ୍ରସାଦ ।” ନଟବର ସ୍ଵରରେ ଶୈଶବକୁ ପ୍ରତିଫଳିତ କରିବାରେ ସାହାଯ୍ୟ କରିଥାଏ ବିଭୁପ୍ରସାଦ । ତା’ର ସେଇ ସ୍ଵର ସତେକି ସେଇ ସ୍ଵରରେ ପ୍ରକାଶ ପାଉଥାଏ ନିଜେ ବିଭୁପ୍ରସାଦ–ନଟବର ଅପେକ୍ଷା ଅଧିକ ସ୍ୱଚ୍ଛଭାବେ !

 

“ତାହା ବୋଧହୁଏ ମୋର ନବମ ବା ଦଶମ ଶ୍ରେଣୀ ବର୍ଷ–ଯେତେବେଳେ ମୁଁ ଆରମ୍ଭ କରେ ପ୍ରେମ ।”

 

ବିଭୁପ୍ରସାଦ ନିଜ ଦିହର ଜାମାଟାକୁ ଭଲକରି ବୋତମ ଲଗେଇ ଦେଲା । ପବନ ପିଟିବାକୁ ଆରମ୍ଭ କରିଥାଏ । ଖରାଦିନିଆ ପବନ ।

 

“ସେମାନେ ଆମ ଗାଁଠୁ ପ୍ରାୟ ଦୁଇମାଇଲ ଦୂରରେ ରହୁଥିଲେ–ନଈକୂଳେ, ଯେଉଁଠି ମୁଁ ଅପେକ୍ଷା କରେ ଡଙ୍ଗାପାଇଁ ପ୍ରତିଦିନ–ସ୍କୁଲ୍‍କୁ ଯିବା ବାଟରେ । ମୁଁ ଯେତେବେଳେ ନଈର ଗାଢ଼ନୀଳ ଜଳବେଣୀକୁ ଚାହିଁ ଆତ୍ମହରା ହେବାକୁ ଶିଖେ ସେତିକିବେଳେ ମୁଁ ଆବିଷ୍କାର କରେ ମୋ ଜୀବନର ପ୍ରଥମ ପ୍ରେମିକାକୁ । ଏବଂ ସେ ପ୍ରେମିକାଟି କିଏ ଜାଣୁ ବିଭୁପ୍ରସାଦ ? ସେ ହଉଚି ଗୋଟିଏ ଗଛ ! ମୋର କାବ୍ୟିକ ଦୃଷ୍ଟିର ପ୍ରଥମ ସଙ୍କେତ–ସେଇ ଗଛଟି ! ଗୋଟିଏ ଅଦ୍ଭୁତଭାବେ ରୋମାଣ୍ଟିକ୍ ସ୍ଵପ୍ନଭଳି ସେଇ ଗଛଟି ! ଏକ ଜାପାନୀ ଗଛ–ଯାହାର ପ୍ରତିବିମ୍ବ ମୋତେ ଆତ୍ମହରା କରାଏ ପ୍ରଥମ ଥରପାଇଁ ନଈର ସେଇ ନୀଳ ଦର୍ପଣରେ ।”

 

“ନଈକୂଳର ସେଇ ସ୍ୱଚ୍ଛଳ ପରିବାରଟି ସହିତ ମୋର ପରିଚୟ ହୁଏ–ଏଇ ଗଛ ମାଧ୍ୟମରେ । ସୁନ୍ଦର–ଛିଟ କିମୋନୋ ପରିହିତା ତରୁଣୀଟିଏ ପରି ସୁନ୍ଦର ସେଇ ଗଛ । ମହନା ହାଡ଼ି–ଯେ ଜାହାଜରେ କାମ କରେ ବୋଲି କହିଥିଲି ତତେ–ସେ ସେତେବେଳେ ଘରେ ନଥାଏ.....ଏଇ ସୁକୁମାରୀ ହେଇଥାଏ ସାତ ଆଠବର୍ଷର । ଆଉ ତା’ର ଏଇ ମା’–

 

ନଟବରର ସ୍ଵରକୁ ଚିହ୍ନିବା ଆଦୌ କଷ୍ଟକର ହେଉ ନଥାଏ ବିଭୁପ୍ରସାଦ ପକ୍ଷରେ । ସେ କାନ ଦେଇଥାଏ ଜଣେ ସଙ୍ଗୀତଜ୍ଞ ପରି–ସ୍ଵରର ତରଙ୍ଗରୁ ହୃଦୟର ଆବେଗକୁ ଅନୁବାଦ କରିବାପାଇଁ । ଏବଂ ହଠାତ୍ ସେଇ ଆବେଗକୁ ଭାଷାରେ ରୂପାନ୍ତରିତ କରି ଉଠେ ବିଭୁପ୍ରସାଦ–

 

“ମୁଁ ଜାଣେ ନଟବର !” ନଟବରର ଆବେଗକୁ ସାମାନ୍ୟ ଲଘୁ କରିଦେବା ପାଇଁ କହେ ବିଭୁପ୍ରସାଦ, “ମୁଁ ଜାଣେ ତୁ କାହାକୁ ଭଲପାଉ ମୁଁ ବୁଝିପାରେ । ସେ ନୁହେଁ ସୁକୁମାରୀ । ସେ ନୁହେଁ ନଦୀର କଲ୍ଲୋଳ, ନୁହେଁବି ସେ ସେଇ ଅଦ୍ଭୁତ ଜାପାନୀ ଗଛ । ସେ ହେଉଚି ଏଇ ମହିଳା–ସୁକୁମାରୀର ମା’ ! ତା’ର ବୟସବେଳେ ସେ ନିଶ୍ଚୟ ଚମତ୍କାର ଦିଶୁଥିବ....ଗୋଟିଏ ନଦୀ ପରି ସୁନ୍ଦର ! ନା କ’ଣ କହୁଚୁ ?”

 

ବିଭୁପ୍ରସାଦର ହାତକୁ ଗୋଟେଇ ନେଇ ଖୁବ୍ ଜୋରରେ ଚିପି ଧରିଲା ନଟବର । ସେ ସ୍ଵୀକାର କଲା ।

 

“ତାହାହେଲେ କହ ! ପୂରା ଘଟଣାଟା କହ । ତା’ପରେ ମୁଁ ତତେ କହିବି ତୋ’ ବିଷୟରେ ମୋର ଆଉ ଗୋଟିଏ ମତ,” ବିଭୁପ୍ରସାଦ କହିଲା–ଜଣେ ବିଚାରକ ଭଳି ।

 

“ତାହାହେଲେ ଶୁଣ୍–ମୂଳରୁ ଶୁଣ୍ !” ନଟବର ଏଥର ଆଉଜି ହେଇ ବସିଲା ସିମେଣ୍ଟ ବେଞ୍ଚ୍ ଉପରେ । ପବନରେ ଦୋହଲି ଦୋହଲି ସୁନାରି ଗଛରୁ ଝରଝର ଝରି ପଡ଼ୁଥାଏ ଫୁଲଗୁଡ଼ିଏ ସେମାନଙ୍କ ଉପରେ । ନଟବର ଆରମ୍ଭ କଲା–

 

“ସେଗୁଡ଼ିକ ଥାଏ ସେଇ ଭୟଙ୍କର ଦିନ ଯେତେବେଳେ ମୋର ବାପା ନାଟଦଳ ଛାଡ଼ି ଆସି ଗାଁରେ ରହିଥାନ୍ତି । ଗଳଗଣ୍ଡ ରୋଗରେ କାବୁ ହେଇ ସେ ଫେରି ଆସିଥାନ୍ତି ଘରକୁ । ତାଙ୍କର ରାଜୁତି ଶେଷ ହୋଇଥାଏ–ଯାତ୍ରାଦଳରେ । ତଣ୍ଟି ପଡ଼ିଯାଇଥାଏ ଆଉ ମୁହଁ ଅସୁନ୍ଦର ହେଇଯାଇଥାଏ । ସୁନ୍ଦର ବବୁରିବାଳ କେରାକ କାଟି ପକାଇ ସେ ରଖିଥାନ୍ତି ମରହଟ୍ଟି ବେଣ୍ଟି–ସେଇ ଦିନର କଥା ।

 

“ସେ ବର୍ଷ ପଡ଼ିଥାଏ ମରୁଡ଼ି–ଖାଦ୍ୟାଭାବ । ଏକରକମ ଦୁର୍ଭିକ୍ଷ । ତେଲୀ ମହାଜନର କଣ୍ଟ୍ରୋଲ ଦୋକାନର କାଠ ତହବିଲ–ବାକ୍ସକୁ ଗୋଟି ଗୋଟି ହୋଇ ଯିବାକୁ ଆରମ୍ଭ କରିଥାଏ ବାପାଙ୍କର ସୁନା ଆଉ ରୁପାର ମେଡ଼ାଲଗୁଡ଼ିକ ।

 

“ଥରେ ଆମ ସ୍କୁଲ୍‍ର ଗୋଟିଏ ସ୍ପୋର୍ଟସ୍ ପ୍ରତିଯୋଗିତାରେ ମୁଁ ଶହେ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥାଏ । ସଭାପତି ଆସିଥାନ୍ତି କଟକରୁ–କୌଣସି ଜଣେ ଗଣ୍ୟମାନ୍ୟ ବ୍ୟକ୍ତି । ପ୍ରାଇଜ୍ ଦିଆହେଲାବେଳକୁ ସଭାରେ ଉପସ୍ଥିତଥିବା ତେଲୀ ମହାଜନ ଭଦ୍ରଲୋକ ଉଠି ଡିକ୍‍ଲାର୍ କରନ୍ତି କେତୋଟି ମେଡ଼ାଲ । ଆମେ ଯେତେବେଳେ ପ୍ରାଇଜ୍ ଆଣିବାକୁ ଯାଉ ମେଡ଼ାଲଟିମାନ ଆମ ଛାତିରେ ଲଟକେଇ ଦିଆଗଲା । ସଭାପତି ଯେତେବେଳେ ମୋ ଛାତିରେ ମେଡ଼ାଲଟି ଲଟକେଇ ଦିଅନ୍ତି ମୁଁ ମୋ ଛାତିକୁ ଚାହିଁ ଦେଖେ ତ ସେଇଟି ହେଉଚି ମୋ ବାପାଙ୍କ ମେଡ଼ାଲ !

 

“ମୋ ଛାତିରେ ସତେକି ଗୋଟିଏ ଶର କୁଆଡ଼ୁ ଆସି ବାଜିଗଲା ବିଭୁପ୍ରସାଦ ! ମୋ ଆଖି ଆଗରେ ମୁଁ ଦେଖିଲି ଆମ ଘରର ମେଡ଼ାଲଗୁଡ଼ିକ କେମିତି ଗୋଟି ଗୋଟି ହୋଇ ସେଦିନ ବଣ୍ଟାଯାଉଥାଏ–ତେଲୀ ମହାଜନର ନାଆଁରେ । ମହାଜନ ବାପୁଡ଼ା ସଭାରେ ଛାତି ଫୁଲେଇ ବସିଥାଏ ଆଉ ମୁରୁକେଇ ମୁରୁକେଇ ହସୁଥାଏ–ସଭାପତି ଯେତେବେଳେ ମେଡ଼ାଲ ଦେଉଥାନ୍ତି ଆମମାନଙ୍କୁ, ଆଉ କଣେଇ କଣେଇ ପ୍ରଶଂସା ସୂଚକ ଆଖିରେ ଚାହୁଁଥାନ୍ତି ମହାଜନ–ସାହୁକାରଙ୍କ ଆଡ଼େ ।

 

ଶେଷରେ ସଭାପତିଙ୍କ ବକ୍ତୃତାର ସମୟ ଆସିଲା । ସଭାପତି ମଞ୍ଚ ଉପରେ ଠିଆହୋଇ ଆରମ୍ଭ କଲେ, “ଭାଇ ଓ ଭଉଣୀମାନେ, ଆପଣମାନେ ଜାଣନ୍ତି ଆଜିର ଶିଶୁ ଆସନ୍ତାକାଲି ଜାତିର କର୍ଣ୍ଣଧାର । ସେ କାଲି ନେତା ହେବ....”

 

“ସେଦିନ ସକାଳୁ ଏକ ଘଟଣା ଘଟି ଯାଇଥାଏ”–ନଟବରର ବର୍ଣ୍ଣନା ହଠାତ୍ ଏକ ଭିନ୍ନ ରୂପ ନିଏ । “କଟକରୁ ଆସିଥିବା ଗଣ୍ୟମାଣ୍ୟ ବ୍ୟକ୍ତିଙ୍କ ପାଇଖାନା ସଫେଇ ଘେନି ଉପୁଜିଥାଏ ଏକ ଗଣ୍ଡଗୋଳ ! ଭଦ୍ରଲୋକ ଝାଡ଼ା ଫେରିବାପାଇଁ କଟକରୁ ଖଣ୍ଡିଏ ବାକ୍ସ ନେଇ ଆସିଥାନ୍ତି । କମୋଡ଼୍ ! ଆମ ସ୍କୁଲ୍‍ରେ ପାଇଖାନା ନଥାଏ । ତା’ ପୂର୍ବଦିନ ଆମ ପିଲାମାନଙ୍କୁ ଲଗେଇ ହେଡ଼୍‍ମାଷ୍ଟ୍ରେ ଗୋଟିଏ ଗାତ ଖୋଳେଇଥାନ୍ତି ଓ ତାଟି ଘେରାଯାଇ ଗାତଟିକୁ ପାଇଖାନା କରାଯାଇଥାଏ–ବାବୁଙ୍କପାଇଁ । କିନ୍ତୁ କଟକରୁ ଆସିଥିବା ବାବୁଜଣଙ୍କ କାହିଁକି କେଜାଣି ସେ ଗାତରେ ଝାଡ଼ା ନ ଫେରି ତାଙ୍କ ସାଙ୍ଗରେ ଆସିଥିବା ବାକ୍ସରେ ଝାଡ଼ା ଫେରିଲେ । ବର୍ତ୍ତମାନ ଦରକାର ପଡ଼ିଲା ତାଙ୍କର ଗୋଟିଏ ମେହେନ୍ତର । କିନ୍ତୁ ମେହେନ୍ତରଟିଏ କାହିଁ ? ସୁକୁମାରୀର ଘର ହଉଚି ଆମ ଗାଁର ଏକମାତ୍ର ହାଡ଼ିଘର । ମହନା ନଥାଏ । ଡକା ପଡ଼ିଲା ତା’ ସ୍ତ୍ରୀକୁ....ଏଇ ଯୋଉ ବୁଢ଼ୀକୁ ଆଜି ଦେଖୁଛ ତମେ....ତାକୁ”

 

ନଟବର ଟିକିଏ ଗୁମ୍ ମାରିଗଲା । ରୁମାଲଟିଏ କାଢ଼ି ସେଥିରେ ନାକ ପୋଛିଲା ଓ ତା’ପରେ କ’ଣ ଭାବି–ମୁଣ୍ଡ ଉପରେ ଲଟକିଥିବା ସୁନାରି ସ୍ତବକ ଆଉ ପାହାନ୍ତିଆ ଆକାଶ ଆଡ଼କୁ ଏକ ତୀବ୍ର କଟାକ୍ଷପାତ କରି ସେ କହିଲା,

 

“ସେତେବେଳକୁ ସ୍ୱାଧୀନତା ଆସିସାରିଥାଏ ।”

 

ନଟବର ଠିଆ ହୋଇ ପଡ଼ିଲା ଓ ତା’ପରେ ଝରିଥିବା ସୁନାରି ଫୁଲର ପାଖୁଡ଼ାଗୁଡ଼ିକୁ ଝାଡ଼ିଝୁଡ଼ି ଦେଇ ସେ ପୁଣିଥରେ କହିଲା–

 

“କେବଳ ସ୍ୱାଧୀନତା ଆସି ନଥାଏ....ମହାତ୍ମାଗାନ୍ଧୀ ମରି ସାରିଥାନ୍ତି ମଧ୍ୟ ।”

 

ତା’ପରେ ସେ ବସିପଡ଼ିଲା ଓ ପୁଣିଥରେ ଆରମ୍ଭ କଲା–

 

“ସେ ହଉଚି ମହନାର ସ୍ତ୍ରୀ–ଯେ ସେତେବେଳେ ଗାଁରେ ଅତର ବେପାର କରୁଥାଏ । –ପାଟରାମାନେ ତା’ରିଠୁ ଅତର ଆଉ ବାସ୍ନାତେଲମାନ କିଣି ବିକ୍ରି କରୁଥାନ୍ତି ହାଟରେ । ପ୍ରତିଥର ଘରକୁ ଆସିଲାବେଳକୁ ମହନା ସଙ୍ଗରେ ଘେନି ଆସେ କିଛି ଅତର–ଜାପାନ, ଚୀନ, ଫିଲିପାଇନ୍‍ସ୍, ଜାଭା, ସୁମାତ୍ରା ଯୁଆଡ଼େ ଯୁଆଡ଼େ ମହନା ଯାଏଁ ଜାହାଜରେ ସିଆଡ଼ିକାର ମାଲ୍ କିଛି କିଛି ଚୋରାରେ ମାରି ଆଣିଥାଏ ସେ ସାଙ୍ଗରେ । ବର୍ଷେ ଦି’ବର୍ଷରେ ସେ ଯେତେ ଥର ଆସେ ମାଲ୍ କିଛି କିଛି ନିଶ୍ଚୟ ଆଣେ ସାଙ୍ଗରେ । ଏପରିକି ଘଡ଼ି, କ୍ୟାମେରା ଆଉ ଆଜିକାର ଏଇ ଟ୍ରାନ୍‍ଜିଷ୍ଟର୍ ରେଡ଼ିଓ ଯାହା ଆମକୁ ଅପୂର୍ବ, ସେ ସବୁ ଜିନିଷ ଆମେ ପିଲାଦିନେ ଦେଖିଛୁ ଏଇ ମହନାହାଡ଼ି ଘରେ । ଛାଡ଼ ସେ ସବୁକଥା ।”

 

ଛେପ ଢୋକିଲା ସେ । ତା’ପରେ ପୁଣି ଏକ ଦୀର୍ଘ ଦମ୍ ସଂଗ୍ରହ କରି ପୁଣିଥରେ ଆରମ୍ଭ କଲା–

 

“ବର୍ତ୍ତମାନ କଥା ହେଲା, ମହନାର ସ୍ତ୍ରୀ ଯେତେବେଳେ ପାଇଖାନା ସଫା କରିବାକୁ ମନାକଲା, କଟକର ସେଇ ମାନ୍ୟଗଣ୍ୟବ୍ୟକ୍ତି ଜଣକ ମନେ କଲେ ଯେ ତାକୁ ଗାଁର ଲୋକେ କୁଆଡ଼େ ଖୁବ୍ ଅପମାନ ଦେଲେ । ତେଣୁ ସେ ରାଗିଯାଇ ଡକେଇ ପଠାଇଲେ ଆମର ସେଇ ମହାଜନଙ୍କୁ । ମହାଜନ ସେତେବେଳେ ଥିଲେ ୟୁନିୟନ୍ ପ୍ରେସିଡ଼େଣ୍ଟ୍ ।

 

“ୟୁନିୟନ୍ ପ୍ରେସିଡ଼େଣ୍ଟ୍–ଆଜି ଯାହାଙ୍କୁ ତୁମେ କହୁଛ ସରପଞ୍ଚ !’’

 

“ମହାଜନ ଲୋକମାନଙ୍କୁ ଡକେଇ ଜଣେଇ ଦେଲେ–‘‘ଦେଖ ! ଯଦି ଆଜି ସକାଳୁ ଦଶଟା ଭିତରେ ଏ ପାଇଖାନା ସଫା ନହୁଏ, ତେବେ ହାକିମ କହିଚନ୍ତି ଏ ଅଞ୍ଚଳକୁ କଣ୍ଟ୍ରୋଲ ଜିନିଷ ଆସିବା କାଲିଠୁ ବନ୍ଦ । ’’

 

‘‘କଣ୍ଟ୍ରୋଲ ମାଲ ବନ୍ଦ ହୋଇଯିବ ? ଲୁଗା, ଚିନି, କିରାସିନି ଆଉ ମିଳିବନି !” ଲୋକେ ଅନେଇଲେ ୟୁନିୟନ୍ ପ୍ରେସିଡ଼େଣ୍ଟ୍‍ଙ୍କ ମୁହଁକୁ । ତାହା ଥାଏ ମଫସଲ ଅଞ୍ଚଳରେ ପ୍ରଥମ ପଞ୍ଚବାର୍ଷିକ ଯୋଜନାର ପହିଲି ପହିଲି ପ୍ରଚାରବେଳ । ଯୁଦ୍ଧକାଳୀନ କଣ୍ଟ୍ରୋଲ ଥରେ କୋହଳ ହୋଇ ପୁଣିଥରେ ଲୋକଙ୍କ ଗଳା ଚାରିପାଖେ କସିକାସି ହୋଇ ଆସୁଥାଏ ।

 

“ସେ ଯାହାହଉ ଦିନଦଶଟା ଭିତରେ ଗଣ୍ୟମାନ୍ୟବ୍ୟକ୍ତିଙ୍କ ପାଇଖାନା ସଫେଇ ହେଇଗଲା ଜଣେ ଶିକ୍ଷକଙ୍କଦ୍ଵାରା ଯେକି ବେସିକଟ୍ରେନିଙ୍ଗ୍ ପାଇଥିଲେ । ସେ ଏଥିମଧ୍ୟରେ ହଠାତ୍ ଏହି ସୁଯୋଗଟି ମାରି ନେଲେ । ମହାଜନ ପାଟିରୁ କଥା ବାହାରିବା ପୂର୍ବରୁ ବେସିକଟ୍ରେନିଙ୍ଗ୍‍ବାଲା ମାଷ୍ଟର ଜଣକ ହାକିମଙ୍କ ପାଇଖାନା ବାଲଟିଟିକୁ ଟେକି ଘିନି ପଳେଇଲେ । ଏକମାତ୍ର ମେହେନ୍ତରାଣୀ ମହନାହାଡ଼ି ମାଇପର ଗଉଁରୁ ଗାଁରେ ଇଜ୍ଜତ ଆଉ ଯୁନିୟନ୍ ପ୍ରେସିଡ଼େଣ୍ଟ୍‍ଙ୍କ ଇଜ୍ଜତା ସବୁକୁ ରକ୍ଷା କରିଦେଲେ । ଛାଡ଼, ସେ ଅନ୍ୟ ଏକ କଥା । ପ୍ରାଇଜ୍ ସରିଲା ।

 

କଥା ହେଲା ମୁଁ ଯେତେବେଳେ ପ୍ରାଇଜ୍ ଶେଷରେ ଘରକୁ ଫେରେ ଓ ବାପା ମା’ଙ୍କୁ ମୋର କୃତିତ୍ଵ ଶୁଣାଏ, ମୁଁ ଦେଖିଲି ମୋ ବାପା ଟିକିଏ କାନ୍ଦି ପକେଇଲେ ।

 

ମୁଁ ଦେଖିଲି–ପିଣ୍ଡାର ଗୋଟିଏ ଜଣକୁ, ମାଉଁସ ମେଞ୍ଚାଟିଏ ହୋଇ ସମସ୍ତଙ୍କର ଅଗୋଚରରେ କିଭଳି ବସିଥାଏ ବୁଢ଼ାଲୋକଟିଏ–ସେଇ ମୋର ବାପା ! ଏଇ ଦିନେ ଥିଲା–ଭାରତ ବିଖ୍ୟାତ ଯାତ୍ରାଦଳର ରାଜା ! ଆଉ ଏଇ ହଉଚି ତା’ର ପ୍ରାପ୍ୟ !–ଶେଷ ଜୀବନର !

 

ମୋର ବାପା ଯେତେବେଳେ ନୀରବରେ ଅଶ୍ରୁବିସର୍ଜନ କରୁଥିଲେ ମୋର ମା’ ମୋଠାରୁ ସେଇ ପଦକଟି ନେଇ ତାକୁ ପରୀକ୍ଷା କରୁଥାଏ । ଏବଂ ମୁଁ ଜାଣିଥାଏ, ଆଉ ଘଣ୍ଟାକ ପରେ ସେ ମତେ ସେଇ ପଦକଟି ଦେଇ ପଠାଇଥାନ୍ତା ଓ କହିଥାନ୍ତା–

 

“ଯା’–ମହାଜନ ଦୋକାନରୁ ଆଣିବୁ ବଣ୍ଡୁଲିଏ ଚାହା, ଅଧପାଏ ଚିନି ଆଉ ଅଧବୋତଲ କିରାସିନ....... ।”

 

“ଦିନଯାକ ସ୍କୁଲ୍‍ରେ ଆଉ ସ୍ପୋର୍ଟସରେ ଖଟି ଖଟି ମୋର ଦିହ ଆଉ ମନ ଉଭୟ ହାରି ଯାଇଥାନ୍ତି । ମୁଁ ମା’କୁ ମାଗିଲି–

 

ମା’ ଖାଇବାକୁ ଦେ–ଭାରି ଭୋକ !

 

ଏବଂ ସତେକି ଭାଗ୍ୟ ମତେ ପରିହାସ କରିବାକୁ ବାହାରି ଆସିଲା ମୋ ମା’ର ରୂପ ହୋଇ !

 

ଟିକକ ପରେ ମୁଁ ଦେଖିଲି, ମା’ ଘରଭିତରୁ ବାହାରି ଆସିଲା ଓ କାନିରୁ ମୋର ସେଇ ପଦକଟି ଫିଟାଇ ମୋ ହାତକୁ ବଢ଼େଇ ଦେଇ କହିଲା–

 

“ନେ ! ଏଇଆକୁ ନେଇ ଯା–ଚାଉଳ କିଣାହେଲେ ରନ୍ଧାହବ–ଖାଇବୁ !” ଏ ହଉଚି ମୋ ମା’ ବିଭୁପ୍ରସାଦ ! ଏଭଳି ବଜ୍ଜାତ, ରାଢ଼ ସ୍ତ୍ରୀଲୋକ ମୋ ସାରା ଜୀବନରେ ମୁଁ ଦେଖି ନଥାଏ । ମେଡ଼ାଲଟିକୁ ମୋ ଆଡ଼କୁ ଫୋପାଡ଼ି ଦେଇ ସେ କହିଥିଲା ସେଦିନ–ମୋ ଜୀବନର ସେଇ ଭୟଙ୍କରତମ ଇଙ୍ଗିତକୁ–

 

“ମୁଁ ମନାକରୁଚି !” ତା’ର ସେଇ ଚିରାଚରିତ ଗାଉଁଲି, ସିନିକ୍ ସ୍ତ୍ରୀଲୋକଙ୍କର ସ୍ଵର ଭିତରୁ ଖିଙ୍କାରି ହୋଇ ସେ କହିଲା ମତେ–

 

“ମୁଁ ମନା କରୁଚି ଏ ନିଆଁଲଗା ବାଉଁଶକୁ–ଆମର ଯାତରା, ତାମସା ଦରକାର ନାହିଁ, ଆମର ଇସୁକୁଲ ପାଠ ଦରକାର ନାହିଁ । ଏଇ କ’ଣ ଆମକୁ ଖାଇବାକୁ ଦବ–ଏ ପୋଡ଼ା ପାଠ ! ସେଦିନୁ ମୁଁ କହୁଚି ଏ ଯୋଗନୀଖିଆଙ୍କୁ–ଆରେ ବାପ ! ସେ ଅଲଣା ପାଠ ବହି ଛାଡ଼ । ଧ’ ଲଙ୍ଗଳ-। ମୂଲଲାଗ–ଚାଷୀ ପିଲାର ପେଟ ଅପେକ୍ଷା ରହିବ ନାହିଁ । ଏ ମେଡ଼ାଲ କ’ଣ ହବରେ ଆମର ?”

 

ତା’ପରେ ସେ ଆହୁରି ଅନେକ କଥା–

 

ମୋ ଜୀବନର ପ୍ରଥମ ଶହେମିଟର ଦଉଡ଼ାର ସେଇ ପ୍ରଥମ ପୁରସ୍କାର ପଦଟିକୁ ମା’ ମୁହଁକୁ ଫୋପାଡ଼ିଦେଇ ମୁଁ ପଳାଇ ଆସିଲି ଘରୁ ।

 

ମୋର ମନର ବଳ ଶେଷ ହୋଇଯାଇଥାଏ । ମୁଁ ଚାଲିଲି–ନଈ ଆଡ଼କୁ । ପେଟର ଭୋକ ମନର ଭୋକକୁ ଚିରଦିନ ପାଇଁ ମେଣ୍ଟାଇ ଦବାପାଇଁ ସେଇଥିଲା ଆମଆଡ଼ିକା ଲୋକଙ୍କର ଶେଷ ଆଶ୍ରୟ ସ୍ଥଳ ବିଭୁପ୍ରସାଦ !

 

ନଟବରର ସ୍ଵର ହଠାତ୍ ମରିଗଲା । ବିଭୁପ୍ରସାଦ ଚମକି ଉଠିଲା । କାଠଯୋଡ଼ି ରେଳ ପୋଲ ଉପରୁ ଗୋଟିଏ ଗାଡ଼ିର ଘର୍ଘର ଶବ୍ଦ ଆରମ୍ଭ ହେଉଥାଏ । ନଟବର ପୁଣି ଆରମ୍ଭ କଲା–ଅତଡ଼ି ! ତଳେ କଳା ଗୁମର ପାଣି । ଘୁ’ ମୁହାଁ ଆଉ ଘଡ଼ିଆଳ କିମ୍ଭୀରର ଘର–

 

ଅତଡ଼ି ! ତଳକୁ ଗୋଡ଼ ଲମ୍ବେଇ ବସି ମୁଁ ଚାହୁଁଥାଏ–ତଳେ କୋଡ଼ିଏ ହାତ ତଳେ କାଳିଆ ନାଗଭଳି ପାଣିର ଫଣା ! ସେ ମତେ ଏଥିପୂର୍ବରୁ ଅନେକଥର ଆହ୍ଵାନ କରିଥାଏ । ସେଇଠି ମୁଁ ଆବିଷ୍କାର କରିଥାଏ ସେମାନଙ୍କୁ–ଯୋଉମାନେ ଯାଇଥିଲେ ମୋ ପୂର୍ବରୁ ସେଇ କାଳୀୟନାଗର ଆହ୍ଵାନରେ । ଛ’ ମାସତଳେ, ସ୍କୁଲ୍‍ ପିଲାଟିଏ ଯାଇଥିଲା ସେଠିକି–ପରୀକ୍ଷାରେ ଫେଲ୍ ହୋଇ । ତା’ ପୂର୍ବରୁ ଯାଇଥିଲା ସେଠିକି ଗାଁର ଗଜା ଟୋକାଟାଏ–କୌଣସି ଅନାରୋଗ୍ୟ ରୋଗର ଶିକାର ହୋଇ । ଆହୁରି ଅନେକ । ସେମାନେ ଯାଇଥିଲେ–ଜୀବନସଂଗ୍ରାମରେ ପରାଜିତ ହୋଇ । ଜୀବନ ସେମାନଙ୍କ ସହିତ ବିଶ୍ଵାସଘାତକତା କରିଥିଲା ! ମୁଁ ବସିଥାଏ ଆଉ ସେଇ ପରାଜିତ ଲୋକଗୁଡ଼ିଙ୍କର ମୁହଁକୁ ଦେଖିଥାଏ ସେଇ ମୋର ପାଦତଳର ତରଳ ଅନ୍ଧାର ଭିତରେ ।

 

ରାତି କେତେହେବ କେଜାଣି । ଧୀରେ ଧୀରେ ଆକାଶ ଆଲୋକିତ ହୋଇ ଆସୁଥାଏ-! ତଳୁ ମୁହଁ ଉଠାଇ ହଠାତ୍ ମୁଁ ଚାହିଁଦେଲି ଆକାଶକୁ ! ଚନ୍ଦ୍ର ଉଠୁଥାଏ ଠିକ୍ ଉଠିଆସୁଥାଏ-। କୃଷ୍ଣପକ୍ଷର କେଉଁ ଏକ ତିଥିର ଚନ୍ଦ୍ର ସେ । ଆକାଶ, ଚନ୍ଦ୍ର, ତଳର ପାଣି (ଯାହାକୁ ଚାହିଁ ମୁଁ କବିତା ଲେଖୁଥିଲି ଦିନେ) ଓ ମୋର ଚାରିପାଖର ସେଇ ଅଦ୍ଭୁତ ନିର୍ଜନ ପରିବେଶକୁ ଚାହିଁ ମୁଁ ଟିକିଏ ଚମକି ପଡ଼ିଲି–ପଡ଼ିବା ସ୍ଵାଭାବିକ ନୁହେଁ କି ?”

 

ସତେ ମୁଁ ଚାଲିଯିବି ? ମୁଁ ଆସିଚି ଏଠିକି–ଚାଲିଯିବା ପାଇଁ ? ମୁଁ ପଚାରିଲି ନିଜକୁ ଏବଂ ସେଥିପରେ ମୁଁ ଘନଘନ ଚମକିବାକୁ ଆରମ୍ଭ କରିଦେଲି, କାହିଁକି କେଜାଣି ।

 

ଦୂରକୁ, ଗାଁ ଆଡ଼କୁ ଚାହିଁ ମୁଁ ଆବିଷ୍କାର କଲି–ଖୋଲା ଆକାଶର ପୃଷ୍ଠଭୂମିରେ ମହାଜନର କୋଠାଟା ଉଠୁଥାଏ ସତେକି ଆକାଶକୁ–ଗୋଟାଏ ମନ୍ଦିର ପରି !

 

ମୁଁ ସେମିତି ବସିଥାଏ ଅତଡ଼ି ଉପରୁ ତଳକୁ ଗୋଡ଼ ଲମ୍ବେଇ । ହଠାତ୍ ମୋର ମନେହେଲା–ସତେଯେପରି ମୁଁ ହଉଚି ଗୋଟିଏ ‘ଧରମା’ ଆଉ ସେଇ ଯୋଉ ଦୂରର ମନ୍ଦିରଟିଏ ଚନ୍ଦ୍ରକିରଣ ଚୁମା ଦେଉଥାଏ–ସେଇ ମହାଜନର କୋଠାଟି ସେଇଟା ହଉଚି ମୋର କୀର୍ତ୍ତି ‘କୋଣାର୍କ’ ! ମୋରି ଜାତିର ରକ୍ତରେ ଗଢ଼ା କୋଣାର୍କ !

 

ମୋର ଜ୍ଞାନୋଦୟ ହେଲା– ।

 

ନା, ମୁଁ ମୂର୍ଖ ନୁହେଁ–ମୁ ନୁହେଁ ମୂର୍ଖ ଶିଶୁ ଧରମା ! ସେମାନେ ମୋତେ ମାରିଦେବା ପୂର୍ବରୁ ମୁଁ ସଂସାରକୁ କହିଯିବି ଏ କୋଣାର୍କର ନିର୍ମାତା କିଏ ଓ ଏ କୀର୍ତ୍ତିର ଗୌରବ ପ୍ରକୃତ କାହାର ପ୍ରାପ୍ୟ । ମୋ ଭିତରେ ବିଦ୍ରୋହର ନିଆଁ ଜଳିଲା । ମୁଁ ଉଠିପଡ଼ିଲି । ମୁଁ ଉଠିପଡ଼ିଲି ବିଭୁପ୍ରସାଦ–ଯେପରି ମୁଁ କେବେ ଉଠି ନଥିଲି, ଜାଗି ନଥିଲି–ମୋ ଭିତରର ମୁଁତ୍ୱକୁ ଆଦୌ କେବେ ଆବିଷ୍କାର କରି ନଥିଲି ଆଗରୁ !

 

ତିନିଦିନ ପରେ–

 

ଏକ ରହସ୍ୟଜନକ ଘଟଣା ସେ ଅଞ୍ଚଳରେ ଚହଳ ପକାଇ ଦେଲା । ଫାଣ୍ଡିରୁ ପୋଲିସ୍ ଧାଇଁଲେ । ମହନା ହାଡ଼ି ଘର ଆଗରେ ଲୋକାରଣ୍ୟ । ଗୋଟାଏ ଭେଣ୍ଡା ବାଉରିଟୋକା ସାଂଘାତିକଭାବେ ଆହତ ହୋଇ, ମହନା ହାଡ଼ିର ବାଡ଼ିଆଡ଼େ ପଡ଼ିଥିବାର ଦେଖାଗଲା । ତା’ର ମୁଣ୍ଡ ଖପୁରି ଫାଟିଯାଇଥାଏ ଓ ହାତ ଉପରେ ମାଡ଼ ହେଇ ହାତଟା ଅକାମି ହୋଇଯାଇଥାଏ । ତାକୁ ଡାକ୍ତର ମାଇନାପାଇଁ ପଠାଇ ଏଣେ ପୁଲିସ ଆସିଥାଏ ମହନା ହାଡ଼ିର ଘର ଖାନ୍‍ତଲାସ କରିବାପେଇଁ ।

 

ମହନାର ଘର ସର୍ବସାଧାରଣଙ୍କ ଉପସ୍ଥିତିରେ ଖାନ୍‍ତଲାସ କରାହେଲା । କିନ୍ତୁ କୌଣସି ଆପତ୍ତିଜନକ ଜିନିଷ ମିଳିଲା ନାହିଁ । ତା’ପରେ ପୁଲିସ୍ ଚାଲିଲେ ମହନା ସ୍ତ୍ରୀକୁ ଆରେଷ୍ଟ କରିବାପାଇଁ । ତା’ ବିରୁଦ୍ଧରେ ଅଭିଯୋଗ ହୋଇଥାଏ ଯେ ସେ ବିନା ଲାଇସେନ୍‍ସ୍‍ରେ ବେଶ୍ୟାବୃତ୍ତି, ମଦବିକ୍ରି ଓ ତଜ୍ଜନିତ ସାମାଜିକ ଅଶାନ୍ତି ସୃଷ୍ଟିପାଇଁ ଦାୟୀ । ଏବଂ, ସର୍ବୋପରି ଉକ୍ତ ଆହତ ବାଉରି ଯୁବକର ଆସନ୍ନ ମୃତ୍ୟୁପାଇଁ ମଧ୍ୟ ସେ ଦାୟୀ ।

 

ସେ ଦିନ ସ୍କୁଲ୍ ଅଧାରୁ ବନ୍ଦ । ସମସ୍ତେ ଦଉଡ଼ିଥାନ୍ତି ମହନାହାଡ଼ି ଘର ଆଡ଼େ ।

 

ମୋର ତଥାପି ମନେ ଅଛି ସେ ଦୃଶ୍ୟଟି....

 

ନଟବର ପୁଣିଥରେ ଉଠି ଠିଆହେଲା । ସେ ପୁଣିଥରେ ଝାଡ଼ି ସଫା କରିଦେଲା ତା’ର ଜାମାଟିକୁ–ସୁନାରି ଫୁଲର ପାଖୁଡ଼ାଗୁଡ଼ିକୁ । ବିଭୁପ୍ରସାଦ କଡ଼ ଲେଉଟାଇ ବସିଲା । ବଟାନିକାଲ୍ ଗାର୍ଡ଼େନ୍ ପଟୁ ଦୁଇଚାରୋଟି ବାଦୁଡ଼ି ଖେଙ୍କାଖେଙ୍କି ହେଲେ । ରାତିର ସେଇ ଶେଷ ପହରର ଶୀତଳ ପବନରେ ଭରି ହୋଇଯାଇଥାଏ ପ୍ରଚୁର ଲାଭେଣ୍ଡର ବା ସେଇଭଳି କିଛି ଫୁଲର ବାସ୍ନା ।

 

ନଟବର କିନ୍ତୁ ଆଉ ବସିଲା ନାହିଁ । ସେ ସେମିତି ଠିଆ ହୋଇ ରହିଲା ।

 

ଲକ୍ଷ୍ୟ କଲା ବିଭୁପ୍ରସାଦ–ନଟବରର ସେଇ ମୂର୍ତ୍ତିକୁ । ତା’ର ସେଇ ଲଣ୍ଡାମୁଣ୍ଡ; ରୁପାର ପାହାଡ଼ ଭଳି ମଣିଷଟିଏ ଠିଆ ହୋଇଥାଏ ସେଠି ତା’ରି ଆଗରେ । ଏକ ରୁଦ୍ରମୂର୍ତ୍ତି ସତେବା । ଅନ୍ଧାରରେ ତା’ର ଚାହାଣିଟିକୁ ଲକ୍ଷ୍ୟ କରି ହେଉ ନଥାଏ । କିନ୍ତୁ ତା’ର ପ୍ରତିଟି ପଦ କଥାରେ ଶୁଭୁଥାଏ–ଦୂର ଦିଗନ୍ତରେ ଭାଙ୍ଗିପଡ଼ୁଥିବା ପାହାଡ଼ର ଧ୍ଵନି ! ତା’ର ପ୍ରତ୍ୟେକଟି ଅଙ୍ଗ ସଞ୍ଚାଳନରେ ଦିଶୁଥାଏ ବ୍ୟାଘ୍ରର ସତର୍କତା ।

 

ନଟବର ପୁଣିଥରେ ଆରମ୍ଭ କଲା ତା’ର ବର୍ଣ୍ଣନା–

 

“ମୋର ତଥାପି ମନେ ଅଛି” ସେ କ’ଣ କହୁଥାଏ–“ସେ କିଭଳି ଠିଆ ହୋଇଥାଏ ସେଠି ଗଛ ମୂଳରେ–ତାଙ୍କ ବାଡ଼ିର ସେଇ ଜାପାନୀ ଗଛମୂଳରେ ! ନା ନା, ସେ ତ ଠିଆ ହେଇ ନଥାଏ ସେଠି ! ସେ ଛକି ରହିଥାଏ–ଗୋଟାଏ ସିଂହୀଭଳି । ଏଇ ସୁକୁମାରୀ ଏଡ଼େ ବକଟେନାକୁ ଛୁଆ ହେଇଥାଏ । ସେ ଠିଆ ହେଇଥାଏ ମା’ର ପଣତକାନି ଧରି । ସେ ଅବଶ୍ୟ କାନ୍ଦୁଥାଏ ଏତେଗୁଡ଼ାକ ଲୋକ ଆଉ ପୁଲିସକୁ ଦେଖି । କିନ୍ତୁ ତା’ ମା’ ! ମୋ ଜୀବନରେ ମୁଁ ଦେଖି ନଥିଲି ସେଭଳି ଏକ ମହିଷାସୁର ମର୍ଦ୍ଦିନୀ ଜୀବନ୍ତ ନାରୀମୂର୍ତ୍ତିକୁ ଆଉ କେବେ !

 

ଲୋକେ ଅପେକ୍ଷା କରିଥାନ୍ତି ନୀରବରେ–

 

ହାତକଡ଼ା ଧରି ପୁଲିସ କନେଷ୍ଟବଳଟିଏ ପ୍ରଥମେ ପାଖେଇ ଆସିଲା । ଲୋକେ ତଥାପି ନୀରବ । ମହନା ହାଡ଼ିର ମାଇପ–ବ–ପୁଲିସ ବା ସରକାର ! ଏଥକୁ ମୁହଁ ଫିଟୁଚି କାହାର ! ପୁଲିସ ଆସିଲା ।

 

ଆରେ ବାବୁ ! ସେ ପର୍ଯ୍ୟନ୍ତ ସେ ଛକିଥିଲା–ସେଇ ସିଂହବାହିନୀ ଦୁର୍ଗା ମୂର୍ତ୍ତି । ପୁଲିସ ପାଖୋଉଥାଏ ତା’ର । ଆଉ, ତା’ପରେ କ’ଣ ଘଟିଲା ଜାଣୁ ବିଭୁପ୍ରସାଦ ! ନା ନା, ତୁ କଳ୍ପନା କରିପାରିବୁନାହିଁ । ଶକ୍ତିର ଚଣ୍ଡୀମୂର୍ତ୍ତି ସହିତ ଚାରିଆଖି ତୁ ବୋଧହୁଏ କେବେ ହୋଇନୁ ବିଭୁପ୍ରସାଦ-! ସେତେବେଳକୁ କେଉଁଠୁଁ କେଜାଣି ତା’ ହାତକୁ ଆସିଯାଇଥାଏ–ଗୋଟିଏ କଣ୍ଟାବାଇଁଶି ଠେଙ୍ଗା ଏବଂ ସେ ବୁଲଉଥାଏ ବାଡ଼ି ! –ଠିକ୍ ଗୋଟାଏ ବାଡ଼ି ଖେଳାଳି ପୁରୁଷ ଲୋକ ଭଳି-। ପୁଲିସ ଆଡ଼କୁ ସେ ଯେତେବେଳେ ଖେଦି ଆସିଲା ସେତେବେଳକୁ ତା’ର ସେ ଭାଷା ଅନ୍ୟ କିଏ ଶୁଣୁ ବା ନଶୁଣୁ କିନ୍ତୁ ସେଦିନ ମୋର ଠିକ୍ ମନେ ଅଛି, ସତେ ଯେପରି ମତେ ନିଦରୁ ଉଠେଇ ନେଇ କିଏ ମୋ କାନରେ କହି ଦେଇଗଲା ‘ଧାଇଁଆ, ଧାଇଁଆ । ମତେ ସାଧ୍ ମତେ ସାଧ୍ ! ମତେ ସନ୍ତୁଷ୍ଟ କରରେ ଓଲା ରାଉତ ପୁଅ–ସାରା ଦୁନିଆକୁ କୁକୁର କରିକିନା ମୁଁ ତାକୁ ଖଟେଇଦେବି ତୋ ପାଦତଳେ !”

 

ମହନାର ସ୍ତ୍ରୀ ଚିତ୍କାର କରୁଥାଏ–“ଖବରଦାର୍ ! ମୁଁ ଜନାନା ! ମୋ ଦିହରେ ଯେ ହାତ ଦବ ତା’ ଖପୁରି ଉଡ଼େଇ ଦେବି–ଯେମିତି ମୁଁ ଉଡ଼େଇ ଦେଲି ସେ ବାଉରି ଟୋକାର ! ଯୋଗନୀଖିଆ କ’ଣ କିରି ମେତେ ପାଇଚ କିରେ ? ମୁଁ ମାଇପିଟାଏ ବୋଲି ମେତେ ଡରେଇଚ ? ମେତେ ଚିହ୍ନିଚରେ ବାଡ଼ିପୋଡ଼ାଏ ? ନାଜ ନାଗୁନାଇଁ ? –ଏତେ ମିଣିପ ଆଇଚ ଗାଁଟାସାରା ନୋକ–ମାଇପିଟାକୁ ବାନ୍ଧିନବାକୁ ? ଏଇଆ ତମର ନ୍ୟାୟ ? ଏଇ କଥା କଇଚି ତମକୁ ସରକାର–ନାଜ ନାଇଁ ! ଏଇ କୁଆଡ଼େ ଗାନ୍ଧି ମହାତମା ସରକାର !”

 

ହଠାତ୍ ଲୋକଙ୍କ ଭିତରେ ଟିକିଏ ଫୁସୁରୁଫାସୁରୁ ଭୁଟୁରୁଭାଟୁରୁ ଶୁଣାଗଲା । ଜନତାର ମୁଣ୍ଡ ନଥିଲେ ମଧ୍ୟ ‘ପବ୍ଲିକ୍ କନ୍‍ସେନ୍‍ସ’ ବା ‘ସର୍ବସାଧାରଣ ବିବେକ’ ବୋଲି ଗୋଟିଏ ଜିନିଷର ଟିକିଏ ଆଭାସ ମିଳିଲା ।

 

ଜଣେ ସ୍କୁଲ୍ ଶିକ୍ଷକ ଉଠି ଠିଆହେଲେ ଓ ପ୍ରଥମ କରି ପୋଲିସ୍‍କୁ ପଚାରିଲେ–‘ଆପଣ ଜଣେ ମହିଳାଙ୍କୁ ଗିରଫ୍ କରିବାକୁ ଆସିଛନ୍ତି । ୱାରଣ୍ଟ୍ ଅଛି ?’

 

ପୁଲିସ ଟିକିଏ କାହିଁକି କାନ କୁଣ୍ଡେଇ ହେଲା ।

 

କିନ୍ତୁ, ଏହି ସମୟରେ ଆଉ ଜଣେ ଲୋକ ଲୋକଭିଡ଼ ଭିତରୁ ବାହାରିଆସି ବିଚରା ଶିକ୍ଷକର ମୁହାଁମୁହିଁ ହେଇ କହିଲା–

 

‘ଆଜ୍ଞା ! ଆପଣ କେଇଥର ଏଠିକି ଆସିଚନ୍ତି ? ରାତିଅଧିଆ ? ସେ ମାଇକିନିଆ ଏଠି ଦାରୀଘର ଖୋଲିଚି, ଶହଶହ ଲୋକ ମାରି ସାରିଲାଣି....’

 

ଏ ଲୋକଟି ଯେ ମହାଜନର ପଛଲୋକ ଏକଥା କାହାରିକୁ ଅଛପା ନଥିଲା । ତେଣୁ ହଠାତ୍ ଏ ଲୋକଟିର ସମ୍ମୁଖୀନ ହବାପାଇଁ କେହି ବାହାରିଲେ ନାହିଁ । ମାଷ୍ଟରଟି ବିଚରା ଏକୁଟିଆ ପଡ଼ିଯାଇ ଦବିଗଲା ।

 

ଠିକ୍ ଏତିକିବେଳେ ଘଟିଲା ସେଇ ଅଦ୍ଭୁତ କାଣ୍ଡ । ସୁକୁମାରୀର ମା’କୁ ଏଥିମଧ୍ୟରେ କେତେବେଳେ କାଳିସୀ ଲାଗିଗଲା । ବାଉଁଶ ଠେଙ୍ଗା ଖଣ୍ଡକ ଫୋପାଡ଼ି ଦେଇ ସେ ହଠାତ୍ ନାଚିବାକୁ ଆରମ୍ଭ କଲା । ନାଚି ନାଚି ସେ ଦିଶିବାକୁ ଆରମ୍ଭ କଲା ଏକ ଯୋଗିନୀ ମୂର୍ତ୍ତିପରି । ତା’ର ଲଙ୍ଗଳା ମୁକୁଳା ଶରୀରର ଲୁହାତାର ଭଳି ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକରୁ ବାହାରି ଆସୁଥାଏ ତେଜ ! ନାରୀର ସେଇ ଚରମ ରୂପାନ୍ତର–ଶକ୍ତିରୂପିଣୀ ବନଦୁର୍ଗା !

 

ଏବଂ, ଏତେବେଳେ ଯାଇ ବଞ୍ଚିଉଠିଲା ଜନତା । ସେତେବେଳ ଯାଏଁ ଜନତା ଅପେକ୍ଷା କରିଥାଏ ଗୋଟିଏ ମାଈବୋଲିଆ ମରଦପୁଅ ପରି !

 

କେହିଜଣେ କୁଆଡ଼ୁ ଆସି ବଢ଼ାଇଦେଲା ଦିଖଣ୍ଡ ବେତ । ଧୂପ, ଦୀପ, କଳସ, କଳାପାଟ, ହଳଦିପାଣି, କୁକୁଡ଼ା, ବୋଦା....ଶୂନ୍ୟରୁ ସେଗୁଡ଼ିକ ଆସିଗଲେ ସତେକି !

 

ନାଚୁଥାଏ–ବନଦୁର୍ଗା ।

 

ଟିକିଏ ଗଲା । ଏଥର ଜନତାବି ନାଚିଲା ତା’ ସାଙ୍ଗରେ । ପୁଲିସ୍ ଠିଆ ହୋଇଥାଏ । ଲୋକେ ସେତେବେଳକୁ ଭୁଲିଗଲେଣି ପୁଲିସକୁ ।

 

ତା’ପରେ । ତା’ପରେ ଯାହା ସଚରାଚର ହୋଇଥାଏ ତାହାହିଁ ହେଲା । ବିପ୍ଳବ ! ହଁ, ହଁ–ତାହା ଥିଲା ସେଇ ଏକ କଥା–ବିପ୍ଳବ ! ଫରାସୀ ବା ରୁଷିଆର ବିପ୍ଳବ ପରି ଏକ ବିପ୍ଳବ ଆରମ୍ଭ ହେଲା–ମାର୍ଚ୍ଚିଂ ! ଆଗରେ ଚାଲିଥାଏ ବନଦୁର୍ଗା । ଆଉ ତା’ର ପଛେ ପଛେ ଥାଏ ଜନତା–ବିଶ୍ଵସ୍ତ ଶ୍ୱାନ !

 

ପ୍ରଥମେ ସେମାନେ ଗଲେ–ଗ୍ରାମଦେବତୀ ମାଜଣା କରିବାକୁ ।

 

ଲିଡ଼ର୍ କିନ୍ତୁ ତଥାପି ନାଚୁଥାଏ–

 

ସତେକି ସେ ଏକ ଶକ୍ତିର ସମୁଦ୍ର ଓ ସେଥିରେ ଉଠିଥାଏ ଝଡ଼ ସେଦିନ !

 

କିନ୍ତୁ ସେ ପ୍ରସେସନ୍ ଅଟକିଲା ନାହିଁ ସେଇଠି–ଗ୍ରାମଦେବତୀ ମୂର୍ତ୍ତି ପାଖରେ । ସେ ପ୍ରସେସନ୍ ସିଧା ଚାଲିଗଲା–ଏଥର ଗୋଟିଏ ଦିଗରେ ।

 

ସେତେବେଳକୁ ଆମେ ସବୁ ଜାଣିସାରିଥାଉ କ’ଣ ଘଟିବାକୁ ଯାଉଥାଏ ସେଦିନ–କି ଏକ ଅଭିନବ ବିପ୍ଳବର ସୂତ୍ରପାତ ହେବାକୁ ଯାଉଥାଏ ସେଦିନ ।

 

ଟିକିଏ ପରେ–ସେମାନେ ଅଟକନ୍ତି–ସେଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥଳରେ–ମହାଜନ ଘରଦୁଆରେ ।

 

କାଳିସୀର ଆଦେଶ ଜାହିର ହେଲା । କୁହାଟ ମାଇଲା କାଳିସୀ–

 

ହରିସାହୁ ପୁଅ ଗିରିଧାରୀ ସାହୁକୁ ହାଜର କର !

 

ବେଶୀ ସମୟ ଲାଗିଲା ନାହିଁ । ମହାଜନ ଗିରିଧାରୀ ସାହୁ ଗଳବସ୍ତ୍ର ହେଇ ହାଜର ହୋଇଗଲା ସାକ୍ଷାତ୍ ବନଦୁର୍ଗାର ସମ୍ମୁଖରେ ।

 

ବେଶୀ ସମୟ ଲାଗିଲା ନାହିଁ ମଧ୍ୟ ମହାଜନ ବାପୁଡ଼ାକୁ–ସେଇ ଚମତ୍କାର ଜନତା ଦରବାରରେ ହାଜର ହୋଇ ସେଇ ଆଧିଦୈବିକ ଦଣ୍ଡଧାରିଣୀ ବିଚାରକର ସମ୍ମୁଖରେ ଯୋଡ଼ହସ୍ତ ହୋଇ ସ୍ଵୀକାର କରିବାକୁ...ସବୁକଥା, ଗୋଟିଗୋଟି କରି ଖୋଲି କହିବାକୁ...ଜନ୍ମଠାରୁ ଆରମ୍ଭ କରି; ଏକେବାରେ ମୂଳରୁ ସୃଷ୍ଟିର ପ୍ରାରମ୍ଭର ଇତିହାସଠାରୁ ସବୁ କିଛି ଗଳଗଳ କରି ଗାଳି ପକେଇଲା ମହାଜନ ଗିରିଧାରୀ ସାହୁ ।

 

ଜନତା ଦରବାରରେ ତାହା ବୋଧହୁଏ ଥିଲା ଶତାବ୍ଦୀର ପ୍ରଥମ ବିଚାର ଯେଉଁଥିରେ ସାକ୍ଷ୍ୟ, ପ୍ରମାଣ, ଆଇନ, ନଜିର, ଓକିଲ, ମୁକ୍ତିଆର ଆଉ ଜେରା ଜମାନବନ୍ଦିର ଆବଶ୍ୟକତା କିଛି ନଥିଲା । ପୁଲିସ୍ ଠିଆ ହୋଇଥାଏ–ଯାଦୁଘରର ପଥରମୂର୍ତ୍ତି ଭଳି !

 

ମହାଜନ ଗାଇ ଚାଲିଥାଏ ଅନର୍ଗଳ !–ଏକ ସରଳ, ଅନାବିଳ, ମୁକ୍ତ ହୃଦୟ–ଶିଶୁପରି !

 

ମା’ ! ମା’ ! ରକ୍ଷାକର ! ରକ୍ଷାକର !...ମଝିରେ ମଝିରେ ୟୁନିୟନ୍ ପ୍ରେସିଡ଼େଣ୍ଟ୍‍ ମହାଜନଟି କେବଳ ବିଳିବିଳେଇ ଉଠୁଥାଏ–ଆଧିଭୌତିକ ବେତର ସେଇ ଘନଘନ ଚୋଟତଳେ ।

 

ଏବଂ, ପ୍ରତିଥର ସେ ସ୍ୱୀକାର କରୁଥାଏ–

 

“ମୁଁ ମୋ ଭାଇବୋହୂକୁ ଅନେଇଚି ଗୋ ମା’–ପାପ ଚକ୍ଷୁରେ...

 

‘ମୋ ବୋହୂ ଥରେ ଗାଉଥିଲାବେଳେ ମୁଁ ଛପି ଛପି ଅନେଇଚି ଗୋ ମା’ !

 

‘ସେରେ ତେଲରେ ଅଗରା ତେଲ ଦି’ ସେର ମିଶେଇ ତିନିସେର କରି ଦେଇଚିଲୋ ମା’ !

 

“ଅନ୍ଧୁଣୀ କିଣେଇ ଭୋଇର ମା’କୁ ପିଲାଦିନେ ଚିନି ବୋଲି କହି ବାଲି ବିକିରି କରିଦେଇଥିଲିଲୋ ମା’ !

 

‘କଣ୍ଟ୍ରୋଲ ଗୋଦାମ ପରମିଟ୍ ପେଇଁ ହାକିମ ଘରେ ଦଶବସ୍ତା ସରୁ ଚାଉଳ, ଅଧମାଠିଆ ଗୁଆଘିଅ ଆଉ ଆଉ ଜିନିଷମାନ ଭେଟି ଦେଇ ଭୁଲରେ ମଧୁସାହୁର ପରମିଟ୍ କଟେଇ ଦେଇଚିଲୋ ମା’ !

 

‘ଆର ସନ ଖରାଦିନେ ନୋକ ନଗେଇ ବାଉରି ସାହିରେ ନିଆଁ ନଗେଇଚି ମୁଁ–ଯୁନିୟନ୍‍ ପ୍ରେସିଡ଼େଣ୍ଟ୍‍ ଭୋଟବେଳେ ବାଉରିମାନେ ମୋ ପକ୍ଷରେ ହେଇ ନଥିଲେ ବୋଲିଲୋ ମା’ !” ଇତ୍ୟାଦି ଇତ୍ୟାଦି ।

 

ସେ ଏକ ଲମ୍ବା ତାଲିକା ।

 

ଏବଂ, ତା’ର ଶେଷ ହେଲା ସେଇଠି, ଯେତେବେଳେ ମହାଜନ, ଆପଣା ହାତରେ ଖୋଲିଦେଲା ଜନତା ଆଗରେ ତା’ର ସେଇ ‘କଳା’ ଗୋଦାମଟିକୁ ।

 

ଲୋକେ ଫେରିଲେ ଘରକୁ–କାନିରେ କାନିଏ ଚାଉଳ ଆଉ କପାଳରେ କଲିଏ ସିନ୍ଦୂର–ଆଉ କାହାର କାହାର ପିଚାରେ ଗୋଟାଏ ଅଧେ ଫାଟିଯାଇଥିବା ନୋଳା ଘେନି ।

 

ଏବଂ, ଚିରକାଳ ପାଇଁ ସେହି ଦିନଠାରୁ ମହନା ହାଡ଼ିର ସ୍ତ୍ରୀ ଦୋଷମୁକ୍ତ ବୋଲି ସ୍ୱୀକୃତ ହେଲା । ପୁଲିସର ଆଉ ଦେଖା ମିଳିଲା ନାହିଁ ସେ ଘଟଣା ପରେ ।

 

ଏଇ ହଉଚି ସେଇ ସ୍ତ୍ରୀଲୋକ ଯାହା ଘରକୁ ଆମେ ଯାଉ ଖୋଳରେ କିରଣ ପକାଇବା ପାଇଁ, ମୃଦଙ୍ଗ ଛୁଆଣି କରିବାପାଇଁ, ଗାଁ ଆଖଡ଼ାଘରର ହାରମୋନିୟମ୍ ସଜାଡ଼ିବା ପାଇଁ–ପିଲାଦିନେ । ମୋର ମନେଅଛି ତା’ର ସେଇ ସ୍ଵର–ସେ ଯେତେବେଳେ ଲହର ମିଶାଏ, ସେଇ ବାଉଁଶବଣ ଘେରା, ପାଣିକଖାରୁ ପିତାତରଡ଼ା, କୁଆମଇଦା ଇଟାଘେରା ସେଇ ଚିର ସବୁଜ ଭେଡ଼ଟି ତଳେ ବୋହିଯାଉଥିବା ନଈର ସ୍ଵର ସହିତ ଯେତେବେଳେ ସେ ମିଶାଇଦିଏ ତା’ର ସ୍ଵରକୁ–

 

ମୋର ପିଲାଦିନେ ମୁଁ ଚମତ୍କାର ଗୀତ ବୋଲି ପାରୁଥିଲି । ମୋର ମନେଅଛି–ଯୋଉଦିନ ମୁଁ ତାଙ୍କର ଘରେ ବସି ଗୋପାଳକୃଷ୍ଣ ପଦ୍ୟାବଳିରୁ ବୋଲୁଥାଏ ସେଇ ଗୀତଟି–

 

‘ଜଳପାଇଁ ଯାଇ କାଲି କଳିନ୍ଦ ସୂତାକୁ

 

ଫଳ ପାଇଲି ଅନାଇରେ ସଙ୍ଗାତ...’ ତା’ପରେ–

 

ମୋପାଇଁ ସେ ଥିଲା ଖଣ୍ଡିଏ ସହସ୍ରମୁଖୀ ମଣିଖଣ୍ଡ, ଯାହାର ଅସଂଖ୍ୟ ମୁଖକୁ ଅନାଇ ମନୁଷ୍ୟ ଆବିଷ୍କାର କରେ ନିଜର ମୁହଁର ଅସଂଖ୍ୟ ପ୍ରତିବିମ୍ବକୁ...ପ୍ରତ୍ୟେକଟି ଅନ୍ୟଠାରୁ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର...ନବ ନବ ଉନ୍ମେଶଶାଳିନୀ ପ୍ରଜ୍ଞା !...ଏ ହେଉଛି ସେଇ ସ୍ତ୍ରୀଲୋକ–ନା ନା–ଏ ହେଉଛି ସେଇ ଜାତି–ସେଇ ଆଦର୍ଶ–ସେଇ ଚରିତ୍ର ଯାହାକୁ ଅବଲମ୍ବନ କରି ମୁଁ ଆଜି ଏଇ ମନମୋହନର ଭାରତ ମାତାର ଛାତିର ସେଇ ପଚମାନ ସ୍ତନଟିର କ୍ୟାନ୍‍ସର୍ ଉପରେ ଛୁରି ଚଲେଇବାକୁ ଚାହେଁ ବିଭୁପ୍ରସାଦ ! ତୁ ମତେ ସାହାଯ୍ୟ କର ! ମତେ ବଳଦେ !”

 

ସବାଶେଷରେ ନଟବର ଚୁପ୍ ହୋଇଗଲା । ସେ ବସି ପଡ଼ିଲା କ୍ଳାନ୍ତ ହୋଇ ପୁଣି ସେଇ ସିମେଣ୍ଟ ବେଞ୍ଚ୍ ଉପରେ ।

 

ସେ ପର୍ଯ୍ୟନ୍ତ ସକାଳ ହୋଇ ନଥାଏ । କୁଆଁତାରା ପଡ଼ି ଯାଇଥାଏ ତୋଫା ହୋଇ ।

Unknown

 

ଶୋହଳ

 

ଏଥିମଧ୍ୟରେ ଡିପାଟ୍‍ମେଣ୍ଟ ଚା’ କ୍ଳବ୍‍ରେ ବୋହିଯାଇଛି ଆହୁରି ଏକ ଝଡ଼ । ସେଦିନ ହଠାତ୍ ଏକ ଦୁଃସମ୍ବାଦ ପାଇ ବିଭୁପ୍ରସାଦ ଯାଏଁ ଡିପାଟ୍‍ମେଣ୍ଟର ଚା’ କ୍ଳବ୍‍ରେ–ଘଟଣାଟା ବିଷୟରେ ଟିକିଏ ଭଲକରି ଅନୁସନ୍ଧାନ କରିବାକୁ ।

 

କିନ୍ତୁ ସେଦିନ ଡିପାଟ୍‍ମେଣ୍ଟ ଚା’ କ୍ଳବ୍ ଭିତରକୁ ଯେତେବେଳେ ପଶିଯାଏ ବିଭୁପ୍ରସାଦ ତା’ ମନରେ କାହିଁକି ଏକ ଅପ୍ରତ୍ୟାଶିତ ବିରକ୍ତି ଓ ଆଶଙ୍କାର ସୂତ୍ରପାତ ହେଲା ଯାହା ଫଳରେ କି ସେ ଯେଉଁ ଦୁଃସମ୍ବାଦଟିକୁ ଶୁଣି ତାହାର ସତ୍ୟାସତ୍ୟ ନିରୂପଣ କରିବାକୁ ସେଠାକୁ ଯାଇଥିଲା ସେଇଟିକୁ ସମ୍ପୂର୍ଣ୍ଣ ପାଶୋରି ଦେଲା ।

 

ସେଦିନର ମୌଳିକ ଦୁଃସମ୍ବାଦଟି ଥିଲା ଏହିପରି । ଏଥିମଧ୍ୟରେ ଏକ ଗୁଜବ ହଠାତ୍ ଶୁଣାଯାଇଥିଲା ଯେ କୁଆଡ଼େ ଅଧ୍ୟାପକ ଶେଠୀଙ୍କର ତୃତୀୟ ପୁତ୍ରଟି ଏଥିମଧ୍ୟରେ କୌଣସି ଏକ ଦୁର୍ଘଟଣାରେ ପଡ଼ି ପ୍ରାଣ ହରାଇଥିଲା । ଘଟଣାଟି ଶୁଣି ବିଭୁପ୍ରସାଦ ଏପରି ମର୍ମାହତ ହେଲା ଯେ ତା’ର ମନେହେଲା ସତେ ଯେପରି ମି: ଶେଠୀଙ୍କ ଉପରେ କୌଣସି ଏକ ଦୈବୀ ଅଭିଶାପ ଫଳିବାକୁ ଆରମ୍ଭ କରିଥାଏ କିମ୍ବା ମି: ଶେଠୀଙ୍କ ପରିବାର ଉପରେ ସେତେବେଳକାର ଦେଶର ଅର୍ଥନୈତିକ ଯୋଜନାପାଇଁ ଆବଶ୍ୟକ ହେଉଥିବା ଏକ ଦେଶବ୍ୟାପୀ ତ୍ୟାଗର ସମସ୍ତ ଭାର ହୁଏତ ଲଦେଇ ଆରମ୍ଭ ହଉଥାଏ । ଯେତେବେଳେ କୃଷି ଉନ୍ନୟନ ନିମିତ୍ତ ଦେଶର ଯତ୍‍ପରୋନାସ୍ତି ମୂଳଧନ ଠୁଳ କରାଯାଇ ଅନାହାର ଓ ଅଳ୍ପାହାରଜନିତ ମୃତ୍ୟୁର ପ୍ରତିକାର ବିଧାନ ପରିକଳ୍ପନା କରାଯାଉଥିଲା ସେତେବେଳେ ‘ସଇତାନର ଭାଗ’ ପରିଶୋଧ କରିବାକୁ ଯାଇ ଏଇ ଶେଠୀ ପରିବାର ହରାଇଥିଲା ତା’ର ପ୍ରଥମ ଦୁଇଟି ସନ୍ତାନକୁ–ସେଇ ବିଷାକ୍ତଖାଦ୍ୟ ଦୁର୍ଘଟଣାରେ । ପୁଣି ବର୍ତ୍ତମାନ ଯେତେବେଳେ କୃଷି ପରିବର୍ତ୍ତେ ‘ହେଭିଇଣ୍ଡଷ୍ଟ୍ରି’ ବା ଗୁରୁଶିଳ୍ପର ଉନ୍ନୟନ ପାଇଁ ଯୋଜନା ପୁଣିଥରେ ଚାହିଁଲା ତା’ର ସେଇ ଅପରିବର୍ତ୍ତନୀୟ ଦୈବିକ ନିୟମର ଅନ୍ତର୍ଗତ “ସଇତାନର ଭାଗ”ଟିକୁ ସେତେବେଳକୁ ମଧ୍ୟ ଯୋଜନାର ଆଖିକୁ ଏଡ଼ାଇ ଦେଇ ପାରିଲା ନାହିଁ ସେଇ ଶେଠୀ ପରିବାରର ତୃତୀୟ ସନ୍ତାନଟି । କୁଆଡ଼େ ସେଦିନ ସ୍କୁଲ୍‍ରୁ ଫେରୁଥିଲାବେଳେ ରାସ୍ତାକଡ଼ରେ କାମ ହେଉଥିବା ଏକ ତାତିଲା ପିଚୁକୁଣ୍ଡଭିତରକୁ କୌତୂହଳ ବଶତଃ ଅନାଉ ଅନାଉ, କୁଣ୍ଡଟି ଓଲଟି ପଡ଼ିଲା ଓ ପିଲାଟି ହଜିଗଲା ସେଇ ଡହଡ଼ହ ପିଚୁ ଭିତରେ ।

 

କିନ୍ତୁ ସେଦିନ ଡିପାଟ୍‍ମେଣ୍ଟ ଚା’କ୍ଳବ୍‍ର ସମସ୍ୟାଟି ଥିଲା ଆହୁରି ଗୁରୁତ୍ଵପୂର୍ଣ୍ଣ । ସେମାନଙ୍କର ସେଇ ଚା’ପିଆ ଢଙ୍ଗରୁ ଓ ସେମାନଙ୍କର ସଶଙ୍କ, ଝଡ଼ବିକ୍ଷୁବ୍ଧ ଆଖିଗୁଡ଼ିକର ବିଦୀର୍ଣ୍ଣ ଡେଣାଗୁଡ଼ିକୁ ଅନାଇଦେବାମାତ୍ରେ ବିଭୁପ୍ରସାଦ ଜାଣିପାରିଲା ସେଦିନର ସବୁଠାରୁ ଅଧିକ ମର୍ମନ୍ତୁଦ ଘଟଣାଟିକୁ । ସେମାନେ ସମସ୍ତେ ନୀରବରେ ଚା’ ପିଉଥିଲେ ଆଉ ମନେମନେ ଆବୃତ୍ତି କରୁଥିଲେ–

 

“ଏଇ ଯେ ଆସୁଛି ଝଡ଼

କର ସଖୀ ତାରେ ନମସ୍କାର....”

 

ଅବଶ୍ୟ ସେ ଝଡ଼ଟି ନଥିଲା ଶେଠୀ ପରିବାର ତୃତୀୟ ପୁତ୍ର ସମ୍ବନ୍ଧୀୟଙ୍କର କଥା । ଏଥର ମଧ୍ୟ ସେଇ ଝଡ଼ ମୂଳରେ ଥିଲା ଖୋଦ୍ ମନମୋହନ ।

 

ମନମୋହନର ସେଇ ଚମକପ୍ରଦ କୃତିତ୍ୱଟିହିଁ ଥାଏ ସେଦିନର ନୀରବ ଆଲୋଚ୍ୟ ବିଷୟ । କଥାଟା ହେଉଛି ଡଃ ଶର୍ମା–ମିଃ ଶେଠୀଙ୍କର ଖୋଦ୍ ଗବେଷଣା ତତ୍ତ୍ୱାବଧାରକ ପ୍ରଫେସର୍ ଡଃ ଶର୍ମାଙ୍କ ଅଧୀନରେ ସେଦିନ ମନମୋହନର ଏକ ଗବେଷଣା ପେପର୍ ପୃଥିବୀର ଏକ ନାମଜାଦା ଜର୍ଣ୍ଣାଲ୍‍ରେ ପ୍ରକାଶିତ ହୋଇଥାଏ ଏବଂ ଗୋଟାଏ ଗୁଜବ ଏଥିମଧ୍ୟରେ ଉଠିଥାଏ ଏହି ସଂକ୍ରାନ୍ତରେ । କୁଆଡ଼େ ସେଇ ପେପର୍‍ଟି ମନମୋହନର ନିଜ ପେପର୍ ନଥିଲା । ତାହା ଥିଲା କୁଆଡ଼େ ଖୋଦ୍ ଶେଠୀଙ୍କର ।

 

ସେଦିନ ଡିପାଟ୍‍ମେଣ୍ଟରୁ ବସାକୁ ଫେରିଲାବେଳକୁ ବିଭୁପ୍ରସାଦ ପରିଷ୍କାରଭାବେ ଭୁଲିଯାଇଥାଏ ହୁଏତ ମିଃ ଶେଠୀଙ୍କର ଦେଶପାଇଁ ସେଇ ଚରମ ତ୍ୟାଗକୁ । ତା’ର ମସ୍ତିଷ୍କର ଉପରିଭାଗରେ ଖେଳୁଥାଏ କେବଳ ସେଇ ପଦଟା–

 

“ଏଇ ଯେ ଆସୁଛି ଝଡ଼ !”

 

ସେଦିନ ଏଣେ ବିଶ୍ଵବିଦ୍ୟାଳୟର ଚିନ୍ତାକ୍ଷେତ୍ରର ସର୍ବୋଚ୍ଚ ଶିଖରରେ ଏହିପରି ବିଭ୍ରାଟ ସବୁ ଘଟୁଥିବାବେଳେ ତେଣେ ରାଜ୍ୟର ରାଜନୈତିକ ସ୍ତରରେ ଯେଉଁ ଭୂକମ୍ପ ସୃଷ୍ଟି ହୋଇସାରିଥାଏ, ସେ ସମ୍ବନ୍ଧରେ ଠିକ୍ ଅନ୍ୟମାନଙ୍କ ପରି ବିଶେଷ ସଚେତ ନଥାଏ ବିଭୁପ୍ରସାଦ ।

 

କିନ୍ତୁ ସେଦିନ ସକାଳୁ ସହର, ବଜାର, ରାସ୍ତାଘାଟ ହଠାତ୍ ସରଗରମ ହୋଇ ଉଠିଲା ।

 

ନିର୍ବାଚନ–୧୯୬– !

 

ନିର୍ବାଚନ !

 

ଯେଉଁ ନିର୍ବାଚନ ଆସେ ନିୟମିତଭାବେ, ଏକ ରାଜନୈତିକ ପାଳିଜ୍ଵର ଭଳି ଏ ଦେଶକୁ-। ସେ ଆସେ ଏକ ନଦୀର ବନ୍ୟାପରି ଗୋଟିଏ ଗଣତନ୍ତ୍ରର କୁଟୀରକୁ । ସେ ଆସେ ଏଇ ବିଗତ ଶତାବ୍ଦୀର ଦୁର୍ଭିକ୍ଷ ପରି ଏଇ ଉଜ୍ଜ୍ୱଳକୁ–କଳାର କୁଟୀରକୁ !

 

କିନ୍ତୁ ସବୁ ନିର୍ବାଚନଠାରୁ ଆଜିର ଏଇ ନିର୍ବାଚନଟି ଭିନ୍ନ ଥିଲା, ବିଶେଷକରି ଏଇ ‘ନୀରବ ନିଳୟ’ର ଅଧିବାସୀମାନଙ୍କ ପକ୍ଷରେ ତାହାଥିଲା ଏକ ସାଂଘାତିକ ପରିଣାମର ଉଦ୍‍ଯୋଗ ପର୍ବ !

 

ବୁଢ଼ୀକୁ ଚାରି ପାଞ୍ଚଦିନ ହେବ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥାଏ । ଦିନକୁଦିନ ଅନ୍ତର । ବିଶେଷକରି ଏକ କର୍କଟ ରୋଗୀ ନିକଟରେ ସମୟର ଆପେକ୍ଷିକ ଗତି ଯେ କି ପ୍ରଚଣ୍ଡ ତାହା ସେଦିନ ଆପଣ ଆଖିରେ ଦେଖିନେଇଥାଏ ବିଭୁପ୍ରସାଦ ।

 

କିନ୍ତୁ ସେତେବେଳ ପର୍ଯ୍ୟନ୍ତ ବୁଢ଼ୀର ଅପରେସନ୍ ଆରମ୍ଭ ହୋଇପାରି ନଥାଏ । କାରଣ ସେତେଦିନ ପର୍ଯ୍ୟନ୍ତ କୌଣସି କାରଣରୁ ବିଭୁପ୍ରସାଦର ପ୍ରତିଶ୍ରୁତି ପାଞ୍ଚଶହ ଟଙ୍କା ପୋଷ୍ଟ୍ ଅଫିସ୍‍ରୁ ଅଣାଯାଇପାରି ନଥାଏ ।

 

କ୍ୟାନ୍‍ସର୍ କିନ୍ତୁ ପୋଷ୍ଟ୍ ଅଫିସ୍‍ପାଇଁ ଅପେକ୍ଷା ନରଖି ବଢ଼ି ଚାଲିଥାଏ । ଆଉ ସେଥିସହିତ ବଢ଼ି ଚାଲିଥାଏ ଏଣେ ନଟବରର ଅଭିମାନ–ବିଭୁପ୍ରସାଦ ଉପରେ । କିନ୍ତୁ ବିଭୁପ୍ରସାଦ ସେତେବେଳକୁ ନିରୁପାୟ । କାରଣ ଗତ ପାଞ୍ଚଦିନ ଧରି ପୋଷ୍ଟ୍ ଅଫିସ୍ ଧାଇଁବାରେ ତା’ର ହେଳା ନଥାଏ । କିନ୍ତୁ କ୍ୟାନ୍‍ସର୍ ଯେପରି ପୋଷ୍ଟ୍ ଅଫିସ୍‍ପାଇଁ ଅପେକ୍ଷା ନରଖି ବଢ଼ି ଚାଲିଥାଏ, ସେହିପରି ପୋଷ୍ଟ୍ ଅଫିସ୍ ମଧ୍ୟ କ୍ୟାନ୍‍ସର୍ ପ୍ରତି ଭ୍ରୂକ୍ଷେପ ନକରି ଆପଣାର ପଥରେ ଚାଲିଥାଏ ।

 

ପ୍ରଥମ ଦିନଟି ଥିଲା ଶନିବାର । ଦିନ ବାରଟାବେଳେ କାଉଣ୍ଟର ନିକଟରେ ପହଞ୍ଚି ବିଭୁପ୍ରସାଦ ଯେତେବେଳେ ବଢ଼ାଇଦିଏ ଆପଣାର ପାସ୍ ବହିଟିକୁ ଏକ ନୀରବ ଅଙ୍ଗୁଳିର ନିର୍ଦ୍ଦେଶ ସହିତ ପଛକୁ ଫେରିଆସେ ପାସ୍ ବହିଟି । ମୁହଁ ଉଠେଇ, ବିଭୁପ୍ରସାଦ ଆଙ୍ଗୁଳି ନିର୍ଦ୍ଦିଷ୍ଟ ଦିଗରେ ଅନାଇ ଆବିଷ୍କାର କରେ ନିୟମଟିକୁ । “ବାରଟା ପରେ ଦେଣନେଣ ବନ୍ଦ !” ତା’ପରେ ବିଭୁପ୍ରସାଦର ସମସ୍ତ ନେହୁରାର ବାଟ ବନ୍ଦ କରିଦିଏ ଏଇ କାନୁନ । ପରଦିନଟି ଥାଏ ରବିବାର । ସୋମବାର ଦିନ ପ୍ରଥମରୁ ଯାଇ ବିଭୁପ୍ରସାଦ ଯେତେବେଳେ ପୋଷ୍ଟ୍ ଅଫିସ୍ ନିକଟରେ ପହଞ୍ଚେ, ସେତେବେଳକୁ ସେଇଟି ଥାଏ ମାସର ଦୁଇ ତାରିଖ । ଏକ ଲମ୍ବା କିଉର ଶେଷରେ ଠିଆ ହୋଇ ବିଭୁପ୍ରସାଦ ବାରମ୍ଵାର ଭଗବାନଙ୍କୁ ପ୍ରାର୍ଥନା କରୁଥାଏ–ହେ ଭଗବାନ ! ମୋର ଏ ଦସ୍ତଖତଟିରେ ଯେପରି କୌଣସି “ବର୍ଣ୍ଣାଶୁଦ୍ଧି” ନଥାଏ ।

 

କିନ୍ତୁ ହାୟ !

 

ଦସ୍ତଖତଟି ଭୁଲ୍ ହେବାର ଦିନ ଯଦି କେବେ ଏକ କର୍କଟ ରୋଗୀର କପାଳରେ ଲେଖାଥାଏ ତେବେ ତାହାହିଁ ଥିଲା ସେଇ ଗୋଟିକ ।

 

କାଉଣ୍ଟରରୁ ଆପଣାର ପାସ୍‍ବହି ଓ ଉଇଥ୍‍୍ଡ଼୍ରୟାଲ୍ ଦରଖାସ୍ତଟିକୁ ଫେରାଇ ନେଇ ବିଭୁପ୍ରସାଦ ପୁଣିଥରେ କାଉଣ୍ଟର ପାଖକୁ ଫେରିବାକୁ ଚେଷ୍ଟାକଲା । ହଠାତ୍ ଏକ ଜନତାର ବିଦ୍ରୋହ ତା’ର ପଛପଟୁ ଅନୁଭବକରି ବିଭୁପ୍ରସାଦ ପୁଣି ଲମ୍ବା କ୍ୟୁଟିର ଏକେବାରେ ପଛକୁ ଫେରିଆସିବାକୁ ବାଧ୍ୟ ହେଲା । ନିୟମ !

 

ସମୟ କାହାପାଇଁ ଅପେକ୍ଷା କରେନା । ପୁଣି କ୍ୟାନ୍‍ସର୍ ଓ ପୋଷ୍ଟ୍ ଅଫିସ୍ ଦୁହେଁତ ସମୟର ଦୁଇଟି ଘଡ଼ି କଣ୍ଟା !

 

ପ୍ରଥମ ତିନିଦିନ ଟଙ୍କା ଉଠେଇବାରେ ଡେରି ହେବାରୁ ନଟବର ଅଧୀର ହୋଇ ଉଠିଲା-। ସେ ବୋଧହୁଏ ସନ୍ଦେହ କଲା ବିଭୁପ୍ରସାଦକୁ–ତା’ର ଉଦ୍ଦେଶ୍ୟମୂଳକ ବିଳମ୍ବପାଇଁ ।

 

ପରଦିନ ନଟବର ନିଜେ ଗଲା ବିଭୁପ୍ରସାଦ ସହିତ ପୋଷ୍ଟ୍ ଅଫିସ୍‍କୁ । କିନ୍ତୁ ସେଦିନ ମଧ୍ୟ ନିସ୍ତାର ନଥିଲା । ବିଭୁପ୍ରସାଦର ଦସ୍ତଖତଟି, କାଉଣ୍ଟର ପଛପଟେ ସେଇ ମୋଟା ନାଲି ବହିଟିରେ ଥିବା ଭାଗ୍ୟର ଦସ୍ତଖତ ସହିତ ପୁଣି ଅମେଳ ଘଟିବାର ସ୍ଵଚକ୍ଷୁରେ ଦେଖିପାରିଲା ନଟବର । ସେତେବେଳେ ନଟବରର ମୁହଁ ଉପରେ ପ୍ରଥମ କରି ସେଇ ଅଦ୍ଭୁତ ସଙ୍କେତଟିକୁ ଦେଖିପାରିଲା ବିଭୁପ୍ରସାଦ ।

 

ନଟବରର ମୁହଁଟା ମେଞ୍ଚାଏ ସିନ୍ଦୂରବୋଳା ମୁଣ୍ଡାଟାଏ ପଥର ପରି ସେତେବେଳକୁ ଝଟକୁ ଥାଏ । ଚମକି ଉଠିଲା ବିଭୁପ୍ରସାଦ । ବୋଧହୁଏ ହୁଣ୍ଡା ନଟବର ସେଦିନର ଫଳଦୋକାନ ପିକେଟିଂ ପରି କିଛି ଗୋଟାଏ ଅନର୍ଥ କରି ବସିବ–ଏଇ ଆଶଙ୍କାରେ ବିଭୁପ୍ରସାଦ ସେଦିନ ଏକ ‘କାଇଦା’ ଦେଖେଇବାକୁ ବାଧ୍ୟ ହେଲା ।

 

ସେଗୁଡ଼ିକ ଥିଲା ସେଇ ସମୟ–ଅମାନିଆ କ୍ୟାନ୍‍ସର୍‍କୁ ‘କାଇଦା’ ବା ‘ଟ୍ୟାକ୍‍ଟ’ଦ୍ୱାରା ବଶକରି ‘ଚକେଗଲେ ବାରହାତ’ ଜେଗାଟିକୁ କୌଣସିମତେ ଭୋଗକରିନେବାର ଦିନ । ଟଙ୍କା କମେଇବା ଅପେକ୍ଷା ଟଙ୍କାକୁ ଯଥାସମୟରେ ଖଟାଇ ଜାଣିବା ଥିଲା ସେଦିନର ଅର୍ଥନୀତିର ଏକ ସଫଳ ପ୍ରୟୋଗ । ରାଜନୈତିକ ପ୍ରଶାସନ କ୍ଷେତ୍ରରେ ଏହି ‘କାଇଦା’କୁ ‘ଅମୋଘ ଅସ୍ତ୍ର’ ନାମକରଣ କରାଯାଇଥିଲା ।

 

ତେଣୁ ପାଞ୍ଚଶହଟି ଟଙ୍କା ସ୍ଥାନରେ ଚାରିଶହ ନବେଟିକୁ ଗଣି ଗଣି ନଟବରର ହାତକୁ ବଢ଼ାଇ ଦେଲାବେଳେ ବିଭୁପ୍ରସାଦର ଛାତି କୁଣ୍ଢେମୋଟ ଫୁଲି ଉଠୁଥାଏ । ପୋଷ୍ଟାଲ୍ କ୍ଳର୍କଟିର ସ୍ମିତହାସ୍ୟ ସହିତ ପଛରେ ପଡ଼ିଯାଇଥିବା ଲମ୍ବା ପିମ୍ପୁଡ଼ି ଧାର ପରି ମଣିଷର କ୍ୟୁଟିକୁ ଅନାଇ ବିଭୁପ୍ରସାଦ ମନକୁ ମନ କହିଲା–“ଦଶଟଙ୍କା–ଦଶବର୍ଷ ।”

 

ସେଦିନ ରାତିରେ “ନୀରବ ନିଳୟ”ର (ଏଥିମଧ୍ୟରେ ସୁକୁମାରୀ ଆସିବା ଦିନଠାରୁ କେମିକାଲ୍ କଟେଜ୍ ଇଣ୍ଡଷ୍ଟ୍ରି ନାଁଟି ହୁଏତ ଆପେଆପେ ପାଶୋର ଯାଇଥିଲା ମନରୁ) ଅଦ୍ଭୁତ ପରିବାରର ପଂକ୍ତିଭୋଜନ ସମାପ୍ତ ହେଲା ଏକ ପ୍ରାଗ୍ଐତିହାସିକ ସଶଙ୍କ ନୀରବତା ମଧ୍ୟରେ । ପରଦିନ ସକାଳୁ ବୁଢ଼ୀର ଅପରେସନ୍ ହୋଇଯିବାର କଥା । ସନ୍ଧ୍ୟାରେ ଡକ୍ଟର ବାଳବ୍ରହ୍ମଚାରୀଙ୍କ ପାଖକୁ ନଟବର ଟଙ୍କା ଧରି ଯାଇଥିଲା । ଏବଂ ଡଃ ବ୍ରହ୍ମଚାରୀ କୁଆଡ଼େ ନଟବରକୁ ସାନ୍ତ୍ୱନା ଦେଇ କହିଥିଲେ ଯେ–‘‘ଚିନ୍ତାକରିବାର କିଛି ନାହିଁ । ଯାଅ ! ପରବର୍ତ୍ତୀ ପ୍ରତିକ୍ରିୟାଗୁଡ଼ିକୁ ତୁଲାଇବା ପାଇଁ ଅର୍ଥର ଆୟୋଜନ କର । କ୍ୟାନ୍‍ସର୍ କିଛି କମ୍ ପ୍ରତିକ୍ରିୟାଶୀଳ ରୋଗ ନୁହେଁ । ସାଧାରଣତଃ ଗୋଟିଏ କ୍ୟାନ୍‍ସର୍ ରୋଗୀ ପଛରେ ହାରାହାରି ପାଞ୍ଚହଜାରରୁ କମ୍ ଖର୍ଚ୍ଚ ହେବାକଥା ନୁହେଁ । ରୋଗୀ ମରୁ ବା ବଞ୍ଚୁ ରୋଗର ପ୍ରତିକାର କରିବା ଆମର କର୍ତ୍ତବ୍ୟ । ସେଥିରେ ହେଳା କରିବାର ନୁହେଁ ।”

 

ଡାକ୍ତରଖାନାରୁ ଫେରିବାପରେ ସେଦିନ ସନ୍ଧ୍ୟାଯାକ ଗୁମ୍‍ସୁମ୍ ହୋଇ ରହିଥିଲା ନଟବର ।

 

ଅବଶ୍ୟ ନଟବରର ସେଇ ବିସ୍ଫୋରକ ମାନସିକ ଅବସ୍ଥାଟିକୁ ଲକ୍ଷ୍ୟ କରିବାପାଇଁ ବିଭୁପ୍ରସାଦର ଆଉ ଧୈର୍ଯ୍ୟ ନଥିଲା । ସେ ତା’ର ଯାହା କରିବାର କଥା କରିସାରିଥିଲା । ପାଞ୍ଚଶହ ଟଙ୍କା ? କାହିଁକି ? ପାଞ୍ଚଶହ ଟଙ୍କାର ମୂଲ୍ୟ କିଛି କମ୍ ନଥିଲା ସେଦିନ–ବିଶେଷକରି ବିଭୁପ୍ରସାଦ ପକ୍ଷରେ !

 

ତେବେ, ସବୁଦିନ ପରି ନିଜର ଖାଇବା ଜେଗାରେ ସୁକୁମାରୀ ଯେତେବେଳେ ସେଇ ଶଙ୍ଖ ଥାଳିଆଟି ଥୋଇ ଦେଇଗଲା, କାହିଁକି କେଜାଣି ବିଭୁପ୍ରସାଦର ମନରେ ଏକ ଅଦ୍ଭୁତ ମାଲିକାନା ଭାବର ଉଦୟ ହେଲା । “ମୁଁ ଯଦି ୟାରିପାଇଁ ଏତେ ତ୍ୟାଗ କରିଛି”....ସେ ମନକୁ ମନ କହୁଥିଲା ।

 

ସୁକୁମାରୀ ପରଶୁଥାଏ..... ।

 

ନିଜର ସଂଯମ ଉପରୁ କ୍ଷମତାହରାଇ ବିଭୁପ୍ରସାଦ ପ୍ରଥମଥର ପାଇଁ ସତେ ଯେପରି ଆବିଷ୍କାର କଲା ସେଇ ହାତଟିକୁ । ଚମକି ଉଠିଲା ସେ । ତା’ର ଦେହର ଛତ୍ରେ ଛତ୍ରେ ତତ୍‍କ୍ଷଣାତ୍ ଖେଳିଗଲା ଦୁଇଟି ପରସ୍ପର ବିରୋଧୀ ସ୍ରୋତ । ଗୋଟିଏ ଥିଲା–ଉତ୍ତପ୍ତ ଲାଭା ପରି, ଆଉ ଅନ୍ୟଟି ତା’ର ଏତେ ବିପରୀତ ଯେ– ! ଭଗବାନ୍ ଜାଣନ୍ତି କାହିଁକି ତା’ର ସେଇ ସ୍ନିଗ୍ଧ, ଲାଳାୟିତ ହୋଇ ଉଠିଥିବା ଓଠର ଚତୁଃପାର୍ଶ୍ୱରେ ଅନୁଭୂତ ହେଲା ଏକ ଭୟାନକ ସ୍ପର୍ଶକାତରତା । ନିଜକୁ ନିଜେ ଆଉଥରେ ନିବିଡ଼ଭାବେ ଅନୁଭବ କରିନେବାକୁ ଓ ସତେକି ଅନେକ କାଳଧରି ହଜିଯାଇଥିବା ନିଜର ଶରୀରକୁ ପୁଣିଥରେ ଖୋଜିନେବାର ଏକ ଅସ୍ଵସ୍ଥିକର ପ୍ରୟାସର ସହିତ ସେ ଚାଟିବାକୁ ଆରମ୍ଭ କରିଦେଲା ଆପଣା ଓଠକୁ–ସେଇ ସାରା ରାତି ।

 

ସେମିତି ଗୁମ୍‍ସୁମ୍ ହେଇ ବସି, ଖାଇବା ଶେଷକରି ନଟବର ବାହାରିଗଲା ହସ୍‍ପିଟାଲ୍‍–ସେଇ ରାତିରେ ।

 

ଆସନ୍ତାକାଲି ବୁଢ଼ୀର ଅପରେସନ୍ ଆରମ୍ଭ ! ବସାରେ ସୁକୁମାରୀକୁ ଜଗିବାର ଦାୟିତ୍ଵ ସେ ରାତିରେ ଥାଏ–ବିଭୁପ୍ରସାଦର !

 

ସୁକୁମାରୀ ସେତେବେଳକୁ ଶୋଇ ପଡ଼ିଥାଏ ବୋଧହୁଏ । ଘର ଭିତରେ କବାଟ ବନ୍ଦ କରି ସେ ଅବଶ୍ୟ ଶୋଇଥାଏ । ବିଭୁପ୍ରସାଦ ତାକୁ ଜଗିକରି ଶୋଇବାର କଥା । ତେଣୁ ସେ ଶୋଇଥାଏ ବାହାରେ–ଖଣ୍ଡିଏ ଖଟିଆରେ । ତା’ର ଆଖିକୁ ନିଦ ଆସୁ ନଥାଏ । ତା’ର ଜାଣତ ବା ଅଜାଣତରେ ସତେ ଯେପରି ସେ କାନେଇଥାଏ କୌଣସି ସ୍ପଷ୍ଟ ବା ଅସ୍ପଷ୍ଟ ଇଙ୍ଗିତକୁ !

 

ହଠାତ୍ ଏହି ସମୟରେ ବାହାରେ ଶୁଖିଲା ପତ୍ର ଉପରେ କାହାର ପାଦ ଶବ୍ଦ ଶୁଣି ସେ ଉଠି ବସିଲା । କିଛି ସମୟପରେ ଲୋକଟିର ଗଳାଖଙ୍କାର ଶୁଣି ସେ ସ୍ପଷ୍ଟ ଚିହ୍ନିପାରିଲା ତାକୁ । ସେ କେହି ନୁହେଁ । ସେ ହଉଚି ତା’ର ଶୁଭାକାଂକ୍ଷୀ ଓ ତା’ର ବାପାଙ୍କର ବନ୍ଧୁ ହୋଟେଲ ମାଲିକ ବାସୁଦେବ ।

 

ଏତେ ରାତିରେ ଓ ଏପରି ପରିସ୍ଥିତିରେ ବାସୁଦେବ ଆସିବାର କାରଣ କିଛି ବୁଝିନପାରି ବିଭୁପ୍ରସାଦ ବିବ୍ରତ ହୋଇ ଉଠିଲା । ଯେଉଁ କାରଣରୁ ହେଉପଛେ ତା’ ଦିହରୁ ଗୋଟାଏ ଝାଳ ବୋହିଗଲା ପରି ସେ ଅନୁଭବ କଲା ।

 

ପାଖ କଣ୍ଟ୍ରାକ୍ଟର କୋଠାର ଗୋଟାଏ ଧାର ଆଲୁଅ ଆସି ପଡ଼ୁଥାଏ ବାରଣ୍ଡାର ଗୋଟାଏ କଣକୁ । ଖଟିଆଟାକୁ ସେଇଠିକି ଟାଣି ନେଲା ବିଭୁପ୍ରସାଦ । ବାସୁଦେବ ପିଣ୍ଡାରେ ଉପରକୁ ଆସିଲା ଓ ବିଭୁପ୍ରସାଦର ଖଟିଆ ଉପରେ ବସିବାମାତ୍ରେ ଆରମ୍ଭ କରିଦେଲା–

 

“ବୁଢ଼ା କଥା ଶୁଣିଚଟିକି ?”

 

ବିଭୁପ୍ରସାଦ ଦେହରେ ଚାଉଁକିନା କ’ଣଟାଏ ଯେପରି ଲାଗିଗଲା । ଚମକି ଉଠି ସେ ଏକରକମ ଚିତ୍କାର କରି ଉଠିଲା–

 

“କ’ଣ କହିଲ ? ବୁଢ଼ା ?–ମୋ ବାପାଙ୍କ କଥା କହୁଚ ? କ’ଣ ହେଇଚି ତାଙ୍କର ?”

 

ବିଭୁପ୍ରସାଦର ମୁହଁରେ ହାତଟାକୁ ଚାପିଧରିଲା ବାସୁଦେବ ଓ ତାକୁ ଚୁପ୍ କରେଇଦେଇ ଫାସୁ ଫାସୁ ହେଇ କହିଲା–

 

“ଆରେ ! ପାଟିଟେ କିଆଁ କରୁଚ ? ଭୋଟ୍‍ଭାଟ୍ ବେଳ । କିଏ କୋଉଠି ଥବ–କାନ ପାରିଥବ । ହେଲେ ଚିଠିଟା ମୁଁ ଆଜି ସକାଳୁ ପାଇଲିଣି । କାମ ତ ନାଗିଚି । ଆସି ପାଇଲି ନାଇଁ । ହେଲେ ୟା ପଛପଟେ କ’ଣ କମି ମସୁଦା ଅଛି ଭାବିଚ ? ମୁଁ ସେଦିନୁ ତମକୁ କହୁନାଇଁ ? ତେମେ ତ ଚୋରମୁହାଁ ହେଇ ଘରେ ବସିଲ । ତେମେ ଜାଣିଚଟି ?–ଆମ ଗାଁରେ ସେ ଯେଉଁ ଟୋକା ଖଣ୍ଡିକ ଏସନ ପ୍ରାଇଭେଟିରେ ଆଇ.ଏ ପାସ୍ କଲା–ଚିନିଚ ତାକୁ ? ସେଇ ପା’ ଆଉଚି ହେଡ଼୍‍ମାଷ୍ଟର ହେଇକିନା–ତୁମ ବାପାଙ୍କ ଜେଗାରେ । ତୁମ ବାପାଙ୍କୁ ଆଉ ଏକ୍‍ସଟେନସନ୍ ଯେମିତି ନମିଳିବ ସେଇ ମସୁଦା ଚାଲିଚି ଏଣେ । ସେ ଟୋକାର କିଏ ଗୋଟିଏ ମାମୁ ଅଛି ଏଠେଇଁ । ତା’ ବାଦ୍ ଦି’ମାସ ତଳେ ଅଫିସ୍‍ର ହେଡ଼୍‍କିରାଣିବାବୁ ନା କିଏସେ ତେଣେ ଯାଇଥେଲେ–

 

“ହେଲେ ତମେ ଯାହା କୁହ ପଛେ ସେ ଟୋକାଟା ଭାରି ବୁଦ୍ଧିଆ । ତମ ସବୁମାନଙ୍କ ଭଳି ଚୋରମୁହାଁ ନୁହନ୍ତି ସେମାନେ । କିହୋ ! ସେ ଟୋକା ଯଦିଚ ବୁଦ୍ଧି କରିକିନା ଦି’ସେରିକିଆ ଦିଇଟା ଭାକୁଡ଼ ବାନ୍ଧି ଦେଲା କିରାଣିବାବୁଙ୍କ ସାଇକଲ ପଛରେ, ତଥାଚ ବୁଦ୍ଧି କରିଥିଲେ ହେଇଥାନ୍ତା । ସାଇକଲ ଆଗରେ ଦିଇଟା ହାତୀଦାନ୍ତ ମେତେ–ବେଶୀ ନୁହ–ଅଧ ଅଧ ସେରିଆ ଦିଇଟା–ମୋଟେ ଦିଇଟା ବା–ପହିଲି ପିତାପାଣିଆ ଇଲିଶି ମଞ୍ଜିରୁ ଟଙ୍ଗେଇ ଦେଇଥେଲେ ତ କଥା ସରିଯାଇଥାନ୍ତା ! କିରାଣି ବାପୁଡ଼ା ବଳେ ହଡ଼ବଢ଼େଇ ଯାଇଥାନ୍ତା ! ତେଣିକି ଦେଖା ଯାଇଥାନ୍ତା–ଦୁରୁଷ୍ଟିଟା ଆଗକୁ ପଡ଼ିଥାନ୍ତା କି ପଛକୁ ? କିଛି ତ କଲ ନାଇଁ । ଏଇଥେରେ ବୁଢ଼ାର ଅଭିମାନ ଯେ କହିଲେ ନସରେ । ହେଇ ନିଅ ଚିଠି–ବୁଢ଼ା କ’ଣ ନେଖିଚି !”

 

ବିଭୁପ୍ରସାଦ ହାତକୁ ସେଇ ଝାପ୍‍ସା ଆଲୁଅରେ ତା’ର ବାପାଙ୍କର ଚିଠିଟିକୁ ବଢ଼େଇ ଦେଇ ବାସୁଦେବ ଗପି ଚାଲିଲା–

 

‘‘ଭାରି ଅଭିମାନରେ ବୁଢ଼ା ନେଖିଚି–ତେମେ ସବୁ ଥାଉଁଥାଉଁ ଏମାନେ ମେତେ ତଡ଼ି ଦେବେ ? ଦୁନିଆଯାକର ନୋକେ ଏକେଷ୍ଟେନ୍‍ସନ ପାଉଚନ୍ତି ଚାକିରିରେ–ମୋର କ’ଣ ହେଇ ଯାଇଚିକି ? ମୁଁ କ’ଣ ବୁଢ଼ା ହେଇ ଗଲିଣିକି ?’......କିହୋ ! ବୁଢ଼ା ଆଉ କହନ୍ତି କାହାକୁ ?”

 

ଭବାନୀପ୍ରସାଦଙ୍କର ଅନୁକରଣରେ ତା’ର ନିଜ ଆଁକୁ ସେଇ ଝାପ୍‍ସା ଆଲୁଅରେ ବିଭୁପ୍ରସାଦ ଆଗରେ ଖୋଲି ଦେଇ ଏକରକମ ଉତ୍ତେଜିତ ନାଟକୀୟ ଭଙ୍ଗିରେ କହିଉଠିଲା ବାସୁଦେବ–

 

“ବୁଢ଼ାର ଦାନ୍ତଗୁଡ଼ିକ ପଡ଼ିନାଇଁ, ହଁ । କିନ୍ତୁ ଆହେ ! ବୁଢ଼ାପଣିଆ କ’ଣ ଆଜିକାଲି ଦାନ୍ତରେ ଅଛି ନା ମୁଣ୍ଡବାଳରେ ଅଛି ? ଗୀତାରେ ଭଗବାନ କହି ନଥିଲେ ଅର୍ଜୁନକୁ–ଅର୍ଜୁନ ! ସବୁ କରୁଥିବୁ, ହେଲେ ‘ମୁଁ’କାର ନକରିବୁ । ଆରେ ‘ମୁଁ’ କିଏ ? ହେଇ ଦେଖ ଏ ଆଁ ଭିତରକୁ । ଏଠେଇ ନାଙ୍ଗୁଡ଼ା ପୋକଟିଏ ଯିଏ, ବାପ, ତୋ ଭଳିଆ ପାଠୁଆ, ଶାଠୁଆ ବୀର ପୁଙ୍ଗବବି ସିଏ । ଏଠେଇଁ ପାତରଅନ୍ତର ନାଇଁ । ବାପ, ସବୁକଥା ଏ ସଂସାରରେ ମୁଁ କରଉଥାଏ । ତୁ ଯେବେକ ଭାବିଥାଉ ଯେ ତୁ ଏକା ବଡ଼–ତୁ କାହାରି ପାଦତଳକୁ ହୁତା ହବୁନାଇଁ–କାହାକୁ ଦିପଇସା ଘୁସ୍ ନଦେଇ, କାହାରିକୁ ବାପଲୋ ଧନଲୋ ନକହି କାମଟାଏ ଏ ଯୁଗରେ କରେଇ ନେଇପାରିବୁ ବୋଲି–ତେବେ ବସିଥା ବାପ ତୋ ଘରେ ତୁ–ତୋ ଗାନ୍ଧୀପାଣିଆ ତୋଠିଁ ଥାଉଁ !”

 

ତା’ପରେ ଆହୁରି ଅନେକ କଥା ଏଣୁତେଣୁ ଗପି ବାସୁଦେବ ଶେଷରେ ବିଭୁପ୍ରସାଦର ବେକଷଣ୍ଡା ଉପରେ ଗୋଟିଏ ଦାଉଁଆ ପଞ୍ଝା ସସ୍ନେହରେ ଚାପିଆଣି, ତା’ର କାନରେ ଆସ୍ତେକରି କହିଲା–

 

ଶୁଣ ! ଗୋଟିଏ କାମ କର । ବୁଢ଼ାକୁ ବଞ୍ଚେଇବାର ଇଚ୍ଛା ଅଛିତ ଅଇଛିକା କୋଉଠୁ ନଗଦ ଅନ୍ତତ ପକ୍ଷେ, ଟଙ୍କା ପାଆଁଶ ଅତି କମ୍‍ରେ ଯୋଗାଡ଼ କରିବାକୁ ପଡ଼ିବ । ତମେ ତ ଜାଣ ସେ ଚାକିରି ଚାକିରି ନୁହେଁ ଯେ ବୁଢ଼ାର ପ୍ରାଣ । କାଲି ଛାଡ଼ି ପଅରଦିନ ଏଠଉଁ ଯାଉଚି ବୁଢ଼ାର ରିଟାୟାର ଅଡ଼ର୍ ! ମୁଁ ସେ ଖବର ରଖିଚି । ହେଲେ ଏଇଲେବି ଟାଇମ୍ ଅଛି । ଟିକିଏ ବାଗ କଲେ ବୁଢ଼ାର ଚାକିରିଟା ରହିଯିବ । ବର୍ଷେ କ’ଣ ? ଅଇଛିକା ମଉକା ଅଛି । ପାଞ୍ଚବର୍ଷ କହିଲେ ବଢ଼େଇ ଦେଇହବ ବୁଢ଼ାର ପରମାୟୁ । ତୁମେ ଟିକିଏ ଲାଗିପଡ଼ି ବାପ । ଏତିକିବେଳେ ପୁଅପଣିଆ କରିଥିବୁତ ବାପର ସେବା କଲୁ ବୋଲି ଜଣାପଡ଼ିବ ।”

 

ଚମକି ଉଠିଲା ବିଭୁପ୍ରସାଦ । ପାଞ୍ଚଶହ ଟଙ୍କା ? ପୁଣି ଠିକ୍ ପାଞ୍ଚଶହ ଟଙ୍କା ? କାନ୍ଥକଡ଼କୁ ଲାଗି କଣ୍ଟ୍ରାକ୍ଟର ଘର ଦୁଆରି ଆମ୍ବଗଛର ଛାଇଟା ଲେସି ହେଇଯାଇଥାଏ ଆହୁରି ଟିକିଏ ବହଳ ହୋଇ । ବାସୁଦେବର ମୁହଁଟା ସେଇ ଅନ୍ଧାର ଭିତରେ ଶୂନ୍ୟରୁ ଖସି ପଡ଼ିଥାଏ ସତେ ଯେପରି । ବିଭୁପ୍ରସାଦର ମନକୁ ବିଡ଼ିବାପାଇଁ ମୁରୁକେଇ ମୁରୁକେଇ ହସୁଥାଏ ସେ ମୁହଁ ସେତେବେଳେ ।

 

ବିଭୁପ୍ରସାଦକୁ ମଉନ ହୋଇ ବସିଥିବା ଦେଖି ବାସୁଦେବ ଟିକିଏ ବିରକ୍ତ ହୋଇ ଉଠିଲା ଭଳି ସ୍ଵର ଉଚ୍ଚ କରି କହିଲା–

 

“ଉଠ ଛୁଆବାବୁ ! ବସିଲ କ’ଣ ? ଏଇ ରାତାରାତି ଯାଇ କୋଉଠୁ ହେଲେ ଟଙ୍କା ଯୋଗାଡ଼ କର । ମଝିରେ କାଲି ହଉଚି ଗୋଟାଏ ଦିନ । ପଅରଦିନକୁ ଅଡ଼ର୍ ଯିବ । ବାପାଙ୍କ ଚିଠିଟା ହାତରେ ଧରିଚ ଯେ ! ଟିକିଏ ଖୋଲି କରି ପଢ଼ ! ବୁଢ଼ାସିନା ମନକଥା ଖୋଲି କରି ନେଖିନାଇଁ, ହେଲେ ତା’ର ଇଚ୍ଛା ତୁମେ ଟିକିଏ ଚେଷ୍ଟା କର ତା’ପାଇଁ......”

 

“ମୁଁ କି ଚେଷ୍ଟା କରିବି ? ମୋ ହାତରେ ଅଛି କ’ଣ ?....” ହଠାତ୍ କୌଣସି ଦୋଷରେ କେହି ତାକୁ ଦୋଷୀ ସାବ୍ୟସ୍ତ କଲାଭଳି ମନେକରିପାରି ବିଭୁପ୍ରସାଦ ଆତ୍ମରକ୍ଷା କରିବା ସ୍ଵରରେ କହି ଉଠିଲା ।

 

“କ’ଣ କହିଲ ? ତୁମ ହାତରେ କ’ଣ ଅଛି ?” ହୋଟେଲ ମାଲିକ ବାସୁଦେବ ଟିକିଏ ଛେପ ଢୋକିଲା । ତା’ପରେ କ’ଣ ଭାବି ଟିକିଏ ବାଁରେଇ ହେଲାଭଳି ଏଣିକିତେଣିକି ଚାହିଁ ଶେଷରେ ସେ ଏକରକମ ଆକ୍ରମଣ କଲାଭଳି କହିଲା–

 

“ତେମେପରା ପାଠଶାଠ ପଢ଼ିଚ ଛୁଆବାବୁ ! ହଇଓ ସେ ପରା ଜନମ କଲା ବାପ ! ଏତେ କଷ୍ଟ କରି ସେ ତମକୁ ମଣିଷ କଲା । ତେମେ ଏବେ କୋଉ ଜନମରେ ତା’ର ଶୁଝିବ ? ଆହେ ଆଜିକାଲି ଆଉ ସେ ଯୁଗ ନାଇଁ ଯେ ବାପ ବାଧିକା ପଡ଼ିବ–ପୁଅ ବୋହୂ ଘସା ଆଉଁଷା କରି ବାପର ଋଣ ଶୁଝିବେ । ଏକେତ ରୋଗବଇରାଗକୁ ତେମେ ସବୁ ପଢ଼ୁଆ ପିଲାଏ ମୂଳରୁ ମାଇଲ । କୋଉ ଅକାଳେ ସକାଳେ ରୋଗ ହବନା ତୁମେ ପିଲାଏ ସେବା କରିବ । ପୁଣି ଯାହାବା କୋଉ ରୋଗ ହବ ସେ ରୋଗତ ଆଉ ତୁମ ଅକ୍ତିଆରରେ ନଥବ । ସେ ରୋଗ ଆସିବ ଏକାତାନେ ମୂଳରୁ ନବାପାଇଁ । ସେ ରୋଗପେଇଁ ତୁମେ ଆମେ ତ ଆଉ ସାହାଭରସା ହେବାନାଇଁ । ହେଲେ ହେବେ ବଡ଼ ଡାକ୍ତରଖାନାର ସେଇ ଡାକତର ନର୍ସମାନେ । କିନ୍ତୁ ସେମାନେବି ସାହା ହେବେ ନାଇ ଛୁଆବାବୁ । ଏ ଯୋଉ ଯୁଗ ହେଲା ସେଥିରେ କିଏ କାହାର ? ଏ ହାତରେ ଟଙ୍କାତ ସେ ହାତରେ ଓଷଧ, ସେ ମୁହଁରେ ପଦେ ମିଠା କଥା ।”

 

“ମୋ ସାନକୁହା ମାନ । ଗୋଟିଏ କାମ କର । ମତେ ଟଙ୍କା ପାଆଁଶଟା କୋଉଠୁ ହେଲେ ଆଣି କାଲି ସକାଳକୁ ଦିଅ । ଏଥେରେ ଦୁଇ କାମ ହବ । ତୁମର ବାପାଙ୍କର ଉପକାର ଆଉ ମୋର ଉପକାର ।”

 

ବାସୁଦେବ ଟିକିଏ ଅଟକି ଗଲା । ତା’ପରେ ଶେଷରେ ସେ ସ୍ଵୀକାର କଲା–

 

“ଶୁଣ ଛୁଆବାବୁ ! ମୁଁ ଗୋଟାଏ ଅକଳିଆରେ ଏଇଲେ ପଡ଼ି ଯାଇଚି । ତେମେ ତ ଜାଣ ଏ ଯେଉଁ ଭୋଟ୍ ଅଇଛିକା ଆସୁଚି ଏ ଭୋଟ୍ ନୁହେଁ ଯେ କହିଲାଭଳି ଜିଜିଆ କର । ହେଇ ଚାହିଁଲ ବାବୁ–ଏବା କିବା ହୋଟେଲ ଆମର ! ଏଥକୁ ୟା ଉପରେ ବଇଚି ଚାନ୍ଦା ଟଙ୍କା ହଜାରେ । କାଲି ସନ୍ଧ୍ୟାକୁ କଣ୍ଟ ଗଡ଼େଇ ଗଡ଼େଇ ଆଇଲି । ଆଉ ହେଲା ନାଇଁ । ଆଜି କି ଯାଇଚି କାଲି ସନ୍ଧ୍ୟାକୁ ନଦେଲେ ସେଲ୍‍ଟିକସ, ଇନ୍‍କମ୍‍ଟିକସ ଆଉ ହେଲ୍‍ଥ୍‍ବାଲାଙ୍କୁ ପୂରେଇ ଦବ ଦୋକାନ ଭିତରେ । ଏଇବେଳେ ଛୁଆବାବୁ ଟିକିଏ ସାହାଯ୍ୟ ହୁଅ । କୌଣସିମତେ ମୁଁ ଏଥିରୁ ଉଧୁରି ଯାଏଁ । ଆଉ ଟିକିଏ ଭାବି ଦେଖ । ମୁଁ ଉଧୁରିବା ମାନେ ତେମେବି ଉଧୁରିବ–ତମ ବାପବି ଉଧୁରିବେ । କେମିତି ଶୁଣିବ ?”

 

ବାସୁଦେବ ଲୋକଟା ଖୁବ୍ ବୁଦ୍ଧିଆ । ଏହିପରି ଲୋକଗୁଡ଼ାଙ୍କର ସାଧାରଣ ଜ୍ଞାନ ଏତେ ପ୍ରଖର ଯେ, ବେଳେବେଳେ ସେମାନେ ଖୁବ୍ ଗହିରିଆ ତଥ୍ୟମାନଙ୍କୁ ମଧ୍ୟ କଥା ଲହସରେ ଛୁଇଁପାରନ୍ତି । ବିଭୁପ୍ରସାଦ ପାଖକୁ ଲାଗିଆସି ବାସୁଦେବ ଆହୁରି ଚୁପ୍‍ଚୁପ୍ କରି କହିଲା–

 

“ଏଇ ଯୋଉ ଆଲୁଅଟିକକ ଏଠେଇଁ ପଡ଼ିଚି ଛୁଆବାବୁ ଏ ଆଲୁଅ କୋଉଠୁ ଆଉଚି କହିଲ ? ଏ କ’ଣ ମାଗଣା ଆଉଚି ଏଇ ବାହାଗିଳା କଣ୍ଟ୍ରାକ୍ଟରର ଶୋଇଲା ଘରୁ ତେମେ ଭାବିଚ ? ଏ ଆଲୁଅ ଏଠେଇଁ ପଡ଼ିଚି କାଇଁକିନା ତୁମେ ଆମେ ଏଇ ଆଲୁଅରେ ମୁହଁ ଚାହାଁଚୁହିଁ ହେଇ କଥାଭାଷା ହେବା । ସେ ମୁହଁ ଚାହାଁଚାହିଁରୁ ଜନମିବ ତୁମ ଆମ ଭିତରେ ଭାବଦୋସ୍ତି । ସେ ଭାବଦୋସ୍ତି ପୁଣି ନିରର୍ଥକ ନୁହେଁ ଛୁଆବାବୁ ! ତୁମ ସହିତ ଭାବଦୋସ୍ତି ହେଲେ ତମେ ମତେ ସାହା ହବ । ମତେ ତୁମେ ସାହା ହେଲେ ମୁଁ ସାହା ହେବି ଭୋଟ ପ୍ରାର୍ଥୀଙ୍କି ! ତେମେ ଜାଣିଚ ନା ଆମର ଏଠଉଁ କିଏ ଭୋଟପାଇଁ ଠିଆ ହଉଚି ? ସେ କଥା ବଳେ ଜାଣିବ ଯେ ! ହେଲେ ଏତିକି ମନେ ରଖିଥାଅ–ମୁଁ ଯଦି ତାଙ୍କ ଫଣ୍ଡକୁ ଚାନ୍ଦା ଦିଏ ତେବେ ମୋ ଦୋକାନକୁ ଟିକସବାଲାଏ ହୁତା ହେବେ ନାହିଁ; ପୁଣି ମୋ ଦୋକାନକୁ ନଆସି ଟିକସବାଲାଏ ଯିବେ କୁଆଡ଼େ ଜାଣିଚ ? ସେମାନେ ଯିବେ ତମରି ଭଳି ଆଉ ତମରି ବାପାଙ୍କ ଭଳି ପାଠୁଆ, ଅଳସୁଆ, ଆଉ ମାଈମୁହାଁ ଓ ବୁଦ୍ଧିଆ ଚାକିରିଆ ଲୋକଙ୍କ ପାଖକୁ । ଏଇମାନଙ୍କୁ ଯେତେବେଳେ ଭଲକରି ଶୋଷାହବ ସେତେବେଳେ ଯାଇଁ ଅସଲ ରସ ବାହାରିବ । ତମମାନଙ୍କ ଦିହରେ ଚେତା ପଶିବା । ଚେତା ପଶିଲେ ଯାଇଁ ତମେ ଆଖି ଫିଟେଇ ଚାହିଁବ–ଦେଖିବ ଦେଶଟାକୁ ନେଇ ତେମେ ପଞ୍ଝାକ କୋଉଠି ରଖିଲଣି । ସେତେବେଳେ ଯାଇ ହୁଲସ୍ତୁଲ ପଡ଼ିବ ଦେଶରେ । ସେତେବେଳେ ଯାଇ ଏ ଦେଶ ବୁଝିବ ଏ ଆଲୁଅ ଯୋଉ ଘରୁ ଅଇଛିକା ଆଉଚି, ସେ ଘରେ ଅଇଛିକା କେଉଁ କେଉଁ ଗୁପତ ଷଡ଼ଯନ୍ତ୍ର ଖଞ୍ଜା ଯାଉଚି । ଦିନ ପନ୍ଦରଟା ବସିଯାଇ ଚୁପ୍‍କିନା ଦେଖିବ ଏଇ ଘରହବ ଦେଶର କେନ୍ଦ୍ର ଘର–ମୁଁ ଆଗତ ଭବିଷ୍ୟ କହୁଚି ! ତେମେ ଯୋଉ ଟଙ୍କା ପାଆଁଶ ଦବ ଛୁଆବାବୁ, ସେ ଟଙ୍କା ଏଇ ଘରକୁ ଯିବ ଏଇ ଆଲୁଅ ସୁଡ଼ଙ୍ଗ ସଳଖେ । ପଅରଦିନ ସକାଳକୁ ତମ ବାପାଙ୍କର ଫାଶୀ ଆଦେଶ ବନ୍ଦ ଅଡ଼ର୍ ଜାଣ ପେଶ୍ ହବ ଏଇ ଘରୁ ! ଏତେ ଅର୍ଥ ଅଛି ଏଇ ଆଲୁଅ ଟିକକରେ । ମୁଁ ଯାଉଚି । ରାତି ବହୁତ ହେଲାଣି । କାଲି ସକାଳକୁ ପାଆଁଶ ବହିରେ ଯୋଉ ଟଙ୍କା ପାଆଁଶ ରଖିଚ ତାକୁ କାଢ଼ିଆଣି ସିଧାସଳଖେ ମୋ ଦୋକାନରେ ଦେଇ ଆସିବ । ମତେ କିଛି କଥା ଲୁଚାନାଇଁ ଛୁଆବାବୁ ! ମୁଁ ଭଲକରି ଜାଣେ ! ତୁମେ ମୋର ଲାଗୁଆ ଗରାଖ । ତୁମର କୋଉଠି କ’ଣ ଟଙ୍କା ଜମା ଅଛି ମତେ ଜଣାନାହିଁ ?”

 

ବାସୁଦେବ ଉଠି ପଡ଼ିଲା ଓ ଯୋଉ ସତର୍କତାର ସହିତ ସେ ଆସିଥିଲା, ସେଇ ସତର୍କତାର ସହିତ ସେ ପୁଣି ଅନ୍ଧାରରେ ମିଶିଗଲା । ସେ ଆସିଥିଲା ଓ ଚାଲିଗଲା । କିନ୍ତୁ ପଛରେ ଛାଡ଼ିଗଲା ସେ ବିଭୁପ୍ରସାଦର ହାତମୁଠା ଭିତରେ ଏକ ଅଦ୍ଭୁତ ଅନୁଭୂତି । ବାପାଙ୍କର ଚିଠିଟାକୁ ହାତମୁଠା ଭିତରେ ଆହୁରି ଜୋର୍ ଚାପିଧରି ଜଡ଼ ଭଳି ବସିରହିଲା ସାରା ରାତି ବିଭୁପ୍ରସାଦ ।

 

ତା’ ପାଖ ଘରେ ସୁକୁମାରୀର ନିଃଶ୍ୱାସର ଇଙ୍ଗିତ ଆଉ ସନ୍ଧ୍ୟାବେଳ ଭଳି ତାକୁ ଅସ୍ଥିର କରୁ ନଥିଲା । ତା’ର ସେତେବେଳେ ଏକମାତ୍ର ଲକ୍ଷ୍ୟଥିଲା, କିପରି ସକାଳ ହେଲେ ସେ ଟଙ୍କା ପାଞ୍ଚଶହ କେଉଁଠାରୁ ଯୋଗାଡ଼ କରିବ ଓ ଏକ ସୁପୁତ୍ରପରି ସେ ପିତୃସତ୍ୟ ପାଳନ କରିବାକୁ ସମର୍ଥ ହେବ ।

 

ନିର୍ବାଚନ ପ୍ରଚାରର ଧୂଳା ଉଡ଼ିବାକୁ ଆରମ୍ଭ କରିଥାଏ–ବେଶ୍ ଜୋର୍‍ସୋର୍ । ଦେଶର ପୁର, ପଲ୍ଲୀ ଅନ୍ଦିକନ୍ଦି ଖେଦିବାକୁ ଆରମ୍ଭ କରିଥାନ୍ତି ପ୍ରଚାରକଗଣ । ମାଡ଼ି ଚାଲିଥାନ୍ତି ସେମାନେ ଅସଂଖ୍ୟ ଧୂର୍ଜଟି, ଧୂମକେତୁ, ଧୂପଛାୟା....ସବୁ ଆଡ଼େ କେବଳ ସେଇ ଏକପ୍ରକାର ଶବ୍ଦ ଧୁମ୍ ଧୁମ୍, ଧୁସ୍ ଧୁସ୍, ଧପ୍‍ଧପ୍, ଧୋ ଧୋ ।

 

ଖବରକାଗଜରେ ଥାଏ ଅଖବର ବହୁତ । ଆଉ ସେ ଅଖବରଗୁଡ଼ିକ ପ୍ରାୟ ଏହିପରି :

 

“ଚଳନ୍ତା ଟ୍ରେନ୍‍ରେ ହତ୍ୟାକାଣ୍ଡ–ହତ୍ୟାକାରୀର ପତ୍ତା ମିଳୁ ନାହିଁ–ମୃତ ବ୍ୟକ୍ତି ପଣ୍ଡିତ (–) ଜଣେ ଜ୍ଞାନୀ ଓ ନିଷ୍ଠାପର ବ୍ୟବସ୍ଥାପକଭାବେ ସୁପରିଚିତର–ଶୁଣାଯାଏ ସଂପ୍ରତି ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ....”

 

କିମ୍ବା–

 

“ଚାରିମୁଣ୍ଡିଆ ମଣିଷ ଛୁଆର ଅଦ୍ଭୁତ କୃତି–ଶୁଣାଯାଏ ଶିଶୁଟି ଜନ୍ମ ହେବାମାତ୍ରେ ଉଠି ବସିଲା । ଏହି ଶିଶୁଟିକୁ ଦେଖିବାପାଇଁ ଅପୂର୍ବ ଜନସମାଗମ ହେଲା । ଅଭିଯୋଗ ହୁଏ ଏହି ଜନସମାଗମର ସୁଯୋଗ ନେଇ ସେହି ସ୍ଥାନରେ ଭୋଟ ପ୍ରଚାର କରାହେବାକୁ ସମବେତ ହୋଇଥିବା କେତେକ ସାଧୁ ଓ ସାଧାରଣଙ୍କ ଭିତରେ ଭୟଙ୍କର ମାଡ଼ ପିଟାପିଟି ଲାଗିଗଲା...”

 

କିନ୍ତୁ ସେଦିନ ସକାଳୁ ଏକ ଚମତ୍କାର ସମ୍ବାଦ ଖବରକାଗଜମାନଙ୍କରେ ପ୍ରକାଶିତ ହୋଇଥିବାରୁ ସାରା ସହରର ଜିଭ ଖଲଖଲ ହଉଥାଏ । ସେଗୁଡ଼ିକ ଥାଏ ମଝିବରଡ଼ାର କାଳ । ପୁରୁଣା ବରଡ଼ା ଖସୁଥାଏ । ନୂଆ ହସୁଥାଏ । ଚରୁର୍ଦ୍ଦିଗ ହୁଲସ୍ତୁଲ । ବଡ଼ବଡ଼ ପାହ୍ୟାର ଦୁଇ ଚାରିଜଣ ଅଫିସରଙ୍କର ସସ୍‍ପେଣ୍ଡ ଆଦେଶ ବାହାରି ପଡ଼ିଥିବାରୁ ନିର୍ବାଚନର ଆଲୋଚନାକୁ ଯୋଗଉଥାଏ ଆହୁରି ଖୋରାକ । ତେବେ ତା’ ସାଙ୍ଗକୁ ମିଶିଥାଏ ଆଉ ଏକ ଜନରବ । କୁଆଡ଼େ ଏଥିମଧ୍ୟରେ ଖୋଦ୍ ମନମୋହନର ବାପାଙ୍କର ସସ୍‍ପେନ୍‍ସନ୍ ପାଇଁ ସବୁ ରକମର କାଗଜ ପ୍ରସ୍ତୁତ ହୋଇ ସାରିଥାଏ । ଖାଲି ମୁଖ୍ୟକର୍ତ୍ତା ତାଙ୍କ ଗସ୍ତରୁ ଫେରିଆସି ଦସ୍ତଖତ ମାଇଲେ ହେଲା ।

 

ଉକ୍ତ ସକାଳେ ନଟବର ବସାକୁ ଫେରିବା ପୂର୍ବରୁ ଏକ ମୁହାଁ ହେଇ ବିଭୁପ୍ରସାଦ ଟଙ୍କା ଯୋଗାଡ଼ରେ ସହରର ମୁଖ୍ୟରାସ୍ତା ଆଡ଼କୁ ବାହାରି ଯାଉଥାଏ । ଏହି ସମୟରେ ତା’ ଆଖି ଆଗରେ ଏକ ବିଚିତ୍ର ଘଟଣା ଘଟିଯିବାରୁ ସେ ଥକ୍କାମରା ହେଇ ଟିକିଏବେଳ ଅଟକି ଯାଇଥିଲା । ଏତିକିବେଳେ ଅବଶ୍ୟ ସେ ସେଇ ସମ୍ବାଦଟି ପାଇଲା । ତେଣୁ ସମ୍ବାଦଟିକୁ ଯଥା ଆଗ୍ରହରେ ସେ ଗ୍ରହଣ କରିପାରି ନଥାଏ ସେ । ପୂର୍ବର ଘଟଣାଟି ହେଲା ଏହିପରି–

 

ଶେଯରୁ ଉଠିଲାବେଳେ ବିଭୁପ୍ରସାଦ ଏକପ୍ରକାର ଅବାକ୍ ଅବସ୍ଥାରେ ଥାଏ । ତା’ର ମାନସିକ ଦ୍ୱନ୍ଦ୍ୱ, ଏକ ଆଶୁ ବିଭାଜନମୁଖୀ ପ୍ରୋଟପ୍ଲାଜମୀୟ ଜୀବକୋଷର ଚୂଡ଼ାନ୍ତ ଅବସ୍ଥାରେ ଆସି ପ୍ରାୟ ପହଞ୍ଚି ସାରିଥାଏ । ରାତିସାରା ସେଇ ବିଚିତ୍ର ଟଣାଓଟରା ଭିତରେ ସେ ଏକପ୍ରକାର ସ୍ଵପ୍ନାଭିଭୂତ ଅବସ୍ଥାରେ ଥାଏ । ସେହି ଅବସ୍ଥାରେ ଥିବା ଯେକୌଣସି ଯୁବକ ପକ୍ଷରେ ଗତ ରାତିଟି ବୋଧହୁଏ ଏକ ଘଟଣା ବହୁଳତାର ସାଂଘାତିକ ପରିଣତରେ ପରିଣତ ହୋଇ ସାରିଥାନ୍ତା । ଏବଂ, ନିରାଟ ସତ କହିବାକୁ ଗଲେ ବିଭୁପ୍ରସାଦର ମନ ଭିତରେ ଥରେଅଧେ ମଧ୍ୟ ସେ ଦୁଶ୍ଚିନ୍ତାଟା ଯେ ଉଙ୍କି ମାରି ନଥିଲା ତା’ ନୁହେଁ । କାରଣ ଏକ ସଚେତ ମସ୍ତିଷ୍କ ହିସାବରେ ବିଭୁପ୍ରସାଦର ମନର ଉପର ସ୍ତରଟା ତା’ର ଏତେ ଦିନର ପରିଚିତ ‘ନୀରବ ନିଳୟ’ ବସା ଘରଟିର ପ୍ରତ୍ୟେକଟି ଦୁର୍ବଳ ବିନ୍ଦୁଗୁଡ଼ିକ ସମ୍ବନ୍ଧରେ ବେଶ୍ ଅବଗତ ଥିଲା । କିନ୍ତୁ ନା । ସେଇ ରାତିରେ ତା’ର ଦାୟିତ୍ଵରେ ଥିବା ସେଇ ଅସହାୟା ଓ ଏକପ୍ରକାର ମୌନସମ୍ମତ ଅବସ୍ଥାରେ ଅପେକ୍ଷମାଣା ଝିଅଟି ଅପେକ୍ଷା ବିଭୁପ୍ରସାଦର ମନ ଭିତରର ଦ୍ୱନ୍ଦ୍ୱଟି ଥିଲା ଭିନ୍ନ ରକମର ।

 

ବାପାଙ୍କର ଚିଠିଟିକୁ ହାତମୁଠା ଭିତରେ ଚାପିଧରି ବିଭୁପ୍ରସାଦ ଯେତେବେଳେ ଗୁମ୍‍ମାରି ବସି ପଡ଼ିଥାଏ ତା’ର ‘ନୀରବ ନିଳୟ’ ବସାଘରର ଅନ୍ଧାରିଆ ବାରଣ୍ଡାର ଗୋଟିଏ କଣରେ, ସେତେବେଳେ ତା’ ମନରେ ଏକ ଅଦ୍ଭୁତ ପ୍ରତିକ୍ରିୟା କାର୍ଯ୍ୟ କରୁଥାଏ । ପାଖ କଣ୍ଟ୍ରାକ୍ଟର ଘରୁ ଆଲୁଅ ଧାରଟି ବହୁତ ରାତି ପର୍ଯ୍ୟନ୍ତ ବାରଣ୍ଡାର ସେଇ କଣଟିକୁ ଆଲୋକିତ କରୁଥାଏ । ବିଭୁପ୍ରସାଦର କାନରେ ହୋଟେଲ ମାଲିକ ବାସୁଦେବର ଶେଷ କଥା ପଦଟା ବାରମ୍ବାର ଆସି ବାଜୁଥାଏ–

 

“ଯାଅ ଛୁଆବାବୁ ! ଏଇ ରାତାରାତି କୋଉଠୁ ଟଙ୍କା ପାଆଁଶ ଘିନି ଆସ–ଉଧାର କରି କି ଚୋରି କରି । ଯେତେହେଲେ ବାପ ସେ । ତା’ର ମାନମହତ ରଖିବା ପୁଅର କର୍ତ୍ତବ୍ୟ ।”

 

ରାତିସାରା କେବଳ ସେଇ ବାକ୍ୟଟିକୁହିଁ ବିଭୁପ୍ରସାଦ ପରୀକ୍ଷା କରୁଥିଲା–ବିଭିନ୍ନ ଦୃଷ୍ଟିକୋଣରୁ–ଠିକ୍ ଗୋଟିଏ ‘ଫାଲାସି–ବିବ୍ରତ’ ଲଜିକ୍ ଛାତ୍ର ଭଳି ।

 

ପ୍ରଥମେ ପ୍ରଥମେ ନିହାତି ଗତାନୁଗତିକଭାବେ ସେ ଆରମ୍ଭ କରିଥିଲା ତା’ର ଅନ୍ତଯୁର୍ଦ୍ଧରେ ବ୍ୟବହୃତ ହେଉଥିବା ଯୁକ୍ତିତର୍କଗୁଡ଼ିକୁ । କଣ୍ଟ୍ରାକ୍ଟର ଘରର ଆଲୁଅକୁ କେମିତି ଏକ ମୁମୂର୍ଷୁ ଅବସ୍ଥାରେ ଅନାଇ ସେ ପ୍ରଥମେ ପ୍ରଥମେ ଭାବି ଚାଲିଥିଲା–ନିହାତି ଗୁଡ଼ାଏ ଅବାନ୍ତର କଥା-। ସେ ଭାବୁଥିଲା, ମନେକର ସେଇ ଆଲୁଅ ଆସୁଥିବା ଛିଦ୍ର ପଥରେ କୌଣସି ପ୍ରକାରେ ସେ ଯଦି ପଶିଯାଇ ପାରନ୍ତା ଏଇ ରାତିରେ–ସେଇ ନିବୁଜ, ଗୁର୍ଖା ଆଉ ଆଲ୍‍ସିସିଆନ୍‍ମାନଙ୍କର ନିରାପତ୍ତା ଉପଭୋଗ କରୁଥିବା, କଣ୍ଟ୍ରାକ୍ଟରର ଶୋଇଲା ଘର ଭିତରକୁ ! ପାଞ୍ଚଶହ ଟଙ୍କା ! ହଁ, ଠିକ୍ ଗଣିଗାଣି ଟଙ୍କା ପାଞ୍ଚଶହଟି ଯଦି ସେ ଉଠାଇ ଆଣିପାରନ୍ତା– ! ନା, ନା–ୟାକୁତ ଚୋରି ବୋଲି କୁହାଯାନ୍ତା ନାହିଁ ! କାରଣ ସକାଳକୁ ସମୁଦ୍ରର ପାଣି ସମୁଦ୍ରକୁ ଫେରିଗଲା ପରି ହୁଏତ ସେ ଟଙ୍କା ପୁଣି ଫେରିଯାଇପାରନ୍ତା କଣ୍ଟ୍ରାକ୍ଟରର ତହବିଲକୁ–ନିର୍ବାଚନ ପାଣ୍ଠିକୁ ! ତେବେ ଏତିକି ମାତ୍ର ତଫାତ୍ ରହିଥାନ୍ତା ମଝିରେ । ସମୁଦ୍ର ତା’ ନିଜର ପାଣି ଫେରାଇ ନେବା ଭିତରେ ହୁଏତ ଗୋଟିଏ ଝରଣା ଓ ସେଇ ଝରଣାର କ୍ରମପ୍ରହାରରେ ସୃଷ୍ଟି ହୋଇଥିବା ନଈଟି–ତା’ ବାପାଙ୍କ ଚାକିରିଟି ଓ ସେଥିସହିତ ତା’ର ପୃଷ୍ଠପୋଷକ ହୋଟେଲ ମାଲିକ ବାସୁଦେବର ଦୋକାନଟି–ହୁଏତ ପରିପୁଷ୍ଟ ହୋଇ ଉଠନ୍ତେ ଆଉ କେତୋଟି ମୁହୂର୍ତ୍ତ । ଏହାକୁ କ’ଣ ଚୋରି କୁହାଯାଏ ?

 

କିନ୍ତୁ ସତୃଷ୍ଣ ନୟନରେ କିଛିକାଳ କଣ୍ଟ୍ରାକ୍ଟର ଘରର ସେଇ ଆଲୁଅ ଧାରଟିକୁ ଅନାଉ ଅନାଉ କାହିଁକି କେଜାଣି ବିଭୁପ୍ରସାଦର ଦିହଟା ଏକରକମ ଥରିବାକୁ ଆରମ୍ଭ କରୁଥାଏ । ଠିକ୍ ପୂର୍ବ ମୁହୂର୍ତ୍ତର ସେଇ ମୁମୂର୍ଷୁ ଇଚ୍ଛାଟା ସତେ ଯେପରି ଏକ ନିରାଟ ବାସ୍ତବତାରେ ପରିଣତ ହୋଇ ସାରିଥାଏ । ତା’ର ମନେ ହେଉଥାଏ ସତେ ଯେପରି ସେ ଏଥିମଧ୍ୟରେ କୌଣସି ପ୍ରକାରେ ସେଇ ଶୋଇବା ଘର ଭିତରକୁ ପଶି ସାରିଲାଣି । ଠିକ୍ ତା’ର ପିଲାଦିନେ ତାଙ୍କ ଗାଁର ଗୋଟିଏ ଝିଅପିଲା ସମ୍ବନ୍ଧରେ ଦିନରେ ଯେଉଁ ଅସମ୍ଭବ କଳ୍ପନାଟି ସେ ଥରେ କରିଥିଲା ସେଇଟିକୁ ରାତିରେ ଏକ ସ୍ଵପ୍ନାଭିଭୂତ ଅବସ୍ଥାରେ ପୁଣିଥରେ ଅନୁଭବ କରି ଯେପରି ସେ ଥରେ ବିଳିବିଳେଇ ଉଠି ତା’ର ବାପାଙ୍କୁ କୁଣ୍ଢେଇ ପକେଇ ଚିତ୍କାର କରିଥିଲା––ବାପା ! ବାପା ! ମୁଁ ଗୋଟାଏ ମାଛ ହେଇ ଯାଉଚି ବାପା ! ମତେ ରକ୍ଷାକର ! ମତେ ଅମୁକ ନାନୀ ଦଳି ପକଉଚି ବାପା.... ! ଠିକ୍ ସେଇଭଳି ଏକ ବିଚିତ୍ର ଅନୁଭୂତି ବିଭୁପ୍ରସାଦର ଅବଚେତନରୁ ଧୀରେ ଧୀରେ ବାହାରି ସତେ କି ତାକୁ କାବୁ କରି ପକାଉଥାଏ–ଏକ ପାଚିଲା ଫଳର ଛିଦ୍ର ଭିତରେ ଆତ୍ମଗୋପନ କରି ରହିଥିବା କୀଟରୂପୀ ତକ୍ଷକ ପରି !

 

ଦିହଟାକୁ ଥରେ ଭଲକରି ଝାଡ଼ି ହୋଇପଡ଼ି ବିଭୁପ୍ରସାଦ ଉଠି ବସିଲା ଏଥର । ସେଇ ବିଚିତ୍ର ଅନୁଭୂତିଟା ତାକୁ ଖୁବ୍ ବାସ୍ତବ ମନେ ହେଲା କାହିଁକି କେଜାଣି । କିନ୍ତୁ ପ୍ରକୃତରେ, ସେ ତା’ର ଅଭିଭୂତ ଅବସ୍ଥାରେ ସେଇ ବୀଭତ୍ସ ସ୍ଵପ୍ନଟାକୁଇ ଦେଖୁଥିଲା । ତା’ର ଶୈଶବର ସେଇ ବୀଭତ୍ସ, କୁତ୍ସିତ ଆଉ ଭୟଙ୍କର ଘଟଣାଟା ଯାହା ଆଜିକାଲି ଅନେକବେଳେ ଏକ ସ୍ଵପ୍ନ ଆକାରରେ ଅଚାନକ କାହିଁକି କେଜାଣି ଆସି ଯାଉଛି ବିଭୁପ୍ରସାଦର ଆଖିକୁ ।

 

ତା’ର ଶୈଶବର ସେଇ ଦୁଃସହ ଭୂତରୂପୀ ଘଟଣା ବରଂ ଘଟନାବଳି ହେଉଚି ଏହିପରି-। ଏ ଘଟଣାଗୁଡ଼ିକ ଏପରି ଗୋପନୀୟ ଯେ ଅନେକ ସମୟରେ ନିଜେ ବିଭୁପ୍ରସାଦ ମଧ୍ୟ ସେଗୁଡ଼ିକୁ ଚିହ୍ନିପାରେ ନାହିଁ–ଜୀବନରେ କେତେକେତେ ସମୟରେ ଓ କେଉଁ ସୁଯୋଗରେ ସେମାନେ ପୁନଃପୁନଃଭାବେ ଆତ୍ମପ୍ରକାଶ କରନ୍ତି ଓ ଠିକଣା ସମୟରେ ବିଭୁପ୍ରସାଦକୁ ଏକପ୍ରକାର ବଫୁନ୍ ବା ସର୍କସ୍‍ର ଜୋକର୍ କରି ବିଚ୍‍ରାସ୍ତା ଉପରକୁ ଠେଲିଦେଇ ପୁଣି ସେମାନେ ଆତ୍ମଗୋପନ କରନ୍ତି–ଚିହ୍ନିପାରେ ନାହିଁ ସେ ।

 

ସେତେବେଳେ ତୃତୀୟରୁ ଚତୁର୍ଥକୁ କ୍ଲାସ୍ ଉଠା ପରୀକ୍ଷା ସରିଯାଇଥାଏ ବିଭୁପ୍ରସାଦର । ଫଳ ବାହାରି ନଥାଏ । ସେତେବେଳେ ସେ ତା’ର ବାପାଙ୍କ ପାଖରେ ରହୁ ନଥାଏ । ତା’ର ବାପା ବାରମ୍ୱାର ଚିଠି ଲେଖୁଥାନ୍ତି–“ମୁଁ....ଆଶାକରେ ପରୀକ୍ଷାରେ ତୁ ପ୍ରଥମ ହେଇଥିବୁ.... ।”

 

ସେଦିନ ନିର୍ଜନ ଖରାବେଳେ ଗାଁମୁଣ୍ଡ ପୋଖରୀରେ ଗାଧୋଉଥାଏ ବିଭୁପ୍ରସାଦ । ତାଙ୍କ ଗାଁମୁଣ୍ଡ ଝଙ୍କା ବରଗଛ କୋରଡ଼ରେ ଗୋଟିଏ ପିତ୍ତଳଆଖିଆ ପୁରାତନ ଠାକୁରାଣୀ ମୂର୍ତ୍ତି ଥାଏ–ଏବେବି ଅଛି । କିନ୍ତୁ ଏବେ ଅନେକ ସମୟରେ ଗାଁକୁ ଗଲେ କାହିଁକି କେଜାଣି ସେ ମୂର୍ତ୍ତିଟିକୁ ଦେଖିଲେଇ ବିଭୁପ୍ରସାଦ ଶିହରି ଉଠେ–କୌଣସି ଜ୍ଞାତ ବା ଅଜ୍ଞାତ ଭୟରେ । କାହିଁକି କେଜାଣି ଠିକ୍ ସେତିକିବେଳେ ସେ ତା’ର ହାତଟାକୁ ଖୁବ୍ ମୁଠା ମୁଠା କରି ବହୁତ ସମୟପାଇଁ ଅନୁଭବ କରେ–ବିଶେଷତଃ ତା’ର ସେଇ ଆଙ୍ଗୁଠିଗୁଡ଼ାକୁ । ଠାକୁରାଣୀର ନାଲି ମୁଣ୍ଡଟା ଏବେ ଅନେକ ଛୋଟ ଦିଶେ । କାରଣ ପିଲାଦିନେ ସେ ଥରେ କ’ଣ ଗୋଟାଏ ଖିଆଲରେ ଏକ ଠେଙ୍ଗା ନେଇ ଠାକୁରାଣୀଟାର ସେଇ ଯୁଗଯୁଗର ପ୍ରସ୍ତ ପ୍ରସ୍ତ ବିଶ୍ୱାସର ସିନ୍ଦୂର ଲିପା ମୁଣ୍ଡଟାକୁ ପିଟି ପ୍ରାୟ ନିଶ୍ଚିହ୍ନ କରି ଦେଇଥିଲା । ସେଇଦିନଠୁଁ କୌଣସି ମଣିଷ, ପଶୁ ଅଥବା ପଥର ମୁଣ୍ଡାଟାଏ ଉପରେ ସିନ୍ଦୂର ଲିପା ହୋଇଥିବା ଦୃଶ୍ୟ ଦେଖିଦେଲାମାତ୍ରେ ବିଭୁପ୍ରସାଦର ହାତଟା ଥରିଉଠେ । ବାରମ୍ବାର ତା’ର ମନେପଡ଼େ ସେଇ ପଦଟା କଥା–

 

“ରହ ! ସେ ହାତରେ ଯଦି ବଡ଼ରୋଗ ଦିନେ ନ ହେଇଚି ତୋର !”

 

ତେବେ ସେଦିନ ଖରାବେଳେ ଘଟଣା ଏତେଦୂର ଯାଇ ନଥିଲା । ତୃତୀୟରୁ ଚତୁର୍ଥକୁ କ୍ଲାସ୍‍ଉଠା ପରୀକ୍ଷା ଦେଇସାରି ଉଦୁଉଦିଆ ଦିପହରେ ପୋଖରୀପାଣି ଚବଚବ କରୁଥିବା ନଙ୍ଗଳା ଛୁଆଟାର ବା କି ଯାଏଁ ସେଇ ପିତ୍ତଳଆଖିଆ ନାଲିମୁଣ୍ଡୀ ଠାକୁରାଣୀ ମୂର୍ତ୍ତିରୁ !

 

ନଙ୍ଗଳା ହୋଇ ପୋଖରୀ ତୁଠରେ ବସିଥାଏ ଶିଶୁ ବିଭୁପ୍ରସାଦ । ହଠାତ୍ ତା’ର ମନେ ହେଲା ସତେକି କିଏ ଜଣେ ଏକ ବିଭୋର ଆଖିରେ ଅନେଇ ରହିଚି ତା’ର ସେଇ ନଙ୍ଗଳା ଦିହଟାକୁ । ଚମକି ପଡ଼ି ତଉଲିଆଟାକୁ ତା’ର ଟିକି ପେଟଟି ଉପରକୁ ଭିଡ଼ି ଆଣିଲା ବିଭୁପ୍ରସାଦ । ଚାରିଆଡ଼କୁ ଚାହିଁ ସେ ଦେଖିଲା–କେହି କୁଆଡ଼େ ନାହିଁ ! ଉଦୁଉଦିଆ ଦିପହର । ବରଗଛର କୋଉ ଅନ୍ଧାରିଆ ଛାଇ ଆଢ଼ୁଆଳରେ ବସି କପୋତଟିଏ ବୋବୋଉଥାଏ– ।

 

ବିଭୁପ୍ରସାଦର ଟିକି ଦିହଟି ଟିକିଏ ଉଲୁସି ଉଠିଲା । ସେ ଜାଣେନା ଅବଶ୍ୟ କାହିଁକି ସେମିତି ଜଣାଗଲା ତାକୁ । ତେବେ ତା’ର ଦିହ ଉଲୁସେଇ ଓ ତା’ର ଟିକି ମନଟିକୁ ଥରାଇ ସେଇ ଯୋଉ ହାବୁକା ଭଳି କ’ଣ ଟିକିଏ ତା’ ଦିହେ ଦିହେ ବୋହି ଗଲା–ଝଲକାଏ ଉଷୁମ ପବନ ଭଳି, ସେଇଟିର ବାସ୍ତବ ରୂପକୁ ବହୁଦିନ ପରେ ବିଭୁପ୍ରସାଦ ଅବଶ୍ୟ ଚିହ୍ନିପାରିଥିଲା । କିନ୍ତୁ ସେଦିନର ସେଇ ଗୁଲୁଗୁଲୁ ଅନୁଭୂତିଟି ନିହାତି ଏକ ନିର୍ଦ୍ଦୋଷ ଆଉ ‘ନିଷ୍ପାପ କ୍ରିୟା’ ରୂପରେ ଆତ୍ମପ୍ରକାଶ କରିଥିଲା ବିଭୁପ୍ରସାଦର ପତଳା ଓଠ ଦୁଇଟି ଭିତରେ । ସେଇ ପିତ୍ତଳ ଆଖି ଦୁଇଟିରେ ନିଜର ଆଖି ଦୁଇଟି ମିଳିଯିବାକ୍ଷଣି ବିଭୁପ୍ରସାଦର ମୁହଁରୁ ଯେଉଁ ପଦଟିଏ କ’ଣ ଗୁଣୁଗୁଣୁ ହେଇ ଅଚାନକ ବାହାରି ଆସିଲା, ସେଇଟିକୁ ଆଜି ମନସ୍ତତ୍ୱବିତ୍‍ମାନେ ଆଉ ଯାହା କିଛି ନାଁରେ ବର୍ଣ୍ଣନା କରନ୍ତୁ ପଛକେ, କିନ୍ତୁ ବିଭୁପ୍ରସାଦ ସେ ସବୁର ଅର୍ଥ ଏପର୍ଯ୍ୟନ୍ତ ମଧ୍ୟ କିଛି ଭଲକରି ବୁଝିପାରେନା । ସେ କେବଳ ଜାଣିଥିଲା ଯେ ତା’ର ଟିକି ଦିହଟି ଆଡ଼କୁ ଠାକୁରାଣୀ ପ୍ରସନ୍ନା ହେଇ ଚାହିଁଥିବାରୁ ସେ ତାଙ୍କୁ ଗୋଟାଏ ବର ମାଗିକରି କହିଥିଲା–“ମା’ ! ମୁଁ ସବୁ ବିଦ୍ୟାରେ ଖୁବ୍ ପାରଙ୍ଗମ । କେବଳ ଗୋଟିଏ ବିଦ୍ୟା ଟିକିଏ ହୁଏ ନାଇଁ ମୋର ବୋଲି ତୁ ତ ଜାଣୁ । ଟିକିଏ ଗଣିତ ଶିକ୍ଷକଙ୍କ କଣ୍ଠରେ ତୁ ଯଦି ବସିଯାନ୍ତୁ ତାହାହେଲେ ମୋର ଗଣିତରେ ବେଶି ନମ୍ବର ରହିଯାନ୍ତା । ମୁଁ ଫାଷ୍ଟ୍ ହେଇଯାନ୍ତି-।”

 

ଏହି ଘଟଣାର ପରଦିନ ବିଭୁପ୍ରସାଦ ପରୀକ୍ଷାସ୍ୱରୂପ ତାଙ୍କ ସ୍କୁଲ୍‍ର ଗଣିତ ଶିକ୍ଷକଙ୍କ ପାଖକୁ ଗଲା । ଗଣିତ ଶିକ୍ଷକଙ୍କୁ ଫଳ କଥା ପଚାରିବାରୁ କାହିଁକି କେଜାଣି ଶିକ୍ଷକ ଟିକିଏ ହସି ଦେଲେ । ବିଭୁପ୍ରସାଦ ଫେରି ଆସିଲା ।

 

ସେଦିନ ରାତିସାରା ବିଭୁପ୍ରସାଦ କଥାଟାକୁ ଖୁବ୍ ଭାବିଲା । ସବା ଶେଷରେ ସେ ତା’ର ଶିଶୁସୁଲଭ ଯୁକ୍ତି ଅନୁଯାୟୀ ଏକ ସମାଧାନରେ ପହଞ୍ଚିଗଲା । ପରଦିନ ବଡ଼ିଭୋରରୁ ଗାଁମୁଣ୍ଡ ବରଗଛ ମୂଳକୁ ଯାଇ ଠାକୁରାଣୀର ପିତ୍ତଳ ଆଖି ଦୁଇଟା ସହିତ ଆଖି ମିଳେଇ ରଖି ସେ ତା’ର ମନେମନେ କହିଲା–

 

“ଓହୋ ! ବୁଝିଲି, ବାପା କହୁଥିଲେ ଯେ, ବିଷ୍ଣୁ ଅନନ୍ତଶୟନରୁ ଉଠି ବ୍ରହ୍ମାଙ୍କୁ ସୃଷ୍ଟି କଲେ-। ସେତେବେଳେ କୁଆଡ଼େ ଏ ସୃଷ୍ଟି ହେଇ ନଥିଲା । ଚାରିଆଡ଼େ ଖାଲି ଆକାଶ ଭଳି ଫମ୍ପା ଆଉ ଶୂନ୍ୟ ଜାଗାଟାଏ ଥିଲା । ଏହି ଶୂନ୍ୟରୁ ସୃଷ୍ଟି ତିଆରି ହେଲା । କିଛି ନଥିଲା, ପୁଣି ଚାହୁଁଚାହୁଁ ସବୁ ହେଇଗଲା । ଏକଥା କେମିତି ହେଲା ? ଏକଥା ହେଲା କାରଣ ସିଏ ହଉଚନ୍ତି ବିଷ୍ଣୁ, ନାରାୟଣ । ମହାଶୂନ୍ୟରୁ ସୃଷ୍ଟି ତିଆରି କରିବା ଶକ୍ତି ଏକା ତାଙ୍କର ଅଛି । ତୁ ଆଉ ମୁଁ ତ ବିଷ୍ଣୁ ନୋହୁଁ-।’’

 

“ସେଇଥିପେଇଁ ବୋଧହୁଏ ତୁ ବିନା କାରଣରେ ମୋପାଇଁ କାମଟିଏ କରି ଦେଲୁ ନାହିଁ–ଆମର ଗଣିତ ସାର୍‍ଙ୍କ କଣ୍ଠରେ ବସିଲୁ ନାଇଁ । କାଲି ରାତିରେ ମୁଁ ଏ କଥା ଭାବିଲି । ତେବେ ହେଇ ଚାହାଁ ! ମୁଁ ଜାଣେ ତୋର ମୁଢ଼ିମୁଆଁ ଖାଇବାକୁ ଭାରି ଲୋଭ । ମୁଁ ତତେ ଅଣାକର ମୁଢ଼ିମୁଆଁ ମନାସିଲି । ଏଥର ହେଲା ?”

 

କଥା ପଦଟା ତା’ ମୁହଁରୁ ଶେଷ ହେଇଚି କି ନାହିଁ, ହଠାତ୍ ତା’ର କୁନି ଛାତିଟି ଭିତରେ କ’ଣ ଗୋଟାଏ ଫଡ଼ଫଡ଼ ହେଇ ଥରେ ଏକଡ଼ୁ ସେକଡ଼କୁ ଓ ଥରେ ସେକଡ଼ୁ ଏକଡ଼କୁ ଉଡ଼ିଗଲା ପରି ଜାଣିପାରି ବିଭୁପ୍ରସାଦ ଚମକି ଉଠିଲା ।

 

ସେଦିନ ସନ୍ଧ୍ୟା ସୁଦ୍ଧା ଜୀବନରେ ପ୍ରଥମ ଥରପାଇଁ ଅର୍ଥନୈତିକ ଦାରିଦ୍ର୍ୟର ପ୍ରାଥମିକ ଶୋଚନୀୟତମ ଅନୁଭୂତିଟି ବିଭୁପ୍ରସାଦକୁ ଚିରକାଳ ନିମିତ୍ତ ସ୍ଥବିର କରି ଦେଇଗଲା । ତା’ର କ୍ଷୁଦ୍ର ତୃତୀୟଶ୍ରେଣୀ ପାଠର ବୁଦ୍ଧିରେ ସେଦିନ ସେ ପ୍ରଥମ କରି ଅନୁଭବ କରିପାରିଲା–ମହାଶୂନ୍ୟରୁ ସୃଷ୍ଟ ବ୍ରହ୍ମାଣ୍ଡ ଓ ତା’ର ମୃତା ମା’ର ଶୂନ୍ୟ ପେଟରାରୁ ଅଣାଟିଏ ପଇସା ଦରାଣ୍ଡି ଆଣିବା ଭିତରେ ପାର୍ଥକ୍ୟଟି କେତେ କ୍ଷୁଦ୍ର ।

 

ସନ୍ଧ୍ୟାର ମାଛିଅନ୍ଧାର ଘୋଟି ଆସିବା ସଙ୍ଗେ ସଙ୍ଗେ ବିଭୁପ୍ରସାଦ ଗୋଟାପଣେ ଥରୁଥାଏ । ସେତେବେଳେ ସେ ତାଙ୍କ ଘରର ଚତୁଃସୀମା ଦରାଣ୍ଡି ସାରିଥାଏ । ତା’ର ବାପା ସେତେବେଳକୁ ବିଦେଶରେ । ଘରେ ଯେଉଁ ବୁଢ଼ୀ ଚାକରାଣୀଟିର ଦାୟିତ୍ୱରେ ସେ ଥାଏ ତା’ଠାରୁ କୌଣସି ଉପାୟରେ ପଇସା ଅଣାଟିଏ ପାଇବାର ସମ୍ଭାବନା ନଦେଖି ବିଭୁପ୍ରସାଦ ପୁଣି ଦଉଡ଼ିଲା ଠାକୁରାଣୀ ପାଖକୁ ।

 

ଠାକୁରାଣୀର ସେଇ ଜୁଳୁଜୁଳିଆ ପିତ୍ତଳ ଆଖି ଦୁଇଟାକୁ ନ ଚାହିଁପାରି ବିଭୁପ୍ରସାଦ ଆଖିବୁଜି ଦେଇ କହିଲା–

 

“ପାଇଲି ନାଇଁ । ତୁ ମତେ ଟିକିଏ କହିଦେ କୋଉଠୁ ପଇସା ମିଳିବ । ମୁଁ ରୋଜଗାର କରିବି–ମୁଁ ରୋଜଗାର କରିବି ।”

 

ଠାକୁରାଣୀ ନିକଟରେ ପଣରକ୍ଷା ନକରି ପାରିବାର ଗଭୀର ଆଶଙ୍କାରେ ଦୁଇଦିନ ବିତିଗଲା ବିଭୁପ୍ରସାଦର । ସେଦିନ ସନ୍ଧ୍ୟାରେ ଏକ ଅଦ୍ଭୁତକାଣ୍ଡ ଘଟିଲା । ସେଦିନ ଖେଳ ସରୁ ସରୁ ଟିକିଏ ଡେରି ହୋଇ ଯାଇଥାଏ । ସନ୍ଧ୍ୟା ହୋଇଯିବାରୁ ସାଙ୍ଗ ପିଲାମାନେ ତରତର ହୋଇ ଘରକୁ ଫେରି ଯାଉଥାନ୍ତି । ବିଭୁପ୍ରସାଦର ତରତର ହେବାର କିଛି ନଥାଏ । ଘରକୁ ଡେରିରେ ଫେରିଲେ ବ୍ୟସ୍ତ ହେବାପାଇଁ କେହି ନଥାନ୍ତି । ତା’ ଛଡ଼ା ଜହ୍ନ ଉଇଁ ଉଇଁ ଆସୁଥାଏ । ଭାରି ଭଲ ଲାଗୁଥାଏ । ପାଦତଳର ପ୍ରତ୍ୟେକଟି କୁନି କୁନି ବାଲିଗରଡ଼ାକୁ ହାତରେ ଉଠେଇ ନେଇ ଶିଶୁ ବିଭୁପ୍ରସାଦ କହୁଥାଏ ମନକୁ ମନ–

 

“ତୁ ଯଦି ସତ୍ୟ ହେଇଥିବୁ ତାହାହେଲେ ସାଙ୍ଗେ ସାଙ୍ଗେ ମୋ ହାତମୁଠା ଭିତରେ ଅଣିଟିଏ ପାଲଟି ଯିବୁ । ତୁ ଯଦି ସତ୍ୟ ହେଇଥିବୁ....”

 

ପ୍ରତ୍ୟେକ ଥର ସେଇ ପଦଟି ଉଚ୍ଚାରଣ କରି ସାରି ବିଭୁପ୍ରସାଦ ତା’ର ହାତମୁଠାଟିକୁ ଖୋଲୁଥାଏ ଓ ପୁରୁଣା ବାଲିଗରଡ଼ାଟିକୁ ଫୋପାଡ଼ି ଦେଇ ନୂଆଟିଏ ହାତରେ ଉଠେଇ ନଉଥାଏ । ଏମିତି ବହୁବେଳ ଧରି ବାଲିଗରଡ଼ାମାନଙ୍କୁ ଆଦେଶ ଦେଇ ଦେଇ ଥକିପଡ଼ି ବିଭୁପ୍ରସାଦ ଏକରକମ ନିରାଶ ହୋଇ ଘରକୁ ଫେରୁଥାଏ ।

 

ଠିକ୍ ଏତିକିବେଳେ ପାଖରେ କିଆବୁଦା କଡ଼ରେ କ’ଣ ଗୋଟିଏ ଧୋବ ଫରଫର ହୋଇ ବଡ଼ ଜିନିଷଟାଏ ପଡ଼ିଥିବାର ଦେଖି ବିଭୁପ୍ରସାଦର ଦିହ ଶୀତେଇ ଉଠିଲା । ବିଷ୍ଣୁ, ବିଷ୍ଣୁ, ବିଷ୍ଣୁ....ତିନିଥର କହୁ କହୁ ବିଭୁପ୍ରସାଦର ଟିକି ଜିଭଟି ଖନି ବାଜିଗଲା ।

 

ହଠାତ୍ ସେ ଦେଖିଲା କିଆବୁଦା ମୂଳେ ପଡ଼ିଥିବା ସେଇ ଧଳା ଜିନିଷଟି ଚାହୁଁଚାହୁଁ ଦୁଇଭାଗ ହୋଇଗଲା । ପ୍ରଥମଭାଗଟି ଠିଆ ହୋଇ ରହିଲା । ଡେଙ୍ଗା ସରସର ହୋଇ ମଣିଷଟାଏ-। ଦ୍ୱିତୀୟ ଭାଗଟି ଛୋଟଟିଏ । ସେଇ ଭାଗଟି ବିଭୁପ୍ରସାଦ ପାଖକୁ ଆଗେଇ ଆସିଲା-

 

ବିଭୁପ୍ରସାଦର ଦିହ ଥରୁଥାଏ । ତଥାପି ଅନ୍ଧାର ଭିତରେ ସେ ସେଇ ଟିକି ମୁହଁଟିକୁ ‘ଚିହ୍ନିପାରିଲା । ସେ ହେଉଚି ତା’ର ସାଙ୍ଗ, କ୍ଲାସ୍‍ରେ ସେ ଫାଷ୍ଟ୍ ହୁଏ ।

 

ସାଙ୍ଗଟି ବିଭୁପ୍ରସାଦର ପାଖକୁ ଆସି ତା’ର ହାତ ଧରି ଟାଣିଲା । ବିଭୁପ୍ରସାଦର ଅଷ୍ଟାଙ୍ଗ ଶରୀର ଥରୁଥାଏ । ତା’ର ଇଚ୍ଛା ହଉଥାଏ ବଡ଼ପାଟି କରି କାହାକୁ ଡାକ ପକାଇବାକୁ । କିନ୍ତୁ ତା’ ପାଟିରୁ ସ୍ୱର ବାହାରୁ ନଥାଏ ।

 

ଏହି ସମୟରେ ତା’ର କାନ ପାଖରେ କିଏ ଯେପରି କହିଲା–‘‘ଗଣିତରେ ଶହେରୁ ଶହେ ତୁ ରଖିଚୁ ବିଭୁପ୍ରସାଦ । ଏଇନେ ଗୋଟାଏ ଆଣି–ଲେବେନଚୁସ ଖାଇବୁ । ଏଣିକି ଆଭାରି-। ଲୋକେ ଦେଖିବେ । ପାଟି କରନା ।”

 

ବିଭୁପ୍ରସାଦକୁ ବାନ୍ତି ଲାଗୁଥାଏ । ତା’ର ଦିହ ଥରୁଥାଏ । ଘରକୁ ଫେରି ଆସି ଶେଯରେ ଶୋଇ ଶୋଇ ଅଧ୍ୟରାତି ପର୍ଯ୍ୟନ୍ତ ସେ ଶକେଇଲା ।

 

ସକାଳକୁ ସେ ଦେଖିଲା ତା’ର ଟିକି ପେଣ୍ଟ୍ ଖଣ୍ଡକ ପୂରାପୂରି ଚିରିଯାଇଚି–ଟଣାଓଟରାରେ । କିନ୍ତୁ ପେଣ୍ଟ୍ ପକେଟରେ ହାତ ମାରିଲାବେଳକୁ ଗୋଟିଏ ଷଷ୍ଠଜର୍ଜ ମାର୍କା ଆଣି ଖସଡ଼ି ଆସିଲା ତା’ର ହାତମୁଠା ଭିତରକୁ ।

 

ଗତ ରାତିରେ ତାହାହେଲେ ଅଣାଟିଏ ପଇସା ସେ ଅର୍ଜନ କରିପାରିଛି !

 

କାହିଁକି କେଜାଣି ବିଭୁପ୍ରସାଦର ଡେଙ୍ଗା ଡେଙ୍ଗା ଠେକୁଆ କାନ ଦୁଇଟି ହଠାତ୍ ଲାଲ୍ ପଡ଼ିଆସିଲା । ତା’ର ସେଇ ଝୁମୁକା ଝୁମୁକା ଗାଲ ଦୁଇଟିବି ! ତା’ର ସେଇ ଶିଶୁସୁଭଲ ଲଜ୍ଜା ଓ ଘୃଣା ସହିତ ବିଭୁପ୍ରସାଦ ବିକଳରେ ଫୋପାଡ଼ିଦେଲା । ସେ ଅଣିଟିକୁ ବିକଳରେ ଆପଣା ହାତରେ ଆପେ ଗଢ଼ିଥିବା ବିକୃତ କାଦୁଅ ମୂର୍ତ୍ତିଟାକୁ ଚକଟିଚାକଟି ମନ୍ଥି, ଦଳି ପୁଣି କାଦୁଅ ମେଞ୍ଚାଟିଏ କରି ଦୂରକୁ ଛିଞ୍ଚାଡ଼ି ଦେଲା ଭଳି ।

 

ସେତେବେଳକୁ କୁଆ କା’ କରୁଥାଏ । ସୁକୁମାରୀ ଘରର କବାଟ ତଥାପି ଖୋଲି ନଥାଏ । ବିଭୁପ୍ରସାଦ ଉଠି ଆସିଲା ହାତରେ ତା’ର ବାପାଙ୍କର ଚିଠିଟିକୁ ସେମିତି ମୁଠେଇ ଧରିଥାଏ ସେ । –ପିତୃସତ୍ୟ !

 

‘ନୀରବ ନୀଳୟ’ ବସାଘରୁ ବାହାରି ବିଭୁପ୍ରସାଦ ରାସ୍ତାକୁ ଗୋଡ଼ ବଢ଼େଇଲା । କଣ୍ଟ୍ରାକ୍ଟରର ଗ୍ୟାରେଜ୍ ଟପି ପ୍ରାୟ ଦୁଇଶହ ପାହୁଣ୍ଡ ବାଟ ଆଗେଇଚି କି ନାହିଁ ହଠାତ୍ ତା’ର ପାଦ ଅଟକି ଗଲା । ରାତି ସେ ପର୍ଯ୍ୟନ୍ତ ପୂରା ପାହି ନଥାଏ । ରାସ୍ତାରେ କାଁଭାଁ ଲୋକ ଯିବା ଆସିବା କରୁଥାନ୍ତି । ବିଭୁପ୍ରସାଦର ଛାତି ଭିତରେ ପୁଣି କ’ଣ ଗୋଟାଏ ଫଡ଼ଫଡ଼ କରି ଥରେ ଏକଡ଼କୁ ଓ ଥରେ ସେକଡ଼କୁ ଉଡ଼ିଗଲା । ଏବଂ ସେଥିସହିତ, ତା’ର ଦୃଷ୍ଟିଶକ୍ତି କେତେଟା ମୁହୂର୍ତ୍ତପାଇଁ ସମ୍ପୂର୍ଣ୍ଣ ହଜିଗଲା ମଧ୍ୟ ।

 

ବିଭୁପ୍ରସାଦର ଦୃଷ୍ଟିଶକ୍ତିଟି ଯେତେବେଳେ ଫେରି ଆସିଲା ସେତେବେଳେ ତା’ର ସନ୍ଦେହ ହେଲା ସତେ ଯେପରି କୌଣସି ଅଦ୍ଭୁତଶକ୍ତି ସାରା ଜୀବନ ତା’ର ପିଛା ଧରିଛି ଓ ବେଳେବେଳେ ତା’ର ଆଗଚଲା ହେଇ ରାସ୍ତାରେ ଚାଲିଛି ମଧ୍ୟ ।

 

ଏଣିକିତେଣିକି ଟିକିଏ ତରଙ୍ଗ ତରଙ୍ଗ ହେଇ ଚାହିଁ, ଶେଷରେ ନଇଁ ପଡ଼ିଲା ବିଭୁପ୍ରସାଦ ଓ ଏକା ଝାମ୍ପକେ ସେଇ କାକରଭିଜା ଢାଉଆରଙ୍ଗର ଛୋଟ ଫୋଲିଓ (ବ୍ୟାଗ୍)ଟାକୁ ରାସ୍ତାକଡ଼ରୁ ଗୋଟାଇ ନେଇ ଆଖିପିଛୁଳାକ ଭିତରେ ତା’ର ଜାମାତଳେ ଚାପି ଧରିଲା ।

 

ତା’ର ପରବର୍ତ୍ତୀ ପ୍ରାକୃତିକ ପ୍ରତିକ୍ରିୟାଟା ଥିଲା ଅବଶ୍ୟ ଖୁବ୍ ଗମ୍ଭୀର ହୋଇ ବାଟ ଭାଙ୍ଗି ଅନ୍ୟ ରାସ୍ତାରେ ଖସି କ୍ରମେ ଲୋକଲୋଚନର ଅନ୍ତରାଳକୁ ଚାଲିଯିବା । କିନ୍ତୁ ବିଭୁପ୍ରସାଦ ଗୋଟାଏ ମୂର୍ଖତା କରି ବସିଲା । ସେ ଆରମ୍ଭ କରିଦେଲା ଧାଇଁବାକୁ–ସତେକି ପଛରୁ କୌଣସି ଅଦୃଶ୍ୟ ଶକ୍ତି ତାକୁ ଗୋଡ଼ାଇବକୁ ଆରମ୍ଭ କରିଦେଲା ।

 

ଆପଣାର ସହଜାତ ପ୍ରବୃତ୍ତି ସେଦିନ ତା’ର ପାଦକୁ କେଉଁଆଡ଼କୁ ଟାଣି ନେଉଥାଏ । ବିଭୁପ୍ରସାଦ କ୍ରମେ ଆତ୍ମସଚେତନ ହୋଇ ଅନେକ ସମୟ ପରେ ସହରର ଯେଉଁ ଅଂଶରେ ନିଜକୁ ଆବିଷ୍କାର କଲା, ସେ ତା’ର ଏଇ ବାରବର୍ଷ ସହର ରହଣି ଭିତରେ ସେ ଅଂଶଟିକୁ ସ୍ଵପ୍ନରେ ସୁଦ୍ଧା ଦେଖି ନଥିଲା ।

 

ଏତେବେଳଯାକେ ବିଭୁପ୍ରସାଦ ଖୋଜୁଥିଲା କେବଳ ଗୋଟିଏ ଲୁଚିବା ଜାଗା । ତା’ର ଅବଚେତନରେ ସେ ସହରର ଏହି ଅଂଶଟିକୁ ଏକ ପ୍ରକୃଷ୍ଟ ଲୁଚିବା ସ୍ଥାନ ବୋଲି ମନେ କରିବାପାଇଁ ଅବଶ୍ୟ କୌଣସି ବୋଧଗମ୍ୟ କାରଣ ନଥିଲା ।

 

କିନ୍ତୁ ବିଭୁପ୍ରସାଦ କନକନ ହୋଇ ପୁଣିଥରେ ଚାହିଁନେଲା ଚାରିଆଡ଼କୁ । ଚାରିଆଡ଼େ ଲୋକ ଭେଳା ଭେଳା । ବୋଧହୁଏ ପାଖରେ କୌଣସି ମିଟିଙ୍ଗ୍ ଆରମ୍ଭ ହେବାକୁ ଯାଉଚି । ନିର୍ବାଚନ ପାଖାପାଖି । ସବୁଆଡ଼େ ଏହିପରି ଉତ୍ତେଜନା ।

 

ଦୁଇଜଣ ଲୋକ ବିଭୁପ୍ରସାଦର ପାଖାପାଖି ଲାଗି ଆସୁଥିଲେ । ତା’ର ଅଜାଣତରେ ହାତ ଦୁଇଟା ତା’ର ଛାତି ଉପରେ ଏକ ଛକି ପଡ଼ିଗଲେ, ସତେ ଯେମିତି ସେ ଶୀତରେ ଥରୁଥାଏ । ପଛକୁ ମୁହଁ ବୁଲେଇ ସେ ଟିକିଏ ଆଡ଼ ହୋଇ ଠିଆ ହେଇଗଲା ।

 

ଲୋକ ଦୁଇଟି ତା’ର ଲଗାଲଗି ପରସ୍ପର ସହିତ କଥାବାର୍ତ୍ତା ହୋଇ ଚାଲିଗଲେ । ଠିକ୍ ସେତିକିବେଳେ ତାଙ୍କରି କଥୋପକଥନରୁହିଁ ବିଭୁପ୍ରସାଦ ପ୍ରଥମେ ଶୁଣିବାକୁ ପାଇଲା ସକାଳର ସବୁଠାରୁ ବଡ଼ ସେଇ ସମ୍ବାଦଟିକୁ–ବଡ଼ବଡ଼ ଅଫିସର କେଇ ଜଣଙ୍କ ଚାକିରିରୁ ସସ୍‍ପେନ୍‍ସନ୍ କଥା-

 

ଜଣେ ସେଥିଭିତରୁ ଟିକିଏ ବୁଢ଼ାଳିଆ ଲୋକ କହୁଥିଲା–

 

“ଦେଖିଲ ? ଯାହା ଏତେ ବାକ୍‍ବିତଣ୍ଡା, ଖବରକାଗଜର ଗଣ୍ଡା ଗଣ୍ଡା ସମ୍ପାଦକୀୟ, ମୁଣ୍ଡ କୋଡ଼ାକୋଡ଼ି, ଲୋକମତ, ଭୋଟ୍ କାଗଜଦ୍ଵାରା ହୋଇ ପାରୁ ନଥିଲା ସେ କଥା କେମିତି ଏକ ମିନିଟରେ ଫଇସଲା ହୋଇଗଲା ? ଏ ଚାକିରିଆଙ୍କୁ ଆଉ କେହି ପାରିବେ ନାହିଁ । ମନ୍ତ୍ରୀମାନେ ତ ସାର୍ ସାର୍ କହି ବଡ଼ବଡ଼ ଚାକିରିଆଙ୍କୁ ଖୋସାମତ୍ କରିବାରେ ରହିଲେ । ୟାଙ୍କୁ ପ୍ରକୃତରେ ଶାସନ କରନ୍ତେ ରଜା । ତୁମେ ସିନା ଗଣତନ୍ତ୍ର ଗଣତନ୍ତ୍ର ହଉଚ–ହେଲେ ଏ ଚାକିରିଆଙ୍କୁ ଗଣତନ୍ତ୍ର ପାରିବ ନାହିଁ ।”

 

“ପାରିବ ନାହିଁ ତ ପୁଣି ହେଲା କେମିତି ? ଗଣତନ୍ତ୍ର ଯୋଗୁଁ ତ ଏ ପଞ୍ଝାକ ଏଇଲେ ଗଲେ । ଆଉ ପଞ୍ଝାକ ନାଁରେ ପ୍ରୋସିଡ଼ିଂ ହଉଚି । ଏଇ ଦିନେ ଦୁଇଦିନ ପରେ ମୁଖ୍ୟ ଗସ୍ତରୁ ଫେରିଲେ ଦସ୍ତଖତ ମାରିବେ । ଶୁଣାଯାଏ ଏ ମୁଥରେ ମସ୍ତ ମସ୍ତ ରୋହି ଭାକୁଡ଼ କୁଆଡ଼େ ପଡ଼ିଚନ୍ତି । ଶୁଣାଯାଏ ଜଣେ କେନ୍ଦ୍ର......” ଦ୍ଵିତୀୟ ଲୋକଟିର ଶେଷ କଥାଗୁଡ଼ିକ ଆଉ ଶୁଣି ପାରିଲା ନାହିଁ ବିଭୁପ୍ରସାଦ । କିନ୍ତୁ ଲୋକଟିର ସେଇ ଅସ୍ପଷ୍ଟ ପଛ ଶବ୍ଦଗୁଡ଼ିକ ଭିତରୁ ସତେ ଯେପରି ସେ ମନୋମୋହନର ବାପାଙ୍କ ନାଁଟା ଶୁଣି ପାରିଲା ।

 

ବିଭୁପ୍ରସାଦ ଛାତି ଭିତରର କେମିତି ଗୋଟାଏ ଧମ୍‍ଧମ୍ ଶବ୍ଦ ବାରମ୍ଵାର ଶୁଣିବାକୁ ପାଇଲା । ବୋଧହୁଏ ଛାତିକୁ ଚାପି ହୋଇ ରହିଥିବା ସେଇ ବ୍ୟାଗ୍‍ଟା ଯୋଗୁଁ ଛାତି ଭିତରର ଶବ୍ଦଟା ଏତେ ସ୍ପଷ୍ଟ ହୋଇ ଉଠୁଥିଲା ।

 

ମନମୋହନର ବାପା ସସ୍‍ପେଣ୍ଡ୍ ? ...ବିଭୁପ୍ରସାଦର ମୁଣ୍ଡଟା ଘୂରାଇ ଦେଲା । ରାସ୍ତା କଡ଼ରେ ଏକ ବିରାଟ ପ୍ରାସାଦ ପରି କୋଠା କାହାର ତୋଳା ଚାଲିଥାଏ । ବହୁତଗୁଡ଼ିଏ ମୂଲିଆ କାମରେ ଲାଗିଥାନ୍ତି । ଅନେକଗୁଡ଼ିଏ ଟ୍ରକ୍ ଓ ସିମେଣ୍ଟ ଗୋଳିଆ ଯନ୍ତ୍ର ସେତେବେଳକୁ ଗର୍ଜନ ଆରମ୍ଭ କରିଦେଇଥାନ୍ତି । କିଛି ସମୟପାଇଁ ବିଭୁପ୍ରସାଦ ସେଠି ବସି ପଡ଼ିଲା । ଏତେ ଲୋକଙ୍କର କୋଳାହଳ ଓ ମେସିନ୍‍ର ଗର୍ଜନ ଭିତରେ ତା’ର ନିରାପତ୍ତାବୋଧ ହଠାତ୍ ବଢ଼ିଉଠିଲା ।

 

ପାଖରେ ଯାଉଥିବା ଜଣେ ମୂଲିଆକୁ କାହିଁକି କେଜାଣି ହାତଠାରି ପାଖକୁ ଡାକିଲା ବିଭୁପ୍ରସାଦ । ସେତେବେଳକୁ ତା’ର ତୋଟି ଶୁଖି ଆସୁଥାଏ । ସବୁଠାରୁ ଅଧିକ କଷ୍ଟ ସେ ଅନୁଭବ କରୁଥାଏ ତା’ର ଦୁଇ ହାତମୁଠାରେ । ବୋଧହୁଏ ବହୁତ ସମୟ ଜାକି ହୋଇ ରହିବା ଫଳରେ ତା’ର ପାପୁଲି ଓ ଆଙ୍ଗୁଠିଗୁଡ଼ାକରେ ଉପଯୁକ୍ତ ପରିମାଣର ରକ୍ତ ସଂଚାଳନ ହୋଇ ପାରୁ ନଥାଏ । କିନ୍ତୁ ବିଭୁପ୍ରସାଦର ମନେ ହେଉଥାଏ ଅନ୍ୟ ପ୍ରକାର । ବହୁଦିନ ଧରି ହଜି ଯାଇଥିବା ସେଇ ରହସ୍ୟମୟ ଆତଙ୍କଟି ପୁଣି ମୁଣ୍ଡଟେକି ଉଠୁଥାଏ ଧୀରେ ଧୀରେ ତା’ର ଛାତି ଭିତରେ ।

 

“ଖୋଡ଼ ହୋଇଯିବ ତୋ ହାତରେ–ତୁ ଠାକୁରାଣୀର ମୁଣ୍ଡ ଫଟେଇଚୁ ଏ ନାଲି ନାଲି ପରସ୍ତ ପରସ୍ତ ସିନ୍ଦୁର ଦିନେ ଲାଗିବ ରହ ତୋ ହାତରେ....”

 

ବିଭୁପ୍ରସାଦର ଅଷ୍ଟାଙ୍ଗ ଶରୀର ଝିମିଝିମି ହୋଇ ଆସିଲା । ସେ ପୁଣିଥରେ ତା’ ମନକୁ ମନ ଉଚ୍ଚାରଣ କରି ଉଠିଲା–

 

“ମନମୋହନର ବାପା ସସ୍‍ପେଣ୍ଡ୍ ?”

 

ବିଭୁପ୍ରସାଦର ମନେ ପଡ଼ିଲା । ହୋଟେଲ ମାଲିକ ବାସୁଦେବ ତାକୁ କଣ୍ଟ ଦେଇଚି । ତା’ର ବାପାଙ୍କର ଅଡ଼ର୍‍ରେ ବୋଧହୁଏ ଦସ୍ତଖତ ହେଉଥିବ ବର୍ତ୍ତମାନ । କି ଆଶ୍ଚର୍ଯ୍ୟ ! ଗୋଡ଼ିଟିଏକୁ ପଥରଟିଏ ! କ୍ରିୟା ଆଉ ପ୍ରତିକ୍ରିୟା....ନିଉଟନ୍‍ଙ୍କର ଲ’ ଅଫ୍ ମୋସନ୍‍ର ତୃତୀୟ ନିୟମଟି ପରି ଏ ସଂସାରର ପ୍ରତ୍ୟେକଟି କ୍ରିୟା ଓ ପ୍ରତିକ୍ରିୟା ଏତେଦୂର କଣ୍ଟାକଣ୍ଟି ?

 

ବିଭୁପ୍ରସାଦର ଇଙ୍ଗିତରେ ମୂଲିଆଟି ସେତେବେଳକୁ ତା’ ପାଖକୁ ଆସି ସାରିଥିଲା । ତା’ର ମୁହଁକୁ ଚାହିଁ ବିଭୁପ୍ରସାଦ କେମିତି ଗୋଟାଏ ବୋକାଭଳି ଆଁ କରି ରହିଲା । ଲୋକଟାକୁ କ’ଣ ପଚାରିବ ବୋଲି ସେତେବେଳେ ଯାହା ମନସ୍ଥ କରିଥିଲା, ତାହା ଭୁଲି ଯାଇଥିଲା ସେ । ଲୋକଟାବି ଆହୁରି ବୋକା ଭଳି ବିଭୁପ୍ରସାଦର କତିକୁ ଲାଗି ଆସି ଅନେଇଲା ତା’ ମୁହଁକୁ । ତା’ ମୁହଁରେ ସେତେବେଳେ କୌଣସି ଭାବାନ୍ତର ନଥିଲା । ସାଦା, ଏକବାରେ ନିର୍ଲିପ୍ତ, ଉଦ୍ଦେଶ୍ୟହୀନ ମୁହଁଟିଏ । କେବଳ ସେ ତା’ର ନାଲି ନାଲି ମାଢ଼ି ସମେତ ଦାନ୍ତ ଦୁଇଭାଡ଼ିକୁ ନିରର୍ଥକଭାବେ ଖୋଲି ରଖି ଅନେଇଥାଏ ବିଭୁପ୍ରସାଦର ମୁହଁକୁ ।

 

ବିଭୁପ୍ରସାଦ ଚେଷ୍ଟା କରୁଥାଏ–କିଛି ଗୋଟାଏ ପ୍ରଶ୍ନ ଖୋଜିବାପାଇଁ । କିନ୍ତୁ କୌଣସି ସଂପୃକ୍ତ ପ୍ରଶ୍ନ ପଶି ପାରୁ ନଥାଏ ତା’ର ମସ୍ତିଷ୍କକୁ ସେତେବେଳେ ।

 

ହଠାତ୍ ମୂଲିଆଟିର ଏକରକମ ଶୂନ୍ୟ ମୁହଁକୁ ଅନାଇ ବିଭୁପ୍ରସାଦ ପଚାରିଲା–

 

“ଆଚ୍ଛା ! ଭଗବାନ ଅଛନ୍ତି ? ତୋର ମତ କ’ଣ ?”

 

ବିଭୁପ୍ରସାଦର ସେଇ ଅବାନ୍ତର ପ୍ରଶ୍ନରେ ମୂଲିଆଟିର ମୁହଁ ଉପରେ କୌଣସିଟି ଗାର କୁଞ୍ଚେଇ ହୋଇ ଉଠିଲା ନାହିଁ । ବିଭୁପ୍ରସାଦର ପ୍ରଶ୍ନଟିକୁ ଯେକୌଣସି ଏକ ପ୍ରାକୃତିକ ଘଟଣା ଭଳି ବୋଧହୁଏ ସ୍ୱୀକାର କରିନେଲା ସେ ।

 

ଉତ୍ତରରେ ସେ କେବଳ ଟିକିଏ ମୁଣ୍ଡ ଟୁଙ୍ଗାରି ଦେଲା ।

 

ବିଭୁପ୍ରସାଦ ମୁହଁ ଉପରକୁ ଦମକାଏ ଉଷୁମ ରକ୍ତ ଚିହିଁକି ଆସିଥାଏ । ସେତେବେଳକୁ । କୌଣସି ଏକପ୍ରକାର ପ୍ରେରଣା ଓ ତା’ ସହିତ ଲଜ୍ଜା ବା ସେହିପରି କିଛି ଗୋଟାଏ ମିଶ୍ରିତ ଅନୁଭୂତି ତା’କୁ ଉତ୍ତେଜିତ କରୁଥାଏ । ନିଜର ନିରର୍ଥକ ଅବାନ୍ତର ପ୍ରଶ୍ନ ଓ ତା’ ସହିତ ମୂର୍ଖ ମୂଲିଆ ଲୋକଟିର ସେଇ ମୁଣ୍ଡ ଟୁଙ୍ଗାରିବା ବିଭୁପ୍ରସାଦକୁ ବିରକ୍ତ ଓ ରହସ୍ୟାବୃତ ଅବସ୍ଥାରେ କିଛି ସମୟ ଧରି ରଖିଲା ।

 

ତା’ପରେ ହଠାତ୍ ବିଭୁପ୍ରସାଦର ପ୍ରଶ୍ନର ଆଭିମୁଖ୍ୟ ବଦଳିଗଲା । ପୂର୍ବ ପ୍ରଶ୍ନ ସହିତ ଏକ ଶୀର୍ଣ୍ଣଯୋଗସୂତ୍ର ରଖିଲା ପରି ସେ ପୁଣି ପଚାରିଲା–

 

“ଏ ଘରଟା ଏଠି କାହିଁକି ତିଆରି ଲାଗିଚି ? ଅଫିସ୍ ?”

 

ମୂଲିଆଟି ସେମିତି ତା’ର ଦାନ୍ତମାଢ଼ିଗୁଡ଼ିକୁ ପୂରାପୂରି ବିସ୍ତୃତ କରି ଉତ୍ତର ଦେଲା–

 

“ନାଇଁ–କାଗଜ ବାହାରିବ ଏଠଉଁ ।”

 

“କୋଉ କାଗଜ ?” ବିଭୁପ୍ରସାଦ ପାଇଁ ସମ୍ବାଦଟା ଖୁବ୍ ନୂଆ ଥିଲା । ଏତେବେଳକେ ପ୍ରଥମ ପ୍ରଶ୍ନର ସେଇ ଭୟାବହ ଅନୁଭୂତିରୁ ଟିକିଏ ନିସ୍ତାର ପାଇଲା ଭଳି ଆଶ୍ୱସ୍ତ ସ୍ୱରରେ ସେ ପଚାରିଲା, “ଏତ ପୂରାପୂରି ଏକ କାରଖାନା ଭଳି ମନେ ହେଉଚି ? ଏଇଟା ଖବରକାଗଜ ଅଫିସ୍ ନା କାରଖାନା ହବ ?”

 

ମୂଲିଆଟି ବିଶେଷ କିଛି ଆଗ୍ରହ ନ ଦେଖାଇ ଉତ୍ତର ଦେଲା–

 

‘‘ସେଇ କାରଖାନା–ଖବରକାଗଜ କାରଖାନା ।”

 

ମୂଲିଆଟିର ମୁହଁକୁ ଖୁବ୍ ନିବିଡ଼ ଓ ଅନ୍ତରଙ୍ଗଭାବେ ଅନାଇଲା ଏଥର ବିଭୁପ୍ରସାଦ । ତା’ର ମନେହେଲା ଯେପରି କେଉଁଠି କେବେ ଲୋକଟିକୁ ଦେଖିଥିଲା ସେ । କିନ୍ତୁ ନା । ସେ ତା’ର ଭୁଲ୍ ବୁଝିପାରିଲା ! ସେଇ ସାଧାରଣ ମୁହଁଟାର ଯେଉଁ ଅଂଶଟା ଏପରି ଚିହ୍ନା ଚିହ୍ନା ମନେ ହେଉଥିଲା ତା’ର, ସେଇଟାକୁ ଚିହ୍ନଟ କରିବାର କୌଣସି ସାମଞ୍ଜସ୍ୟ ଖୋଜା ଯାଏନା । ଯେପରି ମହାଶୂନ୍ୟର କୌଣସି ଦୁଇଟି ବିନ୍ଦୁ ମଧ୍ୟରେ ସାମଞ୍ଜସ୍ୟ ଖୋଜା ଯାଏନା ସେହିପରି । ଯାହା ହେଉଚି ସବୁର ମୂଳ । ତାକୁ ଖୋଜିବାପାଇଁ କୌଣସି ମୂଳ ନଥାଏ । ତା’କୁ କ୍ରିୟାଦ୍ଵାରା ଚହଲାଇ ହୁଏନା । ତେଣୁ ତା’ଠାରୁ ପ୍ରତିକ୍ରିୟା ଆଶଙ୍କା କରାଯାଏ ନାହିଁ ।

 

ବିଭୁପ୍ରସାଦର ରୁମଗୁଡ଼ିକ ପୁଣି ଟାଙ୍କୁରି ଉଠିଲା । ଏକ ନୂତନ ଆଧ୍ୟାତ୍ମିକ ଚେତନା ପାଇଲା ପରି ସେ ଥରି ଉଠିଲା । ଲୋକଟାର ଧୂଆଁଳିଆ ଆଖି ଦୁଇଟାକୁ ଅନାଉ ଅନାଉ ବିଭୁପ୍ରସାଦର ଆଖି ଦୁଇଟା ଚକ୍ ଚକ୍ କରି ଆସୁଥାଏ । ହଠାତ୍ ତା’ର ମନେହେଲା ଯେପରି ଲୋକଟା ତା’ (ବିଭୁପ୍ରସାଦ) ଭିତରକୁ ଧୀରେ ଧୀରେ ଭେଦି ଯାଉଚି–ବଳିତା କନାରେ ଭେଦି ଯାଉଥିବା ତେଲ ପରି । ଲୋକଟା ସେମିତି ହସୁଥାଏ । ତା’ର ସେ ନାଲି ନାଲି ମାଢ଼ିଗୁଡ଼ାକ ଦିଶୁଥାଏ ସେମିତି–ଲାଲ୍ ଟକ୍ ଟକ୍ । ଅବିକଳ ସେଦିନ ସନ୍ଧ୍ୟାର ଠାକୁରାଣୀ ମୁଣ୍ଡପରି !

 

ଛାତି ଉପରେ ଛକି ପକେଇ ଭିଡ଼ି ଧରିଥିବା ହାତ ଦୁଇଟା ତଳୁ, ସେଇ ଅଜ୍ଞାତ ବସ୍ତ୍ରଟି ଭିଜାମାଟିରେ ପଡ଼ି ଗଜେଇ ଉଠୁଥିବା ମଞ୍ଜିଟିଏ ପରି ସେତେବେଳକୁ ଏତେ ପରିମାଣରେ ଚାପ ସଂଗ୍ରହ କରି ସାରିଥାଏ ଯେ ସେ ଚାପକୁ ସମ୍ଭାଳିବା ବିଭୁପ୍ରସାଦ ପକ୍ଷରେ କ୍ରମେ ଅସହ୍ୟ ହୋଇ ଉଠୁଥାଏ । ଖୋଲିଯିବାପାଇଁ ଓ ବିନା ମୂଲ୍ୟରେ ନିଜର ସର୍ବସ୍ୱଦାନ କରିଦେବା ପାଇଁ ମଣିଷର ଯଦି କେବେକେବେ ଇଚ୍ଛା ହୁଏ, ତାହାହେଲେ ସେଗୁଡ଼ିକ ହେଉଚି ଏହି ପ୍ରକାର ମୁହୂର୍ତ୍ତ । ‘ବିଷ୍ଣୁ ଅନନ୍ତଶୟନରୁ ଉଠି ବ୍ରହ୍ମାଙ୍କୁ ସୃଷ୍ଟି କଲେ.....ସେତେବେଳେ କୁଆଡ଼େ ଏ ସୃଷ୍ଟି ନଥିଲା.....ଚାରିଆଡ଼େ ଖାଲି ଆକାଶଭଳି ଫମ୍ପା ଆଉ ଶୂନ୍ୟ ଜାଗାଟାଏ ଥିଲା...... । ’ ବିଭୁପ୍ରସାଦର ଛାତି ଭିତରର ଶୂନ୍ୟତା ସହିତ ସେଇ ଆର ଲୋକଟାର ମୁହଁର ମହାଶୂନ୍ୟତାର ଏକ ନିବିଡ଼ ସଂଯୋଗ ଘଟିଯିବାମାତ୍ରେ ଯେଉଁ ସ୍ପନ୍ଦନଟା ଶେଷରେ ତା’ର ହାତର ଚାପୁଆଣି ଫଟାଇ ବାହାରକୁ ବାହାରି ପଡ଼ିଲା, ତାହାରି ଫଳସ୍ଵରୂପ ସତେ ଯେପରି ଗୋଟାଏ ଢାଉଆ ରଙ୍ଗର ପ୍ଲାଷ୍ଟିକ୍ ଫୋଲିଓ–ବ୍ୟାଗ୍ ଶୂନ୍ୟରୁ ଗଳି ପଡ଼ିଲା–ଲୋକଟି ଆଗରେ ।

 

ତରବର ହୋଇ ବ୍ୟାଗ୍‍ଟିକୁ ତଳୁ ଗୋଟାଇ ନେଇ ଲୋକଟାର ହାତକୁ ବଢ଼ାଇ ଦେଇ ଖୁବ୍ ଆଶ୍ଵସ୍ତ ସ୍ତରରେ ବିଭୁପ୍ରସାଦ କହିଲା–

 

‘‘ଭଗବାନ ଥାଆନ୍ତୁ ବା ନଥାନ୍ତୁ ଦେଖ୍ ତ–ୟା ଭିତରେ କ’ଣ ସବୁ ରହିଚି......”

 

ଲୋକଟା ସେମିତି ପୂର୍ବପରି ଅନେଇଥାଏ । ତା’ପାଇଁ ଏଇଟି ମଧ୍ୟ ଏକ ପ୍ରାକୃତିକ ଘଟଣାଥିଲା । ପ୍ରତି ଶୀତ ଋତୁରେ ଗଛର ହଳଦିଆ ପତ୍ରଟିଏ ଝଡ଼ିଗଲାପରି, ପ୍ରତି ପାଞ୍ଚବର୍ଷରେ ଏହିପରି କେହି ଜଣେ ତା’ର ଦ୍ୱାରସ୍ଥ ହୁଏ । ହାତକୁ ପୁଡ଼ିଆଟିଏ ବଢ଼େଇ ଦେଇ ସେ କହେ ଠିକ୍ ଏଇ ସ୍ୱରରେ–‘‘ଦେଖ୍‍ତ–ୟା ଭିତରେ କ’ଣ ସବୁ ରହିଚି...... ।”

 

ବିଭୁପ୍ରସାଦର ହାତରୁ ବ୍ୟାଗ୍‍ଟିକୁ ନେଇ ଗଲାନାହିଁ ଲୋକଟି । କିନ୍ତୁ ବିଭୁପ୍ରସାଦର କୌଣସିମତେ ସେଇ ଦାୟରୁ ମୁକୁଳିବା ପାଇଁ ପ୍ରାୟ ଅଣନିଃଶ୍ୱାସୀ ହୋଇ ସାରିଥାଏ ସେତେବେଳକୁ ।

 

ମୂଲିଆଟିର ହାତରେ ଯେଉଁଭଳି ଆକସ୍ମିକଭାବେ ବ୍ୟାଗ୍‍ଟିକୁ ପାଇଥିଲା ସେଇଭଳି ଆକସ୍ମିକଭାବେ ବ୍ୟାଗ୍‍ଟିକୁ ଗୁଞ୍ଜିଦେଇ ବିଭୁପ୍ରସାଦ ହଠାତ୍ ଦଉଡ଼ିବାକୁ ଆରମ୍ଭ କରିଦେଲା । ଲୋକଟା ତଥାପି ନିଶ୍ଚଳ ।

 

କେତେକ୍ଷଣ ପରେ ଲୋକଟିର ମୁହଁର ହସଟା ଥପ୍ କରି ଲିଭିଗଲା । କାରଣ ଗୋଟିଏ ପରେ ଗୋଟିଏ କ୍ରମରେ ପାଞ୍ଚୋଟି ବିଡ଼ା ଦଶଟଙ୍କିଆ ନୋଟ୍‍ର ମୁହାଁମୁହିଁ ଏକ ସଙ୍ଗେ ହୋଇଯିବାମାତ୍ରେ ତା’ପକ୍ଷରେ ଭେଟଣା ହୋଇଯିବା ସ୍ଵାଭାବିକ ଥିଲା ।

 

ଅଠର

 

ନଟବର ଡାକ୍ତରଖାନାରୁ କେତେବେଳେ ଫେରି ଆସିଥାଏ । ବିଭୁପ୍ରସାଦ ତେଣୁ ଧାଇଁ ଧାଇଁ ଆସି ପହଞ୍ଚିଲାବେଳକୁ ନଟବର ଶୋଇଥାଏ–ମୁହଁମାଡ଼ି ।

 

“ଓହୋ ! ଓହୋ ! ଆସିଗଲା ! ଆସିଗଲା ସତ୍ୟଯୁଗ !” ବିଭୁପ୍ରସାଦ ଚିତ୍କାର କରି ଉଠିଲା ।

 

କିନ୍ତୁ ନଟବରର କୌଣସି ପ୍ରତିକ୍ରିୟା ନଥାଏ । ସେ ମୁହଁମାଡ଼ି ସେମିତି ପଡ଼ିଥାଏ ।

 

ଏଡ଼େ ବଡ଼ ଖବରଟାରେ ନଟବରର ଆଗ୍ରହ ନ ଦେଖି ବିଭୁପ୍ରସାଦର ଶିଶୁସୁଲଭ ଚପଳତା ମଳିନ ପଡ଼ି ଯାଉଥାଏ ।

 

ମିନିଟ୍‍କ ଭିତରେ ସୁକୁମାରୀ ଚା’ ଆଣି ଥୋଇ ଦେଇଗଲା ଦୁଇ ବନ୍ଧୁଙ୍କପାଇଁ ।

 

ସୁକୁମାରୀର କାଉଁରୀକାଠି ହାତ ଦୁଇଟା ବିଭୁପ୍ରସାଦର ଆଖିରେ ପଡ଼ିଗଲା । କାହିଁକି କେଜାଣି ସେଇ ସମ୍ପର୍କହୀନ ପଦଟା ପୁଣିଥରେ ମନେ ପଡ଼ିଗଲା ବିଭୁପ୍ରସାଦର–

 

“କେମିକାଲ୍ କଟେଜ୍ ଇଣ୍ଡଷ୍ଟ୍ରି । ବିନା କ୍ୟାପିଟାଲ ଆରମ୍ଭ କରିହୁଏ ଯେଉଁଠୁ !”

 

ଅନେକ ସମୟ ବିତିଗଲା । ବିଭୁପ୍ରସାଦ ବିକି ଚାଲିଥାଏ ଏକାଏକା–ମନମୋହନର ବାପାଙ୍କ କଥା ଅବଶ୍ୟ । ହୋଟେଲ ମାଲିକ ବାସୁଦେବକୁ ଦେଇଥିବା ପ୍ରତିଶ୍ରୁତି କଥାତ ସେ ଏକେବାରେ ଭୁଲି ଯାଇଥାଏ । ସେ ଆଦୌ ଦୁଃଖିତ ହେଉ ନଥାଏ ତା’ର ବାପାଙ୍କ କଥା ଚିନ୍ତାକରି-। କାହିଁକି ବା ହୁଅନ୍ତା ? ଏଇ ଯେ ନୂଆ ଯୁଗ ଆସୁଚି ! ସେ ଯୁଗର ବାସ୍ନା ଯେ ବାଜି ସାରିଥାଏ ବିଭୁପ୍ରସାଦର ନାକରେ । ମନମୋହନର ବାପା ଓ ଭବାନୀପ୍ରସାଦଙ୍କ ମଧ୍ୟରେ ସେ ଆଜି କୌଣସି ପାର୍ଥକ୍ୟ ଅନୁଭବ କରୁ ନଥାଏ । ନୂତନ ଯୁଗର ପ୍ରାରମ୍ଭରେ ଏ ଦୁଇଟି ବାପାଙ୍କର ଚାକିରି ଚାଲିଯାଉଛି । ଯାଉ । ଜଣେ ଯାଉଚି ନିଜର ଓ ନିଜର ସାତପୁରୁଷୀ–ଅତିଶୟ ଜିହ୍ୱାଲାଳସାଜନିତ ଦୁଷ୍କର୍ମ ଯୋଗୁଁ । ଆଉ ଅନ୍ୟଜଣକବି ସେଇପରି ଯାଉଥିବ–ହୁଏତ ପୂର୍ବଜନ୍ମର କୌଣସି ଦୁଷ୍କାର୍ଯ୍ୟ ଓ ତଜ୍ଜନିତ ଅଭିଶାପ ଯୋଗୁଁ ।

 

କିନ୍ତୁ ଏହି ମର୍ମରେ ଆହୁରି ଅଧିକ ଯୁକ୍ତିଦ୍ଵାରା ଚିନ୍ତା କରିବା ନିମିତ୍ତ କେଜାଣି କାହିଁକି ସାହସ କୁଳୋଉ ନଥାଏ ବିଭୁପ୍ରସାଦର । ସେଇ କ୍ରିୟା–ପ୍ରତିକ୍ରିୟା ଅଥବା ଗୋଡ଼ିଟିଏକୁ ପଥରଟିଏ ଥିଓରିଟା ସବୁଦିନ ପରି ତା’ ମନରେ ସୃଷ୍ଟି କରୁଥାଏ କୌଣସି ଏକ ଅଜ୍ଞାତ ଆଶଙ୍କା । ତା’ର ହାତମୁଠାର ଆଙ୍ଗୁଠିଗୁଡ଼ିକ ସବୁଦିନ ପରି କଟକଟ ହୋଇ ଉଠୁଥାନ୍ତି–

 

“ଖୋଡ଼ ହୋଇଯିବ....... ।”

 

ନା, ନା । ପ୍ରତିକ୍ରିୟାର ଏତେ ବଡ଼ ସାଂଘାତିକ ବୋଝ, ଏତେ ବଡ଼ ଉତ୍ତାପକୁ ସାଧାରଣ ଚମ–ହାତ ଉପରେ ସହ୍ୟ କରି ପାରିବା ଶକ୍ତିର ଅଭାବ ଏପର୍ଯ୍ୟନ୍ତ ପୂର୍ଣ୍ଣ ହୋଇ ନଥାଏ ମଧ୍ୟବିତ୍ତର ଶିଶୁ ବିଭୁପ୍ରସାଦ ପକ୍ଷରେ । ତା’ର ଅବଚେତନରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବା ତା’ର ବାପାଙ୍କର ସେଇ ସତର୍କବାଣୀଟି ବେଳେବେଳେ ଏଇ ସବୁ ମୁହୂର୍ତ୍ତର ଆଲୋକରେ ଝଟକି ଉଠି ଚେତାଇ ଦିଅନ୍ତି ବିଭୁପ୍ରସାଦକୁ–

 

“ସାବଧାନ ! ଏହା କିନ୍ତୁ ତୁମର ପନ୍ଥା ନୁହେଁ । ପ୍ରତିକ୍ରିୟା ତୁମକୁ ଶୋଭା ପାଏନା । ତୁମେ ହେଉଚ ସାକ୍ଷାତ ମାତା–ପ୍ରକୃତିର ବିଶ୍ଵସ୍ତ ପ୍ରତୀକ । ତୁମର ନାମ ‘ବାଉଁଣ୍ଟି ଅଫ୍ ଦି ନେଚର୍-।’ ମାଟିର କାମକୁ ଲକ୍ଷ୍ୟକର । ମାଟି କ’ଣ କରେ ? କ୍ରିୟା ଓ ପ୍ରତିକ୍ରିୟାର ନିୟମରେ ସେ କିନ୍ତୁ ପରିଚାଳିତ ହୁଏ ନାହିଁ । ନଚେତ୍ ତା’ ଉପରେ ଏତେ ଉତ୍ପାତ ପରେ ଗୋଟିଏ ବିଞ୍ଚିଦେଲେ ତାହା କୋଟିଏ ହୋଇ ଏକ ଶ୍ୟାମଳ ଶଷ୍ୟକ୍ଷେତ୍ରରେ ପରିଣତ ହୋଇଯାନ୍ତା ନାହିଁ-। ସେ ଯଦି ପ୍ରତିକ୍ରିୟାରେ ବିଶ୍ୱାସ କରୁଥାନ୍ତା ତେବେ ସେଇ ଗୋଟିକୁହିଁ ତୁମେ ଫେରି ପାଆନ୍ତ । ମହଣ ମହଣ ନୁହେଁ ।

 

ଏହା ବ୍ୟତୀତ ଆହୁରି ପଦେ ଦୁଇପଦ ମଧ୍ୟ–

 

“ହୁସିଆର ! ଯାହା କରୁଚ କର ପଛକେ–ହାତଟିକୁ ହୁସିଆର ରଖି ଶିଖ । ଏ ହାତରେ କଲମ ଶୋଭା ପାଏ–ହାତକଡ଼ା ନୁହେଁ । ପ୍ରତିବାଦ କର–ପ୍ରତିଶୋଧ ନୁହେଁ...... ।”

 

ଚା’ ଥଣ୍ଡା ହୋଇ ଯାଉଥାଏ । ନଟବର ତଥାପି ଗୁମ୍‍ସୁମ୍ । ନଟବରର ଏ ଅବସ୍ଥା ଦେଖି ବିଭୁପ୍ରସାଦର ମନରେ ପାପ ଛୁଏଁ । ହଠାତ୍ ତା’ର ମନେପଡ଼େ–ବୁଢ଼ୀର ଅପରେସନ୍ ହୋଇଥିବ ଏଇ ସକାଳେ ତାହାହେଲେ ?

 

ସୁକୁମାରୀ ଦୋଓଡ଼ା ଚା’ କରି ଆଣି ଥୋଇ ଦେଇ ଗଲାଣି ଏଥିମଧ୍ୟରେ । ବିଭୁପ୍ରସାଦ ଚାହୁଁଥାଏ ଚା’କୁ ବା ସେଇ ଚମତ୍କାର ପୁରୁଣା ଜାପାନୀ ଚା’କପ୍‍ଟିକୁ । ତା’ର ଆଖିରେ ପଡ଼ୁଥାଏ–ସେଦିନ ରାତିରେ ନଟବରର ବର୍ଣ୍ଣିତ ଶକ୍ତିରୂପିଣୀ ନାରୀର ପୃଷ୍ଠଭୂମି ଉପରେ ଠିଆ ହୋଇଥିବା ଆପାତତଃ ସରଳା ଆଉ ଗ୍ରାମୀଣ ଦିଶୁଥିବା ଝିଅଟିର ମୁହଁଟି ।

 

ଏ କ’ଣ ସେଇ ମା’ର ଝିଅ ? ୟା ଦିହରେବି କ’ଣ ସେଇ ଶକ୍ତି ରହିଚି ?....ଗତ ରାତିରେ ଶୁଣିଥିବା ସୁକୁମାରୀର, ପ୍ରତ୍ୟେକଟି ନିଃସହାୟ ନିଃଶ୍ୱାସ ବାଜିଯାଏ ବିଭୁପ୍ରସାଦର କାନରେ । ବିଭୁପ୍ରସାଦର ମନେ ହୁଏ ସତେ ଯେମିତି ସେ ଗୋଟାଏ ସ୍ଵପ୍ନ ଦେଖୁଥାଏ–ଏକ ଅଦ୍ଭୁତ ଅସମ୍ଭବ ସ୍ଵପ୍ନ ।

 

ଅନେକବେଳ ଚୁପ୍ ରହେ ବିଭୁପ୍ରସାଦ । ବଖରାଟିସାରା ଆଖି ବୁଲେଇ ବୁଲେଇ ସେ ଲକ୍ଷ୍ୟ କରୁଥାଏ ସେଥିଭିତରେ ସେଇ ନବପ୍ରତିଷ୍ଠିତ ସହାବସ୍ଥାନର ରୀତିନୀତିକୁ ।

 

ଏଥିମଧ୍ୟରେ ବଖରାଟି ବେଶ୍ ପରିଷ୍କାର ପରିଚ୍ଛନ୍ନ ହୋଇ ସାରିଥାଏ । ସେଦିନର ଆଳୁକୁଚି, ପେଡ଼ି ପେଟରା, ମୃଦଙ୍ଗ, ହାରମୋନିୟମ୍ ପ୍ରଭୃତି ଜିନିଷଗୁଡ଼ିକ ଯାତ୍ରାପାର୍ଟିର ଗ୍ରିନ୍‍ରୁମ୍ ପରି ଇତସ୍ତତଃ ହୋଇ ପଡ଼ି ନଥାଏ । ବଖରାଟିର ଚେହେରା ପୂରାପୂରି ବଦଳି ଯାଇଥାଏ ।

 

ବଖରାଟିକୁ ବାରମ୍ବାର ଚାହିଁ ବିଭୁପ୍ରସାଦ ମନେ ପକାଉଥାଏ ତା’ର ଇତିହାସ ଓ ତା’ର ନାମକରଣର ବିଶେଷତ୍ଵ । ମନେ ପଡ଼ୁଥାଏ ତା’ର–ଗୁମ୍ଫା ଦରୱ୍ୟାନ୍‍ଟିର କଥା । ଦିନଯାକ ଏ ବଖରାଟି ଥାଏ ତା’ର । ଆଉ, ରାତିରେ ଫେରିଆସି ଏ ବଖରାଟି ରହେ ଗବେଷକ ବିଭୁପ୍ରସାଦର କର୍ତ୍ତୃତ୍ଵରେ । ଆଞ୍ଜୁଳା ଆଞ୍ଜୁଳା ଖଣ୍ଡିଆ ବିଡ଼ି, ଖଙ୍କାର ଆଉ ଛିଣ୍ଡା କାଗଜ ପ୍ରଭୃତି କାଢ଼ି ବାହାରକୁ ଫିଙ୍ଗିବାବେଳେ ବିଭୁପ୍ରସାଦ ଆଘ୍ରାଣ କରେ ବାହାରର ନିଶୀଥ ଶୀତଳ ବାୟୁ ସହିତ ମିଶି ରହିଥିବା ପାଖ ଘରବାଲା ବାଡ଼ିରେ ଫୁଟିଥିବା ଗଙ୍ଗଶିଉଳି, ମଲ୍ଲୀର ସୁଗନ୍ଧ । ଘରଟିର ନାଁ ଦିଏ ବିଭୁପ୍ରସାଦ ପ୍ରଥମେ–‘ନୀରବ ନିଳୟ’ ! ପରେ ପରେ ତାହା ବଦଳିଯାଏ ଅବଶ୍ୟ ଏଇ ‘ନୀରବ ନିଳୟ’କୁ ।

 

ବିଭୁପ୍ରସାଦର ଶରୀର କିଞ୍ଚିତ୍ ରୋମାଞ୍ଚିତ ହୋଇ ଆସିଲା । ସେ ଲକ୍ଷ୍ୟକଲା–ଚାଲି ଯାଉ ଯାଉ ଟିକିଏ ଆଢ଼ୁଆଳ ହୋଇ ଠିଆ ହୋଇ ଯାଇଚି ସୁକୁମାରୀ ।

 

ନଟବର ତଥାପି ଗୁମ୍‍ମାରି ପଡ଼ିଥାଏ ।

 

ବଖରାଟିର ପର୍ଯ୍ୟବେକ୍ଷଣ ସମ୍ପୂର୍ଣ୍ଣ ହୋଇ ନଥାଏ । ଚାରି କାନ୍ଥରେ ଆଖି ବୁଲେଇ ଲକ୍ଷ୍ୟ କରୁଥାଏ ବିଭୁପ୍ରସାଦ । କାନ୍ଥଯାକ ଆବୁରୁଜାବୁରୁ ହୋଇ ମରାଯାଇଥିବା କ୍ୟାଲେଣ୍ଡରଗୁଡ଼ିକ ତଥାପି ସେମିତି ଝୁଲୁଥାନ୍ତି । ଏଗୁଡ଼ିକ ସବୁ ସୁକୁମାରୀର ଆମଦାନି । କ୍ୟାଲେଣ୍ଡରଗୁଡ଼ିକର ସିନେମାଷ୍ଟାର୍, ରାଧାକୃଷ୍ଣ, ହରପାର୍ବତୀ ବ୍ୟତୀତ ସୁକୁମାରୀର ନିଜ ହାତର ଛୁଞ୍ଚିକାମକରା କେତୋଟି ଚଢ଼େଇ, ଗଛ, ଗାଉଁଲି ରାସ୍ତାରେ ଉଠି ଆସୁଥିବା ସୂର୍ଯ୍ୟ, ପାହାଡ଼ ଆଉ ଗୋଟିଏ ଗାନ୍ଧୀଛବି ମଧ୍ୟ ଥାଏ ।

 

କାନ୍ଥସାରା ଲଟକିଥିବା ଏହି ସବୁ ରୂପ ବିଗ୍ରହମାନଙ୍କୁ ଲକ୍ଷ୍ୟ କରୁ କରୁ ହଠାତ୍ ଠାଏ ଅଟକିଗଲା ବିଭୁପ୍ରସାଦର ଆଖି । ସେ ସଳଖି ହୋଇ ବସି ପଡ଼ିଲା ଏବଂ ଲକ୍ଷ୍ୟକଲା କାନ୍ଥର ସେଇ ଅଂଶଟିକୁ ।

 

ସେ ଫଟୋଟି ଅବଶ୍ୟ ସୁକୁମାରୀର ପରିବାରର ସମ୍ପତ୍ତି ନଥିଲା । ତାହା ଥିଲା ବିଭୁପ୍ରସାଦର ସମ୍ପତ୍ତି–ଦୀର୍ଘ ବିସ୍ତୃତ, ଅବହେଳିତ, ଅଳନ୍ଧୁଧରା ସମ୍ପତ୍ତିଟିଏ । ଭବାନୀପ୍ରସାଦଙ୍କର ପିଲାଦିନର ଗୋଟିଏ ଛବି । ସେତେବେଳେ ତା’ର ବାପା ଥିଲେ ଯୁବକ । ତାଙ୍କର ଛାତିଥିଲା ଚାଳିଶ ଇଞ୍ଚ୍ ଓ ବେକଥିଲା ସଳଖ ଓ ଗର୍ବୋସ୍ଫୀତ । କିନ୍ତୁ ତାହା ଛଡ଼ା ସେ ଫଟୋଟିର ଆଉ ଏକ ବିଶେଷତ୍ଵ ଥିଲା । ସେ ଫଟୋଟିର ସେଇ କଞ୍ଚା ବୟସର ମୁହଁ ଦେଖିଲେ ଯେ କେହି ଭୁଲକରି ପଚାରୁଥିଲା–‘‘ତୋ ଚେହେରା ଏମିତି କେବେ ଥିଲାକିରେ ବିଭୁ, ପିଲାଦିନେ ଏତେ ବଢ଼ିଆ ଦିଶୁଥିଲୁ ତୁ ସତେ ?”

 

ବିଭୁପ୍ରସାଦ ତା’ର ଅଜାଣତରେ କେତେବେଳେ ଉଠି ପଡ଼ିଥିଲା ନଟବରର ଶେଯ ପାଖରୁ । କାନ୍ଥର ସେଇ ଅଂଶଟି ପାଖକୁ ଯାଇ କେତେବେଳେ ସେ ଠିଆ ହୋଇ ପଡ଼ିଥିଲା ସେଠି-। ବିସ୍ମିତ ହୋଇ କେତେବେଳେ ସେ ଲକ୍ଷ୍ୟ କରୁଥାଏ–ଦୀର୍ଘ ବିସ୍ମୃତ ସେଇ ଫଟୋଟିର ସହସା ରୂପାନ୍ତର ! ଫଟୋଟି ଜକଜକ ହୋଇ ଜଳୁଥାଏ । ତା’ ବେକରେ ପଡ଼ିଥାଏ ସୋରିଏ ଗଜରା ଜରିହାର । ଫଟୋର କାଚ ଉପରେ ଚନ୍ଦନ ଟୋପାଟିଏ ପରି କ’ଣ ଟୋପାଟିଏ ଲଗାଯାଇଥାଏ-। ଆଉ, ଠିକ୍ ଫଟୋଟିର ତଳ ଅଂଶରେ କାନ୍ଥରେ ପଡ଼ିଥିବା କଳା ଧୂଆଁ ଧାସ କେତେଟା ସ୍ପଷ୍ଟ ବାରି ହୋଇ ପଡ଼ୁଥାଏ ।

 

ବିଭୁପ୍ରସାଦର ଦିହରେ ଖେଳୁଥାଏ ଲହଡ଼ି । ସମୁଦ୍ର ଭିତରକୁ ଓହ୍ଲାଇ ଯାଉଥିବା ଲୁଣର ମୂର୍ତ୍ତିଟିଏ ପରି ସେ ଅନୁଭବ କରୁଥାଏ ।

 

ହଠାତ୍ କଡ଼ ମୋଡ଼ି ଉଠିବସିଲା ନଟବର । ନଟବରର ଏହି ପୁନରୁତ୍ଥାନକୁ ଲକ୍ଷ୍ୟ କରି ନଥିଲା ବିଭୁପ୍ରସାଦ ।

 

ତେଣୁ ନଟବରର ସେଇ ଅପ୍ରତ୍ୟାଶିତ ଚିତ୍କାରରେ ପ୍ରାୟ ଟଳମଳ ହୋଇ ଖସି ପଡ଼ୁଥିଲା ବିଭୁପ୍ରସାଦ । କାନ୍ଥକୁ ଆଉଜି ପଡ଼ି ସେ ଠାକିଗଲା ଦୈବାତ୍ ।

 

“ନା, ନା, ନା....ମୁଁ କେବଳ ଦେଖଣାହାରି ନୁହେଁ....ମୁଁ ଶିବାଜୀରାଣା ପ୍ରତାପ ! ....ଖାରବେଳ ଗଙ୍ଗାଧର ତିଳକ ମୁଁ ସୁବାସ,....ବନ୍ଧୁ, ମୁଁ କମ୍ରେଡ଼ ସର୍ବହରାର କମ୍ରେଡ଼ ମୁଁ ବନ୍ଧୁ !” ‘ନୀରବ ନିଳୟ’ର ଛୋଟ ଟିଣ ଛାତଟି ଝାଇଁ ଝାଇଁ କରି ଉଠିଲା ନଟବରର ଗର୍ଜନରେ ।

 

ସୁକୁମାରୀ ଧାଇଁଆସିଲା ।

 

“ଆମକୁ ଡେଇଁ ପଡ଼ିବାକୁ ହେବ ନିଆଁ ଭିତରକୁ....ମାତୃଭୂମିକୁ ରକ୍ଷା କରିବାକୁ ହେବ ଖଣ୍ଟମାନଙ୍କ ହାତରୁ....ଠଗମାନଙ୍କୁ ଦଳିବାକୁ ହେବ....ପିଣ୍ଡାରିମାନଙ୍କୁ ରୁଦ୍ଧଶ୍ଵାସ କରିବାକୁ ପଡ଼ିବ । ନା । ମୁଁ ନୁହେଁ କେବଳ ଏକ ଚାଷୀ ଓଲା ରାଉତର ପୁଅ । ମୁଁ ଯାତ୍ରାଦଳରେ ମିଶିନାହିଁ ବନ୍ଧୁ । ମୁଁ ମିଶିଚି ସର୍ବହରା ଦଳରେ.... !” ହଠାତ୍ ଯେପରି ସେଇ ଛୋଟ ଟିଣ ଛାତଟି ଏକ ବିରାଟ ଲାଉଡ଼୍‍ସ୍ପିକର୍‍ରେ ପରିଣତ ହୋଇଗଲା ।

 

ନଟବରର ଉତ୍ତପ୍ତ ମୁଣ୍ଡଟାକୁ ଛାତି ଉପରକୁ ଆଉଜାଇ ଆଣି ବସିପଡ଼ିଲା ସୁକୁମାରୀ । ସମ୍ପୂର୍ଣ୍ଣ ପ୍ରାକୃତିକ ଏବଂ ଅଭିନୟ ଶୂନ୍ୟ ତା’ର ମୁହଁ । ସତେ ଯେପରି ଚିରଅଭ୍ୟସ୍ତା ସେ ଏସବୁ କାମରେ ।

 

ନଟବରର ସ୍ଵର ଟିକିଏ ଦବି ଆସିଲା । ତା’ର ଓଦା ସ୍ତରରୁ ଧୀରେ ଧୀରେ ମିଳେଇ ଗଲା ସେଇ ବେସୁରା ପର୍ଦ୍ଦାର ଅପ୍ରୀତିକର କର୍କଶ ଧ୍ୱନିଟା । ତା’ର ଶ୍ଵାସ କ୍ରମଶଃ ଦୀର୍ଘତର ହେବାକୁ ଲାଗିଲା । ତଥାପି ମଝିରେ ମଝିରେ ଗୋଟାଏ ଗୋଟାଏ ହିକ୍କା ପରି ସେ ଚିତ୍କାର କରି ଉଠୁଥିଲା–

 

“ମୁଁ ଆସୁଚି....ଅପେକ୍ଷାକର ମୁଁ ଆସୁଚି । ସେଦିନ ସେମାନେ ମରିଥିଲେ ବଢ଼ି ଆଉ ମରୁଡ଼ିରେ, ମହାଜନ ଆଉ ବିଦେଶୀ ଅମଲାର ଶୋଷଣରେ । ଆଜି ସେମାନେ ମରିଚନ୍ତି ‘ସ୍ୱଦେଶୀ’ର ଶୋଷଣରେ । ରୁହ କଂଟ୍ରାକ୍ଟର, ଓକିଲ, ଫଳ ବେପାରୀଏ, ପୋଷ୍ଟ୍‍ମାଷ୍ଟର୍ ଆଉ ଡାକ୍ତରଗଣ–ଅପେକ୍ଷା କର । ମୁଁ ଆସୁଚି....ମୁଁ....ମୁଁ ଆସୁଚି !

 

ନଟବରର ଚିତ୍କାରଗୁଡ଼ାକ ଧୀରେ ଧୀରେ ମରିଯାଉଥାଏ । ସେତେବେଳକୁ ସେ ପୂରା କଇଁକଇଁ ହୋଇ କାନ୍ଦୁଥାଏ–ସୁକୁମାରୀର ଛାତି ଉପରେ । ସୁକୁମାରୀ ତାକୁ ବୋଧ ଦେଉଥାଏ । ମାଲେରିଆର କମ୍ପ ଭିତରେ ଅନ୍ତ ଦୁହିଁ ବାହାରି ଆସୁଥିବା ବାନ୍ତିଗୁଡ଼ିକ ସମୟରେ ମୁଣ୍ଡପିଠି ଆଉଁଷି ଆଉଁଷି ମା’ ଯେପରି ଶିଶୁକୁ କହୁଥାଏ ସେହିପରି କ’ଣ ସବୁ କହୁଥାଏ ସେ ନଟବରକୁ । ବିଭୁପ୍ରସାଦ ଜଡ଼ ପାଲଟିଲା ପରି ଠିଆ ହୋଇଥାଏ–ସେଇ ଫଟୋଟି ତଳେ ।

 

ଅନେକ ସମୟ ପରେ ନଟବରର କାନ୍ଦ କମି ଆସିଲା । ଲୁହ ପୋଛି ପୋଛି ସେ ବାହାରକୁ ଉଠି ଆସିଲା । ତା’ର ପଛେ ପଛେ ବାହାରି ଆସିଲା ବିଭୁପ୍ରସାଦ । ସୁକୁମାରୀ ଥକ୍କାମରା ହୋଇ ଠିଆ ହୋଇଥାଏ ସେଇ ଏକାଠା’ରେ ।

 

ସୁକୁମାରୀର ଦୃଷ୍ଟି ଅନ୍ତରାଳକୁ ଆସିବାମାତ୍ରେ ନଟବର ବିଭୁପ୍ରସାଦକୁ ଭିଡ଼ି ଧରିଲା ଓ ସତେ ଯେପରି ସେ ଆଗରୁ ଘୋଷି ରଖିଥିଲା, ସେହିପରି ସ୍ଵରରେ କହିଗଲା ତା’ର କାନ ପାଖେ–

 

“ଶୁଣ ! ଏ ହଉଚି ମୋର ଶେଷ ନିଷ୍ପତ୍ତି । ସେ ତତେହିଁ ଲାଗିଲା । ବିଶ୍ଵାସ କର । ମୋର ତା’ ସହିତ କୌଣସି ଅସତ୍ ସମ୍ପର୍କ ନାହିଁ ବା ନଥିଲା । ତା’ ଛଡ଼ା ମୁଁ ଯେତେବେଳେ ଯୁଦ୍ଧଭୂଇଁକୁ ଯିବାପାଇଁ ଥରେ ଗୋଡ଼ ବଢ଼େଇଲିଣି, ଏତେବେଳେ ମୁଁ ମୋର ପାଦକୁ ଛନ୍ଦିବାକୁ ଦେବି ନାହିଁ ।”

 

ତା’ର କୋହର ଶେଷାଂଶଟି ଏପର୍ଯ୍ୟନ୍ତ ମରି ନଥିଲା । ଟିକିଏ ଥମିଯାଇ ସେ ତା’ର କୋହଟି ବାହାରି ଯିବାପାଇଁ ଅପେକ୍ଷା କଲା । ତା’ପରେ ସେ ସ୍ଵୀକାର କଲା ସେଇ ସକାଳର ସବୁଠାରୁ ଅଧିକ ମର୍ମନ୍ତୁଦ ଘଟଣାଟିକୁ–

 

‘‘ଶେଷ ମୁହୂର୍ତ୍ତରେ ମୋର ମନେ ପଡ଼ିଲା–କର୍କଟ ରୋଗର ଆଡ଼୍‍ଭାନ୍‍ସ୍ ଅବସ୍ଥାରେ ଅପରେସନ୍ ହୁଏ ନାହିଁ । କିନ୍ତୁ ଡାକ୍ତରର ମତଲବ ଥିଲା ତୋର ସେଇ ଟଙ୍କା ପାଞ୍ଚଶହକୁ ଝାଡ଼ି ନେବାପାଇଁ । ମୁଁ ବହୁତ ଚିନ୍ତା କରିଛି । ଆଜି ଅପରେସନ୍ ହୋଇଥାନ୍ତା । କିନ୍ତୁ....”

 

ବିଭୁପ୍ରସାଦର ସବୁ ବେକର ଗୋଟିଏ ମାଂସପେଶୀ ହଠାତ୍ ଚଳତ୍‍ଶକ୍ତି ହରାଇ ବସିଲା-। ସେ ଜାବୁଡ଼ି ଧରିନେଲା ତା’ ନିଜ ବେକକୁ । ନଟବର ତା’ର ବାକ୍ୟଟିକୁ ଶେଷକଲା–

 

“ମୁଁ ତୋର ଟଙ୍କା ପାଞ୍ଚଶହକୁ ଗୋଟିଏ ନିର୍ବାଚନ ପାଣ୍ଠିକୁ ଦେଇଦେଲି ବିଭୁପ୍ରସାଦ ।”

 

ନୀରବ ଓ ନିଶ୍ଚଳ ହୋଇ ଠିଆ ହୋଇ ରହିବା ବ୍ୟତୀତ ବିଭୁପ୍ରସାଦର ଆଉ କୌଣସି ଅନୁଭୂତି ଜାତ ହେଉ ନଥିଲା ସେତେବେଳେ । ନଟବର ଫେରିପଡ଼ୁଥିଲା ପଛକୁ–‘ନୀରବ ନିଳୟ’ ଆଡ଼କୁ । କିନ୍ତୁ କ’ଣ ଭାବି ସେ ପୁଣି ଅଟକି ଗଲା । ଏକ ଅଭିନବ ଆଲୋକ ସେତେବେଳକୁ ଲାଗି ଲାଗି ଆସୁଥାଏ ତା’ର ଶୁଖିଲା ଓଠ ଦୁଇଟିର ଧାରେ ଧାରେ ।

 

“ତୁ ବୋଧହୁଏ ସବାଶେଷ ଖବର ଏପର୍ଯ୍ୟନ୍ତ ଶୁଣିନୁ ବିଭୁ–” ସେଇ ରୁପେଲି ହସଟି ଭିତରୁ ସେ କହି ଉଠିଲା, “ଏ ନିର୍ବାଚନରେ ଲଢ଼ିବାପାଇଁ ଆମେ ଏକ ସଂଯୁକ୍ତ ସାମ୍ମୁଖ୍ୟ ଦଳ ଗଢ଼ିଚୁ-। ଆମେ ଜାଣିଚୁ ଏ ଲଢ଼େଇରେ ମଧ୍ୟ ଆମର ପତନ ସୁନିଶ୍ଚିତ । ଆମ ହାତରେ ପୁଞ୍ଜି ନାହିଁ-। କିନ୍ତୁ ତୁ ଜାଣୁ ? ମି. ଶେଠୀଙ୍କୁ ଆମେ ଠିଆ କରାଉଚୁ । ଆଉ, ତୁ ବୋଧହୁଏ ବିଶ୍ୱାସ କରିପାରିବୁ ନାହିଁ–ଗର୍ଭିଣୀ ମୁରାଶା ଏପର୍ଯ୍ୟନ୍ତ ବଞ୍ଚିଚି । ତା’ର ପେଟରେ ମନମୋହନର ଶିଶୁ ତଥାପି ଖେଳୁଚି-। ସେ ବି ଠିଆ ହେଉଚି.... । ତା’ପାଇଁ ଅବଶ୍ୟ ଅଧିକ ପୁଞ୍ଜି ଓ ପ୍ରଚାର ଆମର ଲୋଡ଼ା ନାହିଁ-l ତା’ର ପେଟଟାହିଁ ବର୍ତ୍ତମାନ ତା’ ପକ୍ଷରେ ଏକ ବିରାଟ–‘ଆସେଟ୍ (Asset) !’ କ୍ୟାପିଟାଲ୍–ବିନାପୁଞ୍ଜିରେ ଷ୍ଟାର୍ଟ୍‍ କରିହୁଏ ଯେଉଁଠି....ହାଃ,ହାଃ.... ।” ନଟବରର ମୁହଁ ବୁଲିଗଲା କୌଣସି ଏକ ଅସ୍ପଷ୍ଟ ଇଙ୍ଗିତ ସହିତ ।

 

ବିଭୁପ୍ରସାଦର ଇଚ୍ଛା ହେଉଥିଲା ତା’ର ‘ନୀରବ ନିଳୟ’ ଭିତରକୁ ପଶିଯାଇ ଖଟିଆ ଉପରେ ଲୋଟି ପଡ଼ିବାକୁ । ତା’ର ବେକମୂଳରେ ଅଜସ୍ର ଛୁଞ୍ଚି ଫୋଡ଼ି ହେଇ ଯାଉଥାଏ । ତା’ର ଆଙ୍ଗୁଠିଗୁଡ଼ିକୁ ପୁଣି ଯେମିତି କେହି ରଟରଟ କରି ଖାଇ ଯିବାକୁ ଆରମ୍ଭ କଲା ।

 

କିନ୍ତୁ ପଛକୁ ଫେରିବାର ଉପାୟ ନଥିଲା । କାରଣ ଘରଭିତରେ ଠିଆ ହୋଇଥିବା ସେଇ ନୀରବ ମୂର୍ତ୍ତିର ମୁହଁକୁ ଫେରି ଚାହିଁବାର ସତ୍‍ସାହସ ନଥିଲା ବିଭୁପ୍ରସାଦର ।

 

ଝଡ଼ପରି ନଟବର ପୁଣି ଫେରି ପଡ଼ିଲା । ଟିକିଏ ସମୟପାଇଁ ସେ ‘ନୀରବ ନିଳୟ’ ଭିତରେ ଅଦୃଶ୍ୟ ହୋଇଗଲା । ସେ ବୋଧହୁଏ ତା’ର ଲୁଗାପଟା ବନ୍ଧାବନ୍ଧି କରୁଥିଲା । ନିର୍ବାଚନ ଆଗେଇ ଆସୁଚି–ତାକୁ ମଫସଲ ଯିବାକୁ ପଡ଼ିବ । ହସ୍‍ପିଟାଲ୍‍ରେ ଛାଡ଼ି ଆସିଥିବା ବୁଢ଼ୀଟିର କଥା ସେ ବୋଧହୁଏ ସମ୍ପୂର୍ଣ୍ଣ ପାଶୋରି ଦେଇଥିଲା ସେତେବେଳକୁ

 

ସୁକୁମାରୀ ବାହାରକୁ ଆସିଲା । ବେକ ବୁଲାଇ ବିଭୁପ୍ରସାଦ ତା’ ଆଡ଼କୁ ଚାହିଁ ପାରୁ ନଥାଏ । ବେକଟା ତା’ର ରହିଯାଇଥାଏ ।

 

ବିଭୁପ୍ରସାଦର ହାତ ଆଡ଼କୁ ଆଲୁମିନିୟମ କ୍ୟାନ୍‍ଟିଏ ବଢ଼ାଇ ଦେଇ ସୁକୁମାରୀ ନୀରବରେ ଫେରିପଡ଼ିଲା ପଛକୁ । ଚମକି ପଡ଼ିଲା ବିଭୁପ୍ରସାଦ–ତା’ର ସେଇ ନୀରବ ନିର୍ଦ୍ଦେଶରେ-

 

ତାକୁ ହସ୍‍ପିଟାଲ ଯିବାକୁ ହେବ ।

 

‘ନୀରବ ନିଳୟ’ ହତା ବାହାରକୁ ବାହାରି ଆସିବା ପୂର୍ବରୁ ପଛକୁ ଥରେ ଫେରି ଚାହିଁଲା ବିଭୁପ୍ରସାଦ । ବାହାରେ କେମିକାଲ୍‍ କଟେଜ୍ ଇଣ୍ଡଷ୍ଟ୍ରିପାଇଁ ଜମିଥିବା ସେଇ ଲୁହା ଆଉ ପୁରୁଣା ରେଡ଼ିଓ ବ୍ୟାଟେରୀଗୁଡ଼ିକର କୁଢ଼ ଭିତରୁ, ଛୋଟ ବାରଣ୍ଡାଟିକୁ ଉଠିବା ନିମିତ୍ତ ପାଦ ଥୋଇବା ପଥର ଖଣ୍ଡିକ ଉପରେ ତା’ର ଆଖି ଟିକିଏ ସମୟପାଇଁ ଅଟକିଗଲା । ଗୋଟିଏ ପଦ୍ମ ଓ ତା’ର ଦୁଇ କଡ଼ରେ ପଡ଼ିଥିବା କୁନି କୁନି ପାଦର ଝୋଟି ଚିହ୍ନଟି ପକାଇବାମାତ୍ରେ ତା’ର ଆଖିରେ ବୁନ୍ଦାଏ ଲୁହ ଅଚାନକ ଢଳଢ଼ଳ ହୋଇ ଉଠିଲା । ଗୋଡ଼ କାଢ଼ି ଶୀଘ୍ର ବାହାରି ଆସିଲା ସେଠୁ–ବିଭୁପ୍ରସାଦ ।

 

ଦୁଇଦିନ ପରେ–

 

ଦୁଇଟି ଚିଠି ପ୍ରାୟ ଏକ ସଙ୍ଗେ ବିଭୁପ୍ରସାଦର ହସ୍ତଗତ ହେଲା । ପ୍ରଥମ ଚିଠିଟି ଥିଲା ଖଣ୍ଡିଏ ନିମନ୍ତ୍ରଣ ପତ୍ର । ବିଭୁ ସେ ଖଣ୍ଡିକୁ ପ୍ରଥମେ ଖୋଲିଲା । ବିଭୁପ୍ରସାଦର ବେକର ଯନ୍ତ୍ରଣା ଏପର୍ଯ୍ୟନ୍ତ ଭଲ ହୋଇ ନଥାଏ । ନିମନ୍ତ୍ରଣ ପତ୍ରରେ ମନମୋହନର ନାଁଟା ଦେଖି ସେ ପୁଣିଥରେ ଚମକି ଉଠିଲା ।

 

କିନ୍ତୁ ତାହାହିଁ ବାସ୍ତବିକ ଥିଲା ମନମୋହନର ବିବାହ ନିମନ୍ତ୍ରଣ ।

 

ନିମନ୍ତ୍ରଣ ପତ୍ରଟିକୁ ବାରମ୍ବାର ପଢ଼ି ମଧ୍ୟ ବିଭୁପ୍ରସାଦ ଆଦୌ ବୁଝିପାରୁ ନଥାଏ–ସେଇ ପତ୍ରଟିର ପ୍ରକୃତ ମର୍ମ । କିଏ ସେଇ ଭାଗ୍ୟବତୀ ମହିଳା ଓ ତା’ର ପିତା ? କିନ୍ତୁ ପଛର ସେଇ ନାଁଟିକୁ ଯେତେଥର ପଢ଼ିଲେ ମଧ୍ୟ ବିଭୁପ୍ରସାଦର ଆତ୍ମପ୍ରତ୍ୟୟ ହେଲା ନାହିଁ । କାରଣ ସେଇ ନାଁଟିକୁ ଖବରକାଗଜରେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସମ୍ବାଦ ଶୀର୍ଷରେ ଦେଖିବାରେ ତା’ର ଆଖି ଏତେ ଅଭ୍ୟସ୍ତ ହୋଇ ଯାଇଥିଲା ଯେ ଅନ୍ୟତ୍ର ଯେ ଶବ୍ଦଗୁଡ଼ିକ ପ୍ରାୟ ନିରର୍ଥକ ମନେ ହେଉଥିଲା ।

 

ଓଃ ! !–ବିଭୁପ୍ରସାଦର ଦୀର୍ଘଶ୍ୱାସରେ ନିମନ୍ତ୍ରଣ ପତ୍ରଟି ଖସି ପଡ଼ିଲା ତା’ ହାତରୁ । ମନମୋହନର ବାପା ତାହାହେଲେ ବିକ୍ରି କରିଦେଲେ ଆପଣା ପୁଅକୁ ? ସେ ତାହାହେଲେ ସସ୍‍୍ପେନସ୍‍ରୁ ବର୍ତ୍ତିଗଲେ ? ବିଭୁପ୍ରସାଦର ସୁପ୍ତ ଦ୍ଵନ୍ଦ୍ୱ ପୁଣି ଚେଇଁ ଉଠିଲା । କ୍ରିୟା–ପ୍ରତିକ୍ରିୟା–ପ୍ରତିକ୍ରିୟା–କ୍ରିୟା.... । ରାମ–ମରା–ମରା–ରାମ... । ଦ୍ଵିତୀୟ ଚିଠିଟିକୁ ଏଥିମଧ୍ୟରେ ଖୋଲି ସାରିଥିଲା ବିଭୁପ୍ରସାଦ । ଏଇଟି ଥିଲା ତା’ର ବାପାଙ୍କର ଚିଠି । ସମ୍ପୂର୍ଣ୍ଣ ପ୍ରତ୍ୟାଶିତ ତା’ର ଆରମ୍ଭ ଓ ଶେଷ ମଧ୍ୟ ।

 

ଚିଠି ଆରମ୍ଭରେ ଲେଖିଥିଲେ ସେ–

 

“ଅବଶେଷରେ ଆସିଥିଲା ସେ ଦିନ । ଯାଉଚି । ଯିବାକୁ ହେବ । କିଛି ଆପତ୍ତି ନାହିଁ । ଏକପ୍ରକାର ସ୍ୱାଧୀନ ମନେ ହେଉଚି । ଅମୁକ ଦିନ ତାଳଚେର ଗାଡ଼ିକୁ ଅପେକ୍ଷା କରିଥିବୁ... ।”

 

କିନ୍ତୁ ତାଙ୍କର ଚିଠିର ଶେଷଟି ଥିଲା ଏହିପରି–

 

“କେତେ ଶସ୍ୟ ସେ କାଟିଥିଲେ ସ୍ଵକରେ

ଚଷି କଠିଣ ଭୂମି ଲଙ୍ଗଳଗାରେ

କି ପ୍ରେମେ ନେଉଥିଲେ କେଦାରେ ହଳ

ବନ ବିଭୀତ ଦେଖି ତାଙ୍କର ବଳ ।

ତାଙ୍କପାଇଁ ଜଳିବ ନାହିଁ ଇନ୍ଧନ

ଦଉଡ଼ି ନ ଆସିବେ ସନ୍ତାନଗଣ

ଅଗ୍ରେ ଲଭିବାପାଇଁ ପିତୃ ଚୁମ୍ବନ ।”

 

କିଏ ?

 

ହସ୍‍‍ପିଟାଲ ବାରଣ୍ଡା ଉପରେ ଢୁଳେଇ ପଡ଼ୁ ପଡ଼ୁ ଉଠି ବସି ଆଖି ଫିଟେଇଲା ବିଭୁପ୍ରସାଦ । ରାତି ପାହି ଆସୁଥାଏ । କାହାର ପାଦଶବ୍ଦ ଶୁଣି ପାରିଲା ପରି ମନେ ହେଲା ତା’ର । କିନ୍ତୁ କାହିଁ କିଏ ?

 

ବହୁଦୂରରୁ ଟ୍ରେନ୍‍ର ହୁଇସିଲ୍‍ଟିଏ ଶୁଣା ଯାଉଥାଏ । ବୋଧହୁଏ ଆସି ଯାଉଚି ଗାଡ଼ି । ତାଳଚେର ଟ୍ରେନ୍ । ଏଇଥିରେ ଫେରି ଆସିବେ ତା’ର ବାପା । ସାନଭାଇ ଅନିରୁଦ୍ଧ ଫେରୁଥିବ । ମାଟ୍ରିକ୍ ପରୀକ୍ଷାର ଫଳ ବୋଧହୁଏ ଏଇ ଅଳ୍ପଦିନ ଭିତରେ ବାହାରିବ ତା’ର । ଭାରି ଫୁର୍ତ୍ତିରେ ଆସୁଥିବ ସେ । ଆଉ ପନ୍ଦରଟା ଦିନ ପରେ ସେ ପୁଣି ହେବ କଲେଜ ପିଲା । ବିଜ୍ଞାନ ନେବ ନା କଳା ନେବ ସେ ?

 

କଜଳପାତୀଟିଏ, ନିକଟବର୍ତ୍ତୀ ଆମ୍ବଗଛ ତଳେ ଲମ୍ବି ଯାଉଥିବା ଇଲେକ୍‍ଟ୍ରିକ୍ ତାର ଉପରେ ହଠାତ୍ ଚେଇଁଉଠିଲା ଓ ଏକ ଅସ୍ପଷ୍ଟ ହୁଇସିଲ୍ ମାରି ପୁଣି ନିରବ ହୋଇଗଲା ।

 

ନିକଟରେ ପୁଣି କାହାର ପାଦଶବ୍ଦ ଶୁଣି ମଧ୍ୟ ବିଭୁପ୍ରସାଦ ତଥାପି ଆଖି ଫିଟାଉ ନଥାଏ-। କିନ୍ତୁ ପାଦ ଶବ୍ଦଟି ଏଥର ନିଶ୍ଚିତଭାବେ ତା’ରି ପାଖରେ ଅଟକିଗଲା । କିଏ ଜଣେ ତାକୁ ହଲାଇ ଦେଇ କହିଲା–“ଅମୁକ ନମ୍ବର ବେଡ଼୍ ଡାକୁଚି ।”

 

ବିଭୁପ୍ରସାଦ ଉଠି ପଡ଼ିଲା । ତା’ର ମନେ ପଡ଼ିଲା ସେ ବର୍ଷ ଖରାଛୁଟି କଥା, ଯେଉଁବର୍ଷ ଗୁଲର୍‍ଟିଏ ନେଇ ହଳଦିବସନ୍ତ ଛୁଆଟିଏ ମାରି ପକାଇଥିଲା ସେ । ତା’ର ମା’ ପାଖଘରେ ପଡ଼ିଥାନ୍ତି । ଆଉ, ତା’ର ବାପା ବାଲ୍ମୀକି ହେବାପାଇଁ ଉପଦେଶ ଦେଉଥାନ୍ତି ତାକୁ । ତୁଳା ଟିକିଏ ଓଦା କରି କେହି ତା’ ହାତକୁ ଦଉଥାଏ ଆଉ ବାହୁନୁଥାଏ–

 

“ଆହା, କେତେ ପୁଣ୍ୟ କରିଥିଲା–ସ୍ଵାମୀ ବଇଚି, ପିଲାଏ ପାଣି ଦଉଚନ୍ତି ଅହିଅ ଡେଙ୍ଗୁରା ବାଜୁଚି... ।”

Image